Unknown

 

 

 

 

 

 

 

 

 

 

 

ବର୍ଣ୍ଣ-ବିବର୍ଣ୍ଣ

ପ୍ରିୟବ୍ରତ ଦାସ

 

 

 

 

 

 

 

 

 

 

 

 

 

ମୋ ବୋଉର ପବିତ୍ର ସ୍ମୃତି ଉଦ୍ଦେଶ୍ୟରେ....

 

‘କିଏ ସେଠି ? ଗେଟ୍‌ ପାଖରେ କିଏ ଛିଡ଼ା ହୋଇଚନ୍ତି ? ଓ ଆପଣ—ଏଠାକୁ ଆସନ୍ତୁ’

 

ସୁବୋଧ ଦାଶ ତାଙ୍କ ସରକାରୀ କ୍ୱାଟର୍‌ସ ବାରନ୍ଦାରେ ଗୋଟିଏ ବେତ ଚୌକିରେ ବସିଥିଲେ । ସେଦିନ ରବିବାର କିମ୍ବା କିଛି ଗୋଟାଏ ଛୁଟିଦିନ । ସକାଳେ ଗଲେ ଦେଖାହେବ ଭାବି ମୁଁ ଖୁବ୍‌ ସକାଳୁ ତାଙ୍କ ଘରେ ପହଞ୍ଚିଥିଲି । ମୋର ତାଙ୍କ ପାଖରେ ସାମାନ୍ୟ ଗୋଟିଏ କାମ ଥିଲା । ଆମ ଗାଁ-ଲେଖାରେ ଗୋଟିଏ ପୁତୁରାର ଜଣେ ଗେଜେଟେଡ଼୍‌ ଅଫିସରଙ୍କ ଚରିତ୍ର ସାର୍ଟିଫିକେଟ୍‌ ଦରକାର ଥିଲା । ସେ ବିଚରା ନିଜେ ଯୋଗାଡ଼ କରି ନ ପାରି ମୋତେ ଧରିଥିଲା । ସେହି ପାର୍ଟିଫିକେଟ୍‌ଟି ଆଣିବା ପାଇଁ ମୁଁ ଏକ୍‌ଜିକ୍ୟୁଟିଭ ଇଞ୍ଜିନିୟର ସୁବୋଧ ଦାଶଙ୍କ ପାଖକୁ ଥରେ ଦି’ଥର ଯାଇ ଦେଖା ନ ପାଇ ଫେରି ଆସିଥିଲି । ତେଣୁ ସେଦିନ ଖୁବ୍‌ ଭୋରରୁ ସେ ଟୁରରେ ବାହାରିଯିବା ପୂର୍ବରୁ ଦେଖାପାଇବା ଆଶାରେ ଯାଇ ତାଙ୍କ ଘରେ ପହୁଞ୍ଚିଥିଲି । ମୁଁ ପହୁଞ୍ଚିଲା ବେଳକୁ ସୁବୋଧ ଦାଶ ସବୁ ନିତ୍ୟକର୍ମ ଶେଷକରି ତାଙ୍କ କ୍ୱାଟର୍‌ସ ବାରନ୍ଦାରେ ବସି ଚା’ ପିଉ ପିଉ ସକାଳର ଇଂରାଜୀ ଖବରକାଗଜ ପଢ଼ୁଥିଲେ । ମୋତେ ଦେଖି ଖୁବ୍‌ ଖୁସିହେଲେ ସେ । ତାଙ୍କ ସଙ୍ଗେ ମୋର ଅନେକ ଦିନର ପରିଚୟ । ପରିଚୟ କହିଲେ ଭୁଲ ହେବ ଆତ୍ମୀୟତା ଥିଲା । ଏକା ଜାଗାର ଲୋକ ଆମ୍ଭେମାନେ । ମୋର ବାଲ୍ୟଗୁରୁ ପଣ୍ଡିତ ଭଗବାନ ଦାଶଙ୍କ ଏକମାତ୍ର ପୁତ୍ର ସୁବୋଧ ଦାଶ ଆମ ସହରର ଉଜ୍ଜ୍ୱଳତମ ଜ୍ୟୋତିଷ୍କ ଥିଲେ । ସେ ଥିଲେ ଆମ୍ଭମାନଙ୍କ ଆଦର୍ଶ । ପିଲାଦିନୁ ଆମେ ତାଙ୍କୁ ସୁବୋଧନନା ବୋଲି ଡାକୁଥିଲୁ । ମୁଁ ମୋ ବକ୍ତବ୍ୟ ଆରମ୍ଭ କରିବା ପୂର୍ବରୁ ସୁବୋଧନନା ମୋ ପାଇଁ ଚା’ ମଗାଇ ମୋ ସହିତ ଏଣୁତେଣୁ ଗପ ଆରମ୍ଭ କରିଦେଲେ । ଏଇ ସମୟରେ ତାଙ୍କ ବଙ୍ଗଳା ଆଗରେ ଗୋଟିଏ ମୋଟର ସାଇକଲ ରହିଲା । ମୋଟର ସାଇକଲରୁ ଓହ୍ଲାଇ ଜଣେ ଭଦ୍ରଲୋକ ଟିକିଏ ଇତସ୍ତତଃ ହୋଇ ତାଙ୍କ ଗେଟ୍‌ ପାଖକୁ ଆଗେଇ ଆସିଲେ । ଆଗରୁ ଆସି ରାସ୍ତାରେ କେଉଁଠି ଅପେକ୍ଷା କରିଥିବା ଜଣେ ମୂଲିଆ ଶ୍ରେଣୀର ଲୋକ ମଧ୍ୟ ତାଙ୍କ ପଛେ ପଛେ ଆସି ଗେଟ୍‌ ପାଖରେ ଅଟକିଗଲା । ମୋ ସହିତ ଗପ କରୁ କରୁ ହଠାତ୍‌ ସୁବୋଧନନାଙ୍କ ଦୃଷ୍ଟି ଗେଟ୍‌ ଉପରେ ପଡ଼ିଲା । ସେ ଗମ୍ଭୀର ଭାବେ ପଚାରିଲେ—କିଏ ସେଠି ?

 

ଆଗନ୍ତୁକ ଗେଟ୍‌ ଖୋଲି ଭିତରକୁ ଆସିଲେ । ସୁବୋଧନନା ଚିହ୍ନି ପାରିଲେ । ମୁଁ ବି ଚିହ୍ନିଲି ଆଗନ୍ତୁକ ଜଣେ ପ୍ରତିଷ୍ଠିତି ପି. ଡବ୍ଳ୍ୟୁ. ଡି କଣ୍ଟ୍ରାକ୍ଟର ସହଦେବବାବୁ । ସହଦେବବାବୁଙ୍କୁ ଦେଖି ସୁବୋଧନନା କହିଲେ ଓ ଆପଣ ! ଏଠାକୁ ଆସନ୍ତୁ । ସହଦେବବାବୁ ଆସି ବାରନ୍ଦା ତଳେ ଛିଡ଼ାହେଲେ । ତାଙ୍କ ମୂଲିଆ ବି ଗେଟ୍‌ ଖୋଲି ହତା ଭିତରକୁ ପଶି ଆସିଲା । ତା’ ହାତରେ ଗୋଟିଏ ଓଜନିଆ ଥଳି ।

 

ଏତେ ସକାଳୁ କୁଆଡ଼େ ଆସିଲେ ? ସୁବୋଧନନା ପଚାରିଲେ ।

 

ସହଦେବବାବୁ ପୁଣି ଟିକିଏ ଇତସ୍ତତଃ ହୋଇ କହିଲେ, ‘ନାଇ ଏମିତି....’

 

କ’ଣ କିଛି କାମ ଅଛି ?

 

ସାହସ ସଞ୍ଚୟ କରି ସହଦେବବାବୁ କହିଲେ—‘ନାଇ ମାଛଟିଏ ପାଇଗଲି ଯେ....’

 

ସୁବୋଧନନା ଭ୍ରୂକୁଞ୍ଚିତ କରି ସହଦେବବାବୁଙ୍କୁ ଚାହିଁ ପଚାରିଲେ—‘ମାଛ ?’

 

ସହଦେବବାବୁ ଖୁସି ହୋଇ କହିଲେ ଗାଁରୁ—‘ଆସିବା ବେଳେ ଆନିକଟ ପାଖରେ ପାଞ୍ଚ ଛ’ କିଲୋ ଓଜନର ରୋହି ମାଛଟିଏ ପାଇଗଲି ଯେ....’

 

‘କିନ୍ତୁ ଏଠାକୁ କାହିଁକି ଆଣିଲେ ?’ ସହଦେବବାବୁଙ୍କୁ ବାଧାଦେଇ ସୁବୋଧନନା ପଚାରିଲେ । ସହଦେବବାବୁ ନିରୁତ୍ତର ରହି ହସ ହସ ମୁହଁରେ କାନ ପାଖରେ ଟିକିଏ କୁଣ୍ଡାଇ ହେଲେ ।

 

‘କିନ୍ତୁ ଏଠିକି କାହିଁକି ଆଣିଲେ ସହଦେବବାବୁ ? ମାଛ ମୋର କ’ଣ ହେବ ? ତା’ ଛଡ଼ା ଆପଣ ଜାଣନ୍ତି.....’

 

‘ଜାଣେ ସାର୍‌ ଆପଣ ଏସବୁ ଜିନିଷ କାହାରିଠାରୁ ରଖନ୍ତି ନାହିଁ । କିନ୍ତୁ ସାର୍‌ ମୋର ତ କାମ ନାହିଁ କିଛି ଏମିତି ଖୁସିବାସିରେ ଆଣିବା କଥା ।

 

‘ନା ସହଦେବବାବୁ ! ଯେଉଁ କଥା ମୋ ନୀତି ବିରୁଦ୍ଧ ସେ କଥାରେ ମୁଁ ପ୍ରଶ୍ରୟ ଦିଏନା–ଆପଣ ମାଛ ଫେରାଇ ନିଅନ୍ତୁ । ପ୍ଳିଜ୍‌—’

 

ବଡ଼ ଗମ୍ଭୀର ଭାବେ ଆଦେଶ ଦେବା ଭଙ୍ଗୀରେ କହି ସୁବୋଧ ନନା କେଇ ସେକେଣ୍ଡ୍‌ ସ୍ଥିର ଦୃଷ୍ଟିରେ ସହଦେବବାବୁଙ୍କୁ ଚାହିଁ ରହିଲେ । ସୁବୋଧନନାଙ୍କ ବ୍ୟକ୍ତିତ୍ୱ ବ୍ୟଞ୍ଜକ ଗମ୍ଭୀର କଣ୍ଠସ୍ୱରରେ ସହଦେବବାବୁଙ୍କର ପୁନର୍ବାର ଅନୁରୋଧ କରିବାର ସବୁ ସାହସ ମିଳେଇ ଯାଇଥିଲା-। ସେ ବଡ଼ ଅସହାୟ ଭାବେ ଥରେ ମୋତେ ଚାହିଁ ଆଉଥରେ ସୁବୋଧନନାଙ୍କୁ ଚାହିଁଲେ-। ସୁବୋଧନନାଙ୍କ ଆଖିରେ ପ୍ରତ୍ୟାଖ୍ୟାନର ନିର୍ଦ୍ଦେଶ ପୂର୍ବଭଳି ଅଚଞ୍ଚଳ ଥିଲା । ସହଦେବବାବୁଙ୍କ ମୁହଁ କଳା ପଡ଼ିଗଲା । ଲଜ୍ଜା ଓ ସଂକୋଚରେ ସେ ମ୍ରିୟମାଣ ହୋଇଗଲେ । ମୋ ଭଳି ଜଣେ ସାମାନ୍ୟ ପରିଚିତ ବ୍ୟକ୍ତି ଆଗରେ ଇଞ୍ଜିନିୟର ସୁବୋଧ ଦାଶ ତାଙ୍କ ଆଣିଥିବା ଉପଢ଼ୌକନ ପ୍ରତ୍ୟାଖ୍ୟାନ କରିବାରୁ ସହଦେବବାବୁ ଅପମାନିତ ହୋଇଥିଲେ । ସେ ବିମର୍ଷଭାବେ ନମସ୍କାରଟିଏ କରି ଫେରିଗଲେ । ତାଙ୍କ ପଛେ ପଛେ ତାଙ୍କ ଲୋକଟି ମଧ୍ୟ ଫେରିଗଲା । ତା’ ପରେ ମୋଟର ସାଇକେଲ ଷ୍ଟାର୍ଟ କରିବା ଶବ୍ଦ ଶୁଭିଲା । ସେ ଶବ୍ଦ ଶୁଭୁଥିବା ଯାଏ ସୁବୋଧ ଦାଶ ଚୁପ୍‌ଚାପ ବସି ରହିଲେ । ମୋଟରସାଇକେଲର ଫୁଟ୍‌ ଫୁଟ୍ ଆବାଜ ମିଳେଇ ଯିବାପରେ ମଧ୍ୟ ସୁବୋଧନନା କଥା କହି ନ ଥିଲେ । ମୁଁ ଲକ୍ଷ୍ୟକଲି ତାଙ୍କ ମନରେ ପୂର୍ବର ସରସତା ଆଉ ଫେରିଲା ନାହିଁ । ଅନେକ ସମୟ ପରେ ସୁବୋଧନନା ସ୍ୱାଗତୋକ୍ତି କଲାଭଳି କହିଲେ—ସରକାରୀ ଚାକିରି ଗୋଟାଏ ଭିସାସ ସର୍କଲ । ମୁଁ କୌଣସି ମନ୍ତବ୍ୟ କଲି ନାହିଁ । ମୋ ମନ୍ତବ୍ୟ ବା ମତାମତକୁ ଅପେକ୍ଷା ନ କରି ସୁବୋଧନନା କହିଲେ—‘ଜଣେ ସରକାରୀ କର୍ମଚାରୀକୁ ସଚ୍ଚୋଟ ଭାବେ ଚଳିବା ପାଇଁ ସୁଯୋଗ ନ ଦେବାକୁ ସମସ୍ତେ ସଚେଷ୍ଟ ।’ ମୋର ମତାମତ ଆଶାରେ ସୁବୋଧନନା ବୋଧହୁଏ ମୋ ଆଡ଼େ ଚାହିଁଲେ । ମୁଁ କିଛି ନ କହି ଅପ୍ରତିଭ ଭାବେ ଟିକିଏ ହସି ଚୁପ୍‌ ରହିଲି । ସୁବୋଧନନା ପୁଣି କହିଲେ—ମୋର ପରିବାର ଛୋଟ । ପ୍ରୟୋଜନ ଅଳ୍ପ । ଇଶ୍ୱରଙ୍କ କୃପାରୁ ଗୋଟିଏ ଛୋଟ ପରିବାରର ସମସ୍ତ ପ୍ରୟୋଜନ ମେଣ୍ଟାଇବା ପାଇଁ ମୋର ଆୟ ଯଥେଷ୍ଟ । ତଥାପି ଦଳେ ଅବାଞ୍ଛିତ ଲୋକ ମୋର ପ୍ରୟୋଜନ ଥାଉ ବା ନ ଥାଉ ଉପଢ଼ୌକନ ଦେବାପାଇଁ ସବୁବେଳେ ସଚେଷ୍ଟ । କଣ ଦରକାର ସେ ସବୁର ? ତୁ ତ ଜାଣୁ ରାଜୁ, କି ପରିସ୍ଥିତିରେ ମୁଁ ମଣିଷ ହୋଇଚି । ବାପା ସାରାଜୀବନ ଜାମା ପିନ୍ଧି ନ ଥିଲେ, ଜୋତା ମାଡ଼ି ନ ଥିଲେ । ଆମ ଘରେ କେବେ ବି ସରୁ ଚାଉଳ ରନ୍ଧା ହେଉ ନ ଥିଲା । ଆମର ତ କିଛି ଅସୁବିଧା ହେଉ ନ ଥିଲା ? ମୁଁ ଅନୁଭବ କରି ପାରୁଥିଲି ସୁବୋଧନନା ଏକ ଅନ୍ତର୍ଦ୍ୱନ୍ଦ୍ୱରେ ପୀଡ଼ିତ ହେଉଚନ୍ତି । ମନର ଯନ୍ତ୍ରଣାକୁ ସେ ଠିକ୍‌ ଭାବେ ପ୍ରକାଶ କରି ନ ପାରି କଷ୍ଟ ପାଉଛନ୍ତି । ତେଣୁ ପ୍ରସଙ୍ଗ ବଦଳାଇବା ପାଇଁ ମୁଁ ତାଙ୍କୁ ସେହି ପିଲାର ସାର୍ଟିଫିକେଟ କଥା ମନେ ପକାଇଦେଲି । ସୁବୋଧନନା ନୀରବରେ ସାର୍ଟିଫିକେଟଟା ଲେଖି ମୋ ହାତକୁ ବଢ଼ାଇ ଦେଲେ । ମୁଁ ଉଠିଲି । ସୁବୋଧନନା କହିଲେ, ‘ଏଇଠି ତ ଅଛୁ; ମଝିରେ ମଝିରେ ଆସୁଥିବୁ । ତୁମକୁ ସବୁ ଦେଖିଲେ ଖୁସି ଲାଗେ ।’ ସୁବୋଧନନା ସସ୍ନେହରେ ହସିଲେ । ମୁଁ ନମସ୍କାର କରି ଚାଲି ଆସିଲି ।

 

ସୁବୋଧନନାଙ୍କ ହତା ଫାଟକ ଖୋଲି ବାହାରକୁ ଆସିଲାବେଳେ ମୋର ତାଙ୍କ ପ୍ରତି ଧାରଣା ବଦଳି ଯାଇଥିଲା । ତାଙ୍କ ସମ୍ବନ୍ଧରେ ଏ ସହରରେ ଅନେକ ଦୁର୍ନାମ । କିନ୍ତୁ ମୋର ମନେ ହୋଇଥିଲା ସେ ସବୁ ମିଛ ପରଶ୍ରୀକାତର ଲୋକଙ୍କ କୁତ୍ସା । ସୁବୋଧନନା ଅସତ୍‌ ନୁହନ୍ତି—ଯେଉଁ ମଜଭୁତ ମୂଳଦୂଆ ଉପରେ ସେ ଠିଆ ହୋଇଛନ୍ତି ସେ କ’ଣ ଏତେ ଶୀଘ୍ର ଭୁଷୁଡ଼ି ପଡ଼ିବ ? ସୁବୋଧନନା କ’ଣ କେଭେ ନୀଚ ହୋଇ ଠିକାଦାରଙ୍କ ପାଖେ ପାଉଣା ପାଇଁ ହାତ ପାତି ପାରିବେ-? ଅସମ୍ଭବ—ସେକଥା ମୁଁ ବିଶ୍ୱାସ କରି ପାରୁ ନ ଥିଲି ।

 

ଆଉ ଆଜି ? ଆଜି ସୁବୋଧନନାଙ୍କଠାରୁ ବିଦାୟ ନେଇ ଆସିବା ପରେ କ’ଣ ମୋର ସେ ଧାରଣା ବଦଳିଗଲା ? ନିଜ ଘର ବାରନ୍ଦାରେ ସୁବୋଧନନା ଏକ ନୂତନ ସର୍ଯ୍ୟୋଦୟକୁ ଧ୍ୟାନମଗ୍ନ ଭାବେ ଛାହିଁ ଛିଡ଼ା ହୋଇଥିଲେ । ବୋଧହୁଏ ସେ ମନେ ମନେ ସୂର୍ଯ୍ୟସ୍ତୋତ୍ର ପାଠ କରୁଥିଲେ—ଜବା କୁସୁମ ସଂକାଶଂ..... । ଶୀର୍ଣ୍ଣ ମଳିନ ଭଗ୍ନସ୍ୱାସ୍ଥ୍ୟ ଜଣେ ପରାଜିତ ବୃଦ୍ଧ ମଣିଷ ସର୍ବତେଜୋମୟ ସୂର୍ଯ୍ୟଙ୍କୁ ଚାହିଁ ପ୍ରାର୍ଥନା କରୁଥିଲା: ହେ ସପ୍ତାଶ୍ୱବାହନ ଗ୍ରହାଧିପ ମାର୍ତ୍ତଣ୍ଡ, ମୋର ସମସ୍ତ ପାପ ଓ ଗ୍ଳାନି, ମୋର ସମସ୍ତ ଅକ୍ଷମତା ଓ ଅପରାଧକୁ ଶୋଷଣ କରି ମୋର ଆତ୍ମାକୁ ବିଶୁଦ୍ଧ କର....

 

ଥାଉ—ସେ କଥା ବର୍ତ୍ତମାନ ଥାଉ । ଏ ତ ସୁବୋଧନନାଙ୍କ ଜୀବନର ଶେଷ ପୃଷ୍ଠାର କାହାଣୀ । ତାଙ୍କ ଜୀବନର ଆରମ୍ଭରୁ ଶେଷଯାଏ ସବୁ କାହାଣୀ କହିବା ପାଇଁ ତ ମୁଁ ଏ ଗପ ଲେଖୁଚି । ଏ ଗପ ସୁବୋଧନନାଙ୍କ ଜୀବନୀ ନୁହେଁ, ତାଙ୍କ ଜୀବନର ଗପ । ସୁବୋଧନନାଙ୍କୁ ଆପଣ ହୁଏତ ଜାଣିଥିବେ । ସେ ତ ଜଣେ ବିଖ୍ୟାତ ମଣିଷ ଥିଲେ । ଜାଣିଥିଲେ ତାଙ୍କ ଜୀବନର ଗପ ବି କିଛି ଜାଣିଥିବେ । ନ ଜାଣି ଥିଲେ ତାଙ୍କ ଭଳି ଆଉ କେଉଁ ମଣିଷଙ୍କ କଥା ଜାଣିଥିବେ ସେ ତ ଏକା ନୁହନ୍ତି ତାଙ୍କ ଭଳି ଆହୁରି ଅନେକ ସୁବୋଧ ଦାଶ ଅଛନ୍ତି । ଯେଉଁମାନେ ନିଜ ତେଜରେ ଦୀପ୍ତିମାନ୍‌ ହୋଇ ନିଜର ପରିପାର୍ଶ୍ୱକୁ ଚମକାଇ ଦିଅନ୍ତି । କିନ୍ତୁ ବିଧାତାର କୂଟରେ ସେମାନଙ୍କ ଜୀବନରେ ଗଣିତର ଧାରା ଭୁଲ ହୋଇଯାଏ । ସେ ଅଙ୍କ ଛିଡ଼େ ନାହିଁ । ତା’ର ଉତ୍ତର ପାଟୀଗଣିତ ବହିର ଶେଷ ପୃଷ୍ଠାରେ ଦିଆଯାଇଥିବା ଉତ୍ତରମାଳା ସହିତ ମିଳେ ନାହିଁ । —ତାପରେ ସେମାନେ ଜଣେ ଅସହାୟ ଶିଶୁଭଳି ଆକାଶକୁ ଚାହିଁ ଜୀବନର ସବୁ ପାପ ସବୁ ଗ୍ଳାନିକୁ ଭସ୍ମୀଭୂତ କରିଦେବା ପାଇଁ ଉଦୟ ସୂର୍ଯ୍ୟଙ୍କ ପ୍ରାର୍ଥନା କରନ୍ତି ।

 

ସୁବୋଧନନାଙ୍କ ଜୀବନର କାହାଣୀ କହିବାକୁ ଗଲେ ମୋତେ ଅନେକ ଦିନ ତଳକୁ ଫେରିଯିବାକୁ ହେବ । ଫେରିଯାଇ ମୋ ଶୈଶବର କାହାଣୀ କହିବାକୁ ହେବ । ସୁବୋଧନନାଙ୍କ ସହ ମୋର ପରିଚୟ ତ ଅଳ୍ପଦିନର ନୁହେଁ ? ତାଙ୍କୁ ମୁଁ ଅତି ପିଲାଦିନୁ ଜାଣିଚି । ସେତେବେଳେ ଆମେମାନେ ଦଉଡ଼ିଲଗା ହାଫ୍‌ ପ୍ୟାଣ୍ଟ ଓ ଛାତିରେ ବୋତାମ ନ ଥିବା ହାଫ୍‌ସାର୍ଟ ପିନ୍ଧି ସିଲଟ ବର୍ଣ୍ଣବୋଧକୁ ବସ୍ତାନିରେ ଗୁଡ଼ାଇ ଖଣ୍ଡିଏ ଆସନ ଧରି ସ୍କୁଲକୁ ଯାଉଥିଲୁ । ସ୍କୁଲ ମାନେ ମଡ଼େଲ ଉ: ପ୍ରା: ସ୍କୁଲ । ଆମ ସହରର ତିନି ଚାରୋଟି ପ୍ରାଥମିକ ସ୍କୁଲ ଭିତରେ ସବୁଠାରୁ ଭଲ ଥିଲା ଆମ ସ୍କୁଲ । ଖୁବ୍‌ ଭଲ ପଢ଼ାଶୁଣା ହେଉଥିଲା ବୋଲି ସହରର ସବୁ ଶିକ୍ଷିତ ମାନ୍ୟଗଣ୍ୟ ଲୋକେ ସେମାନଙ୍କ ପିଲାଙ୍କର ମଡ଼େଲ ସ୍କୁଲରେ ନାମ ଲେଖାଉଥିଲେ । ଆମ ସ୍କୁଲର ପିଲାମାନେ ପ୍ରତିବର୍ଷ ଉଚ୍ଚ ପ୍ରାଥମିକ ବୃତ୍ତି ପାଉଥିଲେ । ଆମ ସ୍କୁଲର ଏତେ ଭଲ ଫଳ ଓ ପ୍ରଶଂସା ମୂଳରେ ଜଣେ ଲୋକ ଥିଲେ । ସେ ଆମ ହେଡ଼ସାର୍‌ ଭଗବାନ ସାର୍‌ । ଆମେ ତାଙ୍କୁ ଭଗବାନ ସାର୍‌ ବୋଲି ଡାକୁଥିଲୁ ସିନା ତାଙ୍କ ନାମ ଥିଲା ପଣ୍ଡିତ ଭଗବାନ ଦାଶ । ମୁଁ ମଡ଼େଲ ସ୍କୁଲର ଶିଶୁ ଶ୍ରେଣୀରେ ନାମ ଲେଖାଇବା ବେଳେ ଭଗବାନ ସାର୍‌ଙ୍କର ବୟସ କେତେ ହୋଇଥିଲା କହିପାରିବି ନାହିଁ । କିନ୍ତୁ ସେତେବେଳେ ତାଙ୍କ ଚେହେରା ଯେମିତି ଥିଲା ମୁଁ ସେ ସ୍କୁଲ ଛାଡ଼ି ଆସିବାବେଳେ ବି ସେମିତି ଥିଲା । ଆଉ ଯେବେ ମୁଁ ମାଟ୍ରିକ୍ୟୁଲେସନ୍‌ ପାସ୍‌ କଲି ସେତେବେଳେ ବି ଦେଖିଛି ସାର୍‌ଙ୍କର ଚେହେରା ଠିକ୍‌ ସେମିତି ଥିଲା । କଥାବାର୍ତ୍ତା ଚାଲିଚଳନ କିଛି ବଦଳି ନଥିଲା । ଭଗବାନ ସାର୍‌ ଆମ ସ୍କୁଲର ଗଣେଶ ପୂଜା, ସରସ୍ୱତୀ ପୂଜା କରୁଥିଲେ । ଥରେ ସରସ୍ୱତୀ ପୂଜାରେ ବାବା ମୋତେ ସ୍କୁଲକୁ ନେଇଗଲେ । ଭଗବାନ ସାର୍‍ ସେଦିନ ମୋର ଖଡ଼ିଛୁଆଁ କରି ମୋ ହାତଧରି ଭୂଇଁରେ ଖଡ଼ିରେ ଗୋଟିଏ ‘ଠ’ ଲେଖିଦେଲେ । ତାପରେ ବାବା କହିଲେ—ମାଷ୍ଟ୍ରଙ୍କୁ ଜୁହାର ହ । ମୁଁ ତଳେ ମୁଣ୍ଡ ଲଗାଇ ଦଣ୍ଡବତ କଲି । ସାର୍‌ ମା ମୁଣ୍ଡ ସାଉଁଳାଇ ଦେଇ କହିଲେ—‘ମଣିଷ ହ ।’

 

ମୋ ବାବା ବି ସାର୍‌ଙ୍କୁ ଭକ୍ତିରେ ନମସ୍କାର କରି କହିଲେ—ସେଇ ଆଶୀର୍ବାଦ କରନ୍ତୁ ମାଷ୍ଟ୍ରେ । ମୋ ବାବା ବି କାଳେ ଭଗବାନ ସାର୍‌ଙ୍କ ପାଖରେ ପାଠ ପଢ଼ିଥିଲେ । ଭଗବାନ ସାର୍‌ ଟିକିଏ ହସଦେଇ କହିଲେ—ହବ ହବ ଖ‌ୁବ୍‌ ଭଲ ମଣିଷ ସିଏ ହବ । ତା’ପରେ ମୋତେ ଚାହିଁ କହିଲେ—ମନଦେଇ ପାଠ ପଢ଼ିବୁ । ଗୁରୁଜନମାନଙ୍କୁ ଭକ୍ତି କରିବୁ । ସାଙ୍ଗ ସାଥୀ ଆଉ ସାନଙ୍କୁ ସ୍ନେହ କରିବୁ । ପର ଜିନିଷ ପ୍ରତି ଲୋଭ ରଖିବୁ ନାହିଁ । ତେବେ ଯାଇ ମଣିଷ ହବୁ । ମୁଁ ସେଦିନ ଭଗବାନ ସାର୍‌ଙ୍କ କଥା ଠିକ୍‌ ବୁଝି ପାରି ନ ଥିଲି । ମୁଁ ସରସ୍ୱତୀ ପୂଜାର ଗହଳ ଚହଳ ମୋ ନୂଆ ଜାମା ପେଣ୍ଟ ଭୋଜି ପାଇଁ ରନ୍ଧା ହେଉଥିବା ଖେଚେଡ଼ି ଓ ବନ୍ଧାକୋବି ତରକାରିର ଘ୍ରାଣ ସବୁ ଭୁଲିଯାଇ ସେଇ ଦୀର୍ଘକାୟ ତେଜୋଦୀପ୍ତ ବ୍ରାହ୍ମଣଙ୍କ ଉଜ୍ଜ୍ୱଳ ଆଖି ଦୁଇଟିକୁ ଚାହିଁ ସମ୍ମୋହିତ ହୋଇ ଯାଇଥିଲି । ତା’ପରେ ପାଞ୍ଚବର୍ଷ କାଳ ମୁଁ ସ୍କୁଲରେ ପଢ଼ିଚି । ପାଞ୍ଚବର୍ଷକାଳ ଦୁଇଟି ଉଜ୍ଜ୍ୱଳ ଆଖିର ପ୍ରତ୍ୟକ୍ଷ ତତ୍ୱାବଧାନରେ ନିଜକୁ ମଣିଷ କରିବା ପାଇଁ ନିଜ ଅଜାଣତରେ ଆପ୍ରାଣ ଚେଷ୍ଟା କରିଚି । ଜାଣେନା—ମୁଁ ମଣିଷ ହୋଇଚି କି ନା ? ଋଷିପ୍ରତିମ ମୋ ଆଦ୍ୟ ଶିକ୍ଷାଗୁରୁଙ୍କ ଆଶୀର୍ବାଦ ମୋ ଜୀବନରେ ଫଳବତୀ ହୋଇଚି କି ନା ?

 

ଭଗବାନ ସାର୍‌ ଖାଲି ମୋତେ ନୁହେଁ ସମସ୍ତଙ୍କୁ ସେଇ ଗୋଟିଏ ଆଶୀର୍ବାଦ କରୁଥିଲେ–ମଣିଷ ହ । କିନ୍ତୁ ତାଙ୍କ ନିଜର ଏକମାତ୍ର ସନ୍ତାନ ସୁବୋଧ ଦାଶ ଯାହାଙ୍କୁ ଆମେ ପିଲାଦିନୁ ସୁବୋଧନନା ବୋଲି ଡାକୁଥିଲୁ ସେ କ’ଣ ମଣିଷ ହେଲେ । ସେ ବିଚାର କରିବାର ଶକ୍ତି ମୋର ନାହିଁ । ସେ ଆମଠାରୁ ଅନେକ ବଡ଼ ଥିଲେ । ଆମେ ପ୍ରାଥମିକ ସ୍କୁଲର ତଳଶ୍ରେଣୀରେ ପଢ଼ିବାବେଳେ ସେ ହାଇସ୍କୁଲର ଏକାଦଶ ଶ୍ରେଣୀରେ ପଢ଼ୁଥିଲେ । ସେ ଖାଲି ଆମଠାରୁ ବୟସରେ ବଡ଼ ନ ଥିଲେ । ନିଜର ସମ୍ମୁଜ୍ଜ୍ୱଳ ପ୍ରତିଭାରେ ସେ ଏତେ ବେଶୀ ପ୍ରଦୀପ୍ତ ଥିଲେ ଯେ ତାଙ୍କୁ ମାପକରି କଳନା କରିବା ଶକ୍ତି ଆମର ନ ଥିଲା । ମୁଁ ଆଜି ତାଙ୍କର ଗପ ଲେଖୁଚି । ତାଙ୍କ ବିଚାର ଆପଣମାନେ କରିବେ । କିନ୍ତୁ ମୋ ପିଲାଦିନ କଥା ଯେ ଶେଷ ହୋଇନି । ମୁଁ ଜଣେ ସାମାନ୍ୟ ଲୋକ । ଆତ୍ମଜୀବନୀ ଲେଖିବା ଭଳି କୌଣସି ଘଟଣା ନାହିଁ ମୋ ଜୀବନରେ । ତେଣୁ ସୁବୋଧନନାଙ୍କ ଗପ ଲେଖିବା ବେଳେ ସୁଯୋଗ ଟିକିଏ ପାଇ ମୋ ନିଜ ପିଲାଦିନ କେତୋଟି କଥା ବିସ୍ମୃତିର ଅତଳରୁ ଦରାଣ୍ଡି ଆଜି ଲେଖି ମନର ଅରିମାନା ମେଣ୍ଟାଇ ନେଉଚି ।

 

ଆମ ସ୍କୁଲ ସାଢ଼େ ଦଶଟାରେ ବସୁଥିଲା । କିନ୍ତୁ ସ୍କୁଲ ଯିବାପାଇଁ ନ’ଟା ପୂର୍ବରୁ ଆମର ପ୍ରସ୍ତୁତି ଆରମ୍ଭ ହୋଇ ସାଢ଼େ ନ’ଟା ବେଳକୁ ଆମେ ସ୍କୁଲକୁ ବାହାରି ପଡ଼ୁଥିଲୁ । ନଅଟା ବେଳୁ ତରବରରେ ଗାଧୋଇପଡ଼ି ମୁଁ ବୋଉ ସଙ୍ଗେ ଲଗଉଥିଲି ମୋ ସ୍କୁଲ ବେଳ ହୋଇଗଲା ଖାଇବାକୁ ଦେ । ବୋଉ ଖୁବ୍‌ ଭୋରରୁ ଉଠି ଚୁଲି ଲଗାଉଥିଲା । ତରବର ହୋଇ ରାନ୍ଧୁଥିଲା । ତଥାପି କ’ଣ ସବୁଦିନ ସେ ରନ୍ଧା ଶେଷ କରି ପାରୁଥିଲା ? ବୋଉ କହେ ହେଇ ଟ୍ରେଜେରୀ ଘଣ୍ଟାରେ ତ ନଅଟା ବାଜିଲା । ତୋ ସ୍କୁଲ ତ ସାଢ଼େ ଦଶଟାରେ, ଦି’ପାହୁଣ୍ଡ ବାଟ । ଆଉ ପାଞ୍ଚମିନିଟ ଥୟ ଧର ଡାଲିଟା ବଘାରି ଦିଏ । କିଏ ଶୁଣେ ତା କଥା । ମୋର ସେଇ ଏକା ଜିଦ୍‌ ବେଳ ହୋଇଗଲା ଖାଇବାକୁ ଦେ ନ ହେଲେ ମୁଁ ସେମିତି ଯାଉଚି । ବୋଉ ବ୍ୟସ୍ତ ହୁଏ କୁହେ ରହରହ ବାଢ଼ି ଦଉଚି । ଖାଇଦେଇ ଯା–ମୋତେ ଆଉ ଏମିତି ଜଳାନା । ମୁଁ ଖାଇ ବସୁ ବସୁ ପରମା ଆସେ । ମୁଁ ଭାତଗୁଣ୍ଡା ପାଟିରେ ପୂରାଇ ଗାଉଁ ଗାଉଁ ହୋଇ କହେ ମୋର ସରିଲା ଟିକିଏ ରହ । ସେ ଆମ ପିଣ୍ଡାରେ ଛିଡ଼ା ହୋଇ ରହେ । ତା’ପରେ ନବ ଆସି ପହୁଞ୍ଚେ । ଆମେ ତିନିଜଣ ମିଶି ଅମୂଲ୍ୟ ଘରକୁ ଯାଉ । ସେଠାକୁ ନନ୍ଦ ଆସିଥାଏ । ଏମିତି ୟା’ଘର ତା’ଘର ବୁଲି ଆମେ ଦଳବାନ୍ଧି ସ୍କୁଲରେ ପହଞ୍ଚୁ । ତଥାପି ସେତେବେଳକୁ ସ୍କୁଲ ସମୟ ହୋଇ ନ ଥାଏ । ଆମେ ବହି ବସ୍ତାନି ଥୋଇଦେଇ ଖେଳରେ ମାତିଯାଉ । ତା’ପରେ ଆମ ସ୍କୁଲ ପିଅନ କୃତ୍ତିବାସ ଅଫିସ ପିଣ୍ଡାରେ ଟଙ୍ଗା ହୋଇଥିବା ପିଟାଘଣ୍ଟାରେ ଠନ୍‌ଠନ୍‌ କରି ବାଡ଼ାଏ ଅନେକ ସମୟ । ସାଢ଼େ ଦଶ ବାଜିଲା । ପ୍ରାର୍ଥନା ଶ୍ରେଶୀ ହେବ । ଆମେ ଖେଳ ବନ୍ଦ କରି ଦୌଡ଼ିଆସି ଯେ ଯାହା ଶ୍ରେଣୀ ସାମନା ବାରଣ୍ଡାରେ ଛିଡ଼ା ହୋଇ ଏକସ୍ୱରରେ ପ୍ରାର୍ଥନା କରୁ ‘ଆହେ ଦୟାମୟ ବିଶ୍ୱବିହାରୀ’.....କେଉଁଦିନ ବା ‘ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ’ । ଦୁଇଶହ ପିଲାଙ୍କ କୋରସ ପ୍ରାର୍ଥନା ସ୍ୱରରେ ଖଣ୍ଡମଣ୍ଡଳ କମ୍ପିଯାଏ । ମୋର ଆଜି ମନେ ହେଉଚି ସେ ପ୍ରାର୍ଥନାର ସ୍ୱର ବୋଧହୁଏ ବୈକୁଣ୍ଠପୁରରେ ସ୍ୱୟଂ ବିଷ୍ଣୁଙ୍କ ସୁଖ ନିଦ୍ରାରେ ବ୍ୟାଘାତ ଘଟାଉଥିବ । ପ୍ରାର୍ଥନା ଶେଷ ହେଲେ ଆମେ ପିଲାଏ ଧାଡ଼ି ହୋଇ ଯେ ଯାହା ଶ୍ରେଣୀକୁ ଯାଉ । ଆମେ ପ୍ରାର୍ଥନା କଲାବେଳେ ହେଡ଼ସାର୍‌ ଅଫିସ ସାମନାରେ ଛିଡ଼ା ହୋଇ ରହନ୍ତି । ସବୁ ପିଲା ଶ୍ରେଣୀକୁ ଗଲେ ସେ ଅଫିସକୁ ଯା’ନ୍ତି କିମ୍ୱା ପଞ୍ଚମ ଶ୍ରେଣୀକୁ ଗଣିତ ପଢ଼ାଇବାକୁ ଯାନ୍ତି । ଆମେ ସବୁ ଶ୍ରେଣୀକୁ ଗଲାବେଳେ ଭଗବାନ ସାର୍‌ ହଠାତ୍‌ ଡାକନ୍ତି ଏ ଗୋକୁଳି ଏଠାକୁ ଆ । ଗୋକୁଳି ଶଙ୍କିତଭାବେ ଯାଇ ସାରଙ୍କ ସାମନାରେ ଛିଡ଼ାହୁଏ । ସେ ତା ପକେଟ ଚିପନ୍ତି । ତା ପ୍ୟାଣ୍ଟ ପକେଟରୁ ମାର୍ବଲ ବା କାଚର ଗୋଲି ବାହାରେ । ସେ ସେଗୁଡ଼ିକୁ ହାତରେ ଧରି କୁହନ୍ତି ଯା—ଛୁଟିହେଲେ ନେଇଯିବୁ । ପଢ଼ାବେଳେ ଖେଳରେ ମନଦେଲେ କ’ଣ ମଣିଷ ହୋଇ ପାରିବୁ ? ଗଧ ହୋଇଯିବୁ—ଯା ଗୋକୁଳି ମୁହଁ ଶୁଖାଇ ଫେରିଆସେ । ଏମିତି ସେ ପକେଟ ସାର୍ଚ୍ଚ କରି ପିଲାଙ୍କ ପକେଟରୁ ଭଙ୍ଗା କାଚଚୁଡ଼ି, ଚକ୍‌ ପୁରୁଣା ଡାକଟିକଟ ବ୍ଳେଡ଼ ଲଟୁ ଏମିତି କେତେ ଜିନିଷ ଆବିଷ୍କାର କରନ୍ତି ଏବଂ ଯେଉଁସବୁ ଜିନିଷ ତାଙ୍କ ଛାତ୍ରକୁ ପାଠ ପଢ଼ାରେ ଅମନୋଯୋଗୀ କରି ମଣିଷ ହେବାରେ ବାଧା ଦେବ ତାକୁ ସ୍କୁଲ ଛୁଟି ହେବା ପର୍ଯ୍ୟନ୍ତ ବାଜ୍ୟାପ୍ତି କରି କୃତ୍ତିବାସ ହେପାଜତରେ ରଖିଦିଅନ୍ତି ।

 

ଭଗବାନସାର୍‌ ଆମକୁ ଗଣିତ ପଢ଼ାଉଥିଲେ । ଗଣିତରେ ଦୁର୍ବଳତମ ଛାତ୍ରକୁ ବି ସେ ପିଟୁନଥିଲେ କିମ୍ବା ତାତ୍ସଲ୍ୟ କରି ଗାଳି ଦେଉ ନ ଥିଲେ । ଗଣିତରେ ତାର ଆଗ୍ରହ ସୃଷ୍ଟି କରିବା ଲାଗି ପାରୁପର୍ଯ୍ୟନ୍ତ ଚେଷ୍ଟା କରୁଥିଲେ । ସାର ସବୁବେଳେ କହୁଥିଲେ ଅଙ୍କ ନ ଶିଖିଲେ ମଣିଷ ହୋଇ ପାରିବ ନାହିଁ ରେ ପିଲେ । ମନ ଦେଇ ଅଙ୍କ ଶିଖ ଅଙ୍କ ମଣିଷ ଜୀବନର ମୂଳଦୁଆକୁ ଟାଣ କରେ । ମୂଳଦୁଆ ଟାଣ ହେଲେ ଯାଇ ମଣିଷପଣିଆର କୋଠା ମଜଭୁତ ହୋଇ ମୁଣ୍ଡ ଟେକି ଛିଡ଼ାହେବ । ଆମେ ସାରଙ୍କ ପାଖରେ ମନ ଦେଇ ଅଙ୍କ ଶିଖୁଥିଲୁ । ସେ ଅଙ୍କ କ୍ଳାସରେ ମଧ୍ୟ ଗପ କହୁଥିଲେ । କୌଣସି ନୀରସ ସୁତ୍ରକୁ ବୁଝାଉ ବୁଝାଉ ହଠାତ୍‌ ସେ ପଢ଼ା ବନ୍ଦ କରିଦେଇ ଲୀଳାବତୀ, ଖନା, ଭାସ୍କରାଚାର୍ଯ୍ୟ ଆଉ ପଠାଣୀ ସାମନ୍ତଙ୍କ କଥା କହୁଥିଲେ । କିନ୍ତୁ ପାଠ ପଢ଼ାରେ ଅବହେଳା କିମ୍ବା ଅମନୋଯୋଗକୁ ସେ କ୍ଷମା କରୁ ନ ଥିଲେ । ତାଙ୍କର ଭର୍ତ୍ସନାପୂର୍ଣ୍ଣ ତୀବ୍ର ଚାହାଁଣିକୁ ଡରି ଆମେ ସବୁ କାମଦାମ ଛାଡ଼ି ଏମିତିକି ବାବା ବୋଉଙ୍କ ସଙ୍ଗେ ସର୍କସ ଦେଖିବାକୁ ବି ନ ଯାଇ ଘରୁ ସେ ଦେଇଥିବା ଅଙ୍କ କଷି ସ୍କୁଲକୁ ନେଉଥିଲୁ ।

 

ଭଗବାନ ସାର ତାଙ୍କ ଜୀବନର ସବୁ ସମୟ ଅଗଣିତ ଶିଶୁ ମନରେ ଗଣିତ ପ୍ରତି ଆଗ୍ରହ ସୃଷ୍ଟି କରିବାରେ ବ୍ୟୟ କରିଦେଲେ । ଅଙ୍କ ଥିଲା ତାଙ୍କର ସବୁଠାରୁ ପ୍ରିୟ ବିଷୟ । ସେ ଭାବୁଥିଲେ ଅଙ୍କରେ ପାରଦର୍ଶିତା ଲାଭ ନ କଲେ କୌଣସି ଲୋକ ଜ୍ଞାନର ପ୍ରକୃତ ଉନ୍ମେଷ ହୋଇ ପାରିବ ନାହିଁ । ତା ବ୍ୟକ୍ତିତ୍ୱର ପୂର୍ଣ୍ଣ ବିକାଶ ହେବ ନାହିଁ କିମ୍ବା ତା’ମନରେ ଆତ୍ମ ପ୍ରତ୍ୟୟ ଜନ୍ମିବ ନାହିଁ । ତେଣୁ ସେ ସବୁ ଶ୍ରେଣୀରେ ଯାଇ ଅଙ୍କ ପଢ଼ାଉଥିଲେ । ଏମିତି କି ପ୍ରଥମଶ୍ରେଣୀ ପିଲାଙ୍କୁ ଦୁଇରେ ଦୁଇ ମିଶିଲେ ଚାରି ହୁଏ ବୋଲି ଶିଖାଉଥିଲେ । ଷୋହଳ ବର୍ଷ ବୟସରେ ମିଡ଼ିଲ ଭର୍ଣ୍ଣାକ୍ୟୁଲାର ପାଠ ଶେଷ କରି ଗୁରୁ ଟ୍ରେନିଂ ସ୍କୁଲରେ ତାଲିମ ପାଇ ଭଗବାନ ସାର୍‌ ତାଙ୍କର ଶିକ୍ଷକତା ଆରମ୍ଭ କରିଥିଲେ । ତାଙ୍କର ଶିକ୍ଷକ ଜୀବନ ଷାଠିଏ ବର୍ଷ ବୟସରେ ଶେଷ ହୋଇଥିଲା-। ଏହି ଦୀର୍ଘ ଚଉରାଳିଶ ବର୍ଷ ଭିତରେ ସେ ଅନ୍ତତଃ ଆଠହଜାର ଆଠଶହ ପିଲାଙ୍କୁ ଦୁଇରେ ଦୁଇ ମିଶିଲେ ଚାରି ହୁଏ ବୋଲି ଶିଖାଇ ଥିବେ । ଗଣିତର ବହୁ ଜଟିଳ ସୂତ୍ରକୁ ଶିଶୁ ମନର ପରିଷ୍କାର ସ୍ଳେଟ୍‌ ଉପରେ ଉଜ୍ଜ୍ୱଳ ଭାବେ ଲେଖି ଦେଇଥିବେ । ବହୁ ଅଛିଣ୍ଡା ଅଙ୍କ ମିଳାଇ ଦେଇଥିବେ । କିନ୍ତୁ ତାଙ୍କ ଜୀବନର ଅଙ୍କ କଣ ସାଙ୍କେତିକର ସହଜ ସୂତ୍ର ଧରି ସମାଧାନ ହୋଇ ପାରିଥିଲା-? ଭଗବାନ ସାର୍‌ ପ୍ରାଥମିକ ଶିକ୍ଷକ ଥିଲେ । ଛୋଟ ପିଲାଙ୍କୁ ନେଇ ଥିଲା ତାଙ୍କ ସଂସାର । ସେ ଖିଆଲ କରି ନ ଥିଲେ ତାଙ୍କ ସଂସାର ବାହାରେ ଆଉ ଗୋଟିଏ ବିରାଟ ସଂସାର ଅଛି । ଯେଉଁଠି ସବୁବେଳେ ଦୁଇରେ ଦୁଇ ମିଶି ଚାରି ହୁଏ ନା । ସେ ସଂସାରରେ କେତେବେଳେ ଦୁଇରେ ଦୁଇ ମିଶି ପାଞ୍ଚ ହୁଏ କେତେବେଳେ ମଧ୍ୟ ତିନି ହୁଏ । ସେଠାରେ ଯିଏ ଯେମିତି ନେଇ ଆଣି ଥୋଇପାରେ ସେ ସେମିତି ଫଳ ପାଏ । ସେ ସଂସାରରେ ସବୁ ଅଙ୍କର ଉତ୍ତର ବହି ଶେଷରେ ଦିଆଯାଇଥିବା ଉତ୍ତରମାଳା ସଙ୍ଗେ ମିଶେନା । କିନ୍ତୁ ସେ ସେସବୁ କଥାକୁ କେବେ ଭ୍ରୂକ୍ଷେପ କରି ନ ଥିଲେ । ନିଜର ଦାରିଦ୍ର୍ୟ ଅଭାବ ଅନଟନକୁ ଉପେକ୍ଷା କରି ସାଧୁଭାବେ ସଚ୍ଚୋଟଭାବେ ନିଜର କର୍ତ୍ତବ୍ୟ କରି ଚାଲିଥିଲେ । ତାଙ୍କର କର୍ତ୍ତବ୍ୟନିଷ୍ଠା ସ୍ୱୀକୃତି ପାଇଥିଲା । ଅବସର ନେବା ଆଗରୁ ଭଗବାନ ସାର୍‌ କୃତୀ ଶିକ୍ଷକ ଭାବେ ରାଷ୍ଟ୍ରପତି ପୁରସ୍କାର ପାଇଥିଲେ । ସେ ଉପଲକ୍ଷେ ହୋଇଥିବା ସମ୍ବର୍ଦ୍ଧନାର ଉତ୍ତର ଦେଇ ଭଗବାନ ସାର୍‌ ହାତଯୋଡ଼ି ବିନୀତ ଭାବେ କହିଥିଲେ—‘ମୁଁ ମୋ ଜୀବନ ଶ୍ରେଷ୍ଠ ସମୟ ମୋ ପିଲାଙ୍କୁ ମଣିଷ ହେବାପାଇଁ ସାହାଯ୍ୟ କରି ଆସିଚି । ସେମାନେ ଯଦି ମଣିଷ ହୁଅନ୍ତି ସେ ହେବ ମୋର ଶ୍ରେଷ୍ଠ ପୁରସ୍କାର । ଏହି ସରକାରୀ ଉପାୟନର ମୂଲ୍ୟ ତା’ ଆଗରେ ତୁଚ୍ଛ ।

 

ତାଙ୍କ ସମ୍ବର୍ଦ୍ଧନା ସଭାରେ ମୁଁ ଉପସ୍ଥିତ ଥିଲି । ଭଗବାନ ସାର୍‌ ଖୁବ୍‌ ଖୁସିଥିଲେ । ତାଙ୍କୁ ଦେଖି ମନେ ହୋଇଥିଲା ଭଗବାନ ସାର୍‌ ଜଣେ ସୁଖୀ ମଣିଷ । ସୁଖ । ସୁଖର ସଂଜ୍ଞା କ’ଣ ? ମୁଁ କହି ପାରିବି ନାହିଁ । କିନ୍ତୁ ସାନ ବେଳେ ଆମେ ଯେବେ ଭଗବାନ ସାର୍‌ଙ୍କ ଘରକୁ ଯାଉଥିଲୁ, ସାର୍‌ଙ୍କ ସ୍ତ୍ରୀଙ୍କୁ ଆମେ ମୁଣ୍ଡିଆ ମାରି ଜୁହାର ହେଉଥିଲୁ । ଯେ କେହି ତାଙ୍କୁ ଜୁହାର ହେଲେ ସେ ଆଶୀର୍ବାଦ କରି କହୁଥିଲେ ସୁଖୀ ହ । ତାଙ୍କୁ ମୁଁ କେବେ ପଚାରି ନାହିଁ ମାଉସୀ ସୁଖ କ’ଣ ? ପଚାରିଥିଲେ ସେ ବୋଧହୁଏ କହି ପାରିଥାନ୍ତେ । କିନ୍ତୁ ମାଷ୍ଟ୍ରାଣୀ ମାଉସୀ କ’ଣ ନିଜେ ସୁଖୀ ଥିଲେ-?

 

ମୁଁ ଭଗବାନ ସାର୍‌ଙ୍କ ସ୍ତ୍ରୀଙ୍କୁ ମାଷ୍ଟ୍ରାଣୀ ମାଉସୀ ବୋଲି ଡାକୁଥିଲି । କାରଣ ମୋ ବୋଉ ତାଙ୍କୁ ସେୟା ଡାକୁଥିଲା । ଆଉ କେଉଁ ପିଲା ନାନୀ ଡାକୁଥିଲା । କିଏ ବା ଖୁଡ଼ୀ, କିଏ ବା ଜେଜେମା ବୋଲି ଡାକୁଥିଲା । ଯିଏ ଯାହା ଡାକୁ ନା କାହିଁକି ସମସ୍ତେ ତାଙ୍କ ସ୍ନେହର ପାତ୍ର ଥିଲେ । ସମସ୍ତେ ତାଙ୍କର ପ୍ରିୟ ଥିଲେ । ଭଗବାନ ସାର୍‌ଙ୍କ ଘର ଆମ ସମସ୍ତଙ୍କର ଏକ ଆକର୍ଷଣର କେନ୍ଦ୍ର ଥିଲା । ଶନିବାର ଦିନ ଆମ ସ୍କୁଲ ହାଫ୍‌ଛୁଟି ହେଉଥିଲା । ଚତୁର୍ଥ ପିରିୟଡ଼ ପରେ ସ୍କୁଲ ଛୁଟିହେଲେ ଆମେ ଅନେକ ପିଲା ଦଳବାନ୍ଧି ତାଙ୍କ ଘରକୁ ଯାଉଥିଲୁ । ସାର୍‌ଙ୍କ ବାଡ଼ିରେ ବହୁତ ବରକୋଳି, ପିଜୁଳି ଆଉ ଜାମୁକୋଳି ଗଛ ଥିଲା । ସେହି ଲୋଭନୀୟ ଗଛଗୁଡ଼ିକ ଶନିବାର ଦିନ ଆମକୁ ହାତଠାରି ଆମନ୍ତ୍ରଣ କରୁଥିଲେ । ଆମେ ସାର୍‌ଙ୍କ ଘରେ ପହୁଞ୍ଚିଲେ କଳରବ କରି ତାଙ୍କ ବାଡ଼ିପଟକୁ ଧାଇଁ ଯାଉଥିଲୁ । ଆମ୍ଭମାନଙ୍କ ହଟ୍ଟଗୋଳ ଶୁଣି ମାଷ୍ଟ୍ରାଣୀ ମାଉସୀ ବାରିପଟକୁ ଆସି କହୁଥିଲେ ପିଲେ ଆଉ ଗୋଳମାଳ କରନି । ମୁଁ ତୁମକୁ କୋଳି ଦଉଚି ନେଇ ଚୁପ୍‌ଚାପ ଚାଲିଯାଅ-। ତୁମ ସୁବୋଧନନାର ପରା ପରୀକ୍ଷା, ସେ ପଢ଼ୁଚି । ତୁମେସବୁ ଏମିତି ଗୋଳମାଳ କଲେ ତା’ର ପାଠପଢ଼ାରେ ଅସୁବିଧା ହେବ । ତାଙ୍କ କଥା ଶୁଣି ଆମେ ଚୁପ୍‌ ହୋଇ ଯାଉଥିଲୁ । ହାତ ପାତି କୋଳି କିମ୍ବା ପିଜୁଳି ନେଇ ଚାଲି ଆସୁଥିଲୁ । ଆସିଲାବେଳେ ଆମେ ଟିକିଏ ଅଟକି ଯାଇ ସୁବୋଧନନାଙ୍କ ପାଠପଢ଼ା ଦେଖୁଥିଲୁ । ସେ ତାଙ୍କ ଭିତରପଟ ପିଣ୍ଡାରେ ଗୋଟିଏ ସପ ଉପରେ ହାମୁଡ଼େଇ ପଡ଼ି ଅଙ୍କ କଷୁଥିଲେ । ମୋଟା ମୋଟା ଟେଷ୍ଟ ପେପରରୁ ଅଙ୍କ କଷି ତାର ଉତ୍ତର ମିଳାଇ ଖୁସି ହୋଇଯାଉଥିଲେ । ତାଙ୍କ ଅଙ୍କ କଷା ସରିଲେ ସେ ଆମକୁ ଚାହିଁ କହୁଥିଲେ ଏୟ ମୋତେ ଗୋଟେ କୋଳି ଦେଲୁ । ମୁଁ କି ଅମୂଲ୍ୟ କିମ୍ବା ଆଉ କେହି ଟିକିଏ ସଙ୍କୋଚ ସହ ଆଗେଇ ଯାଇ ତାଙ୍କୁ କୋଳିଟିଏ ବଢ଼ାଇ ଦେଲେ ସେ ଟପ୍‌କରି ତାଙ୍କୁ ପାଟିକୁ ପକାଇ ଦେଇ ପୁଣି ଅଙ୍କ କଷିବାରେ ମନ ଦେଉଥିଲେ । ସେ ସବୁ ଅଙ୍କ ଠିକ୍‌ ଭାବେ କଷି ଉତ୍ତର ମିଳାଇ ପାରୁଥିଲେ । ତାଙ୍କର ସବୁ ଅଙ୍କ ଛିଡ଼ି ଯାଉଥିଲା ।

 

ଏମିତି ଦିନେ ନୁହେଁ ପ୍ରାୟ ପ୍ରତି ଶନିବାର ଦିନ ଆମେ ଭଗବାନ ସାର୍‌ଙ୍କ ଘରକୁ ଯାଉଥିଲୁ । ଆମକୁ ମୁହଁରେ ଯେତେ ଆକଟ କଲେ ବି ଆମେ ନ ଗଲେ ମାଷ୍ଟ୍ରାଣୀ ମାଉସୀଙ୍କୁ ଭଲ ଲାଗୁ ନ ଥିଲା । ଆମେ ଯଦି କେଉଁ ଶନିବାର ତାଙ୍କ ଘରକୁ ନ ଯାଇ ଆଉ କେଉଁଆଡ଼େ ଚାଲିଯାଉ ତା’ପର ସୋମବାର ଭଗବାନସାର୍‌ ମୋତେ ପଚାରନ୍ତି କିରେ ରାଜୁ ଶନିବାର ଦିନ ଛୁଟି ପରେ କେଉଁଆଡ଼େ ଯାଇଥିଲୁ ? ମୁଁ ଡରିଯାଏ । ଠିଆହୋଇ ଥତମତ ହୁଏ ଢୋକଗିଳି କହେ ସାର୍‌ ଗୋକୁଳି ଆମକୁ ଡାକିଲା । ଆମେ ନଈ ପଠାକୁ ଭୂଇଁ ବରକୋଳି ପାଇଁ ଯାଇଥିଲୁ ।

 

ସାର୍‌ ବ୍ୟସ୍ତ ହୋଇପଡ଼େ କହନ୍ତି—କିରେ ସେ ନଇକୂଳିଆ ଜଙ୍ଗଲକୁ ତୁମେ ଯାଇଥିଲ-? ଆମେ ଚୁପ୍‌ ରହୁ । ସେ ମନା କରନ୍ତି ସେଠିକି ଯିବନି ଶନିବାର ଦିନ ଛୁଟି ପରେ ଆମ ଘରକୁ ଯିବ । ମନଇଚ୍ଛା କୋଳି ଖାଇବ । ଆମେ ଶନିବାର ଦିନ ଭଗବାନ ସାର୍‌ଙ୍କ ଘରକୁ ଯାଉ । ମାଷ୍ଟ୍ରାଣୀ ମାଉସୀ କେଉଁଥର ଆମକୁ ମୁଢ଼ିମୁଆଁ କେବେ ରାଶିଲଡ଼ୁ କେବେ ଭଜା ଚିନାବାଦାମ ଦିଅନ୍ତି । ଆମେ ତାଙ୍କ ପିଣ୍ଡା ପାଖରେ ଛିଡ଼ାହୋଇ ଦେଖୁ ସୁବୋଧନନା ସପ ଉପରେ ବସି ଅଙ୍କ କଷୁଛନ୍ତି । ସେହିଭଳି ଅଙ୍କ କଷୁ କଷୁ ସୁବୋଧନନା କୁହନ୍ତି ଏୟ ରାଜୁ ମୋତେ ଗୋଟେ ଚିନାବାଦାମ ଦେଲୁ ।

 

ସୁବୋଧନନା ଅଙ୍କରେ ଧୁରନ୍ଦର ଥିଲେ । ଗଣିତ ଶାସ୍ତ୍ରର ଯେ କୌଣସି ପ୍ରବଲେମ୍‌ ସେ ସମାଧାନ କରି ପାରୁଥିଲେ । ଏମିତିକି ହାଇସ୍କୁଲର ଅଙ୍କ ସାର୍‌ କେଦାରବାବୁ ଯେଉଁ ଅଙ୍କ ପାରୁ ନ ଥିଲେ, ତାକୁ ସୁବୋଧନନା ଅନାୟାସରେ କଷି ଦେଉଥିଲେ । ଆଜି ତାଙ୍କ ଘରୁ ପେରିବା ପରେ ମୁଁ ଭାବୁଚି ଯିଏ ସବୁ ଅଙ୍କ କଷିଦେଇ ପାରୁଥିଲା ତା’ ଜୀବନର ଅଙ୍କ ଅଛିଣ୍ଡା ରହିଲା କାହିଁକି ? ଯିଏ ଗଣିତ ଶାସ୍ତ୍ରର ସବୁ ପ୍ରବଲେମ୍‌ ସମାଧାନ କରିପାରୁଥିଲା ସେ ନିଜ ଜୀବନର ସମସ୍ୟା କାହିଁକି ସମାଧାନ କରି ପାରିଲା ନାହିଁ ? ଏ ପ୍ରଶ୍ନର ଉତ୍ତର କିଏ ଦେଇ ପାରିବ ? ସଭ୍ୟତାର ଆରମ୍ଭରୁ ମଣିଷ ଜୀବନର ସମସ୍ୟାର ସମାଧାନ କରିବାର ଉପାୟ ସ୍ଥିର କରିବା ପାଇଁ ଅନେକ ବ୍ୟକ୍ତି ଚିନ୍ତା କରିଚନ୍ତି । ଅନେକ ବହି ଲେଖା ହୋଇଚି, ଅନେକ ଧର୍ମ ପ୍ରଚାର ହୋଇଚି । କିନ୍ତୁ ମଣିଷ ଜୀବନର ସମସ୍ୟାର ସମାଧାନ ହୋଇ ପାରିଚି କି ? ଏଇ ସମସ୍ୟା ସମାଧାନ କରିବା ପାଇଁ ଧର୍ମକ୍ଷେତ୍ର କରୁକ୍ଷେତ୍ର ସେ ଯୁଦ୍ଧରତ କୌରବ ପାଣ୍ଡବ ବାହିନୀ ମଝିରେ ଛିଡ଼ାହୋଇ ସ୍ୱୟଂ ଭଗବାନ କେତେକଥା କହି ଯାଇଛନ୍ତି । କପିଳବାସ୍ତୁର ଜଣେ ରାଜପୁତ୍ର ନିଜର ପ୍ରିୟତମା ପତ୍ନୀ ଓ ନବଜାତ ପୁତ୍ରକୁ ପରିତ୍ୟାଗ କରି କେତେ କୃଚ୍ଛ୍ରସାଧନ କରିଛନ୍ତି । ଜେସାସ କ୍ରାଏଷ୍ଟ ନିଜ ମସ୍ତକରେ କଣ୍ଟାର ମୁକୁଟ ପିନ୍ଧିଛନ୍ତି । ଆଉ ସେଦିନ ମୋହନ ଦାସ କରମଚାନ୍ଦ ଗାନ୍ଧୀ ବୋଲି ଜଣେ ଲୋକ ଜଣେ ମତାନ୍ଧର ବୁଲେଟକୁ ଛାତିରେ ନେଇ ‘ହା—ରାମ’ କହି ରାଜଘାଟରେ ଶୋଇ ଯାଇଛନ୍ତି । କିନ୍ତୁ ତଥାପି ମଣିଷ ଜୀବନର ସମସ୍ୟା କ’ଣ ସମାଧାନ ହୋଇ ପାରିଚି ? ମଣିଷ ତା’ ନିଜର ଦୋଷ ଦୁର୍ବଳତାକୁ ଅତିକ୍ରମ କରି ସୁଖୀ ହୋଇ ପାରିଚି ?

 

ସୁବୋଧନନାଙ୍କ ଜୀବନର ଗପ କହିବାକୁ ବସି କେତେ ଆଡ଼ର କଥା ମୁଁ ଆରମ୍ଭ କରି ସାରିଲିଣି । ଏଟା ମୋର ଜନ୍ମଗତ ଦୋଷ । ଢିଙ୍କିଶାଳରୁ କଥା ଆରମ୍ଭ କରି ଢେଙ୍କାନାଳରେ ଶେଷ କରିବା ମୋର ଅଭ୍ୟାସ । ତେଣୁ ସୁବୋଧନନାଙ୍କ କଥା କହିବାକୁ ବସି କେତେ ଆଜେବାଜେ କଥା ଆରମ୍ଭ କରିଦେଇଚି । ଛାଡ଼ନ୍ତୁ ସେ କଥା ।

 

ସୁବୋଧନନା ଖାଲି ଅଙ୍କରେ ଧୁରନ୍ଧର ନ ଥିଲେ । ସେ ପାଠ ପଢ଼ାରେ ଅତ୍ୟନ୍ତ ମେଧାବୀ ଥିଲେ । ସେ ବର୍ଷ ସେ ମାଟ୍ରିକ୍‌ ପରୀକ୍ଷାରେ ବିଶ୍ୱବିଦ୍ୟାଳୟରେ ପ୍ରଥମ ହୋଇଥିଲେ । ସେତେବେଳେ ସେକେଣ୍ଡାରୀ ବୋର୍ଡ଼ ନ ଥିଲା । ଏମିତିକି ଉତ୍କଳ ବିଶ୍ୱବିଦ୍ୟାଳୟ ବି ସ୍ଥାପିତ ହୋଇ ନ ଥିଲା । ପାଟଣା ବିଶ୍ୱବିଦ୍ୟାଳୟ ବିହାର ଓଡ଼ିଶାର ସବୁ ହାଇସ୍କୁଲର ମାଟ୍ରିକ ପରୀକ୍ଷା ପରିଚାଳନା କରୁଥିଲେ । ସେହି ପାଟଣା ବିଶ୍ୱବିଦ୍ୟାଳୟରେ ସେ ସର୍ବୋଚ୍ଚ ନମ୍ବର ପାଇ ପ୍ରଥମ ସ୍ଥାନ ଅଧିକାର କରି ପୂର୍ବର ସବୁ ରେକର୍ଡ଼ ଭାଙ୍ଗି ଦେଇଥିଲେ ।

 

ସେ ବର୍ଷ ମାଟ୍ରିକ ପରୀକ୍ଷା ବାହାରିବା ପରେ ଆମ ସହରରେ ଏକ ବିରାଟ ଉଲ୍ଲାସ ଖେଳିଯାଇଥିଲା । ଏହାପୂର୍ବରୁ ଆମ ହାଇସ୍କୁଲର କୌଣସି ପିଲା ଏତେ ଭଲ ଫଳ କରି ନ ଥିଲେ କିମ୍ବା ଏକ ଛୋଟିଆ ସହରର ଏକ ନଗଣ୍ୟ ହାଇସ୍କୁଲ ପାଇଁ ଏତେ ବଡ଼ କୃତିତ୍ୱ ଅର୍ଜନ କରି ପାରି ନ ଥିଲେ । ପରୀକ୍ଷା ଫଳ ବାହାରିବା ପରେ ଆମ ହାଇସ୍କୁଲରେ ଏକ ବିରାଟ ସମ୍ବର୍ଦ୍ଧନା ସଭା ହୋଇ ସେ ବର୍ଷର ସର୍ବଶ୍ରେଷ୍ଠ କୃତୀଛାତ୍ର ଶ୍ରୀମାନ ସୁବୋଧ ଚନ୍ଦ୍ର ଦାଶଙ୍କୁ ସମ୍ମାନିତ କରାଯାଇଥିଲା-। ବହୁ ଗୁଣମୁଗ୍‌ଧ ଛାତ୍ର ଓ ଶିକ୍ଷକ ସୁବୋଧନନାଙ୍କ ପ୍ରତିଭା ଓ ସଦ୍‌ଗୁଣ ବର୍ଣ୍ଣନା କରି ବକ୍ତୃତା ଦେଇଥିଲେ । ସଂସ୍କୃତ ପଣ୍ଡିତେ ସ୍ୱରଚିତ ଶ୍ଳୋକ ଆବୃତ୍ତି କରି ସୁବୋଧନନାଙ୍କୁ ଆଶୀର୍ବାଦ କରିଥିଲେ । ତା’ପରେ ହେଡ଼ମାଷ୍ଟର ଶ୍ରୀଯୁକ୍ତ ବିଶ୍ୱନାଥ ରଥ କହିବାକୁ ଉଠି କିଛି କହିପାରି ନ ଥିଲେ । ତାଙ୍କ କଣ୍ଠ ବାଷ୍ପରୁଦ୍ଧ ହୋଇ ଯାଇଥିଲା । ସେ ଅଭିଭୂତ ଭଳି ଖାଲି ସୁବୋଧନନାଙ୍କୁ ତାଙ୍କ ଛାତି ଉପରକୁ ଭିଡ଼ି ନେଇଥିଲେ । ସେ ଦୃଶ୍ୟ ଦେଖି ସମସ୍ତଙ୍କ ଆଖି ବାଷ୍ପାକୁଳ ହୋଇ ଯାଇଥିଲା-। ସମ୍ବର୍ଦ୍ଧନାର ଉତ୍ତରରେ ସୁବୋଧନନା ଅଳ୍ପ କଥା କହିଥିଲେ । ସେ ସବୁଦିନେ ସ୍ୱଳ୍ପବାକ୍‌ । ପ୍ରୟୋଜନ ଅନୁଯାୟୀ ଅଳ୍ପ କଥା କୁହନ୍ତି । ସୁବୋଧନନା କହିଲେ, ‘ପରୀକ୍ଷାରେ ମୋ ଭଲ ଫଳ ପାଇଁ ମୋର ନିଜର କିଛି ବାହାଦୁରୀ ନାହିଁ । ସବୁ କୃତିତ୍ୱ ମୋ ଗୁରୁମାନଙ୍କର ଯେଉଁମାନଙ୍କ ପାଦତଳେ ବସି ମୁଁ ଏ ସ୍କୁଲରେ ପାଠ ପଢ଼ିଚି । ସବୁ କୃତିତ୍ୱ ମୋ ବାପାଙ୍କର ଯିଏ ମୋ ଜୀବନର ମୂଳଦୁଆକୁ ମଝଭୁତ କରି ଗଢ଼ିଚନ୍ତି ।’ ସେ ଯାଇ ସବୁ ଶିକ୍ଷକଙ୍କୁ ପ୍ରଣାମ କରି ସେମାନଙ୍କ ପାଦଧୂଳି ନେଲେ । ସବୁ ପିଲାଙ୍କୁ ନମସ୍କାର କରି କହିଲେ, ‘ଏ ସ୍କୁଲରୁ ଆଜି ମୁଁ ବିଦାୟ ନେଉଚି । ଏ ମୋ ଜୀବନର ସବୁଠାରୁ ବଡ଼ ଦୁଃଖ । କିନ୍ତୁ ମୁଁ ମୋ ପ୍ରଧାନଶିକ୍ଷକ ଓ ଅନ୍ୟାନ୍ୟ ଶିକ୍ଷକଙ୍କ ଋଣ କେବେ ଶୁଝି ପାରିବି ନାହିଁ, ମୋ ସହପାଠୀମାନଙ୍କ ସ୍ନେହ ଓ ଶ୍ରଦ୍ଧା କେବେ ଭୁଲି ପାରିବି ନାହିଁ ।’

 

ସେଦିନ ସ୍କୁଲରୁ ଫେରି ସୁବୋଧନନା ଭଗବାନ ସାର୍‌ଙ୍କ ଗୋଡ଼ତଳେ ସାଷ୍ଟାଙ୍ଗ ପ୍ରଣାମ କରିଥିଲେ । ଭଗବାନ ସାର ମୁହଁ ଖୋଲି କିଛି କହି ନ ଥିଲେ । ପ୍ରସନ୍ନ ମୁହଁରେ କୃତୀ ପୁତ୍ର ଆଡ଼େ ଚାହିଁ ରହିଥିଲେ କେବଳ । ମନେ ମନେ ବୋଧହୁଏ ସେ ତାଙ୍କ ଚିରାଚରିତ ଆଶୀର୍ବାଦ କରିଥିବେ ‘ମଣିଷ ହ—ମଣିଷ ଭଳି ମଣିଷ ହ ସୁବୋଧ ।’ ତା’ପରେ ସୁବୋଧନନା ଯାଇ କାନ୍ଥକୁ ଆଉଜି ବସିଥିବା ତାଙ୍କ ବୋଉ କୋଳରେ ମୁହଁ ଗୁଞ୍ଜି ତାଙ୍କୁ ଯାବୁଡ଼ି ଧରିଥିଲେ । ମାଷ୍ଟ୍ରାଣୀ ମାଉସୀ ସସ୍ନେହରେ ଖାଲି ସୁବୋଧନନାଙ୍କ ମୁଣ୍ଡକୁ ସାଉଁଳେଇବାରେ ଲାଗିଲେ । ଅସ୍ଫୁଟ ଭାବେ କହିଲେ, ‘ସୁଖୀ ହ ବାବା—ତୁ ସୁଖୀ ହ ।’

 

ଏମିତି ଅନେକ ସମୟ ବସି ରହିବା ପରେ ଭଗବାନ ସାର୍‌ କହିଲେ—‘କଣ ଏମିତି ବସିଥିବ ? ତାକୁ ଖାଇବାକୁ ଦିଅ । କେତେବେଳୁ ସଭାରୁ ଆସିଲାଣି । ତାକୁ ଭୋକ ହଉଥିବ ।’ ଭଗବାନ ସାର୍‌ଙ୍କ କଥାରେ ମାଷ୍ଟ୍ରାଣୀ ମାଉସୀ ସମ୍ବିତ ଫେରି ପାଇ ଚମକି ଉଠିଥିଲେ । ଆରେ ସତେ ତ.... !

 

ବ୍ୟବହାରିକ ଅର୍ଥରେ ସୁବୋଧନନାଙ୍କ ଜୀବନରେ ତାଙ୍କ ପିତାମାତାଙ୍କ ଆଶୀର୍ବାଦ ଫଳବତୀ ହୋଇଥିଲା । ପରବର୍ତ୍ତୀ ଜୀବନରେ ସେ ସମାଜରେ ସୁପ୍ରତିଷ୍ଠିତ ହୋଇ ମଣିଷ ଭଳି ଜଣେ ମଣିଷ ହୋଇଥିଲେ । ଅଜସ୍ର ଐଶ୍ୱର୍ଯ୍ୟର ଅଧିକାରୀ ହୋଇ ସୁଖୀ ହୋଇଥିଲେ । କିନ୍ତୁ ସୁବୋଧନନା ଚାକିରି କରି ଜୀବନରେ ପ୍ରତିଷ୍ଠିତ ହେବା ପରେ ଭଗବାନ ସାର୍‌ ଆଉ ମାଷ୍ଟ୍ରାଣୀ ମାଉସୀ ସେମାନଙ୍କ ଏକମାତ୍ର ସନ୍ତାନର ସମୃଦ୍ଧିରେ ବୋଧହୁଏ ସନ୍ତୁଷ୍ଟ ହୋଇ ପାରି ନ ଥିଲେ । ସେମାନଙ୍କ ଇଚ୍ଛା ଓ ସୁବୋଧନନାଙ୍କ ହେବା ଭିତରେ କେଉଁଠି କଣ ଫରକ ରହିଗଲା । ତାଙ୍କ ପରିବାରର ବନ୍ଧାଗତ ବେସୁରା ହୋଇଗଲା । ତପ୍ତକାଞ୍ଚନ ପରି ଉଜ୍ଜ୍ୱଳ ଦୀର୍ଘାକୃତ ସଦାଋଜୁ ପଣ୍ଡିତ ଭଗବାନ ଦାଶ ମଳିନ ପଡ଼ିଗଲେ । ତାଙ୍କ ଶରୀର ଶିଥିଳ ହୋଇ ସାମାନ୍ୟ କୁବ୍‌ଜ ହୋଇଗଲା ଆଉ ସଦା ପ୍ରସନ୍ନମୟୀ ମାଷ୍ଟ୍ରାଣୀ ମାଉସୀ ଗମ୍ଭୀର ହୋଇଗଲେ । ସେତେବେଳକୁ ଆମେମାନେ ବହୁଦିନୁ ପ୍ରାଥମିକ ସ୍କୁଲ ପାଠ ଶେଷ କରି ହାଇସ୍କୁଲର ଉପର ଶ୍ରେଣୀରେ ପଢ଼ୁଥାଉ । ତଥାପି ଆମ୍ଭମାନଙ୍କର ଭଗବାନ ସାର୍‌ଙ୍କ ଘରକୁ ଯିବା ଆସିବାରେ କୌଣସି ବ୍ୟତିକ୍ରମ ହୋଇ ନ ଥାଏ । ପର୍ବପର୍ବାଣୀ ଦିନରେ ଆମେ ଯାଇ ସାରଙ୍କୁ ଜୁହାର ହେଲେ ସେ ନୀରବ ରହନ୍ତି । ମୁହଁ ଖୋଲି ମଣିଷ ହ ବୋଲି ଆଶୀର୍ବାଦ କରନ୍ତି ନାହିଁ । ମାଉସୀ ଆମକୁ ମୁଆଁ କି ଲଡ଼ୁ ଦେବାକୁ ଭୁଲିଯାନ୍ତି । ସେ ବୟସରେ ଆମେ ଠିକ୍‌ ବୁଝି ନ ପାରିଲେ ବି ଅନୁଭବ କରି ପାରୁଥିଲୁ କେଉଁଠି କଣ ବେସୁରା ହୋଇ ଯାଇଚି ।

 

କିନ୍ତୁ ବେସୁରା ହେବାର ତ କିଛି କାରଣ ନ ଥିଲା । ଭଗବାନ ସାର୍‌ ତାଙ୍କ ଶିକ୍ଷକ ଜୀବନର ସର୍ବଶ୍ରେଷ୍ଠ ସମ୍ମାନ ପାଇଥିଲେ । ଆଉ ତାଙ୍କ ଏକମାତ୍ର ପୁତ୍ର ସୁବୋଧ ଦାଶ ସରକାରୀ ମେଧା ବୃତ୍ତି ପାଇ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ସର୍ବଶ୍ରେଷ୍ଠ ଇଞ୍ଜିନିୟରିଂ ଗ୍ରାଜୁଏଟ ଭାବେ ଉତ୍ତୀର୍ଣ୍ଣ ହୋଇ ସିଧାସଳଖ ଆସିଷ୍ଟାଣ୍ଟ ଇଞ୍ଜିନିୟର ପଦବୀରେ ଅଧିଷ୍ଠିତ ହୋଇଥିଲେ । ତେବେ ତାଙ୍କ ପରିବାରରେ ଶାନ୍ତି ବ୍ୟାହତ ହେବାର ଅବକାଶ କେଉଁଠି ରହିଲା ? ଭଗବାନ ସାର୍‌ଙ୍କ ଜୀବନର ଶେଷ ପରୀକ୍ଷାର ଅଙ୍କ ଭୁଲ ହୋଇଗଲା ବୋଲି ଅନୁଶୋଚନା କରିବାର କାରଣ କେଉଁଠି ରହିଲା ? ବାହାରୁ ଦେଖିଲେ ଭଗବାନ ସାରଙ୍କ ପରିବାରରେ ଅଶାନ୍ତି ସୃଷ୍ଟି ହେବାର କୌଣସି କାରଣ ନ ଥିଲା । କିନ୍ତୁ ତାଙ୍କ ଘର ଭିତର କଥା ଯିଏ ଜାଣେ ସେ ବୁଝିଥିଲା । କାରଣ ଅଛି । ସେହି କାରଣରୁ ତ ମୋର ଅସଲ ଗପ ଆରମ୍ଭ । ଏ ଯାଏ ମୁଁ ଖାଲି ଉପକ୍ରମଣିକା ଲେଖୁଛି-। ଅସଲ ଗପ ଆରମ୍ଭ କରି ନାହିଁ । କିନ୍ତୁ ମୁଁ କଣ ସୁବୋଧନନାଙ୍କ ଜୀବନର ଅସଲ ଗପ ଜାଣିଥିଲି ? ସେ ସେକଥା ମୋତେ ଅନେକ ଦିନ ପରେ ନିଜେ କହିଥିଲେ । ସେ ନ କହିଥିଲେ ମୁଁ ବା କେମିତି ଜାଣିଥାନ୍ତି ?

 

ସୁବୋଧନନା କଲେଜରେ ପଢ଼ୁଥିବା ବେଳେ ଭଗବାନସାରଙ୍କ ପରିବାରରେ କୌଣସି ଅଶାନ୍ତି ନ ଥିଲା । କାହାରି ପ୍ରତି କାହାରି କୌଣସି ଅଭିଯୋଗ ନ ଥିଲା । ବରଂ ସୁବୋଧନନା କଲେଜରେ ଖୁବ୍‌ ଭଲ ରେଜାଲ୍‌ଟ କରୁଥିଲେ ବୋଲି ଭଗବାନସାର୍‌ ଓ ମାଷ୍ଟ୍ରାଣୀ ମାଉସୀ ଖୁବ୍‌ ସନ୍ତୁଷ୍ଟ ଥିଲେ । ଖୁସି ଥିଲେ । ଭଗବାନସାର୍‌ ସନ୍ତୁଷ୍ଟ ଚିତ୍ତରେ ଲକ୍ଷ୍ୟ କରୁଥିଲେ ତାଙ୍କର ଏକମାତ୍ର ସନ୍ତାନ ଜଣେ ମଣିଷ ଭଳି ମଣିଷ ହେବାକୁ ଯାଉଚି । ତାଙ୍କ ମନସ୍କାମନା ପୂର୍ଣ୍ଣ କରିବାପାଇଁ ସୁବୋଧନନା କେବେ ଅବହେଳା କରୁ ନ ଥିଲେ । ଅଗଣିତ ଶିଶୁଙ୍କୁ ମଣିଷ କରିବା ପାଇଁ ଯେଉଁ ଭଗବାନସାର୍‌ ତାଙ୍କ ଜୀବନର ପ୍ରତିଟି ମୁହୂର୍ତ୍ତ ବ୍ୟୟ କରୁଥିଲେ ତାଙ୍କ ପୁଅ ଅମଣିଷ ହେବାର କାରଣ ନ ଥିଲା । ଆଉ ମାଷ୍ଟ୍ରାଣୀ ମାଉସୀ ? ସଦା ପ୍ରସନ୍ନମୟୀ ପଣ୍ଡିତ ଭଗବାନ ଦାଶଙ୍କ ଗୃହିଣୀ ସବୁବେଳେ ସମସ୍ତେ ସୁଖୀ ହୁଅନ୍ତୁ ବୋଲି କାମନା କରୁଥିଲେ । ତାଙ୍କ ପୁଅ ବା ଅସୁଖୀ ହୁଅନ୍ତା କାହିଁକି ?

 

ସୁବୋଧନନା କଟକରେ ପଢ଼ୁଥିବା ବେଳେ କେବଳ ଲମ୍ବା ଛୁଟିରେ ଘରକୁ ଆସୁଥିଲେ-। ଲମ୍ବାଛୁଟି ବୋଲି ତ ତିନୋଟି । ଗ୍ରୀଷ୍ମଛୁଟି, ପୂଜାଛୁଟି ଓ ବଡ଼ଦିନ ଛୁଟି । ଆମ ସହରର ଅନ୍ୟ ପିଲାମାନେ ଯେଉଁମାନେ ସୁବୋଧନନାଙ୍କ ଭଳି କଲେଜରେ ପଢ଼ୁଥିଲେ ସେମାନେ ଦୁଇଦିନିଆ ଛୁଟିରେ ବି ଘରକୁ ଆସି ବୁଲି ଯାଉଥିଲେ । କିନ୍ତୁ ସୁବୋଧନନା ସେମିତି କରୁ ନ ଥିଲେ-। ସେ କେବଳ ଲମ୍ବା ଛୁଟିରେ ଆସୁଥିଲେ । ଆସିଲେ ଆମ ସଙ୍ଗେ ଦେଖା ହେଉଥିଲା-। ସେତେବେଳେ ଆମେ ଉଚ୍ଚ ପ୍ରାଥମିକ ସ୍କୁଲ ଛାଡ଼ି ହାଇସ୍କୁଲରେ ପଢ଼ୁଥିଲୁ । ତଥାପି ଆମ୍ଭମାନଙ୍କର ଭଗବାନସାର୍‌ଙ୍କ ଘରକୁ ଯିବା କମି ନ ଥିଲା । ସୁବୋଧନନା ଛୁଟିରେ ଆସିଲେ ତାଙ୍କ ଘରକୁ ଆମ ଯିବା ଆସିବାଟା ବରଂ ବଢ଼ିଯାଉଥିଲା । ସୁବୋଧନନା କଲେଜରେ ବି କିଛି ବଦଳି ନ ଥିଲେ । ଠିକ୍‌ ଆଗଭଳି ଥିଲେ । ଆମ ସହରର ଅନେକ କଲେଜ ପିଲା ଫୁଲ ପ୍ୟାଣ୍ଟ୍‌ ପିନ୍ଧୁଥିଲେ । ହାତରେ ରିଷ୍ଟଓ୍ୟାଚ୍‌ ବାନ୍ଧୁଥିଲେ । ପାନ ଦୋକାନରୁ କ୍ୟାପ୍‌ସଟାନ ସିଗାରେଟ୍‌ କିଣି ସମସ୍ତଙ୍କ ଆଗରେ ସିଗାରେଟ୍‌ ପିଉଥିଲେ । ଶୋ ଆରମ୍ଭ ହେବା ପୂର୍ବରୁ ସିନେମା ହଲ୍‌ ପାଖରେ ଛିଡ଼ା ହୋଇ ଗପ କରୁଥିଲେ । କିନ୍ତୁ ସୁବୋଧନନାଙ୍କର କିଛି ପରିବର୍ତ୍ତନ ହୋଇ ନ ଥିଲା । ସେ ପୂର୍ବଭଳି ଧୋତି ଓ ଧଳା ଟୁଇଲର ହାଫସାର୍ଟ ପିନ୍ଧି ପାଦରେ ବାଟା କମ୍ପାନୀର ଅତି ଶସ୍ତା ଚପଲ ମାଡ଼ି ବ୍ୟାଗ୍‌ ଧରି ବଜାରକୁ ଯାଉଥିଲେ । ପରିବା କିଣି ଘରକୁ ଫେରୁଥିଲେ । ତା’ପରେ ତାଙ୍କ ଘର ଭିତର ପିଣ୍ଡାରେ ବସି ଲଣ୍ଠନ ଆଲୁଅରେ ମୋଟା ମୋଟା ଅଙ୍କ ବହି ଖୋଲି ଅଙ୍କ କଷୁଥିଲେ ।

 

ସ୍କୁଲରେ ପଢ଼ିବା ବେଳେ ପ୍ରତିଦିନ ବଜାରସଉଦା କରିବା ସୁବୋଧନନାଙ୍କର ନିତ୍ୟନୈମିତ୍ତିକ କାମ ଥିଲା । ଗ୍ରୀଷ୍ମ କିମ୍ବା ପୂଜା ଛୁଟିରେ ଘରକୁ ଆସିଲେ ସେ ସେଇଭଳି ବଜାରସଉଦା କରୁଥିଲେ । ତାଙ୍କର ପ୍ରତିଦିନ ବଜାର ସଉଦା କରିବାରେ ଭଗବାନସାର୍‌ ଆପତ୍ତି କରନ୍ତି—‘ଥାଉ ଥାଉ ମୁଁ ଯାଇ ପରିବା ଦି’ଟା ନେଇ ଆସିବିନି ଯେ ତୁ ଯିବୁ ? ତୁ ଯା ଟିକିଏ ବୁଲାବୁଲି କରି ଆସିବୁ । ସୁବୋଧନନା ଶୁଣନ୍ତି ନାହିଁ । ବାପାଙ୍କ କଥା ନ ଶୁଣିଲା ଭଳି କୁହନ୍ତି— ‘ବୋଉ ପଇସା ଦେଲୁ ମୁଁ ଯାଇ ଶୀଘ୍ର ବଜାରରୁ ଫେରିଆସେ । ଆସିଲେ ମୋତେ ଆଲଜାବ୍ରାର ଗୋଟାଏ ନୂଆ ଫର୍ମୁଲା କଷିବାକୁ ହେବ ।’ ମାଷ୍ଟ୍ରାଣୀ ମାଉସୀ କ୍ଷୀଣ ପ୍ରତିବାଦ କରନ୍ତି—‘ତୁ କାହିଁକି ଯିବୁ ? ବାପା ପରା ବାହାରିଲେଣି ।’ କିନ୍ତୁ ସୁବୋଧନନା ଶୁଣନ୍ତି ନାହିଁ ଟଙ୍କା ନେଇ ବଜାରକୁ ବାହାରିଯାନ୍ତି । ଏସବୁ କାମରେ ବାପାଙ୍କୁ ଅଯଥା ପରିଶ୍ରମ ନ କରେଇଦବା ପାଇଁ ସୁବୋଧନନା ସବୁବେଳେ ସଚେଷ୍ଟ ରୁହନ୍ତି; କିନ୍ତୁ ସୁବୋଧନନା ବଜାରକୁ ଯିବାପରେ ଭଗବାନସାର ତାଙ୍କ ପଛେ ପଛେ ବଜାରକୁ ଯାନ୍ତି । ସେ ଯାଇ ସିଧା ପହୁଞ୍ଚନ୍ତି ମାଛହାଟରେ । ତାପରେ ଗୋଟିଏ ଭଲ ମାଛ କିଣି ତାକୁ ଖଲିପତ୍ରରେ ଗୁଡ଼ାଇ ହାତରେ ଧରି ଫେରନ୍ତି । ବାଟରେ ତାଙ୍କ ସମବୟସୀ ବନ୍ଧୁ କେହି ଦେଖା ହୋଇଗଲେ ପଚାରନ୍ତି—‘କିହୋ ଦାଶେ, ଆଜି ଏ କି ଅପୂର୍ବ କଥା । ପରିବାଥଳି ବଦଳରେ ମାଛ ଧରି କୁଆଡ଼େ ଚାଲିଲ ? ଭଗବାନ ଦାଶ ଅଟକିଯାନ୍ତି । ଟିକିଏ ହସି କୁହନ୍ତି—‘ପୁଅ ଆସିଚି ଯେ.... ।’ ‘ଓ ହଁ ସତେ ତ ଏଇନେ ସୁବୋଧ ବଜାର କରି ଫେରୁଥିଲା–ଦେଖିଥିଲି ।’ ସେ ଦୁହିଁଙ୍କ କଥାବାର୍ତ୍ତା ଦେଖି ଆଉ କେହି ଜଣେ ଅଟକିଯାଇ କହେ ‘ସାର୍‌ ତ ଆଇଁଷ ଖାନ୍ତି ନାହିଁ । ସୁବୋଧ ଆସିଲେ ତାଙ୍କର ମାଛ ହାଟକୁ ଯିବା ଦରକାର ପଡ଼େ । ଭଗବାନସାର କିଛି ମନ୍ତବ୍ୟ କରନ୍ତି ନାହିଁ । ଖାଲି ଅଳ୍ପଟିକିଏ ହସନ୍ତି । ଭଗବାନସାରଙ୍କୁ ଦେଖି ଅଦାଲତର ପେସ୍କାର ପର୍ଣ୍ଣବାବୁ ତାଙ୍କ ଚିକ୍‌ ଚିକ୍‌ କରୁଥିବା ରାଲେ ସାଇକଲରୁ ଓହ୍ଲାଇପଡ଼ି କହନ୍ତି–‘ସାର କି ମାଛ ଆଣିଲେ ? ରୋହି ନା ଇଲିସି ?’ ଭଗବାନସାର କହନ୍ତି, ରୋହି—ସମୁଦ୍ର ମାଛ ଖାଇବାକୁ ଟୋକାଟା ଭଲ ପାଏ ନାହିଁ କହି ସେ ଚାଲିବା ଆରମ୍ଭ କରିଦିଅନ୍ତି । ଘରେ ପହୁଞ୍ଚି ଭଗବାନସାର ଡାକନ୍ତି—‘ସୁବୋଧବୋଉ ହେଇ ମାଛ ନେଲ ଆଉ ସାବୁନ ପାଣି ଆଣ ମୁଁ ହାତ ଧୋଇ ପକାଏ ।’ ମାଷ୍ଟ୍ରାଣୀ ମାଉସୀ ବ୍ୟସ୍ତ ହୋଇ ଦଉଡ଼ି ଆସନ୍ତି । ‘ତୁମେ ଫେର କାହିଁକି ବଜାର ଗଲ ? ସୁବୋଧ ପରା ଯାଇଥିଲା ?’ ଭଗବାନସାର ସାବୁନରେ ହାତ ଧୋଉ ଧୋଉ କହନ୍ତି–‘ସେ ଯାଇଥିଲା ଯେ ସେ କଣ ମାଛ ଆଣିଥାନ୍ତା ?’

 

‘ନ ଆଣିଥିଲେ କଣ ଚଳନ୍ତା ନାହିଁ ? ଘରେ ତ ଦୁଧ ହଉଚି ।’ ‘ଓହୋ କେତେ କଥା କହୁଚ ? ମୁଁ ସିନା ମାଛ ଖାଏ ନାହିଁ । ମା’ ପୁଅ ତ ଖାଅ । ସୁବା କଟକ ଯିବା ଦିନୁ ତ ଘରକୁ ମାଛ ଆସିବା ବନ୍ଦ । ତୁମର ତ ପୁଣି ମାଛ ଟିକିଏ ଦରକାର ।’ କହି ଭଗବାନସାର ପ୍ରଶାନ୍ତ ଭାବେ ହସନ୍ତି-। ନିଜ ଉପରକୁ କଥାଟା ବୁଲି ଆସୁଥିବାର ଦେଖି ମାଷ୍ଟ୍ରାଣୀ ମାଉସୀ ଚୁପ୍‌ ହୋଇଯାନ୍ତି । ଏମିତି ଥରେ ନୁହେଁ—ସୁବୋଧନନା ଛୁଟିରେ ଥିବା ଭିତରେ ଭଗବାନସାର ଅନେକ ଥର ମାଛ ଆଣନ୍ତି ।

 

ଏ ପର୍ଯ୍ୟନ୍ତ ସୁବୋଧନନାଙ୍କ ବିଷୟରେ ଯେତେ କଥା କହିଲିଣି ସେଥିରୁ ଆପଣ ଭାବୁଥିବେ ସେ ସବୁବେଳେ ଖାଲି ଅଙ୍କ କଷୁଥିଲେ କିମ୍ବା ପଢ଼ା ବହି ଘୋଷି ଘୋଷି ପୁସ୍ତକ-କୀଟ ହୋଇ ଯାଇଥିଲେ । କିନ୍ତୁ ପ୍ରକୃତରେ ସୁବୋଧନନା ପୁସ୍ତକକୀଟ ନ ଥିଲେ । ତାଙ୍କ ଜୀବନ ଧାରାବନ୍ଧା ରୁଟିନ ମାଫିକ୍‌ ଥିଲା । ନିଜକୁ ଜଣେ ଶୃଙ୍ଖଳିତ ସଜ୍ଜନ ନାଗରିକ କରିବାରେ ତାଙ୍କର ପ୍ରୟାସର ତ୍ରୁଟି ନଥିଲା । ଭଗବାନସାରଙ୍କ ହାତରେ ଗଢ଼ା ତାଙ୍କ ଜୀବନର କଂକ୍ରିଟ ମୂଳଦୁଆକୁ ସେ ଶୃଙ୍ଖଳିତ ଆଚରଣ ଦ୍ୱାରା କିଓସିଂ କରି ବେଶ ମଝଭୁତ କରିନେଇଥିଲେ । ସେ ସେହି ମଝଭୁତ ମୂଳଦୁଆ ଉପରେ ପରଜୀବନରେ ସୁଦୃଶ୍ୟ ଅଟ୍ଟାଳିକା ତୋଳି ପାରିଲେ ଏ କଥା ସମସ୍ତେ ବିଶ୍ୱାସ କରୁଥିଲେ ।

 

ଖୁବ୍‌ ଭୋରରୁ ଉଠି ସୁବୋଧନନା ନିତ୍ୟକର୍ମ ଶେଷ କରି ସୂର୍ଯ୍ୟପ୍ରଣାମ ବ୍ୟାୟାମ କରୁଥିଲେ । ତାପରେ ଗୋଧୋଇ ସ୍ୱାମୀ ବିବେକାନନ୍ଦ କିମ୍ବା ଶ୍ରୀ ଅରବିନ୍ଦ ସଙ୍କଳିତ ଗୀତା ପାଠ କରୁଥିଲେ । ତାପରେ ଅନେକ ସମୟ ନୀରବ ନିଶ୍ଚଳ ଭାବେ ବସି ଧ୍ୟାନ କରୁଥିଲେ । ସେ ସବୁ ସରିଲେ ପାଠପଢ଼ା । ପିଲାଦିନୁ ସୁବୋଧନନା ଖେଳାଖେଳିରେ ଆଗ୍ରହୀ ଥିଲେ । ସେ କେବେ ଫୁଟବଲ କିମ୍ବା ହକି ଖେଳୁ ନ ଥିଲେ । ଟ୍ରାକ ସ୍ପୋର୍ଟସ ଓ ଜୀମ୍‌ନାଷ୍ଟି କରେ ତାଙ୍କର ବେଶୀ ଆଗ୍ରହ ଥିଲା । ପ୍ରତିଦିନ ଅପରାହ୍ନରେ ବଜାରରୁ ଫେରି ସୁବୋଧନନା ପୋଲିସ ଲାଇନ, ଜେଲରୋଡ଼ର ନିରୋଳା ରାସ୍ତାରେ ଘେରାଏ ବୁଲି ଆସୁଥିଲେ କିମ୍ବା ସହରର ଗୋଟିଏ କୋଣରେ ଥିବା ନିରୋଳା ପାର୍କରେ ଚୁପଚାପ ବସି ରହୁଥିଲେ । ଦିନେ ଦିନେ ସେ ସାନ୍ଧ୍ୟ ଭ୍ରମଣରୁ ଫେରିବାବେଳେ ହେଡ଼ମାଷ୍ଟର ବିଶ୍ୱନାଥ ବାବୁଙ୍କ ଘରକୁ ଯାଇ ତାଙ୍କୁ ଦେଖା କରୁଥିଲେ । ଯେଉଁଦିନ ସେ ବିଶ୍ୱନାଥବାବୁଙ୍କ ଘରକୁ ଯାଉଥିଲେ ସେଦିନ ସନ୍ଧ୍ୟାରେ ତାଙ୍କ ପାଠପଢ଼ାରେ ସାମାନ୍ୟ ବ୍ୟତିକ୍ରମ ହେଉଥିଲା । କାରଣ ସୁବୋଧନନା ଥିଲେ ଆମ ହେଡ଼ମାଷ୍ଟରଙ୍କ ପ୍ରିୟତମ ଛାତ୍ର । ତାଙ୍କୁ ଦେଖିଲେ ହେଡ଼ମାଷ୍ଟର ଖୁସି ହେଉଥିଲେ । ଆରମ୍ଭ କରି ଦେଉଥିଲେ ଅନେକ ଆଲୋଚନା, ଅନେକ ଗପ । ଖାଲି ହେଡ଼ମାଷ୍ଟର ନୁହନ୍ତି ତାଙ୍କ ପରିବାରର ସମସ୍ତେ ସୁବୋଧନନାଙ୍କୁ ଶ୍ରଦ୍ଧା କରୁଥିଲେ । ସେଥିପାଇଁ ବହୁତ ସମୟ ସେ ହେଡ଼ମାଷ୍ଟରଙ୍କ ଘରେ ଅଟକି ଯାଉଥିଲେ । ସେଦିନ ଘରକୁ ଫେରି ପଢ଼ିବସିବାରେ ତାଙ୍କର ଡେରି ହୋଇ ଯାଉଥିଲା । କିନ୍ତୁ ସେଥିରେ ତାଙ୍କର ବିଶେଷ କିଛି କ୍ଷତି ହେଉ ନ ଥିଲା । ସୁବୋଧନନା ପାଠ ପଢ଼ାରେ ସବୁବେଳେ ଆଗୁଆ ହୋଇ ରହୁଥିଲେ । କ୍ଳାସରେ ଯେଉଁ କୋର୍ସ ପଢ଼ା ହେଉଥିଲା ତାକୁ ସେ ଛ’ମାସ ଆଗରୁ ପଢ଼ି ଆୟତ୍ତ କରି ନେଉଥିଲେ । ତେଣୁ ତାଙ୍କ ପଢ଼ାଶୁଣା ବେଳେ ମୁଁ ଅନେକଥର ଦେଖିଛି ସୁବୋଧନନା ପଢ଼ାବହି ନ ପଢ଼ି ମୋଟା ମୋଟା ଫିଲୋସଫି ବହି ପଢ଼ୁଚନ୍ତି କିମ୍ବା ପ୍ରବନ୍ଧ ଲେଖୁଛନ୍ତି । ନ ହେଲେ ସ୍ୱାମୀ ବିବେକାନନ୍ଦ କିମ୍ବା ଶ୍ରୀ ଅରବିନ୍ଦଙ୍କ ବାଣୀ ଗମ୍ଭୀର କଣ୍ଠରେ ଆବୃତ୍ତି କଳାଭଳି ପଢ଼ୁଛନ୍ତି । ଅନେକ ସମୟରେ ଭଗବାନସାର୍‌ଙ୍କ ଘର ଆଗଦେଇ ଗଲାବେଳେ ଆମେ ସୁବୋଧନନାଙ୍କ ଗଳାର ଆବାଜ ଶୁଣୁ । ସେ ଆବୃତ୍ତି କଲାଭଳି ଗମ୍ଭୀର ଲଳିତ କଣ୍ଠରେ ପଢ଼ୁଥାନ୍ତି ‘The soil of Indis is my highest heaven, the god of India is my god and repeat and pray day and night ‘O, thou Lord of Gouri Mother of the Univerese vouchsafe manlyness unto me. O thou Mother of strength take away my weakness, take away unmanlyness and make me a man.’ ଆମେ ଅଟକିଯାଉ । ରାସ୍ତାରେ ଛିଡ଼ାହୋଇ ଶୁଣୁ ସୁବୋଧନନା ତନ୍ମୟ ହୋଇ ବିବେକାନନ୍ଦଙ୍କ ବାଣୀ ପାଠ କରୁଛନ୍ତି—‘ହେ ଗୌରୀପତି ! ହେ ଜଗନ୍ନାତ ! ମୋତେ ପୁରୁଷତ୍ୱର ପ୍ରତିଶ୍ରୁତି ଦିଅ । ହେ, ମା’ ଶକ୍ତି ! ମୋର ସମସ୍ତ ଦୁର୍ବଳତା ଓ ଅପୌରଷକୁ ହରଣ କରି ମୋତେ ମଣିଷ କର ।’

 

ମଣିଷ ହେବା ପାଇଁ ସୁବୋଧନନାଙ୍କ ସାଧନା ଅବ୍ୟାହତ ଥିଲା । କିନ୍ତୁ ସୁବୋଧନନା କଣ ମଣିଷ ହୋଇଥିଲେ ? ଜୀବନରେ ସମସ୍ତ ଅପୌରଷ ଓ ଦୁର୍ବଳତାକୁ ପରିତ୍ୟାଗ କରି ମଣିଷ ଭଳି ମଣିଷ ହୋଇ ପାରିଥିଲେ ? ଜୀବନର ଅନ୍ତିମ ପ୍ରହରରେ ଯେବେ ତାଙ୍କ ସହ ମୋର ଶେଷ ଦେଖାହୋଇଥିଲା ସୁବୋଧନନା ମୋତେ କହିଥିଲେ, ‘କିନ୍ତୁ ମୁଁ ମଣିଷ ହୋଇପାରିଲି ନାହିଁ ଏ ମୋର ସବୁଠାରୁ ବଡ଼ ଦୁଃଖ ।’ ସେ ଏକଥା କହିବାବେଳେ ସେଠାରେ ମୋ ଛଡ଼ା ଅନ୍ୟ କେହି ଉପସ୍ଥିତ ନ ଥିଲେ । କିନ୍ତୁ ମୋର ମନେ ହୋଇଥିଲା, ସେ କଥା ମୋତେ କହୁ ନ ଥିଲେ । ବୋଧହୁଏ ସେହି ପ୍ରାୟନ୍ଧକାର ବାରଣ୍ଡାରେ ସେତେବେଳେ ତାଙ୍କ ମହାଗୁରୁ ପଣ୍ଡିତ ଭଗବାନ ଦାଶ ଉପସ୍ଥିତ ଥିଲେ ଆଉ ନିଜ ବିଫଳତାରେ କ୍ଷୁବ୍‌ଧ ସୁବୋଧ ଦାଶ ସ୍ୱପ୍ନାବିଷ୍ଟ ଭଳି କୈଫଏତ ଦେଇ କହିଥିଲେ, ‘ମୁଁ ତ ବହୁତ ସାଧନା କରିଥିଲି କିନ୍ତୁ ।’ ଏ କଥା କହି ହୁଏତ ସେ ପଣ୍ଡିତ ଭଗବାନ ଦାଶଙ୍କ ଠାରୁ ଅନ୍ତିମ କ୍ଷମାଭିକ୍ଷା କରିଥିଲେ ।

 

ଏ ତ ତାଙ୍କ ଜୀବନ ଗଳ୍ପର ଶେଷ ପୃଷ୍ଠାର କାହାଣୀ । ଅନେକ ପଛ କଥା । କିନ୍ତୁ ସେ ଯେତେବେଳେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ଛାତ୍ର ଥିଲେ ସେତେବେଳେ ତାଙ୍କର ଅନୁଶୋଚନା କରିବାର କିଛି ନ ଥିଲା । ସେ ଏକ ତେଜୋଦୀପ୍ତ ଗ୍ରହ ଭଳି ନିଜ କକ୍ଷ ପଥରେ ଆଗେଇ ଯାଉଥିଲେ । ତାଙ୍କର କୌଣସି ଦୋଷ ଦୁର୍ବଳତା ନ ଥିଲା । ନିଜକୁ ଧୀକୃତ କରିବା ପାଇଁ କିଛି ଘଟଣା ଘଟି ନଥିଲା ତାଙ୍କ ଜୀବନରେ । ସେହି ନିରହଙ୍କାର ସୌମ୍ୟଦର୍ଶନ ପ୍ରତିଭାବାନ୍‌ ଯୁବକଙ୍କୁ ଆମ ସହରରେ ସମସ୍ତେ ଭଲ ପାଉଥିଲେ । ତାଙ୍କ ବିନୀତ ଓ ମଧୁର ବ୍ୟବହାରରେ ସମସ୍ତେ ମୁଗ୍‌ଧ ଥିଲେ । ସେହି ସମୟରେ ସୁବୋଧନନାଙ୍କ ବିଷୟରେ ଗୋଟିଏ ମଜାକଥା ଆମେ ଜାଣି ପାରିଥିଲୁ । ଆମେ ମାନେ ମୁଁ ଟୁନୁ, ବିମଳ ଆଉ ସାମସୁଦ୍ଦିନ । ଦିନେ ମୁଁ ଫୁଟବଲ ପ୍ରାକ୍‌ଟିସ କରିବାକୁ ପଡ଼ିଆକୁ ଯାଉଥାଏ । ଡେରି ହୋଇ ଯାଇଥିବାରୁ ହେଡ଼ମାଷ୍ଟରଙ୍କ କ୍ୱାଟରସ୍‌ ପାଖ ପାଦଚଲା ରାସ୍ତାରେ ସର୍ଟକାଟ କରି ଦ୍ରୁତ ପଦରେ ଆଗେଇ ଯାଉଥାଏ । ସେ ବର୍ଷ ମୁଁ ଆମ ସ୍କୁଲ ଫୁଟ୍‌ବଲ ଟିମରେ ହାଫ୍‌ ବ୍ୟାକ ପୋଜିସନରେ ଖେଳିବା ପାଇଁ ବଛା ହୋଇଥାଏ । ଏଗାର ଶହ ପିଲା ପଢ଼ୁଥିବା ଏକ ବିରାଟ ହାଇସ୍କୁଲର ଏଗାର ଜଣ ବଛା ଖେଳାଳି ଭିତରୁ ମୁଁ ଜଣେ ହୋଇ ଲାଲ ଓ ସବୁଜ ଜର୍ସି ପିନ୍ଧିବାର ଗୌରବ ଅର୍ଜନ କରି ଥିବାରୁ ମୋ ଛାତି କୁଣ୍ଢେ ମୋଟ । ତେଣୁ ଠିକ୍‌ ସମୟରେ ପଡ଼ିଆରେ ପହୁଞ୍ଚି ମୁଁ ଖେଳ ଅନୁଶୀଳନ କରିବାରେ ଟିକିଏ ବି ଅବହେଳା କରେ ନାହିଁ । କଲେ କଣ ରକ୍ଷା ଅଛି ? ଆମ ଡ୍ରିଲ୍‌ ସାର୍‌ଙ୍କର ଯେଉଁ ପାଟି ! ସାମାନ୍ୟ ଦୋଷ ଦେଖିଲେ ସଙ୍ଗେ ସଙ୍ଗେ ଟିମ୍‌ରୁ ବାତିଲ । ତେଣୁ ମୁଁ ପ୍ରାୟ ଦୌଡ଼ିବା ଭଳି ଦ୍ରୁତ ଗତିରେ ଚାଲିଥାଏ । ଏହି ସମୟରେ ହଠାତ୍‌ ମୋ ନାମ ଧରି କିଏ ଡାକିଲା । ଏତେ ମିଠା ଅଥଚ ମୃଦୁ ଗଳାରେ ମୋ ନାମ ଧରି କିଏ ଡାକିଲା ମୁଁ ବୁଝି ପାରିଲି ନାହିଁ । ଥମକି ଛିଡ଼ା ହୋଇଯାଇ ଟିକିଏ ଏଣିକି ତେଣିକି ଚାହିଁ ଦେଖିଲି ହେଡ଼ମାଷ୍ଟରଙ୍କ କ୍ୱାଟରସକୁ ଲାଗି ଯେଉଁ ଛୋଟ ବଗିଚା ତା ବଡ଼ ଆରପଟେ ଅନେକ ଗାଢ଼ ହଳଦିଆ ରଙ୍ଗ କସ୍‌ମସ୍‌ର ଡେଙ୍ଗା ଗଛ । ସେଇ କସ୍‌ମସ୍‌ ଫୁଲ ଭିତରେ ତାଙ୍କ ଭସା ଭସା ଆଖିରେ ମୋ ଆଡ଼େ ଚାହିଁ ମୀନାନାନୀ ଛିଡ଼ା ହୋଇଚନ୍ତି । ମୀନାନାନୀ ଆମ ହେଡ଼ମାଷ୍ଟର ବିଶ୍ୱନାଥ ବାବୁଙ୍କ ଝିଅ । ମୋ’ଠୁ ସେ ବୟସରେ ବଡ଼ । ତେଣୁ ମୁଁ ତାଙ୍କୁ ମୀନାନାନୀ ବୋଲି ଡାକୁଥିଲି । ମୀନାନାନୀଙ୍କୁ ଦେଖି ମୁଁ ସେଇ ବାଡ଼ ପାଖକୁ ଆଗେଇ ଯାଇ ପଚାରିଲି, ‘ମୋତେ ଡାକୁଥିଲ ମୀନା ନାନୀ ?’

 

ସେ ମୋ କଥାର ସିଧାସଳଖ ଉତ୍ତର ନ ଦେଇ କହିଲେ, ‘ତୁମର ତ ଆଉ ଦେଖା ନାହିଁ ରାଜୁ ?’

 

ମୁଁ ଟିକିଏ ଆତ୍ମ-ପ୍ରସାଦର ହସ ହସି କହିଲି, ‘ଏଥର ଫୁଟ୍‌ବଲ ଟିମରେ ସିଲେକ୍ଟ ହୋଇ ମୋର କଣ ଆଉ ସମୟ ଅଛି ? ଖେଳ ପଡ଼ିଆରେ ଠିକ୍‌ ସମୟରେ ହାଜିରା ନ ଦେଲେ କଣ ରକ୍ଷା ଅଛି ?’

 

ମୀନାନାନୀ ମୋ କୈଫିଏତ ଶୁଣି ଟିକିଏ ହସିଲେ । ହସିଲେ ମୀନାନାନୀଙ୍କ ପୂରିଲା ଗାଲ ଉପରେ ଭଉଁରୀ ଖେଳେ, ଭାରି ସୁନ୍ଦର ଦେଖାଯାଏ ତାଙ୍କୁ । ମୀନାନାନୀ ସାମାନ୍ୟ ଅନୁଯୋଗ ମିଶା ସ୍ୱରରେ କହିଲେ, ‘ଆମ ଆଡ଼େ ସିନା ଆସିବାକୁ ସମୟ ପାଉନ ତେବେ ଭଗବାନ ସାର୍‌ଙ୍କ ଘରକୁ ନିଶ୍ଚୟ ଯାଉଥିବ ?’

 

ମୁଁ କହିଲି ‘ହଁ ବେଳେ ବେଳେ ଯାଏ.....’

 

ସୁବୋଧନନା ଆସି ନାହାନ୍ତି ? ପଚାରି ମୀନାନାନୀ ଏ ଫୁଲରୁ ସେ ଫୁଲକୁ ଉଡ଼ୁଥିବା ଗୋଟିଏ ଚିତ୍ରିତ ପ୍ରଜାପତି ଆଡ଼େ ଚାହିଁ ରହିଲେ ।

 

କାହିଁ ଦେଖି ନାହିଁ ତ ? ତେବେ ନନ୍ଦର ଦାଦା ଗିରୀଶ ବାବୁ ଆସିଲେଣି । ପୂଜାଛୁଟି ପାଇଁ ତାଙ୍କ କଲେଜ ବନ୍ଦ ହୋଇଗଲାଣି ।

 

‘ଗିରିଶ ବାବୁ କିଏ ?’ ମୀନାନାନୀ ପଚାରିଲେ ।

 

ଗିରୀଶବାବୁ ସୁବୋଧନନାଙ୍କ ସାଙ୍ଗରେ ପଢ଼ନ୍ତି । ସେ ଯେତେବେଳେ ଆସିଲେଣି ସୁବୋଧନନା ନିଶ୍ଚୟ ଆସିଥିବେ । ଆଜି ଯାଇ ତାଙ୍କୁ ଖବର ଦେଇଦେବି । କହି ମୁଁ ଆଉ ଛିଡ଼ା ହେଲି ନାହିଁ । ବହୁତ ବିଳମ୍ବ ହୋଇ ଗଲାଣି । ମୁଁ ଖେଳପଡ଼ିଆକୁ ଲକ୍ଷ୍ୟକର ଦୌଡ଼ିବାକୁ ଲାଗିଲି ।

 

ମୀନାନାନୀଙ୍କୁ ମୁଁ କଥା ଦେଇଥିଲି । ଖେଳ ଶେଷ ହେବା ମାତ୍ରେ ମୁଁ ସିଧା ଘରକୁ ଫେରି ପୋଷାକ ବଦଳାଇ ସାଇକେଲ ନେଇ ଛୁଟିଲି ଭଗବାନସାର୍‌ଙ୍କ ଘରକୁ । ସୁବୋଧନନା ଘରେ ଥିଲେ । ତାଙ୍କ ଦାଣ୍ଡଘରେ ଲଣ୍ଠନ ଲଗାଇ କଣ ଗୋଟାଏ ମାଗାଜିନ ପଢ଼ୁଥିଲେ । ମୋତେ ଦେଖି ସୁବୋଧନନା ଖୁସି ହୋଇ ପଚାରିଲେ, ‘ରାଜୁ, ତୁ ହଠାତ୍‌ ?’

 

‘କେବେ ଆସିଲେ ଆପଣ ?’ ମୁଁ ପଚାରିଲି ।

 

‘ଦୁଇ ଦିନ ହେବ ଆସିଲାଣି ।’

 

‘ବୁଲିଯାଉ ନାହାନ୍ତି ଯେ ?’

 

‘ନା—ଆସିଲାବେଳେ ଥଣ୍ଡା ଲାଗି ମୋତେ ଟିକିଏ ଜର ହୋଇଥିଲା । ସେଥିପାଇଁ ବୋଉ ବାହାରକୁ ଯିବାକୁ ଦେଉନି ।’

 

ଆସିଲାଦିନୁ କେଉଁଠିକି ଯାଇ ନାହାନ୍ତି ? ହେଡ଼ମାଷ୍ଟରଙ୍କ ଘରକୁ ବି ଯାଇ ନାହାନ୍ତି ?

 

ନା—କାହିଁକି କହ ତ ? ସାମାନ୍ୟ ଉତ୍ସୁକତା ପ୍ରକାଶ କଲେ ସୁବୋଧନନା—

 

ଆଜି ମୀନାନାନୀ ପଚାରୁଥିଲେ ଆପଣଙ୍କ କଥା ।

 

କିଏ ? ମୀନାକ୍ଷୀ ପଚାରୁଥିଲା ? କ’ଣ ପଚାରୁଥିଲା ?

 

ପଚାରୁଥିଲେ ଆପଣ ଆସିଲେଣି କି ନା—’ କହି ଉତ୍ତର ଆଶାରେ ମୁଁ ସୁବୋଧନନାଙ୍କୁ ଚାହିଁ ରହିଲି । ସୁବୋଧନନା ମୋତେ କିଛି କହିଲେ ନାହିଁ । କିନ୍ତୁ ସଲ୍ଲଜ ଭାବେ ଟିକିଏ ହସି ବାହାରକୁ ଚାହିଁଲେ । ତାଙ୍କ ଭାବାନ୍ତରର କାରଣ ମୁଁ ବୁଝି ପାରିଲି ନାହିଁ । କେତେ ସମୟ ପରେ ସେ ହଠାତ୍‌ ମୋ ଉପସ୍ଥିତି ବିଶେଷ କରି ମୋର ତାଙ୍କୁ ଏକାଗ୍ରଭାବେ ଚାହିଁ ରହିବା ବିଷୟରେ ସଚେତନ ହେବା ଭଳି ଚମକିପଡ଼ି ମାଉସୀଙ୍କୁ ଉଦ୍ଦେଶ୍ୟ କରି କହିଲେ—‘ବୋଉ ରାଜୁ ଆସିଚି । ତୁ ପରା ଆରିସା ପିଠା କରିଥୁଲୁ । ତା’ ପାଇଁ ଆଣ ।’

 

ମାଉସୀ ମୋ ପାଇଁ ପିଠା ଆଣି ସୁବୋଧନନାଙ୍କୁ ପଚାରିଲେ—‘ତୋ ପାଇଁ ଆଣେ ?’ ସୁବୋଧନନା କହିଲେ—‘ନା ବୋଉ ଥାଉ । ମୁଁ ଟିକିଏ ବୁଲି ଆସେ । ବସି ବସି ଖରାପ ଲାଗିଲାଣି ।’

 

କିରେ ତୋ ଜର ପରା ଆଜି ଛାଡ଼ିଚି । ତୁ ପୁଣି ଏଇ ସଞ୍ଜବେଳଟାରେ ଯିବୁ କୁଆଡ଼େ ? ଉତ୍କଣ୍ଠିତ ଭାବେ ମାଷ୍ଟ୍ରାଣୀ ମାଉସୀ କହିଲେ ।

 

‘କୁଆଡ଼େ ନୁହେଁ ବୋଉ—ଏଇ ଟିକିଏ ହେଡ଼ମାଷ୍ଟରଙ୍କ ଘରୁ ବୁଲି ଆସିବି ।’

 

‘କାଲି ଗଲେ ହେବନି ?’

 

‘ଯାଏ ନା—ତୋର ଖାଲି ସବୁ କଥାରେ ଡର । ଜର ତ ଟିକିଏ ହୋଇଥିଲା । ଗୋବିନ୍ଦବାବୁଙ୍କ ବିସ୍ୱାଦ ମିକ୍‌ସଚର ଖାଇ ତ ଛାଡ଼ିଗଲାଣି ।’ ସସ୍ନେହ ଅନୁଯୋଗ କଲେ ସୁବୋଧନନା ।

 

କ’ଣ ଦରକାର ଥିଲା ?

 

ହଁ ଦରକାର ଟିକିଏ ଅଛି । ଏଇ ରାଜୁ ହାତରେ ସାର୍‌ ପରା ଡକେଇ ପଠାଇଚନ୍ତି । ସୁବୋଧନନା ମିଛ କହିଲେ । ମୁଁ ପ୍ରତିବାଦ କରିବାକୁ ଯାଉଥିଲି—‘ନା—ମାଉସୀ, ମିଛକଥା ସାର୍‌ ଡକାଇ ନାହାନ୍ତି । ମୀନାନାନୀ ଡକାଇଚନ୍ତି.....କିନ୍ତୁ କହି ପାରିଲି ନାହିଁ । ସୁବୋଧନନା ମୋତେ କରୁଣ ଭାବେ ଚାହିଁ ଥିଲେ । ମାୟା ହେଲା । ଓଲଟି ମୁଁ ମିଛ କହିଲି—‘ହଁ ମାଉସୀ କଣ ଜରୁରୀ କଥା ଅଛି । ହେଡ଼ମାଷ୍ଟର ଯିବାବୁ କହିଚନ୍ତି ।’

 

ଅଗତ୍ୟା ମାଉସୀ କହିଲେ—‘ହଉ ଯା ତେବେ । ଜଲ୍‌ଦି ଫେରି ଆସିବୁ ନ ହେଲେ ଥଣ୍ଡା ଲାଗି ପୁଣି ଜର ଲେଉଟିବ ।’

 

ସୁବୋଧନନା ଲୁଗା ବଦଳାଇବା ପାଇଁ ଭିତରକୁ ଗଲେ । ମାଉସୀ ମୋ ପାଖେ ଛିଡ଼ା ହୋଇ ରହି ପଚାରିଲେ, ‘କିରେ ରାଜୁ, ଏବେ ତୋର ଆଉ ଦେଖା ନାହିଁ ଯେ—ହାଇସ୍କୁଲରେ ପଢ଼ିଲୁ ବୋଲି ଏ ବାଟ ଛାଡ଼ିଦେଲୁ ନା କଣ ?’

 

ମୁଁ କହିଲି—‘ନା ମାଉସୀ । ଏଥର ମୁଁ ଆମ ସ୍କୁଲ ଫୁଟବଲ୍‌ ଟିମରେ ଖେଳୁଚି ବୋଲି ପ୍ରତିଦିନ ପ୍ରାକ୍‌ଟିସ କରିବାକୁ ଯାଉଚି । ଆସିବାକୁ ଜମା ସମୟ ପାଉନି ।’ ମୁଁ ସୁଯୋଗ ସୁବିଧା ପାଇବା ମାତ୍ରେ ମୋର ପୁଟ୍‌ବଲ୍‌ ଖେଳିବା ବିଷୟ ସଗର୍ବେ ଘୋଷଣା କରୁଥିଲି ।

 

ସୁବୋଧନନା ପ୍ରସ୍ତୁତ ହୋଇ ଆସି କହିଲେ, ‘ରାଜୁ, ଯିବୁ ନା ବସିବୁ ?’

 

ମୁଁ କହିଲି ନା ମୁଁ ଯିବି । ମୋର ଫେର ପଢ଼ା ଅଛି । ମୁଁ ସବୋଧନନାଙ୍କ ସାଙ୍ଗରେ ବାହାରିଲି । ବାଟରେ ସେ ପଚାରିଲେ, ‘ବୋଉ କଣ କହୁଥିଲା କିରେ ?’ ମୁଁ କହିଲି—ନା—କିଛି ନା ।

 

ପଚାରୁଥିଲା କି ‘ମତେ ହେଡ଼ମାଷ୍ଟର ଡାକିଛନ୍ତି କି ନା ?’

 

ମୁଁ ସୁବୋଧନନାଙ୍କ ମୁହଁକୁ ଚାହିଁଲି । ସଦେ କାହିଁକି କେଜାଣି ଅକାରଣେ ଲାଜ କଲାଭଳି ତଳ ଓଠକୁ ଦାନ୍ତରେ କାମୁଡ଼ିଥିଲେ । ଆଜି ଚାରିଟା ବେଳେ ସୁବୋଧନନାଙ୍କ କଥା କହିବାବେଳେ ମୀନାନାନୀ ଏମିତି ଲାଜେଇ ଯାଉଥିଲେ ।

 

ଜିନିଷଟା ଅନ୍ୟ କିଛି ବୋଲି ଅନୁମାନ କରିବାର ବୟସ ମୋର ହୋଇଥିଲା । କିନ୍ତୁ ମୋର ଅଭିଜ୍ଞତାର ଅଭାବ ଥିଲା । ତେଣୁ ତା’ ପରଦିନ ମହେଶ ସାର୍‌ଙ୍କ ଘରକୁ ଟ୍ୟୁସନ ପଢ଼ିବାକୁ ଯାଇ ମୋର ଯେତେବେଳେ ଟୁନୁ, ବିମଳ, ସାମସୁଦ୍ଦିନ ହେରିକାଙ୍କ ସଙ୍ଗେ ଦେଖା ହେଲା । ମୁଁ ଘଟଣାଟା ବର୍ଣ୍ଣନା କରି ପଚାରିଲି, ‘କଥା କ’ଣ କୁହ ତୁ ? ୟା’ ଭିତରେ ନିଶ୍ଚୟ କିଛି ଚୁପ୍‌ଚୁପ୍‌ କଥା ଅଛି ।’ ନ ହେଲେ ସୁବୋଧନନା ତ କେବେ ମିଛ କହନ୍ତି ନାହିଁ । ସେ କାହିଁକି ହେଡ଼ମାଷ୍ଟର ଡାକୁଚନ୍ତି ବୋଲି ମିଛ କହିଲେ ?

 

ସାମସୁଦ୍ଦିନ ଆମ ଭିତରେ ସବୁଠାରୁ ବୟସରେ ବଡ଼ । ସେ ସମଝଦାରଙ୍କ ଭଳି କହିଲା, ‘ଡାଲ ମେ କାଲା ହୈ ।’ କହି ସେ ଟୁନୁକୁ ଚାହିଁଲା । ଟୁନୁ ବି ଅଭିଜ୍ଞ ଭାବେ ମୁଣ୍ଡ ଟୁଙ୍ଗାରି କହିଲା—ଲଭ୍‌ । ଲଭ୍‌ କଣ ମୁଁ ଠିକ୍‌ ବୁଝି ନ ଥିଲି । ପଚାରିଲି ଲଭ୍‌ କ’ଣ ? ଟୁନୁ ମୋ ମୁଣ୍ଡରେ ଗୋଟିଏ ଚଟକଣି ମାରି କହିଲା—‘ଯାଃ—ବୋକା ଲଭ୍‌ ମାନେ ଜାଣିନୁ ? ଲଭ୍‌ ମାନେ ପ୍ୟାର୍‌, ମୋହବତ୍‌—ଭଲ ପାଇବା । ଯେଉଁମାନଙ୍କର ଲଭ୍‌ ହୁଏ ସେମାନଙ୍କର ବାହାଘର ହୁଏ ।’ ତେବେ ସୁବୋଧନନା ଆଉ ମୀନାନାନୀଙ୍କ ବାହାଘର ହବ ? ବୋକାଙ୍କ ଭଳି ମୁଁ ପଚାରିଲି ?

 

‘ଜରୁର ହବ । ଯେତେବେଳେ ଲଭ୍‌ ହୋଇଚି ଜରୁର ବାହାଘର ହବ ।’ ଏତେ ବେଳଯାଏ ବିମଳ ଚୁପ୍‌ ଥିଲା । ସେ ଏଥର ପାଟି ଫିଟାଇ କହିଲା, ‘ତୁ ସିନେମାରେ ଦେଖିନୁ କେମିତି ରାଜକପୁର ନର୍ଗିସଙ୍କର ଲଭ୍‌ ହୋଇ ସାରିବା ପରେ ବାହାଘର ହୁଏ ।’ ମୁଁ ପ୍ରତିବାଦ କଲି–‘କିନ୍ତୁ ବେଳେ ବେଳେ ତ ହୁଏନି । ଦିଲ୍ଲୀପ କୁମାର ଯେଉଁ ଫିଲ୍ମରେ ଥାଏ ସେଠି ତ ହିରୋଇନ୍‌ ଆଉ ଜଣକୁ ବାହାହୁଏ । ଓଃ—ସେଗୁଡ଼ା ଟ୍ରାଜେଡ଼ି । ସୁବୋଧନନାଙ୍କ ଜୀବନରେ ଟ୍ରାଜେଡ଼ି ହବନି-। ବୁଝିଲୁ ।

 

ଏ ଆଲୋଚନା ବେଶିବାଟ ଆଗେଇ ପାରେନା । ବଜାର ସଉଦା ସାରି ମହେଶବାବୁ ଆସି ପହୁଞ୍ଚିଯାନ୍ତି । ତାଙ୍କୁ ଦେଖି ଆମେ ଚୁପ୍‌ ହୋଇଯାଉ ।

 

ସୁବୋଧନନା ମୀନନାନୀଙ୍କୁ ବିଭା ହେବାର ସମ୍ଭାବନା ଥିବା ସମ୍ବାଦଟା ମୋ ନିକଟରେ ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର ହେଲେ ମଧ୍ୟ ଏ ଖବର ଅନେକଙ୍କୁ ଜଣା ଥିଲା । ବିଶ୍ୱନାଥବାବୁ ସୁବୋଧନନାଙ୍କୁ ଅତ୍ୟଧିକ ସ୍ନେହ କରୁଥିଲେ । ତାଙ୍କର ସେହି ବାତ୍ସଲ୍ୟକୁ ଏକ ସାମାଜିକ ସ୍ୱୀକୃତି ଦେବା ପାଇଁ ସେ ତାଙ୍କୁ ମନେ ମନେ ଜାମାତା ରୂପେ ବରଣ କରିବାଟା ସ୍ୱାଭାବିକ । ଦିନେ ସେ କଥାପ୍ରସଙ୍ଗରେ ଭଗବାନସାରଙ୍କୁ କହିଥିଲେ, ‘ପଣ୍ଡିତ ମହାଶୟ ଆପଣ ଯଦି ମୋ ମୀନାକୁ ଆପଣଙ୍କ ପାଦତଳେ ଟିକିଏ ସ୍ଥାନ ଦିଅନ୍ତେ ସେ ଧନ୍ୟ ହୋଇଯାନ୍ତା’ । ପଣ୍ଡିତ ଭଗବାନ ଦାଶ ହେଡ଼ମାଷ୍ଟରଙ୍କ କଥାର ମର୍ମ ବୁଝି ନ ପାରି ଅବୁଝା ଆଖିରେ କିଛି ସମୟ ଚାହିଁ ପଚାରିଲେ, ‘ମୀନା-? ମୀନାର ଫେର କଣ ହେଲା ?’

 

ହବ କଣ ? ଟିକିଏ ହସି ବିଶ୍ୱନାଥବାବୁ କହିଲେ, ‘ମୁଁ କହୁଥିଲି ମୀନା ସଙ୍ଗେ ସୁବୋଧର ବିଭାଘର ପାଇଁ ଆପଣ ଯଦି ଅନୁମତି ଦିଅନ୍ତେ.....’

 

କଥାଟା ବୁଝିପାରି ଭଗବାନସାର୍‌ ପ୍ରଶାନ୍ତ ଭାବେ ହସି କହିଲେ—‘ଓ, ମୀନା ସୁବୋଧ ହେରିକାଙ୍କ ବିଭାଘର ତ ଆହୁରି ବିଳମ୍ବ ଅଛି । ଏତେ ଦିନୁ ଆପଣ ଏତେ ବ୍ୟସ୍ତ ହେଉଚନ୍ତି କାହିଁକି-?’

 

‘ବ୍ୟସ୍ତ ନୁହେଁ ଯେ—ଏ ମୋର ଗୋଟାଏ କଳ୍ପନା । ଆପଣ ତ ଜାଣନ୍ତି ସୁବୋଧକୁ ମୁଁ କେତେ ଭଲ ପାଏ.... ।’

 

ବିଶ୍ୱନାଥବାବୁ କଥା ଶେଷ କରିବା ପୂର୍ବରୁ ଭଗବାନସାର୍‌ ବାଧା ଦେଇ କହିଲେ, ‘ସୁବୋଧ ତ ଆପଣଙ୍କ ହାତରେ ଗଢ଼ା । ମୁଁ ତାକୁ ଜନ୍ମ ଦେଲେ ବି ଆପଣ ସେଇ କାଦୁଅ ମେଞ୍ଚାକୁ ହାତରେ ପିଟି ଗଢ଼ି ଛାଞ୍ଚରେ ପକାଇଚନ୍ତି । ସେ ତ ଆପଣଙ୍କର ବି ପୁଅ । ମୋ ଭଳି ତା’ ଉପରେ ଆପଣଙ୍କର ବି ଅଧିକାର ଅଛି, ଏଥିରେ ଆପଣଙ୍କର ମୋ ଠାରୁ ଅନୁମତି ନେବା ପ୍ରୟୋଜନ କଣ-? ସୁବୋଧର ମଙ୍ଗଳ ପାଇଁ ଆପଣ ଯାହା ଆଦେଶ କରିବେ ସେ ତ ଆମର ଶିରୋଧାର୍ଯ୍ୟ ।’

 

‘ତଥାପି...’

 

ବିଶ୍ୱନାଥବାବୁଙ୍କ ସମସ୍ତ ସଂଶୟକୁ ଏକ ପ୍ରଶାନ୍ତ ହସରେ ପ୍ରଶମିତ କରି ଭଗବାନସାର୍‌ କହିଲେ, ‘ଆଉ ପୁଣି ତଥାପି କେଉଁଠୁ ଆସିଲା । ମୀନାର କୋଷ୍ଠୀ ମୁଁ ଗଣନା କରିଚି ମୀନା ସୁଖୀ ହେବ । ସେ ରାଜରାଣୀ ହେବ ! ଆପଣ ଆଶୀର୍ବାଦ କରନ୍ତୁ ସୁବୋଧ ମଣିଷ ହେଉ ।

 

ଏ କଥା ଭଗବାନସାର୍‌ ମାଷ୍ଟ୍ରାଣୀ ମାଉସୀଙ୍କୁ କହିଥିଲେ । ମାଷ୍ଟ୍ରାଣୀ ମାଉସୀ ସବୁଦିନେ ଅଳ୍ପ କଥା କହନ୍ତି । ସବୁ ଶୁଣି ସେ ଟିକିଏ ହସି କହିଲେ—ଝିଅ ପୁଅଙ୍କ ବାହାଘର ବିଧାତାର ନିର୍ବନ୍ଧ ସେଥିରେ କାହାର ହାତ ଅଛି ?

 

ତେବେ ମୀନାକୁ ତୁମର ପସନ୍ଦ କି ନା କୁହ ? ତୁମକୁ ନ ପଚାରି ମୁଁ ଜବାବ ଦେଇ ଦେଇଚି । ମାଷ୍ଟ୍ରାଣୀ ମାଉସୀ ଟିକିଏ ଚୁପ୍‌ ରହି କହିଲେ, ‘ମୀନା ଗୁଣର ଝିଅ । ରୂପଟି ବି ଡଉଲ, ବାଛିବାରେ କିଛି ନାହିଁ ।’

 

ମାଉସୀଙ୍କ ଉତ୍ତର ଶୁଣି ଭଗବାନସାର୍‌ ଆଶ୍ୱସ୍ତ ହୋଇଥିଲେ । ତାଙ୍କର ସ୍ୱଭାବସୁଲଭ ପ୍ରଶାନ୍ତ ହସ ହସି କହିଥିଲେ ‘ସବୁ ଈଶ୍ୱରଙ୍କ ଇଚ୍ଛା ସୁବା ବୋଉ । ମଣିଷ ହାତରେ କ’ଣ ଅଛି ?’

 

ହେଡ଼ମାଷ୍ଟରଙ୍କ ପରିବାରରେ ସମସ୍ତେ ଏ କଥା ଜାଣି ଖୁସି ହୋଇଥିଲେ । ଆଶ୍ୱସ୍ତ ହୋଇଥିଲେ । କିନ୍ତୁ ପଣ୍ଡିତ ଭଗବାନ ଦାଶ ବାକ୍‌ଦାନ କରିବା ବିଷୟ ପ୍ରଚାରିତ ହେବା ବହୁ ପୂର୍ବରୁ ଗୋଟିଏ ଭୀରୁ କିଶୋରୀର ହୃଦୟର ସଂଗୋପନରେ ଜଣେ ପ୍ରାଣୋଚ୍ଛଳ ତରୁଣ ନିଜର ଆସନ ସୁଦୃଢ଼ କରିସାରିଥିଲେ । ଆଦ୍ୟ କୈଶୋରରୁ ମୀନାନାନୀ ସୁବୋଧନନାଙ୍କୁ ତାଙ୍କ ପ୍ରାର୍ଥିତ ପୁରୁଷ ଭାବେ କଳ୍ପନା କରିବାକୁ ଭଲ ପାଉଥିଲେ । ସୁବୋଧନନା ହୁଏତ ମୀନାନାନୀ ହୃଦୟର ସମସ୍ତ କଥା ଜାଣି ନ ଥିଲେ ତଥାପି ତାଙ୍କ ମନରେ ମୀନାନାନୀଙ୍କ ପ୍ରତି ଏକ ପ୍ରଗାଢ଼ ଆକର୍ଷଣ ଥିଲା । ସେ ସମୟରେ ସମାଜରେ ଅନାତ୍ମୀୟ ପୁଅ ଝିଅଙ୍କ ମିଳାମିଶାରେ ବହୁ ପ୍ରତିବନ୍ଧକ ଥିଲା । ପର୍ଦ୍ଦା ଥିଲା । ତା ସତ୍ତ୍ୱେ ସୁବୋଧନନା ଅନ୍ତରାଳରୁ ଗୋଟିଏ ବ୍ରୀଡ଼ାନମ୍ର ମଧୁର ନିଃଶ୍ୱାସର ଉଷ୍ଣତା ଅନୁଭବ କରୁଥିଲେ । ଗୋଟିଏ କିଶୋରୀ ମନର ଇନ୍ଦ୍ରଧନୁର ଛଟା ସେ ଦେଖି ପାରୁଥିଲେ । ତେଣୁ ପ୍ରକାଶ୍ୟରେ ମିଳାମିଶା ନ କଲେ ମଧ୍ୟ ଉଭୟଙ୍କର ଉଭୟଙ୍କ ପ୍ରତି ଅନୁରାଗ ଜନ୍ମିବା କିଛି ବିଚିତ୍ର ନ ଥିଲା ।

 

ମଣିଷର ଇଚ୍ଛା ଆଉ ବିଧାତାଙ୍କ ଇଚ୍ଛା ସବୁ ସମୟରେ ସମାନ ହୁଏ ନାହିଁ । ସୁବୋଧନନାଙ୍କର ମୀନାନାନୀଙ୍କ ସଙ୍ଗେ ବିଭାଘର ସବୁ ଠିକ୍‌ ଠାକ୍ ହୋଇ ବି ହୋଇ ନ ଥିଲା । ସୁବୋଧନନା ମୀନାନାନୀଙ୍କୁ ବିଭା ହୋଇଥିଲେ ମୋତେ ଆଜି ଏ କାହାଣୀ ଲେଖିବାର ସୁଯୋଗ ମିଳି ନ ଥାନ୍ତା । ସେ କଥା ହୋଇଥିଲେ ସୁବୋଧନନାଙ୍କ ଜୀବନର ଗତି ଭିନ୍ନମୁଖୀ ହୋଇଥାନ୍ତା । ସେ ସୁଖୀ ହୋଇଥାନ୍ତେ । ଦାଗ ପୁତ୍ର ପରିବାର ନେଇ ଜଣେ ସୁଖୀ ମଣିଷର ଜୀବନକୁ ନେଇ ଆଉ ଯାହା କରିହେବ ଗପ ଲେଖି ହେବ ନାହିଁ । ଜଣେ ସଫଳ ଓ ସୁଖୀ ମଣିଷଠାରୁ ଜଣେ ବ୍ୟର୍ଥ ଓ ବଞ୍ଚିତ ମଣିଷ ଜୀବନରେ କାହାଣୀର ଖୋରାକ ବେଶୀ ଥାଏ । ହଁ ମୁଁ ଯାହା କହୁଥିଲି । ସୁବୋଧନନା ମୀନାନାନୀଙ୍କ ବାହାଘର ଶେଷ ପର୍ଯ୍ୟନ୍ତ ହୋଇପାରି ନ ଥିଲା । ସୁବୋଧନନା ଇଞ୍ଜିନିୟରିଂ ପାଶ୍‌ କଲାବେଳେକୁ ଇଣ୍ଡିଆ ସ୍ୱାଧୀନ ହୋଇ ସାରିଥିଲା । ସେତେବେଳକୁ ପ୍ରଥମ ପଞ୍ଚବାର୍ଷିକ ଯୋଜନା ଆରମ୍ଭ ହୋଇ ନ ଥିଲେ ବି ପଣ୍ଡିତ ଜବାହାରଲାଲ ନେହେରୁ ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ଏକ ନିର୍ଦ୍ଦିଷ୍ଟ ଯୋଜନାର ରୂପରେଖ ଠିକ୍‌ କରି ସାରିଥିଲେ । ତାଙ୍କରି ନିର୍ଦ୍ଦେଶରେ ଜାତିର ପ୍ରଧାନ ପ୍ରଧାନ ଚାହିଦା ଅନୁଯାୟୀ ବିରାଟ ପ୍ରକଳ୍ପ ସବୁ ଗଢ଼ି ଉଠୁଥିଲା । ସେତେବେଳକୁ ହୀରାକୁଦ, ଭାତ୍ରାନାଙ୍ଗଲ, ଦାମୋଦର ଭ୍ୟାଲି ଭଳି ବହୁମୁଖୀ ନଦୀ ବନ୍ଧ ଯୋଜନା ଗୁଡ଼ିକର ଶୁଭ ଦିଆ ସରିଥାଏ । ଭୁବନେଶ୍ୱର ଚଣ୍ଡୀଗଡ଼ ଭଳି ରାଜଧାନୀ ସହର ସବୁ ଗଢ଼ିଉଠୁଥାଏ । ଔପନିବେଶିକ ଶାସନର ଅଣଓସାରିଆ ରାସ୍ତାଗୁଡ଼ିକରେ ଦଶ ଟନ ଓଜନର ମାଲବାହୀ ଟ୍ରକ୍‌ ଚାଲିବା ପାଇଁ ଓସାରିଆ ହେଉଥାଏ । ସାରା ଜୀବନ ଏମିତି କି ବ୍ରିଟିଶ୍‌ ଜେଲର ଅନ୍ଧକାର ସେଲ ଭିତରେ ଦେଶକୁ ଯୋଜନାବଦ୍ଧ ଭାବେ ସମୃଦ୍ଧ କରିବାପାଇଁ ପଣ୍ଡିତଜୀ ଯେଉଁ ସ୍ୱପ୍ନ ଦେଖି ଆସିଥିଲେ ତାର ସଫଳ ରୂପାୟନର ପ୍ରଥମ ପର୍ବର ଅୟମାରମ୍ଭ ହୋଇ ସାରିଥାଏ । ସେଥିପାଇଁ ଦେଶରେ ବହୁ ଇଞ୍ଜିନିୟର ଟେକ୍‌ନିସିଆନଙ୍କର ପ୍ରୟୋଜନ । କିନ୍ତୁ ଚାହିଦାକୁ ଚାହିଁ ଏତେ ସଂଖ୍ୟାରେ ଶିକ୍ଷିତ ଇଞ୍ଜିନିୟର କାହାନ୍ତି । ସେହି ସମୟରେ ସୁବୋଧନନା ବି: ଏଚ୍‌: ୟୁ: ରୁ ସିଭିଲି ଇଞ୍ଜିନିୟରିଂରେ ଫାଷ୍ଟ୍‌କ୍ଳାସ୍‌ ଫାଷ୍ଟ ହୋଇ ପାଶ୍‌ କଲେ । ତାଙ୍କର ଇଚ୍ଛା ଥିଲା ଏହାପରେ ସେ ପୋଷ୍ଟଗ୍ରାଜୁଏଟ୍‌ କରିବେ କିମ୍ବା ରିସର୍ଚ୍ଚ କରିବେ । ସେଥିପାଇଁ ଲଣ୍ଡନ କିମ୍ବା ବର୍ଲିନ ଯିବେ । କିନ୍ତୁ ସେତେବେଳକୁ ଫିଲ୍‌ଡ଼ରେ ବହୁତ କ୍ୱାଲିଫାଏଡ଼୍‌ ଇଞ୍ଜିନିୟର ଦରକାର । ଭୁବନେଶ୍ୱର କ୍ୟାପିଟାଲ କନ୍‌ଷ୍ଟ୍ରକସନର କାମ ଦେଖିବା ପାଇଁ, ମହାନଦୀ କାଠଯୋଡ଼ୀ ଉପରେ ନ୍ୟାସନାଲ ହାଇଓ୍ୱେର ବ୍ରିଜ ତିଆରି କରିବା ପାଇଁ ଏବଂ ବିଶାଳ ହୀରାକୁଦ ରିଭାର ଭ୍ୟାଲି ପ୍ରୋଜେକ୍ଟ କିମ୍ବା ଡୁଡ଼ୁବା ହାଇଡ଼୍ରୋ ଇଲେକ୍ଟ୍ରିକ୍‌ ପ୍ରୋଜେକ୍ଟ୍‌ ନିର୍ମାଣ କରିବା ପାଇଁ ଅସଂଖ୍ୟ ଇଞ୍ଜିନିୟରଙ୍କ ପ୍ରୟୋଜନ-। ତେଣୁ ତାଙ୍କର ଫାଇନାଲ ପରୀକ୍ଷା ସରିବା ପରେ ସେ ଓଡ଼ିଶା ସରକାରଙ୍କଠାରୁ ଚିଠି ପାଇଲେ ଯେ ତାଙ୍କୁ ଆସିଷ୍ଟାଣ୍ଟ ଇଞ୍ଜିନିୟର ପଦରେ ନିଯୁକ୍ତି ମିଳିବ । ସେ ଆସି ଶୀଘ୍ର ଚିଫ୍‌ ଇଞ୍ଜିନିୟରଙ୍କୁ ସାକ୍ଷାତ କରନ୍ତୁ । ସେ ଚିଠି ପ୍ରତି ବିଶେଷ ଗୁରୁତ୍ୱ ନ ଦେଇ ସୁବୋଧନନା ଘରକୁ ଆସିଲେ । ଘରକୁ ଆସିଲେ ସୁବୋଧନନା ଯଥାରୀତି ଯାହା କରନ୍ତି ସେୟା କରିବାକୁ ଲାଗିଲେ । ସେମିତି ସେ ବଜାର ଥଳି ଧରି ବଜାରକୁ ଯାନ୍ତି, ହେଡ଼ମାଷ୍ଟରଙ୍କ ଘରକୁ ଯାନ୍ତି; ଜେଲ ରୋଡ଼୍‌ ପୁଲିସ୍‌ ଲାଇନ୍‌ ବାଟ ଦେଇ ସାନ୍ଧ୍ୟଭ୍ରମଣ କରନ୍ତି କିମ୍ବା ସହରର ନିରୋଳା କୋଣରେ ଥିବା ପାର୍କରେ ଚୁପ୍‌ଚାପ ବସି ଛୋଟ ନଦୀ ମରାଳୀ ଆରପଟେ ଅଙ୍କାବଙ୍କା ପାହାଡ଼ ସନ୍ଧିରେ ବୁଡ଼ିଯାଉଥିବା ସୂର୍ଯ୍ୟକୁ ମୁଗ୍‌ଧ ଭାବେ ଚାହିଁ ରହନ୍ତି । ତା’ପରେ ସନ୍ଧ୍ୟାବେଳେ ଘରକୁ ଫେରି ଧୁଆଧୋଇ ହୋଇ ପଢ଼ା ଟେବୁଲରେ ବସି ମୋଟା ମୋଟା ଫିଲୋସପି ବହି ପଢ଼ନ୍ତି.....ଯେଉଁ ଜାଗାରେ ତାଙ୍କୁ ଭଲ ଲାଗେ ତାକୁ ସେ ଉଦ୍ଧାର କଣ୍ଠରେ ଆବୃତ୍ତି କରନ୍ତି । ଆମେ ସବୁ ତାଙ୍କ ଘର ଆଗ ରାସ୍ତାରେ ଯିବାବେଳେ ଥମକି ଯାଇ ଛିଡ଼ାହୋଇ ଶୁଣୁ—

 

Above blind fate and the antagonist power.

 

Moveless there stands a high unchanging will

 

To its ommipotnce leave thy works result.

 

All things shall change in God’s transfiguring hour.

 

ସୁବୋଧନନାଙ୍କ ଜ୍ଞାନାନ୍ୱେଷଣର ପିପାସା ଥିଲା ଅଦମ୍ୟ ସେ ଚାହିଁଥିଲେ ଆଉ କିଛିଦିନ ପଢ଼ି ତାଙ୍କର ବୈଷୟିକ ଜ୍ଞାନକୁ ଆଉ କିଞ୍ଚିତ୍‌ ପ୍ରସାରିତ କରିଥାନ୍ତେ । କିନ୍ତୁ ତା’ ଆଉ ସମ୍ଭବ ହେଲାନାହିଁ । ସୁବୋଧନନାଙ୍କ ଛାତ୍ର ଜୀବନର ସେଇଠି ପରିସମାପ୍ତି ହେଲା । ତାଙ୍କ ଜୀବନର ଏକ ଉଜ୍ଜ୍ୱଳ ଅଧ୍ୟାୟର ସେଇଠି ଯବନିକା ପଡ଼ିଗଲା । ଦିନେ ଭାରି ବ୍ୟସ୍ତହୋଇ ମିଲିଟାରୀ ଡିସପୋଜାଲରୁ କିଣା ତାଙ୍କ ପୁରୁଣା ମୋଟର ସାଇକେଲରେ ଚଢ଼ି ଆମ ସହରର ଏକମାତ୍ର ପି. ଡବ୍ଳ୍ୟୁ. ଡି କଣ୍ଟ୍ରାକ୍ଟର କରୁଣାକର ଜେନା ହଠାତ୍‌ ଭଗବାନସାର୍‌ଙ୍କ ଘରେ ପହୁଞ୍ଚିଗଲେ-। କରୁଣାକରବାବୁଙ୍କ ମୋଟରସାଇକଲର ବିକଟ ଫଟ୍‌ ଫଟ୍‌ ଆଓ୍ୱାଜ ଶୁଣି ଭଗବାନସାର୍‌ ବାହାରୁ ଆସି ପଚାରିଲେ ‘କ’ଣ ଖବର କରୁଣାକର ? ହଠାତ୍‌ କୁଆଡ଼େ ଆସିଲ ?’

 

ଭଗବାନ ସାର୍‌ଙ୍କ ପ୍ରଶ୍ନର ଉତ୍ତର ଦେବା ପାଇଁ କରୁଣାକର ବାବୁଙ୍କର ତର ନ ଥିଲା । ସେ ବ୍ୟସ୍ତହୋଇ ପଚାରିଲେ, ‘ସୁବୋଧ କାହିଁ ?’

 

‘ସେ ବଜାର ଯାଇଚି, ଏଇନେ ଆସିବ ।’

 

‘ଯାଃ—ସରିଗଲା କଥା ।’ ହତାଶ ଭାବେ କରୁଣାକରବାବୁ ଖେଦୋକ୍ତି କରି ଉଠିଲେ ।

 

‘କଥା କ’ଣ କରୁଣାକର ? ତୁମେ ଏତେ ବିଚଳିତ ହେଉଚ କାହିଁକି ? କ’ଣ ସୁବୋଧଠାରେ କିଛି ଜରୁରୀ କାମ ଥିଲା ।’ ବ୍ୟସ୍ତହୋଇ ଭଗବାନସାର୍‌ ପଚାରିଲେ ।

 

‘କାମ କଥା ପଚାରୁଚନ୍ତି ସାର୍‌ ? ମୋ କାମ ଥିଲେ କ’ଣ ମୁଁ ବ୍ୟସ୍ତ ହୁଅନ୍ତି ? ଏଇନେ ସାହେବ ଆସିଥିବେ । ତାଙ୍କର କ’ଣ କାମ ଅଛି ସୁବୋଧ ପାଖରେ । ମୋତେ ସେ କହିଲେ କରୁଣାକର ୟୁ ଗୋ—ତୁମେ ଯାଇ ଖବର ଦିଅ ଏଣେ ଦେଖିଲାବେଳକୁ ସୁବୋଧ ନାହିଁ ।’

 

‘ସାହେବ କିଏ ?’ ବୁଝି ନ ପାରି ଭଗବାନସାର୍‌ ପଚାରିଲେ ।

 

‘ସାହେବ ତ ଜଣେ ସାର୍‌ । ବିଲାତି ସାହେବ ଗଲାପରେ ଆଉ କ’ଣ ସାହେବ ଅଛନ୍ତି-? ମାତ୍ର ଜଣେ ମିଶ୍ର ସାହେବ । ଆମ ଏକ୍‌ଜିକ୍ୟୁଟିଭ ଇଞ୍ଜିନିୟର । ଭାରି କଡ଼ା ହାକିମ । ବିଲାତ ଫେରନ୍ତା ଲୋକ ତ...କିନ୍ତୁ ସାର୍‌ ମୋତେ ସେ ଭାରି ଭଲପା’ନ୍ତି । କିନ୍ତୁ କ’ଣ କରାଯିବ ? ସୁବୋଧ ତ ଏ ଯାଏଁ ଫେରିନାହିଁ—ତେଣେ ସାହେବ ଆସି ପହୁଞ୍ଚିଯିବେ ।’

 

ସୁବୋଧନନାଙ୍କ କଥା ମନେ ପଡ଼ିଯିବାରୁ କରୁଣାକରବାବୁ ପୁଣି ବିଚଳିତ ହୋଇ ଉଠିଲେ । ଏହି ସମୟରେ ସୁବୋଧନନା ବଜାରରୁ ଫେରିଆସି କରୁଣାକରବାବୁଙ୍କ ସମସ୍ତ ଦୁଶ୍ଚିନ୍ତା ଦୂର କରିଦେଲେ ।

 

ସୁବୋଧନନାଙ୍କୁ ଦେଖି କରୁଣାକରବାବୁ ବିଚଳିତ ଭାବେ ହସି କହିଲେ—‘ଏଇ ଯେ ସୁବୋଧ । ତୁମକୁ ଦେଖା କରିବାକୁ ଏକ୍‌ଜିକ୍ୟୁଟିଭ ଇଞ୍ଜିନିୟର ମିଶ୍ର ସାହେବ ଆସିବେ ।’

 

‘ମୋତେ ଦେଖା କରିବାକୁ ? କାରଣ ?’ ଆଶ୍ଚର୍ଯ୍ୟ ହୋଇ ସୁବୋଧନନା ପଚାରିଲେ ।

 

‘କାରଣ ତ ମୋତେ କହି ନାହାନ୍ତି । ମୋତେ କହିଲେ—ଆଇ ଓ୍ୱାଣ୍ଟ୍‌ ଟୁ ମିଟ୍‌ ହିମ୍‌ ଏଟ୍‌ ହିଜ୍‌ ପ୍ଳେସ୍‌, ୟୁ ଗୋ । କାରଣଟା ତ ମୁଁ ପଚାରି ନାହିଁ । ବୁଝିଲ ସୁବୋଧ ଆମେ କଣ୍ଟ୍ରାକ୍ଟର । ଓ୍ୱାର୍କ ଅର୍ଡ଼ର ପାଇଲେ କାମ କରିବୁ । କ’ଣ ପାଇଁ ସେ କାମ ହଉଚି ସେ କଥା ବୁଝିବା ଆମର ଦରକାର କ’ଣ ?

 

କିନ୍ତୁ ବେଶୀ ସମୟ ସୁବୋଧନନାଙ୍କୁ ସଂଶୟ ଭିତରେ ରହିବାକୁ ପଡ଼ିଲା ନାହିଁ । ଗୋଟିଏ ବିରାଟ ନୂଆ ମଡ଼େଲର ଷ୍ଟୁଡ଼ିବେକର୍‌ ଗାଡ଼ି ଆସି ଭଗବାନସାର୍‌ଙ୍କ ଘର ଆଗରେ ଛିଡ଼ାହେଲା । ଧଳା ୟୁନିଫର୍ମ ଧଳା କଳାର ପିକ୍‌ କ୍ୟାପ୍‌ ପିନ୍ଧା ଡ୍ରାଇଭର ଓହ୍ଲାଇ ଆସି ଗାଡ଼ିର ପଛ କବାଟ ଖୋଲି ଛିଡ଼ାହେଲା । ପଛ ସିଟରେ ଥ୍ରୀପିସ୍‌ ସୁଟ୍‌ ଟାଇ ପିନ୍ଧି ଜଣେ ବୟସ୍କ ଭଦ୍ରଲୋକ ଗମ୍ଭୀର ଭାବେ ବସିଥିଲେ । କରୁଣାକରବାବୁ ଟିକିଏ ଆଢ଼ୁଆଳରେ ରହି ଫିସ୍‌ ଫିସ୍‌ କରି କହିଲେ–‘ସାହେବ’ । ସୁବୋଧନନା ଆଗେଇଗଲେ ନମସ୍କାର କରି କହିଲେ–‘ମୁଁ ସୁବୋଧ ଦାଶ–ଏଥର ବି. ଏଚ୍‌.ୟୁ.ରୁ.... ।’

 

ତାଙ୍କୁ କଥା ଶେଷ କରିବାକୁ ନ ଦେଇ ମିଶ୍ର ସାହେବ କହିଲେ—‘ଆଇ ନୋ ।’

 

ତା’ପରେ ଗାଡ଼ିରୁ ଓହ୍ଳାଇପଡ଼ି ସୁବୋଧନନାଙ୍କ ସଙ୍ଗେ ହାଣ୍ଡସେକ୍‌ କରି କହିଲେ, ‘ଗ୍ଳାଡ଼୍‌ ଟୁ ମିଟ୍‌ ୟୁ । ହାଓ ଡୁ ୟୁ ଡୁ ?’

 

ପ୍ରତ୍ୟୁତ୍ତରରେ ସୁବୋଧନନା ଅଳ୍ପ ଟିକିଏ ହସି ଚୁପ୍‌ ରହିଲେ ।

 

ତା’ପରେ ମିଶ୍ର ସାହେବ କହିଲେ, ‘ତୁମେ ତ ଆଡ଼ହକରେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଆପଏଣ୍ଟ୍‌ମେଣ୍ଟ୍‌ ପାଇଥିବ ?’

 

‘ପାଇଚି ।’

 

‘ଜଏନ୍‌ କରିନ ଏ ଯାଏ ?’

 

‘ଭାବୁଚି ଏ ଚାକିରିରେ ଜଏନ୍‌ କରିବି କି ନା । ପୋଷ୍ଟ ଗ୍ରାଜୁଏଟ୍‌ କରିବାକୁ ଭାରି ଇଚ୍ଛା ଅଛି । ୟୁନିଭରର୍ସିଟିରୁ ସ୍କଲାରସିପ୍‌ ମିଳିଚି ।’

‘ନୋ—ନୋ—ଗିଭଆପ୍‌ ଦେଟ୍‌ ଆଇଡ଼ିଆ । ବର୍ତ୍ତମାନ ପୋଷ୍ଟ୍‌ ଗ୍ରାଜୁଏଟ୍‌ କରିବା ସମୟ ନୁହେଁ ସୁବୋଧବାବୁ ।’

ସୁବୋଧନନାଙ୍କ ପୋଷ୍ଟ ଗ୍ରାଜୁଏଟ୍‌ ପଢ଼ିବାର ପରିକଳ୍ପନାକୁ ସିଧାସଳଖ ନାକଚ କରିଦେଲେ ମିଶ୍ର ସାହେବ । ସୁବୋଧନନାଙ୍କୁ ପ୍ରତିବାଦ କରିବା ପାଇଁ ସୁଯୋଗ ନ ଦେଇ ମିଶ୍ର ସାହେବ ଅଭିଜ୍ଞ ଭଙ୍ଗୀରେ କହିଲେ—‘ବର୍ତ୍ତମାନ ଦେଶ ଇଞ୍ଜିନିୟନମାନଙ୍କୁ ଅନାଇ ବସିଚି । ତେଣୁ ଦେଶକୁ ଜାତିକୁ ସାହାଯ୍ୟ କରିବା ପାଇଁ ଆମ ସମସ୍ତଙ୍କର ଆଗେଇ ଯିବା ଉଚିତ । ଗୋଟିଏ ଶିଶୁରାଷ୍ଟ୍ରକୁ ଗଢ଼ିବା ଦାୟିତ୍ୱ ତ ଆମର—ଇଞ୍ଜିନିୟରମାନଙ୍କର । ୟୁ ମଷ୍ଟ ଜଏନ୍‌ ଦି ଦିପାର୍ଟମେଣ୍ଟ୍‌-।’

ସୁବୋଧନନା ମିଶ୍ର ସାହେବଙ୍କ ବକ୍ତୃତା ଉତ୍ତରରେ କିଛି ନ କହି ଚୁପ୍‌ ହୋଇ ଛିଡ଼ା ହୋଇ ରହିଲେ । ମିଶ୍ର ସାହେବ ତାଙ୍କ ବକ୍ତବ୍ୟକୁ ପ୍ରାଞ୍ଜଳ କରିବା ପାଇଁ କହିଲେ, ‘ଦେଖ, ହିରାକୁଦ କଥା । ସେଠି ବର୍ତ୍ତମାନ ଶହ ଶହ ଇଞ୍ଜିନିୟର ଦରକାର । ଓଡ଼ିଆ ଇଞ୍ଜିନିୟର ନାହାନ୍ତି ବୋଲି ଖାଲି ଆଉଟ୍‌ ସାଇଡ଼ର ପଞ୍ଜାବୀ, ତାମିଲିଆନ୍‌, କେରଳୀ, ବେଙ୍ଗଲୀ ଭର୍ତ୍ତି ହୋଇଚନ୍ତି । ହୀରାକୁଦ ଆମ ପ୍ରପାଟି । ଆମେ ତାକୁ ଗଢ଼ିବା । ଲାଭ କ୍ଷତି କଥା ଆମେ ବୁଝିବା । ହ୍ୱାଏ ୟୁ ସୁଡ଼୍‌ ଆଲାଉ ଆଦାରସ୍‌ ଟୁ ଏକ୍‌ସପ୍ଳଏଟ୍‌ ? ୟୁ ମାଷ୍ଟ ଜଏନ୍ ଦି ଦିପ ଟମେଣ୍ଟ୍‌ । ମୋତେ ଦେଖ, ମୁଁ ଏ ବୟସରେ ଫିଲ୍‌ଡ଼ କାମ କରୁଚି । ମୋର ଡିଜାଇନ୍‌ସକୁ ଟ୍ରାନ୍‌ସଫର ହୋଇଥିଲା । ଚିଫ୍‌ ଇଞ୍ଜିନିୟର ଅଫିସରେ ପଙ୍ଖାତଳେ ବସିଥାନ୍ତି । ମୁଁ କିନ୍ତୁ ଯାଇ ମିନିଷ୍ଟରଙ୍କୁ କହିଲି, ‘ଡେକ୍‌ସ ଓ୍ୱାର୍କ ପାଇଁ ମୋତେ ବାଛିଲେ କାହିଁକି ? ୟୁ ସେଣ୍ଡ୍‌ ସାମ୍‌ ଆଦାର ଓଲ୍‌ଡ଼ ଫେଲୋ ଦେଆର । ଆଇ ଏମ୍‌ ଫର୍‌ ଦି ଫିଲ୍‌ଡ଼ । ଆଇ ଏମ୍‌ ନଟ୍‌ ଓଲ୍‌ଡ଼ । ଆଇ ଏମ୍‌ ଷ୍ଟିଲ ଗୋଇଂ ଷ୍ଟ୍ରଙ୍ଗ୍‌ ଲାଇକ ଦି ଜନିଓ୍ୱାକର୍‌ । କହି ନିଜ ରସିକତାରେ ଆମୋଦିତ ହୋଇ ହୋ ହୋ ହୋଇ ହସିବାକୁ ଲାଗିଲେ । ସୁବୋଧନନା କହିଲେ, ‘ଘରକୁ ଆସନ୍ତୁ ମିନିଟିଏ ବସିଯିବେ ।’ ମିଶ୍ର ସାହେବ ଘଣ୍ଟା ଦେଖି କହିଲେ, ‘ନା—ଆଜି ଥାଉ । ବହୁତ ଡେରି ହୋଇଗଲାଣି । ବାଟରେ ପୁଣି ଗୋଟାଏ ଇନ୍‌ସପେକ୍‌ସନ ଅଛି । ପରେ କେବେ ଆସିବି । ତୁମେ ତ ଆମ କଲିଗ୍‌ ହୋଇ ଗଲଣି—ବାଇ ବାଇ ।’ କହି ସେ ବିଦାୟ ନେଇ ଚାଲିଗଲେ । ତାଙ୍କ ଗାଡ଼ି ପଛେ ପଛେ କରୁଣାକର ଜେନା ନିଜ ମିଲଟାରୀ ଡିସପୋଜାଲ ମୋଟର ସାଇକେଲକୁ ବିକଟ ଶବ୍ଦ କରି ଛୁଟାଇ ଦେଲେ । ବୋଧହୁଏ କରୁଣାକରବାବୁଙ୍କର କିଛି କାମ ଇଞ୍ଜିନିୟର ସାହେବଙ୍କର ଦେଖିବାର ଥିଲା ।

କଥାଟା ଭଗବାନସାର୍‌ ଶୁଣିଲେ । ଟିକିଏ ଚୁପରହି କହିଲେ, ‘ତୁ ଯାହା ଭଲ ବିଚାର କରୁଛୁ କର । ମୋର କୌଣସିଥିରେ ଆପତ୍ତି ନାହିଁ । ତୋ ବୋଉକୁ ପଚାର । ତୋ ବୋଉ ଏସବୁ କଥା ମୋଠାରୁ ଭଲ ବୁଝେ ।’ କହି ଭଗବାନସାର୍ ତାଙ୍କ ସନ୍ଧ୍ୟାର ନିତ୍ୟକର୍ମ କରିବାକୁ ବାହାରିଗଲେ । ମାଉସୀ ସୁବୋଧନନାଙ୍କୁ ଜଳଖିଆ ଦେଉ ଦେଉ କହିଲେ, ‘ଇଞ୍ଜିନିୟର ତ କିଛି ଖରାପ କଥା କହିନାହାନ୍ତି । ଯଦି ଆମ ଦେଶ କାମ କରିବାକୁ ବହୁତ ଇଞ୍ଜିନିୟର ଦରକାର ହେଉଛନ୍ତି ତେବେ ଚାକିରି କରିବା ଭଲ ।’

‘କିନ୍ତୁ ବୋଉ, ମୁଁ ଭାବୁଥିଲି ଆଉ ଦି’ବର୍ଷ ପଢ଼ିଥାନ୍ତି..... ।’ ଦ୍ୱିଧାଗ୍ରସ୍ତ ଭାବେ ସୁବୋଧନନା କହିଲେ ।

‘ଦି’ବର୍ଷ ପଢ଼ିତ ସେଇ ଚାକିରି କରିବୁ ?’

‘ହଁ ।’

‘ତେବେ ଏବେଠୁ କାହିଁକି ନ କରିବୁ ?’

ଉତ୍ତରରେ ସୁବୋଧନନା କିଛି କହିଲେ ନାହିଁ । ତଥାପି ତାଙ୍କର ସଂଶୟ ରହିଗଲା । ସେ ଜଳଖିଆ ଖାଇସାରି ସିଧା ହେଡ଼ମାଷ୍ଟରଙ୍କ ଘରକୁ ଗଲେ । ହେଡ଼ମାଷ୍ଟର କହିଲେ, ‘ତୋର ଆଡ଼ହକ ଆପଏଣ୍ଟ୍‌ମେଣ୍ଟ୍‌ ଆସିଚି କହୁ ନ ଥିଲୁ ତ ?’

ସୁବୋଧନନା କହିଲେ, ‘ପୋଷ୍ଟ ଗ୍ରାଜୁଏଟ କରିବି ଭାବୁଥିଲି ।’

ଇଂଜିନିୟରିଂରେ ପୋଷ୍ଟଗ୍ରାଜୁଏଟ୍‌ କରି ଲାଭ ନାହିଁ । ପୋଷ୍ଟଗ୍ରାଜୁଏଟ୍‌ ପରେ ସେହି ଆସିଷ୍ଟାଣ୍ଟ ଇଂଜିନିୟର ପୋଷ୍ଟରେ ଜଏନ କରିବାକୁ ହେବ । ତେଣୁ ଅଯଥା ଦୁଇବର୍ଷ ପଢ଼ି ଲାଭ ବଦଳରେ କ୍ଷତି ହେବ । କାରଣ ତୋ କ୍ଳାସମେଟ୍‌ମାନେ ଯେଉଁମାନେ ବର୍ତ୍ତମାନ ଚାକିରିରେ ପଶିଯିବେ ସେମାନେ ତୋ’ଠାରୁ ଦୁଇବର୍ଷ ସିନିୟର ହୋଇଯିବେ । ଚାକିରି ଜୀବନରେ ଦୁଇବର୍ଷର ସିନିୟରିଟି ତ କମ୍‌ କଥା ନୁହେଁ । ଚିନ୍ତିତଭାବେ ବିଶ୍ୱନାଥବାବୁ କହିଲେ ।

ଏକଥା ସୁବୋଧନନା ମଧ୍ୟ ହୃଦୟଙ୍ଗମ କରିଥିଲେ । ତା’ ଛଡ଼ା ସେ ହୃଦୟଙ୍ଗମ କରିଥିଲେ ତାଙ୍କର ଶୀଘ୍ର ଉପାର୍ଜନ କରିବା ନିତାନ୍ତ ପ୍ରୟୋଜନ । ବାପା ବୁଢ଼ା ହେଲେଣି । ବହୁଦିନ ସ୍ୱଳ୍ପ ବେତନର ଶିକ୍ଷକତା କରି ସେ ସଂସାରକୁ ଚଳାଇ ଆଣିଲେ । କ୍ରମଶଃ ସେ ବୟସ ଭାରରେ ସ୍ଥବିର ହୋଇ ପଡ଼ୁଛନ୍ତି । ଏଣେ ହୁ ହୁ ହୋଇ ଦରଦାମ ବଢ଼ିଚାଲିଛି । କେତେ ସେ ଆଉ ପାରିବେ-? ତାଙ୍କର ବିଶ୍ରାମର ପ୍ରୟୋଜନ । ବୋଉ ସୁଗୃହିଣୀ ବୋଲି ବାପାଙ୍କ ସ୍ୱଳ୍ପ ଆୟର ସଂସାରକୁ ପ୍ରସନ୍ନତାରେ ଭରିଦେଇ ପାରିଚି । କିନ୍ତୁ ତା’ର ବି ବୟସ ହୋଇଚି । ତା’ ର ବି ବିଶ୍ରାମର ପ୍ରୟୋଜନ । ସେ କେବଳ ବିଶ୍ରାମ ପାଇବ ଯଦି ତା’ ଦାୟିତ୍ୱ ଆଉଜଣେ କେହି ନିଜ କାନ୍ଧକୁ ତୋଳିନେବ । ସେପରି କାହାକୁ ଯୋଗାଡ଼ କରିବା ପାଇଁ ସୁବୋଧନନାଙ୍କର ଚାକିରି କରିବା ନିତାନ୍ତ ପ୍ରୟୋଜନ । ହଠାତ୍‌ ତାଙ୍କ ଆଖି ଆଗରେ ଉଦ୍ଭାସିତ ହୋଇଉଠିଲା । ଗୋଟିଏ ଲଜ୍ଜ ରୁଣ ସୁନ୍ଦର ମୁହଁ । ସେ ଯେମିତି ତା ଭୀରୁ ଆଖିର ସଙ୍କୋଚଭରା ଚାହାଣି ଭିତରେ କହିବାକୁ ଚେଷ୍ଟା କରୁଥିଲା କାହିଁକି ମିଛରେ ଡେରି କରୁଚ ଯେ..... ।’ ‘ମୀନାକ୍ଷୀ’ ମନେ ମନେ ମଧୁର ଭାବେ ଉଚ୍ଚାରଣ କଲେ ସୁବୋଧନନା ।

ନୀରବତା ଭଙ୍ଗ କରି ବିଶ୍ୱନାଥ ବାବୁ କହିଲେ, ‘ତୁ ଯଦି ଆଉ ଅଧିକ ପଢ଼ିବାକୁ ଚାହୁଛୁ ସେ ସୁଯୋଗ ବି ଆସିବ । ଏଠାରେ ପୋଷ୍ଟଗ୍ରାଜୁଏଟ୍‌ କାହିଁକି କରିବୁ କିଛିଦିନ ଚାକିରି କରି ଷ୍ଟଡ଼ିଲିଭ୍‌ ନେଇ ଫରେନ୍‌ ଚାଲିଗଲେ ଚଳିବ । ମୁଁ ତ କାଗଜରେ ଦେଖୁଚି ବର୍ତ୍ତମାନ ବିଦେଶରେ ଟେକ୍ନୋଲୋଜି ଷ୍ଟଡ଼ି ପାଇଁ ଫରେନ କାଣ୍ଟ୍ରିମାନେ ବହୁତ ଫେଲୋସିପ୍‌ ସ୍କଲାରସିପ୍‌ ଅଫର କରୁଚନ୍ତି-। ତା’ ଛଡ଼ା କମନଓ୍ୱେଲଥ୍‌ କଲମ୍ବୋ ପ୍ଲାନରେ ବି ବୃତ୍ତି ମିଳୁଚି । ସେ ସବୁ ଯୋଗାଡ଼ କରିବା ତୋ’, ପକ୍ଷରେ କଷ୍ଟ ହେବନି । ସେ ସବୁ ସ୍କିମରେ ପଢ଼ିବାକୁ ଗଲେ ଚାକିରି ସିନିୟରିଟିରେ ଆଞ୍ଚ ଆସିବନି ଏଣେ ବିଦେଶ ଦେଖା ବି ହବ ଆଉ ବିଶ୍ୱବିଖ୍ୟାତ ବିଶ୍ୱବିଦ୍ୟାଳୟରେ ପଢ଼ିବା ସୁଯୋଗ ମିଳିବ ।’

ସୁବୋଧନନା ଆଉ ନ ପଢ଼ି ଚାକିରି କରିବା ପାଇଁ ମନ ସ୍ଥିର କରିନେଲେ । ଚାକିରି ପାଇଁ ମନସ୍ଥିର କଲାପରେ ଆଉ ଡେରି କରି ଲାଭ ନାହିଁ । ସୁବୋଧ ଦାଶ ଯାଇ ଚିଫ୍‌ଇଞ୍ଜିନିୟର ମି: ବେନେଟ୍‌ଙ୍କୁ ଦେଖାକଲେ । ମି: ବେନେଟ କହିଲେ, ‘ତୁମର ହୀରାକୁଦ ଡ୍ୟାମ୍‌ ପ୍ରୋଜେକ୍ଟକୁ ଡେପୁଟେସନ ହୋଇଚି, ତୁମେ ଶୀଘ୍ର ଯାଇ ହୀରାକୁଦ ଚିଫ୍‌ ଇଂଜିନିୟର ଅଫିସରେ ଜଏନ୍‌ କର । ଚିଫ୍‌ଇଞ୍ଜିନିୟରଙ୍କ ରୁମ୍‌ରୁ ବାହାରି ଆସି ହଠାତ୍‌ ତାଙ୍କର ମିଶ୍ର ସାହେବଙ୍କ ସଙ୍ଗେ ଦେଖା ହୋଇଗଲା । ‘ହ୍ୟାଲୋ ଦାସ’ କହି ମିଶ୍ର ସାହେବ ଆଗେଇ ଆସି କରମର୍ଦ୍ଦନ କଲେ ।

‘କ’ଣ ଜଏନ କଲ ? କେଉଁଠିକି ପୋଷ୍ଟିଂ ହୋଇଚି ?’ ମିଶ୍ରସାହବ ପଚାରିଲେ–‘ମୋର ହୀରାକୁଦକୁ ଡେପୁଟେସନ ହୋଇଚି’ ।

‘କଂଗ୍ରାଚୁଲେସନ୍‌ । ଖୁବ୍‌ ଭଲ ପୋଷ୍ଟିଂ । ହୀରାକୁଦରେ ବର୍ତ୍ତମାନ ଖୁବ୍‌ ହାର୍ଡ଼ ଓ୍ୱାର୍କ କରିବାକୁ ପଡ଼ିଲେ ବି ତୁମ୍ଭେ ଚାକିରି ଆରମ୍ଭରେ ବହୁତ କାମ ଶିଖିପାରିବ । ବହୁତ ଅଭିଜ୍ଞତା ହେବ-।’ ତା’ ଛଡ଼ା ସେଠି ଦରମା ବି ବେଶୀ । ଏକେ ତ ସେଣ୍ଟ୍ରାଲ ସ୍କେଲରେ ଦରମା ତା’ ଛଡ଼ା କନଣ୍ଟ୍ରାକ୍‌ସନ୍‌ ଆଲାଉନ୍‌ସ ପ୍ରୋଜେକ୍ଟ ଆଲାଉନ୍‌ସ ଏମିତି ବହୁତ ଅଧିକା ପାଉଣା ମିଳୁଚି ।’ ସୁବୋଧନନା କିଛି ଉତ୍ତର ନ ଦେଇ ଅପ୍ରତିଭ ଭାବେ ଟିକିଏ ହସିଲେ । ତାଙ୍କ ମୌନତାକୁ ଭ୍ରୂକ୍ଷେପ ନ କରି ମିଶ୍ରସାହେବ ପୁଣି କହିଲେ, ‘ତୁମେ ଶୁଣି ଖୁସି ହେବ ପ୍ରୋମୋସନ ହୋଇ ମୋର ବି ହୀରାକୁଦ ଡ୍ୟାମ୍‌କୁ ପୋଷ୍ଟିଂ ହୋଇଚି । ମୁଁ ତ ଟେଲିଗ୍ରାଫିକ୍‌ ଅର୍ଡ଼ର ପାଇ ମି: ବେନେଟ୍‌ଙ୍କୁ ଦେଖା କରିବାକୁ ଆସିଚି । ମୋର ବିଶ୍ୱାସ ଆମେ ଦୁହେଁ ଏକ ସଙ୍ଗେ ସେଠି ଜଏନ୍‌ କରିବା । ହାଓ ନାଇସ୍‌-।’ କହି ମିଶ୍ରସାହେବ ଆଉ ଅପେକ୍ଷା କଲେ ନାହିଁ । ସପ୍ରତିଭ ପଦକ୍ଷେପରେ ଚିଫ୍‌ଇଞ୍ଜିନିୟରଙ୍କ ଚେମ୍ବାର ଆଡ଼େ ଆଗେଇ ଗଲେ ସେ ।

ହୀରାକୁଦ ଭାରତର ବୃହତ୍ତମ ବହୁମୁଖୀ ନଦୀବନ୍ଧ ପ୍ରକଳ୍ପ । ମହାନଦୀ ଭଳି ବିଶାଳ ନଦୀର ପ୍ରଳୟଙ୍କରୀ ଶକ୍ତିକୁ ଆୟତ୍ତ କରି ମାନବସେବାରେ ବିନିଯୋଗ କରିବା ପାଇଁ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଏକ ସାହସିକ କଳ୍ପନାରୁ ଜନ୍ମଲାଭ କରିଛି ଏ ଯୋଜନା । ଏହି ବନ୍ଧକାମ ସମ୍ପୂର୍ଣ୍ଣ ହେଲେ ଏହା ହେବ ପୃଥିବୀର ଅନ୍ୟତମ ଦୀର୍ଘତମ ମାଟିବନ୍ଧ ବିଶିଷ୍ଟ ଜଳଭଣ୍ଡାର-। ହଜାର ହଜାର ଏକର ଶସ୍ୟକ୍ଷେତ୍ରକୁ ଜଳମଗ୍ନ କରିବ ଏହାର ବିସ୍ତୃତ ଜଳରାଶି । ମାଇଲ ମାଇଲ ବ୍ୟାପୀ ଅରଣ୍ୟ ନିମଜ୍ଜିତ ହୋଇଯିବ ତାର ବିପୁଳ ନୀଳଜଳ ହ୍ରଦରେ । ବହୁ ଗାଁ-ଗଣ୍ଡା ବୁଡ଼ିଯାଇ ଅସଂଖ୍ୟା ମଣିଷ ବାସ୍ତୁହରା ହେବେ । କିନ୍ତୁ ତା’ ପ୍ରତିଦାନରେ ଲକ୍ଷ ଲକ୍ଷ ଊଷର ଭୂମିକୁ ଏ ଜଳଭଣ୍ଡାର ଚିର ଶସ୍ୟଶ୍ୟାମଳା କରି ମହାନଦୀ ଅବବାହିକାକୁ ତାର ପ୍ରଳୟଙ୍କରୀ ବନ୍ୟାରୁ ମୁକ୍ତ କରିବ । ଏହି ଯୋଜନାରୁ ଉତ୍ପାଦିତ ବିଜୁଳିଶକ୍ତି ଖାଲି ଓଡ଼ିଶାର ପୁରପଲ୍ଲୀକୁ ଆଲୋକଦୀପ୍ତ କରିବ ନାହିଁ ତାହା ଗଢ଼ିତୋଳିବ ଅସଂଖ୍ୟ କଳକାରଖାନା । ଚିର ଦାରିଦ୍ର୍ୟ ପ୍ରପୀଡ଼ିତ ଓଡ଼ିଶାର ଭାଗ୍ୟ ପରିବର୍ତ୍ତନ କରିବାରେ ଏକ ଦୃଢ଼ ପଦକ୍ଷେପ ହେବ ଏ ଯୋଜନା ।

ପଣ୍ଡିତଜୀଙ୍କ ଏ ସ୍ୱପ୍ନ, ଦାରିଦ୍ର୍ୟରୁ ମୁକ୍ତହେବା ପାଇଁ ଏକ ନିଃସ୍ୱ ଜାତିର ଆକାଙ୍‌କ୍ଷାକୁ ରୂପାୟିତ କରିବା ପାଇଁ ଯେଉଁ ଅସଂଖ୍ୟ ଶ୍ରମିକ ଟେକ୍‌ନିସିଆନ୍‌ ଠିକାଦାର, ପ୍ରଶାସକ ଓ ଇଞ୍ଜନିୟରମାନେ ପ୍ରାଣପାତ ପରିଶ୍ରମ କରୁଥିଲେ ବି.ଏଚ୍‌.ୟୁ.ର ଶ୍ରେଷ୍ଠ କୃତୀ ଇଞ୍ଜିନିୟର ସୁବୋଧ ଦାଶ ସେମାନଙ୍କ ସଙ୍ଗେ କାନ୍ଧ ମିଳାଇ ଦେବାକୁ ଆଗେଇ ଆସିଲେ । ତାଙ୍କର ଲେଫ୍ଟଡ଼ାଇକ ଡିଭିଜନରେ ପୋଷ୍ଟିଂ ହେଲା ।

ହୀରାକୁଦ ଯୋଜନାକୁ କେନ୍ଦ୍ରକରି ଗଢ଼ିଉଠିଥିଲା ବୁର୍ଲା ଓ ହୀରାକୁଦ କଲୋନୀ । ବୁର୍ଲା ଥିଲା ଯୋଜନାରେ କାମ କରୁଥିବା ଅଫିସର ଓ କିରାଣୀମାନଙ୍କ ବାସସ୍ଥଳୀ ଓ ହୀରାକୁଦ ପ୍ରଶାସନର ମୁଖ୍ୟ କେନ୍ଦ୍ର । ସେହି ବୁର୍ଲାରେ ସୁବୋଧ ଦାଶ କ୍ୱାଟାରସ୍‌ ପାଇଲେ । କନ୍‌ଷ୍ଟ୍ରାକ୍‌ସନ ପିରିୟଡ଼ର ଅସ୍ଥାୟୀ ଘର । ଦଶ ଇଞ୍ଚ କାନ୍ଥ ଉପରେ ଆଜବେଷ୍ଟାସ୍‌ ଛାଉଣୀ, ପାଞ୍ଚ ଇଞ୍ଚ କାନ୍ଥର ପାର୍ଟିସନ୍‌ । ତେବେ ପାଣିକଳ, ଇଲେକ୍‌ଟ୍ରିକ୍‌, ଆଟେଚ୍‌ ବାର୍ଥ ରୁମ୍‌ ପ୍ରଭୃତି ସବୁ ବନ୍ଦୋବସ୍ତ ଅଛି । ଜଣେ ଲୋକ ଚଳିବା ପକ୍ଷରେ ଅସୁବିଧା କିଛି ନାହିଁ; କିନ୍ତୁ ବୁର୍ଲା ନିହାତି ଟାଙ୍ଗରା ନିଃସଙ୍ଗ ଜାଗା । ଅସହ୍ୟ ଗରମ ଓ ଧୂଳି । ବଡ଼ ଅସ୍ୱସ୍ତିକର ପରିବେଶ । ଜୀବନ ଯାତ୍ରାର ସର୍ବନିମ୍ନ ଚାହିଦା ମେଣ୍ଟାଇବା ପାଇଁ ଅସମର୍ଥ ଥିଲା ବୁର୍ଲାର ଛୋଟ ବଜାର । ଯାହା ବା ପଣ୍ୟ ମିଳୁଥିଲା ସେ ବଜାରରେ ତା’ର ମୂଲ୍ୟ ଥିଲା ଆକାଶଛୁଆଁ । ହୀରାକୁଦ ନିର୍ମାଣରେ ନିଯୁକ୍ତ ସବୁ କର୍ମଚାରୀ ଶ୍ରମିକଙ୍କୁ ଅତ୍ୟଧିକ ପରିଶ୍ରମ କରିବାକୁ ପଡ଼ୁଥିଲା । ସିଫଟ୍‌ ଡ୍ୟୁଟିରୁ କ୍ଳାନ୍ତ ଅବସନ୍ନ ହୋଇ ଫେରିବା ପରେ ସେମାନେ ସଂସାରର ଆବଶ୍ୟକୀୟ ଜିନିଷ ସଂଗ୍ରହ କରିବା ପାଇଁ ବିବ୍ରତ ହେଇ ପଡ଼ୁଥିଲେ । ବୁର୍ଲାକୁ ଆସିବା ପରେ ସୁବୋଧନନା ବି ପ୍ରଥମେ ବିବ୍ରତ ହୋଇ ପଡ଼ିଥିଲେ । ଭଲ ହୋଟେଲ କି ରେଷ୍ଟୁରାଣ୍ଟ୍‌ ଗୋଟାଏ ନାହିଁ ଯେ ନିଶ୍ଚିନ୍ତରେ ଦି’ ଟା ଖାଇ କାମକୁ ଯାଇ ହେବ । ଲାଇବ୍ରେରୀ କିମ୍ବା ସିନେମା ହଲ୍‌ ଟିଏ ବି ନାହିଁ ଅବସର ବିନୋଦନ ପାଇଁ । ସବୁବେଳେ ମେସିନ୍‌ର କୋଳାହଳ, ଡିନାମାଇଟ୍‌ ବିସ୍ଫୋରଣର ଶବ୍ଦ, ଧୂଳି ଧୂଆ ମିଶି ଏକ ଅସ୍ୱସ୍ତିକର ପରିବେଶ ।

କିନ୍ତୁ ନିଜର ସୁଖ ସ୍ୱାଚ୍ଛନ୍ଦ୍ୟ ଦେଖିବା ପାଇଁ ସୁବୋଧ ଦାଶଙ୍କର ଅବସର ନ ଥିଲା । ସେ ସକାଳୁ ଉଠି ନିତ୍ୟକର୍ମ ଶେଷ କରି ଇକ୍‌ମିକ୍‌ କୁକରରେ ଭାତ ବସାଇ ଦେଉଥିଲେ । ସେ କାମ ସୂର୍ଯ୍ୟୋଦୟ ବେଳକୁ ଶେଷ ହୋଇ ଯାଉଥିଲା । ତା’ପରେ ସେ ପନ୍ଦର ମିନିଟ୍‌ ବ୍ୟାୟାମ କରି ଗ୍ଳାସେ ସରବତ ପିଇ ଖବରକାଗଜ ଉପରେ ଆଖି ବୁଲେଇ ନେଉଥିଲେ । ଆଠଟା ବେଳକୁ କୁକାରରେ ପ୍ରସ୍ତୁତ ଖିଚୁଡ଼ି ଆଉ ପରିବା ସିଝା ଖାଇବାକୁ ତାଙ୍କୁ ଖୁବ୍‌ ଜୋର ଦଶ ପନ୍ଦର ମିନିଟ୍‌ ଲାଗୁଥିଲା । ଖାଇସାରି ସେ କିଛି ସମୟ ଚୁପ୍‌ଚାପ୍‌ ବିଛଣାରେ ପଡ଼ି ରହୁଥିଲେ । ଠିକ୍‌ ନ’ ଟା ବେଳେ ଜିପ୍‌ ନେଇ ଆସି ପହୁଞ୍ଚୁଥିଲା । କ୍ୱାଟର ପାଖରେ ପହୁଞ୍ଚି ନିଜର ଉପସ୍ଥିତି ଜଣାଇବା ପାଇଁ ଶୋଭାସି ଥରେ ଇଲେକ୍‌ଟ୍ରିକ୍‌ ହର୍ଣ୍ଣ ବଜାଉଥିଲା । ଗାଡ଼ି ହର୍ଣ୍ଣ ବଜାଇବା ଦରକାର ନ ଥିଲା । କାରଣ ଆର୍ମି ଡିସ୍‌ପୋଜାଲସ୍‌ର ରିକଣ୍ଡିସନ୍‌ଡ଼ ଫୋର୍ଡ଼ ଜିପ୍‌ର ଆଓ୍ୱାଜ୍‌ ମାଇଲିଏ ଦୂରରୁ ବାରି ହେଉଥିଲା । ଜିପରେ ଶୋଭା ସିଂର ସହଯାତ୍ରୀ ହୋଇ ସେକ୍‌ସନ୍‌ ଅଫିସର ମାନଗୋବିନ୍ଦବାବୁ ମଧ୍ୟ ଆସୁଥିଲେ । ପାଞ୍ଚ ମିନିଟ୍‌ ମଧ୍ୟରେ ସୁବୋଧନନା ପୋଷାକ ପିନ୍ଧି ସେମାନଙ୍କ ସଙ୍ଗେ ଯୋଗ ଦେଉ ଥିଲେ । ତା’ପରେ ଶୋଭା ସିଂର ଇଙ୍ଗିତରେ ସେହି ପୁରୁଣା ଫୋର୍ଡ଼ ଜିପ୍‌ କେତେ ସେକେଣ୍ଡ ଗୁଞ୍ଜରଣ କରି ହଠାତ୍‌ ଗର୍ଜି ଉଠି ନିଜର ଶକ୍ତି ଓ ସାମର୍ଥ୍ୟର ଘୋଷଣା କରୁଥିଲା । କାଳବିଳମ୍ବ ନ କରି ସେମାନେ ସାଇଟ୍‌ ଆଡ଼େ ଛୁଟି ଯାଉଥିଲେ । ଆଠ ଦଶ ଘଣ୍ଟାକାଳ ନିଦାଘର ନିଷ୍କରୁଣ ରୌଦ୍ରରେ ଜଳିପୋଡ଼ି ହୋଇ ସୁବୋଧନନା କନ୍‌ଷ୍ଟ୍ରାକ୍‌ସନ୍‌ ସୁପରଭାଇଜ୍‌ କରୁଥିଲେ । ସେ ବୁର୍ଲା ଫେରିବାବେଳକୁ ସନ୍ଧ୍ୟା ହୋଇ ଯାଉଥିଲା । କ୍ୱାଟରସ୍‌କୁ ଫେରି ସୁବୋଧନନା ଲୁଗା ବଦଳାଇ ଧୁଆଧୋଇ ହୋଇ ଏକାଗ୍ରାଭାବେ ନିସ୍ପନ୍ଦ ନିଶ୍ଚୁପ ହୋଇ ସେ ଅନେକ ସମୟ ବସି ରହୁଥିଲେ । ତା’ପରେ ଗ୍ଳାସେ ହର୍ଲିକ୍‌ସ ପିଇ ବହି ଖୋଲି ବସୁଥିଲେ । ଗଳ୍ପ ଉପନ୍ୟାସ ପଢ଼ିବାରେ; ସୁବୋଧନନାଙ୍କର ଆଗ୍ରହ ନ ଥିଲା । ତାଙ୍କର ପ୍ରିୟ ଲେଖକ ଥିଲେ ବିବେକାନନ୍ଦ ଓ ଶ୍ରୀ ଅରବିନ୍ଦ । ଲାଇଫ୍‌ ଡିଭାଇନ୍‌ କିମ୍ବା ସାବିତ୍ରୀର ବହୁଥର ପଢ଼ା ଛାତ୍ରମାନଙ୍କରେ ସେ ନିମଜ୍ଜିତ ହୋଇ ଆଗାମୀ ମଣିଷ ଜାତିର ଉଜ୍ଜ୍ୱଳତାରେ ସେ ସମ୍ମୋହିତ ହୋଇ ଯାଉଥିଲେ ।

ରାତିରେ ସେ ରୋଷାଇ କରୁ ନ ଥିଲେ । ତାଙ୍କର ରାତ୍ରିଭୋଜନ ଜିପ୍‌ ଡ୍ରାଇଭର ଶୋଭା ସିଂଙ୍କ ଘରୁ ଆସୁଥିଲା । ଶୋଭା ସିଂ ତାଙ୍କ କ୍ୱାଟରସ୍‌ ନିକଟରେ ରହୁଥିଲେ । ସାହେବଙ୍କ ଅସୁବିଧା ଦେଖି ସେ ନିଜେ ପ୍ରସ୍ତାବ ଦେଇଥିଲେ ରାତି ଖାଇବାଟା ସେ ଆଣିଦେବେ । ସୁବୋଧନନା ଶୋଭା ସିଂଙ୍କ ପ୍ରସ୍ତାବରେ ବିନା ଆପତ୍ତିରେ ରାଜିହୋଇ ଯାଇଥିଲେ । ଖାଲି ନିଜର ଅସୁବିଧା କଥା ଭାବି ନୁହେଁ—ସେ ସ୍ନେହପ୍ରବଣ ଜଣେ ବୟସ୍କ ବ୍ୟକ୍ତିର ବାତ୍ସଲ୍ୟ ମମତାକୁ ଉପେକ୍ଷା କରି ପାରି ନ ଥିଲେ । ସୁବୋଧନନାଙ୍କ ବହୁ ଅନୁରୋଧ ଫଳରେ ଶୋଭା ସିଂ ଖାଦ୍ୟର ମୂଲ୍ୟ ନେବାକୁ ରାଜି ହୋଇଥିଲେ । କିନ୍ତୁ ସେ ଦେଉଥିବା ସାମାନ୍ୟ ମୂଲ୍ୟ ବଦଳରେ ଶୋଭା ସିଂଙ୍କ ସ୍ତ୍ରୀ ପ୍ରାୟ ପ୍ରତିଦିନ ରାଜକୀୟ ଭୋଜନର ବ୍ୟବସ୍ଥା କରୁଥିଲେ । ସୁବୋଧନନା ଆପତ୍ତି କରୁ ନ ଥିଲେ—କରିପାରୁ ନ ଥିଲେ । ଗୋଟିଏ ବାତ୍ସଲ୍ୟ ବିଧୂର ଦମ୍ପତି ମନରେ ସାମାନ୍ୟ ଆଘାତ ଦେବା କଥା ସେ କଳ୍ପନା କରି ପାରୁ ନ ଥିଲେ ।

ଶୋଭା ସିଂ ପଶ୍ଚିମ ପଞ୍ଜାବର ଏକ ସମ୍ପନ୍ନ ଋଷୀ ପରିବାର ଲୋକ । ନିଜେ ଦ୍ୱିତୀୟ ମହାଯୁଦ୍ଧରେ ଯୋଗଦେଇ ଆରମର୍ତ କାର ଡିଭିଜନର ହାବିଦାଲମେଜର ଥିଲେ । ଯୁଦ୍ଧରୁ ଫେରି ଶସ୍ୟ ଶ୍ୟାମଳ କ୍ଷେତ୍ରକୁ କେନ୍ଦ୍ରକରି ଏକ ପରିପୂର୍ଣ୍ଣ ଗୃହସ୍ଥଳୀର ବାକି ଜୀବନ କଟାଇ ଦେବାର ସ୍ୱପ୍ନ ତାଙ୍କର ଚୁରମାର ହୋଇ ଯାଇଥିଲା । ସାମ୍ପ୍ରଦାୟିକ ଦଙ୍ଗାରେ ସେମାନଙ୍କର ଏକମାତ୍ର ପୁତ୍ର ଲାହୋର ୟୁନିଭାରସିଟିର ଗ୍ରାଜୁଏଟ ମୋହନ ସିଂ ନିଖୋଜ ହୋଇଗଲା । ସେମାନେ ନିଜେ ମଧ୍ୟ ସେମାନଙ୍କ ପ୍ରିୟ ଜନ୍ମଭୂମିରୁ ଛିନ୍ନମୂଳ ହୋଇ ଏକ ବିରାଟ ଜନପ୍ରବାହରେ ସାମିଲ ହୋଇ ଲକ୍ଷ୍ୟହୀନ ଭାବେ ଭାସି ଚାଲିଲେ । କୁରୁକ୍ଷେତ୍ର ରିଫ୍ୟୁଜ କ୍ୟାମ୍ପରେ ଦ୍ୱିତୀୟ ମହାଯୁଦ୍ଧର ଅଭିଜ୍ଞ ସୈନିକ ଶୋଭା ସିଂ ନିଷ୍ଠୁର ନିୟତିର କଠୋର ନିଷ୍ପତ୍ତିକୁ ମାନିନେଇ ବାକି ଜୀବନ ମୁଣ୍ଡଟେକି ବଞ୍ଚିବା ପାଇଁ ନିଜକୁ ପ୍ରସ୍ତୁତ କରିନେଲେ । କିନ୍ତୁ ତାଙ୍କର କୌଣସି ପ୍ରବୋଧନା । ହରବିନ୍ଦର କାଉରର ରିକ୍ତ ମାତୃହୃଦୟକୁ ସାମାନ୍ୟ ଭାବେ ଶାନ୍ତ କରିପାରି ନଥିଲା । ଜୀବିକା ପାଇଁ ନୁହେଁ ଏକ ଦୁଃସହ ସ୍ମୃତିକୁ ଭୁଲିବା ପାଇଁ ଶୋଭାସିଂ ଓଡ଼ିଶା ଚାଲି ଆସିଲେ ।

ହୀରାକୁଦ ଡ୍ୟାମରେ ସାମାନ୍ୟ ଡ୍ରାଇଭର ଚାକିରି ବାଛିନେଇ ନିଜକୁ ସର୍ବଦା କର୍ମବ୍ୟସ୍ତ କରି ରଖିଲେ । କିନ୍ତୁ ବିଚାରୀ ହରବିନ୍ଦର କାଉର ? ସେ କିପରି ଭୁଲିବ ତାର ଏକମାତ୍ର ପୁତ୍ର ନୟନର ମଣି ମୋହନର ସ୍ମୃତି ? ଯେ କୌଣସି ସୁଶ୍ରୀ ସ୍ୱାସ୍ଥ୍ୟବାନ୍‌ ତରୁଣକୁ ଦେଖିଲେ ତାଙ୍କ ମାତୃହୃଦୟ ଆବେଗରେ ଉଦବେଳିତ ହୁଏ । ବକ୍ଷର ଶୋଣିତରେ ସ୍ପନ୍ଦନ ଜାଗେ । ଏଇ ନୂଆ ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କୁ ଦେଖି ହରବିନ୍ଦରଙ୍କର ଖାଲି ମୋହନ କଥା ମନେ ପଡ଼ିଥିଲା । କିନ୍ତୁ ତାଙ୍କୁ ସୁବୋଧନନା ନମସ୍କାର କରି ଯେତେବେଳେ ମାତାଜୀ ବୋଲି ସମ୍ବୋଧନ କଲେ ହରବିନ୍ଦର ନିଜକୁ ସମ୍ବରଣ କରି ପାରି ନ ଥିଲେ । ସେ ଭୁଲି ଯାଇଥିଲେ ତାଙ୍କୁ ମା’ ବୋଲି ସମ୍ବୋଧନ କରିଥିବା ବ୍ୟକ୍ତି ଜଣେ ପଦସ୍ଥ ଅଫିସର ଆଉ ତାଙ୍କ ସ୍ୱାମୀ ତାଙ୍କରି ଡ୍ରାଇଭର । ହରବିନ୍ଦର କାଉର ସୁବୋଧ ଦାଶଙ୍କୁ କୋଳକୁ ଆଉଜାର ନେଇ କହିଥିଲେ ବେଟା ତୁ କିତାନା ଆଚ୍ଛା ହୈରେ ।

ସେଇ ହରବିନ୍ଦର କାଉର—ମାତାଜୀ ପ୍ରତିଦିନ ରାତିରେ ସୁବୋଧନନାଙ୍କ ଖାନା ପଠାଇ ଦିଅନ୍ତି । ଟିଫିନ୍‌ କେରିଆର ଧରି ଶୋଭା ସିଂ ଆସି ଡାକନ୍ତି ସା’ ବ ଖାନା....

ଟିଫିନକେରିଆର ଖୋଲି ସୁବୋଧନନା କୁହନ୍ତି—ଇସ୍‌, ‘ସିଂ ଜୀ ମୁଁ ଏତେ ଖାଇବି ?’

କ୍ୟା କରନା ହେ ସାବ୍‌ ? ଆପକା ମାତାଜୀ ତୋ ନେହି ମାନତୀ....କହି ଶୋଭା ସିଂ ହସନ୍ତି । ସୁବୋଧ ଦାଶ ବି ହସନ୍ତି..... ତା’ପରେ ଖାଇବାରେ ମନ ଦିଅନ୍ତି । ସେ ଖାଇସାରିବା ପର୍ଯ୍ୟନ୍ତ ଶୋଭା ସିଂ ଛିଡ଼ା ହୋଇ ରହନ୍ତି । ଏଟା ଖାଅ ସେଟା ଖାଅ କହି ବଳାଇ ବଳାଇ ଖୁଆନ୍ତି । ‘ପେଟପୂରା ନ ଖାଇଲେ ଦେହର ତାକତ କମିଯିବ । ଡ୍ୟୁଟି ଖିଲାଫ ହେବ’ ବୋଲି ଅନୁଯୋଗ କରନ୍ତି । ତା’ପରେ ସୁବୋଧନନାଙ୍କ ଭୋଜନ ପର୍ବ ଶେଷ ହେଲେ ଟିଫିନକରିଆର ନେଇ ଚାଲିଯାନ୍ତି । ହୁଏତ ଘରେ ଯାଇ ଇଞ୍ଜିନିୟର ସାହେବ କେଉଁ ଜିନିଷ ଆଗ୍ରହରେ ଖାଇଲେ, କେଉଁଟା ଖାଇ ତାରିଫ୍‌ କଲେ, ତାର ଟିକିନିଖି ବର୍ଣ୍ଣନା ଦିଅନ୍ତି ସ୍ତ୍ରୀଙ୍କ ଆଗେ ।

ଯେଉଁଦିନ ଘରୁ ଚିଠି ଆସିଥାଏ, ସୁବୋଧନନାଙ୍କର ପଢ଼ାପଢ଼ିରେ ମନ ଲାଗେନା । ସେ ଡାଏରୀ ଭିତରୁ ପୋଷ୍ଟକାର୍ଡ଼ଟା କାଢ଼ି ପୁଣି ଥରେ ପଢ଼ନ୍ତି । ମାଷ୍ଟ୍ରାଣୀ ମାଉସୀଙ୍କ ଚିଠି । ଭଗବାନ ସାର୍‌ ସୁବୋଧନନାଙ୍କ ପାଖକୁ ପ୍ରାୟ ଚିଠି ଲେଖନ୍ତି ନାହିଁ କିମ୍ବା ସୁବୋଧନନା ବି ତାଙ୍କୁ ଚିଠି ଦିଅନ୍ତି ନାହିଁ । ମା’ପୁଅଙ୍କ ଭିତରେ ଚିଠି ଦିଆନିଆ ହୁଏ । ସୁବୋଧନନା ଚିଠିଟା ପଢ଼ିବା ଆଗରୁ ସେହି ଚିଠିଟାକୁ ଚାହିଁ ହସନ୍ତି । ମାଉସୀଙ୍କ ଅକ୍ଷର ସାମାନ୍ୟ ଚେପ୍‌ଟା ହୋଇ ଖୁବ୍‌ ଗୋଲ ଗୋଲ । ତେବେ ଚିଠିଟା ଏକାଥରକେ ଲେଖା ହୋଇ ନ ଥାଏ । ମାଉସୀ ତ ସବୁବେଳେ ବ୍ୟସ୍ତ । ନାନା କାମର ବ୍ୟସ୍ତତା ଭିତରେ ସମୟ ପାଇଲେ ଚିଠି ଲେଖନ୍ତି । ତେଣୁ ବେଳେବେଳେ ଦୁଇ ତିନି ପ୍ରକାର କାଳିରେ ଚିଠିଟା ଲେଖା ହୋଇଥାଏ । ମାଉସୀଙ୍କର ସ୍କୁଲପଢ଼ା ଶିକ୍ଷା ନ ଥିଲା । କିନ୍ତୁ ସେ ଶିକ୍ଷିତା ଥିଲେ । ପ୍ରାଚୀନ ସାହିତ୍ୟରେ ତାଙ୍କର ପ୍ରଗାଢ଼ ଅନୁରାଗ ଥିଲା । ଅନେକ ଛାନ୍ଦ ଚୌପଦୀ ତାଙ୍କର ମୁଖସ୍ଥ ଥିଲା ।

ସୁବୋଧନନା ଯେତେବେଳେ ସାନ ଥିଲେ ମାଉସୀ କାମ ସାରି ଗଡ଼ପଡ଼ ହେବାର ଦେଖିଲେ ସୁବୋଧନନା ପଢ଼ା ଛାଡ଼ି ଯାଇ ତାଙ୍କ ପାଖରେ ଗୁଞ୍ଜି ହୋଇ ଶୋଇ ପଡ଼ୁଥିଲେ । ଏମିତି ଅନେକ ସମୟ ଶୋଇବା ପରେ ମାଉସୀ ସୁବୋଧନନାଙ୍କ ଦେହରେ ହାତ ବୁଲାଇ ବୁଲାଇ ଗୁଣୁ ଗୁଣୁ ହୋଇ କୌଣସି ଛାନ୍ଦରୁ ପଦେ ଦି’ପଦ ସୁଲଳିତ କଣ୍ଠରେ ଗାଆନ୍ତି । ସେ ନ ଗାଇଲେ ସୁବୋଧନନା ଅଳି କରନ୍ତି ବୋଉ ଗୀତ ଗା.....ମାଉସୀ ଧୀରେ ଧୀରେ ଗାଆନ୍ତି ‘ଧୀରେ ଘେନ ଆନନରେ କୃଷ୍ଣ ବିଳମ୍ବତ......’’ ସେ ଅନେକ ଦିନ ତଳର କଥା । ମାଉସୀଙ୍କଠାରୁ ସୁବୋଧନନା ଅନେକ ଗପ ଶୁଣିଥିଲେ, ଅନେକ କଥା ଶିଖିଥିଲେ ରାମାୟଣ ମହାଭାରତର ସବୁ କାହାଣୀ ମାଉସୀ ଜାଣିଥିଲେ । ସୁବୋଧନନାଙ୍କ ଆଖିରେ ସେ ଥିଲେ ଆଦର୍ଶ ନାରୀ, ନାରୀତ୍ୱର ପରିପୂର୍ଣ୍ଣ ପ୍ରକାଶ । ହଠାତ୍‌ ସୁବୋଧନନା ଚମକି ପଡ଼ନ୍ତି । ବୋଉ କଥା ଭାବୁଭାବୁ ସେ ହାତରେ ଧରିଥିବା ଚିଠିକଥା ବିଲକୁଲ୍‌ ଭୁଲି ଯାଇଥିଲେ । ସେ ପୂର୍ବରୁ ପଢ଼ା ଚିଠିଟାକୁ ପୁଣିଥରେ ମନୋନିବେଶ କରି ପଢ଼ନ୍ତି । ମାଉସୀ ଅଳ୍ପ କଥା ଲେଖନ୍ତି ତଥାପି ସୁବୋଧନନା ମୂଳରୁ ଶେଷଯାଏ ପଢ଼ନ୍ତି ।

କଲ୍ୟାଣୀୟ ବାବା ସୁବୋଧ,

ତୁ ମୋର ଓ ତୋ ବାପାଙ୍କ କଲ୍ୟାଣ ନେବୁ । ଆଶାକରେ ଠାକୁରଙ୍କ କୃପାରୁ କୁଶଳରେ ଥିବୁ । ତୁ ସେ ଦିନୁ ଗଲୁଣି ଯେ ଥରେ ବି ଆସିନାହୁଁ । ଅନେକ ଦିନୁ ତୋତେ ନ ଦେଖି ମନ ଗୁଡ଼େଇ ହେଉଚି । ସୁବିଧା କରି ଦୁଇ ଚାରିଦିନ ଛୁଟି ନେଇ ଆସିବୁ । ତୋର ନିଶ୍ଚୟ ଖିଆପିଆ ଅସୁବିଧା ହେଉଥିବ । ସୁବିଧା କରି ଦୁଧ ଅଣ୍ଡା ଖାଇବୁ । ଦେହର ଯତ୍ନ ନେବୁ । ଆମେ ଭଲ ଅଛୁ-। ତୋ ବାପାଙ୍କର ସାମାନ୍ୟ ଥଣ୍ଡା ହୋଇଥିଲା । ଛାଡ଼ିଗଲାଣି । ତୁ ପଠାଇଥିବା ଟଙ୍କା ପାଇଚୁ-। ଇତି ।

ତୋର ବୋଉ

ଚିଠି ପଢ଼ା ଶେଷକରି ସୁବୋଧନନା ପ୍ୟାଡ଼ କାଢ଼ି ଉତ୍ତର ଲେଖନ୍ତି :

ପୂଜନୀୟା ବୋଉ,

ତୋ ଚିଠି ପାଇଲି । ବାପାଙ୍କର ସର୍ଦ୍ଦି ହୋଇଥିବା ଶୁଣି ମନ ବ୍ୟସ୍ତ ହେଉଚି । ତାଙ୍କର ବୟସ ହେଲାଣି । କାହିଁକି ରୋଜ ଏତେ ସକାଳୁ ଗାଧୋଉଚନ୍ତି ? ଯଦି ଗାଧୋଇବେ ଗରମ ପାଣିରେ ଗାଧୋଇବା ଦରକାର । ତୁ ବି ନିଶ୍ଚୟ ହଇରାଣ ହେଉଥିବୁ । ମୁଁ ଏତେକରି ଲେଖିଲି ଚାକର ପିଲାଟିଏ ରଖ ବୋଲି ଶୁଣୁନାହୁଁ । ନିଶ୍ଚୟ ଛୋଟ ପିଲାଟିଏ ଯୋଗାଡ଼ କରି ରଖିବୁ । ସେ ତୋତେ କାମ ଦାମରେ ସାହାଯ୍ୟ କଲେ ତୁ ଟିକିଏ ବିଶ୍ରାମ ପାଇବୁ । ମୋ ପାଇଁ ବ୍ୟସ୍ତ ହେବୁ ନାହିଁ-। ମୋ ଦେହ ଭଲ ଅଛି । ମୋର ଖିଆ ପିଆରେ ଅସୁବିଧା ନାହିଁ । ଆମ ଅଫିସ୍‌ର ପଞ୍ଜାବୀ ଡ୍ରାଇଭର ଶୋଭା ସିଂ ମୋ ପାଇଁ ତାଙ୍କ ଘରୁ ଖାଇବା ଆଣି ଦେଉଛନ୍ତି । ତାଙ୍କ ସ୍ତ୍ରୀ ଭାରି ଭଲ-। ମୋତେ ପୁଅ ପରି ସ୍ନେହ କରନ୍ତି....

 

ଏହି ସମୟରେ ଶୋଭା ସିଂ ଖାଇବାର ନେଇ ପହୁଞ୍ଚିଯାନ୍ତି—

 

‘ସାବ ଖାନା....’

 

‘ଥୋଡ଼ା ବୈଠିୟେ ସିଂ ଜୀ...’ ସୁବୋଧନନା ଚିଠି ଲେଖୁ ଲେଖୁ ଶୋଭା ସିଂଙ୍କୁ ବସିବାକୁ ଅନୁରୋଧ କରନ୍ତି—

 

କ୍ୟା ଖତ୍‌ ଲିଖତେ ହେ କ୍ୟା ?

 

ଜୀ....

 

ଆଜ ମାତାଜୀ କି ଖତ୍‌ ଆୟିହେ ?

 

ଜୀ..

 

ତୋ ଲିଖ ଦିଜୀଏନା....ମୈ ଇହାଁ ବହୁତ ପରିସାନ ହୁଁ । ଫୌରନ୍‌ ଏକ ବହୁ ଚୁନ ଲିଜୀଏ...କହି ଶୋଭା ସିଂ ତାଙ୍କ ପ୍ରାଣଖୋଲା ହସ ହସନ୍ତି । ସୁବୋଧନନା ବି ଟିକିଏ ଲାଜରା ଭାବେ ହସି ଚିଠିଲେଖା ବନ୍ଦ କରି ଖାଇବା ପାଇଁ ପ୍ରସ୍ତୁତ ହୁଅନ୍ତି ।

 

ଅଳ୍ପଦିନ ପରେ ସୁବୋଧନନା ଦୁଇ ଚାରିଦିନ କାଜୁଏଲ ଲିଭ୍‌ ନେଇ ଘରକୁ ଗଲେ ଏକଜିକ୍ୟୁଟିଭ ଇଞ୍ଜିନିୟର କହିଲେ, ‘ଦାଶବାବୁ, ଛୁଟି ଆଦୌ ବଢ଼ାଇବେ ନାହିଁ । ଚାଲି ଆସିବେ । ନ ହେଲେ ଆପଣଙ୍କ ସବ୍‌ଡ଼ିଭିଜନର କାମ ଅଚଳ ହୋଇଯିବ ।’

 

‘ନା—ନା—ଛୁଟି କାହିଁକି ବଢ଼ାଇବି ? ବାପାଙ୍କ ଦେହ ଖରାପ ହୋଇଥିଲା । ଖାଲି ଯାଇ ତାଙ୍କୁ ଦେଖି ଆସିବି ।’ ସୁବୋଧନନା କହିଲେ ।

 

‘ହଁ ସେୟା—ଆପଣ ରେସପନସିବଲ ଲୋକ ଆପଣଙ୍କୁ ନ କହିଲେ ବି ଚଳିବ । ଦେଖୁ ନାହାନ୍ତି ମାନଗୋବିନ୍ଦ ବାବୁଙ୍କ କାଣ୍ଡ ? ଦୁଇ ଦିନ ଛୁଟିନେଇ ଗଲେ ଯେ ଦୁଇମାସ ହୋଇଗଲା, ଫେରିବାର ନାମ ଗନ୍ଧ ନାହିଁ । ଛୁଟି ପରେ ଛୁଟି ବଢ଼ାଇ ଚାଲିଚନ୍ତି । ଏଣେ ଚିଫ୍‌ ଇଞ୍ଜିନିୟର ତାଙ୍କ ଜାଗାରେ ଲୋକ ଦେଉନି ଓଲଟି କହୁଚି କାହିଁକି ତାଙ୍କୁ ଛୁଟି ଦେଲ ?’

 

‘ମାନଗୋବିନ୍ଦ ବାବୁଙ୍କ କଥା ଅଲଗା । ବୁଢ଼ାଲୋକ । ପ୍ରୋଜେକ୍ଟ କାମ ସେ ପାରୁନାହାନ୍ତି । ସେଥିପାଇଁ ବୋଧହୁଏ ଷ୍ଟେଟ ଗଭର୍ଣ୍ଣମେଣ୍ଟକୁ ରିର୍ଭଟ କରିବାକୁ ଚେଷ୍ଟା କରୁଚନ୍ତି । କିନ୍ତୁ କଣ କରାଯିବ ? ଆମର ତ ଲୋକ ଅଭାବ । ଖୁସିରେ କିଏ ବୁଢ଼ାଙ୍କୁ ଏଠି ରଖିଚି ?’ ଏକଜିକ୍ୟୁଟିଭ ଇଞ୍ଜିନିୟର ହତାଶ ଭାବେ କହିଲେ ।

 

ସୁବୋଧନନାଙ୍କୁ ଦେଖି ମାଉସୀ ପଚାରିଲେ—‘କିରେ ସୁବୋଧ, ଏତେ କଳା ପଡ଼ିଯାଇଚୁ ଯେ ?’

 

—କ’ଣ କରିବି ବୋଉ ? ସେଠି ତ ଆଠ ଦଶଘଣ୍ଟା ଖରାରେ ଠିଆ ହାଇ ରହିବାକୁ ପଡ଼ୁଚି । ସେଥିରେ ମୁଁ ତ ଛାର, ଆମେରିକାନ୍‌ ସାହେବଗୁଡ଼ା ବି କଳା ପଡ଼ିଯାଇଚନ୍ତି ।

 

ସେହି ଦୁଇ ଚାରିଦିନ ଛୁଟି ସୁବୋଧନନା ଖାଲି ଘରେ ବସି ରହିଲେ । ସବୁବେଳେ ବୋଉଙ୍କ ପାଖରେ ହୀରାକୁଦ ଗପ କରି ସମୟ କଟାଇଦେଲେ ।

 

ଦିନେ ମାଉସୀ ପଚାରିଲେ—‘ଆରେ, ବାପା କହୁଥିଲେ ତୋ ବିଭାଘର କଥା କଣ ବୁଝିବେ ?’

 

—ଆଃ—ବୋଉ ମୋ ବା’ଘର ପାଇଁ ତୁ ଏତେ ବ୍ୟସ୍ତ ହଉଚୁ କାହିଁକି କହିଲୁ—

 

‘ମୁଁ ବ୍ୟସ୍ତ ହେବିନି ତ ଆଉ କିଏ ବ୍ୟସ୍ତ ହବ ଶୁଣେ । ତୋ ପଢ଼ାପଢ଼ି ସରିଲା । ଚାକିରି କଲୁ । ଏଥର ବିଭାହବୁ । ତୁ ବିଭାହେଲେ ଆମେ ବୁଢ଼ା ବୁଢ଼ୀ ଦି’ଟା ଟିକିଏ ଶାନ୍ତି ପାଇବୁ ।’ କହି ମାଉସୀ ହସିଲେ । ମାଉସୀଙ୍କ କଥା ଶୁଣି ସୁବୋଧନନା ଜୋରରେ କଣ ପଦେ କହି ମାଉସୀଙ୍କୁ ଚୁପ୍‌ କରିଦେବା ପାଇଁ ଚେଷ୍ଟାକଲେ ନାହିଁ । ଟିକିଏ ଲାଜେଇ ହସି କହିଲେ—‘ତା ସତ ଯେ; ତେବେ ମୋର ତ ଚାକିରି ଛ’ମାସ ବି ହୋଇନି । ରହ ଆଉ କିଛିଦିନ ଯାଉ । ବାହାଘର ପାଇଁ ତ ଫେର ପ୍ରସ୍ତୁତ ହେବାକୁ ପଡ଼ିବ । ବାହାଘରରେ ଖର୍ଚ୍ଚ ଅଛି ନା ?’

 

‘ହଁ ଖର୍ଚ୍ଚ ଅଛି । ତେବେ ପୁଅ ବାହାଘର । ଖର୍ଚ୍ଚ କଣ ଆଉ ଯୋଗାଡ଼ କରି ହେବନି ?’

 

‘ସେଇ ଯୋଗାଡ଼ କରିବା କଥା କହୁଚି । ସେ ଟଙ୍କା ତ ମୋତେ ଯୋଗାଡ଼ କରିବାକୁ ହବ । ନା—ଏ ବୟସରେ ବାପା ଧାର କରିବେ ବା ସେମାନଙ୍କ ପାଖେ ହାତ ପତାଇ ରାସ୍ତାଖର୍ଚ୍ଚ ମାଗିବେ ?’

 

‘ତା ସତ ଯେ—ତେବେ ସେମାନେ ତ ଭାରି ଜିଗର କରୁଛନ୍ତି ।’ ମୃଦୁସ୍ୱରରେ ମାଉସୀ କହିଲେ ।

 

ସେମାନଙ୍କୁ କହି ଦଉନୁ ଟିକିଏ ଥୟ ଧରିବେ । ଏମିତି ଅଥୟ ହେଲେ ଚଳିବ କିମିତି-?

 

‘ହଉ ତୋର ଯା ଇଚ୍ଛା—’ କହି ମାଉସୀ ପିଠା କରିବାକୁ ଉଠିଗଲେ । ତା ପରଦିନ ସୁବୋଧନନାଙ୍କର ବୁର୍ଲା ଫେରିବା କଥା । ତାଙ୍କ ସାଙ୍ଗରେ ଦେବାପାଇଁ ମାଉସୀ ଆରିଷାପିଠା ଖଳି କରିଥିଲେ । ସେଗୁଡ଼ିକ ଛାଣିବା ପାଇଁ ସେ ରୋଷେଇ ଘରକୁ ଉଠିଗଲେ ।

 

ସୁବୋଧନନା ସେମାନଙ୍କୁ ଅପେକ୍ଷା କରବାକୁ କହିଥିଲେ । ତାଙ୍କ କଥାରେ କିଛି ଅଯୌକ୍ତିକତା ନ ଥିଲା । ହେଡ଼ମାଷ୍ଟର ବିଶ୍ୱନାଥ ବାବୁ ମୀନନାନୀଙ୍କ ବାହାଘର ପାଇଁ ବ୍ୟସ୍ତ ହେଉଥିଲେ ମଧ୍ୟ ବର୍ଷେ ଛ’ମାସ ଅପେକ୍ଷା କରିବାକୁ ଆପତ୍ତି କରି ନଥାନ୍ତେ । ଆଉ ମୀନାନାନୀ ? ମୀନାନାନୀ ସୁବୋଧନନାଙ୍କ ପାଇଁ ବର୍ଷେ ଛ’ମାସ ନୁହେଁ, ଅନନ୍ତ କାଳ ମଧ୍ୟ ପ୍ରତୀକ୍ଷା କରି ପାରିଥାନ୍ତେ । କିନ୍ତୁ ସେ ସୁଯୋଗ ସୁବୋଧନନା ତାଙ୍କୁ ଦେଇ ନ ଥିଲେ । କିନ୍ତୁ ଆଜି ସୁବୋଧନନାଙ୍କ କାହାଣୀ ଲେଖିବା ବେଳେ ମନେ ହେଉଚି ଯେଉଁ ସତ୍ୟଭଙ୍ଗ-ଅପବାଦରେ ସୁବୋଧନନା ଜର୍ଜରିତ ହୋଇଥିଲେ ସେଥିପାଇଁ ସେ ଦାୟୀ ନ ଥିଲେ । ନିଜର ଭବିଷ୍ୟତ ସ୍ଥିର କରିବା ପାଇଁ ମଣିଷର ଶକ୍ତି ସୀମିତ । ଭବିତବ୍ୟର ଅଦୃଶ୍ୟ ପଶାପାଲିରେ ଏକ ଅସହାୟ ଗୋଟି ଭଳି ମଣିଷ ସାମାନ୍ୟତମ ଏପଟ ସେପଟ ଘୁଞ୍ଚିବା ପାଇଁ ମଧ୍ୟ ଅନ୍ୟର ନିର୍ଦ୍ଦେଶକୁ ଅପେକ୍ଷା କରି ରହେ । ତା ନ ହୋଇଥିଲେ ନିଜ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାପାଇଁ ସୁବୋଧନନା ଭୁଲ କରି ନ ଥାନ୍ତେ । ଜୀବନରେ ସବୁ ଅଙ୍କ କଷି ଯିଏ ନିର୍ଭୁଲ ସମାଧାନ କରି ପାରୁଥିଲେ ସେଇ ସୁବୋଧନନା ନିଜ ଜୀବନର ଏକ ମହତ୍‌ ଅଙ୍କ କଷିବାକୁ ଯାଇ ଏକ ମାରାତ୍ମକ ଭୁଲ କରି ନ ଥାନ୍ତେ ।

 

କିନ୍ତୁ ସେଦିନ ସେ ଭୁଲ ସୁବୋଧନନାଙ୍କୁ ଭୁଲ ବୋଲି ଜଣାଯାଇ ନଥିଲା । ସେ ଭାବିଥିଲେ ତାଙ୍କ ବିଭାଘର ବିଷୟରେ ସେ ଠିକ୍‍ ନିଷ୍ପତ୍ତି ନେଇଚନ୍ତି । ନିଷ୍ପତ୍ତି ନେବା ପୂର୍ବରୁ ସୁବୋଧନନା ନିଶ୍ଚୟ ଏ ସମ୍ବନ୍ଧରେ ଯଥେଷ୍ଟ ଚିନ୍ତା କରିଥିଲେ । ସେ ମୀନାନାନୀଙ୍କ କଥା ବିଶ୍ୱନାଥବାବୁଙ୍କ କଥା ଭଗବାନସାରଙ୍କ କଥା ନିଶ୍ଚୟ ଭାବିଥିବେ । କିନ୍ତୁ ବହୁ ଭାବି ଚିନ୍ତି ସୁବୋଧନନା ତାଙ୍କ ନିଷ୍ପତ୍ତିରେ ଭୁଲଥିବା କଥା ଅନୁଭବ କରିପାରି ନ ଥିଲେ । ସୁବୋଧନନା ମୀନାନାନୀଙ୍କ ସମ୍ପର୍କ କେବଳ ମାନସିକ ସ୍ତରରେ ସୀମିତ ଥିଲା । ବଡ଼ ହେବା ପରେ ମିଳାମିଶା କରିବା ତ ଦୂରର କଥା ମୀନାନାନୀଙ୍କୁ ସେ ଭଲଭାବେ ଦେଖି ବି ନ ଥିଲେ । ଅନ୍ତରାଳରୁ କାଚଚୁଡ଼ିର ରୁଣୁଝୁଣୁ ଶବ୍ଦ କିମ୍ବା ଅନ୍ୟ ଉଦ୍ଦେଶ୍ୟରେ ପଦେ ଦି’ପଦ କଥାରୁ ସେ କେବଳ ତାଙ୍କ ଉପସ୍ଥିତି ଅନୁଭବ କରୁଥିଲେ । ହଠାତ୍‌ କେବେ ହାବୁଡ଼ରେ ପଡ଼ିଗଲେ ବି ମୀନାନାନୀ ସସଂକୋଚରେ ଲୁଚିଯାଉଥିଲେ—ସେହି କ୍ୱଚିତ୍‌ ମୁହୂର୍ତ୍ତର ଦେଖା ଆଉ ଅନ୍ତରାଳରୁ ଶୁଣା ପଦେ ଦି’ପଦ କଥାକୁ ନେଇ ସୁବୋଧନନା ମୀନାନାନୀଙ୍କର ଏକ ଭାବମୂର୍ତ୍ତିର କଳ୍ପନା କରିଥିଲେ । ତା ତୁଳନାରେ ଶୋଭନା ଭାଉଜଙ୍କର ମିଳାମିଶା ଥିଲା ଅବାଧ ଓ ଅପର୍ଯ୍ୟାପ୍ତ । ସେ ସୁବୋଧନନାଙ୍କ ପ୍ରତି ତାଙ୍କ ଗଭୀର ଉଷ୍ମତା ପ୍ରକାଶ କରିବା ପାଇଁ କୁଣ୍ଠା କରୁ ନ ଥିଲେ । ସୁବୋଧନନାଙ୍କ ଅନାଘ୍ରାତ କୌମାର୍ଯ୍ୟକୁ ବିଚଳିତ କରିବା ପାଇଁ ଶୋଭନା ଭାଉଜଙ୍କ ଆବେଦନ ପ୍ରୟୋଜନରୁ ଯଥେଷ୍ଟ ବେଶୀ ଥିଲା ।

 

ଆଜି ଅନେକ ଦିନ ପରେ ସୁବୋଧନନାଙ୍କ ମୁହଁରୁ ଶୁଣିଥିବା କଥାକୁ ନିଜର ଅନୁଭୂତି ସଙ୍ଗେ ମିଳାଇ ଆପଣମାନଙ୍କ ମନୋରଞ୍ଜନ କରିବା ଭଳି ଗୋଟିଏ କାହାଣୀ ଲେଖିବାବେଳେ ପ୍ରୟୋଜନ ଖାତିରରେ ସୁବୋଧନନାଙ୍କ ସେତେବେଳର ମାନସିକତାର ଯେଉଁ ବିଶ୍ଳେଷଣ ମୁଁ କରୁଚି ହୁଏତ ସେ କଥା ପୂରାପରି ଠିକ୍‌ ନୁହେଁ । ହୁଏତ ସୁବୋଧନନା ଯୌବନର ଏକ ପ୍ରଚଣ୍ଡ ଆବେଗରେ ଶୋଭନା ଭାଉଜଙ୍କୁ ଭଲ ପାଇଥିଲେ ଏବଂ ତାଙ୍କର ଏହି ପ୍ରଥମ ପ୍ରେମ ନିକଟରେ ଅନ୍ୟସବୁ ଅନୁଭୂତି ଏପରିକି ମୀନାନାନୀଙ୍କର ନିରୀହ ଭାବମୂର୍ତ୍ତି ନିଷ୍ପ୍ରଭ ହୋଇ ଯାଇଥିଲା । ସେ ଯାହାହେଉ ସୁବୋଧ ଦାସ ଓ ଶୋଭନା ମିଶ୍ର ଉଭୟ ଉଭୟଙ୍କୁ ଭଲ ପାଉଥିଲେ । ଏ ଘଟଣା ସତ୍ୟ । ସେହି ଘଟଣା ପ୍ରଥମେ ବୁର୍ଲାର ଛୋଟ କଲୋନୀର ଆହୁରି ଛୋଟ ପରିଚିତ ମହଲରେ ପ୍ରଥମେ ଟିକିଏ ଆଲୋଡ଼ନ ସୃଷ୍ଟିକରି ସାଧାରଣ ଘଟଣା ହୋଇଯାଇ ଥିଲା । କିନ୍ତୁ ସୁପରିନଟେଣ୍ଡିଂ ଇଞ୍ଜିନିୟର ମିଷ୍ଟର ଗିକେ ମିଶ୍ରଙ୍କ ଅତ୍ୟାଧୁନିକା ଝିଅ ଶୋଭନା ମିଶ୍ର ଲାଜକୁଳା ଓଡ଼ିଆ ଆସିଷ୍ଟାଣ୍ଟ ଇଞ୍ଜିନିୟର ସୁବୋଧ ଦାଶଙ୍କୁ ବିବାହ ହେବାକଥା କେହି ବିଶ୍ୱାସ କରୁ ନ ଥିଲେ । ସମସ୍ତେ ଭାବୁଥିଲେ ରୋମନ ଇଣ୍ଡିଆର କନ୍‌ଷ୍ଟ୍ରାକସନ୍‌ ଇଞ୍ଜିନିୟର ସୁରଜିତ ସିନ୍‌ହା କିମ୍ବା ସମ୍ବଲପୁରର ପ୍ରୋବେସନର ଆଇ. ଏ. ଏସ୍‌. ଦିଲୀପ ଯୋଶୀ ଯେଉଁମାନଙ୍କ ସଙ୍ଗେ କଲିକତାର ଲରେଟୋ ହାଉସରୁ ସିନିୟର କେମ୍ବିଜ ପାଶ କରିଥିବା ଶୋଭନା ମିଶ୍ର ସବୁବେଳେ ପାର୍ଟି ପିକନିକ ନେଇ ହୋ ହା ରେ ମାତିଥାଏ ସେ ଦୁହିଁଙ୍କ ଭିତରୁ କାହାରିକୁ ଜୀବନସାଥୀ ରୂପେ ବରଣ କରିନେବ । ସେ କଥା ଅସମ୍ଭବ ନ ଥିଲା । ବରଂ ବାପ ମା’ଙ୍କ ଆଡ଼ୁ ସେଥିପାଇଁ ପ୍ରଶୟ ଥିଲା । ସେ ଯୁଗର ବିଲାତ ଫେରନ୍ତା ଇଞ୍ଜିନିୟର ମିଶ୍ର ସାହେବ ଚାଲି ଚଳନ ଆଦବ କାଏଦାରେ ପୂରା ସାବେହ ଥିଲେ । କୌଣସି କଥାରେ ତାଙ୍କର ପ୍ରାଚ୍ୟ ସଂକୀର୍ଣ୍ଣତା ନ ଥିଲା । ପିଲାଦିନୁ ତାଙ୍କ ଦୁଇ ଝିଅ କଲିକତାର ପବ୍ଳିକ ସ୍କୁଲରେ ପଢ଼ିଥିଲେ । ସେମାନଙ୍କୁ ଦେଇଥିଲେ ସେ ଅବାଧ ସ୍ୱାଧୀନତା । ତେଣୁ ପ୍ରତିଦିନ ସଞ୍ଜରେ ତାଙ୍କ ଲନରେ ଶୋଭନା ଯେତେବେଳେ ସ୍କାର୍ଟ ପିନ୍ଧି ସୁରଜିତ କିମ୍ବା ଦିଲୀପ ସଙ୍ଗେ ବ୍ୟାଡ଼ମିଣ୍ଟନ ଖେଳେ କିମ୍ବା ଖେଳ ମଝିରେ ଲନରେ ପଡ଼ିଥିବା ବେତର ଗାର୍ଡ଼ନ ଚେୟାରରେ ବସି ଗପ ଯୋଡ଼ିଦିଏ । ସେମାନଙ୍କୁ କେହି ବାଧା ଦିଅନ୍ତି ନାହିଁ ।

 

ରବିବାର କିମ୍ବା ଛୁଟିଦିନରେ ଶୋଭନା ଯଦି ତାର ବନ୍ଧୁ ଡଲି ଗୋମେଜ୍‌ ଭିଦ୍ୟା ସିଂ, ନିତୁ ହାଲଦାର ଆଉ ରୋଜି ପାତ୍ରଙ୍କ ସଙ୍ଗେ ସିନ୍‌ହା ଯୋଶୀଙ୍କ ଗହଣରେ କୁଆଡ଼େ ପିକ୍‌ନିକ କରିବାକୁ ଯାଏ ମିଷ୍ଟର ଓ ମିସେସ ମିଶ୍ର ସେମାନଙ୍କୁ ଚେରିଓ କହି ବିଦାୟ ଦିଅନ୍ତି । ଏହି ପଟ୍ଟଭୂମିରେ ଶୋଭନା ମିଶ୍ର ପ୍ରାୟ ଅଜଣା ଅଶୁଣା ଜଣେ ଆସିଷ୍ଟାଣ୍ଟ ଇଞ୍ଜିନିୟରକୁ ଭଲ ପାଇବାଟା ଏକ ବିସ୍ମୟ ।

 

ସୁବୋଧ ଦାଶ ସେଦିନ ଜରୁରୀ କାମ ତଦାରଖ କରିବା ପାଇଁ ଫିଲ୍‌ଡ଼କୁ ଯାଇଥିଲେ । ଫିଲ୍‌ଡ଼ ଇନ୍‌ସପେକ୍‌ସନରୁ ତାଙ୍କର ଏକ ରିପୋର୍ଟ ସୁପରିନଟେଣ୍ଡେଣ୍ଟ ଇଞ୍ଜିନିୟରଙ୍କୁ ଦେବା କଥା; ତେଣୁ ସେ ଫିଲ୍‌ଡ଼ରୁ ଫେରି ସିଧା ସୁପରିନଟେଣ୍ଡେଣ୍ଟ ଇଞ୍ଜିନିୟରଙ୍କ ଘରେ ପହଞ୍ଚିଲେ । ସୁବୋଧ ଦାଶ ଯାହା ଆଶଙ୍କା କରୁଥିଲେ—ମିଷ୍ଟର ମିଶ୍ର ଘରେ ନ ଥିଲେ । ଗେଟପାଖରେ ଚୌକିଦାର ଭାଲୁ ପଟେଲ ଏକ ଲମ୍ବା ସଲାମ ଠୁଙ୍କି ତାର ଫାରିଆ ପାଟିକୁ ଆକର୍ଣ୍ଣ ପ୍ରସାରିତ କରି ଗଦ୍‌ଗଦ୍‌ ଭାବେ କହିଲା—‘ସାଏବ ଘରେ ନାଇବ ନଜୁର; ବାହାର ଘୁମତେ ଯାଏଚନ୍‌ ।

 

ଭାଲୁ ପଟେଲ ସୁବୋଧ ଦାଶଙ୍କ ଓ୍ୱାର୍କଚାର୍ଯଡ଼ ଏଷ୍ଟାବ୍ଳିସ୍‌ମେଣ୍ଟର ଲୋକ । ଗ୍ୟାଙ୍ଗ କୁଲି ଫରାସ କିମ୍ବା ଖଲାସି ଏମିତି କିଛି କାମ କରେ । ବୁଡ଼ି ଅଞ୍ଚଳର ଲୋକ ବୋଲି ସୁବୋଧନନା ତାକୁ ଚାକିରି ଦେଇଥିଲେ । ସେ ତାଙ୍କ ଅଫିସରୁ ଦରମା ନିଏ ଏସ୍‌. ଇ. ସାହେବଙ୍କ କୋଠି ଜଗେ । ତେଣୁ ଭାଲୁ ପଟେଲ ତା ଅନ୍ନଦାତା ସୁବୋଧ ଦାଶଙ୍କୁ ଭକ୍ତି କରେ ବହୁତ ।

 

ଠିକ୍‌ ଅଛି—ତୁ ଏ ଫାଇଲ ନେ, ସାହବେ ଫେରିଲେ ଦେବୁ । କହି ସୁବୋଧନନା ଫାଇଲଟା ଭାଲୁ ହାତକୁ ବଢ଼ାଇ ଦେଉଥିଲେ । ହଠାତ୍‌, ମଞ୍ଜୁଆତି ବାଡ଼ ଆରପଟୁ କିଏ ଡାକିଲା–ଏଇ ଭାଲୁ । ଭାଲୁ ସୁବୋଧନନାଙ୍କ ହାତରୁ ଫାଇଲଟା ନ ନେଇ ସେଆଡ଼କୁ ଦୌଡ଼ି ଚାଲିଗଲା-

 

ସେଦିନ କାହିଁକି କେଜାଣି ସୁରଜିତ କିମ୍ବା ଦିଲୀପ କେହି ଆସି ନ ଥିଲେ । ଶୋଭନା ଆଉ କ୍ରିଷ୍ଟମାସ ଛୁଟିରେ ଘରକୁ ଆସିଥିବା ତାଙ୍କ ସାନଭଉଣୀ ଲୀନା ସେମାନଙ୍କୁ ଅପେକ୍ଷା କରି ଲନରେ ବସିଥିଲେ । ବସି ବସି ସେମାନେ ଅଯଥା ବୋର ହେଉଥିଲେ । ସେମାନେ ଯଦି ଜାଣିଥାନ୍ତେ ଆଜି ଖେଳ ହେବନି ବୋଲି ସେମାନେ ବି ଡାଡି ମାମୀଙ୍କ ସଙ୍ଗେ ସମ୍ବଲପୁର ପିକଚର ଦେଖି ଯାଇ ପାରିଥାନ୍ତେ । ହଠାତ୍‌ ଜିପ୍‌ ଆସିବା ଶବ୍ଦରେ ଉତ୍କଣ୍ଠିତା ଲୀନା ମେଞ୍ଜୁଆତି ବାଡ଼ ପାଖକୁ ଉଠିଆସି ପୁଣି ଫେରିଯାଇ କହିଲା—

 

‘ନୋ ହୋପ୍‌ ଦିଦି—ଏନ ଓରିଆ ଜେଣ୍ଟଲମ୍ୟାନ ।

 

ତା’ କହିବା ଭଙ୍ଗୀରେ ଶୋଭନା ହସିଉଠି ପଚାରିଲେ—କିଏ ରେ ?

 

କିଏ ଜାଣେ ? ଗେଟ୍‌ମ୍ୟାନ ଭାଲୁ ସର୍ଦ୍ଦାର ତ ଭାରି ଗଦଗଦ ହୋଇ କଥା କହୁଛି ମାଷ୍ଟ ବି ଏନ ଅଫିସର ।

 

ୟଂ

 

ଭେରି ୟଂ ଏଣ୍ଡ ହେଣ୍ଡସାମ ଟୁ ।

 

ସିଲି—ତେବେ ଡାକନା ବାଜିଏ ଖେଳ ହେବ । କପଟ ଗାମ୍ଭୀର୍ଯ୍ୟ ଭରା ଗଳାରେ ଶୋଭନା କହିଲେ ।

 

ମାଇଁ ଗଡ଼—ଭଦ୍ରଲୋକ ଜୀବନରେ ରାକେଟ୍‌ ଧରିଥିବା ଭଳି ତ ମନେ ହଉନି ।

 

‘ଓଃ—ଡାକନା—’ କହି ଶୋଭନା ଭାଲୁକୁ ଡାକିଲେ ।

 

ଭାଲୁ ପୁଣି ପବନ ବେଗରେ ଦୌଡ଼ିଯାଇ ସୁବୋଧ ଦାଶଙ୍କ ହାତରୁ ଫାଇଲଟା ନେଇଯାଇ କହିଲା—ମିସ୍‌ ବାବା ଡାକସେନ ।

 

ମିସ୍‌ ବାବା ? ଆଶ୍ଚର୍ଯ୍ୟ ହୋଇ ପଚାରିଲେ ସୁବୋଧ ଦାଶ ।

 

ହଁ ହଜୁର, ବଡ଼ ମିସ୍‌ବାବା ଛୋଟ ମିସ୍‌ବାବା.....

 

ସୁବୋଧ ଦାଶଙ୍କ ସମ୍ମତିକୁ ଅପେକ୍ଷା ନ ରଖି ଭାଲୁ ପଟେଲ କାଖରେ ଫାଇଲ ଯାକି ବାଟ କଢ଼ାଇ ଆଗେ ଆଗେ ଚାଲିଲା । ଅଗତ୍ୟା ସୁବୋଧ ଦାଶ ତାକୁ ଅନୁସରଣ କଲେ ।

 

ସଯତ୍ନ ରକ୍ଷିତ ଲନରେ ବ୍ୟାଡ଼ମିନ୍‌ଟନ୍ କୋର୍ଟ ଉଜ୍ଜ୍ୱଳ ଇଲେକ୍‌ଟ୍ରିକ୍ ଆଲୁଅରେ ଆଲୋକିତ ହୋଇଛି । ନେଟ ଟଣାଯାଇଚି । ଖେଳ ସରଞ୍ଜାମ ସବୁ ଗୋଟିଏ ଟେବୁଲ ଉପରେ ଥୁଆ ହୋଇଚି । କିନ୍ତୁ ଖେଳାଳି ନାହାନ୍ତି । ନିଜ ନିଜ ଭିତରେ ବାଜିଏ ଦିବାଜି ଖେଳି ଦୁଇ ଭଉଣୀ ପାର୍ଟନାର ଅପେକ୍ଷାରେ ବସି ବସି ବୋର ହେଉଥିଲେ । ମିଷ୍ଟର ମିଶ୍ରଙ୍କ ବଡ଼ଝିଅ ଅଷ୍ଟଦ୍ଦଶୀ ଶୋଭନା କଲିକତାରୁ ସିନିୟର କେମ୍ବ୍ରିଜ ପାଶ କରି ଏବେ ସମ୍ବଲପୁର ଜି.ଏମ୍. କଲେଜର ଛାତ୍ରୀ । ସାନ ଲୀନା ଚତୁର୍ଦ୍ଦଶୀ ଏବେ ବି କଲିକତା ଲରେଟୋ ହାଉସର ଛାତ୍ରୀ । କ୍ରିଷ୍ଟମାସ ଛୁଟି ଉପଲକ୍ଷେ ଘରକୁ ଆସିଚି । ଉଭୟେ ଦୃଷ୍ଟି ଆକର୍ଷଣ କଲାଭଳି ସୁନ୍ଦରୀ । ମାର୍ଜିତ ରୁଚିପୂର୍ଣ୍ଣ ପ୍ରସାଧନ ପ୍ରତି ଅତ୍ୟନ୍ତ ମନୋଯୋଗୀ । ପ୍ରଭେଦ ଭିତରେ ଶୋଭନା କଥାବାର୍ତ୍ତାରେ ସଂଯତ । କିନ୍ତୁ ଲୀନା ଚପଳା-। ଯୌବନର ସାନ୍ଦ୍ରତା ଶୋଭନାଙ୍କ ଭାବରାଜ୍ୟରେ ଅନେକ ସ୍ଥିରତା ଆଣି ଦେଇଚି । ଲୀନା କିନ୍ତୁ ନୂଆ ପକ୍ଷ ଲାଗିଥିବା ପ୍ରଜାପତି ଭଳି ଚଞ୍ଚଳ । ଅନେକ କଥା କହେ, ଅକାରଣେ ଅସ୍ଥିର ହୁଏ-। ହୁଏତ ତାହାହିଁ କୈଶୋରର ଧର୍ମ ।

 

‘ମୋତେ ଡାକିଥିଲେ ?’ ସପ୍ରତିଭ ଭାବେ ଉଭୟଙ୍କୁ ଲକ୍ଷ୍ୟ କରି ସୁବୋଧନନା ପଚାରିଲେ । ସୁବୋଧନନାଙ୍କୁ ହଠାତ୍ ସେମାନେ କିଛି କହି ପାରିଲେ ନାହିଁ । ଯେତେ ଆଧୁନିକ ହେଲେ ବି ଜଣେ ଅପରିଚିତ ଯୁବକର ସପ୍ରତିଭତା ନିକଟରେ ସତେ ଯେମିତି ସେମାନେ ଝାଉଁଳିଗଲେ । କିନ୍ତୁ ସେ କ୍ଷଣକ ପାଇଁ । ନିଜକୁ ସମ୍ଭାଳି ନେଇ ମୁହରେ ସ୍ମିତ ଖେଳାଇ ଲୀନା କହିଲା—‘କିଛି ମନେ କରିବେନି ମିଷ୍ଟର....’ ।

 

‘ମୋ ନାମ ସୁବୋଧ ଦାଶ’ ।

 

‘କିଛି ମନେ କରିବେନି ମିଷ୍ଟର ଦାଶ । ଆଜି ପାର୍ଟନାର ଅଭାବରୁ ଆମ ଖେଳ ହୋଇ ପାରିଲା ନାହିଁ ବୋଲି ଦିଦି ଭାରି ବୋର୍...ଯଦି ଆପତ୍ତି ନ ଥାଏ ବାଜିଏ ଦି’ ବାଜି ବ୍ୟାଡ଼୍ ମିଣ୍ଟନ ଖେଳିପାରନ୍ତି....’ କହି ଲୀନା ମୃଦୁ ମୃଦୁ ହସିବାବୁ ଲାଗିଲା ।

 

ସୁବୋଧ ଦାଶ ଥରେ ଚଞ୍ଚଳ ଦୃଷ୍ଟିପାତ କରି ଶୋଭନାଙ୍କୁ ଚାହିଁଲେ । ଲୀନା ତାଙ୍କୁ ଖେଳିବାପାଇଁ ଆମନ୍ତ୍ରଣ କରୁଥିବା ବେଳେ ସେ ନିଜକୁ ଯଥାସାଧ୍ୟ ନିର୍ଲିପ୍ତ ରଖିବାପାଇଁ ଚେଷ୍ଟା କରୁଥିଲେ । ତା’ପରେ ସୁବୋଧ ଦାଶ ଟେବୁଲ ଉପରୁ ରାକେଟଟା ଉଠାଇ ନେଇ କହିଲେ–‘ଆପତ୍ତି କଣ ? ତେବେ ବହୁଦିନୁ ଖେଳିବା ଅଭ୍ୟାସ ନାହିଁ ।’

 

ବହୁଦିନ ପରେ ବି ଏଚ ୟୁର ବ୍ୟାଡ଼ମିଣ୍ଟନ ବ୍ରୁ ସୁବୋଧ ଦାଶ ବ୍ୟାଡ଼ମିଣ୍ଟନ ରାକେଟଟିକୁ ହାତରେ ଧରି ହଠାତ୍ ଅନ୍ୟମନସ୍କ ହୋଇଗଲେ । ସେ ଅନୁଭବ କରୁଥିଲେ ତାଙ୍କ ଭିତରେ କଣ ଯେପରି ଗୋଳମାଳ ହୋଇ ଯାଇଚି । ତାଙ୍କର ମନେହେଲା ସେ ଯେପରି ତାଙ୍କର ଅତିପ୍ରିୟ ଖେଳର ସମସ୍ତ ସୂତ୍ର ଭୁଲି ଯାଇଛନ୍ତି । ଅତୀତରେ ଯେ ସେ କେବେ ଏ ଖେଳ ଖେଳିଥିଲେ ତାଙ୍କର ମନେ ପଡ଼ୁନି.... ଆଜି ବୋଧହୁଏ ସେ ପ୍ରଥମେ ଏ ଖେଳ ଖେଳିବେ ।

 

ସୁବୋଧନାନା କୋର୍ଟରେ ଯାଇ ଛିଡ଼ା ହେବାପରେ ଦୁଇ ଭଉଣୀଙ୍କ ଭିତରେ ଖେଳିବା ପାଇଁ ଦ୍ୱିଧା ଦେଖାଗଲା । ଲୀନା କହିଲା ଯା ଦିଦି ଖେଳିବୁ । ବାରେ....ତୁ ଡାକିଚୁ ତୁ ଖେଳ । କହି ଶୋଭନା ବସିରହିଲେ । କାହିଁକି କେଜାଣି ଖେଳିବା ପାଇଁ ସେ କୌଣସି ଉତ୍ତେଜନା ଅନୁଭବ କରୁ ନ ଥିଲେ । ତେଣୁ ବାଧ୍ୟହୋଇ ଲୀନା ଉଠିଲା । ସୁବୋଧ ଦାଶ ଗୋଟିଏ ଜାଗାରେ ଛିଡ଼ାହୋଇ କର୍କଟାକୁ ଏପଟ ସେପଟ କରି ପ୍ଲେସ କରିବାକୁ ଲାଗିଲେ । ବିଚାରୀ ଲୀନା କୋର୍ଟସାରା ଦୌଡ଼ି ହଇରାଣ ହୋଇଗଲା । ଖେଳ ଭିତରେ ସେ ପାଟିକରି ଡାକିଲା—‘ଆ’ ନା ଦିଦି ମୁଁ କଣ ଏକା ପାରୁଚି ?

 

ବାଧ୍ୟ ହୋଇ ଶୋଭନା ଉଠିଲେ । ନ ଉଠି ଚାରା ନାହିଁ । ନଚେତ୍ ହୁଏତ ଲୀନା ରାକେଟ ଫୋପାଡ଼ି ଦୁମ ଦୁମ ହୋଇ ଚାଲିଆସି ଗୋଟିଏ ସିନ୍‌ କ୍ରିଏଟ କରିବ । ଅପରିଚିତ ଜଣେ ଭଦ୍ର ଲୋକଙ୍କ ଆଗରେ ତା’ ଠାରୁ ବଳି ଲଜ୍ଜାକର ବ୍ୟାପାର ଆଉ କଣ ହୋଇପାରେ ? ଯଥାତଥା କିଛି ସମୟ ଖେଳି ଏ ପ୍ରସଙ୍ଗ ବନ୍ଦ କରିଦେବା ଉଚିତ । କିନ୍ତୁ ଆଜି ସନ୍ଧ୍ୟାରେ ସଦ୍ୟ ପରିଚିତ ଏ ଭଦ୍ରଲୋକ ନିଶ୍ଚୟ ଜଣେ ସେଡ଼ିଷ୍ଟ । ନିଷ୍ଠୁର ରସିକତାରେ ତାଙ୍କର ଆନନ୍ଦ । ଶୋଭନା ଆସି ଲୀନା ସଙ୍ଗେ ଯୋଗଦେବା ପରେ ମଧ୍ୟ ନିସ୍ତାର ନାହିଁ । ଗୋଟିଏ ସ୍ଥାନରେ ଛିଡ଼ା ହୋଇ ସୁବୋଧ ଦାଶ ବିଚାରୀ ଦୁଇ ଭଉଣୀଙ୍କ ହାତ ପାହାନ୍ତାର ଅଳ୍ପ ଦୂରରେ ବଲ ପକାଇ ସେମାନଙ୍କୁ ଏପଟ ସେପଟ କରି ଦୌଡ଼ାଇବାକୁ ଲାଗିଲେ । ନିଜ ରସିକତାରେ ନିଜେ ନିଶ୍ଚୟ ଆମୋଦିତ ହେଉଥିଲେ ଭଦ୍ରଲୋକ । କିନ୍ତୁ ତାଙ୍କୁ ମୁହଁ ଦେଖିଲେ ସେ କଥା ବୁଝାଯାଉ ନ ଥିଲା । ଜଣେ ସୁବୋଧ ବାଳକ ଭଳି ସେ ଖେଳୁଥିଲେ । ଅଳ୍ପ ସମୟ ଭିତରେ ଦୌଡ଼ା ଦୌଡ଼ି କରି ଦୁଇ ଭଉଣୀ ଗଳଦ୍‌ଘର୍ମ ହୋଇ ଯାଇଥିଲେ ଏବଂ ନିଜେ ଆମନ୍ତ୍ରଣ କରିଥିବା ଏ ଅଶ୍ୱସ୍ତି କେମିତି ଶେଷ ହେବ ସେଥିପାଇଁ ଭଗବାନଙ୍କୁ ପ୍ରାର୍ଥନା କରୁଥିଲେ । ହଠାତ୍ ଈଶ୍ୱରଙ୍କ ଆଶୀର୍ବାଦ ଭଳି ସୁବୋଧ ଦାଶ ଖେଳ ବନ୍ଦକରି କହିଲେ, ‘ଆଜି ଏତିକି ଥାଉ । ମୁଁ ସିଧା ଫିଲ୍ଡ଼ରୁ ଫେରିଲେ କି ନା ବଡ଼ କ୍ଲାନ୍ତ ବୋଧ କରୁଚି ।’

 

ତାଙ୍କୁ ଅଧିକ ଖେଳିବା ପାଇଁ ଅନୁରୋଧ କରିବାର ଉତ୍ସାହ ସେମାନଙ୍କର ନ ଥିଲା । ଟିକିଏ ବସନ୍ତୁ ପ୍ଲିଜ । ଚା କରି ଆଣୁଚି ଆପଣଙ୍କ ପାଇଁ । ଭଦ୍ରତା କରି ଲୀନା କହିଲା ।

 

ଚା ? ଚା ତ ମୁଁ ଖାଏନା.....

 

ଇସ ଚା ଖାନ୍ତି ନାହିଁ ଆପଣ ? ହାଓ ଷ୍ଟ୍ରେଞ୍ଜ ? ଆଶ୍ଚର୍ଯ୍ୟ ହୋଇ ଲୀନା ପଚାରିଲା । ଉତ୍ତରରେ ସୁବୋଧ ଦାଶ ଖାଲି ଟିକିଏ ହସିଥିଲେ । ତାପରେ ବିଦାୟ ନେଇ ଚାଲିଗଲେ । ସେଦିନ ଖେଳ ଶେଷ ହେଲା ।

 

ଏ ଖେଳ ଯଦି ସବୁଦିନ ପାଇଁ ଶେଷ ହୋଇ ଯାଇଥାନ୍ତା ତେବେ ଭଲ ହୋଇଥାନ୍ତା । ଭଲ ହୋଇଥାନ୍ତା ଅର୍ଥ ସୁବୋଧନନାଙ୍କ ଜୀବନର ଗତିପଥ ଏକ ନିର୍ଦ୍ଦିଷ୍ଟ ସରଳରେଖାରେ ଆଗେଇ ଯାଇ ପାରିଥାନ୍ତା । ଜୀବନର ଅନେକ ଉଠାଣି ଗଡ଼ାଣିରେ ଘର୍ମାକ୍ତ ହୋଇ ଅନ୍ଧ ଗଳିର ଗୋଲକଧନ୍ଦା ଭିତରେ ସୁବୋଧନନାଙ୍କୁ ସାରାଜୀବନ ଅଣ୍ଡାଳିବାକୁ ପଡ଼ି ନଥାନ୍ତା ।

 

କିନ୍ତୁ ସେ ଖେଳ ବନ୍ଦ କରିବା ବୋଧହୁଏ ବିଧାତାଙ୍କ ଇଚ୍ଛା ନଥିଲା ।

 

ତା ପରଦିନ ରବିବାର ଛୁଟି । ସୁବୋଧନନା ନିଜ କ୍ୱାଟରସରେ ଥିଲେ । ହଠାତ୍ ଭାଲୁ ପଟେଲକୁ ତାଙ୍କ କ୍ୱାଟରସକୁ ଆସିବାର ଦେଖି ବିସ୍ମିତ ହୋଇ ପଚାରିଲେ, ‘କିରେ ଭାଲୁ, ଅବସ୍ଥା କଣ ? ‘ଭାଲୁ ତା ଫାରିଆ ପାଟିକୁ ଆକର୍ଣ୍ଣ ବିସ୍ତୃତ କରି ଆପ୍ୟାୟିତ ଭାବେ ହସି ତାଙ୍କ ହାତକୁ ଖଣ୍ଡେ ଛୋଟ କାଗଜ ବଢ଼ାଇ ଦେଇ କହିଲା—‘ସାହେବ ଦେଇସନ ହଜୁର ।’ ସୁବୋଧ ଦାଶ କାଗଜ ଭାଙ୍ଗ ଖୋଲି ପଢ଼ିଲେ । ସରକାରୀ ଆର୍ଜେଣ୍ଟ ପ୍ୟାଡ଼ କାଗଜରେ ଛୋଟ ଖଣ୍ଡିଏ ଚିଠି ସୁପରିନଟେଣ୍ଡିଂ ଇଞ୍ଜିନିୟର ଲେଖିଛନ୍ତି, ‘ପ୍ରିୟ ସୁବୋଧ, କାଲି ସନ୍ଧ୍ୟାରେ ଦେଖା ନ ହେବାରୁ ମୁଁ ଦୁଃଖିତ । ଆଜି ଅପରାହ୍ନରେ ଆସିଲେ ସେ ଫାଇଲଟା ସମ୍ବନ୍ଧରେ ଆଲୋଚନା କରିବା । ମୋ ସହିତ ତୁମେ ରାତ୍ରିଭୋଜନ କଲେ ଖୁସି ହେବି । ନିମନ୍ତ୍ରଣ ରହିଲା ।

 

ଚିଠି ପଢ଼ି ସୁବୋଧ ଦାଶ ପୁଲକିତ ହେଲେ କି’ ନା ସେକଥା ଭାଲୁ ପଟେଲ ବୁଝିପାରି ନଥିଲା । ସେ କେବଳ ଉତ୍ତର ଆଶାରେ ଇଞ୍ଜିନିୟର ସାହେବଙ୍କ ମୁହଁକୁ ବଲବଲ କରି ଚାହିଁ ରହିଥିଲା । ସୁବୋଧ ଦାଶ ତାକୁ କହିଲେ, ‘ସାହେବ ପଚାରିଲେ କହିଦବୁ ମୁଁ ସନ୍ଧ୍ୟାବେଳେ ଯାଇ ତାଙ୍କୁ ଦେଖା କରିବି । ଆଉ ଶୁଣ—ଗଲାବେଳେ ସିଂଜୀଙ୍କ ଘରେ କହିଦେବୁ ରାତିରେ ମୁଁ ବାହାରେ ଖାଇବି ।’

 

‘ଆଜ୍ଞା—’

 

ସିଂଜୀ କିଏ ଜାଣୁ ?

 

ଜାଣେ ହଜୁର । ଦାଢ଼ିବାଲା ଡ୍ରାଇଭର ସାହେବ ।

 

‘ଆଚ୍ଛା ଆଚ୍ଛା ଜାଣୁ ତେବେ ।’ କହି ସୁବୋଧ ଦାଶ ହସିଲେ । ଭାଲୁ ଖୁସି ହୋଇ ଚାଲିଗଲା ।

 

କୌଣସି କାମ ଉପଲକ୍ଷେ ସହଯୋଗୀ କିମ୍ବା ଅଧସ୍ତନମାନଙ୍କୁ ଘରକୁ ଡାକିଲେ ତା ସହ ଲଞ୍ଚ ଡିନାର କିମ୍ବା ଚା ପାଇଁ ଆମନ୍ତ୍ରଣ କରିବା ଏକ ପାଶ୍ଚାତ୍ୟ ରୀତି । ପାଶ୍ଚାତ୍ୟ ଆଦବକାଏଦାକୁ ଗସ୍ତ କରିଥିବା ମିଷ୍ଟର ମିଶ୍ର ସୁବୋଧନନାଙ୍କୁ ଡିନର ପାଇଁ ଆମନ୍ତ୍ରଣ କରିବାରେ ସେ ବିସ୍ମିତ ହୋଇ ନ ଥିଲେ । କିନ୍ତୁ ସନ୍ଧ୍ୟାବେଳେ ତାଙ୍କ ଘରେ ପହୁଞ୍ଚି ସେ ଅନ୍ୟ କାରଣରୁ ବିସ୍ମିତ ହୋଇଥିଲେ । ଗେଟ୍ ପାଖରେ ବିଶ୍ୱସ୍ତ ଗେଟମ୍ୟାନ ଭାଲୁ ପଟେଲ ତାଙ୍କ ସ୍ୱାଗତ କରି କହିଲା, ସାହେବ ତାଙ୍କୁ ଲନରେ ଅପେକ୍ଷା କରୁଚନ୍ତି । ସୁବୋଧ ଦାଶ ଲନ୍‌କୁ ଯାଇ ଦେଖିଲେ ମିଷ୍ଟର ମିଶ୍ର ସପରିବାରେ ଲନରେ ଉପସ୍ଥିତ ରହି ଦୁଇଜଣ ସୌମ୍ୟଦର୍ଶନ ଯୁବକଙ୍କ ସହ ଆଳାପରତ । ସୁବୋଧ ଦାଶଙ୍କୁ ଦେଖି ମିଷ୍ଟର ମିଶ୍ର ପାଟି କରି ଉଠିଲେ । ହ୍ୟାଲୋ, ଏଇ ଯେ ସୁବୋଧ । ଆସ ଆସ ତୁମକୁ ମୁଁ ଏମାନଙ୍କ ସହ ପରିଚିତ କରାଇ ଦିଏ । ମିଷ୍ଟର ମିଶ୍ର ତାଙ୍କୁ ସିନ୍‌ହା ଆଉ ଯୋଶୀଙ୍କ ସହ ପରିଚିତ କରାଇ ଦେଲେ । ସେମାନଙ୍କର ସମ୍ଭାଷଣ ଓ ସ୍ୱଳ୍ପ ପୋଷାକୀ କଥାବାର୍ତ୍ତା ଶେଷ ହେବା ପରେ ମିଷ୍ଟର ମିଶ୍ର ପୁଣି ତାଙ୍କ ଗପ ଯୋଡ଼ିଦେଲେ । ହଠାତ୍ ତାଙ୍କୁ ବାଧାଦେଇ ଲୀନା କହିଲା—‘ଡାଡି, ତୁମ ଗପ ଏଥର ବନ୍ଦ କର । ଆମର ଗୋଟାଏ ବିଶେଷ ପ୍ରପୋଜାଲ ଅଛି । ଦିଦି ଓ ମୁଁ ଆଜି ଗୋଟିଏ ମ୍ୟାଚ ଆରେଞ୍ଜ କରିଚୁ । ଆଜି ମ୍ୟାଚର ଫାଷ୍ଟରାଉଣ୍ଡ ଖେଳିବେ ବୁର୍ଲା ବ୍ଲୁ ମିଷ୍ଟର ସିନ୍‌ହା ଖେଳିବ ସମ୍ବଲପୁର ଚ୍ୟାମ୍ପିୟନ ମିଷ୍ଟର ଯୋଶୀଙ୍କ ସହ । ତାପରେ ସେ ଚପଳ ଭାବେ ସୁବୋଧ ଦାଶଙ୍କ ଆଡ଼େ ଚାହିଁ କହିଲା ‘କଣ ମିଷ୍ଟର ଦାଶ ରାଜି ?’

 

ସୁବୋଧ ଦାଶ କିଛି କହିଲେ ନାହିଁ । ନୀରବରେ ଟିକିଏ ହସି ନିଜର ସମ୍ମତି ଜଣାଇଲେ-। ଶୋଭନା ସୁରଜିତ ସିନ୍‌ହାଙ୍କୁ ଟିକିଏ ହଲାଇ ଦେଇ କହିଲେ ୟେସ ସୁରଜିତ, ଗେଟଆପ୍’ । ଶୋଭନାଙ୍କ ତଡ଼ିତ୍‌ ସ୍ପର୍ଶରେ ସୁରଜିତ ସିନ୍‌ହା ସ୍ପ୍ରିଙ୍ଗ୍ ଭଳି ଡେଇଁପଡ଼ି କୋର୍ଟ ଆଡ଼େ ଆଗେଇ ଗଲେ-

 

ସୁରଜିତ ସିନ୍‌ହା ଶୋଭନା ଲୀନାଙ୍କ ଆଗେ ବ୍ୟାଡ଼ମିଣ୍ଟନ ଖେଳରେ ପାରଦର୍ଶିତା ସମ୍ବନ୍ଧରେ ଯେତେ ପ୍ରୋଢ଼ି କରନ୍ତୁନା କାହିଁକି ସେ ବି. ଏଚ୍. ୟୁର ବ୍ୟାଡ଼ମିଣ୍ଟନ ବ୍ଲୁ ଏବଂ ୟୁ. ପି. ଇନଡ଼ୋର ବ୍ୟାଡ଼ମିଣ୍ଟନ ଚ୍ୟାମ୍ପୟନସିପ୍‌ର ସିଡ଼େଡ଼୍ ଖେଳାଳି ସୁବୋଧ ଦାଶଙ୍କ ସମକକ୍ଷ ନ ଥିଲେ-। ବହୁଦିନର ଅନଭ୍ୟାସ ସତ୍ତ୍ୱେ ସୁବୋଧ ଦାଶଙ୍କ କ୍ଷିପ୍ର ଗତି ନିଖୁଣ ସର୍ଭିସ, ଚତୁର ପ୍ଲେସିଂ କିମ୍ବା ଶକ୍ତିଶାଳୀ ସ୍ପ୍ଲେସ୍‌ର ମୁକାବିଲା କରିବାର ସାମର୍ଥ୍ୟ ତାଙ୍କର ନ ଥିଲା । ପ୍ରଥମ ବାଜିରେ ନିଲ୍ ଗେମ୍ ଖାଇ ମୁହଁ କଳା ପଡ଼ିଯାଇଥିଲା ତାଙ୍କର । ଅପଦସ୍ଥ ଭାବକୁ ଘୋଡ଼ାଇବା ପାଇଁ କୋର୍ଟରୁ ଛୋଟେଇ ଛୋଟେଇ ସିନ୍‌ହା ବେତଚୌକିକୁ ଫେରି ଆସି ଯୋଶୀଙ୍କୁ ଉଦ୍ଦେଶ୍ୟ କରି କହିଲେ, ‘ମୈ ତୋ ହାର ଗିୟା । ତୁମ୍ ଏକହାତ ଲଢ଼ୋ ଦାଶ ସାବ କା ସାଥ ।’ ନିଜ ପ୍ରତିଷ୍ଠା ସମ୍ବନ୍ଧରେ ଅତ୍ୟନ୍ତ ସଚେତନ ପ୍ରୋବେସନାର ଆଇ. ଏ. ଏସ. ଅଫିସର ଦିଲୀପ ଯୋଶୀ ନିଜର ସୀମିତ ଶକ୍ତିକୁ ସମ୍ବଳ କରି ଏକ ପରାକ୍ରାନ୍ତ ପ୍ରତିଦ୍ୱନ୍ଦ୍ୱୀର ସମ୍ମୁଖୀନ ହେବାପାଇଁ ସାହସ କରୁ ନ ଥିଲେ । ଏକ ଲଜ୍ଜାକର ପରିସ୍ଥିତିରୁ ନିଜକୁ ବଞ୍ଚାଇବା ପାଇଁ କହିଲେ—ଆଜି ଥାଉ ଆଉଦିନେ ହେବ । ‘କ୍ୟା ଡର୍‌ଗିୟା ?’ ସିନ୍‌ହା ପରିହାସ ତରଳ କଣ୍ଠରେ ମନ୍ତବ୍ୟ କଲେ । ଯୋଶୀ କିଛି ଉତ୍ତର ଦେଲେ ନାହିର୍ । କିନ୍ତୁ ଲୀନା ଚପଳଭାବେ କହି ଉଠିଲା—‘ଯୋ ଡରଗିୟା ଓ ମରଗିୟା’ । କହି ସେ ଖିଲଖିଲ କରି ହସିଉଠିଲା । ତା ହସରେ ସମସ୍ତେ ଯୋଗଦେଇ ଏକ ଅସ୍ୱସ୍ତିକର ପରିବେଶକୁ ହସରେ ଉଡ଼ାଇଦେଲେ । ମିଷ୍ଟର ମିଶ୍ର କହିଲେ—ଠିକ୍‌ ଅଛି ସେ ସବୁ ଆଉଦିନେ ହବ । ବର୍ତ୍ତମାନ ସମସ୍ତଙ୍କୁ ସାମାନ୍ୟ ଚା ପାନରେ ଆର୍ପ୍ୟାୟତ କର ମିସ୍‌ ଲୀନା । ‘ଓ—ଡାଡି । ସାର୍ଟେନଲ’ କହି ଲୀନା ଚା ବନ୍ଦୋବସ୍ତ କରିବାକୁ ଉଠିଗଲା । ମିଷ୍ଟର ମିଶ୍ର ପୁଣି ତାଙ୍କ ଅସମାପ୍ତ ଗପ ଆରମ୍ଭ କରିଦେଲେ ।

 

ମିଷ୍ଟର ମିଶ୍ର ଜଣେ ଭୀଷଣ ଗପୁଡ଼ି ମଣିଷ ଥିଲେ । ବନ୍ଧୁମେଳରେ କିମ୍ବା ପାରିବାରିକ ଆସରକୁ ଗପ କରି ଜମେଇ ଦେବାରେ ସେ ସିଦ୍ଧହସ୍ତ ଥିଲେ । ବନ୍ଧୁମାନେ କୁହନ୍ତି ସେ ତ ତାଙ୍କର ଗପିବାଟାକୁ ଆର୍ଟ ପର୍ଯ୍ୟାୟକୁ ନେଇ ଯାଇଥିଲେ । ମିଷ୍ଟର ମିଶ୍ର ସାମାନ୍ୟ ସୁଯୋଗ ଓ ଜଣେମାତ୍ର ଶ୍ରୋତା ପାଇଲେ ଗପିବା ଆରମ୍ଭ କରି ଦିଅନ୍ତି । ସ୍ଥାନ କାଳ ପାତ୍ର ସମ୍ବନ୍ଧରେ ତାଙ୍କର ହୋସ ରହେନା । ପ୍ରାସଙ୍ଗିକ ଅପ୍ରାସଙ୍ଗିକ ଯେ କୌଣସି ବିଷୟରେ ସେ ଗଳ୍ପ ଯୋଡ଼ିଦେଇ ପାରନ୍ତି । ସେ ଗପିବା ବେଳେ ଶ୍ରୋତାର ମତାମତ ପ୍ରତି ବିଶେଷ ଧ୍ୟାନ ଦିଅନ୍ତି ନାହିଁ; କିନ୍ତୁ ସେ କଦାପି କୌଣସି ଶ୍ରୋତାକୁ ବୋର ବା ବିରକ୍ତ ହେବାର ସୁଯୋଗ ଦିଅନ୍ତି ନାହିଁ । ଯଦି ତାଙ୍କ ଗଳ୍ପ ଶୁଣୁ ଶୁଣୁ କୌଣସି ଶ୍ରୋତା ସାମାନ୍ୟତମ ଅମନୋଯୋଗୀ ହେବାର ସେ ଲକ୍ଷ୍ୟ କରନ୍ତି ତତ୍‌କ୍ଷଣାତ୍ ସେ ପ୍ରସଙ୍ଗ ବଦଳାଇ ଦିଅନ୍ତି ।

 

ମିଶ୍ର ସାହେବଙ୍କ ଗଳ୍ପ ସାଧାରଣତଃ ନିଜକୁ ନେଇ କିମ୍ବା ନିଜ ଅନୁଭୂତିକୁ ନେଇ । ବେଳେବେଳେ ସେ ଗପ କରୁ କରୁ ଘଟଣାରୁ ସମ୍ପୂର୍ଣ୍ଣ ଦୂରେଇ ଯାଇ କଳ୍ପନା ଭିତରେ ହଜିଯାନ୍ତି । କିନ୍ତୁ କାଳ୍ପନିକ କାହାଣୀକୁ ସତ୍ୟ ବୋଲି ପ୍ରତିପାଦିତ କରିବାର କ୍ଷମତା ତାଙ୍କର ଥିଲା । ତେଣୁ ସେ ଯେତେବେଳେ କୁହନ୍ତି ଯେ ବିଲାତରେ ପାଠ ପଢ଼ୁଥିବା ବେଳେ ଥରେ ଗୋଟାଏ ରେସ୍ତୁରା’ରେ କଳା ଗୋରା ଭେଦଭାବର ପ୍ରତିବାଦ ସେ କରିଥିଲେ । ଏଥିରେ ଉତ୍ତ୍ୟକ୍ତ ହୋଇ କେତୁଟା ଗୋରା ଯୁବକ ତାଙ୍କୁ ଆକ୍ରମଣ କରିବାପାଇଁ ଉଠିଆସିଲେ । ମିଶ୍ର ସାହେବ ବାଛି ବାଛି ସବୁଠାରୁ ଷଣ୍ଢମାର୍କା ଇଂରେଜ ଟୋକା ନାକ ଉପରେ ଏପରି ଏକ ପ୍ରଚଣ୍ଡ ଘୁଷି ମାରିଲେ ଯେ ଯିଏ ଯୁଆଡ଼େ ଛତ୍ରଭଙ୍ଗ ଦେଇ ପଳାଇଲେ । କିମ୍ବା ସେ କୁହନ୍ତି ନେତାଜୀ ସୁଭାଷ ବୋଷଙ୍କ ସଙ୍ଗେ ତାଙ୍କର ସୌହାର୍ଦ୍ଦ୍ୟ ଥିଲା-। ସେ ତାଙ୍କଠାରୁ ଜାପାନରୁ ବି ଚିଠି ପାଉଥିଲେ । ୧୯୪୨ର ଭାରତଛାଡ଼ ଆନ୍ଦୋଳନ ବେଳେ ସେ ଜୟପ୍ରକାଶଜୀଙ୍କୁ ପ୍ରତ୍ୟକ୍ଷ ସାହାଯ୍ୟ କରୁଥିଲେ ଅଥବା କ୍ରିକେଟ ତାରକା ସାର ଡନବ୍ରେଡ଼ମ୍ୟାନଙ୍କ ସଙ୍ଗେ ତାଙ୍କର ଭାରି ଦୋସ୍ତି ଥିଲା । ଏକଥା ଶୁଣୁଥିବା ଲୋକେ ଅବିଶ୍ୱାସ କରନ୍ତି କିନ୍ତୁ ମିଛ ବୋଲି ପ୍ରତିବାଦ କରି ପାରନ୍ତି ନାହିଁ । ମିଛ ବା ଗାଲୁକୁ ସତ ବୋଲି ଚଳେଇ ନେବାର ଦକ୍ଷତା ତାଙ୍କର ଥିଲା । ତେଣୁ ଯେ କୌଣସି ଗଳ୍ପ ଆସରରେ ସେ ଜଣେ ମୂଲ୍ୟବାନ୍‌ ବ୍ୟକ୍ତି ଥିଲେ ।

 

ମିଷ୍ଟର ମିଶ୍ରଙ୍କ ଗଳ୍ପ ଭିତରେ କେତେବେଳେ ମିସେସ ମିଶ୍ର, ଶୋଭନା ଓ ଲୀନା ଉଠିଯାଇଚନ୍ତି ସୁବୋଧନନାଙ୍କର ଖିଆଲ ନ ଥିଲା । ହଠାତ୍ ଜଣେ ଚାକର ଆଣି ଡ୍ରିଙ୍କସ୍ ବୋତଲ, ଆଇସ ଫ୍ଲାକ୍‌ସ, ସୋଡ଼ା ଆଦି ଥୋଇବାରୁ ସେ ସଚକିତ ହୋଇ ଦେଖିଲେ ପୁରୁଷମାନଙ୍କୁ ସୁବିଧାରେ ପାନ କରିବାର ସୁଯୋଗ ଦେବାପାଇଁ ମହିଳାମାନେ ସ୍ୱେଚ୍ଛାକୃତ ଭାବେ ଅପସରି ଯାଇଛନ୍ତି ଡ୍ରିଙ୍କସ ଆସିବାର ଦେଖି ମିଷ୍ଟର ମିଶ୍ର ଉଲ୍ଲସିତ ହୋଇ ଉଠିଲେ ।

 

‘ଭେରି ଗୁଡ଼୍—କୁହ ଯୋଶୀ ସିନ୍‌ହା ତୁମର କଣ ଚଳିବ ?’

 

‘ଏନିଥିଙ୍ଗ—ଆପଣ ପଞ୍ଚ୍ କରିଥିବା ଯେ କୌଣସି ପାନୀୟ ଆମର ପ୍ରିୟ ।’ ଯୋଶୀ ଉତ୍ତର ଦେଲେ ।

 

ଠିକ୍ ଅଛି । ତୁମକୁ ଆଜି ମୁଁ ବଢ଼ିଆ କକଟେଲ ଦେବି । ତୁମର ସୁବୋଧ ?’ ମିଷ୍ଟର ମିଶ୍ର ସୁବୋଧ ଦାଶଙ୍କୁ ପଚାରିଲେ ।

 

‘ମୁଁ ଡ୍ରିଙ୍କ କରେନା । ମୋର କିଛି ଦରକାର ନାହିଁ ।’ ସପ୍ରତିଭ ଭାବେ ସୁବୋଧ ଦାଶ ଉତ୍ତର ଦେଲେ ।

 

‘କି ଆଶ୍ଚର୍ଯ୍ୟ ? ତୁମେ ଏ ଯୁଗର ୟଂ ମ୍ୟାନ ହୋଇ ବି ଡ୍ରିଙ୍କ୍ କରନି ? ତେବେ କିଛି ସଫଟ୍ ଚଳିବ ? ସାମଥିଂ ଏପିଟାଇଜାର୍.....

‘ନା—’

‘ବିୟାର ?’

‘ନା ସାର, ମୋତେ କ୍ଷମା କରନ୍ତୁ ।’

ତୁମେ ତେବେ ଏକବାରେ ଟିଟୋଟାଲ । ଠିକ୍‌ ଅଛି, ‘ବେହେରା । ଦାଶସାହାବଙ୍କ ପାଇଁ କିଛି କୋଲଡ଼୍ ଡ୍ରିଙ୍କ ଆଣ ।’

ବେହେରାକୁ ନିର୍ଦ୍ଦେଶ ଦେଇ ମିଶ୍ର ସାହେବ ବିଭିନ୍ନ ମଦ ମିଶାଇ କକଟେଲ ପ୍ରସ୍ତୁତ କରିବାରେ ମନୋନିବେଶ କଲେ ।

ପାନପର୍ବ ଶେଷ ହେବା ବେଳକୁ ଶୋଭନା ଆସି ଘୋଷଣା କଲେ, ‘ଡିନାର ରେଡ଼ି । ଆସ ଡାଡି—ତେଣେ ସବୁ ଥଣ୍ଡା ହେଉଚି ।’

ହଉ ଚାଲ ମା’ କହି ମିଶ୍ର ସାହେବ ଉଠିଲେ । ଅନ୍ୟମାନେ ତାଙ୍କୁ ଅନୁସରଣ କଲେ ।

ରାଜକୀୟ ରାତ୍ରି ଭୋଜନର ଆୟୋଜନ କରିଥିଲେ ମିସେସ ମିଶ୍ର । ଟିକିଏ ଆଗରୁ ଆକଣ୍ଠ ପାନ କରିଥିବା ଦିଲୀପ ଯୋଶୀ କିମ୍ବା ସୁରଜିତ ସିନ୍‌ହା କାହାରି ଖାଇବାରେ ଆଗ୍ରହ ନ ଥିଲା । ସେମାନଙ୍କ ଏକମାତ୍ର ଆଗ୍ରହ ଓ ଉତ୍କଣ୍ଠା ଥିଲା ଶୋଭନାଙ୍କ ସାନ୍ନିଧ୍ୟ ପାଇଁ; କିନ୍ତୁ ନିଶାଗ୍ରସ୍ତ ହେଲେ ବି ସେମାନେ ବୁଝି ପାରୁଥିଲେ ଶୋଭନା ଆଜି ନୂତନ ଅତିଥି ସୁବୋଧ ଦାଶଙ୍କ ପ୍ରତି ବେଶୀ ମନୋଯୋଗୀ । ଯେପରିକି ନିଜର ଶାଣିତ ବ୍ୟକ୍ତିତ୍ୱ ଓ ଦୀପ୍ତ ପୌରଷ ବଳରେ ହୀରାକୁଦ ପ୍ରୋଜେକ୍ଟର ସାମାନ୍ୟ ଆସିଷ୍ଟାଣ୍ଟ ଇଞ୍ଜିନିୟର ସୁବୋଧ ଦାଶ ବୁଲାଇ ଶ୍ରେଷ୍ଠ ଗୋଲାପ କଳିକାଟି ଅନାୟାସରେ ତୋଳିନେଇ ନିଜ ବଟନ ହୋଲରେ ଗୁଞ୍ଜି ଦେଇ ପାରିଚି ।

ଭୋଜନ ପର୍ବ ଶେଷ ହେବାପରେ ସିନ୍‌ହା, ଯୋଶୀ ଉଭୟେ ମୁହଁରେ ହାଭାନା ସିଗାର ଗୁଞ୍ଜି କାରରେ ବସି ଚାଲିଗଲେ । ସେମାନେ ଉଭୟେ ସମ୍ବଲପୁରରେ ରହନ୍ତି । ସେମାନଙ୍କ ଯିବା ବାଟକୁ ଚାହିଁ ମିଶ୍ର ସାହେବ ସ୍ୱଗତୋକ୍ତି କଲାଭଳି କହିଲେ—‘ଦୁଇଜଣଯାକ ବେଶ ଟିପ୍‌ସ ହୋଇ ଯାଇଚନ୍ତି । ଭଲରେ ସମ୍ବଲପୁର ପହୁଞ୍ଚିଲେ ଯାଇ ରକ୍ଷା’ ତାପରେ ହଠାତ୍‌ ସୁବୋଧନନାଙ୍କ ଆଡ଼େ ଚାହିଁ କହିଲେ—‘ସୁବୋଧ, ତୁମେ ତ ଗାଡ଼ି ଆଣିନ ଯିବ କେମିତି ?’

‘ମୋ କ୍ୱାଟରସ ତ ନିକଟରେ । ଚାଲିଯିବ । ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ ।’

‘ନା-ନା ଅନେକ ରାତି ହେଲାଣି । ନିଛାଟିଆ ରାସ୍ତା, ମଦୁଆ ଗୁଣ୍ଡାଙ୍କ ଉପଦ୍ରବ, ତୁମେ ଏକା କେମିତି ଯିବ ? ରୁହ ଭାଲୁକୁ ଡାକି ଦେଉଚି ସେ ତୁମ ସଙ୍ଗରେ ଯାଇ ଛାଡ଼ିଦେଇ ଆସିବ ।’

ମିଶ୍ରସାହେବ ଭାଲୁ କୁ କହିବା ପାଇଁ ଭିତରକୁ ଚାଲିଗଲେ ।

ସୁବୋଧ ଦାଶ ଏକା ଛିଡ଼ା ହୋଇ ରହିଲେ ।

ନା-ଏକା ନୁହେଁ ଶୋଭନା ମିଶ୍ର ବି ଛିଡ଼ା ହୋଇଥିଲେ ।

କିନ୍ତୁ ଉଭୟେ ନୀରବ—ଏକାବେଳେ ଚୁପ୍‌ଚାପ୍ ।

ଶୋଭନା ମିଶ୍ରଙ୍କ ଭିତରେ ସୁବୋଧ ଦାଶଙ୍କ ପାଇଁ ଅନେକ କଥା ଜମା ହୋଇ ରହିଥିଲା । ତାଙ୍କୁ ନିରୋଳାରେ ପାଇଲେ ଅନେକ କଥା କହିବା ପାଇଁ ସେ ମନେ ମନେ ଠିକ୍‌ କରିଥିଲେ । କିନ୍ତୁ ସେ ସୁଯୋଗ ପାଇ ବି ସେ ତାର ସଦ୍‌ବ୍ୟବହାର କରି ପାରିଲେ ନାହିଁ । ସୁବୋଧ ଦାଶ ମଧ୍ୟ ଏଭଳି ଏକ ନିଜନ ପରିବେଶରେ ଶୋଭନାଙ୍କ ସାନ୍ନିଧ୍ୟ କାମନା କରୁଥିଲେ । କିନ୍ତୁ ତାଙ୍କୁ ନିକଟରେ ଏକା ପାଇ ସେ ମନେ ପକାଇ ପାରିଲେ ନାହିଁ କାହିକିଁ ସେ ଶୋଭନାଙ୍କ ସାନ୍ନିଧ୍ୟ କାମନା କରୁଥିଲେ । ବଙ୍ଗଳା ହତାରେ କେଉଁଠି ହେନା କିମ୍ବା କାମିନୀ ଫୁଲ ଫୁଟିଥିଲା । ସେଇ ଫୁଲର ମହକରେ ନିଶୀଥର ପବନ ଭାରି ହୋଇ ଉଠୁଥିଲା । ନା—ଫୁଲ ମହକ ନୁହେଁ ସେମାନେ ଉଭୟ ଉଭୟଙ୍କ ମନର ସୁବାସକୁ ପ୍ରାଣଭରି ଆଘ୍ରାଣ କରୁଥିଲେ ।

 

ପୁରୁଷ ବନ୍ଧୁଙ୍କ ମେଳରେ ଅତ୍ୟନ୍ତ ସପ୍ରତିଭ ଓ ବାକ୍‌ପଟୁ ଶୋଭନାଙ୍କ କଣ୍ଠରୁ କିଏ ଯେମିତି ଭାଷା ହରିନେଇଥିଲା । ସେ ବହୁ ଚେଷ୍ଟା କରି ଯେମିତି ପ୍ରଥମେ କଥା କହିଲେ ‘କାଲି ଆସିବେ ?’

 

‘ଆସିବି ।’ ଅସ୍ଫୁଟ ଭାବେ ସମ୍ମତି ଜଣାଇଲେ ସୁବୋଧ ଦାଶ

 

‘ଲୀନା କହୁଚି ଆପଣଙ୍କ ପାଖରୁ ବ୍ୟାଡ଼ମିଣ୍ଟନ କୋଚିଂ ନେବ ।’

 

Unknown

‘ତୁମେ ନେବନି ?’ ସସ୍ମିତ ଭାବେ ସୁବୋଧ ଦାଶ ପଚାରିଲେ ।

 

‘ନା—’

 

‘କାରଣ ?’

 

‘ମୁଁ ଆପଣଙ୍କ ପାର୍ଟନାର ହୋଇ ମିକ୍‌ସଡ଼ ଡବଲସ୍ ଖେଳିବି ?’ କହି ଶୋଭନା ମିଶ୍ର ମଧୁର ଝଙ୍କାର ତୋଳି ହସି ଉଠିଲେ ।

 

‘ବେଶ ତ....ମଞ୍ଜୁର ।’

 

ସୁବୋଧ ଦାଶଙ୍କ ସମ୍ମତି ଶୁଣିବା ପାଇଁ ଶୋଭନା ଅପେକ୍ଷା କରି ନ ଥିଲେ । ତାଙ୍କୁ କାହିଁକି ଲାଜ ଲାଗିଲା । ସେ ସୁବୋଧ ଦାଶଙ୍କ ଠାରୁ ବିଦାୟ ନେବା କଥା ବି ଭୁଲିଯାଇ ପଳାଇଗଲେ ।

 

ସୁବୋଧ ଦାଶ ଶୋଭନାଙ୍କୁ ଖୋଜି ଫେରି ଚାହିଁଲା ବେଳକୁ ଦେଖିଲେ ଆପାଦମସ୍ତକ କମ୍ବଳାବୃତ ହୋଇ ହାତରେ ଗୋଟାଏ ମୋଟା ଠେଙ୍ଗା ଓ ଲଣ୍ଠନ ଧରି ଭାଲୁ ପଟେଲ ଛିଡ଼ା ହୋଇଚି । ସୁବୋଧନନା ଭାଲୁକୁ ଚାହିଁ ହସିଉଠି କହିଲେ, ‘‘କିରେ ଭାଲୁ ସର୍ଦ୍ଦାର, ଏତେ ମୋଟା ଲାଠି କାହିଁକି ଧରିଚୁ ?’

 

‘ରାସ୍ତାରେ ବହୁତ କୁକୁର ହଜୁର । ଲାଠି ନ ଧରିଲେ ଚାବିବାକୁ ଧାଇଁବେ.... ।’

 

‘ଆଚ୍ଛା ଆଚ୍ଛା’ କହି ଭାଲୁକୁ ସମର୍ଥନ ଜଣାଇ ସୁବୋଧନନା ଚାଲିବାକୁ ଲାଗିଲେ । ଭାଲୁ ତାଙ୍କ ଦେହରକ୍ଷୀ ଭାବେ ସାବଧାନତା ସହକାରେ ଚାରିଆଡ଼କୁ ଅନାଇ ଅନାଇ ଚାଲିବାକୁ ଲାଗିଲା-

 

ସେଦିନ ରାତିରେ ସୁବୋଧନନା ଏକ ନିବିଡ଼ ଆନନ୍ଦରେ ନିମଗ୍ନ ହୋଇ ରହିଲେ । ନିଜର ପୌରୁଷ ବଳରେ ଏକ ଆକାଂକ୍ଷିତା ନାରୀର ହୃଦୟ ଜୟ କରିଥିବା ବିଷୟରେ ସେ ନିଃସନ୍ଦେହ ଥିଲେ । ସେ ଆନନ୍ଦ ତାଙ୍କୁ ଦିଗ୍‌ବିଜୟର ଆନନ୍ଦ ଦେଇଥିଲା । ତାଙ୍କର ମନେ ହେଲା ତାଙ୍କ ଜୀବନରେ କ୍ୟାରାଭାନ ବହୁଦିନ ପରେ ଊଷର ମରୁଭୂମି ଅତିକ୍ରାନ୍ତ କରି ଯେପରି ଏକ ହରିତ୍ ଛାୟାଘନ ମରୁଦ୍ୱୀପର ସନ୍ଧାନ ପାଇଚି ।

 

ଶୋଭନା ମିଶ୍ର ସୁବୋଧ ଦାଶଙ୍କ ଜୀବନର ପ୍ରଥମ ନାରୀ । ପ୍ରଥମ ପ୍ରେମର ଲଜ୍ଜାବିଜଡ଼ିତ ଛନ୍ଦରେ ସେ ଆତ୍ମହରା ହୋଇ ପଡ଼ିଥିଲେ ।

 

ହୁଏତ ତାଙ୍କ ଜୀବନରେ ଆଉଜଣେ ନାରୀର ଭୂମିକା ଥିଲା । ଆଉଜଣେ କୁମାରୀ ତାଙ୍କୁ ସର୍ବାନ୍ତଃକରଣରେ ପତିରୂପେ ବରଣ କରି ପ୍ରତି ସନ୍ଧ୍ୟାରେ ଚଉରାମୂଳରେ ସଞ୍ଜପ୍ରଦୀପ ଜାଳି ତାଙ୍କ ଶୁଭ ମନାସୁଥିଲା । ସେ କଥା ସୁବୋଧନନା ଜାଣିଥିଲେ । କିନ୍ତୁ ସୁବୋଧନନାଙ୍କ ନିକଟରେ ମୀନାନାନୀଙ୍କର କୌଣସି ପାର୍ଥିବ ଆବେଦନ ନଥିଲା । ସୁବୋଧନନାଙ୍କ ପାଖରେ ମୀନାନାନୀ ଥିଲେ ସଂସାରର ଅନ୍ୟ ବହୁ ଝିଅଙ୍କ ଭଳି ସାଧାରଣ ଝିଅ । ପ୍ରଭେଦ ଭିତରେ ତାଙ୍କ ସହ ସୁବୋଧନନାଙ୍କର ବିବାହ ସ୍ଥିର ହୋଇଚି । କିନ୍ତୁ ବର୍ତ୍ତମାନର ପରିପ୍ରେକ୍ଷୀରେ ମୀନାନାନୀ ସୁବୋଧନନାଙ୍କ ନିକଟରେ ନିଷ୍ପ୍ରଭ ହୋଇ ଯାଇଥିଲେ । ତାଙ୍କ ଜୀବନକୁ ଏକ ସ୍ନିଗ୍‌ଧ ଆଲୋକରେ ଆଲୋକିତ କରିଥିଲେ ଅନ୍ୟ ଏକ ଉଜ୍ଜ୍ୱଳ ତାରକା—ସୁଶ୍ରୀ, ଶିକ୍ଷିତା ଓ ସୁଶୋଭନା ଶୋଭନା ମିଶ୍ର-

 

ସୁବୋଧନନା ଆଉ ଶୋଭନା ମିଶ୍ରଙ୍କ ଅନ୍ତରଙ୍ଗତାର ସମ୍ବାଦ କାଲି ବୁର୍ଲାର ଛୋଟ କଲୋନୀର ସୀମିତ ହୋଇ ରହି ନଥିଲା । ତୁଣ୍ଡବାଇଦର ଶକ୍ତିଶାଳୀ କାର୍ଯ୍ୟଦକ୍ଷତା କଲ୍ୟାଣରୁ ଏହି ଦରକାରୀ ସମ୍ବାଦଟି ଆମ ସହରରେ ପହଞ୍ଚି ଯାଇଥିଲେ । ବିଶ୍ୱନାଥବାବୁ ଏକଥା ଶୁଣି ସାମାନ୍ୟ ଚିନ୍ତିନ୍ତ ହୋଇଥିଲା । ସେ ଉଡ଼ାଖବରଟିକୁ ମନେ ମନେ ଆଲୋଚନା କରି ଏ ଘଟଣା ଯେ ସୁବୋଧର ବିଭାଘର ଘୁଞ୍ଚାଇବା ନିମନ୍ତେ ଯୁକ୍ତି ପାଇଁ ଦାୟୀ ତାହା ସ୍ଥିର କରି ବିଚଳିତ ହୋଇ ପଡ଼ିଥିଲେ । ବିଶ୍ୱନାଥବାବୁ ବିଳମ୍ବ ନ କରି ଭଗବାନସାରଙ୍କୁ ଡକାଇ କହିଲେ—‘ପଣ୍ଡିତ ମହାଶୟ, ସୁବୋଧ କହିବା ଅନୁସାରେ ତ ଛ ମାସ ଅପେକ୍ଷା କଲି । ଏଥର ଶୁଭକର୍ମ ସମାପନ କରିବା ପାଇଁ ଉଦ୍ୟୋଗ କଲେ ଭଲ ହୁଅନ୍ତା ବୋଲି ମୁଁ ଭାବୁଚି ।’

 

‘ଆମେ ବି ତ ସୁବୋଧର ବିବାହ ପାଇଁ ବ୍ୟସ୍ତ ହେଲୁଣି । ହେଲେ ସେ ତ ଜମା ରାଜି ହେଉନି, ଖାଲି ଟାଳୁଛି ।’ ଭଗବାନସାର ହେଡ଼ମାଷ୍ଟରଙ୍କ ଦୁଶ୍ଚିତା ସମ୍ୱନ୍ଧରେ ଅବହିତ ନ ଥିଲେ । ସେ ତାଙ୍କ ସ୍ୱଭାବସୁଲଭ ପ୍ରଶାନ୍ତ ହସ ହସି ଉତ୍ତର ଦେଲେ ।

 

‘ତାର ତ ବିଭାଘର ଘୁଞ୍ଚାଇବା ପାଇଁ ସେପରି କିଛି ବାଧା ନାହିଁ । ତେବେ ତାର ଅରାଜି ହେବାର କାରଣ ବୁଝିଛନ୍ତି ?’

 

‘କାରଣ ଆଉ କଣ ? ହାତରେ କିଛି ଟଙ୍କା ପଇସା ହେଉ—ଘରଟା ଟିକିଏ ମରାମତି ହେଉ... ଏହି ପ୍ରକାର ସବୁ କହୁଚି ।’

 

‘କିନ୍ତୁ ଏସବୁ ତ ସେମିତି ବଡ଼ କଥା କିଛି ନୁହେଁ । ସୁବୋଧ ଚାହିଁଲେ ସେସବୁ କରିପାରିବ । ତେବେ ମୁଁ ଯାହା ଶୁଣୁଚି ସେ କଥା କଣ ସତ ?’

 

‘କଣ ଶୁଣୁଛନ୍ତି ଆପଣ ?’ ସାମାନ୍ୟ ଉତ୍କଣ୍ଠଭରା ଗଳାରେ ଭଗବାନସାର ପଚାରିଲେ ।

 

‘ଅବଶ୍ୟ ସେ ସବୁ ଶୁଣା କଥା । ଗୁଜବ ବି ହୋଇପାରେ, ତଥାପି’—କହି ବିଶ୍ୱନାଥବାବୁ ଟିକିଏ ଚୁପ୍ ରହିଲେ । ତା ପରେ ଗଳା ସଫାକରି କହିଲେ, ‘ଶୁଣୁଚି ସୁବୋଧ କାଳେ ସେଠାରେ ନିଜେ ପାତ୍ରୀ ସ୍ଥିର କରିଚି ।’

 

ଭଗବାନସାରଙ୍କ କାନରେ ବି ଏ କଥା ପଡ଼ିଥିଲା । କିନ୍ତୁ ସେ ସେ କଥାକୁ ଗୁରୁତ୍ୱ ଦେଇ ନ ଥିଲେ । କିନ୍ତୁ ଆଜି ବିଶ୍ୱନାଥବାବୁଙ୍କ ମୁହଁର କଥା ଶୁଣି ତାଙ୍କର ମନେହେଲା ହୁଏତ କଥାଟା ସତ । ତେଣୁ ସେ ସହସା ପ୍ରତିବାଦ କରି କହି ପାରିଲେ ନାହିଁ—‘ନା ନା ବିଶ୍ୱନାଥବାବୁ, ଆପଣ ଭୁଲ ଶୁଣିଛନ୍ତି । ସୁବୋଧ ସେମିତି ପିଲା ନୁହେଁ । ତାକୁ ମୁଁ ହାତରେ ଗଢ଼ି ମଣିଷ କରିଚି । ଭାରି ଶକ୍ତି ମୂଳଦୁଆ ତାର । ସେ ଏପରି କାମ କରିବନି । ସେ ଜାଣେ ମୁଁ ଆପଣଙ୍କୁ ଜବାବ ଦେଇଚି—ସତ୍ୟ କରିଚି । ମୋତେ କେବେ ସେ ସତ୍ୟଭ୍ରଷ୍ଟ କରାଇବ ନାହିଁ ।’

 

ଭଗବାନସାର କିଛି କହି ପାରିଲେ ନାହିଁ । ଖାଲି କେତେ ସମୟ ନିସ୍ତେଜଭାବେ ବିଶ୍ୱନାଥବାବୁଙ୍କୁ ଚାହିଁ ରହିଲେ । ତାପରେ ଧୀର ସ୍ୱରରେ କହିଲେ—‘ନର ମାୟା ନାରାୟଣଙ୍କୁ ଅଗୋଚର । ମୁଁ ତ ଏ ବିଷୟ କିଛି ଜାଣେନା ।’

 

ଭଗବାନସାରଙ୍କ କଥା ଶୁଣି ବିଶ୍ୱନାଥବାବୁ ବିରକ୍ତ ହେଲେ । ସେ ତାଙ୍କର ବିରକ୍ତିକୁ ଗୋପନ ନ କରି କହିଲେ, ‘ଆପଣ ନ ଜାଣିଲେ କେମିତି ଚଳିବ ପଣ୍ଡିତ ମହାଶୟ ? ଏ ସମ୍ବନ୍ଧରେ ଆପଣ ଖବର ନେବା ଉଚିତ । ଆପଣ ପୁଅ ବାପ । କିନ୍ତୁ ମୋର ତ ଝିଅ । ଦାୟିତ୍ୱ ମୋର । ଦୁଶ୍ଚିତା ମୋର । ସୁବୋଧ ଯଦି ବିଭା ହେବାକୁ ରାଜି ନ ଥାଏ ତେବେ ସଫା ଜଣାଇ ଦେବା ଉଚିତ-। ତାହେଲେ ମୁଁ ଆଉ କେଉଁଠି ଆଖି ପକାନ୍ତି । ମୁଁ ଆପଣଙ୍କ ଭରସାରେ ରହି ଚୁପ ହୋଇ ହାତବାନ୍ଧି ବସିଚି ।’

 

ହେଡ଼ମାଷ୍ଟରଙ୍କ କଥା ଶୁଣି ଭଗବାନସାର ମର୍ମାହତ ହେଲେ । କାରଣ ତାଙ୍କର ଦୋଷ ତ୍ରୁଟି ଦେଖାଇ ତାଙ୍କୁ ଆଜିଯାଏ କେହି ଏପରି କଟୂକ୍ତି କରି ନ ଥିଲେ । କିନ୍ତୁ ହେଡ଼ମାଷ୍ଟରଙ୍କ କଥାରେ ପ୍ରତିବାଦ କରିବାର କିଛି ନ ଥିଲା । ସେ ସତ କଥା କହୁଚନ୍ତି । ଭଗବାନସାର କେତେ ସମୟ ନୀରବ ରହି କହିଲେ, ‘ପ୍ରକୃତରେ ଘୋର ଭୁଲ ହୋଇଚି । ତେବେ ସୁବୋଧକୁ ପଚାରି ମୁଁ ଆପଣଙ୍କୁ ସବୁ କଥା ଜଣାଇବି । ମୋର ଏବେ ବି ବିଶ୍ୱାସ ହେଉଚି ଆମକୁ ନ ପଚାରି ସୁବୋଧ ସେପରି କିଛି ନିଷ୍ପତ୍ତି ନେବ ନାହିଁ ।’

 

ଭାରାକ୍ରାନ୍ତ ମନ ନେଇ ଭଗବାନସାର ସେଦିନ ଘରକୁ ଫେରିଲେ । ତାଙ୍କର ମନ ହେଉଥିଲା ହେଡ଼ମାଷ୍ଟରଙ୍କ ପାଖରୁ ଯାହା ଶୁଣିଲେ ସେକଥା ସେ ସୁବା ବୋଉକୁ କହି ମନର ଭାରାକୁ ଟିକିଏ ହାଲୁକା କରନ୍ତେ । କିନ୍ତୁ ମାଷ୍ଟରାଣୀ ମାଉସୀଙ୍କ ଦେହ କଥା ଭାବି ନିଜ ଇଚ୍ଛାକୁ ଦମନ କଲେ । ମାଉସୀଙ୍କର ଗତି କେତେଦିନ ହେବ ଦେହ ଭଲ ନ ଥିଲା । ଦିନେ ହଠାତ୍ ତାଙ୍କ ଛାତିରେ ଯନ୍ତ୍ରଣା ହେଲା । ନିଃଶ୍ୱାସ ରୁନ୍ଧିହୋଇ ହାତ ପିଠି ସବୁ ଭୀଷଣ ବିନ୍ଧିଲା । ତାପରେ ସେ ବଡ଼ ଦୁର୍ବଳ ହୋଇ ପଡ଼ିଛନ୍ତି । ସୁବୋଧ କଥା ଶୁଣି କାଳେ ସେ ବ୍ୟସ୍ତ ହୋଇ ପଡ଼ିବେ ଭାବି ଭଗବାନସାର ଚୁପ ହୋଇଗଲେ । କିନ୍ତୁ ଭଗବାନସାରଙ୍କ ଚିନ୍ତାକୁଳ ଗମ୍ଭୀର ଚେହେରା ଦେଖି ମାଷ୍ଟରାଣୀ ମାଉସୀ ବିଷୟଟିକୁ ଅନୁମାନ କରିଥିଲେ । ସେ ଆଗ ପଚାରିଲେ, ‘ହେଡ଼ମାଷ୍ଟ୍ରେ କାହିଁକି ଡକାଇଥିଲେ କି ?’

 

‘ସେଇ ସୁବା ବିଭାଘର କଥା...’

 

‘ସେ ତ ଅବିକା ବିଭା ହେବାକୁ ରାଜି ହେଉନି । କହିଲନି ଆଉ ଟିକିଏ ଅପେକ୍ଷା କରିବାକୁ ।’

 

‘ନା—ସେମାନେ ଆଉ ଅପେକ୍ଷା କରିବାକୁ ରାଜି ନୁହନ୍ତି । ତୁମେ ସୁବୋଧର ମତାମତ ପଚାରି ଜଲ୍‌ଦି ଚିଠି ଦିଅ ।’

 

ଭଗବାନସାର ଏକଥା କହି ନିତ୍ୟକର୍ମ କରିବା ପାଇଁ ବାହାରି ଯାଇଥିଲେ । କିନ୍ତୁ ତାଙ୍କୁ ମନ ହାଲୁକା ହେଲା ନାହିଁ । ସେ କେବଳ ବାରମ୍ବାର ନିଜ ମନକୁ ପ୍ରବୋଧ ଦେବାପାଇଁ ଚେଷ୍ଟାକଲେ ‘ନା’—ମୋତେ ନ ପଚାରି ସୁବୋଧ ସେମିତି କିଛି ନିଷ୍ପତ୍ତି ନେବ ନାହିଁ ।’ କିନ୍ତୁ ଭଗବାନସାର ଜାଣି ନ ଥିଲେ । ସୁବୋଧନନା ସେତେବେଳକୁ ନିଷ୍ପତ୍ତି ନେଇ ସାରିଥିଲେ; ତେଣୁ ଅଳ୍ପଦିନ ଭିତରେ ସୁବୋଧନନାଙ୍କ ଉତ୍ତର ପାଇ ଭଗବାନସାର ସ୍ତବ୍‌ଧ ହୋଇ ଯାଇଥିଲେ । ସୁବୋଧନନା ଚିରାଚରିତ ଭାବେ ମାଉସୀଙ୍କ ପାଖକୁ ଉତ୍ତର ଦେଇଥିଲେ । ସେ ଲେଖିଥିଲେ–‘ବୋଉ, ସହସା ବିଭା ହେବାରେ ଅସୁବିଧା କଥା ତ ତୋତେ କହିଚି । ତେଣୁ ଅପେକ୍ଷା କରିବାକୁ ଯଦି ସେମାନେ ରାଜି ନୁହନ୍ତି ତେବେ କଣ କରାଯିବ ? ସେମାନେ ଅନ୍ୟତ୍ର ପାତ୍ର ସ୍ଥିର କରି ପାରନ୍ତି, ଆମର ବାଧା ଦେବା ଉଚିତ ନୁହେଁ....’

 

ଚିଠି ପଢ଼ି ଭଗବାନସାର ଅନେକ ସମୟ ଚୁପ ହୋଇ ବସି ରହିଲେ । ତାପରେ ନିଜ ମନର ସଂଶୟ ଆଉ ଚାପି ନ ପାରି ମାଉସୀଙ୍କୁ ପଚାରିଲେ—, ‘ତେବେ ହେଡ଼ମାଷ୍ଟର ଯାହା କହୁଥିଲେ ସେ କଥା କଣ ସତ ?’

 

‘ହେଡ଼ମାଷ୍ଟ୍ରେ କଣ କହୁଥିଲେ ।’ ଉତ୍କଣ୍ଠାଭରା ଗଳାରେ ମାଉସୀ ପଚାରିଲେ । ‘ସୁବୋଧ କାଳେ ସେଠି ନିଜେ ପାତ୍ରୀ ସ୍ଥିର କରିଚି....’

 

ମାଷ୍ଟରାଣୀ ମାଉସୀ ହଠାତ୍ କିଛି ନ କହି ଚୁପ ରହିଲେ । ତା ପରେ କହିଲେ, ‘ସୁବୋଧ ଯଦି ନିଜେ ପାତ୍ରୀ ଠିକ୍‌ କରିଥାଏ ସେ ଭଲ ମନ୍ଦ ବିଚାରି ସବୁ କରିଥିବ । ସେ ତ କିଛି ଅଯୋଗ୍ୟ ମୂର୍ଖ ନୁହେଁ ।’

 

‘ତା ଠିକ୍ ଯେ—ତେବେ ଆମକୁ ନ ପଚାରି ସେ କଣ ଏ କଥା କରିଥିବ ? ‘ତଥାପି ସଂଶୟଭରା ଗଳାରେ ଭଗବାନସାର ପଚାରିଲେ ।

 

‘ପଚାରିବ ନାହିଁ କାହିକିଁ ? ପଚାରିବ—ତେବେ ସେ ବେଳ ତ ଅଛି ।’ ମାଉସୀ ଏ କଥା ଉପରେ ସେପରି ଗୁରୁତ୍ୱ ନ ଦେବା ଭଳି କହିଲେ ।

 

‘କିନ୍ତୁ ମୁଁ ହେଡ଼ମାଷ୍ଟରଙ୍କୁ କଣ କହିବି ?’

 

‘କଣ ଆଉ କହିବ ? ସୁବୋଧ ଯାହା ଲେଖିଚି ଜଣାଇ ଦେବ ।’

 

‘ତେବେ ମନା କରିଦେବି ?’

 

‘ଉପାୟ କଣ ?’

 

‘ସୁବା ବୋଉ, ମୁଁ କଥା ଦେଇଥିଲି, ବର୍ତ୍ତମାନ ମନା କରିଦେଲେ ସତ୍ୟଭ୍ରଷ୍ଟ ହେବି ନାହିଁ-?’

 

‘ତାଙ୍କ ପ୍ରସ୍ତାବରେ ତୁମେ ରାଜି ହୋଇଥିଲ । ନିର୍ବନ୍ଧ ତ ହୋଇ ନାହିଁ । ଝିଅ ପୁଅ ଥିଲେ ଏମିତି ପ୍ରସ୍ତାବ ପଡ଼େ ।’ ଭଗବାନସାରଙ୍କୁ ପ୍ରବୋଧ ଦେବା ଭଳି ମାଉସୀ କହିଲେ ।

 

‘ତଥାପି ସୁବାବୋଉ, ମୋର ମନେ ହେଉଚି, ମୁଁ ସତ୍ୟ ରକ୍ଷା କରି ପାରୁନି । ତୁମେ ମୋ ମନର ଅବସ୍ଥା ବୁଝି ପାରୁନ । ତୁମେ ଜାଣ ସତ୍ୟ ଓ ଈଶ୍ୱରଙ୍କୁ ମୁଁ ସବୁଦିନେ ଅଭିନ୍ନ ଭାବି ଆସିଚି..... ।’ ବଡ଼ ଆକୁଳ ଭାବେ ଭଗବାନସାର କହିଲେ ।

 

ମାଷ୍ଟରାଣୀ ମାଉସୀ ଭଗବାନସାରଙ୍କ ମନୋବେଦନା ବୁଝି ପାରିଥିଲେ । ତାଙ୍କଠାରୁ ଆଉ କିଏ ବେଶୀ ଭଗବାନସାରଙ୍କୁ ଚିହ୍ନେ ? ଭଗବାନସାର ନିଜ ତୁଣ୍ଡରୁ ବାହାରିଥିବା ପ୍ରତ୍ୟେକ କଥାକୁ ସତ୍ୟ ବୋଲି ବିଚାର କରନ୍ତି । ତାକୁ ପାଳନ କରିବାପାଇଁ ସବୁ ପ୍ରକାର ଚେଷ୍ଟା କରନ୍ତି । ଭଗବାନସାରଙ୍କ ନିକଟରେ ସତ୍ୟଭ୍ରଷ୍ଟ ହେବା ଅର୍ଥ ଈଶ୍ୱରଙ୍କ ନିକଟରେ ଦ୍ରୋହୀ ହେବ । ତା’ ଛଡ଼ା ମୀନାକ୍ଷୀକୁ ପୁତ୍ରବଧୂ ରୂପେ ସେ ମନେ ମନେ ବରଣ କରିଥିଲେ । ମୀନାନାନୀ ଥିଲେ ଭଗବାନସାରଙ୍କ ମନୋନୀତ ପାତ୍ରୀ । ତାଙ୍କ ମନୋନୟନକୁ ସୁବୋଧନନା ଏପରି ଭାବେ ପ୍ରତ୍ୟାଖ୍ୟାନ କରିବେ ଏହା ତାଙ୍କ କଳ୍ପନା ବହିର୍ଭୂତ ବିଷୟ ଥିଲା । କିନ୍ତୁ ବୁଦ୍ଧିମତି ମାଷ୍ଟରାଣୀ ମାଉସୀ ଏହା ବି ଜାଣିଥିଲେ ଜଣେ ଶିକ୍ଷିତ ଯୁବକର ମତାମତ ବିରୁଦ୍ଧରେ ତାର ବିବାହ ସମାପନ କରାଯାଇ ନପାରେ । ତେଣୁ ଯେ କୌଣସି କାରଣରୁ ହେଉ ସୁବୋଧନନା ଯଦି ମୀନାନାନୀଙ୍କୁ ବିବାହ କରିବା ପାଇଁ ଅରାଜି ତେବେ ସେ ବିଷୟରେ ଅଧିକ ବାଦାନୁବାଦ କରି ବିଷୟଟାକୁ ଜଟିଳ କରିବା ଅନୁଚିତ । ତେଣୁ ବାଧ୍ୟ ହୋଇ ମାଉସୀ ସୁବୋଧନନାଙ୍କ ପକ୍ଷ ସମର୍ଥନ କରିଥିଲେ ।

 

ସେଦିନ ହେଡ଼ମାଷ୍ଟରଙ୍କ ପାଖକୁ ଗଲାବେଳେ ଭଗବାନସାର ବଡ଼ ବିମର୍ଷ ହୋଇ ପଡ଼ିଥିଲେ । ସେ ଅନୁଭବ କରୁଥିଲେ ଯେମିତି ସେ ବହୁତ ଦୁର୍ବଳ ହୋଇପଡ଼ିଚନ୍ତି । ସେ ଜଣେ ସତ୍ୟଭ୍ରଷ୍ଟ ମଣିଷ । ତାଙ୍କର ସମସ୍ତ ତେଜ ଓ ଶକ୍ତି ଯେପରି କିଏ ହରଣ କରି ନେଇଚି । ଭଗବାନସାର୍‌ଙ୍କୁ ଏପରି ବିମର୍ଷ ଭାବେ ଶ୍ଲଥ ପାଦରେ ଆସୁଥିବାର ଦେଖି ହେଡ଼ମାଷ୍ଟର ବିଶ୍ୱନାଥବାବୁଙ୍କୁ ଭାରି ଖରାପ ଲାଗିଲା । ସେଦିନ ଭଗବାନସାରଙ୍କୁ କଟୁକ୍ତି କରିଥିବା ଯୋଗୁଁ ବିଶ୍ୱନାଥବାବୁ ମନେ ମନେ ଲଜ୍ଜିତ ହୋଇଥିଲେ । ତେଣୁ ତାଙ୍କର ଗତ ତ୍ରୁଟି ସୁଧାରି ନେବାପାଇଁ ବିଶ୍ୱନାଥ ବାବୁ ହସିହସି କହିଲେ—‘ଆସନ୍ତୁ ପଣ୍ଡିତ ମହାଶୟ । କଣ ଦେହ ଭଲ ନାହିଁ । ବଡ଼ ଶୁଖିଲା ଦିଶୁଛନ୍ତି ଯେ ?’

 

ଭଗବାନସାର ବିଶ୍ୱନାଥବାବୁଙ୍କ ସମ୍ଭାଷଣର କୌଣସି ଉତ୍ତର ଦେଲେ ନାହିଁ । ତାଙ୍କ ଆଗରେ ଛିଡ଼ା ହୋଇ ଦୁଇ ହାତ ଯୋଡ଼ି କହିଲେ, ‘ମୋତେ କ୍ଷମା କରନ୍ତୁ ହେଡ଼ମାଷ୍ଟର ବାବୁ । ମୁଁ ଜାଣେ ମୁଁ କ୍ଷମାର ଅଯୋଗ୍ୟ । ତଥାପି ଆପଣଙ୍କୁ ଅନୁରୋଧ କରୁଚି ଆପଣ ନିଜ ଉଦାରତାରୁ ମୋତେ କ୍ଷମା କରନ୍ତୁ ।’ ଭଗବାନସାର ଆଉକିଛି କହି ପାରିଲେ ନାହିଁ । ତାଙ୍କ ଗଳା ବାଷ୍ପରୁଦ୍ଧ ହୋଇଗଲା । ‘କଣ ହେଲା ?’ ଶଙ୍କିତ ଗଳାରେ ପଚାରି ହେଡ଼ମାଷ୍ଟର ଉତ୍ତର ଆଶାରେ ଭଗବାନ ସାରଙ୍କ ମୁହଁକୁ ଉତ୍ସୁକଭାବେ ଚାହିଁ ରହିଲେ । କିନ୍ତୁ ଭଗବାନସାର କିଛି ଉତ୍ତର ନ ଦେଇ ଚୁପ ହୋଇ ସେମିତି ଯୋଡ଼ିହସ୍ତ ହୋଇ ଛିଡ଼ା ହୋଇ ରହିଲେ ।

 

‘ଆରେ ଆପଣ କଥା କହୁ ନାହାନ୍ତି ଯେ—କଣ ହେଲା ଆପଣଙ୍କର ?’ କହି ହେଡ଼ମାଷ୍ଟର ଉଠିଯାଇ ଭଗବାନସାରଙ୍କୁ କୁଣ୍ଢାଇ ପକାଇଲେ । ଭଗବାନସାର ଥରୁଥିଲେ । ହେଡ଼ମାଷ୍ଟର ନ ଧରିଥିଲେ ବୋଧହୁଏ ସେ ପଡ଼ିଯାଇ ଥାନ୍ତେ । ହେଡ଼ମାଷ୍ଟର ସେହିପରି ଧରି ଭଗବାନସାରଙ୍କୁ ଗୋଟିଏ ଚୌକିରେ ବସାଇ ଦେଇ କହିଲେ—‘କଣ ହୋଇଚି ଖୋଲି କହନ୍ତୁ ତ... ।’ ଏଥର ତାଙ୍କ କଣ୍ଠରେ ଉତ୍କଣ୍ଠା ଫୁଟି ଉଠିଲା । ଭଗବାନସାର ସେ କଥାର ଜବାବ ନ ଦେଇ ସୁବୋଧନନାଙ୍କ ଚିଠିଟା ବିଶ୍ୱନାଥବାବୁଙ୍କ ହାତକୁ ବଢ଼ାଇ ଦେଲେ । ଚିଠିଟା ପଢ଼ି ହେଡ଼ମାଷ୍ଟରଙ୍କ ମୁହଁ କଳା ପଡ଼ିଗଲା । ସେ ଅନେକ ସମୟ ଚିନ୍ତିତ ଭାବେ ଚୁପ୍ ରହି ଗୋଟିଏ ଦୀର୍ଘଶ୍ୱାସ ପକାଇ କହିଲେ ‘ତେବେ ସୁବୋଧ ମନା କରିଦେଲା ?’

 

ତା ଉତ୍ତରରେ ଭଗବାନ ସାର କେବଳ ଚୁପ ହୋଇ ବସି ରହିଲେ ।

 

‘ହଉ ତାର ଯେବେ ମତ ନାହିଁ....’ ବିଶ୍ୱନାଥବାବୁ କଥାଟା ପୂରା ନ କରି ପୁଣି ଚୁପ ହୋଇଗଲେ । ସୁବୋଧନନା ଏପରି ଭାବେ ତାଙ୍କ ଆଶା ଭଙ୍ଗ କରିବେ ସେ କଥା ସେ ବି ବିଶ୍ୱାସ କରୁ ନ ଥିଲେ । ହେଡ଼ମାଷ୍ଟର ବିଶ୍ୱନାଥବାବୁ ମନରେ ଏକ ଦାରୁଣ ଆଘାତ ପାଇଥିଲେ । ସେ ମଧ୍ୟ ନୀରବରେ ବସି ନିଜର ବିଡ଼ମ୍ବନାକୁ ମନେ ମନେ ସହ୍ୟ କରିବାକୁ ଚେଷ୍ଟା କରୁଥିଲେ । କେତେ ସମୟ ପରେ ନିଜକୁ ସଂଯତ କରି ବିଶ୍ୱନାଥବାବୁ କହିଲେ, ‘ଏ କଥାରେ ଆପଣ ଏତେ ବିଚଳିତ ହେଉଚନ୍ତି କାହିଁକି ପଣ୍ଡିତ ମହାଶୟ ? ଝିଅ ପୁଅ ଥିଲେ ଏମିତି କେତେ ପ୍ରସ୍ତାବ ପଡ଼େ କେତେ ଭାଙ୍ଗିଯାଏ । ସୁବୋଧନନାଙ୍କ ବାହାଘର ହୋଇଥିଲେ ଭଲ ହୋଇଥାନ୍ତା । ନ ହେଲେ ତ ମହାଭାରତ ଅଶୁଦ୍ଧ ହୋଇଯିବ ନାହିଁ କିମ୍ବା ସେଥିପାଇଁ ଆମର ବନ୍ଧୁତା ଭାଙ୍ଗିଯିବ ନାହିଁ । ମୁଁ ଏ କଥାରେ ଜମା ମନକଷ୍ଟ କରୁନି କିମ୍ବା ଆପଣଙ୍କୁ କୌଣସି ଦୋଷ ଦେଉ ନାହିଁ । ଆପଣ ଅଯଥାରେ କାହିଁକି ନିଜକୁ ଦୋଷୀ ଭାବୁଚନ୍ତି ? ବରଂ ମୁଁ ଆପଣଙ୍କ ମନରେ କଷ୍ଟ ଦେଇଚି ବୋଲି ଆପଣଙ୍କୁ କ୍ଷମା ମାଗୁଚି ।’

 

‘ନା—ନା—ସେମିତି କଥା କୁହନ୍ତୁ ନାହିଁ ହେଡ଼ମାଷ୍ଟରବାବୁ । ଆପଣ ମୋତେ କ୍ଷମା କରନ୍ତୁ ।’

 

ହେଡ଼ମାଷ୍ଟର ବିଶ୍ୱନାଥବାବୁ ଭଗବାନସାରଙ୍କ ଦୁଇ ହାତ ଧରି ପକାଇ କହିଲେ—‘ଛି’ ଆପଣ ପଣ୍ଡିତ ଲୋକ ହୋଇ ଏମିତି କଣ କହୁଛନ୍ତି ।’

 

ଦୁଇଛତ୍ର ଚିଠି ଲେଖି ସୁବୋଧନନା ତାଙ୍କ ଦାୟିତ୍ୱ ଶେଷ କରି ଦେଇଥିଲେ । ପଣ୍ଡିତ ଭଗବାନ ଦାଶ ନିଜର ଉପାର୍ଜନକ୍ଷମ ପୁତ୍ରର ଇଚ୍ଛା ବିରୁଦ୍ଧରେ ପ୍ରତିବାଦ କରି ନ ପାରି ଆତ୍ମଗ୍ଲାନିର ଅସ୍ତରଣ ତଳେ ଅପସରି ଗଲେ । ଆଶାଭଙ୍ଗ ଯୋଗୁ ବିଶ୍ୱନାଥବାବୁ ମର୍ମାହତ ହେଲେ । ତାଙ୍କ ପରିବାରର ସମସ୍ତଙ୍କ ମନରେ ବିଷଦର ଛାୟା ପଡ଼ିଲା । କିନ୍ତୁ ସେହି ମୁହୂର୍ତ୍ତରେ ସେମାନେ ସମସ୍ତେ ଜଣକର ମନର ଅବସ୍ଥାକୁ ଯଥାର୍ଥରେ ହୃଦୟଙ୍ଗମ କରି ପାରି ନ ଥିଲେ । ସେ ଥିଲା ଏ ଉପ-ନାଟିକାର ନାୟିକା-‘ମୀନାକ୍ଷୀ’ । ଏକ ଅପ୍ରତ୍ୟାଶିତ ନିଦାରୁଣ ଆଘାତରେ ଗୋଟିଏ ପ୍ରତ୍ୟାଶାଭରା କିଶୋରୀ ହୃଦୟର ସମସ୍ତ ସ୍ୱପ୍ନ ସେହି ମୁହୂର୍ତ୍ତରେ ଧୂଳିରେ ଶତଧା ହୋଇ ଲୁଣ୍ଠିତ ହୋଇ ଯାଇଥିଲା । ସୁବୋଧନନାଙ୍କ ପ୍ରତ୍ୟାଖ୍ୟାନ ନିଷ୍ଠୁରତମ ବ୍ୟକ୍ତିର ନିଷ୍ଠୁରତାଠାରୁ ମଧ୍ୟ ଅଧିକ ଥିଲା । କି ଦୋଷ କରିଥିଲେ ମୀନାନାନୀ ? କି ଦୋଷ କରିଥିଲା । ତାଙ୍କୁ କୈଶୋରର ଭୀରୁ ଅଭୀପ୍‌ସା ? ସେ ମନେ ମନେ ନିଜକୁ ନିବେଦିତା କରିଥିଲେ ଜଣେ ବାଞ୍ଛିତ ପୁରୁଷର ମନ ନିକଟରେ । ତାଙ୍କର ଏ ଆତ୍ମନିବେଦନ ପଛରେ ଉଭୟେ ପକ୍ଷରେ ସମ୍ମତି ଥିଲା, ଗୁରୁଜନମାନଙ୍କର ଆଶୀର୍ବାଦ ଥିଲା । ତେବେ ତାଙ୍କର ଭୁଲ ରହିଲା କେଉଁଠି ? କାହିଁକି ସୁବୋଧନନା ତାଙ୍କୁ ଏପରିଭାବେ ଉପହସିତ କଲେ ? ମୀନାନାନୀ ସାରା ରାତି କାନ୍ଦିଥିଲେ... ସମସ୍ତଙ୍କ ଅଲକ୍ଷ୍ୟରେ ବିଛଣାରେ ପଡ଼ି ସେ ଫୁଲି ଫୁଲି ଖାଲି କାନ୍ଦିଥିଲେ ।

 

ସୁବୋଧନନାଙ୍କ ସହ ବିବାହ ପ୍ରସ୍ତାବ ଭାଙ୍ଗିଯିବା ପରେ ମର୍ମାହତ ବିଶ୍ୱନାଥବାବୁ ଆଉ ଚୁପ୍‌ ହୋଇ ବସିରହିଲେ ନାହିଁ । ସେ ଉଠିପଡ଼ି ବର ଖୋଜିବାରେ ଲାଗିପଡ଼ିଲେ । ମୀନାନାନୀଙ୍କ ବିମର୍ଷତା ତାଙ୍କ ଉଦ୍ଦେଶ୍ୟକୁ ଦ୍ୱିଗୁଣିତ କରୁଥିଲା । ସେ ଭାବୁଥିଲେ ଆଜିଯାଏ ମୀନାନାନୀଙ୍କ ବିବାହ ଏକ ଦାୟିତ୍ୱ ଥିଲା । ବର୍ତ୍ତମାନ ସେ ଦାୟିତ୍ୱ ବଢ଼ିଯାଇ କନ୍ୟା ବିଦାୟ ହୋଇ ଯାଇଚି । ଏ ଘଟଣା ପରେ ଭଗବାନ ଦାଶଙ୍କ ମୁଣ୍ଡରେ ମଧ୍ୟ ଯେପରି କିଏ କନ୍ୟାଦାୟର ଦାୟିତ୍ୱ ଲଦି ଦେଇଥିଲା । ସେ ଭାବୁଥିଲେ ଏ ଅପ୍ରୀତିକର ଘଟଣା ପାଇଁ ସେ ଏକା ଦାୟୀ । କାରଣ ସୁବୋଧ ସହ ମୀନାକ୍ଷୀଙ୍କ ବିବାହ ପ୍ରସ୍ତାବରେ ସେ ସମ୍ମତି ଦେଇଥିଲେ । ସେ ପ୍ରସ୍ତାବ ଯେ କୌଣସି କାରଣରୁ କାର୍ଯ୍ୟକାରୀ ନ ହେଉ ନା କାହିଁକି ସେଥିପାଇଁ ସମସ୍ତ ଦାୟିତ୍ୱ ତାଙ୍କୁ ବୋହିବାକୁ ହେବ । ତେଣୁ ନିଜ ଦାୟିତ୍ୱ ଲାଘବ ଭଗବାନସାର ନିଜେ ଉପଯାଚକ ହୋଇ ତାଙ୍କ ନଜରରେ ଥିବା ବରପାତ୍ରଙ୍କ ସନ୍ଧାନ ବିଶ୍ୱନାଥବାବୁଙ୍କୁ ଜଣାଉଥିଲେ । ପ୍ରତିଦିନ ବଜାରରୁ ଫେରିବା ବାଟରେ ବିଶ୍ୱନାଥବାବୁଙ୍କ ଘରକୁ ଯାଇ ପଚାରୁଥିଲେ, ‘କଣ ଆଜ୍ଞା ପୁରୀକୁ ଯେଉଁ ଚିଠି ଦେଇଥିଲେ ତାର ଉତ୍ତର କିଛି ପାଇଲେ ? କିମ୍ବା କହୁଥିଲେ ନୂଆଗାଁର ଘନଶ୍ୟାମ ମିଶ୍ରଙ୍କ ପୁଅ କଥା ବୁଝିଲେ କିପରି ହୁଅନ୍ତା ? ପିଲାଟି ଡାକ୍ତରୀ ପଢ଼ୁଚି । ଏଟା ବୋଧହୁଏ ତାର ଶେଷ ବର୍ଷ । ତା ବାପା ଏଠାରେ ଅମଲା ଥିବାବେଳେ ସେ ମୋ ଛାତ୍ର ଥିଲା । ଆପଣଙ୍କ ପାଖେ ବି ପଢ଼ିଛି । ଆପଣଙ୍କର ଖିଆଲ ଥିବ ପ୍ରାୟ ।’ ହେଡ଼ମାଷ୍ଟ୍ରେ ଟିକିଏ ଚିନ୍ତା କରି କହନ୍ତି ‘ହଁ, ତାକୁ ମୁଁ ଜାଣିଚି । ତେବେ ସେମାନେ ଅବିକା କରିବେ କି ନା ?’

 

‘କରିବେ ସେମାନେ ପାତ୍ରୀ ଖୋଜୁଚନ୍ତି । ଘନବାବୁଙ୍କ ଶଳା ମୋତେ କହୁଥିଲା । ତାଠୁ ମୁଁ ଠିକଣା ମଧ୍ୟ ଆଣିଚି । ଲେଖିଲେ ହୁଅନ୍ତା ?’ ହେଡ଼ମାଷ୍ଟ୍ରେ ଭଗବାନସାରଙ୍କଠାରୁ ଠିକଣା ନେଇ ଚିଠି ଦିଅନ୍ତି । ବରପକ୍ଷ ଜାତକ ମଗାନ୍ତି । କିଏ ଫଟୋ ଦରକାର କରେ, କିଏ ବା କନ୍ୟା ଦେଖିବା ପାଇଁ ପ୍ରସ୍ତାବ ପଠାନ୍ତି । ଏମିତି ଖୋଜଖବର ଚାଲେ । ମୀନାନାନୀଙ୍କ ବର ଖୋଜିବା ପାଇଁ ହେଡ଼ମାଷ୍ଟ୍ରେ ବଡ଼ ବ୍ୟସ୍ତ ହୋଇ ପଡ଼ିଥିଲେ । କିନ୍ତୁ କିଏ ଜାଣିଥିଲା । ମୀନାନାନୀଙ୍କ ବର ହାତପାହାନ୍ତାରେ ଅଛି ବୋଲି ? ସେ କଥା ଆମେ ତ କେବେ ଚିନ୍ତା କରି ନ ଥିଲୁ । ଏମିତି କି ନିଜେ ବିଶ୍ୱନାଥବାବୁ ମଧ୍ୟ ଭାବି ନ ଥିଲେ । ଦିନେ ଭଗବାନସାର ବିଶ୍ୱନାଥବାବୁଙ୍କୁ କହିଲେ, ‘ଆଚ୍ଛା ବ୍ରଜେନ୍ଦୁ, ଆପଣଙ୍କ ନୂଆ ଶିକ୍ଷକ ହୋଇ ଯେ ଆସିଚନ୍ତି ତାଙ୍କ ସହ ପ୍ରସ୍ତାବ କଲେ କିପରି ହୁଅନ୍ତା-?’ କାହା କଥା କହୁଚନ୍ତି ? ବ୍ରଜେନ୍ଦୁ ?’ ଚମକି ପଡ଼ିଲେ ବିଶ୍ୱନାଥବାବୁ । ତାଙ୍କର ନୂତନ ସହକାରୀ ଶିକ୍ଷକ ବ୍ରଜେନ୍ଦୁ ତ୍ରିପାଠୀ ସହ ମୀନାର ବିବାହ ପ୍ରସ୍ତାବ କଥା ବିଶ୍ୱନାଥବାବୁ କେବେ ଚିନ୍ତା କରି ନ ଥିଲେ ।

 

‘ହଁ । ସେ ପିଲାଟିକୁ ମୋତେ ଭାରି ଭଲ ଲାଗେ । ଅତି ଭଦ୍ର ଓ ବିନୟୀ । ଶୁଣିଚି କାଳେ ସେ ଉଚ୍ଚଶିକ୍ଷିତ ।’ ଭଗବାନସାର ତାଙ୍କ ସ୍ୱଭାବସୁଲଭ ଶାନ୍ତ କଣ୍ଠରେ କହିଲେ ।

 

‘ତା ସତ । ବ୍ରଜେନ୍ଦୁ ଏଥର ପାଟନା ୟୁନିଭରର୍ସିଟିରୁ ଏମ୍‌. ଏ. ରେ ଫାଷ୍ଟକ୍ଲାସ ପାଇଚି । ଗୋଟିଏ ଟେମ୍ପୋରାରୀ ଭେକେନ୍‌ସିରେ ସେ ଆସିଚି । ମନେ ହେଉଚି ଏହି ମାଷ୍ଟରୀ ଚାକିରିରେ ସେ ଅଟକି ଯିବ ନାହିଁ । ଭଲ କାମ ସେ ପାଇବ । ଉନ୍ନତି କରିବ । ତା’ ଛଡ଼ା ପିଲାଟି ସ୍ୱାସ୍ଥ୍ୟବାନ୍‌ ଦେଖିବାକୁ ସୁଶ୍ରୀ । ମୀନାକୁ ଖୁବ୍‌ ଭଲ ମାନିବ ।’ ନିଜର ମତାମତ ବ୍ୟକ୍ତ କରି ସମର୍ଥନ ଆଶାରେ ଭଗବାନସାର ବିଶ୍ୱନାଥବାବୁଙ୍କୁ ଚାହିଁଲେ । ଭଗବାନସାରଙ୍କ ସହ ବିଶ୍ୱନାଥବାବୁ ମଧ୍ୟ ଏ ବିଷୟରେ ଏକମତ ଥିଲେ । ସେ ଟିକିଏ ସମର୍ଥନର ହସହସି କହିଲେ, ‘ବ୍ରଜେନ୍ଦୁର ବାପା ଗୌରହରି ମୋର କଲେଜ ଦିନର ପଢ଼ାସାଥୀ । ତା’ସହ ମୋର ବହୁଦିନର ସହହୃଦୟତା । ଏପରି ଉପଯୁକ୍ତ ପିଲାଟିଏ ହାତ ପାହାନ୍ତାରେ ଥାଇ ମଧ୍ୟ ମୋର ସେଥିପ୍ରତି ଖିଆଲ ନାହିଁ । ଆପଣ ନ କହିଥିଲେ ମୁଁ ତ ଆଦୌ ଖିଆଲ କରି ନ ଥାନ୍ତି । ଆପଣ ଆଶୀର୍ବାଦ କରନ୍ତୁ ପଣ୍ଡିତ ମହାଶୟ, ମୀନା ବିଭାଘର ସୁରୁଖୁରୁରେ ହୋଇଯାଉ ।’

 

‘ଆପଣ ନିଶ୍ଚିତ ରୁହନ୍ତୁ ହେଡ଼ମାଷ୍ଟର ବାବୁ । ମୀନା ସୁଖୀ ହେବ । ତା’ କୋଷ୍ଠୀ ମୁଁ ଗଣନା କରିଚି । ସେ ରାଜରାଣୀ ହେବ ।’ କହି ପଣ୍ଡିତ ଭଗବାନ ଦାଶ ଆଖି ବନ୍ଦ କରି ଚୁପ୍‌ ହୋଇଗଲେ । ସେ ବୋଧହୁଏ ମନେମନେ ପ୍ରାର୍ଥନା କରୁଥିଲେ ‘ପ୍ରଭୁ, ତୁମେ ମୀନାକୁ ମୋର ସମସ୍ତ ପୁଣ୍ୟ ବିନିମୟରେ ସୁଖୀ କର ।’

 

ଆମ୍ଭମାନଙ୍କର ସ୍କୁଲରେ ଶେଷବର୍ଷ ବ୍ରଜେନ୍ଦୁ ତ୍ରିପାଠୀ ଆମ ସ୍କୁଲକୁ ଶିକ୍ଷକ ହୋଇ ଆସିଥିଲେ । ସେତେବେଳେ ତାଙ୍କର ବୟସ ମାତ୍ର ବାଇଶି କିମ୍ୱା ତେଇଶି ହେବ । ଆମ ସ୍କୁଲରେ ସେ ଥିଲେ ତରୁଣତମ ଶିକ୍ଷକ । ସେଥିପାଇଁ ବୋଧହୁଏ ଆମେ ଏକାଦଶ ଶ୍ରେଣୀ ପିଲାମାନେ ତାଙ୍କ ପାଖରେ ନିଃସଙ୍କୋଚ ଥିଲୁ । ଆମେ ତାଙ୍କୁ ଗୁରୁ ନ ଭାବି ବନ୍ଧୁ ବୋଲି ଭାବିବାକୁ ବେଶୀ ଭଲ ପାଉଥିଲୁ । ତେଣୁ ଦିନେ ଦିନେ କ୍ଳାସରେ ଆମେ କହୁଥିଲୁ—‘ସାର, ଆଜି ଆପଣ ଗୋଟିଏ ଗପ କହନ୍ତୁ ।’

 

ବ୍ରଜସାର ଅତି ଶାନ୍ତ ଓ ଭଦ୍ର ଥିଲେ । ସେ ଆମ କଥା ଶୁଣି ନ ରାଗି ଶାନ୍ତଭାବେ ଟିକିଏ ହସି ପଚାରନ୍ତି, ‘ଗପ ଶୁଣିବ ? କି ଗପ ଶୁଣିବ ?’

 

ଆମେ ସମ୍ମିଳିତ ଭାବେ କହୁ, ‘ଆମେ ଡିଟେକ୍‌ଟିଭ ଗପ ଶୁଣିବୁ । ଆପଣ ସାରଲକ୍ ହୋମସ ଗପ କୁହନ୍ତୁ ।’

 

ଆମ ଅନ୍ୟାୟ ଆବଦାର ଶୁଣି ବ୍ରଜସାର ଟିକିଏ ବି ବିଚଳିତ ନ ହୋଇ କହନ୍ତି ‘ତୁମକୁ ଆଜି ମୁଁ ଗପ କହିବି । ତେବେ ସାରଲକ ହୋମସ୍ ଗପ ନୁହେଁ । ସେ ଗପ କହିଲେ ଇନଟାରେଷ୍ଟିଂ ହବନି । ସେ ଗପ ସବୁ ତୁମେ ପରୀକ୍ଷାପରେ ପଢ଼ିବ । ତୁମେ ଆଜି ଟାଗୋରଙ୍କର ଗୋଟିଏ ଗପ ଶୁଣ । ଏ ବି ବଢ଼ିଆ ଗପ । ପୃଥିବୀର ସର୍ବଶ୍ରେଷ୍ଠ ଗଳ୍ପମାନଙ୍କ ଭିତରେ ଏ ଗପ ଅନ୍ୟତମ....’

 

ବ୍ରଜସାର କ୍ଳାସକୁ ପଶିଆସି ହଠାତ୍ ଟେକ୍‌ଷ୍ଟ ବୁକ୍ ଖୋଲି ଆମକୁ ପ୍ରଥମେ ରିଡ଼ିଂ ପଢ଼ାନ୍ତି ନାହିଁ । ତା’ ବଦଳରେ ପଚାରନ୍ତି—ଟାଗୋର କିଏ ଜାଣିଚ ?

 

ଆମେ ଏକସଙ୍ଗେ କୋରସ ଭଳି ପାଟିକରି ଉଠୁ—‘ବିଶ୍ୱକବି ରବୀନ୍ଦ୍ର ନାଥ ଠାକୁର’ ‘ଗୁଡ୍—ସେ କାହିଁକି ବିଖ୍ୟାତ କହିପାରିବ ?’

 

ଆମେ କହୁ—‘ସେ ନୋବେଲ ପୁରସ୍କାର ପାଇବାରେ ଏକମାତ୍ର ଭାରତୀୟ କବି ।’

 

‘ତାଙ୍କ କବିତା ପଢ଼ିଚ ?’

 

ଆମେ ଚୁପ୍ ରହୁ ।

 

‘ଆଚ୍ଛା କହିଲ, ସେ କେଉଁ ବହିପାଇଁ ନୋବେଲ ପୁରସ୍କାର ପାଇଥିଲେ ?’ ଏଥର ମଧ୍ୟ ଆମେ ନିଜ ଜ୍ଞାନରେ ଅକ୍ଷମତା ପ୍ରକାଶ କରି ଚୁପ୍ ରହୁ ।

 

ସାର୍ କହନ୍ତି ‘ତାଙ୍କର ପୁରସ୍କୃତ ବହି ହେଲା ଗୀତାଞ୍ଜଳି ।’ ତା’ପରେ ଟିକିଏ ଚୁପ ରହି କହନ୍ତି; ପିଲାମାନେ ତାଙ୍କର ଗୋଟିଏ କବିତା ଶୁଣ । ସେ ବିଶୁଦ୍ଧ ଉଚ୍ଚାରଣରେ ବଙ୍ଗଳା କବିତା ଆବୃତ୍ତି କରନ୍ତି.....

 

‘ନହ ମାତା ନହ କନ୍ୟା

ନହ ବଧୂ ସୁନ୍ଦରୀ ରୂପସୀ

ହେ ନନ୍ଦନ ବାସିନୀ ଉର୍ବଶୀ....’

 

ଆମର ସେହି ଯୌବନର ଉନ୍ମେଷ କାଳରେ ଆମେ ମୁଗ୍‌ଧଭାବେ ବ୍ରଜେନ୍ଦୁ ତ୍ରିପାଠୀଙ୍କ ଉଦାର କଣ୍ଠର ଆବୃତ୍ତି ଶୁଣି ମନ୍ତ୍ରଶାନ୍ତ ଭୁଜଙ୍ଗ ଭଳି ତାଙ୍କର ବଶ୍ୟତା ସ୍ୱୀକାର କରିଥାଉଁ । ସେ ଅତି ସହଜରେ ଆମ୍ଭମାନଙ୍କୁ ଅନନ୍ତ ଯୌବନା ଉର୍ବଶୀର ମାୟାଜାଲ ଭିତରୁ ବାହାର କରିନେଇ ଆମ କୋର୍ସରେ ଥିବା ଟାଗୋରଙ୍କ ଗଳ୍ପ ଟ୍ରଷ୍ଟ ପ୍ରପାଟି ପଢ଼ାଇବା ଆରମ୍ଭ କରି ଦିଅନ୍ତି ।’

 

ଅଳ୍ପଦିନ ଭିତରେ ବ୍ରଜସାର୍ ଆମ ସ୍କୁଲର କନିଷ୍ଠତମ ଶିକ୍ଷକ ହୋଇ ମଧ୍ୟ ସବୁ ଛାତ୍ର ଓ ସହକର୍ମୀଙ୍କ ପ୍ରିୟଭାଜନ ହୋଇ ପାରିଥିଲେ । ଏହି ପ୍ରିୟଭାଷୀ ସୁଦର୍ଶନ ଯୁବକଙ୍କ ସହ ମୀନାନାନୀଙ୍କ ବିବାହ ସ୍ଥିର ହେବା ପରେ ସମସ୍ତେ ଖୁସି ହୋଇଥିଲେ । ମୁଁ ବ୍ୟକ୍ତିଗତ ଭାବେ ବୋଧହୁଏ ସବୁଠାରୁ ଖୁସି ହୋଇଥିଲି । କାରଣ ଅଳ୍ପଦିନର ସଂସ୍ପର୍ଶରେ ଆସିଥିଲେ ମଧ୍ୟ ମୁଁ ବ୍ରଜେନ୍ଦୁ ସାରଙ୍କର ଜଣେ ଭକ୍ତ ପାଲଟି ଯାଇଥିଲି; ଆଉ ମୀନାନାନୀ ମୋର ଅନାତ୍ମୀୟା ହେଲେ ମଧ୍ୟ ମୁଁ ତାଙ୍କୁ ପରମାତ୍ମୀୟା ବୋଲି ଭାବୁଥିଲି । ସେ ବୟସରେ ମଧ୍ୟ ମୁଁ ବୁଝିପାରିଥିଲି ଏ ବିବାହ ପ୍ରସ୍ତାବରେ ନିଜେ ମୀନାନାନୀ ମଧ୍ୟ ଖୁସି ହୋଇଚନ୍ତି । ଏହାପରେ ସେ ଅନେକ ମାନସିକ ଶାନ୍ତି ଫେରି ପାଇଥିଲେ । ତାଙ୍କ ଦେହ-ମନରୁ ଅବଜ୍ଞାର କର୍ଦ୍ଦମାକ୍ତ ଜଳକୁ ସଯତ୍ନରେ ପୋଛିଦେଇ ତାଙ୍କ ହାତଧରି ଜୀବନର ଚଲାପଥରେ ଆଗେଇ ନେବାପାଇଁ ଯେଉଁ ଉଦାର ହାତ ପ୍ରସାରିତ ହୋଇ ଆସିଥିଲା । ସେହି ଉଦାରତା ନିକଟରେ ସେ ସ୍ୱଭାବତଃ କୃତଜ୍ଞ ହୋଇ ପଡ଼ିଥିଲେ ।

 

ହଠାତ୍ ଦିନେ ମୋର ମୀନାନାନୀଙ୍କ ସଙ୍ଗେ ତାଙ୍କ ଘରେ ଦେଖା ହୋଇଗଲା । ମୀନାନାନୀ ମୋତେ ପଚାରିଲେ ‘ରାଜୁ, ତୁମର ଆଉ ଦେଖା ନାହିଁ ଯେ ?’

 

‘ସମୟ ଜମା ହଉନି ମୀନାନାନୀ, ପରୀକ୍ଷା ପାଖେଇ ଆସିଲାଣି ତ ବହୁତ ପଢ଼ାପଢ଼ି କରିବାକୁ ପଡ଼ୁଚି...’ ମୁଁ କୈଫିୟତ୍ ଦେବା ଭଙ୍ଗୀରେ କହିଲି ।

 

‘ତୁମ ପରୀକ୍ଷା କେବେ ?’

 

‘ଫାଇନାଲ ପରୀକ୍ଷା ତ ଫେବୃୟାରୀରେ ହେବ । ଟେଷ୍ଟ ପରୀକ୍ଷା ଆସି ମୁଣ୍ଡ ଉପରେ ହେଲାଣି ।’

 

‘କଣ ଫାଷ୍ଟ ଡିଭିଜନରେ ପାସ କରିବ ତ ?’ ମୀନାନାନୀ ହସି ପଚାରିଲେ ।

 

‘କେମିତି କହିବି ମୀନାନାନୀ, ପାଠପଢ଼ା ସିନା ଆମ ହାତରେ, ଫଳ ତ ଭଗବାନଙ୍କ ହାତରେ—’ ମୋର ଦାର୍ଶନିକ ସୁଲଭ ଉତ୍ତର ଶୁଣି ମୀନାନାନୀ ଆମୋଦିତ ହୋଇ ହସିଲେ । ହସିଲେ ମୀନାନାମୀ ଭାରି ସୁନ୍ଦର ଦିଶନ୍ତି । ତାଙ୍କର ମୁକ୍ତାପରି ଦାନ୍ତ ଖୁସିର ଦ୍ୟୁତିରେ ଚିକ୍‌ମିକ୍ କରେ । ଶଙ୍ଖଶୁଭ୍ର ନିଟୋଳ ଗାଲରେ ଉତ୍ତରଣ ଖେଳେ ।

 

ମୁଁ କହିଲି ଆମ ଇଂରାଜୀ ସାର ନ ଥିବାରୁ କୋର୍ସ ଶେଷ ହୋଇପାରି ନ ଥିଲା । ବ୍ରଜେନ୍ଦୁ ସାର ଆସି ବହୁତ ଲାଗିପଡ଼ି କୋର୍ସ ଶେଷ କରିଦେଲେ, ତେବେ ରିଭାଇଜ କରିବାକୁ ସମୟ ପାଇଲେ ନାହିଁ । ସେ କହିଥିଲେ ଟେଷ୍ଟ ପରୀକ୍ଷା ପରେ କୋଚିଂ କ୍ଳାସ କରି ପୂରାକୋର୍ସ ରିଭାଇଜ କରିନେବେ ପ୍ରୋବାବଲ କୋଶ୍ଚାନର ଆନସାର ଡାକିଦେବେ । କିନ୍ତୁ ସାର୍‌ ତ ଆମ ଟେଷ୍ଟପରୀକ୍ଷା ପରେ ଛୁଟିନେବେ...’ କହି ମୁଁ ଅର୍ଥପୂର୍ଣ୍ଣ ଭାବେ ମୀନାନାନୀଙ୍କ ଆଡ଼େ ଚାହିଁଲି । ମୀନାନାନୀ ବୁଝିପାରିଥିଲେ ମୁଁ ତାଙ୍କ ବିବାହକୁ ଉପଲକ୍ଷ କରି ବ୍ରଜେନ୍ଦୁ ସାରଙ୍କ ଛୁଟି ନେବା କଥା କହୁଚି । ତାଙ୍କୁ ଲାଜ ମାଡ଼ିଲା । ସେ ନ ବୁଝିପାରିବା ଭଳି ଭାବିକରି ନିଜ ଲଜ୍ଜା ଗୋପନ କରିବାକୁ ଚାହୁଁଥିଲେ । କିନ୍ତୁ ପାରିଲେ ନାହିଁ । ତାଙ୍କ ଗୋରା ମୁଁହରେ ଅସ୍ତଆଭାର ସ୍ପର୍ଶ ଲାଗିଲା । ସେ ଶୀଘ୍ର ପ୍ରସଙ୍ଗଟାକୁ ବଦଳାଇ ଦେବାପାଇଁ କହିଲେ, ‘ରାଜୁ, ଅନେକଦିନ ହେବ ଗୋପା ଆସିନି । ତାକୁ କହିବ ସେ ଆସିବ ।’ ଗୋପା ମୋ ବଡ଼ ଭଉଣୀ ମୀନାନାନୀଙ୍କ ଅନ୍ତରଙ୍ଗ ସଖୀ । ମୁଁ କହିଲି ‘ଅପା ତ ଆସିବ ବୋଲି ବାହାରୁଥିଲା । କହୁଥିଲା, ସେ ଆସି ତୁମଠାରୁ ପେଟେ ରସଗୋଲା ଖାଇବ ।’ କହି ମୁଁ ହସି ହସି ଚାଲିଗଲି ।

 

ମୀନାନାନୀଙ୍କ ବିଭାଘର ଖବର ସୁବୋଧନନା ଜାଣି ନ ଥିଲେ । ତାଙ୍କୁ ଏ ଖବର ଦେବାପାଇଁ କାହାରି ସ୍ପୃହା ବା ଉତ୍ସାହ ନ ଥିଲା । ଅପର ପକ୍ଷେ ଏ ଖବର ଜାଣିବା ପାଇଁ ସୁବୋଧନନାଙ୍କର ମଧ୍ୟ ଅବସର ନ ଥିଲା । ସେତେବେଳକୁ ହୀରାକୁଦ ପ୍ରୋଜେକ୍ଟରେ ଜୋରରେ କାମ ଆରମ୍ଭ ହୋଇ ଯାଇଥିଲା । ତାଙ୍କ ସବ୍‌ଡ଼ିଭିଜନର କାମ ତଦାରଖ କରିବା ପାଇଁ ତାଙ୍କୁ ଉଦୟାସ୍ତ ଅକ୍ଳାନ୍ତ ପରିଶ୍ରମ କରିବାକୁ ପଡ଼ୁଥିଲା । ଏହାଛଡ଼ା ସେତେବେଳକୁ ତାଙ୍କର ମିଶ୍ର ସାହେବଙ୍କ ପରିବାର ସହ ପରିଚୟ ଅନ୍ତରଙ୍ଗତାରେ ପରିଣତ ହୋଇ ସାରିଥିଲା । ତାଙ୍କ ଜୀବନର ଚିରାଚରିତ ରୁଟିନର ଅନେକ ଓଲଟ ପାଲଟ ହୋଇ ସାରିଥିଲା । ସୁବୋଧନନା ଆଉ ନିଃସଙ୍ଗ ନ ଥିଲେ; ତେଣୁ ଅଫିସରୁ ଫେରି ମୋଟା ମୋଟା ଫିଲୋସଫି ବହି ଭିତରେ ବୁଡ଼ିଯାଇ ସମୟ କଟାଇବା ତାଙ୍କର ଆଉ ପ୍ରୟୋଜନ ନ ଥିଲା । ତାଙ୍କର ସମସ୍ତ ଅବସର କଟିଯାଉଥିଲା । ମିଷ୍ଟର ମିଶ୍ରଙ୍କ ଘରେ—ଶୋଭନା ଲୀନାଙ୍କ ସଙ୍ଗେ ବ୍ୟାଡ଼ମିଣ୍ଟନ ଖେଳି କିମ୍ୱା ମିଷ୍ଟର ମିଶ୍ରଙ୍କ ସଙ୍ଗେ ଗଳ୍ପଗୁଜବ କରି ଅଥବା ତାଙ୍କ ପରିବାରର ସଦସ୍ୟମାନଙ୍କ ସଙ୍ଗେ କୁଆଡ଼େ ଆଉଟିଂରେ ଯାଇ । ତେଣୁ ଗୋଟିଏ ଛୋଟ ମଫସଲ ସହରରେ କଣ ସବୁ ଘଟୁଥିଲା ସେ ଖବର ରଖିବା ତାଙ୍କ ପକ୍ଷେ ସମ୍ଭବ ନ ଥିଲା କିମ୍ୱା ତାଙ୍କର ସେଥିପ୍ରତି ଆଗ୍ରହ ନ ଥିଲା । ତା’ ଛଡ଼ା କେତେଦିନ ତଳେ ସେ ଲେଖିଥିବା ଛୋଟ ଗୋଟିଏ ଚିଠିର ପ୍ରତିକ୍ରିୟା କଣ ହେଲା ସେ ବିଷୟରେ ବି ତାଙ୍କର ଆଉ ବିଶେଷ ଔତ୍ସୁକ୍ୟ ନ ଥିଲା । ସେହି ଚିଠି ଲେଖିଦେଇ ସେ ଯେପରି ଏକ ଅଯଥା ଦାୟିତ୍ୱରୁ ନିଜକୁ ମୁକ୍ତ କରିନେଇ ନିଜେ ହାଲୁକା ହୋଇ ଯାଇଥିଲେ । କିନ୍ତୁ ସୁବୋଧନନା ସେତେବେଳେ ବୁଝି ନ ଥିଲେ ଦୀର୍ଘଦିନ ଧରି ଅନ୍ୟ ଜଣକୁ ଏକ ନୀରବ ପ୍ରତିଶ୍ରୁତି ଦେଇ ସେ ଯେଉଁ ମାନସିକତାକୁ ନିଜ ଭିତରେ ଗଢ଼ି ତୋଳିଥିଲେ ତାହା ତାଙ୍କର ଚେତନାକୁ ଆଚ୍ଛନ୍ନ କରି ରଖିଚି । ତାକୁ ଏତେ ସହଜରେ ନିଜ ଅନ୍ତରରୁ କାଢ଼ି ଫୋପାଡ଼ି ଦେଇ ହେବ ନାହିଁ । ସେ ଦାୟିତ୍ୱକୁ ହୁଏତ ଏଡ଼ାଇ ଦେଇହେବ କିନ୍ତୁ ଦାୟିତ୍ୱବୋଧକୁ ଏଡ଼ାଇ ଦେବା ଏତେ ସହଜ ନୁହେଁ । ସୁବୋଧନନା ସେ କଥା ବୁଝିଲା ବେଳକୁ ବେଶ ବିଳମ୍ୱ ହୋଇ ଯାଇଥିଲା । ନିଜେ ଲୋଡ଼ିଆଣିଥିବା ଭୁଲର ସଂଶୋଧନ ପାଇଁ ଆଉ ବେଳ ନଥିଲା ।

 

ସେଦିନ ସାଇଟ୍‌କୁ ବାହାରିବା ବେଳେ ସୁବୋଧନନା ଡାକରେ କେତେଖଣ୍ଡ ଚିଠିପତ୍ର ସହ ଖଣ୍ଡିଏ ଛାପାକାର୍ଡ଼ର ନିମନ୍ତ୍ରଣ ପତ୍ର ପାଇଥିଲେ । ଅତି ସାଧାରଣ ଗୋଲାପ କାର୍ଡ଼ ଖଣ୍ଡକ ଉପରେ ଓଁ ପ୍ରଜାପତୟେ ନମଃ ଛାପା ଦେଖି ସେଟା ଗୋଟିଏ ବିବାହ ନିମନ୍ତ୍ରଣପତ୍ର ସୁବୋଧନନା ବୁଝି ପାରିଥିଲେ । କିନ୍ତୁ ସେ କାର୍ଡ଼ାଟା ପଢ଼ିବାର କୌଣସି କୌତୁହଳ ସେ ଅନୁଭବ କଲେ ନାହିଁ । କାରଣ ସେ ସମୟରେ ନିକଟ ଆତ୍ମୀୟ କାହାରି ବିଭାଘର ହେବା ବିଷୟ ଜାଣି ନ ଥିଲେ କିମ୍ୱା ଆଭିଜାତ୍ୟହୀନ ଏ କାର୍ଡ଼ଖଣ୍ଡକ କୌଣସି ବନ୍ଧୁର ବିବାହ ନିମନ୍ତ୍ରଣ ହୋଇ ନ ଥିବ ତାହା ସେ ଅନୁମାନ କରିନେଇଥିଲେ । ସେ ଏହି ନିମନ୍ତ୍ରଣ ପତ୍ର ତାଙ୍କର କୌଣସି ଅଧସ୍ତନ କର୍ମଚାରୀ କେବଳ ଲୌକିକତା ଦୃଷ୍ଟିରୁ ପଠାଇଚି ଭାବି ତାକୁ ଡାଇରୀ ଭିତରେ ରଖି ଶୋଭା ସିଂ ଜୀପରେ ବସି କାମକୁ ବାହାରିଗଲେ ଏବଂ ଅନାୟାସରେ ସେ ବୈଶିଷ୍ଟ୍ୟହୀନ ନିମନ୍ତ୍ରଣ ପତ୍ର କଥା ଭୁଲିଗଲେ ।

 

ହୀରାକୁଦ ମେନ ଡ୍ୟାମ୍‌ର ମାଟିବନ୍ଧ ତିଆରି ଚାଲିଥିଲା । ସେ ଏକ ବିରାଟ ବ୍ୟାପାର । ଦୈତ୍ୟଭଳି ଡାମ୍ପାର ସବୁ ଟନ୍‌ଟନ୍ ମାଟି ଆଣି ଢାଳି ଦେଉଥିଲେ । ତା’ପରେ ଅସଂଖ୍ୟ ଶ୍ରମିକ ସେଇ ମାଟିକୁ ସମତଳ କରୁଥିଲେ ଏବଂ ତା ପରେ ବିରାଟ ବିରାଟ ମେସିନ ସବୁ ସେଇ ମାଟିକୁ ପ୍ରଚଣ୍ଡ ଶକ୍ତିରେ ଚାପଦେଇ ମଜଭୁତ କରୁଥିଲେ । ସୁବୋଧନନା ନୂଆ ମାଟି ପଡ଼ୁଥିବା ଜାଗାର ଏଲାଇନମେଣ୍ଟ ତଦାରଖ କରୁ କରୁ ଅନେକ ବାଟ ପାଦରେ ଚାଲି ଯାଇଥିଲେ । ହଠାତ୍ ସେ ଗୋଟିଏ ଖୁଣ୍ଟାରେ ଝୁଣ୍ଟି ପଡ଼ିଲେ । ତାଙ୍କ ହାତରୁ ଡାଇରୀଟା ଖସିପଡ଼ି ତା’ଭିତର କାଗଜପତ୍ର ବଞ୍ଛୁଡ଼ିଗଲା । ସେସବୁ ତଳୁ ଉଠାଇ ପୁଣି ଡାଇରୀ ଭିତରେ ରଖିବାକୁ ଯାଇ ସୁବୋଧନନା ଚମକି ଗଲେ । ସେହି ଗୋଲାପି କାର୍ଡ଼ଟା ତାଙ୍କ ଆଖିରେ ପଡ଼ିଲା । ସେ କାର୍ଡ଼ଟା ସେ ପୂର୍ବରୁ ପଢ଼ିନଥିଲେ-। ନିଚ୍ଛକ ଅଳସ କୌତୁହଳବଶତ କାର୍ଡ଼ଟା ଉପରେ ଆଖି ବୁଲାଇବାକୁ ଯାଇ ସେ ଚମକି ପଡ଼ିଲେ । ସେ କାର୍ଡ଼ଟା ମୀନାନାନୀଙ୍କ ବିବାହ ନିମନ୍ତ୍ରଣ ପତ୍ର । ମୀନାନାନୀଙ୍କ ବିଭାଘର ନିମନ୍ତ୍ରଣ ପତ୍ର ପଠାଇବାର ଦାୟିତ୍ୱ ଥିଲା ଆସିଷ୍ଟାଣ୍ଟ ହେଡ଼ମାଷ୍ଟର ନୀଳକଣ୍ଠ ବାବୁଙ୍କର । ସେ କଣ ଭାବି ସୁବୋଧନନାଙ୍କୁ ନିମନ୍ତ୍ରଣ ପଠାଇଥିଲେ ସେ ଜାଣନ୍ତି କିନ୍ତୁ କାର୍ଡ଼ଟା ଦେଖିବାମାତ୍ରେ ସୁବୋଧନନା ପ୍ରଚଣ୍ଡ ଅଭିମାନରେ ଫାଟିପଡ଼ିଲେ । ତାଙ୍କର ସର୍ବପ୍ରଥମେ ମନେହେଲା, ମୀନାକ୍ଷୀକୁ ବିବାହ କରିବାକୁ ଅସମ୍ମତ ହେବାରୁ ହେଡ଼ମାଷ୍ଟର ତାଙ୍କୁ ଅପମାନିତ କରିବାକୁ ଏ କାର୍ଡ଼ ପଠାଇଛନ୍ତି । ସୁବୋଧନନା କ୍ରୁଦ୍ଧ ହୋଇଥିଲେ । କିନ୍ତୁ ତା’ପରେ ତାଙ୍କର ଅଭିମାନ ହୋଇଥିଲା । ସେ ମୀନାକ୍ଷୀକୁ ବିଭାହେବାକୁ ମନା କରିଦେଇ ପାରିଥାନ୍ତି । କିନ୍ତୁ ସେ ତ କୌଣସି ଅସୌଜନ୍ୟ ପ୍ରକାଶ କରିନାହାନ୍ତି । ତେଣୁ ମୀନାକ୍ଷୀର ବିବାହ ନିମନ୍ତ୍ରଣ ପତ୍ର ଏପରି ଲୌକିକଭାବେ ଭୁଲ ଠିକଣାରେ ପଠାଇବାର କଣ ଦରକାର ଥିଲା ? କାର୍ଡ଼ ସେ ବିଭାଘର ପରଦିନ ପାଉଚନ୍ତି । ହେଡ଼ମାଷ୍ଟର ତ ନିଜେ ଖଣ୍ଡେ ପୋଷ୍ଟକାଡ଼ରେ ଦି’ପଦ ଲେଖି ପାରିଥାନ୍ତେ । କିନ୍ତୁ ଏ ଅଭିମାନ ତାଙ୍କର କ୍ଷଣସ୍ଥାୟୀ ହୋଇଥିଲା । ତାଙ୍କର ସେ ମୁହୂର୍ତ୍ତରେ ମନେ ହୋଇଥିଲା—ନା—ହେଡ଼ମାଷ୍ଟର ଯାହା କରିଚନ୍ତି ଯେ କୌଣସି ଆତ୍ମସମ୍ମାନ ଥିଲା ଗୃହସ୍ଥ ତା’ଠାରୁ ଅଧିକ କରିନଥାନ୍ତେ । ସୁବୋଧନନା ତାଙ୍କପ୍ରତି କେବଳ ଅସୌଜନ୍ୟ ପ୍ରକାଶ କରିନାହାନ୍ତି—ତାଙ୍କୁ ସେ ଆଘାତ ଦେଇଚନ୍ତି । ସେମାନଙ୍କ ସହ ସେ ବିଶ୍ୱାସଘାତକତା କରିଚନ୍ତି । ଏ କଥା ଚିନ୍ତା କରିବା ସଙ୍ଗେ ସଙ୍ଗେ ସୁବୋଧନନାଙ୍କ ସମଗ୍ର ସତ୍ତା ଅସାଢ଼ ହୋଇଗଲା । ଏକ ତୀବ୍ର ଅପରାଧବୋଧରେ ସେ ମୂହ୍ୟମାନ ହୋଇଗଲେ । ତାଙ୍କର ମନେ ପଡ଼ିଲା ବାପାଙ୍କ କଥା । ବାପା ବିଶ୍ୱନାଥବାବୁଙ୍କୁ କଥା ଦେଇଥିଲେ । ସେ କଥା ସେ ରଖିପାରି ନାହାନ୍ତି । ସୁବୋଧନନା ନିଜେ ବୁଝିପାରୁ ନ ଥିଲେ କାହିଁକି ସେ ଏକଥା କଲେ ? ତାଙ୍କର ମନେ ହେଉଥିଲା ସେହି ମୁହୂର୍ତ୍ତରେ ସେ ଦୌଡ଼ିଯାଇ ବାପାଙ୍କ ଗୋଡ଼ତଳେ ପଡ଼ି କହନ୍ତି–‘ବାପା ମୋତେ କ୍ଷମା କରନ୍ତୁ । ମୁଁ ଭୁଲ କରିଚି । ମୁଁ ଆପଣଙ୍କୁ ସତ୍ୟଭ୍ରଷ୍ଟ କରିଚି...ମୁଁ...ମୁଁ । ସୁବୋଧନନା କିଛି ଚିନ୍ତା କରିପାରୁ ନଥିଲେ । ତାଙ୍କ ମୁଣ୍ଡ ଭିତରେ ସବୁ ଯେମିତି ଗୋଳମାଳ ହୋଇଯାଉଥିଲା । ମୀନାକ୍ଷୀ....ଓଃ....ମୀନାକ୍ଷୀ । ମୀନାକ୍ଷା ଯେମିତି କାନ୍ଦି ଉଠି ତାଙ୍କୁ ଧିକ୍‌କାର ଦେଉଚି । —ଶଠ ପ୍ରବଞ୍ଚକ । ହଁ ସେ ପ୍ରବଞ୍ଚକ । ସେ ପ୍ରବଞ୍ଚନା କରିଚନ୍ତି ଗୋଟିଏ ନିଷ୍ପାପ କୈଶୋରର ସାରଲ୍ୟକୁ । କିନ୍ତୁ କାହିଁକି ? କାହିଁକି ସେ ଏପରି କଲେ ? ତାର ସଦୁତ୍ତର ସୁବୋଧନନା ଖୋଜି ପାଉ ନ ଥିଲେ । ତାଙ୍କର କେବଳ ମନେ ହେଉଥିଲା ସେ ତାଙ୍କ ଜୀବନରେ ବିଫଳ ହୋଇଚନ୍ତି । ଯାହା ସେ ହେବାକୁ ଚାହିଁଥିଲେ ତାହା ସେ ହୋଇପାରି ନାହାନ୍ତି । ତାଙ୍କ ବାପା ତାଙ୍କୁ ଯାହା ହେବାପାଇଁ ଆଶୀର୍ବାଦ କରିଥିଲେ ସେ କଥା ତାଙ୍କ ଜୀବନରେ ସଫଳ ହୋଇନାହିଁ । ସେ ଅମଣିଷ ହୋଇ ଯାଇଚନ୍ତି । ଆଃ—ମଣିଷ ହେବା କଣ ଏତେ କଷ୍ଟ ? ମଣିଷପଣିଆ ଏତେ ଦୁର୍ଲଭ ? ସେଥିପାଇଁ କଣ ପଣ୍ଡିତ ଭଗବାନ ଦାଶ କାହାକୁ ଆଶୀର୍ବାଦ କଲାବେଳେ ଧନଜନ ଗୋପଲକ୍ଷ୍ମୀ ପ୍ରାପ୍ତ ହୁଅ ନ କହି ମଣିଷ ହୁଅ ବୋଲି କୁହନ୍ତି ? ସୁବୋଧନନାଙ୍କର ସବୁ ଚିନ୍ତା ଗୋଳମାଳ ହୋଇଯାଉଥିଲା । ତାଙ୍କ ମୁଣ୍ଡ ଭିତରେ କିଏ ଯେମିତି ହାତୁଡ଼ିରେ ପ୍ରଚଣ୍ଡ ଆଘାତ କରି ଚାଲିଗଲା । ସେ ବାହ୍ୟଜ୍ଞାନଶୂନ୍ୟ ହୋଇ ସେମିତି ଛିଡ଼ା ହୋଇ ରହିଥିଲେ । ହଠାତ୍ ତାଙ୍କ ସମ୍ୱିତ ଫେରିଲା ଶୋଭା ସିଂଙ୍କ ଡାକରେ । ଶୋଭା ସିଂ ଦୌଡ଼ିଆସି ତାଙ୍କ ହାତଟା ଧରି ଭିଡ଼ିନେଲେ । ସେ ଛିଡ଼ା ହୋଇଥିବା ସ୍ଥାନରୁ ଗୋଟିଏ ପାଖକୁ ଘୁଞ୍ଚିଗଲେ । ସେହି ମୁହୂର୍ତ୍ତରେ ଗୋଟିଏ ମାଟି ବୋଝୋଇ ଡାମ୍ପାର ଭୀଷଣ ଗର୍ଜନ କରି ସେ ପୂର୍ବରୁ ଛିଡ଼ା ହୋଇଥିବା ସ୍ଥାନ ଉପରେ ଧୂଳି ଉଡ଼ାଇ ଆଗକୁ ମାଡ଼ିଗଲା । ଶୋଭା ସିଂ ଅପସୃୟମାଣ ଡାମ୍ପରଚାଳକ ଉଦ୍ଦେଶ୍ୟରେ ଉତ୍ତେଜିତ ଭାବେ ଚିତ୍କାର କରିଉଠିଲେ । ‘ଏୟ ବେକୁବ ହାରାମୀ ଡ୍ରାଇଭର... ।’ ସୁବୋଧନନା ବୁଝିପାରିଲେ ଶୋଭା ସିଂ ତାଙ୍କୁ ଠିକ୍ ସମୟରେ ଭିଡ଼ି ନ ନେଇଥିଲେ ସେ ସେହି ଦୈତ୍ୟକାୟ ଡାମ୍ପର ଆଘାତରେ ନିଶ୍ଚିହ୍ନ ହୋଇ ଯାଇଥାନ୍ତେ । ଶୋଭା ସିଂଙ୍କର ପ୍ରଥମ ଉତ୍ତେଜନା କମିଯାଇଥିଲା । ସେ ବ୍ୟସ୍ତହୋଇ ପଚାରିଲେ—

 

‘‘କ୍ୟା ହୁଆ ସାବ—ଆପ କ୍ୟୁଁ ଏତନେ ପରିସାନ ହେଁ ?’’

 

‘‘ନା—ନା, ସିଂ ଜୀ, ହଠାତ୍ କାହିଁକି ମୋ ମୁଣ୍ଡଟା ବୁଲାଇ ଦେଲା....ଡାମ୍ପାରଟା ଆସୁଥିବା କଥା ମୁଁ ଆଦୌ ଜାଣିପାରିଲି ନାହିଁ ।’’ ସୁବୋଧନନା ନିଜ ମନକୈବଲ୍ୟକୁ ଗୋପନ କରିବା ପାଇଁ ମିଛ କହିଲେ ।

 

‘ତୋ ଠିକ୍ ହାୟ । ସାଇଟ ମେ ଆଉର ଠହରନା ଠିକ୍ ନେହି । ଚଲିଲେ ହାସଲୋଗ ଓ୍ୟାପସ ଚଲେ ।’

 

‘ଚାଲନ୍ତୁ....’ କହି ସୁବୋଧନନା ତତ୍‌କ୍ଷଣାତ୍ ଜୀପ୍‌କୁ ଫେରି ଆସିଲେ ।

 

ବୁର୍ଲାରେ ପହୁଞ୍ଚି ଶୋଭା ସିଂ ପଚାରିଲେ ‘କ୍ୟା ଏସ୍. ସି. ସାବକା ବଂଲୋ ଯାଏଙ୍ଗେ ?

 

‘ନା—କ୍ୱାଟରକୁ ଚାଲନ୍ତୁ । ମୁଁ ବିଶ୍ରାମ ନେବି ।’ ଉତ୍ତର ଦେଲେ ସୁବୋଧନନା ।

 

କ୍ୱାଟରସକୁ ଫେରି ବିଛଣାରେ ପଡ଼ି ମଧ୍ୟ ସୁବୋଧନନା ବି ଶାନ୍ତି ପାଇଲେ ନାହିଁ । ବରଂ ତାଙ୍କ ମନର ଅଶାନ୍ତି ପ୍ରବଳରୁ ପ୍ରବଳତର ହେଲା । ସୁବୋଧନନା ଅସହାୟ ଭାବେ ତକିଆରେ ମୁହଁଗୁଞ୍ଜି ଭାବୁଥିଲେ ସେ ଯଦି ଚିତ୍କାର କରି ଟିକିଏ କାନ୍ଦିପାରନ୍ତେ ତେବେ ହୁଏତ ତାଙ୍କୁ ସାମାନ୍ୟ ହାଲୁକା ଲାଗନ୍ତା । କିନ୍ତୁ ସେ କାନ୍ଦିପାରି ନଥିଲେ । ଏକ ବିରାଟ କୋହ ତାଙ୍କ ଛାତି ଭିତରଟାକୁ ରୁନ୍ଧି ଦେଇଥିଲା ।

 

ତା ପୂର୍ବଦିନ ମୀନାନାନୀଙ୍କ ବିଭାଘର ଶେଷ ହୋଇ ଯାଇଥିଲା । ଖୁବ୍‌ ଧୁମ୍‌ଧାମ୍ ନହେଲେ ବି ବିବାହୋତ୍ସବରେ ଆୟୋଜନର କିଛି ତ୍ରୁଟି ନ ଥିଲା । ବରପକ୍ଷ ଅତି ସଜ୍ଜନ ଭଦ୍ରଲୋକ । ସେମାନେ ଏ ବିବାହରେ ଖୁବ୍ ଖୁସି ହୋଇଥିଲେ । ବରପିତା ଗୌରହରି ବାବୁ ତାଙ୍କ ପ୍ରାକ୍ତନ ସହପାଠୀ ବିଶ୍ୱନାଥବାବୁଙ୍କୁ ସମ୍ୱନ୍ଧୀ ଭାବେ ପାଇ ଆନନ୍ଦରେ ବିଭୋର ହୋଇ ଯାଇଥିଲେ-। ଆଉ ବ୍ରଜେନ୍ଦ୍ର ସାର ? ସେ ତ ବର ହୋଇ ଆସିବା ପରଠାରୁ ଯାହାକୁ ଦେଖୁଥିଲେ ଲାଜରା ହୋଇ ଟିକିଏ ହସି ଦେଉଥିଲେ । ଏକ ମଧୁର ସ୍ମିତ ରେଖା ତାଙ୍କ ପୀତଳ ଓଠତଳେ ଲାଗି ରହିଥିଲା ।

 

ସେଦିନ ଖିଆପିଆ ପରେ ବରକନ୍ୟାଙ୍କ ବିଦାୟ ହେବା କଥା । କିନ୍ତୁ ବିଳମ୍ୱ ହେବାରୁ ଗୌରହରି ବାବୁ ମୋତେ ଡାକି କହିଲେ, ‘ବାପା ଯାଅ ବିଶ୍ୱନାଥ ବାବୁଙ୍କୁ କହିବ ଆମକୁ ଶୀଘ୍ର ବିଦାୟ କରିବାର ବନ୍ଦୋବସ୍ତ କରିବେ । ଆମକୁ ତ ପୁଣି ବହୁଦୂର ବାଟ ଯିବାକୁ ତ ପଡ଼ିବ ।’ ମୁଁ ସେ ସମ୍ୱାଦ ଦେବାପାଇଁ ଭିତରକୁ ଗଲି । କିନ୍ତୁ ଘର ଭିତରେ ପଶିବା ମୁସ୍କିଲ । ଓଃ ଏତେ ସ୍ତ୍ରୀ ଲୋକଙ୍କ ଭିଡ଼ ଏତେ କନ୍ଦାକଟା ବାହୁନା ଯେ ମଣିଷର ମୁଣ୍ଡ ଖରାପ ହୋଇଯିବ । ଯା’ ହେଉ ହେଡ଼ମାଷ୍ଟରଙ୍କୁ ଖବରଟା ଜଣାଇଦେବା ପରେ ସମସ୍ତେ ଧରାଧରି କରି କନ୍ୟାକୁ ବାହାରକୁ ଆଣିଲେ । କାରରେ ଚଢ଼ିବା ପୂର୍ବରୁ ମୀନାନାନୀ ଆକୁଳ ଭାବେ କାନ୍ଦି ହେଡ଼ମାଷ୍ଟରଙ୍କ ଛାତି ଉପରେ ଲୋଟିପଡ଼ିଲେ । ସେ କାନ୍ଦରେ ହେଡ଼ମାଷ୍ଟରଙ୍କର ମଧ୍ୟ ସବୁ ଧୈର୍ଯ୍ୟର ବନ୍ଧ ଭାଙ୍ଗିଯାଇଥିଲା । ସେ ବି ପିଲାଙ୍କ ଭଳି କଇଁ କଇଁ ହୋଇ କାନ୍ଦିବାକୁ ଲାଗିଲେ । ଟିକିଏ ଦୂରରେ ପଣ୍ଡିତ ଭଗବାନ ଦାଶ ଚୁପଚାପ ଛିଡ଼ା ହୋଇଥିଲେ । ମୀନାନାନୀ ବଡ଼ କରୁଣ ଭାବେ ଚାହିଁଲେ ଭଗବାନସାରଙ୍କ ଆଡ଼େ । ଧୀରେ ଧୀରେ ଭଗବାନସାର ଆଗେଇ ଆସି ମୀନାନାନୀଙ୍କ ମୁଣ୍ଡ ଉପରେ ହାତ ରଖିଲେ । ସେ ମନେ ମନେ କହୁଥିଲେ ତୋତେ ଆଶୀର୍ବାଦ କରିବାର ଅଧିକାର ମୋର ନାହିଁ ମା । ମୁଁ ଖାଲି ଈଶ୍ୱରଙ୍କୁ ପ୍ରାର୍ଥନା କରୁଚି ତୋର ମଙ୍ଗଳ ହେଉ । ମୁହଁ ଖୋଲି କିଛି ସେ କହିଲେ ନାହିଁ । ଖାଲି ତାଙ୍କ ଆଖିରୁ ଦୁଇଟୋପା ଅମାନିଆ ଲୁହ ମୀନାନାନୀଙ୍କ ମୁଣ୍ଡରେ ଝରି ପଡ଼ିଲା ।

 

ବର କନ୍ୟାଙ୍କୁ ନେଇ ମୋଟର ଚାଲିଗଲା । ଝିଅ ବିଦାବେଳେ ଜମା ହୋଇଥିବା ଲୋକ ବି ଚାଲିଗଲେ । ଭଗବାନସାର୍ ମାଉସୀଙ୍କୁ ଡାକି କହିଲେ, ‘‘ମୀନା ମାଠୁ ବିଦା ହୋଇ ଆସ-। ଆମେ ବି ଯିବା ।’’

 

ମାଉସୀ ମୀନାନାନୀଙ୍କ ବାହାଘର ଆଠଦିନ ଆଗରୁ ଆସି ହେଡ଼ମାଷ୍ଟରଙ୍କ ଘରେ ରହି ବିଭାଘରର ସବୁ ଆୟୋଜନ କରିଥିଲେ । ନ ଆସି ଉପାୟ ନଥିଲା । ବିଶ୍ୱନାଥ ବାବୁଙ୍କ ସ୍ତ୍ରୀ ଯାଇ ଜିଗର କଲେ—‘‘ତୁମେ ନାନୀ ଚାଲ । ତୁମେ ନଗଲେ ଜାଇରଗଡ଼ା ବି ହୋଇପାରବ ନାହିଁ । ମୁଁ ଝିଅ ବାହାଘରର କିଛି ବିଧାନ ଜାଣିନି । ତା’ଛଡ଼ା ମୋର ଶାଶୁ ଅଛି ନା ନଣନ୍ଦ ଅଛି କିଏ ମୋତେ ସାହାର୍ଯ୍ୟ କରିବ ?’’

 

ମାଉସୀ ଅମଙ୍ଗ ହେଉଥିଲେ । କହିଲେ ‘‘ମୋ ଦେହ ତ ଭଲ, ରହୁନି ମୀନାବୋଉ । ବେଶୀ ନଟପଟ ହୋଇପାରୁନି । ମୁଁ ନଗଲେ କ’ଣ ଚଳିବନି ?’’ କିନ୍ତୁ ବିଶ୍ୱନାଥବାବୁଙ୍କ ସ୍ତ୍ରୀ ନଛୋଡ଼ବନ୍ଧା ହୋଇ କହିଲେ—‘‘ମୀନା ତୁମ ଝିଅ ହୋଇଥିଲେ ତ ଫେରି ପାରିଥାନ୍ତ ? ମନା କରନି ନାନୀ ।’’ ମୀନାବୋଉଙ୍କ ସନିର୍ବନ୍ଧ ଅନୁରୋଧ ସେ ଏଡ଼ାଇ ପାରି ନ ଥିଲେ ।

 

ମାଷ୍ଟରାଣୀ ମାଉସୀ ତାଙ୍କ ବାକ୍‌ସ ଖୋଲି ଫରୁଆ ଭିତରୁ ହଳେ ତାରକସି ଝୁମୁକା କାଢ଼ି ଭଗବାନ ସାରଙ୍କୁ କହିଲେ, ‘ଏ ଯୋଡ଼ାଟା ବଣିଆଠୁ ସଫା କରି ଆଣ ।’ ଭଗବାନ ସାର ଦେଖିଲେ ଅନେକ ଦିନ ତଳେ ମାଉସୀ ସୁବୋଧନନାଙ୍କ ବୃତ୍ତି ଟଙ୍କାରେ ଏହି କାନ ଗହଣା ହଳକ ଗଢ଼ାଇଥିଲେ । କିନ୍ତୁ କେବେ ସେ ତାକୁ ବ୍ୟବହାର କରନ୍ତି ନାହିଁ । କହିଲେ କହନ୍ତି ଥାଉ ବୋହୂ ଆସିଲେ ପିନ୍ଧିବ । କିନ୍ତୁ ସେହି ଗହଣାକୁ ସଫା କରିବାକୁ କହିବାରୁ ଭଗବାନସାର ବୁଝିପାରିଲେ ସେ ତାହାକୁ ମୀନାକୁ ଦେବାପାଇଁ ସ୍ଥିର କରିଛନ୍ତି ।

 

‘କଣ ମୀନାକୁ ଦେବ ?’ ଭଗବାନ ସାର ପଚାରିଲେ ।

 

‘ହଁ, କିଛି ତ ଦବାକୁ ହେବ ।’ କହି ମାଉସୀ ଚୁପ ହୋଇଗଲେ ।

 

ମୀନାନାନୀ ବେଦିକୁ ଯିବାପାଇଁ ବେଶ ହେଉଥିବା ବେଳେ କିଏ ଜଣେ କହିଲା, ‘‘ମାଷ୍ଟ୍ରାଣୀନାନୀଙ୍କ ଝୁମୁକା ହଳକ ଭାରି ସୁନ୍ଦର ହୋଇଚି । ତାକୁ ମିନାକୁ ପିନ୍ଧାଇ ଦିଅ ।’ ମାଉସୀ ସେତେବେଳେ ମୀନାନାନୀଙ୍କ ପାଖେ ବସିଥିଲେ । ମୀନାନାନୀ କାହିଁକି କେଜାଣି ଭୋ କିନା କାନ୍ଦିଉଠି ମାଉସୀଙ୍କୁ ଜାବୁଡ଼ି ଧରିଲେ । ମାଉସୀଙ୍କ ଗଳାରେ ତାଙ୍କ ହାତ ଜାବ ପଡ଼ିଗଲା । ତା’ପରେ ଅନେକ ସମୟ ସେ ଧକେଇ ଧକେଇ କାନ୍ଦିଥିଲେ ।

 

ହେଡ଼ମାଷ୍ଟରଙ୍କ ଘରୁ ବିଦାୟ ନେଇ ଫେରିବାବେଳେ ଭଗବାନ୍‌ସାର୍‌ କି ମାଷ୍ଟ୍ରାଣୀ ମାଉସୀ କାହାରି ମୁହଁରେ ଭାଷା ନ ଥିଲା । ସେମାନେ ଚୁପ୍‌ଚାପ୍‌ ଚାଲିଥିଲେ । ମୀନାନାନୀଙ୍କୁ ଶ୍ୱଶୁର ଘରକୁ ବିଦାୟ ଦେଇ ସେମାନେ ବି ମୂହ୍ୟମାନ ହୋଇ ପଡ଼ିଥିଲେ । ସେମାନଙ୍କର ଉଭୟଙ୍କର ମନେ ହେଉଥିଲା ସେମାନ ବି ଯେମିତି କନ୍ୟାହରା ହୋଇଗଲେ—ନିଃସଙ୍ଗ ହୋଇଗଲେ । କନ୍ୟା ବିଦାୟର କରୁଣତା ସେମାନଙ୍କୁ ଆଚ୍ଛନ୍ନ କରି ରଖିଥିଲା । ସେମାନେ ଦୁଇଜଣ କରୁଣ ଓ ନିଃସଙ୍ଗ ମଣିଷ ଭଳି ଶ୍ଳଥପାଦରେ ତାଙ୍କ ଘରକୁ ଫେରୁଥିଲେ ।

 

ସେଦିନ ସନ୍ଧ୍ୟାରେ ମିଷ୍ଟର ମିଶ୍ରଙ୍କ ବଙ୍ଗଲୋ ଅପେକ୍ଷାକୃତ ନୀରବ ଥିଲା । ଶୋଭନା ଓ ଲୀନା ନଥିଲେ । ସେମାନେ ସମ୍ବଲପୁରରେ ଜଣେ ବାନ୍ଧବୀର ଜନ୍ମଦିନ ପାର୍ଟିରେ ଯୋଗଦେବା ପାଇଁ ସନ୍ଧ୍ୟାର ବହୁ ପୂର୍ବରୁ ଗାଡ଼ି ନେଇ ବାହାରି ଯାଇଥିଲେ । ତେଣୁ ଲନରେ ବ୍ୟାଡ଼ମିଣ୍ଟନ ଖେଳର ଆୟୋଜନ ନ ଥିଲା । ଏବେ ଅବଶ୍ୟ ପ୍ରତି ସନ୍ଧ୍ୟାରେ ବ୍ୟାଡ଼ମିଣ୍ଟନ ଖେଳ ପୂର୍ବଭଳି ଆଉ ଜମୁନାହିଁ । ସୁରଜିତ ସିନ୍‌ହା ଓ ଦିଲୀପ ଯୋକ୍ଷୀ ଏବେ ସେମାନଙ୍କର ଯିବା ଆସିବା କମାଇ ଦେଇଚନ୍ତି । ତେବେ ସୁବୋଧନନା ଆସୁଚନ୍ତି । ନିୟମିତ ସେ ଆସନ୍ତି । ସୁବୋଧନନା ଆସିଲେ ଅବଶ୍ୟ ଖୁବ୍‌ ହୋଇ ହଲ୍ଲା କରନ୍ତି ନାହିଁ । ତଥାପି ତାଙ୍କ ଆଗମନରେ ଅନେକ କଳରବ ଉଠେ । ଶୋଭନା ଲୀନାଙ୍କ ଅନେକ ଉଚ୍ଛ୍ୱସିତ ହସ ଶୁଭେ । କିଛି ନ ହେଲେ ଗପୁଡ଼ି ମିଷ୍ଟର ମିଶ୍ରଙ୍କର ଗପ ଶୁଣାଇବାର ଜଣେ ଶ୍ରୋତା ଜୁଟିଯାଏ ।

 

ଏଭଳି ଅହେତୁକ ନୀରବତା ମିଷ୍ଟର ମିଶ୍ରଙ୍କୁ ଭଲ ଲାଗୁ ନ ଥିଲା । ସେ ମନେ ମନେ ସୁବୋଧ ଦାଶଙ୍କ ଉପସ୍ଥିତି କାମନା କରୁଥିଲେ । କେତେବେଳ ଯାଏ ଆଉ ପାଟି ବନ୍ଦକରି ବସିବେ-? ସୁବୋଧ ଦାଶ ଆସିଲେ ଅନ୍ତତଃ କିଛି ସମୟ ଗଳ୍ପ କରି କଟାଇ ଦେଇ ହୁଅନ୍ତା । ମିସେସ ମିଶ୍ର ଜଣେ ଧୌର୍ଯ୍ୟହୀନ ଶ୍ରୋତା । ମିଷ୍ଟର ମିଶ୍ର ଗପ ଆରମ୍ଭ କଲେ ସେ ପ୍ରାୟ ଅନ୍ୟମନସ୍କ ହୋଇଯାନ୍ତି କିମ୍ବା ନିଜ କାମରେ ଅଧିକ ମନୋନିବେଶ କରନ୍ତି । ଇଚ୍ଛାହେଲେ ହୁଁ ହା ମାରି ସ୍ୱାମୀ କଥା ଶୁଣୁଥିବା ଅଭିନୟ କରନ୍ତି ନଚେତ୍‌ ଭ୍ରୁକୁଟି କରି କୁହନ୍ତି ‘ଓଃ—କେତେଥର ସେଇ କଥା ଗପିବ ?’ ମିଷ୍ଟର ମିଶ୍ର ସାମ୍ପ୍ରତିକ ଘଟିଥିବା କିଛି ଘଟଣା ଉପରେ ଆଲୋଚନା କରିବାକୁ ଯାଇ ଚୁପ୍‌ ହୋଇଯାନ୍ତି । ତା’ପରେ ନିଜର ଅପ୍ରତିଭ ଭାବ କଟାଇବାକୁ ଚେଷ୍ଟାକରି କହନ୍ତି—‘ଓଃ ତୁମକୁ କହିଥିଲି ପରା ?’ ମିସେସ ମିଶ୍ର ହୁଏତ ସେ କଥାର ଉତ୍ତର ଦିଅନ୍ତି ନାହିଁ କିମ୍ବା କୁହନ୍ତି, ‘ଗପିବାବେଳେ ତୁମର କଣ କିଛି ମନେ ରହେ ?’ କିନ୍ତୁ ସୁବୋଧ ଦାଶଙ୍କ କଥା ଭିନ୍ନ-। ସେ ତାଙ୍କ ଉପରିସ୍ଥ କର୍ମଚାରୀଙ୍କ କଥା ମନଦେଇ ଶୁଣନ୍ତି କିମ୍ବା ଶୁଣିବାର ବାହାନା କରନ୍ତି । ଆଗ୍ରହ ଥାଉ ବା ନ ଆଉ ସବୁକଥା ଆଗ୍ରହ ଶୁଣୁଥିବା ଭାବ କରନ୍ତି । ମିଶ୍ର ସାହେବ ଏପରି ଜଣେ ଅନୁଗତ ଶ୍ରୋତା ପାଇ ଉଲ୍ଲସିତ ହୁଅନ୍ତି । କିନ୍ତୁ ବହୁ ଅପେକ୍ଷା କରି ମଧ୍ୟ ସେଦିନ ସୁବୋଧ ଦାଶ ଆସିଲେ ନାହିଁ । ମିଷ୍ଟର ମିଶ୍ର ସେଦିନର ସକାଳର ଖବରକାଗଜଟାକୁ ତଳେ ପକାଇ ଦେଇ ପାଉଚରୁ ଟବାକୋ କାଢ଼ି ପାଇପରେ ଭର୍ତ୍ତି କଲେ । ତା’ପରେ ଗୋଟିଏ କାଠିରେ ସେଟାକୁ ଖୁଞ୍ଚାଖୁଞ୍ଚି କରି ଦିଆସିଲ ମାରିଲେ । ଦି’ କଳ ଧୂଆଁ ଛାଡ଼ି ମିସେସ ମିଶ୍ରଙ୍କୁ ଲକ୍ଷ୍ୟ କରି କହିଲେ ‘ଶୁଣୁଚ ।’ ମିସେସ ମିଶ୍ର ସୋଫାରେ ଆରାମରେ ବସି ଗୋଟିଏ ଉଲ କାଉଖାନା ବୁଣୁଥିଲେ । ସେ ସେମିତି ଉଲ ବୁଣୁବୁଣୁ ମିଶ୍ର ସାହେବଙ୍କ ଆଡ଼େ ନ ଚାହିଁ କହିଲେ ‘କଣ ?’ ମିଷ୍ଟର ମିଶ୍ର ହଠାତ୍‌ କିଛି ନ କହି ପୁଣି ପାଇପ୍‌ ଟାଣିବାକୁ ଲାକିଲେ । ତା’ପରେ ଟିକିଏ ଚୁପରହି କହିଲେ, ‘ସୁବୋଧ ବିଷୟରେ କିଛି ମନ ସ୍ଥିର କଲ ?’ ମିସେସ ମିଶ୍ର ଗୋଟିଏ ଜଟିଳ ପ୍ୟାଟାର୍ଣ୍ଣ ବୁଣୁଥିଲେ । ତେଣୁ ସେ ଖୁବ୍‌ ମନୋଯୋଗ ସହକାରେ ନିଜ ବୁଣାରେ ବ୍ୟସ୍ତ ଥିଲେ । ସେ କିଛି ଉତ୍ତର ଦେଲେ ନାହିଁ । ମିସେସ ମିଶ୍ରଙ୍କଠାରୁ ଜବାବ ନ ପାଇ ମିଶ୍ର ସାହେବ ପୁଣି କହିଲେ, ମୁଁ ଲକ୍ଷ୍ୟ କରୁଚି ସୁବୋଧଟା ଆଜିକାଲି କେମିତି ମନମରା ହୋଇଯାଇଚି । ମୁଁ ଭାବୁଛି ଆମେ ତାକୁ ଏମିତି ଝୁଲେଇ ରଖିବାରୁ ସେ ବୋଧହୁଏ ଡିପ୍ରେସଡ଼୍‌ ହୋଇଯାଇଚି । ତେଣୁ ସେ ବିଷୟରେ କିଛି ଗୋଟାଏ ନିଷ୍ପତ୍ତି କରିନେବା ଉଚିତ୍‌ ।’

 

‘କି ନିଷ୍ପତ୍ତି ?’ ବୁଣା ବନ୍ଦ କରି ମିସେସ ମିଶ୍ର ସ୍ୱାମୀଙ୍କୁ ଚାହିଁ ପଚାରିଲେ ।

 

‘ଶୋଭନା ସଙ୍ଗେ ସୁବୋଧର ବାହାଘର କଥା...... ।’

 

‘ଶୋଭନା ପାଇଁ କଣ ଆଉ କିଛି ଭଲ ପ୍ରସ୍ତାବ ଆସିବ ନାହିଁ ?’ ମିସେସ ମିଶ୍ର ମନ୍ତବ୍ୟ କଲେ । ‘ହୁଏତ ଆସିପାରେ । ତେବେ ସୁବୋଧ ମନ୍ଦ କଣ ? ସୁବୋଧ ତ ଖୁବ୍‌ ବ୍ରିଲିଏଣ୍ଟ ପିଲା । ଖୁବ୍‌ ରାଇଜ୍‌ କରିବ ।’

 

‘ବ୍ରିଲିଏଣ୍ଟ ହୋଇପାରେ । ତେବେ ବର୍ତ୍ତମାନର ପୋଜିସନ୍‌ କଥା ବିଚାର କଲେ କଣ ଆଉ ଭଲ ?’

 

‘କାହିଁକି ତା ପୋଜିସନ୍‌ ଖରାପ କଣ ? ସେ ଡାଇରେକ୍ଟ ଆସିଷ୍ଟାଣ୍ଟ ଇଞ୍ଜିନିୟର ଖୁବ୍‌ ଶୀଘ୍ର ଏକ୍‌ଜିକ୍ୟୁଟିଭ ଇଞ୍ଜିନିୟର ହୋଇଯିବ ।’

 

‘ତେବେ ତା ଘର ପେଡ଼ିଶ୍ରୀ ଏସବୁ ତ ଫେର ଦେଖିବ ? ତୁମେ ପରା କହୁଥିଲ ତା’ ବାପା ପ୍ରାଇମାରୀ ଟିଚର ।’

 

‘ତା ବାପା ପ୍ରାଇମାରୀ ଟିଚର ହେଲେ କଣ ହେବ ? ତୁମ ଝିଅ ତ ଆଉ ତା ବାପାକୁ ବାହା ହବନି ପୁଅକୁ ବାହାହେବ । ବାପ ପୋଜିସନରୁ ଆମକୁ ମିଳିବ କଣ ? ଆଉ ଘର ? ଘର ସେମାନଙ୍କର ଅଛି । ତେବେ ମାଟିଘର । ମାଟିଘରକୁ ପକ୍‌କା କରିବା କଥା ଜଣେ ଇଞ୍ଜିନିୟର ପକ୍ଷେ କଣ କଷ୍ଟ ? ସେ ପରା ଘର ତିଆରି କରିବାର ତାଲିମ ନେଇଚି—ମନେକଲେ ସେ ସ୍ଲାଇ ସ୍କ୍ରେଷାର କରାଇ ଆସିବ ।’ କହି ମିଶ୍ର ସାହେବ ଆମୋଦିତ ହୋଇ ହସିଲେ । ତା’ପରେ ପୁଣି କହିଲେ, ‘ମୋ ବାହାଘର ବେଳେ କଣ ମୋର ଘର ଥିଲା ? ତୁମ ବାପା ସେ ତ ଜଣେ ସେତେବେଳର ଟେପୁଟି ମାଜିଷ୍ଟ୍ରେଟ୍‌ । ସେ ତ ମୋତେ ଜାମାତା ପଦରେ ବରଣ କରିଥିଲେ—ତାଙ୍କର ସେହି ଗୃହହୀନ ଜାମାତା କ’ଣ ନିଜର ମୁଣ୍ଡ ଗୁଞ୍ଜିବା ପାଇଁ କୁଟୀରଟିଏ କରିନି ?’ କହି ସେ ସଗର୍ବେ ସହଧର୍ମିଣୀଙ୍କୁ ଚାହିଁଲେ । ମିସେସ ମିଶ୍ର ସ୍ୱାମୀଙ୍କ କଥା ଶୁଣି ଝଙ୍କାର ହୋଇ ଉଠିଲେ–‘ହଁ ଭାରି ଯୋଗ୍ୟ ମଣିଷଟେ ଘର ତୋଳି ଦେଲେ ? କିହୋ ଦେଉଳସାହିରେ ସେ ଜାଗାଟା ତ ବାପା ଯୋଗାଡ଼ କରି ଦେଇଥିଲେ । ତା ନହେଲେ ମଠର ପ୍ରାୟ ଏକର ଜାଗା ତୁମେ ନାମମାତ୍ର ସଲାମି ଦେଇ ପାଇଥାନ୍ତ ? ଆଉ ତା’ଛଡ଼ା ଘର ତିଆରିରେ ତୁମେ କଣ କରିଚ ଯେ, ସବୁ ତ ମୁଁ କରିଚି ।’ ‘ଅବଶ୍ୟ ମାନୁଚି ତୁମର ବହୁତ ଅବଦାନ ଅଛି ସେ ଘର ତିଆରିରେ । ସେଇଥିପାଇଁ ତ କହୁଚି ତୁମ ଝିଅ କଣ ସେମିତି ତା ନିଜଘର ତିଆରି କରି ପାରିବନି ?’ ଏ କଥାରେ ମିସେସ ମିଶ୍ର କୌଣସି ଟିପ୍‌ପଣୀ କାଟିଲେ ନାହିଁ । କେବଳ ସାମାନ୍ୟ ଗମ୍ଭୀର ହୋଇଗଲେ ।

 

ତାଙ୍କ ହାତରେ ବୁଣା ସାମାନ୍ୟ ଶିଥିଳ ହୋଇଗଲା । ବୋଧହୁଏ ସେ ଚିନ୍ତା କରୁଥିଲେ-। ତେବେ ସେ ଶୋଭନାର ବିଭାଘର କଥା ଚିନ୍ତା କରୁଥିଲେ କିମ୍ବା ତାଙ୍କ ଉଲ୍‌ ବୁଣା କଥା ଚିନ୍ତା କରୁଥିଲେ । ସେ କଥା ମି: ମିଶ୍ର ଠିକ୍‌ ଠଉରେଇ ପାରିଲେ ନାହିଁ । କେତେ ସମୟ ନୀରବରେ ପାଇପ ଟାଣି ପୁଣି ସେ କହିଲେ—ଶୋଭନା ବାହାଘର କଥାରେ ଖାଲି ବରଘର କଥା ଭାବିଲେ ତ ଚଳିବ ନାହିଁ । ଆମ ନିଜ କଥା ବି ଭାବିବାର ଅଛି ।

 

କି କଥା ? ତଳକୁ ମୁହଁପୋତି ବୁଣୁବୁଣୁ ମିସେସ ମିଶ୍ର ପଚାରିଲେ ।

 

ପ୍ରଥମ କଥା ଡାଉରୀ—

 

ତୁମର ତ ପିଲା ବୋଲି ଝିଅ ଦି’ଟା—ଡାଉରୀ କଣ ଆଉ ଦିଅନ୍ତି ନାହିଁ ?

 

ଓହୋ—ଡାଉରୀ ଦେବାକୁ କିଏ ମନା କରୁଚି—ତେବେ ଆଜିକାଲି ଯୋଗ୍ୟ ପିଲାଙ୍କ ବାପ ମାଙ୍କର ଦାବୀ ଯେ କେତେ ବଢ଼ିଗଲାଣି ସେ କଥା ଜାଣିଚ ? ଆମ ଓଡ଼ିଶାରେ ଯେଉଁ କାଁ ଭା ଜଣେ ଦି’ଜଣ ଆଇ. ଏ. ଏସ୍‌. କି ଆଇ. ପି. ଏସ୍‌. ଚାକିରି ପାଇଚନ୍ତି ସେମାନଙ୍କ ଡିମାଣ୍ଡ ଲକ୍ଷେ ଟଙ୍କାରୁ କମ ନୁହେଁ—ସେମିତି ଦୁଷ୍ପ୍ରାପ୍ୟ ହାଇଲିକ୍ୱାଲିଫାଏଡ଼ ବିଜିନେସ୍‌ ଏକ୍‌ଜିକ୍ୟୁଟିଭ୍‌ ବରମାନଙ୍କର ବି ଚଢ଼ା ଦାମ୍‌ ।

 

ଦରକାର ପଡ଼ିଲେ ସେମିତି ଡିମାଣ୍ଡ ଦବ । ମିସେସ ମିଶ୍ର ତାଙ୍କ ମନ୍ତବ୍ୟଟା ମି: ମିଶ୍ରଙ୍କ ଉପରକୁ ଫୋପାଡ଼ି ଦେଇ ପୁଣି ନିଜ କାମରେ ବ୍ୟସ୍ତ ରହିଲେ । ଦେଇ ପାରିଲେ ତ ମନୋରମା ? ଝିଅମାନଙ୍କୁ ତ ସବୁ ଦେଇ ଦେବ । ପେନ୍‌ସନ୍‌ ପରେ ନିଜେ କେମିତି ଚଳିବ ସେ କଥା ଭାବୁଚ ତ-? ମିସେସ ମିଶ୍ର କିଛି କହିଲେ ନାହିଁ । ମି: ମିଶ୍ର ସ୍ୱର ନରମ କରି କହିଲେ, ‘ସୁବୋଧ ଫେବାରରେ ଆଉ ଗୋଟିଏ ପଏଣ୍ଟ, ମୁଁ ଭାବୁଚି ଆମ ଶୋଭନା ସୁବୋଧକୁ ପସନ୍ଦ କରେ ।’ କହି ସେ ସମର୍ଥକ ଆଖିରେ ସ୍ତ୍ରୀ ଆଡ଼କୁ ଚାହିଁଲେ । ମିସେସ ମିଶ୍ର ମଧ୍ୟ ଏ ବିଷୟରେ ସମ୍ପୂର୍ଣ୍ଣଭାବେ ଅବହିତ ଥିଲେ । ତେଣୁ ସେ ପ୍ରତିବାଦ କଲେ ନାହିଁ । ହାତର ବୁଣା ବନ୍ଦ କରି କଟାକ୍ଷରେ ସ୍ୱାମୀଙ୍କୁ ଚାହିଁଦେଇ ପୁଣି ନିଜ କାମରେ ମନୋନିବେଶ କଲେ ।

 

ଭଗବାନସାର ଖାଇସାରି ସ୍କୁଲକୁ ବାହାରୁଥିଲେ । ହଠାତ୍‌ କରୁଣାକର ବାବୁ ତାଙ୍କ ଡିସପୋସାଲରୁ କିଣା ରଙ୍ଗ ଛଡ଼ା ଝଡ଼ଝଡ଼ିଆ ମୋଟର ବାଇକ୍‌ଟାରେ ଝପଟି ଆସି ସଡ଼ନ୍‌ ବ୍ରେକ୍‌ମାରି ଓହ୍ଲାଇ ପଡ଼ିଲେ । ତାଙ୍କୁ ଦେଖି ଭଗବାନସାର ଥମକି ଗଲେ ।

 

କଣ, କଥା କଣ କରୁଣାକର—ଏପରି ବ୍ୟସ୍ତ ହୋଇ କୁଆଡ଼େ ଆସିଲ ? କରୁଣାକର ବାବୁ ଯେତିକି ବ୍ୟସ୍ତ ତା’ଠାରୁ ବେଶୀ ଉତ୍ତେଜିତ ଜଣା ପଡ଼ୁଥିଲେ । ସେ ଭଗବାନସାରଙ୍କ କଥାର ଉତ୍ତର ନ ଦେଇ ଖାଲି କହିଲେ—

 

ଟେଲିଗ୍ରାମ—

 

ଟେଲିଗ୍ରାମ ? କି ଟେଲିଗ୍ରାମ, କେଉଁଠୁ ଆସିଛି ?

 

ହୀରାକୁଦରୁ—

 

ହୀରାକୁଦରୁ ? କିଏ କରିଚି ? ଭଗବାନସାରଙ୍କ କଥାରେ ଔତ୍ସୁକ୍ୟ ଫୁଟି ଉଠିଲା-। ସାହେବ ଟେଲିଗ୍ରାମ କରିଛନ୍ତି ମୋ ପାଖକୁ । କହି କରୁଣାକର ବାବୁ ସଗର୍ବେ ହସିବାକୁ ଲାଗିଲେ-

 

ସାହେବ । ସାହେବ କିଏ ? କଥାଟା କଣ ଖୋଲିକରି କୁହ କରୁଣାକର—ମୋର ଫେର୍‌ ସ୍କୁଲ ବେଳ ଡେରି ହୋଇ ଯାଉଛି । ଜାଣ ତ ଠିକ୍‌ ଦଶଟାରେ ପ୍ରାର୍ଥନା ଶ୍ରେଣୀ—ମୁଁ ନ ଗଲେ ପିଲାମାନେ ଗୋଳମାଳ କରିବେ । କରୁଣାକର ବାବୁ ତାଙ୍କ ରିଷ୍ଟୱାଚ୍‌କୁ ଚାହିଁ କହିଲେ—ବର୍ତ୍ତମାନ ମାତ୍ର ନ’ଟା, ବହୁତ ବେଳ ଅଛି । ଯଦି ଆପଣଙ୍କର ଡେରି ହୋଇଯିବ ବୋଲି ଭାବୁଛନ୍ତି, ତେବେ ଚିନ୍ତା କରିବାର କିଛି ନାହିଁ । ମୁଁ ଆପଣଙ୍କୁ ଡବଲ ବସାଇ ନେଇ ସ୍କୁଲରେ ଛାଡ଼ିଦେଇ ଆସିବି—ତେବେ ଆପଣଙ୍କୁ କଥାଟା ଶୁଣିବାକୁ ହେବ । କାରଣ ଭାରି ଇମ୍ପଟେଣ୍ଟ—

 

କୁହ—ଭଗବାନସାର କହିଲେ ।

 

ସାହେବ ତାର କରିଛନ୍ତି ଆଜି ଆସି ପହଞ୍ଚିବେ । ତାଙ୍କ ପାଇଁ ବଙ୍ଗଳା ରଜିର୍ଭ କରିବାକୁ ହେବ ।

 

କିଏ ସାହେବ—କାହିଁକି ଆସୁଛନ୍ତି, କିଛି ନ କହି କ’ଣ ସବୁ ୟାଡ଼ୁସ୍ୟାଡ଼ୁ ଗପୁଚ ? ଭଗବାନସାର ଏଥର ବିରକ୍ତ ହେଲେ । ସାହେବ ତ ଆମ ଡିପାର୍ଟମେଣ୍ଟର ଜଣେ ମିଶ୍ର ସାହେବ । ଓଡ଼ିଶାର ଏକମାତ୍ର ବିଲାତଫେରନ୍ତା ଇଞ୍ଜିନିୟର । ଯେମିତି ଚେହେରା ସେମିତି ମେଜାଜ ଗୁସା ସାହେବ ।

 

ଭଗବାନସାରା ହତାଶ ଛିଡ଼ାହୋଇ କରୁଣାକର ବାବୁଙ୍କ ମୁହଁକୁ ଶୂନ୍ୟଦୃଷ୍ଟିରେ ଚାହିଁ ରହିଲେ । ସେ ତାଙ୍କ କଥାର କୌଣସି ଆଦିଅନ୍ତ ପାଉନଥିଲେ ।

 

ଭଗବାନସାର ଜାଣନ୍ତି କରୁଣାକର ବାବୁ ସାମାନ୍ୟ ବକ୍ତବ୍ୟ ପାଇଁ ବିରାଟ ଗୌରଚନ୍ଦ୍ରିକା କରନ୍ତି । କିନ୍ତୁ ଭଗବାନସାର ୟା’ବି ଜାଣନ୍ତି କରୁଣାକର ବାବୁଙ୍କୁ ଏଡ଼ିଦେଇ ଯାଇହେବନି । ସେ ଜଣେ ନଛୋଡ଼ବନ୍ଧା ଲୋକ । ନିଜର ବିରକ୍ତି ଗୋପନ କରି ଭଗବାନସାର କହିଲେ—ହଉ କଥାଟା ଏଥର ଖୋଲିକରି କୁହ—ମୋର ପରା ଡେରି ହୋଇଯାଉଚି ।

 

କହୁଚି ସାର । ଆପଣ ଏତେ ବ୍ୟସ୍ତ ହେଲେ ଚଳିବ । ମୁଁ ତ କହିବା ପାଇଁ ଆସିଚି । ସୁଖବରଟା ଜଣାଇ ଦେଇ ନାନୀଙ୍କଠାରୁ ମୁହଁପିଠା କରି ଚାଲିଯିବି । ମୋର ବି ବହୁତ କାମ ଆପଣ ତ ଜାଣିଚନ୍ତି । ହସ୍‌ପିଟାଲର ନୂଆ ଓ୍ୟାର୍ଡ଼ଟା ମୁଁ ନେଇଚି । ୩ ଲକ୍ଷ ଟଙ୍କାର କାମ । ଫଟି ପରସେଣ୍ଟ ଲେସରେ ନେଇ ବି ମୁଁ କି ଦହଗଞ୍ଜ ହଉଚି । ସାଇଟକୁ ବାହାରିଥିଲି—ଏଇ ସମୟରେ ଟେଲିଗ୍ରାମ ।

 

ଭଗବାନସାର କିଛି ନ କହି କରୁଣାକର ବାବୁଙ୍କୁ ଚାହିଁରହିଲେ । କରୁଣାକର ବାବୁ ଭଗବାନସାରଙ୍କ ମନୋଭାବ ପ୍ରତି ଦୃଷ୍ଟି ନ ଦେଇ ଆପଣା ମନକୁ ଗପି ଚାଲିଥିଲେ । ସେ ହୁଏତ ତାଙ୍କ ଅଛିଣ୍ଡା ଗପ ଆହୁରି ଲମ୍ୱାଇଥାନ୍ତେ । କିନ୍ତୁ ତାଙ୍କର ହଠାତ୍‌ ମନେ ପଡ଼ିଗଲା—ଦଶଟାବେଳେ ଏସ୍‌. ଡି. ଓ. ତାଙ୍କ କାମ ତଦାରଖ କରିବାକୁ ଆସିବେ । ତେଣୁ ସେ କଥାଟାକୁ କାଟଛାଣ୍ଟ କରି କହିଲେ—

 

ମିଶ୍ର ସାହେବ ଟେଲିଗ୍ରାମ କରିଚନ୍ତି ଆଜି ଆସି ଆପଣଙ୍କୁ ଦେଖା କରିବେ ।

 

ମିଶ୍ର ସାହେବ ମୋତେ ଦେଖା କରିବେ ? ଆଶ୍ଚର୍ଯ୍ୟ ହେଲେ ଭଗବାନ ସାର ।

 

ହଁ ଲେଖିଛନ୍ତି ତ କହି ଅଥପୂର୍ଣ୍ଣଭାବେ କରୁଣାକର ବାବୁ ହସିଲେ ।

 

କାହିଁକି ? କାରଣ କିଛି ଜାଣିଚ କରୁଣାକର ?

 

ମନେହେଉଚି—ସୁବୋଧ ବାହାଘର ପ୍ରସ୍ତାବରେ ଆସୁଚନ୍ତି । ତାଙ୍କର ତ ଝିଅ ଦୁଇଟି–

 

କରୁଣାକର ବାବୁ ମିଶ୍ର ସାହେବଙ୍କ ବିଷୟରେ ଆହୁରି ଗପିଥାନ୍ତେ, କିନ୍ତୁ ତାଙ୍କର ଏସ୍‌.ଡି.ଓଙ୍କ କଥା ଶୁଣି ମନେ ପଡ଼ିଲା—ସେ ହଠାତ୍‌ ଗପ ବନ୍ଦ କରି ମଟର ସାଇକେଲ ଷ୍ଟାର୍ଟକରି କହିଲେ, ‘‘ମିଶ୍ର ସାହେବ ଆସିଲେ ମୁଁ ଆପଣଙ୍କୁ ଖବର ଦେବି—ଆପଣ ତ ଅଛନ୍ତି ।’’ କହି କରୁଣାକର ବାବୁ ବିକଟ ଶବ୍ଦକରି ମୋଟର ଛୁଟାଇ ଚାଲିଗଲେ । ସେତେବେଳକୁ ଅନେକ ଡେରି ହୋଇ ଯାଇଥିଲା । ଭଗବାନସାର ତରବର ହୋଇ ସ୍କୁଲଆଡ଼େ ଚାଲିବାକୁ ଲାଗିଲେ ।

 

ସ୍କୁଲରୁ ଫେରି ଭଗବାନସାର ମିଶ୍ର ସାହେବଙ୍କ ଆସିବା ସମ୍ୱାଦଟା ମାଷ୍ଟ୍ରାଣୀ ଦେବାକୁ ଭୁଲି ଯାଇଥିଲେ । ହଠାତ୍‌ ରାସ୍ତାରେ କରୁଣାକର ବାବୁଙ୍କ ମୋଟର ବାଇକର ବିକଟ ଆୱାଜ ଶୁଣି ତାଙ୍କର ସେ କଥାଟା ମନେ ପଡ଼ିଲା । ସେ ଚମିକଲା ପରି ମାଷ୍ଟ୍ରାଣୀ ମାଉସୀଙ୍କୁ ଡାକିଲେ, ଶୁଣୁଚ–କଣ ? ମାଉସୀ ଆସି ଛିଡ଼ା ହୋଇ ପଚାରିଲେ ।

 

କରୁଣାକର କହୁଥିଲା, ଆଜି କାଳେ ସୁବୋଧର ହାକିମ ମିଶ୍ର ସାହେବ ଏଠିକୁ ଆସିବେ-

 

କାହିଁକି ?

 

ସୁବୋଧ ସଙ୍ଗେ ତାଙ୍କ ଝିଅର ବାହାଘର ଖବର ପକାଇବା ପାଇଁ.....

 

ଆଗରୁ କହିଲନି—

 

ଭୁଲି ଯାଇଥିଲି—ପିଲାଗୁଡ଼ାଙ୍କର ବୃତ୍ତି ପରୀକ୍ଷା ପାଖେଇ ଆସିଲାଣି । ସେମାନଙ୍କ ସାଥିରେ ବକର ବକର ହୋଇ ଭୁଲିଗଲି—କହି ଭଗବାନସାର ଟିକିଏ ଲାଜରା ହୋଇ ହସିଲେ ।

 

ମାଉସୀ ଟିକିଏ ବ୍ୟସ୍ତ ହୋଇ କହିଲେ—ଜଣେ ଭଦ୍ର ଲୋକ ପୁଣି ହାକିମ ହୁକୁମା ଲୋକ ଘରକୁ ଆସିବେ—ତାଙ୍କୁ ତ ଫେର ଚର୍ଚ୍ଚା କରିବ । ତୁମେ ଭଲା ଇସ୍କୁଲରୁ ଫେରିବା ବାଟରେ ରାଜୁ କି ଅମୂଲ୍ୟ କାହାକୁ ଟିକିଏ ଡାକି ଦେଇଥାନ୍ତ—ସେହି ପିଲାଙ୍କ ଭିତରୁ କେହି ଜଣେ ଥିଲେ ଅନ୍ତତଃ ବଜାରକୁ ଯାଇ କିଛି ଜଳଖିଆ ଆଣିଥାନ୍ତେ—ଦାଣ୍ଡ ଘରକୁ ଟିକିଏ ସଜାଡ଼ି ଦେଇଥାନ୍ତେ—ତେବେ ଯାଏ, କାହାକୁ ଜଣକୁ ଡାକେ । କହି ଭଗବାନସାର ବାହାରକୁ ଯିବାରୁ ପ୍ରସ୍ତୁତ ହେଲେ ।

 

କାହାରିକୁ ଡାକିବା ଦରକାର ନାହିଁ ନାନୀ—ସବୁ ବନ୍ଦୋବସ୍ତ କରି ମୁଁ ଆସି ଯାଇଚି । କହି ଆମ ସହରର ଏକମାତ୍ର କଣ୍ଟ୍ରାକର ବାବୁ ପସି ଆସିଲେ । ତା’ପରେ ଭଗବାନସାରଙ୍କୁ ଚାହିଁ ସେ କହିଲେ—ମିଶ୍ର ସାହେବ ଆସି ଗଲେଣି । ତାଙ୍କୁ ଡାକବଙ୍ଗଳାରେ ରଖି ମୁଁ ଆସିଲି । ସିଏ ଧୁଆ ଧୋଇ ହୋଇ ଘଣ୍ଟାକ ପରେ ଆସିବେ । ସିଧା ବୁର୍ଲାରୁ କାରରେ ଆସିଛନ୍ତି ତ ।

 

ଭଗବାନସାର, ମାଷ୍ଟ୍ରାଣୀ ମାଉସୀ କରୁଣାକର ବାବୁଙ୍କୁ କ’ଣ କହିବେ ଠିକ୍‌ କରି ନ ପାରି ଖାଲି ଚାହିଁରହିଲେ । ସେମାନଙ୍କ ମନୋଭାବ ପ୍ରତି ଲକ୍ଷ୍ୟ ନ ଦେଇ କରୁଣାକରବାବୁ ସେମିତି ବିଚଳିତ ଭାବରେ ଗପିବାକୁ ଲାଗିଲେ—

 

ବୁଝିଲ ନାନୀ—ମିଶ୍ର ସାହେବ ଠିକ୍‌ ୪ଟା ବେଳେ ଆସି ବଙ୍ଗଳା ପାଖେ ପହଞ୍ଚିଗଲେ । ସାହେବୀ ମେଜାଜ ତ । ଏକାବେଳେକେ ଘଣ୍ଟା କଣ୍ଟାକୁ ଜଗି ତାଙ୍କର କାମ । ମୁଁ ଜାଣିଚି ତାଙ୍କ କଥା । ଘଣ୍ଟାକ ଆଗରୁ ଯାଇ ଜଗି ବଙ୍ଗଳା ରେଡ଼ି କରି ପିଣ୍ଡାରେ ବସିଚି । ମୋତେ ଦେଖି ମିଶ୍ର ସାହେବ ଭାରି ଖୁସି ହୋଇ ହାଲୋ ମାଇଁ ବୟ, କହି କୁଣ୍ଢାଇ ପକାଇଲେ—ମୋତେ ନମସ୍କାର କରିବାକୁ ତ ବେଳ ମିଳିଲା ନାହିଁ—ମିଶ୍ର ସାହେବ ମୋ ପିଠି ଥାପୁଡ଼ାଇ କହିଲେ—ମୁଁ ଜାଣିଚି, କରୁଣାକର ତୁମେ ଥିବ । ମୋର କିଛି ଅସୁବିଧା ହେବନି । ମୁଁ କହିଲି—ସାର୍‌ ଆମେ ଥାଉ ଥାଉ ଆପଣଙ୍କର ଫେର୍‌ ଅସୁବିଧା ? ବୁଝିଲ ନାନୀ ମିଶ୍ର ସାହେବ ମଣିଷ ନୁହଁନ୍ତି ଦେବତା—ତାଙ୍କରି ଦୟାରୁ ତ ମୁଁ ମଣିଷ । ତାଙ୍କରି କୃପାରୁ ମୁଁ ‘ବି’ କ୍ଳାସ ଲାଇସେନ୍‌ସ ପାଇଲି—ତିନି ଲକ୍ଷ ଟଙ୍କା କାମକୁ ଫଟି ପାରସେଣ୍ଟ୍‌ ସେଲରେ ନବାକୁ ସାହସ କରିଚି ।

 

କରୁଣାକର ବାବୁ ମିଶ୍ର ସାହେବଙ୍କ ବାବଦ ଏବଂ ନିଜ ବାବଦ ଆହୁରି କେତେ କ’ଣ ଗପିଥାନ୍ତେ । ତାଙ୍କୁ ବାଧା ଦେଇ ଭଗବାନସାର କହିଲେ—ସେ କେତେ ପାଞ୍ଚଟା ବେଳକୁ ଆସିବେ କରୁଣାକର—ଘଣ୍ଟାଏ ପରେ, ମାନେ ଠିକ୍‌ ସାଢ଼େ ପାଞ୍ଚଟା ବେଳେ । ତା’ପରେ ସିଧା ବୁର୍ଲାର ଫେରିଯିବେ । କହି କରୁଣାକର ବାବୁ ତାଙ୍କ ଘଣ୍ଟା ଦେଖି ବ୍ୟସ୍ତ ହୋଇପଡ଼ିଲେ । ଆରେ ଯାଃ—ବେଳ ହୋଇଗଲା । ତାଙ୍କ ବସିବା ଜାଗାଟା ଠିକ୍‌ ଠାକ୍‌ କରିଦବା । ଯେତେହେଲେ ସାହେବ ମିଜାଜ ଲୋକ ତ—କହି କରୁଣାକର ବାବୁ ଭଗବାନସାରଙ୍କ ଦାଣ୍ଡଘରେ ପଡ଼ିଶାଘରୁ କେଇଟା ଚୌକି ମଗାମଗି କରି ଆଣି ପକାଇବାକୁ ସବୁ ଠିକ୍‌ଠାକ୍‌ କରିଦେଲେ । ତା’ପରେ ମାଉସୀଙ୍କୁ ଲକ୍ଷ୍ୟ କରି କହିଲେ—ମୁଁ ଯାଉଚି ତାଙ୍କୁ ଡାକି ଆଣିବି । ଆଉ ଭୀମ ସାହୁ ଦୋକାନରେ ବରାଦ କରି ଆସିଚି । ମୋ ମୋହରିରେ ବୀର ଜଳଖିଆ କଫି, ପାନ, ସିଗୋରେଟ ସବୁ ନେଇ ଆସିବ । ତୁମ ସମୁଦିଙ୍କ ଚର୍ଚ୍ଚାରେ କିଛି ତ୍ରୁଟି ହେବନି । ତୁମେ ଜମା ବ୍ୟସ୍ତ ହୁଅନି । ମୁଁ ପରା ଅଛି—କହି କରୁଣାକର ବାବୁ ପୁଣି ତାଙ୍କ ମୋଟର ସାଇକେଲ ଛୁଟାଇ ଚାଳିଗଲେ ।

 

ଠିକ୍‌ ସାଢ଼େ ୫ଟା ବେଳେ କରୁଣାକର ବାବୁଙ୍କୁ ସାଥିରେ ଧରି ମିଶ୍ର ସାହେବ ନିଜର ବିରାଟ ଫଟିଏଇଟ୍‌ ମଡ଼େଲ ଷ୍ଟୁଡ଼ିବେକାର ଗାଡ଼ିରେ ଆସି ଭଗବାନସାରଙ୍କ ଘରେ ପହଞ୍ଚଲେ । ଧୋତି ପଞ୍ଜାବି, ଚପ୍‌ଲ ପିନ୍ଧା ଭଦ୍ରଲୋକଙ୍କୁ କିଏ କହିବ ଯେ, ସିଏ ଜଣେ ବିଲାତ ଫେରନ୍ତା ଇଞ୍ଜିନିୟର—କଡ଼ା ମେଜାଜର ବିରାଟ ହାକିମ । ବିଗଳିତ ଭାବେ ହସି ହସି ସେ ଭଗବାନସାରଙ୍କୁ ନମସ୍କାର କରି କହିଲେ—ମୋତେ ଆପଣ ଚିହ୍ନି ପାରିବେନି ପଣ୍ଡିତ ମହାଶୟ । ମୋ ନାମ ପ୍ରାଣକୃଷ୍ଣ ମିଶ୍ର । କାକୁସ୍ଥଭାବେ ଭଗବାନସାର ପ୍ରତି ନମସ୍କାର କରି କହିଲେ—ବସନ୍ତୁ ଆଜ୍ଞା—ଆପଣ ତ ଆଉଥରେ ଆସିଥିଲେ । ସେତେବେଳେ ସୁବୋଧ ଚାକିରି କରି ନଥିଲା । ଓ ହିଁ—ତେବେ ସେଦିନ ମୁଁ ରାସ୍ତାକୁ ଚାଲିଯାଇଥିଲି—ଆପଣଙ୍କ ସହ ପରିଚିତ ହେବାର ସୁଯୋଗ ପାଇ ନଥିଲି । ଆଜି ଆପଣଙ୍କ ଘରେ ବସି ଆପଣଙ୍କଠାରୁ ଭିକ୍ଷା ମାଗିବାକୁ ଆସିଛି—କହି ସେ ହସିଲେ-। ବୋଧହୁଏ ନିଜ ବିନୟ ପ୍ରକାଶ ଭଙ୍ଗୀରେ ଖୁସି ହୋଇ ସେ ହସିଲେ ।

 

ୟେ କ’ଣ କହୁଚନ୍ତି ଆଜ୍ଞା—ମୁଁ ଅତି ସାମାନ୍ୟ ଲୋକ । ମୋତେ ଆପଣ କଣ ବା ମାଗିବେ । ମୋର ଯାହା ଅଛି ତାକୁ ଆପଣ ନିଜର ଭାବି ଗ୍ରହଣ କରନ୍ତୁ । ମୁଁ ଜାଣିଚି ପଣ୍ଡିତ ମହାଶୟ ମୁଁ ଜାଣିଚି । ଆପଣ ଅତି ଜ୍ଞାନବନ୍ତ ଓ ଉଦାର ଲୋକ । ସେଇଥିପାଇଁ ତ ଆପଣଙ୍କୁ ମାଗିବାରେ ସଙ୍କୋଚ ନାହିଁ—କହି ମିଶ୍ର ସାହେବ ସଂକ୍ଷେପରେ ତାଙ୍କର ପ୍ରସ୍ତାବ କହିଲେ ।

 

ପ୍ରସ୍ତାବରେ ଭଗବାନସାରଙ୍କ ମତାମତ ଦେବାରେ କୌଣସି ଅବକାଶ ନଥିଲା—ସେ ଜାଣିଥିଲେ ସୁବୋଧର କେବଳ ସମ୍ମତି ନୁହେଁ ଆଗ୍ରହ ଅଛି । ବିଭାଘରରେ ତେଣୁ ତାଙ୍କର ମତାମତ ଦେବା ନିଷ୍ପ୍ରୟୋଜନ—ତଥାପି ସେ କହିଲେ ସୁବୋଧର ଯଦି ଏ ପ୍ରସ୍ତାବରେ ରାଜି ମୋର ଅରାଜି ହେବାର ତ କିଛି ନାହିଁ ।

 

ମିଶ୍ର ସାହେବ ମୃଦୁ ହସି କହିଲେ—ସୁବୋଧର ମତାମତ ନେଇ ମୁଁ ଏଠାକୁ ଆସିଚି ପଣ୍ଡିତ ମହାଶୟ—ସେମାନେ ଆଜିକାଲି ପିଲା । ସେମାନଙ୍କ ମତ ନ ନେଇ କ’ଣ କିଛି କରିହବ ।

 

କରୁଣାକରବାବୁଙ୍କ ନିର୍ଦ୍ଦେଶମତେ ତାଙ୍କ ମୋହରିର ବୀର ପ୍ରଚୁର ଭୋଜ୍ୟବସ୍ତୁ ଆଣିଥିଲା । କିନ୍ତୁ ମିଶ୍ର ସାହେବ ସେ ସବୁ ସ୍ପର୍ଶ କଲେ ନୁାହିଁ । କପେ କଫି କେବଳ ଉଠାଇ ନେଲେ ତା ପରେ ଖଣ୍ଡେ ସିଗାରେଟରେ ନିଆଁ ଲଗାଇ କହିଲେ, ଆଉ ଗୋଟିଏ ଛୋଟ ଅନୁରୋଧ—ଦୟାକରି ଘର ଭିତରକୁ ଯିବାକୁ ଟିକିଏ ଅନୁମତି ଦେବେ କି ?

 

ଭଗବାନସାର ବ୍ୟସ୍ତ ହୋଇ କହିଲେ—ଆସନ୍ତୁ ଆସନ୍ତୁ ଆଜ୍ଞା—ଏ ତ ଆପଣଙ୍କ ଘର.....

 

ମିଶ୍ର ସାହେବ ଭିତରକୁ ଟିକିଏ ଆଖି ବୁଲାଇ ନେଇ କହିଲେ—ବିଭାଘର ପୂର୍ବରୁ ସୁବୋଧ ଘରର କେତେକ ମରାମତ କରିବାକୁ ସୁବୋଧ ଚାହୁଁଚି—ସେ ନିଜେ ଆସି ସବୁ ବନ୍ଦୋବସ୍ତ କରିବାକୁ ଚାହୁଁଥିଲା । ମୁଁ ମନାକରି କହିଲି ମୁଁ ଯାଉଚି ଯାହା ସାମାନ୍ୟ କାମ ମୁଁ ବରାଦ କରିଦେଇ ଆସିବି, ଆମ କରୁଣାକର ଅଛି କରି ଦେବନି ଯେ: କହି ସେ କରୁଣାକର ବାବୁ ଆଡ଼କୁ ଚାହିଁ କହିଲେ କଣ କରୁଣାକର ଯେଉଁ ସବୁ କାମ କହିଚି ସେ ସବୁ ବାହାଘର ଆଗରୁ ସରିଯିବ ତ-?

 

କରୁଣାକରବାବୁ ବିଚଳିତ ଭାବେ କହିଲେ—ସେ ଆଉ କହିବାକୁ ଅଛି ସାର୍‌ ।

 

—ମୋ କଥା କ’ଣ ଆପଣଙ୍କୁ ଅଛପା । ଟାଇମ୍‌ ସିଡ଼୍ୟୁଲ ଆଗରୁ ଶେଷ ହୋଇଯିବ ।

 

ଭେରିଗୁଡ଼୍‌ । ହୁଁ ତୁମ ଭାଇକୁ ତେବେ ହୀରାକୁଦ ପଠାଅ । ସେଠାରେ ବ୍ୟବସ୍ଥା କରିଦେବ—କହି ମଶ୍ର ସାହେବ ସମସ୍ତଙ୍କଠାରୁ ବିଦାୟ ନେଇ ଚାଲିଗଲେ । ସେ ବିଭାଘରର ଦିନବାର ସବୁ ଠିକ୍‌ଠାକ୍‌ କରି ଆସିଥିଲେ । ସେ କଥା ମଧ୍ୟ ସେ ଜଣାଇ ଦେଇଗଲେ । ମିଶ୍ର ସାହେବ ଚାଲିଯିବା ପରେ ମଧ୍ୟ ଭଗବାନସାର କିମ୍ୱା ମାଷ୍ଟରାଣୀ ମାଉସୀ କେହି କିଛି କହିଲେ ନାହିଁ । କରୁଣାକରବାବୁ କେବଳ ମିଶ୍ର ସାହେବଙ୍କ ପ୍ରସ୍ଥାନ ପଥକୁ ଚାହିଁ ଦୁଇ ହାତ ଯୋଡ଼ି କପାଳରେ ଲଗାଇ କହିଲେ—ଆଃ—ଦୟାବନ୍ତ ପୁରୁଷ, ଠାକୁରେ ତାଙ୍କର ମଙ୍ଗଳ କରନ୍ତୁ । ତା’ପରେ ଭଗବାନସାରଙ୍କୁ ଚାହିଁ କହିଲେ—ତେବେ କାଲିଠାରୁ କାମ ଆରମ୍ଭ କରି ଦେଉଛି ।

 

କି କାମ କରୁଣାକର ?

 

ଏଇ ଆପଣଙ୍କ ଘରର ସବୁ ମରାମତି । ଏଡ଼ିସନ ଅଲଟାରେସନ୍‌ କାମ । ଯାହାସବୁ ମିଶ୍ର ସାହେବ ବରାଦ କରିଗଲେ ।

 

ଭଗବାନସାର୍‌ ଥରେ ମାଉସୀଙ୍କ ଆଡ଼କୁ ଶୂନ୍ୟଦୃଷ୍ଟିରେ ଚାହିଁ କହିଲେ ତା ତ ମୁଁ କିଛି ଜାଣେନା—ଟିକିଏ ଅପେକ୍ଷା କର ସୁବୋଧ ଆସୁ । ସୁବୋଧ ନ ଆସିଲେ ସେ ଖର୍ଚ୍ଚ ମୁଁ କେମିତି ତୁଲାଇବି ?

 

କରୁଣାକରବାବୁ ଆମୋଦିତ ହୋଇ ହସି ଉଠିଲେ—ଖର୍ଚ୍ଚ ପାଇଁ ଆପଣ କାହିଁକି ଚିନ୍ତା କରୁଚନ୍ତି ।

 

ମିଶ୍ର ସାହେବ ବରାଦ କରିଚନ୍ତି । କାମ ମୁଁ କରିବି । ଖର୍ଚ୍ଚକଥା ସିଏ ବୁଝିବେ ।

 

ସିଏ କାହିଁକି ବୁଝିବେ ? ଆଶ୍ଚର୍ଯ୍ୟ ହୋଇ ଭଗବାନସାର ପଚାରିଲେ ।

 

ତାଙ୍କର ବୁଝିବା ଉଚିତ୍‌—କାରଣ ତ କିଛି ଡିମାଣ୍ଡ କଲେନି । ଘର ମରାମତି ବାବଦ ଦି’ଚାରି ହଜାର ସିଏ ଯଦି ଦିଅନ୍ତି ତ କ୍ଷତି କଣ ?

 

ନା—ନା—ସେ କଥା କିମିତି ହବ ? ଆତଙ୍କିତ ହୋଇ ଭଗବାନସାର ପଚାରିଲେ । ନ ହେଲେ ମୁଁ ଦେବି ।

 

ତୁମେ ?

 

ଶୁଣିଲେ ନାହିଁ ମିଶ୍ର ସାହେବ କହିଲେ ଯେ, ନରହରିକୁ ବୁର୍ଲା ପଠାଇବା ପାଇଁ—ସିଏ ଗୋଟାଏ କଣ୍ଟ୍ରାକ୍ଟରୀ ଲାଇସେନସ୍‌ କରି ଖାଲି ବୁଲୁଚି । ଏଠି କାମ କାହିଁକି ? ମୋରି କାମ ଦେଖୁଚି—ମୁଁ ତାରି କଥା ମିଶ୍ର ସାହେବଙ୍କୁ କହିଥିଲି । ହୀରାକୁଦରେ ତ ଅମାପ କାମ । ଯଦି ସେ ସୁପାରିଶ କରନ୍ତି, ତେବେ ନରିଆଟା ମଣିଷ ହୋଇଯିବ । ମିଶ୍ର ସାହେବ ରାଜି ହୋଇଚନ୍ତି । ମୋତେ ତ ଫେର ସେ ୠଣ ପରିଶୋଧ କରିବାକୁ ହେବ ।

 

ନା—ନା—ତା ହୋଇ ପାରିବନି କରୁଣାକର । ଘର ମରାମତି ଯଦି କରିବାକୁ ହୁଏ ସୁବୋଧ ଆସି ନିଜେ ସେ ବନ୍ଦୋବସ୍ତ କରୁ—ତୁମେ ବ୍ୟସ୍ତ ହେବା ଦରକାର ନାହିଁ—କହି ଭଗବାନସାର୍‌ ସେଠାରେ ଆଉ ଅପକ୍ଷା କଲେ ନାହିଁ । ଅଗତ୍ୟା କରୁଣାକରବାବୁ ସେ ଆଲୋଚନା ବନ୍ଦ କରି ବାହାରିଗଲେ ।

 

ମହାକାଳରେ ଆବର୍ତ୍ତରେ ବହୁ ବୈଚିତ୍ର୍ୟ ଲୁଚି ରହିଥାଏ । ସାଧାରଣ ମଣିଷର ଚିନ୍ତା ବହିର୍ଭୂତ ଏପରି ବିଚିତ୍ର ଘଟଣା ସବୁ କାଳର ଇଙ୍ଗିତରେ ଘଟିଯାଏ ଯେ, ମଣିଷ କେବଳ ଜଳକା ହୋଇ ତାକୁ ଚାହିଁରହେ । ବୁଝିପାରେନା ଏସବୁ କାହିଁକି ହେଲା । ସେ ସବୁ ଘଟଣା ସହିତ ପ୍ରଚଳିତ ନିତ୍ୟ ନିୟମର କୌଣସି ସାମଞ୍ଜସ୍ୟ ରହେନା—ସେଇଥିପାଇଁ ସଂସାରରେ ସବୁବେଳେ ଦୁଇରେ ଦୁଇଜଣ ମିଶି ଚାରି ହୁଏ ନାହିଁ ।

 

ପଣ୍ଡିତ ଭଗବାନ ଦାଶ ରକ୍ଷଣଶୀଳ ନଥିଲେ । କିନ୍ତୁ ସେ ପ୍ରାଚୀନ ପରମ୍ପରାରେ ବିଶ୍ୱାସ କରୁଥିଲେ । ଏକ ଯୌଥ ପାରିବାରିକ ମୂଲ୍ୟବୋଧରେ ତାଙ୍କର ଆସ୍ଥା ଥିଲା । ବିବାହଯୋଗ୍ୟ ପୂତ୍ରର ବଧୂ ନିର୍ବାଚନରେ ପିତାମାତାଙ୍କ ଭୂମିକା ସେ ଆଦୌ ଗୌଣ ବୋଲି ଭାବୁ ନଥିଲେ । ପାତ୍ରୀ ନିର୍ବାଚନରେ ତାରୁଣ୍ୟର ନାନା ବେଗଠାରୁ ବୟସର ଅଭିଜ୍ଞତା ବେଶୀ ମୂଲ୍ୟବାନ ବୋଲି ତାଙ୍କର ଧାରଣା ଥିଲା । —ତେଣୁ ତାଙ୍କ ଅଗୋଚରରେ ସୁବୋଧନନା ବଧୁ ନିର୍ବାଚନ ଘଟଣାରେ ଆହତ ହୋଇଥିଲେ । କିନ୍ତୁ ସେ ବୁଝି ପାରିଥିଲେ ଏଥିରେ ତାଙ୍କର କିଛି କରିବାର ନାହିଁ । ସେ କିଛି କରିବାକୁ ଚାହିଁଲେ ସୁଫଳ ପରିବର୍ତ୍ତେ କୁଫଳ ମିଳିବ । ତଥାପି ସେ ନିଜର ମନୋଭାବକୁ ଚାପିରଖି ପାରିଲେ ନାହିଁ । ସେଦିନ ରାତିରେ ଶୋଇବାକୁ ବସି ଭଗବାନସାର ମୃଦୁ ସ୍ୱରରେ କହିଲେ—ଏକଥା କରିବା କଣ ସୁବୋଧର ଠିକ୍‌ ହେଲା ସୁବାବୋଉ । ମାଉସୀ ବି ବୋଧହୁଏ ସେଇ କଥା ଚିନ୍ତା କରୁଥିଲେ—କିନ୍ତୁ ଶୀଘ୍ର ସମାଧାନରେ ପହଞ୍ଚିବା ତାଙ୍କର ସ୍ୱଭାବ । ସେ ଭଗବାନସାରଙ୍କ ରୁଟିରେ ଟିକିଏ ଘିଅ ମାରୁମାରୁ କହିଲେ—ଯାହା ହବାର ତ ହୋଇଗଲାଣି—ତାକୁ ଆଉ ଭେଲି ଲାଭ କଣ ? ଲାଭ କ୍ଷତି କଥା ପଡ଼ିନି ଯେ, ଅନ୍ତତଃ ସେ କଥାଟା ତ ଆଗରୁ ଜଣାଇ ପାରିଥାନ୍ତା ତୁମକୁ ତ ସେ ସବୁ କଥା କହେ—

 

ଏ କଥା କଣ କହିପାରି ନଥାନ୍ତା ? ଏ କଥାର ଉତ୍ତର ମାଉସୀ ଦେଲେ ନାହିଁ । ନିଜକାମ କରିବାକୁ ଲାଗିଲେ । ଭଗବାନସାରଙ୍କ ଆଡ଼କୁ ଦୁଧଗିନାଟା ବଢ଼ାଇ ଦେଇ କହିଲେ—ଭଗବାନ କରନ୍ତୁ ସେ ସୁଖୀ ହେଉ ।

 

ମାଉସୀଙ୍କ କଥାରେ ଭଗବାନସାର ସାୟ ଦେଇ ନଥିଲେ କିମ୍ୱା ପ୍ରତିବାଦ କରି କହି ନଥିଲେ । ସୁଖୀ ହବ ବୋଲି ତ ସମସ୍ତଙ୍କୁ କୁହ ସୁବାବୋଉ, ଏ ଦୁନିଆରେ କିଏ ସୁଖୀ ହୋଇଚି କହିପାରିବ ? ଦୁନିଆରେ ଯେ ଯାହାର କର୍ମଫଳ ଭୋଗିବେ । ତାକୁ କେହି ପ୍ରତିରୋଧ କରିପାରିବେନି—ଭଗବାନସାର ଚୁପ୍‌ ହୋଇଗଲେ । ଭଗବାନ ସାର ସିନା ଚୁପ ହୋଇଗଲେ । ସୁବୋଧନନା ବୁଝି ପାରିଥିଲେ ସେ ଭୁଲ କରିଚନ୍ତି । କିନ୍ତୁ ସେ ଭୁଲ ସଂଶୋଧନ କରିବାର ସମୟ ଆଉ ନଥିଲା । ହାତ ପାହାନ୍ତାରେ ଥିବା ସୁନାକୁ ଅବହେଳାରେ ଫୋପାଡ଼ି ଦେଇ ଯେଉଁ ଜିନିଷ ଆଡ଼େ ସେ ହାତ ବଢ଼ାଇଚନ୍ତି ସେ ଜିନିଷ ଆଉ ଯାହା ହେଉନା କାହିଁକି ମହାସୁଖ ନୁହେଁ । ସେତେବେଳକୁ ବଢ଼ାଇଥିବା ହାତକୁ ଆଉ ଫେରାଇ ଆଣିବାର ଉପାୟ ନଥିଲା । ସୁବୋଧନନା ବାହାଘର ପୂର୍ବରୁ ଛୁଟିନେଇ ଆସି ନିଜେ ସବୁ ବନ୍ଦୋବସ୍ତ କରିବାକୁ ଲାଗିଲେ ଏବଂ ଯଥା—ସମୟରେ ବି ସୁବୋଧନନାଙ୍କ ବାହାଘର ହୋଇଗଲା ।

 

ସେତେବେଳେ ସୁବୋଧନନାଙ୍କୁ କିପରି ଦ୍ୱିଧାଗ୍ରସ୍ତ ଜଣାପଡ଼ୁ ନଥିଲା—ସେ ବୋଧହୁଏ ବୁଝି ପାରିଥିଲେ ତାଙ୍କ ଜୀବନ ଅଙ୍କର ଧାରା ଭୁଲ ହୋଇଯାଇଛି—ତଥାପି ସେଇ ଅଙ୍କ କଷି ତାର ଏକ ସମାଧାନ କରିବା ପାଇଁ ସେ ତ୍ରୁଟି କରି ନଥିଲେ । କିନ୍ତୁ ସେଥିରେ କଣ ସଫଳ ହେଲେ ?

 

ସୁବୋଧନନା ଆଉ ଆଗ ସୁବୋଧନନା ନଥିଲେ । ସେ ଗମ୍ଭୀର ହୋଇ ଯାଇଥିଲେ । ଅନ୍ୟମନସ୍କ ହୋଇ ଯାଇଥିଲେ ।

 

ସୁବୋଧନନାଙ୍କ ବାହାଘରରେ ମୁଁ ବରଯାତ୍ରୀ ହୋଇ ଯାଇଥିଲି ଆମ ସହରର ଆହୁରି ଅନେକ ଲୋକ ଯାଇଥିଲେ । ଆମେ ଗୋଟିଏ ରିଜଭ ବସରେ ଖୁନ୍ଦାଖୁନ୍ଦି ହୋଇ ଯାଇଥିଲୁ । ସୁବୋଧନନାଙ୍କ ବାହାଘରରେ ଆମର ଦୀର୍ଘ ମୋଟର ଯାତ୍ରା ବୋଧହୁଏ ଥିଲା ଏକମାତ୍ର ରେମାଞ୍ଚ-। କାରଣ ଆମେ ତାଙ୍କ ବିବାହ ଉତ୍ସବରେ ଏକାଙ୍ଗ ହୋଇ ସେ ଉତ୍ସବକୁ ଉପଭୋଗ କରିପାରି ନଥିଲୁ । ମିଶ୍ର ସାହେବଙ୍କ ଘରେ ବାହାଘର ଆୟୋଜନ ଥିଲା ପ୍ରାଚୁର୍ଯ୍ୟ । ଅନେକ ସାଜ୍ଜସଜ୍ଜା, ଆଲୋକ, ବାଜା, ରୋଶଣୀ, ଭୋଜି ଭାତ ଭିତରେ ଆମେ ବରଯାତ୍ରୀ ଦଳ କେମିତି ନିସଙ୍ଗଃ ହୋଇ ଯାଇଥିଲୁ । ସୁବୋଧନନାଙ୍କ ବଡ଼ଘର ଶ୍ୱଶୁର ଘରେ ଆତ୍ମୀୟତାର ଅଭାବ ଆମକୁ ମ୍ରିୟମାଣ କରି ଦେଇଥିଲା । ସୁବୋଧନନାଙ୍କ ବାହାଘର କେମିତି ହେଲା, କଣ ହେଲା ମୋର କିଛି ମନେ ନାହିଁ । ତା ପରଦିନ ଆମେସବୁ ଏକାଠି ବସିଥିଲାବେଳେ ମିଶ୍ର ସାହେବ ଆସି ଭଗବାନସାରଙ୍କୁ ଡାକିଲେ । ତାଙ୍କ ପଛେ ପଛେ ମୁଁ ବି ଉଠିଆସିଲି । ମିଶ୍ର ସାହେବ ସୁବୋଧନନାଙ୍କ ଯୌତୁକ ଜିନିଷ ରଖାଯାଇଥିବା ଜାଗାରେ ପହଞ୍ଚି କହିଲେ—ପଣ୍ଡିତ ମହାଶୟ, ଏ ସବୁ ଜିନିଷ ମୁଁ ଶୋଭନାକୁ ଦଉଚି । କିନ୍ତୁ ଏଗୁଡ଼ା ଖର୍ଚ୍ଚାନ୍ତ ହୋଇ ଆପଣ କାହିଁକି ନେବେ ? ତେବେ ମୁଁ ଭାବୁଚି ଏ ସବୁ ବର୍ତ୍ତମାନ ଏଇଠି ଥାଉ । ସୁବୋଧ ଆସିଲେ ତା କ୍ୱାର୍ଟରକୁ ପଠାଇ ଦେବି । ସେତ ୟା ଭିତରେ ଭଲ କ୍ୱାର୍ଟର ପାଇଚି ।

 

ଭଗବାନସାର କିଛି ଉତ୍ତର ଦେଲେ ନାହିଁ; କିନ୍ତୁ ଅସ୍ଫୁଟଭାବେ କହିଲେ—ହଉ । ସେମାନେ ଚାଲିଗଲା ପରେ ମୁଁ ସେହି ଅତ୍ୟାଧୁନିକ ପ୍ୟାଟର୍ଣ୍ଣର ଫର୍ଣ୍ଣିଚର ଗୁଡ଼ାକୁ ଦେଖୁଥିଲି । ହଠାତ୍ ମୋର ଦୃଷ୍ଟି ପଡ଼ିଲା, ସେହି ଫର୍ଣ୍ଣିଚାରଠାରୁ ବି ଆହୁରି ଆଧୁନିକ ଓ ଉଜ୍ଜ୍ୱଳ କେତେଗୁଡ଼ିଏ କିଶୋରୀ ଅଳ୍ପ ଦୂରରେ ଠିଆ ହୋଇଚନ୍ତି । ମୋରି ଆଡ଼େ ଚାହିଁ କଣ ଆଲୋଚନା କରୁଚନ୍ତି । ମୋତେ ଲାଜ ଲାଗିଲା । ମୁଁ ପଳାଇ ଆସୁଥିଲି । ହଠାତ୍‌ ଗୋଟିଏ ଝିଅ ଡାକିଲା, ଏ ୟ ଶୁଣ ।

 

ମୁଁ ଅଟକିଗଲି । ପରେ ଜାଣିଲି ମୋତେ ଡାକୁଥିବା ଝିଅଟି ଲୀନା—ଶୋଭାନା ଭାଉଜଙ୍କ ସାନଭଉଣୀ । ମୁଁ ଟିକିଏ ଲାଜରା ହୋଇ ପଚାରିଲି, ମୋତେ ଡାକିଲେ ?

 

ହଁ—ତୁମେ ବରଯାତ୍ରୀ—

 

ହଁ ।

 

ଆଚ୍ଛା, ସେ ବୁଢ଼ାଲୋକ ଯେ ଡାଡିଙ୍କ ସଙ୍ଗେ ଆସିଥିଲେ ସେ କିଏ ?

 

ସିଏ ପଣ୍ଡିତ ଭଗବାନ ଦାଶ—ସୁବୋଧନନାଙ୍କ ବାପା ।

 

ଏ ମା, ମୁଁ ଭାବିଥିଲି ସିଏ ଜଣେ ପୁରୋହିତ, ସେ କଣ ଶୋଭନା ନାନୀ ଶ୍ୱଶୁର ? କହି ଗୋଟିଏ ଝିଅ ଖିଲିଖିଲି ହୋଇ ହସିଉଠିଲା । ତା ହସର ସଂକ୍ରମଣରେ ସବୁ ଝିଅ ହସିଉଠିଲେ । ଏଥିରେ ଏମିତି କଣ ହସିବାର ଅଛି, ମୁଁ ବୁଝି ପାରିଲି ନାହିଁ । ମୁଁ କହିଲି, ନା’ ମ ସେ ପୁରୋହିତ କାହିଁକି ହେବେ ? ସିଏ ଆମ ମଡ଼େଲ ସ୍କୁଲର ହେଡ଼୍‌ପଣ୍ଡିତ । ଖୁବ୍ ଭଲ ଶିକ୍ଷକ । ତାଙ୍କୁ ରାଷ୍ଟ୍ରପତି ପୁରସ୍କାର ମିଳିଚି । କିନ୍ତୁ ମୋ କଥା ଶୁଣିବାକୁ ସେମାନଙ୍କର ବେଳ ନଥିଲା । ଲୀନା କହିଲା—ଚାଲ ଚାଲ ଦିଦି ତେଣେ ବୋର ହେଉଥିବ । ତାକୁ ଛାଡ଼ି ଆମେ ଏତେ ଆଡ଼ା ମାରିଲେ ସେ ଭୀଷଣ ରାଗିବ । ଆରେ ବାପରେ ଆଜି ତ ସେ ହିରୋଇନ୍‌ଟାକୁ ରଗାଇଲେ ରକ୍ଷାଅଛି ? କହି ଲୀନାର ଜଣେ ସଙ୍ଗିନୀ ପୁଣି ଖିଲିଖିଲି ହୋଇ ହସିଉଠିଲା—ସେଇ ହସ ସଙ୍ଗେ ତାଳରଖି ପୁଣି ସମସ୍ତେ ହସି ଉଠି ଚାଲିଗଲେ । ମୁଁ ସ୍ତବଧ୍ ହୋଇ ସେମାନଙ୍କ ଯିବା ବାଟକୁ ଚାହିଁ ରହିଲି । ମୋ ମୁହଁ ଶୁଖି ଯାଇଥିଲା । ସେ ବୟସରେ ମୁଁ ବି ଅନୁଭବ କରିପାରିଥିଲି ସୁବୋଧନନା ଏଠି ବାହା ହୋଇ ଭଲ କରି ନାହାନ୍ତି ।

 

ସେ କଥା ସୁବୋଧନନା ବୁଝି ପାରିଥିଲେ । କିନ୍ତୁ ତାଙ୍କ ଚିନ୍ତାର ବାସ୍ତବତା ସେ ଅନୁଭବ କଲେ ଆମ ଫେରି ଆସିବା ପରେ । ବିଭାଘର ପରେ ସୁବୋଧନନା ଆହୁରି ଦ୍ୱିଧାଗ୍ରସ୍ତ ଓ ଚିନ୍ତିତ ହୋଇପଡ଼ିଥିଲେ । ତାଙ୍କୁ ଦେଖିଲେ ଜଣେ ଅଚିହ୍ନା ମଣିଷ ପରି ଲାଗୁଥିଲା । ସେ ବି ଆମକୁ ଦେଖିଲେ ଖୁସିରେ ଫାଟି ପଡ଼ି ଚିତ୍କାର କରୁ ନଥିଲେ । କିରେ ରାଜୁ ? ଦେଖା ନଥିଲା ଯେ, କିମ୍ୱା ମାଉସୀଙ୍କୁ ଡାକି କହୁ ନଥିଲେ ବୋଉ ରାଜୁ ଆସିଚି, ତା ପାଇଁ ଆରିଷା ପିଠା ରଖିଥିଲୁ ଯେ—ଶୋଭନା ଭାଉଜଙ୍କ ସଙ୍ଗେ ପରିଚିତ ହେବାର ଆମର ସବୁ ଚେଷ୍ଟା ବ୍ୟର୍ଥ ହୋଇଥିଲା । ସେ ବୋହୂ ହୋଇ ଆସିବା ପରଠାରୁ ନିଜ ବିଛଣାରେ ସବୁବେଳେ ବସି ଭାବୁଥିଲେ । ସବୁବେଳେ ବିଷଣ୍ଣ—ବିଷଣ୍ଣତା ଠାରୁ ବିରକ୍ତ, ବେଶୀ ପ୍ରସ୍ଫୁଟିତ ହୋଇ ଉଠୁଥିଲା, ତାଙ୍କ ସୁନ୍ଦର ମୁଖର ଅଭିବ୍ୟକ୍ତିମାନଙ୍କରେ । ସୁବୋଧନନା ବି କେବେ ଚେଷ୍ଟା କରୁ ନଥିଲେ ଆମମାନଙ୍କୁ ତାଙ୍କ ସହ ପରିଚିତ କରାଇବା ପାଇଁ । ସେତେବେଳେ ଭଗବାନସାର କିମ୍ୱା ମାଷ୍ଟ୍ରାଣୀ ମାଉସୀଙ୍କ ମନୋଭାବ ଜାଣି ହେଉ ନଥିଲା । ଭଗବାନସାର ସଦା ନିର୍ଲପ୍ତ ମଣିଷ । ନିର୍ଲିପ୍ତ ଭାବେ ତାଙ୍କ ଦୈନଦିନ କାମ କରିଚାଲିଥିଲେ । ଆଉ ମାଉସୀ ବ୍ୟସ୍ତ ଥିଲେ କୁଣିଆ ମୈତ୍ର ବନ୍ଧୁବାନ୍ଧବଙ୍କ ଚର୍ଚ୍ଚାରେ । ତେବେ ଭଲ କରି ଲକ୍ଷ୍ୟକଲେ ଜଣାପଡ଼ୁଥିଲା, ସଦା ପ୍ରସନ୍ନମୟୀ ମାଷ୍ଟ୍ରାଣୀ ମାଉସୀଙ୍କ ମୁହଁରେ ଆଗର ପ୍ରସନ୍ନତା ନଥିଲା । ବୋଧହୁଏ ଅତ୍ୟଧିକ ପରିଶ୍ରମରୁ ସେ କ୍ଳାନ୍ତ ହୋଇ ପଡ଼ୁଥିଲେ ।

 

ଭଗବାନସାରଙ୍କ ପାରିବାରିକ ଜୀବନବୀଣାର ଗୋଟିଏ ତାର ବେସୁରା ହୋଇ ଯାଇଥିଲା । ତାଙ୍କ ପାରିବାର ସହ ଯେଉଁମାନେ ଘନିଷ୍ଠ ସେମାନେ ବୁଝି ପାରିଥିଲେ ସେ କଥା ।

 

ସୁବୋଧନନା ବାହାଘରର ଅଳ୍ପ କେତେଟା ଦିନ ଭିତରେ ଚିନ୍ତିତ ହୋଇ ପଡ଼ିଲେ । ଶୋଭନା ଭାଉଜ ତାଙ୍କ ବିରକ୍ତିକୁ ଆଉ ଗୋପନ କରୁ ନଥିଲେ । କଲିକତାର କନଭେଣ୍ଟ ପଢ଼ା ଝିଅ ସେ—କୋଟସିମ ପରେ ବାହା ହୋଇ ହନିମୁନ୍‌ ଯିବା କଥା ସେ ଜାଣିଥିଲେ—ଗୋଟିଏ ମାଟିଘର ବୋହୂ ହୋଇ ବସିବା କଥା ସେ କେବେ କଳ୍ପନା କରି ନଥିଲେ । ସେ ଅତିଷ୍ଠ ହୋଇ ସାରିଥିଲେ । ସେଦିନ ଶୋଭନା ଭାଉଜ ସୁବୋଧନନାଙ୍କୁ କହିଲେ, କଣ ଡାଡିଙ୍କୁ ଟେଲିଗ୍ରାମ କଲ-? ଟେଲିଗ୍ରାମ କାହିଁକି କରିବି ? ଆଶ୍ଚର୍ଯ୍ୟ ହୋଇ ସୁବୋଧନନା ପଚାରିଲେ ।

 

କଣ ଭୁଲିଗଲ—କହିଥିଲି ପରା ଡାଡିଙ୍କୁ ଖବର ଦିଅ, ସେ ଆସି ମୋତେ ନେଇଯିବେ-

 

ଶୋଭନା—ପ୍ଳିଜ୍‌—ଏଇଠି ପାଟି କରନି—ବାପା କି ବୋଉ କିଏ ଶୁଣିବେ । ଅନୁନୟ କରି ସୁବୋଧନନା କହିଲେ ।

 

ଶୁଣନ୍ତୁ—ଶୁଣିଲେ କ୍ଷତି କଣ ?

 

ଶୋଭନା, କଣ ଯେ, ତୁମେ କହୁଚ—ବା’ଘର ୧୫ ଦିନ ହୋଇନି, ତୁମେ ଯିବାକଥା କହୁଚ କେମିତି ?

 

ଯିବିନି ଆଉ କଣ ଏମିତି ଜେଲଖାନାରେ ବସିଥିବି । ଉଃ—ଏତେ କ୍ରୁଏଲ ତୁମେ ?

 

ମୁଁ କ୍ରୁଏଲ କଥା ଯେ, କୁହ—କହି ସୁବୋଧନନା ହସିଲେ ।

 

ହସୁଚ, ଲଜ୍ଜା ଲାଗୁନି ପୁଣି ହସୁଚ—କହି ଶୋଭନା ଭାଉଜ ହାତରେ ଧରିଥିବା କାଚଗ୍ଳାସକୁ ଫୋପାଡ଼ି ଦେଲେ । ସେଇଟା ତଳେ ପଡ଼ି ଝଣ ଝାଣ ଚୁନା ହୋଇଗଲା ।

 

କଣ ହେଲା, କଣ ହେଲା ସୁବାବୋଉ କଣ ଗୋଟାଏ ଏମିତି ଶବ୍ଦ ହେଲା ? ଭଗବାନସାର ସେ ଶବ୍ଦ ଶୁଣି ବ୍ୟସ୍ତ ହୋଇ ଚାଲି ଆସିଲେ । ମାଉସୀ କଣ ଗୋଟିଏ କାମ କରୁ କରୁ ଚମକି ଯାଇଥିଲେ—ଭଗବାନସାରଙ୍କୁ ଏମିତି ବ୍ୟସ୍ତ ହେବାର ଦେଖି କହିଲେ—କିଛିନା—ସୁବୋଧ ପାଣି ପିଉଥିଲା । ଚାହାଟା ତା ହାତରୁ ଖସିପଡ଼ିଲା ।

 

ଓ ଯାଅ ଯାଅ କାଚଗୁଡ଼ା ସଫା କରିଦେବ । ନ ହେଲେ ବୋହୂ ମାଡ଼ିବ । ଏକଥା ସୁବୋଧନନା ଶୁଣି ପାରିଥିଲେ । ତାଙ୍କର ମନେହେଲା ସେଇ ଗୁଣ୍ଡକାଚଗୁଡ଼ା କିଏ ଯେମିତି ତାଙ୍କ ମୁହଁରେ ମାଡ଼ିଦେଲା ।

 

ତା ପର ଦିନ ପୁଣିଥରେ ଆସି ଫଟି ଏଇଟ୍‌ ମଡ଼େଲର ଷ୍ଟୁଡ଼ିବେକର ଗାଡ଼ି ଆସି ପଣ୍ଡିତ ଭଗବାନ ଦାସଙ୍କ ଘର ଆଗରେ ଛିଡ଼ାହେଲା । ଧୋତି, ସିଲ୍‌କ ପଞ୍ଜାବି ଓ ଚପଲ ପିନ୍ଧି ଅମାୟିକ ହସ ହସି ମିଶ୍ର ସାହେବ ଗାଡ଼ିରୁ ଓହ୍ଲାଇ ଆସିଲେ । ତାଙ୍କୁ ବାଟ କଢ଼ାଇ କଢ଼ାଇ କରୁଣାକରବାବୁ ବି ଆସିଲେ ।

 

ଭଗବାନସାର ଅସମୟରେ ମିଶ୍ର ସାହେବଙ୍କୁ ଦେଖି ପଚାରିଲେ—ଆପଣ ?

 

ହସି ହସି ମିଶ୍ର ସାହେବ କହିଲେ—ଆଉ ଧୈର୍ଯ୍ୟ ଧରି ରହି ପାରିଲିନି ପଣ୍ଡିତ ମହାଶୟ । ଶୋଭନା ପାଇଁ ମନ ଭାରି ଛଟପଟ ହେଲା—ସେ ଆସିଲା ଦିନରୁ ତା ମା ଆହାର ଛାଡ଼ିଦେଇ ଶଯ୍ୟାଶାୟୀ । ଭାବିଲି, ଯାଏ ପଣ୍ଡିତ ମହାଶୟଙ୍କ ଅନୁମତି ନେଇ ପିଲାଟାକୁ ଟିକିଏ ଘେନିଆସେ । ତା ମାର ଯଉ ଅବସ୍ଥା ? କ’ଣ ଶୋଭନାକୁ ଛାଡ଼ିବାକୁ କିଛି ଆପତ୍ତି ଅଛି ?

 

ପଣ୍ଡିତ ଭଗବାନ ଦାସ ଟିକିଏ ତଳକୁ ମୁହଁ ପୋତି କହିଲେ—ନା, ଆମର ଆଉ ଆପତ୍ତି କଣ, ସେ ଯିବ ତା ମା’ ଅସୁସ୍ଥା, ଦେଖି ଆସିବ । ତେବେ ସୁବୋଧ ତ ନାହିଁ—

 

ସୁବୋଧ କୁଆଡ଼େ ଯାଇଚି ?

 

ଏଇଠି କୁଆଡ଼େ ଯାଇଚି ବାହାରକୁ—

 

ସୁବୋଧ ବି ତ ଯିବ । ତାର ତ ଛୁଟି ସରିଗଲାଣି । ସେ ବି ଚାଲିଯିବ ।

 

ହଉ, ସୁବୋଧ ଆସିଲେ କହିବେ—କହି ମିଶ୍ର ସାହେବ ଝିଅ ପାଖକୁ ଗଲେ ।

 

ଶୋଭନା ବାପାଙ୍କୁ ଦେଖି ଜାବୁଡ଼ି ଧରିଲା—ଡାଡ଼ି—ଉଃ—ମୋ ଚିଠି ପାଇ ଆସିଲ ?

 

ଏ ତ କହି କହି ଉୟାର କଲେନି—

 

ଠିକ୍‌ ଅଛି, ତୁ ରେଡ଼ି ହୋଇ ଯା—ମୁଁ ଟିକିଏ ଆଗରୁ ଆସୁଚି କହି ମିଶ୍ର ସାହେବ ଚାଲିଗଲେ ।

 

ସୁବୋଧନନା ବଜାରଆଡ଼େ ବୁଲି ଯାଇଥିଲେ । ସେ ଫେରିବାରୁ ମାଉସୀ କହିଲେ—ତୋ ଶ୍ୱଶୁର ଆସିଥିଲେ ।

 

ଶ୍ୱଶୁର ? କାହିଁକି ? ଆଶ୍ଚର୍ଯ୍ୟ ହେଲେ ସୁବୋଧନନା ।

 

ଶୋଭନାକୁ ନବା କଥା କହୁଥିଲେ—

 

ବାଃ—କୁହା ନାହିଁ, ବୋଲା ନାହିଁ ସୁବୋଧନନାଙ୍କ କଥା ଶେଷ ହେବା ଆଗରୁ ଘର ଭିତରୁ ଶୋଭନା ଭାଉଜ କହିଲେ, ମୋର କାମ ସରିଗଲାଣି । ତୁମେ ଶୀଘ୍ର ରେଡ଼ି ହୋଇଯାଅ । ଡାଡ଼ି ଏଇନେ ଆସିବେ ।

 

ସୁବୋଧନନା ସେ କଥାର କିଛି ଉତ୍ତର ନ ଦେଇ ସ୍ତବଧ୍‌ ହୋଇ ଛିଡ଼ାହୋଇ ରହିଲେ ।

 

ମାଉସୀ ତାଙ୍କ ସ୍ୱଭାବସୁଲଭ ମୃଦୁ ସ୍ୱରରେ କହିଲେ, ତୋର କାଳେ ଛୁଟି ସରିଗଲାଣି । ତୋତେ ବି ତ ଯିବାକୁ କହୁଚନ୍ତି ।

 

ମୁଁ ଯିବିନି—ମୋର ଆହୁରି ସପ୍ତାହେ ଛୁଟି ଅଛି ।

 

‘କ’ଣ ଏମିତି ଯୁକ୍ତିତର୍କ କରୁଚ । କହିଲି ପରା ଜଲଦି କାମ ସାର ।’ ଶୋଭନା ଭାଉଜ ତାଙ୍କ ସୁଟକେଶ ସଜାଡ଼ୁ ସଜାଡ଼ୁ କହିଲେ ।

 

ସୁବୋଧନନା ବେଦନାହତ ଭାବେ ସ୍ତବଧ୍ ହୋଇ ଛିଡ଼ା ହୋଇ ରହିଲେ ।

 

ଏହି ସମୟରେ ଭଗବାନସାର ଆସି କହିଲେ—ତୁ ଆଉ କାହିଁକି ମନା କରୁଚୁ ସୁବୋଧ—୨/୪ ଦିନ ପରେ ତ ବସରେ ହଇରାଣ ହୋଇ ଯାଇଥାନ୍ତୁ । ସୁବିଧାରେ ମୋଟରରେ ଚାଲିଯିବୁ । ସେଠି ତ ତୋ ଶାଶୁଙ୍କ ଦେହ ଭଲ ନାହିଁ । ସେ ବି ତୋତେ ଖୋଜୁଥିବେ । ଯା—ଆଉ ଡେରି କରନା ।

 

ଗୋଟିଏ ଅଯଥା ଅଶାନ୍ତିକୁ ଏଡ଼ାଇବାକୁ ଯାଇ ସୁବୋଧନନା ସେଦିନ ଆଉ ପ୍ରତିବାଦ କରି ନଥିଲେ । ତାଙ୍କ ଜୀବନରେ ପ୍ରଥମ ବ୍ୟର୍ଥତା ତାଙ୍କୁ ମୂହ୍ୟମାନ କରି ଦେଇଥିଲା । ସୁବୋଧନନା ଜୀବନରେ କେବଳ ସଫଳତାର ସ୍ୱାଦ ଜାଣିଥିଲେ । ସ୍କୁଲ କଲେଜରେ ସମସ୍ତ ପରୀକ୍ଷାରେ ସେ ଅନାୟାସରେ ଶୀର୍ଷ ସ୍ଥାନ ରଖି ଉତ୍ତୀର୍ଣ୍ଣ ହୋଇ ଯାଉଥିଲେ; କିନ୍ତୁ ଜୀବନର ପ୍ରଥମ ପରୀକ୍ଷାରେ ସେ ଧକ୍‌କା ଖାଇଲେ । ସେ ଜାଣି ନଥିଲେ ବ୍ୟର୍ଥତାର ଗ୍ଳାନି ଏତେ ତିକ୍ତ, ଏତେ ଅବସାଦମୟ । ସେମାନେ ଚାଲି ଯାଇଥିଲେ । ସେମାନଙ୍କୁ ବିଦାୟ ଦେବା ପରେ ଏକ ନିଃସଙ୍ଗତାର ଅବସାଦ ଭଗବାନସାର ଆଉ ମାଷ୍ଟ୍ରାଣୀ ମାଉସୀଙ୍କୁ ଆଚ୍ଛନ୍ନ କରି ଦେଇଥିଲା । ମୀନାନାନୀଙ୍କ ବାହାଘର ପରେ ଯେମିତି ଅନୁଭୂତି ହୋଇଥିଲା ସେମିତି ଏକ ଅନୁଭୂତିରେ ଅଭିଭୂତି ହୋଇ ଯାଇଥିଲେ ସେମାନେ ।

 

ସୁବୋଧନନାଙ୍କ ବାହାଘରର ଅଳ୍ପ କେତେମାସ ପରେ ଭଗବାନସାର ଚାକିରିରୁ ଅବସର ନେଲେ । ମିଡ଼ିଲ ଭର୍ଣ୍ଣାକୁଲାର ପାଠ ଶେଷପରି ଗୁରୁ ଟ୍ରନିଂ କେନ୍ଦ୍ରରେ ତାଲିମ୍‌ ପାଇ କୋଡ଼ିଏ ବର୍ଷ ବୟସରେ ପଣ୍ଡିତ ଭଗବାନ ଦାସ ଶିକ୍ଷକ ଜୀବନ ଆରମ୍ଭ କରିଥିଲେ । ଦୀର୍ଘ ଚାଳିଶ ବର୍ଷର ଶିକ୍ଷକତା ପରେ ଷାଠିଏ ବର୍ଷରେ ତାଙ୍କୁ ଅବସର ମିଳିଲା । ଏଇ ଚାଳିଶ ବର୍ଷ ସେ ଗୋଟିଏ ସ୍କୁଲରେ ରହିଛନ୍ତି । ଗୋଟିଏ ସିଙ୍ଗଲ ଟିଚାର ନିମ୍ନପ୍ରାଥମିକ ବିଦ୍ୟାଳୟକୁ ସର୍ବାଧିକ ଲୋକପ୍ରିୟ ପ୍ରାଥମିକ ବିଦ୍ୟାଳୟରେ ପରିଣତି କରିବା ପାଇଁ ସେ ତାଙ୍କ ଜୀବନର ସର୍ବଶ୍ରେଷ୍ଠ ଚାଳିଶ ବର୍ଷ ବ୍ୟୟକରି ଯାଇଚନ୍ତି । କିନ୍ତୁ ସେ ତାଙ୍କ ନିଷ୍ଠାପର ପରିଶ୍ରମକୁ ଅପବ୍ୟୟ କରି ନାହାନ୍ତି । ସେ କଥା ପ୍ରତିବର୍ଷ ସ୍କୁଲର ଫଳାଫଲରୁ ପ୍ରମାଣିତ ହୋଇଚି । ପ୍ରତି ବର୍ଷ ମଡ଼େଲ ସ୍କୁଲର ଛାତ୍ରମାନେ ପ୍ରାଥମିକ ବୃତ୍ତି ପାଇଚନ୍ତି । ସେଇ ଛାତ୍ରମାନେ ପରଜୀବନରେ କୃତୀ ହୋଇଚନ୍ତି । ସେଥିପାଇଁ ଏ ସ୍କୁଲରେ ନାମ ଲେଖାଇବା ପାଇଁ ଅଭିଭାବକମାନଙ୍କର ଭିଡ଼ ହୁଏ । ସ୍କୁଲର ଲୋକପ୍ରୟିତାର ଏକମାତ୍ର କାରଣ ପଣ୍ଡିତ ଭଗବାନ ଦାସଙ୍କ ନିଷ୍ଠା ଓ ସତତା । ସେ ସ୍କୁଲଟିକୁ କେବଳ ଜୀବିକାର୍ଜନର ଏକ ମାଧ୍ୟମ କିମ୍ୱା ଶିକ୍ଷକତାକୁ ଜୀବିକା ବୋଲି ଭାବୁ ନଥିଲେ । ସେ ତାଙ୍କ ଅନୁଷ୍ଠାନ ଓ ବୃତ୍ତି ସହ ଏକାତ୍ମ ହୋଇ ଯାଇଥିଲେ । ଏପରିକି ଏ ସ୍କୁଲରୁ କେବେ ତାଙ୍କୁ ଅବସର ନେବାକୁ ହେବ ଏ କଥା ସେ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ବିସ୍ମୃତ ହୋଇ ରହିଥିଲେ । କିନ୍ତୁ ସବୁ କଥାର ଶେଷ ଅଛି । ସେଇ ଅନ୍ତିମ ମୁହୂର୍ତ୍ତ ମଣିଷର ଚାହିଁବା ନ ଚାହିଁବାକୁ ଅପେକ୍ଷା କରେ ନାହିଁ । କାଳଚକ୍ରର ଗତିରୋଧ ହୁଏ ନାହିଁ । ମଣିଷ ଜୀବନରେ ଯେତେ ଅନଭିପ୍ରେତ ହେଉନା କାହିଁକି ବିଦାୟର ମୁହୂର୍ତ୍ତ ଆସେ—କେତେବେଳେ କର୍ମକ୍ଷେତ୍ରରୁ, କେତେବେଳେ ବା ଜୀବନର ରଙ୍ଗମଞ୍ଚରୁ-। ସେତିକିବେଳେ ମଣିଷର ଭଲ ମନ୍ଦ କଥା ଜାଣିହୁଏ । ଜଣେ ଅତି ସାଧାରଣ ପ୍ରାଥମିକ ଶିକ୍ଷକଙ୍କ ଅସବରକାଳୀନ ବିଦାୟ ସମ୍ୱର୍ଦ୍ଧନା ଅତି ମର୍ମସ୍ପଶୀ ହୋଇଥିଲା । ସେ ସଭା କେହି ଆୟୋଜନ କରି ନଥିଲେ । ଆପେ ଆପେ ଲୋକ ଜମା ହୋଇଯାଇଥିଲେ । ଏ କଥା ଦେଖି ଭଗବାନସାର ବିମୂଢ଼ ହୋଇଯାଇଥିଲେ । ଅନାହୂତ ସେହି ବିଦାୟ ସଭାରେ ସ୍କୁଲର ଛାତ୍ରଛାତ୍ରୀ ଶିକ୍ଷକଙ୍କୁ ଛାଡ଼ିଦେଲେ ଭଗବାନସାରଙ୍କ ଗୁଣଗ୍ରାହୀ ବହୁ ସଂଖ୍ୟାରେ ପ୍ରାକ୍ତନ ଛାତ୍ର ଜମା ହୋଇଥିଲେ । ସେଇ ପ୍ରାକ୍ତନ ଛାତ୍ରମାନଙ୍କ ମଧ୍ୟରୁ ଅନେକ ଓକିଲ, ଡାକ୍ତର, ଅଧ୍ୟାପକ ଭଳି ପ୍ରତିଷ୍ଠିତ ବ୍ୟକ୍ତି ହୋଇଥିଲେ । ଆହୁରି ଅନେକ ଅତି ସାଧାରଣ ହୋଇଯାଇଥିଲେ । କିନ୍ତୁ ଭଗବାନସାର ରିଟାୟାର କରୁଛନ୍ତି ଶୁଣି ସାଧାରଣ ଅସାଧାରଣ ନିର୍ବିଶେଷରେ ଅନେକ ଲୋକ ତାଙ୍କୁ ବିଦାୟ ସମ୍ୱର୍ଦ୍ଧନା ଜଣାଇବା ପାଇଁ ଧାଇଁ ଆସିଥିଲେ । ସେଇ ସଭାରେ କେହି ବିଦାୟ ସଙ୍ଗୀତ ଗାଇ ନଥିଲା । ଫୁଲହାର କିମ୍ୱା କର୍ପୂରର ମାଳ ବିଦାୟୀ ଶିକ୍ଷକଙ୍କୁ ପୋତିପକାଇ ନଥିଲା କିମ୍ୱା ବକ୍ତୃତାର ସୁଅରେ ଭସାଇ ଦେଇ ନଥିଲା । ମଡ଼େଲ୍‌ ସ୍କୁଲର ସେକେଣ୍ଡ୍‌ ପଣ୍ଡିତ ହଳଧର ସାର୍‌ ଉଠି କେବଳ କହିଥିଲେ, ଆଜି ସାର ଆମକୁ ଛାଡ଼ି ଚାଲି ଯାଉଚନ୍ତି । ଆମେ ପିତୃହରା ହୋଇଗଲୁ । ସେ ଆଉ କିଛି କହିପାରି ନଥିଲେ । ଖାଲି ପିଲାଙ୍କ ଭଳି କଇଁ କଇଁ ହୋଇ କାନ୍ଦିଥିଲେ । ତାଙ୍କ କାନ୍ଦ ସଂକ୍ରାମକ ହୋଇ ବ୍ୟାପି ଯାଇଥିଲା । ତାଙ୍କୁ କାନ୍ଦିବା ଦେଖି ସବୁ ପିଲା, ମାଷ୍ଟର କାନ୍ଦିଥିଲେ । ଅନେକ ପୁରାତନ ଛାତ୍ରଙ୍କ ଆଖିରୁ ଲୁହ ଗଡ଼ି ଆସିଥିଲା । ସମସ୍ତଙ୍କ ଆଖି ବାଷ୍ପାକୁଳ ହୋଇ ଯାଇଥିଲା । ଭଗବାନସାର ବହୁ କଷ୍ଟରେ ନିଜର ଭାବାବେଗକୁ ସମ୍ୱରଣ କରି କହିଥିଲେ, ‘ଏ ସ୍କୁଲରେ ମୁଁ ଚାଳିଶ ବର୍ଷ ବିତାଇ ଦେଇଚି—ଅନେକ ପିଲାଙ୍କୁ ପାଠ ପଢ଼େଇଚି, ଅନେକ ପିଲା ଏ ସ୍କୁଲରେ ପାଠପଢ଼ି ପାଶ କରି ଜୀବନରେ ପ୍ରତିଷ୍ଠା ଲାଭ କରିଚନ୍ତି । ସେଥିରେ ମୋର କୃତିତ୍ୱ କିଛି ନାହିଁ । ସେମାନଙ୍କର ଭାଗ୍ୟ ଆଉ ଅଧ୍ୟବସାୟ ସେମାନଙ୍କୁ ପ୍ରତିଷ୍ଠା ଦେଇଚି । କିନ୍ତୁ ମୋ ଛାତ୍ରମାନଙ୍କ ଭିତରୁ ଜଣେ ବି ଯଦି ଜୀବନରେ ପ୍ରତିଷ୍ଠା ପାଉ ବା ନ ପାଉ ସତ୍‌ ଜୀବନ ଯାପନ କରୁଥାଏ, ତେବେ ସେଇ ମୋ ଜୀବନରେ ଚରମ ସଫଳତା—ମୁଁ ଧନ ଅର୍ଜନଠାରୁ ମଣିଷପଣିଆକୁ ବଡ଼ ଭାବେ ।’ କହି ଭଗବାନସାର ଚୁପ ହୋଇଗଲେ । ଗୋଟିଏ ଛୋଟ ଛୁଆ ଠିଆହୋଇ ସୁକୁ ସୁକୁ ହୋଇ କାନ୍ଦୁଥିଲା । ହୁଏତ ମଡ଼େଲ ସ୍କୁଲର ଶିଶୁ ଶ୍ରେଣୀରେ ପଢ଼େ । ବିଚାରା କଣ ବୁଝିଥିଲା କେଜାଣି ସମସ୍ତଙ୍କ କାନ୍ଦିବା ଦେଖି ସେ କାନ୍ଦୁଥିଲା । ଭଗବାନସାର ତାକୁ କୋଳକୁ ଉଠାଇ ନେଇ ତା’ଲୁହ ପୋଛିଦେଇ କହିଲେ, ବାପା କାନ୍ଧୁଚ କାହିଁକି ? କାନ୍ଦନା—

 

ଭଗବାନସାରଙ୍କ ସ୍ପେହର ସ୍ପର୍ଶରେ ପିଲାଟା ଆହୁରି ଧକେଇ ହୋଇ କାନ୍ଦିଲା—

 

ସେଦିନ ଭଗବାନସାର ଘରକୁ ଫେରି ପିଣ୍ଡାରେ ଯେଉଁଠି ମାଉସୀ ବସି ଚାଉଳ ବାଛୁଥିଲେ ସେଇଠି ବସିପଡ଼ିଲେ । ଭଗବାନ ସାରଙ୍କ ମୁହଁର ହସକୁ ଲକ୍ଷ୍ୟକରି ମାଉସୀ ପଚାରିଥିଲେ—‘କଣ ହେଲା ହସୁଚ ଯେ—

 

‘ମୋତେ ଛୁଟି ମିଳିଗଲା ସୁବାବୋଉ’ କହି ଭଗବାନସାର ମାଉସୀଙ୍କୁ ଚାହିଁଲେ । ସେ ବୋଧହୁଏ ତାଙ୍କ ଅବସର ଉପଲକ୍ଷେ ସହଧର୍ମିଣୀଙ୍କ ପ୍ରତିକ୍ରିୟା ଜାଣିବାକୁ ଚେଷ୍ଟା କରୁଥିଲେ । ମାଉସୀ ଜାଣିଥିଲେ ଚାକିରିରୁ ଅବସର ଶିକ୍ଷକ ଭଗବାନ ଦାସଙ୍କ ମନରେ ଏକ ବିରାଟ ଶୂନ୍ୟତା ଭରି ଦେଇଚି । ଜୀବନର ଚତୁର୍ଥାବସ୍ଥାରେ ଏ ଶୂନ୍ୟତା ପୂରଣ ହେବା ସମ୍ଭବ ନୁହେଁ । ସେହି ଶୂନ୍ୟତା ହୁଏତ ତାଙ୍କ ମନକୁ ସ୍ପର୍ଶକାତର କରିଦେଇଛି । ସେଇଥିପାଇଁ ସେ ହସୁଛନ୍ତି । କାନ୍ଦି ନ ପାରି ସେ ହସୁଛନ୍ତି । ମାଉସୀ ତାଙ୍କ ମନର ଭାବକୁ ଗୋପନ କରି କହିଲେ—‘ପେନସନ ହେଲା ଭଲହେଲା—ବହୁତ ଖଟଣୀ ପଡ଼ୁଥିଲା । ତୁମେ କେତେ ରୋଗା ହୋଇଗଲଣି—ନଇଁ ପଡ଼ିଲଣି ଖିଆଲ ଅଛି ।’

 

ଭଗବାନସାର ସେ କଥାର ଜବାବ ଦେଲେ ନାହିଁ । ପ୍ରସଙ୍ଗ ବଦଳାଇ କହିଲେ, ‘ବୁଝିଲ ସୁବାବୋଉ, ଖରାବେଳଟା ସାରା ପିଲାଗୁଡ଼ାକ ସଙ୍ଗେ ବକବକ ହୋଇ ଗୋଟିଏ ବଦଭ୍ୟାସ ହୋଇ ଯାଇଚି । ସେଇକଥା ଯାହା ଟିକିଏ ଅଡ଼ୁଆ ଲାଗିବ । ନହେଲେ ମୋର ବସି ବେଶ୍‍ ସମୟ କଟିବ-।’ କହି ଭଗବାନ ଦାସ ଦୀର୍ଘନିଶ୍ୱାସ ଚାପିଲେ ।

 

ମାଉସୀ ଭଗବାନସାରଙ୍କ ମନୋବେଦନା ବୁଝୁଥିଲେ । କିନ୍ତୁ ତାଙ୍କ ନିଃସଙ୍ଗ ସଂସାରରେ ଅନେକ ଶିଶୁଙ୍କ କୋଳାହଳ କାହୁଁ ସେ ପାଇବେ ବୃଦ୍ଧ ସ୍ୱାମୀଙ୍କ ଶୂନ୍ୟତା ଭିରିଦେବା ପାଇଁ ? କିନ୍ତୁ ମାଉସୀ ସେ କଥା ପ୍ରକାଶ ନ କରି ମୃଦୁହସି କହିଲେ, ‘ଛୁଟି ବୋଧହୁଏ ତୁମକୁ ମିଳିବନି ।’

 

‘କାହିଁକି ସୁବାବୋଉ’—ଉତ୍କଣ୍ଠିତ ହୋଇ ଭଗବାନସାର ପଚାରିଲେ ।

 

ତୁମ ପେନ୍‌ସନ ନେବା କଥା ଶୁଣି ଝିଅ ବୋହୂ ଯେ, ମୋ ପାଖକୁ ଆସିଲେଣି ସମସ୍ତଙ୍କର ଗୋଟିଏ କଥା, ସାର ତ ଆଉ ଇସ୍କୁଲ ଯିବେନି, ଆମ ଛୁଆଙ୍କ କଣ ଦଶା ହେବ ?

 

ମାଉସୀଙ୍କ କଥା ଶୁଣି ଭଗବାନସାର ହସି କହିଲେ—ମୁଁ ପେନ୍‌ସନ ନେଲି ବୋଲି କଣ ସ୍କୁଲ ଉଠିଯିବ ? ସ୍କୁଲରେ ପାଠପଢ଼ା ବନ୍ଦ ହୋଇଯିବ ? ଆମ ହଳଧର ତ ଭଲ ମାଷ୍ଟ୍ର । ସେ ପିଲାଙ୍କ ଯତ୍ନ ନବ ।

 

ସେମାନେ କହୁଛନ୍ତି ସକାଳେ ତାଙ୍କ ଛୁଆଙ୍କୁ ଟିଉସନ ପାଇଁ ପଠାଇବେ । ତୁମେ ଯଦି ରାଜିହୁଅ—ଚାକିରି କଲାବେଳେ ତ ଟ୍ୟୁସନ ପଢ଼ାଉ ନଥିଲ । ମୁଁ ତାଙ୍କୁ କିଛି ଜବାବ ଦେଇ ପାରିଲିନି । ଭଗବାନସାର ଟିକିଏ ଚିନ୍ତା କରି କହିଲେ—ଛୁଆଙ୍କୁ ପଠେଇବେ ତ ପଠାନ୍ତୁ, ମୋର ତ ଆଉ କିଛି କାମ ନାହିଁ । ସେମାନଙ୍କୁ ପଢ଼ା ବୁଝେଇଦେବି ।

 

ଅବସର ଜୀବନ ଯେତେବେଳେ ଦୁଃସହ ହେବ ବୋଲି ଭଗବାନସାର ଭାବୁଥିଲେ ପ୍ରକୃତରେ ତାହା ସେପରି ଦୁଃସହ ହେଲାନାହିଁ । ଚାକିରି ସମାପ୍ତ ହେବାପରେ ଆରମ୍ଭ ହୋଇଥିବା ନୂଆ ଜୀବନ ତାଙ୍କର ଦେହସୁହା ହୋଇଗଲା । ଅକାଳେ ଅନେକଗୁଡ଼ାଏ ଛୁଆ ଟ୍ୟୁସନ ପଢ଼ିବା ପାଇଁ ଆସୁଥିଲେ । ସେମାନଙ୍କ ସଙ୍ଗେ ସକାଳ ବେଳାଟା ବେଶ୍‌ କଟିଯାଉଥିଲା—ଅଡ଼ୁଆ ଲାଗୁଥିଲା ଖରାବେଳଟା । ତାଙ୍କର ଦିବାନିଦ୍ରା ଅଭ୍ୟାସ ନଥିଲା । ମିତାହାରି ଭଗବାନସାରଙ୍କ ଦିବାନିଦ୍ରାର ପ୍ରୟୋଜନ ବି ନଥିଲା । ପ୍ରଥମେ ଦୀର୍ଘ ଦ୍ୱିପ୍ରହରର ଅସରନ୍ତି ମୁହୂର୍ତ୍ତ କଟାଇବା ମୁସ୍କିଲ୍‌ ହୋଇପଡ଼ିଲା । କେତେକ ପ୍ରାକ୍ତନ ଛାତ୍ର ଖରାବେଳେ ସେମାନଙ୍କ ସ୍କୁଲ ଯାଉନଥିବା ପିଲାଙ୍କୁ ପଢ଼ାଇବା ପାଇଁ ପ୍ରସ୍ତାବ ଦେଇଥିଲେ । କିନ୍ତୁ ଭଗବାନସାର ସେ ପ୍ରସ୍ତାବରେ ରାଜି ହୋଇନଥିଲେ । ସେ ତାଙ୍କ ଅବସରକୁ ମହତ୍ତ୍ୱପୂର୍ଣ୍ଣଭାବେ ଉପଯୋଗୀ କରିବାର ପନ୍ଥା ବାଛିନେଇ ଥିଲେ । ତାଙ୍କର ସଂସ୍କୃତିରେ ପାରଦର୍ଶିତା ଥିଲା । ସେ ମୂଳ ବାଲ୍ମୀକି ରାମାୟଣ ପଢ଼ି ତାର ବଙ୍ଗଳା ଟିକା ସହ ମିଳାଇ ରାମାୟଣର ଓଡ଼ିଆ ତର୍ଜମା କରିବା ଆରମ୍ଭ କରିଦେଲେ । ଏ କାମରେ ହାତଦେବା ପରେ ସମୟ କଟାଇବା ଆଉ ତାଙ୍କର ସମସ୍ୟା ହୋଇ ରହିଲା ନାହିଁ । ପ୍ରତିଦିନ ଭଗବାନସାର ଯାହା ତର୍ଜମା କରନ୍ତି ସନ୍ଧ୍ୟାବେଳେ ମାଉସୀଙ୍କୁ ପଢ଼ି ଶୁଣାନ୍ତି । କାମଦାମ ସାରି ମାଉସୀ ତାଙ୍କ ଶୋଇବା ଘରେ ବସି ଗୁଆ କାଟନ୍ତି କିମ୍ୱା ପାନ ଭାଙ୍ଗନ୍ତି । ମାଉସୀଙ୍କ ଆସବାସ ଭିତରେ ଗୋଟିଏ କାଠର ସେଲ୍‌ଫ ।

 

ସେଇ ସେଲଫରେ ତାଙ୍କର ସମସ୍ତ ସମ୍ପତ୍ତି ଥାଏ । ସେଇଠି ତାଙ୍କ ଠାକୁର ଖଟୁଲି, ଲୁଗା ଟ୍ରଙ୍କ, ଆଳିମାଳିକା ରଖିବା ପାଇଁ ଛୋଟ ଖଣ୍ଡେ ଟିଣ ସୁଟକେଶ୍‌ ପାନ ବାକ୍‌ସ, ତାଙ୍କ ଭାଗବତ, ବିଦ୍‌ଗଧ ଚିନ୍ତାମଣି ଭଳି କେତେ ଖଣ୍ଡି ବହି, କାଗଜ କଲମ, ଦର୍ପଣ ପାନିଆ ସବୁକିଛି ସଜଡ଼ା ହୋଇ ଥୁଆ ହୋଇଥାଏ । ସେଇଠି ମାଉସୀ ବସି ସନ୍ଧ୍ୟାବେଳେ କାମଦାମ ସାରି ବସି ଗୁଆ ଭାଙ୍ଗନ୍ତି କିମ୍ୱା ଆଉ କିଛି କାମ କରନ୍ତି । ଭଗବାନସାରଙ୍କ ତାଙ୍କ ଖାତା ଧରି ସେଇଠାକୁ ଯାଇ କୁହନ୍ତି—ରାମାୟଣ ଶୁଣିବ ସୁବାବୋଉ—ମାଉସୀ ଗୁଆ କାଟିବା ବନ୍ଦ ନ କରି କୁହନ୍ତି, ପଢ଼—

 

ଭଗବାନସାର ବସିପଡ଼ି ପଢ଼ିବା ଆରମ୍ଭ କରିବା ପୂର୍ବରୁ ପଚାରନ୍ତି ।

 

କାଲି କେଉଁ ବିଷୟ ପଢ଼ିଥିଲି ?

 

ମାଉସୀ କୁହନ୍ତି—ରାମଙ୍କ ବନବାସ କଥା ପଢ଼ିଥିଲ ।

 

‘ଆଚ୍ଛା, ଆଜି ଦଶରଥଙ୍କ ମହାଯାତ୍ରା ଅଧ୍ୟାୟଟି ଶୁଣ’ କହି ଭଗବାନ ଦାସ ପଢ଼ିବାକୁ ଆରମ୍ଭ କରନ୍ତି....ପୁତ୍ର ବିରହରେ ବିହ୍ୱଳ ବୃଦ୍ଧ ରାଜା ଦଶରଥ ତାଙ୍କ ପ୍ରିୟତମା ପତ୍ନୀ ଦେବୀ କୌଶଲ୍ୟାଙ୍କୁ ସମ୍ୱୋଧନ କରି କହିଲେ—‘କଲ୍ୟାଣି, ମନୁଷ୍ୟକୁ ଆତ୍ମକୃତ କର୍ମର ଫଳ ଭୋଗ କରିବାକୁ ପଡ଼ିଥାଏ । ଅତୀତରେ ଏକ କ୍ଷମାହୀନ ଅପରାଧ କରି ଆଜି ମୋତେ ଏ ବୃଦ୍ଧ ବୟସରେ ଅସହ୍ୟ ପୁତ୍ରବିଚ୍ଛେଦଯାତନା ଭୋଗ କରିବାକୁ ପଡ଼ୁଅଛି । ରାଣି, କୁମାରବସ୍ଥାରୁ ମୁଁ ଶବ୍ଦଭେଦୀ ବାଣ ପ୍ରୟୋଗ କରିବାରେ କୁଶଳୀ ଥିଲି....’

 

ଓଃ—ବଡ଼ କରୁଣ କଥା । ମାଉସୀ ହଠାତ୍‌ ମନ୍ତବ୍ୟ କରନ୍ତି ।

 

ଭଗବାନସାରଙ୍କ ପଢ଼ା ବନ୍ଦ ହୋଇଯାଏ, ସେ ପଚାରନ୍ତି କେଉଁ କଥା ?

 

ଏଇ ଯେ, ଅନ୍ଧମୁନିଙ୍କ ପୁଅକୁ ଦଶରଥ ଭୁଲରେ ଶର ମାରିବେ—

 

Unknown

ହଁ—କରୁଣ କଥା । ଯୁବରାଜ ଦଶରଥ ମୁନିକୁମାରର ନଦୀରେ ମାଠିଆ ବୁଡ଼ାଇବା ଶବ୍ଦ ଶୁଣି ଭାବିଲେ ହାତୀ ଜଳପାନ କରୁଚି । ସେ ଭାବିପାରି ନଥିଲେ ତୃଷାର୍ତ୍ତ ଅନ୍ଧ ପିତାମାତାଙ୍କ ତୃଷା ନିବାରଣ ପାଇଁ ବିଚରା ମୁନିକୁମାର ଜଳ ଆହରଣ ପାଇଁ ଆସିଚି ।

 

ସେଇ ଅପରାଧ ଦଶରଥଙ୍କ ଜୀବନରେ ପୁତ୍ରବିଚ୍ଛେଦର ଅଭିଶାପ ଆଣିଦେଲା ।

 

ମାଉସୀ ଦୀର୍ଘଶ୍ୱାସ ପକାନ୍ତି । କୁହନ୍ତି—ଭାଗ୍ୟ ।

 

ହଁ ଭାଗ୍ୟ—କହି ଭଗବାନସାର ଚୁପ୍‌ ହୋଇଯାନ୍ତି । ସେ ଅନ୍ୟମନସ୍କ ଜଣା ପଡ଼ୁଛନ୍ତି । ତାପରେ ମୃଦସ୍ୱରରେ ପଚାରନ୍ତି ଆଜି ସୁବୋଧର ଚିଠି ଆସିଥିଲା ପରା । କଣ ଲେଖିଚି ?

 

ମାଉସୀ କହନ୍ତି । ବୋହୂର ପିଲା ହେବ । ବାପ ଘରକୁ ଯାଇଚି ।

 

ପିଲା ହେବ ? ଭଗବାନସାରଙ୍କ ଆଖି ଉଜ୍ଜ୍ୱଳ ହୋଇଉଠେ ।

 

ହଁ ।

 

କିନ୍ତୁ ବୋହୂର ବାପା ବର୍ତ୍ତମାନ କେଉଁଠି ? ସେ କଣ ଆଉ ବୁର୍ଲାରେ ନାହାନ୍ତି ।

 

କହିଥିଲି ପରା ତୁମକୁ ସୁବୋଧ ଲେଖିଥିଲା, ସେ ପେନ୍‌ସନ୍‌ ନେଇ କଟକ ଗଲେଣି ।

 

ଓ, ହଁ ହଁ ଭୁଲି ଯାଇଥିଲି । କହି ଭଗବାନସାର୍‌ ପୁଣି ପଢ଼ିବାକୁ ଆରମ୍ଭ କରନ୍ତି ।

 

ଭଗବାନସାରଙ୍କ ଅବସର ନେବା ପରେ ମାଉସୀଙ୍କ ଉପରୁ କାମଚାପା ଟିକିଏ ଲାଘବ ହୋଇଚି । ଖୁବ୍‌ ସକାଳୁ ଉଠି ଗାଧୋଇ ପୂଜା କରି ତର ତର ହୋଇ ରାନ୍ଧିବା ଦରକାର ନାହିଁ । ସେ ଧୀରେ ସୁସ୍ଥେ ରନ୍ଧା ବଢ଼ା କରନ୍ତି । ଖିଆପିଆ ସରିଲେ ବାସନ କୁଶନ ଶମ୍ଭୁଆ ମା’ର ମାଜିବା ପାଇଁ କାଢ଼ିଦେଇ ବସି ପାନ ଭାଙ୍ଗନ୍ତି । ତାପରେ ପିଣ୍ଡାରେ ବସି କନ୍ଥା ସିଲେଇ କରନ୍ତି କିମ୍ବା ପୁରୁଣା ଲୁଗାଧଡ଼ିରୁ ରଙ୍ଗୀନ ସୂତା କାଢ଼ି ସେଇ ସୂତାରେ ଅଖା ଚଟଉପରେ କାର୍ପେଟ ଡିଜାଇନରେ ଆସନ ବୁଣନ୍ତି । ଏ ସବୁକାମ ପ୍ରାୟ ତାଙ୍କର ସ୍ନେହର ପାତ୍ରୀ କୌଣସି ଝିଅ ବୋହୂଙ୍କ ବରାଦରେ କରନ୍ତି । ସେମାନଙ୍କ ସଂଖ୍ୟା ତ କମ୍‌ ନୁହେଁ ? ନଚେତ୍‌ ବସି ଭାଗବତ ପଢ଼ନ୍ତି । ଏଇ ସମୟରେ ପାଟିକରି କରି ଠିକା ଚାକରାଣୀ ଶମ୍ଭୁଆ ମା’ ଆସେ । ଶମ୍ଭୁଆ ମା’ ଅତି କଳିହୁଡ଼ୀ ମଣିଷ । ତା ଫଟା ମୃଦଙ୍ଗ ଭଳି ଘାଉଁ ଘାଉଁ ଆବାଜରେ ସେ ସବୁବେଳେ କାହାକୁ ନା କାହାକୁ ସେ ଶମ୍ପା କଟା କରୁଥାଏ । ମାଉସୀକୁ ଦେଖି ତାର ସ୍ୱର ଉଚ୍ଚ ଗ୍ରାମରୁ କମାଇ ଦେଇ ବକର ବକର ହୁଏ ।

 

ମାଉସୀ ପଚାରନ୍ତି, ‘ଶମ୍ଭୁଆ ମା କାହାକୁ ଏମିତି ଗାଳି ଦଉଚୁ ?’

 

ଶମ୍ଭୁଆ ମା’ କହେ—‘କାହାକୁ ଆଉ ଆଉ ଦେବି ଗୋ ମା, ନିଜ କରମକୁ ଦଉଚି ।’

 

ମାଉସୀ କିଛି ନ କହି ଟିକିଏ ହସନ୍ତି । ଶମ୍ଭୁଆ ପିଣ୍ଡାରେ ବସିପଡ଼ି କହେ, ‘ସେଇ ମଝିଆଣୀ—ସକାଳୁ ଉଠି ମୋ ସଙ୍ଗେ ଝଟାପଟା ଲଗେଇଚି । ସତେକି ମୁଁ ତାର ସଉତୁଣୀ—ଗୋଡ଼ାମୁହୀଁ—ରାଣ୍ଡ ହବ’ ....ଶମ୍ଭୁଆ ମା’ ତା ଜା ଉଦ୍ଦେଶ୍ୟରେ କେତେ ଅଶ୍ରାବ୍ୟ ଗାଳି ବର୍ଷଣ କରି ଚୁପ୍‌ ହୋଇଯାଏ ।

 

ତାପରେ ମାଉସୀଙ୍କୁ ଅନୁନୟ କରି କହେ—ଦିଅ ଗୋ ମା ପାନଖଣ୍ଡେ, ପାଟିଟା ଆମ୍ବିଳା ହୋଇ ଗଲାଣି ।

 

ମାଉସୀ ବଟାରୁ ପାନ ଖଣ୍ଡେ ଦିଅନ୍ତି । ଶମ୍ଭୁଆ ମା’ ପରମ ତୃପ୍ତିରେ କହେ—ତୁମ ହାତ ପାନ ପାନ ନୁହେଁ ତ—ଅମୃତ । ତା ପରେ ସେଇ ଅମୃତ ପରି ପାନକୁ ଚାକୁଳାଇ ଚାକୁଳାଇ ମାଉସୀଙ୍କ କନ୍ଥା ସିଲାଲ ଦେଖେ । ମାଉସୀ ରଙ୍ଗୀନ ସୂତାରେ କନ୍ଥା ଦେହରେ ନକ୍‌ସା ପକାନ୍ତି । ଫୁଲ, ପ୍ରଜାପତି, ହାତୀ କେତେ ନକ୍‌ସା କେତେ ଚିତ୍ର ।

 

ଶମ୍ଭୁଆ ମା’ ପଚାରେ—ନାତି ଲାଗି କରୁଚ ?

 

ମାଉସୀ ଟିକିଏ ନୀରବ ରହି କହନ୍ତି—ମୀନା ପୁଅର । ସେ ଲୁଗା ପଠାଇଥିଲା ।

 

ମୀନା କିଏ ଗୋ ? ଶମ୍ଭୁଆ ମା’ ପଚାରେ ।

 

ଫୁଲେଇ—ମୀନା କିଏ ଜାଣିନୁ । ହେଡ଼ମାଷ୍ଟ୍ରଙ୍କ ଝିଅ ।

 

ଓ ମୀନାନାନୀ—ହଁ ଗୋ ମୁଁ ଯାଇ ତାଙ୍କ ପୁଅକୁ ଦେଖି ଆସିଚି । ପୁଅଟେ ହୋଇଚି, ଛାତି ପୂରିଯିବ । ମୁଁ କହୁଚି କହ ମା ନାତି ପାଇଁ କନ୍ଥା ସିଉଁଚନ୍ତି ।

 

ତା ପରେ ନିଜ କାମ କରିବାକୁ ଉଠି ଯାଉ ଯାଉ କହେ—ହଁ ତୁମ ନାତି ଏଇ ଚିରା ଲୁଗା କନ୍ଥାରେ ଶୋଇବ ? ତାର ତ ସାଇବାଣୀ ମା । ଅଇଲ କ୍ଳଥ, ରୁମ ତଉଲିଆ କେତେ ଜିନିଷ କିଣିବ ।

 

ମାଉସୀ ସାମାନ୍ୟ ବିରକ୍ତ ହୁଅନ୍ତି—କୁହନ୍ତି । ପାଟିକରନା ଲୋ ଶମ୍ଭୁଆ ମା’, ସେ ଘରେ ବାପା ପରା ଲେଖା ପଢ଼ା କରୁଚନ୍ତି ।

 

ଭଗବାନସାରଙ୍କ କଥା ମନେ ପଡ଼ିଯାଏ ଶମ୍ଭୁଆ ମାର । ସେ ଜିଭ କାମୁଡ଼ି ପକାଇ ବାସନକୁଶନ ଧରି ବାରି ଆଡ଼କୁ ଚାଲିଯାଏ ।

 

ସେ ଦିନ ମାଉସୀ ଗାଧୋଇ ସାରି ହାତରେ ଠାକୁର ପୂଜା ପାଇଁ ପାଣି ଢାଳେ ଧରି ଆସୁଥିଲେ । ହଠାତ୍‌ ଦାଣ୍ଡରୁ ସୁବାବୋଉ, ସୁବାବୋଉ ଡାକି ଘର ଭିତରକୁ ଭଗବାନସାର ପଶିଆସିଲେ । ମାଉସୀ ଥମକି ଠିଆ ହୋଇଯାଇ କହିଲେ—କଣ ? ଏମିତି ଛାନିଆ ହୋଇ ଡାକ ଛାଡ଼ିଚ କାହିଁକି ?

 

ତାର ଆସିଚି ସୁବାବୋଉ—ସୁବୋଧ ତାର କରିଚି—ଭଗବାନ ସାର ହାତରେ ଧରିଥିବା ଟେଲିଗ୍ରାମକୁ ଦେଖାଇ କହିଲେ ।

 

ତାର ? ଚମକ ପଡ଼ିଲେ ମାଉସୀ—ଟେଲିଗ୍ରାମ କେବଳ ପ୍ରିୟଜନ ମୃତ୍ୟୁ ଭଳି ଦୁଃସମ୍ବାଦ ବହନ କରେ ଏଭଳି ଏକ ସଂସ୍କାର ଥିଲା ତାଙ୍କର । କାରଣ ଜୀବନରେ ଯେଉଁ କେତୋଟି ଟେଲିଗ୍ରାମ ସେ ଦେଖିଛନ୍ତି ସେ କେବଳ କୌଣସି ଆତ୍ମୀୟଙ୍କ ମୃତ୍ୟୁ ଉପଲକ୍ଷେ ଆସିଥିଲା । କିନ୍ତୁ ସେଇ ଛୋଟ ଖଣ୍ଡିଏ ଗୋଲାପି କାଗଜରେ ଯେ ମନକୁ ପୁଲକିତ ଓ ପରିତୃପ୍ତ କଲାଭଳି ସୁସମ୍ବାଦ ଆସିପାରେ ତା ମାଉସୀଙ୍କ ଧାରଣା ବାହାରେ ଥିଲା ।

 

ଭଗବାନସାର ଗଦ ଗଦ୍‌ ଭାବେ ହସି କହିଲେ । ସୁବୋଧର ପୁଅ ହୋଇଚି ସୁବାବୋଉ-। ସେ ତାର କରିଚି ।

 

ମାଉସୀ କ୍ଷଣକ ପାଇଁ ସ୍ତବ୍‌ଧ ହୋଇଗଲେ । ତାଙ୍କ ବଂଶର ଧାରାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଯେଉଁ ପ୍ରାଣ ପୃଥିବୀପୃଷ୍ଠକୁ ଅବତରଣ କରି ଆସିଚି ତାକୁ ଦେଖିବା ପାଇଁ ସତେ ଯେପରି ତାଙ୍କ ମନରେ ଏକ ଆକୁଳତା ଭରିଗଲା । ସୁବୋଧର ସ୍ତ୍ରୀ ଏଠି ଥିଲେ ସେ ତ ପ୍ରଥମେ ତାଙ୍କ ନାତିକୁ ଉଠାଇ ନେଇଥାନ୍ତେ । ସେ ପ୍ରଥମେ ସଗର୍ବେ ଘୋଷଣା କରିଥାନ୍ତେ ତାର ଶୁଭାଗମନ...କିନ୍ତୁ...ମାଉସୀ ନିଜକୁ ସଂଯତ କରି ନେଲେ । ତା’ ପରେ ଠାକୁରଙ୍କ ନିକଟରେ ପ୍ରଣାମ କରି ମନେ ମନେ କହିଲେ—ସେ ଯେଉଁଠି ଥାଉ ଠାକୁରେ ତାକୁ ଆୟୁଷ ଦିଅ, ତାକୁ ଭଲ ବୁଦ୍ଧି ଦିଅ ।

 

ମାଉସୀଙ୍କୁ ଚିନ୍ତିତ ଭାବେ ଚୁପ୍‌ ହୋଇଯିବା ଦେଖି ଭଗବାନସାର ଗମ୍ଭୀର ହୋଇଗଲେ-। ତା’ ପରେ କହିଲେ—ଏମିତି ଚୁପ୍‌ ହୋଇଗଲ ସୁବାବୋଉ—ତୁମର ପରା ନାତି ହୋଇଚି—ମାଉସୀ ଟିକିଏ ହସି କହିଲେ ତାରି ପାଇଁ ଠାକୁରଙ୍କୁ ଜୁହାର ହେଉଥିଲି । ହଁ ତା ପାଇଁ ଠାକୁରଙ୍କୁ ଡାକିବା ଛଡ଼ା ଆମେ ଆଉ କଣ କରି ପାରିବା—ଠାକୁରେ ତାକୁ ଦୀର୍ଘଜୀବୀ କରନ୍ତୁ । କହି ଭଗବାନସାର ପୁଣି ଦାଣ୍ଡଘରକୁ ଫେରିଗଲେ । ସେଠାରେ ତାଙ୍କର ସାମୟିକ ଅନୁପସ୍ଥିତିର ସୁଯୋଗ ନେଇ ତାଙ୍କ ବାନର ସେନା ଶିଷ୍ୟବର୍ଗ ନିଜ ନିଜ ଭିତରେ କଳିକଜିଆର ସୂତ୍ରପାତ କରିସାରିଲେଣି । ସେମାନଙ୍କର କଳରବ ସ୍ପଷ୍ଟ ଏଠାକୁ ଶୁଣାଯାଉଚି ।

 

ଟେଲିଗ୍ରାମ ପଠାଇବା ପରେ ସୁବୋଧନନା ମାଉସୀଙ୍କ ପାଖକୁ ଚିଠି ଲେଖିଥିଲେ । ସେ ଚିଠି ବି ଆସି ପହଞ୍ଚିଲା । ପ୍ରଥମ ସନ୍ତାନ ଲାଭ କରି ସୁବୋଧନନାଙ୍କ ମନ ଆନନ୍ଦରେ ଉତ୍‌ଫୁଲ୍ଲ ହୋଇ ଉଠିଥିଲା । ସେ ତାଙ୍କ ଆନନ୍ଦକୁ ନିଜ ଭିତରେ ଗୋପନ ନ କରି ଚିଠିରେ ତାକୁ ପ୍ରକାଶ କରିଥିଲେ । ସେ ଆନନ୍ଦର ସ୍ପର୍ଶ ମାଉସୀଙ୍କ ମନରେ ଲାଗିଥିଲା । ଭଗବାନସାରଙ୍କ ମନରେ ଲାଗିଥିଲା । କେତେଦିନ ପରେ ମାଉସୀ ଭଗବାନସାରଙ୍କୁ କହିଲେ—ତୁମେ ଟିକେ କଟକ ଆଡ଼ୁ ବୁଲି ଆସନ୍ତନି ?

 

କଟକ ? କଟକ ଫେର କାହିଁକି ଯିବି ? ପଚାରିବା ପରେ ଭଗବାନସାର୍‌ ମାଉସୀଙ୍କ ଉଦ୍ଦେଶ୍ୟ ବୁଝିପାରି କହିଥିଲେ । ଓ ନାତିକୁ ଦେଖି ଆସିବା କଥା କହୁଚ ପରା । ହଁ ଗଲେ ହବ । ତୁମେ ଯିବ ତ ଚାଲ ।

 

ମୁଁ କେମିତି ଯିବି ? ମାଉସୀ ଟିକିଏ ମ୍ଳାନ ହସି କହିଲେ । ବୁଢ଼ା ଶାଶୁ, ଶ୍ୱଶୁର ତ ଲେଖି ନାହାନ୍ତି—ଏମିତି ବାଡ଼କରା ଯିବା କ’ଣ ସୁନ୍ଦର ହେବ ? ତୁମ କଥା ଅଲଗା—ଯିବ ଛୁଆକୁ ଦେଖି ଚାଲି ଆସିବ ।

 

‘ହଉ ତେବେ ଯିବା’ କହି ଭଗବାନସାର୍‌ ଚୁପ୍‌ ହୋଇଗଲେ ।

 

ଭଗବାନସାର କଟକ ବାହାରିବା ଦିନ ମାଉସୀ ଗୋଟିଏ ସରୁ ସୁନା ଚେନ୍‌ ତାଙ୍କୁ ଦେଇ କହିଲେ—ଏଟା ବୋହୂକୁ ଦେବ । କହିବ ଏକୋଇଶା ଦିନ ପିନ୍ଧାଇବ ।

 

ଭଗବାନସାର ଚେନ୍‌ଟା ବ୍ୟାଗରେ ରଖି ପଚାରିଲେ—ଏଟା ଫେର୍‌ କେବେ ଗଢ଼େଇଲ-?

 

ଏବେ କ’ଣ ଗଢ଼େଇଚି ? କେବେଠୁ ଗଢ଼େଇଥିଲି । ପାଖରେ ଥିଲା । କହି ମାଉସୀ ସେ ପ୍ରସଙ୍ଗ ଶେଷ କରିଦେଇ ଭଗବାନସାରଙ୍କ ଯାତ୍ରାର ଅନ୍ୟାନ୍ୟ ଉପକରଣ ସଜାଡ଼ିବାକୁ ଲାଗିଲେ । କିଛି ସମୟ ପରେ ମାଉସୀ କହିଲେ, ‘ଆଗରୁ ବୁଢ଼ାକୁ ଚିଠି ଦେଇଥିଲେ ଭଲ ହୋଇଥାନ୍ତା । ସେ ଆସି ତମକୁ ଟେସନରୁ ନେଇ ଯାଇଥାନ୍ତା । କଟକରେ ତାଙ୍କ ଘର ପାଇବାରେ ଆଉ ଅସୁବିଧା ଭୋଗି ନ ଥାନ୍ତ ।’

 

ଅସୁବିଧା ଆଉ କଣ ? ଠିକଣା ତ ଅଛି । ରିକ୍‌ସାବାଲାକୁ କହିଲେ ନେଇଯିବ ।

 

ନା—ଅସୁବିଧା ହେବ ତ କୁହ ରାଜୁ କି ଆଉ କାହାକୁ ଡାକିଲେ ସଙ୍ଗରେ ଯାନ୍ତେ...

 

ନା-ନା, ଦରକାର ନାହିଁ । ମୁଁ ଚାଲିଯିବି । ଆଜି ରାତିକି ତ ଫେରିବି—କହି ଭଗବାନସାର୍‌ ବାହାରି ଗଲେ । କଟକରେ ମିଶ୍ର ସାହେବଙ୍କ ଘର ଖୋଜି ବାହାର କରିବାରେ କିଛି ଅସୁବିଧା ହେଲାନି । ବିରାଟ ଘର ତାଙ୍କର ସାହିରେ ସମସ୍ତଙ୍କୁ ଜଣା । ମିଶ୍ର ସାହେବଙ୍କ ଘର ପାଖରେ ପହଞ୍ଚି ରିକ୍‌ସା ବିଦା କରିଦେଇ ଭଗବାନସାର୍‌ ଟିକିଏ ଇତସ୍ତତଃ ହେଲେ । କାରଣ ଫାଟକରେ କୁକୁରକୁ ସାବଧାନ ବୋଲି ନୋଟିସ ଫଳକ ଝୁଲୁଚି । ହତା ଭିତରେ କେହି ଲୋକ ଦିଶୁ ନାହାଁନ୍ତି । ତେଣୁ ବାଧ୍ୟ ହୋଇ ଗେଟ୍‌ ଖୋଲିଲେ । ହଠାତ୍‌ ଗୋଟିଏ ବିରାଟ ଆଲସେସିଆନଙ୍କ ଗର୍ଜନରେ ଖଣ୍ଡମଣ୍ଡଳ କମ୍ପି ଉଠିଲା । ଭଗବାନସାର୍‌ ଥମକି ଛିଡ଼ା ହୋଇଗଲେ-। କୁକୁରର ଭୁକିବା ଶବ୍ଦରେ ଗୋଟିଏ ଚାକର ଟୋକା ଘର ଭିତରୁ ବାହାରି ଆସି ଗେଟ୍‌ ପାଖରେ ପୁରୋହିତ ବ୍ରାହ୍ମଣ ଭଳି ଦିଶୁଥିବା ଜଣେ ଲୋକକୁ ଦେଖି ବିରକ୍ତ ହୋଇ ପଚାରିଲା । କଣ ବାବୁ, କି କାମ ଅଛି ? ଦେଖୁଚ ଫାଟକରେ ନୋଟିସ୍‌ ଝୁଲୁଚି ତଥାପି ନ ପଚାରି ଗେଟ୍‌ ଖୋଲି ପଶି ଆସୁଚି କେମିତି କୁକୁର ଝୁଣିଦେଲେ କିଏ ପିଠିରେ ପଡ଼ିବ ?

 

ଚାକର ଟୋକାର ତାତ୍ସଲ୍ୟ ଓ ବିରକ୍ତିକୁ ଉପେକ୍ଷା କରି ଭଗବାନସାର୍‌ ତାକୁ ଡାକିଲେ–ଶୁଣ ବାବୁ ଏଠିକୁ ଆସ ।

 

ଟୋକାଟା ଦୟାପରବଶ ହୋଇ ଫାଟକ ପାଖକୁ ଆସିବାରୁ ଭଗବାନସାର୍‌ ତାକୁ ପଚାରିଲେ ‘ସୁବୋଧ ବାବୁ ଏଠି ରହୁନ୍ତି ତ ?’

 

ହଁ, ତାଙ୍କଠି ଆପଣଙ୍କ କାମ ?

 

ହଁ, ମୁଁ ତାଙ୍କ ବାପା । କୁକୁର ବନ୍ଦ ଅଛନ୍ତି ତ ? ଚାଲ ଭିତରକୁ ଯିବା ।

 

ଚାକର ଟୋକାଟା ଟିକିଏ ମ୍ରିୟାମାଣ ହୋଇ କହିଲା—ଆସନ୍ତୁ ।

 

ସୁବୋଧ ବାବୁ ତ ଏଇନେ ଘରେ ନାହାଁନ୍ତି ।

 

କୁଆଡ଼େ ଯାଇଚନ୍ତି ?

 

ବାହାରକୁ, ଆପଣ ବସନ୍ତୁ ମୁଁ ମା’ଙ୍କୁ ଖବର ଦଉଚି ।

 

ଖବର ପାଇ ମିସେସ ମିଶ୍ର ଆସି କହିଲେ, କି ଭାଗ୍ୟ ଆପଣଙ୍କ ପାଦ ଆଜି ଏ ଗରିବ କୁଡ଼ିଆରେ ପଡ଼ିଲା—ନାତି ହେଇଚି ବୋଲି ସିନା ଆମ ଭଳି ଲୋକଙ୍କ କଥା ଆପଣଙ୍କର ମନେ ପଡ଼ିଲା ।

 

ଭଗବାନସାର ଟିକିଏ ବିନୀତ ଭାବେ ହସି କହିଲେ—କଟକରେ ତ କିଛି କାମ ପଡ଼େନା, ତେଣୁ ମୁଁ ତ କେବେ କଟକ ଆସେ ନାହିଁ ।

 

ହଉ ଆସୁ ନ ଥିଲେ ଏଥର ଆସିବେ । ଡୋର ତ ଲାଗିଲା ।

 

ଆସନ୍ତୁ ବାହାରଟାରେ କାହିଁକି ବସିଚନ୍ତି । ଭିତରକୁ ଆସନ୍ତୁ ।

 

ଭଗବାନସାର୍‌ ତାଙ୍କୁ ଅନୁସରଣ କରି ଡ୍ରଇଂ ରୁମ୍‌କୁ ଗଲେ । ଏଣୁ ଏଣୁ ଦି ଚାରି ପଦ କଥା ହୋଇ ମିସେସ ମିଶ୍ର କହିଲେ, ‘ଶୋଭାର ଦେହ ଭଲ ନାହିଁ’ ଶୋଇଚି ତାକୁ ଡାକି ଦେଉଚି । କହି ମିସେସ ମିଶ୍ର ଉଠିଗଲେ । କେତେ ସମୟ ପରେ ଶୋଭନା ଭାଉଜ ଆସି ଭଗବାନସାରଙ୍କୁ ମୁଣ୍ଡିଆ ମାରି ତଳକୁ ମୁହଁ ପୋତି ଛିଡ଼ା ହୋଇ ରହିଲେ ।

 

ଥାଉ, ଥାଉ ମା—ତୁମ ଦେହ ପରା ଭଲ ନାହିଁ । କହି ଭଗବାନସାର୍‌ ସସ୍ନେହରେ ପୁତ୍ରବଧୂକୁ ଚାହିଁଲେ ।

 

ନା, କାଲିଠୁ ସାମାନ୍ୟ ଜର ହେଇଚି ।

 

ଯାଅ, ଯାଅ ଶୋଇବ—ଦେହ ଭଲ ନାହିଁ, କାହିଁକି ଛିଡ଼ା ହୋଇ ରହିଲ ।

 

ଶୋଭନା ଭାଉଜ ଚାଲି ଯାଉଥିଲେ, ଭଗବାନସାର୍‌ ପଚାରିଲେ ସୁବୋଧ କୁଆଡ଼େ ଯାଇଚି ? କେତେବେଳେ ଫେରିବ କହି ପାରିବ ମା ?

 

ସେ ତ କାମରେ ବାହାରକୁ ଯାଇଚନ୍ତି । ବାହାରେ ଖାଇବେ କହି ଯାଇଚନ୍ତି ।

 

ବୋଧଦହୁଏ ଫେରିବାକୁ ଟିକିଏ ଡେରି ହେବ ।

 

ହଉ—ତୁମେ ଯାଅ । ଶୋଭନା ଭାଉଜ ଚାଲିଗଲେ ।

 

କେତେବେଳ ପରେ ସେଇ ଚାକର ଟୋକା କପେ ଚା ଧରି ଆସି କହିଲା— ବୁଢ଼ାବାବୁ ଚା ଖାନ୍ତୁ ।

 

ମୁଁ ତ ଚା ଖାଏନା—

 

ହଉ, ଟିକିଏ ଖାଇ ଦଉନ୍ତୁ—ଲଞ୍ଚ ଖାଇବାକୁ ତ କେତେ ଡେରି । ଏଇନେ ଜମା ୧୧ଟା ବାଜିଚି—୨ଟା ଆଗରୁ କଣ ଖିଆ ପିଆ ହବ ।

 

ଭଗବାନସାର୍‌ ଟିକିଏ ହସି କହିଲେ—ନା, ନା ମୋର ଚା ଦରକାର ନାହିଁ । ତୁମେ ନେଇଯାଅ ।

 

ହଉ, କହ ଟୋକାଟା ଚାଲିଗଲା ।

 

ପୁଣି ନିଃସଙ୍ଗ ପ୍ରତୀକ୍ଷା—ଧ୍ୟାନସ୍ଥ ଭଳି ବସିରହିଲେ ପଣ୍ଡିତ ଭଗବାନ ଦାସ । ବହୁ ସମୟ ପରେ ବାହାରେ ଗାଡ଼ି ଶବ୍ଦ ଓ ଫାଟକ ପାଖରେ ମୁହୁଃର୍ମୁହୁଃ ହର୍ଣ୍ଣ ଶୁଭିଲା । ଚାକର ଟୋକାଟା ଅସ୍ତବ୍ୟସ୍ତ ହୋଇ ଫାଟକ ଖୋଲିବାକୁ ଧାଇଁଲା । ଗାଡ଼ିରୁ ଓହ୍ଲାଇ ମି. ମିଶ୍ର ଘର ଭିତରକୁ ପଶିଆସି ଭଗବାନସାର୍‌ଙ୍କୁ ଦେଖି ପାଟିକରି ଉଠିଲେ—ହ୍ୟାଲୋ—ପଣ୍ଡିତଜୀ ଭାରି ସୁଖର କଥା, ଆପଣ ଆସିଚନ୍ତି ।

 

ଭଗବାନସାର୍‌ ଆସନରୁ ଉଠି ବିନମ୍ର ଭଙ୍ଗୀରେ ହସି ନମସ୍କାର କରି କହିଲେ—ସୁବୋଧ ଚିଠି ପାଇବା ପରେ ତା ମା କହିଲା... । ତାଙ୍କୁ କଥା ଶେଷ କରିବାକୁ ନ ଦେଇ ମି. ମିଶ୍ର କହିଲେ ନିଶ୍ଚୟ ନିଶ୍ଚୟ ଆପଣଙ୍କର ପ୍ରଥମ ନାତି ହୋଇଚି, ଆପଣଙ୍କ ଆସିବାଟା ନିହାତି ଉଚିତ୍‌ । ତେବେ ଆପଣଙ୍କର ଖିଆପିଆ ତ ହୋଇ ନ ଥିବ । ଟିକିଏ ବସନ୍ତୁ ମୁଁ ବାଥରୁମ୍‌ରୁ ଶୀଘ୍ର ଚାଲିଆସେ, ଖିଆପିଆ କରିବା । ମୋତେ ପୁଣି ୩୦ ମିନିଟ୍‌ ମଧ୍ୟରେ ବାହାରି ଯିବାକୁ ପଡ଼ିବ କହି ମିଶ୍ର ସାହେବ ଗୋଟାଏ ସୋଫାରେ ବସିପଡ଼ିଲେ ।

 

ଭଗବାନସାର୍‌ କହିଲେ,—ମୋର ଖିଆପିଆ କାମ ଶେଷ ହୋଇ ଯାଇଚି । ମୋ ପାଇଁ ବ୍ୟସ୍ତ ହୁଅନ୍ତୁ ନାହିଁ ।

 

ସେ କଥାରେ କୌଣସି ଗୁରୁତ୍ୱ ନ ଦେଇ ମିଶ୍ର ସାହେବ କହିଲେ—ବୁଝିଲେ ପଣ୍ଡିତଜୀ-! ମୁଁ ରିଟାୟାର କରି କନ୍‌ସାଲଟିଂ ଇଞ୍ଜିନିୟର ହିସାବରେ ପ୍ରାକଟିସ୍‌ କରୁଚି । ସରକାର ସିନା ଆମକୁ ପେନ୍‌ସନ୍‌ ଦେଇଦେଲା, ଆମେ ତ ଆଉ ପ୍ରକୃତରେ ବୁଢ଼ା ହୋଇ ଯାଇନୁ; ତେଣୁ ବସି ନ ରହି ମୁଁ ମୋ କାମ ଚଳେଇଚି । ବୁଝିଲେ, ଆମେ ସବୁ ଏକ୍‌ଜିକ୍ୟୁଟିଭ ଲାଇନ୍‌ର ଲୋକ-। ଯେଉଁଦିନ ଆମର କାମ ବନ୍ଦ ହୋଇଯିବ ସେଦିନ ଆମର ମୃତ୍ୟୁ ହୋଇଯିବ—କହି ମିଶ୍ର ସାହେବ ହାଃ ହାଃ ହୋଇ ହସିଲେ ।

 

ଭଗବାନସାର୍‌ ଲକ୍ଷ୍ୟକଲେ ମିଶ୍ର ସାହେବଙ୍କ ଚେହେରାରେ ଆଗର ଔଜ୍ଜ୍ୱଲ୍ୟ ନାହିଁ । ଚାକିରିରୁ ପେନ୍‌ସନ ନେଲାପରେ ଯିମିତି ତାଙ୍କ କଳା କିଏ ହରଣ କରି ନେଇଚି । ତାଙ୍କର ଜ୍ୟୋତିସ୍ତିମିତ ହୋଇ ଯାଇଚି ।

 

ମୁଁ ବୁଢ଼ା ହୋଇନି ବୋଲି ଯେତେ ସେ ସଦମ୍ଭରେ ଘୋଷଣା କଲେ ବି ମିଶ୍ର ସାହେବ ୟା ଭିତରେ ବେଶ ବୁଢ଼ା ହୋଇ ଯାଇଚନ୍ତି । ସେ ପିନ୍ଧିଥିବା ଆଗର ସୁଟ୍‌ଟା ଦେହରେ କେମିତି ଢିଲା ଢିଲା ହୋଇ ବେଖାପ ଦିଶୁଚି । ମିଶ୍ର ସାହେବ ହଠାତ୍‌ ହାତଘଡ଼ିକୁ ଚାହିଁ କହିଲେ—ଆଇ ଏମ ଗେଟିଂ ଲେଟ୍‌, ମୋତେ ଅଧ ଘଣ୍ଟାଏ ମଧ୍ୟରେ ବାହାରିବାକୁ ପଡ଼ିବ କହି ସେ ଉଠିଲେ । ତାପରେ ଯଥାସମ୍ଭବ ଶୀଘ୍ର ନିଜ ମଧ୍ୟାହ୍ନ ଭୋଜନ ସାରି ପୁଣି ସେ ବାହାରିଗଲେ ।

 

ଭଗବାନସାର ସେମିତି ଏକା ବସିରହିଲେ । କାହାରି ଦେଖା ନାହିଁ । କେହି ଟିକିଏ ଆଣି ପୁଅକୁ ତାଙ୍କୁ ଦେଖାଉ ନାହିଁ । ନିରୁପାୟ ଭାବେ ପଣ୍ଡିତ ଭଗବାନ ଦାଶ ମି. ମିଶ୍ରଙ୍କ ଅନାତ୍ମୀୟ ଡ୍ରଇଁରୁମ ଭିତରେ ବସିରହିଲେ । ମିଶ୍ର ସାହେବଙ୍କ ଗୃହସ୍ଥଳୀ ନୀରବ ନିଶ୍ଚୁପ ହୋଇଗଲା । ମଧ୍ୟାହ୍ନ ଅତିକ୍ରମ କରି ଅନେକ ବେଳୁ ଅପରାହ୍ନ ହୋଇ ସାରିଥିଲା । ସେହି ଅପରାହ୍ନର ଛାୟା ବାହାରେ ଦୀର୍ଘତର ହେବାକୁ ଲାଗିଲା । ଭଗବାନସାର ଆସି ପୁଣି ବାରଣ୍ଡାରେ ବେତ ଚେୟାରରେ ବସି ରହିଲେ । ହଠାତ୍‌ ତାଙ୍କ ମନ ପ୍ରସନ୍ନତାରେ ଭରିଗଲା—ସୁବୋଧନନା ଫେରିଚନ୍ତି । ସୁବୋଧନନା ଭଗବାନସାରଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ, ମୁଣ୍ଡିଆ ମାରି ପଚାରିଲେ—ବାପା, ଆପଣ କେତେବେଳୁ ଆସିଲେଣି ?

 

ଭଗବାନସାର୍‌ କହିଲେ, ‘ମୁଁ ସକାଳ ଗାଡ଼ିରେ ଆସିଲିଣି ।’

 

ଆପଣ ସେଇ ଦିନ ଦଶଟା ସାଢ଼େ ଦଶଟା ବେଳୁ ଆସି ଏଠି ବସିଚନ୍ତି । ଶୋଭନା ଜାଣେ ଆପଣ ଆସିଚନ୍ତି ବୋଲି ?

 

ହଁ, ସେମାନଙ୍କ ସଙ୍ଗେ ଦେଖା ହୋଇଚି । ତୋତେ ଅପେକ୍ଷା କରି ବସିଚି ।

 

ବଡ଼ ବିବ୍ରତ ବୋଧକଲେ ସୁବୋଧନନା । କହିଲେ—ଆପଣ ଚିଠି ଦେଲେନି ମୁଁ ଯାଇ ଆପଣଙ୍କୁ ଷ୍ଟେସନରୁ ନେଇ ଆସିଥାନ୍ତି । ଏମିତି ହଠାତ୍‌ କାହିଁକି ଚାଲି ଆସିଲେ ?

 

ତୋ ବୋଉ ବି ସେୟା କହୁଥିଲା । ତେବେ ମୁଁ ଚାଲି ଆସିଲି । ତୋ ବୋଉ ସବୁବେଳେ ଲଗେଇଲା ଯାଅ ପୁଅକୁ ଦେଖି ଆସ ।

 

ପୁଅକୁ ଦେଖିଲେଣି ବାପା—ଆଗ୍ରହରେ ପଚାରିଲେ ସୁବୋଧନାନା ।

 

ନା

 

ଏଁ ? ଏତେବେଳଯାଏ ଆପଣ ପୁଅକୁ ଦେଖି ନାହାନ୍ତି—କହି ସୁବୋଧନନା ଝଡ଼ ଭଳି ଭିତରକୁ ପଶିଗଲେ । ୧୨ । ୧୪ଦିନର ଛୋଟ ଛୁଆଟା ଶୋଇଥିଲା । ସୁବୋଧନନା ଯାଇ ତାକୁ ଉଠାଇ ଆଣିଲେ । ପିଲାଟାର କୁଁ କାଁ ଶବ୍ଦରେ ଶୋଭନା ଭାଉଜଙ୍କ ନିଦ ଭାଙ୍ଗିଗଲା—ସେ ଚିଡ଼ିଉଠି କହିଲେ, ‘ବାହାରୁ ବୁଲିଆସି ଅପରିଷ୍କାର ହାତରେ କାହିଁକି ପିଲାଟାକୁ ଟଣା ଘୋଷଡ଼ା ଲଗେଇଚ’ । ସୁବୋଧନନା କୌଣସି ଉତ୍ତର ନ ଦେଇ ପିଲାକୁ ନେଇ ବାହାରକୁ ଆସିଲେ । ତାପରେ ଭଗବାନସାରଙ୍କ ଗୋଡ଼ ତଳେ ବସିପଡ଼ି ପୁଅକୁ ଭୂଇଁରେ ଶୁଆଇ ଦେଇ କହିଲେ—ତାକୁ ଆଶୀର୍ବାଦ କରନ୍ତୁ । ହାଁ ହାଁ ପିଲାକୁ ତଳେ ଶୁଆନା—କହି ଭଗବାନସାର୍‌ ନାତିକୁ ତଳୁ ଉଠାଇ ନେଲେ । ତାଙ୍କର ମନେହେଲା ସେ ଆଞ୍ଜୁଳାଏ ଗୋଲାପ ପାଖୁଡ଼ା ତଳୁ ସାଉଁଟି ନେଉଛନ୍ତି । ତାଙ୍କ ନାତି ତାଙ୍କର ଶୋଣିତକଣା ତାଙ୍କ ଦୁଇ ହାତପାପୁଲିରେ ଶୋଇ ତାଙ୍କୁ ଦୁଇଟି ନିଷ୍ପାପ ଆଖିରେ ଚାହିଁଚି । ଏକ ଅପୂର୍ବ ରୋମାଞ୍ଚରେ ଭଗବାନସାରଙ୍କ ସାରାଦେହ ପୁଲକିତ ହୋଇଗଲା । ସେ ପୁଅକୁ ସୁବୋଧନନାକୁ ଫେରାଇଦେଇ କହିଲେ—ଶୁଆଇଦେ, ଥଣ୍ଡା ଲାଗିବ । ସୁବୋଧନନାଙ୍କ ପଛେ ପଛେ ଉଠିଆସି ଶୋଭନା ଭାଉଜ ସୁବୋଧନନାଙ୍କ ପାଗଳାମି ଦେଖୁଥିଲେ । ଶ୍ୱଶୁର ଠିଆ ହୋଇଚନ୍ତି କିଛି ସେ କହି ପାରୁ ନଥିଲେ । ରାଗରେ ତାଙ୍କ ସର୍ବ ଶରୀର ଥରୁଥିଲା—ତାଙ୍କ ହାତକୁ ପିଲାକୁ ବଢ଼େଇ ଦେଇ ସୁବୋଧନନା କହିଲେ—ବାପା ଚାଲନ୍ତୁ ଆପଣଙ୍କ ଫେରିବା ଗାଡ଼ିବେଳ ହୋଇଗଲାଣି ।

 

ହଁ ଚାଲ—ତୋ ଶାଶୁଙ୍କୁ କହିଦେଇ ଆ ।

 

ସେ ମୁଁ କହିଦେବି ଆପଣ ଚାଲନ୍ତୁ । କହି ସୁବୋଧନନା ବାହାରି ଆସିଲେ । ତାଙ୍କ ପଛେ ପଛେ ଉଗବାନସାର୍‌ ବି ଆସିଲେ ।

 

ଷ୍ଟେସନରେ ପହଞ୍ଚି ସୁବୋଧନନା ପଚାରିଲେ—ଆପଣ ଦିନସାରା କିଛି ଖାଇ ନାହାଁନ୍ତି-

 

କିଏ କହିଲା ?

 

ଆପଣ ତ ବାହାରେ କିଛି ଖାଆନ୍ତି ନାହିଁ—

 

ତା ସତ ଯେ, ତୋ ବୋଉ ଜଳଖିଆ ଦେଇଥିଲା । ମୁଁ ଗାଡ଼ିରୁ ଓହ୍ଲାଇ ଖାଇଥିଲି ।

 

ଫଳ କିଛି ଆଣେ ?

 

ଭଗବାନସାର୍‌ ସସ୍ନେହରେ ହସି କହିଲେ, ‘ମୋତେ ଭୋକ ନାହିଁ । ଯଦି କହୁଚୁ ଯୋଡ଼େ କଦଳୀ ଆଣେ ।’

 

ଟ୍ରେନରେ ଚଢ଼ିବା ପୂର୍ବରୁ ଭଗବାନ ସାର୍‌ ମାଉସୀ ଦେଇଥିବା ସୁନାଚେନ୍‌ଟା ଦେଇ କହିଲେ—ତୋ ବୋଉ ପୁଅପାଇଁ ଦେଇଚି । ଏକୋଇଶିଆ ଦିନ ପୁଅକୁ ପିନ୍ଧାଇ ଦେବୁ ।

 

ହଠାତ୍‌ ସୁବୋଧନନାଙ୍କ ଆଖି ବାଷ୍ପାକୁଳ ହୋଇଗଲା । ସେ ବହୁ ଆୟାସରେ ନିଜକୁ ସମ୍ବରଣ କଲେ ।

 

ଗାଡ଼ିରେ ବସି ଭଗବାନସାର୍‌ କହିଲେ—ପିଲା ଟିକିଏ ବଡ଼ ହେଲେ ତାକୁ ଆଣିବୁ, ତୋ ବୋଉ ପୁଅକୁ ଦେଖିବ ବୋଲି ଚାହିଁ ବସିଛି ।

 

ହଠାତ୍‌ ତୀବ୍ର ହୁଇସିଲ ମାରି ଟ୍ରେନ ଛାଡ଼ିଦେଲା । ଇଞ୍ଜିନର ଶବ୍ଦ ଧୂଆଁ ଆଉ ପ୍ଳାଟଫର୍ମର କୋଳାହଳରେ ସୁବୋଧନନା ଚମକି ପଡ଼ିଲେ । ଟ୍ରେନ ଚାଲିଗଲା । ସେଇ ଅପସୃୟମାନ ଟ୍ରେନକୁ ସୁବୋଧନନା ଶୂନ୍ୟ ଦୃଷ୍ଟିରେ ଚାହିଁ ରହିଲେ । ସନ୍ଧ୍ୟାର ପାତଳ ଅନ୍ଧାରରେ ବ୍ରେକ ଭ୍ୟାନର ପଛରେ ଥିବା ନାଲି ଆଲୁଅଟା ଦାଉ ଦାଉ ଜଳୁଥିଲା ସୁବୋଧନନାଙ୍କ ମନେ ହେଲା ସେହି ବ୍ୟାକ ଲାଇଟ୍‌ଟା ଗୋଟାଏ ଏକ ଚକ୍ଷୁ ଦୈତ୍ୟର ଆଖିଭଳି ରୋଷକଷାୟତ ନୟନରେ ତାଙ୍କୁ ଚାହିଁ ରହିଚି ।

 

ସୁବୋଧନନା ପୁଅକୁ ନେଇ ଘରକୁ ଆସିଥିଲେ । ଶୋଭନା ଭାଉଜ ବି ଆସିଥିଲେ । ସେମାନଙ୍କ ଗାଡ଼ି ଆସି ଦାଣ୍ଡଦ୍ୱାରେ ପହଞ୍ଚିବା ମାତ୍ରେ ମାଷ୍ଟରାଣୀ ମାଉସୀ ଦୌଡ଼ିଯାଇ ଶୋଭନା ଭାଉଜଙ୍କ କୋଳରୁ ପୁଅକୁ ଉଠାଇ ନେଇ ଛାତିରେ ଚାପି ଧରିଥିଲେ । ତା ପରେ ପରମ ସ୍ନେହରେ ତା କଅଁଳ ଗାଲରେ ଚୁମାଖାଇ କହିଥିଲେ ମୋ ରାଜା ଆସିଚିରେ ମୋ ମାଣିକ ଆସିଚି—ତୋତେ ଦେଖିବା ପାଇଁ ଚାହିଁ ଚାହିଁ ମୋ ଆଖିରୁ ପାଣି ମଲାଣି—ଖୁସିର ଆତିଶଯ୍ୟରେ ମାଉସୀଙ୍କ ଆଖିରୁ ଦୁଇଟୋପା ଲୁହ ଗଡ଼ିପଡ଼ିଲା । ମୋଟର ଶବ୍ଦରେ କାମ ପକାଇଦେଇ ଶମ୍ଭୁଆ ମା ବି ଦାଣ୍ଡକୁ ଦୌଡ଼ି ଆସିଥିଲା । ସେ ପୁଅକୁ ଦେଖିଲା ମାତ୍ରେ ତାର କାଂସ ବିନିନ୍ଦିତ କଣ୍ଠରେ ଖୁସିର ଲହଡ଼ି ଖେଳାଇ ପାଟିକରି ଉଠିଲା । ସତେ ଗୋ ମା, ଆମ ସୁବୋଧନନାଙ୍କ ପୁଅ ରାଜା ପୁଅ ଲେଖେ ହୋଇଚି—ମା ଷଠୀ ଠାକୁରାଣୀ ତାକୁ କୋଟି ପରମାୟୁ ଦିଅନ୍ତୁ । ସୁବୋନନାଙ୍କ ଆସିବା ଖବର ଶୁଣି ପୁଅକୁ ଦେଖିବାପାଇଁ ଅନେକ ଝିଅ ବୋହୂ ଦଉଡ଼ି ଆସିଥିଲେ । ଏକ ଖୁସିର ସ୍ପର୍ଶରେ ଭଗବାନସାରଙ୍କ ନିରୋଳା ଅଙ୍ଗନ ଆନନ୍ଦର କୋଳାହଳରେ ପୂର୍ଣ୍ଣ ହୋଇଯାଇଥିଲା । ସେଦିନ ଖାଇବା ପରେ ମାଉସୀ ପୁଅକୁ କୋଳରେ ଧରି ବସିଥିଲେ । ସୁବୋଧନନା ଆସି ତାଙ୍କ ପାଖରେ ବସିଲେ । ମାଉସୀ କହିଲେ—ଏତେ ଦିନପରେ ଆସିଚୁ, ଦି ଚାରିଦିନ ଛୁଟି ନେଇ ଆସିଚୁ ନା ? ସୁବୋଧନନା ପିଠିରେ ତାଙ୍କ ମୁହଁ ଘଷୁ ଘଷୁ କହିଲେ—ମୁଁ ଦି’ ଦିନ ରହିବି ବୋଉ—ମୋତେ ସୋମବାର ଦିନ କଲିକତା ଯିବାକୁ ହେବ ।

କଲିକତା କାହିଁକି ଯିବୁ ? କଣ ଟୁର ପଡ଼ିଚି—ସରକାରୀ କାମ ଅଛି ? ନା, ମୋ ନିଜକାମ ମୋତେ ବିଦେଶ ଯିବା ପାଇଁ କମନ୍‌ ଓ୍ୱେଲଥ ବୃତ୍ତି ମିଳିଚି ବୋଉ—କଲିକତାରେ ଯାଇ ପାସପୋର୍ଟ ଭିଜା ସବୁ ଠିକ୍‌କଲେ ଏ ମାସ ଶେଷ ବେଳକୁ ମୋତେ କାନାଡ଼ା ଯିବାକୁ ହେବ ।

ସୁବୋଧନନାଙ୍କ ବିଦେଶ ଯିବା କଥା ଶୁଣି ମାଉସୀ ଟିକିଏ ମ୍ଳାନ ହୋଇଗଲେ । ପଚାରିଲେ—ତୁ କଣ କାନାଡାରେ ଯାଇ ପଢ଼ିବୁ ?

ନା ବୋଉ, ଏ ବୃତ୍ତିଟାରେ ସେମିତି ପଢ଼ାପଢ଼ି କଥା ନାହିଁ—ସେ ଦେଶର ଯେଉଁସବୁ ବଡ଼ ବଡ଼ ଇଞ୍ଜିନିୟରିଂ କାମ ହଉଚି ସେ ସବୁ ବୁଲି ଦେଖିବା, ସେଠିକାର ଇଞ୍ଜିନିୟରମାନଙ୍କ ସଙ୍ଗେ ଆଲୋଚନା କରି ନୂଆ କଥା ଶିଖିବା ପାଇଁ ଯିବା କଥା ।

କେତେଦିନ ରହିବୁ ସେ ଆଡ଼େ ?

ଦଶ ମାସ—

ଶୋଭନା ପୁଅ ଏମାନେ ସବୁ କ’ଣ କଟକରେ ରହିବେ ?

ନା—ଶୋଭନା ମୋ ସଙ୍ଗେ ଯିବ । ସେ ବୃତ୍ତିରେ ସସ୍ତ୍ରୀକ ଯିବାର ସୁବିଧା ଅଛି । ଅଳ୍ପ କିଛି ପଇସା ଦେବାକୁ ପଡ଼ିବ । ତୁ କଣ କହୁଚୁ ? କହି ସୁବୋଧନତା ମାଉସୀଙ୍କ ସମ୍ମତି ପାଇବା ପାଇଁ ତାଙ୍କୁ ଚାହିଁଲେ ।

ମାଉସୀ କହିଲେ—ଏ ତ ଭଲ କଥା । ସରକାରୀ ଖର୍ଚ୍ଚରେ ବିଦେଶ ଯାଇ ବୁଲି ଆସିବ-। କେତେ ନୂଆ କଥା ଦେଖିବ, ଶିଖିବ । ଭାଗ୍ୟରେ ଥିଲେ ଏ ସୁଯୋଗ ମିଳେ...ତା ପରେ ମାଉସୀ ସୁବୋଧନନାଙ୍କୁ ପଚାରିଲେ—ପୁଅ ? ସେ ବି ଯିବ ?

ନା—ପୁଅ ଏଠି ରହିବ । ତୁ ତାକୁ ରଖ ବୋଉ । ସେ ତୋ ପାଖରେ ଥାଉ । ପରିପୂର୍ଣ୍ଣ ସ୍ନେହରେ ମାଉସୀଙ୍କ ମୁହଁ ଉଜ୍ଜ୍ୱଳ ହୋଇଗଲା । ସେ ପୁଅକୁ ଚାହିଁ ପଚାରିଲେ—କିରେ ରାଜା ରହିବୁ ଏଠି ? ଉହୁଁ ବାବୁଙ୍କର ପସନ୍ଦ ହଉନି—ସୁବୋଧନନା କହିଲେ ତୁ ତାକୁ ରଖ ।

ମାଉସୀ କହିଲେ—ମୋ ଦେହ ଜମା ଭଲ ରହୁନି ରେ ବୁଢ଼ା । ଦୁର୍ବଳ ଳାଗୁଚି । ମୋତେ ଏ ଦାୟିତ୍ୱ ଦେବା ପାଇଁ ଭରସା ଲାଗୁନି । ତା’ପରେ ଏ ଜାଗାରେ ବି ମା’କୁ ଛାଡ଼ିଥିବା ଏତେ ସାନ ଛୁଆର ଯତ୍ନ ନେଇ ହେବ । ପୁଅ କଟକରେ ତା ଆଈ ପାଖରେ ରହୁ । ସେଠି ତ ସବୁ ସୁବିଧା ଅଛି ।

 

ଶୋଭନା ଭାଉଜ ଅଳ୍ପ ଦୂରରେ ଠିଆ ହୋଇ ସେମାନଙ୍କ କଥୋପକଥନ ଶୁଣୁଥିଲେ । ସୁବୋଧନନା କୌଣସି ଉତ୍ତର ଦେବା ପୂର୍ବରୁ ସେ କହିଲେ—ମୁଁ ବି ସେ କଥା କହୁଥିଲି । ଆପଣ ଏକୁଟିଆ ମଣିଷ ହଇରାଣ ହଉଚନ୍ତି, ସେଥିରେ ଛୁଆ ଜଞ୍ଜାଳ ସମ୍ଭାଳିବା କଣ ସହଜ—ମା’ର କାମ ଦାମ ନାହିଁ । ତା’ ପରେ ବେବୀ ଅଛି, ସେ ତା ପାରିବ । ସେ ତ ରାଜି ଅଛି । ସେମାନେ ଦୁଇଜଣ ମିଶି ସମ୍ଭାଳି ନେବେ ।

 

ମାଉସୀ ସେ ପ୍ରସଙ୍ଗ ବନ୍ଦ କରି ଦେବା ପାଇଁ କହିଲେ—ହଁ ସେଇ ଭଲ । ପୁଅ ସେଇଠି ରହୁ । ତା’ ପରେ ସୁବୋଧନନାଙ୍କୁ ପଚାରିଲେ—ତୁ କେବେ ଫେରିବୁ ?

 

କହିଲି ପରା ଦଶ ମାସ ପରେ ଫେରିବି ।

 

ଦଶମାସ ? କହି ମାଉସୀ ଚୁପ୍‌ ହୋଇଗଲେ—କାହିଁକି କେଜାଣି ଏତେ ଦୀର୍ଘ ଦିନ ପୁଅ ବିଦେଶରେ ରହିବା କଥା ତାଙ୍କୁ କଷ୍ଟ ଦେଉଥିଲା । କିନ୍ତୁ ସେ ନିଜ ମନୋଭାବକୁ ଯଥାସମ୍ଭବ ଗୋପନ ରଖିବାକୁ ପ୍ରୟାସ କରିଥିଲେ । ସୁବୋଧନନା କହିଲେ—ହଁ, ଜମା ଦଶମାସ ତ—ତୁ ବ୍ୟସ୍ତ ହଉଚୁ କାହିଁକି ?

 

ଦେଖୁ ଦେଖୁ କୁଆଡ଼େ ଚାଲିଯିବ ।

 

ନା’ରେ ବ୍ୟସ୍ତ ହେବା କଥା ନୁହେଁ । ମୁଁ ବ୍ୟସ୍ତ କାହିଁକି ହେବି । ତୁ ଯା ଭଲରେ ଭଲରେ ଫେରିଆ । ତାଙ୍କ କୋଳରେ ପୁଅ ଶୋଇ ପଡ଼ିଥିଲା । ତାକୁ ଶୋଭନା ଭାଉଜଙ୍କ ହାତକୁ ବଢ଼ାଇ ଦେଇ ମାଉସୀ କହିଲେ ଯା ପୁଅକୁ ଶୋଇ ଦେ—ତୁ ବି ଯା’ ଟିକିଏ ଗଡ଼ପଡ଼ ହବୁ । କେତେ ବାଟ ଆସିଚ ଥକା ଲାଗୁଥିବ । ଶୋଭନା ଭାଉଜ ପୁଅକୁ ନେଇ ଚାଲିଗଲେ । ସୁବୋଧନନା ମାଉସୀଙ୍କ ପାଖରେ ଆହୁରି ଘନ ହୋଇ ବସିଲେ । ମାଉସୀଙ୍କୁ ଯାବୁଡ଼ି ଧରି ତାଙ୍କ ଛାତିରେ ମୁହଁ ରଖି କହିଲେ ବୋଉ ତୁ ଯଦି ମନା କରିବୁ ମୁଁ କାନାଡା ଯିବିନି—

 

ମାଉସୀ ସୁବୋଧନନାଙ୍କ ବାଳକୁ ହାତରେ ସାଉଁଳାଉ ସାଉଁଳାଉ କହିଲେ—ପାଗଳାଟା, ମୁଁ ତୋତେ କାହିଁକି ମନା କରିବି । ଯା’ ବିଦେଶ ବୁଲିଆ ବୃତ୍ତି ପାଇବୁ । ଛାଡ଼ିବୁ କାହିଁକି-? ତୁ ମୋ ପାଇଁ କାହିଁକି ବ୍ୟସ୍ତ ହଉଚୁ ? ମୋର କ’ଣ ହୋଇଚି କି ?

 

ସୁବୋଧନନା କିଛି କହିଲେ ନାହିଁ । ମାଉସୀଙ୍କ ଛାତିରେ ସେମିତି ମଥାରଖି ବସି ରହିଲେ—ଜନନୀ ବକ୍ଷର ଉଷ୍ଣତା, ମାତୃ ହୃଦୟର ସ୍ନିଗ୍‌ଧ ସ୍ପର୍ଶରେ ସୁବୋଧନନାଙ୍କ ମନର ସବୁ ଅଶାନ୍ତି, ସବୁ ଅସ୍ଥିରତା ଶାନ୍ତ ହୋଇ ଆସୁଥିଲା । ସେ ପରମ ଆଶ୍ୱସ୍ତଭାବେ ତାଙ୍କ ବୋଉଙ୍କ କୋଳରେ ମଥାରଖି ଶୋଇପଡ଼ିଲେ ।

 

ମାତ୍ର ଦଶମାସ । ସୁବୋଧନନା କହିଥିଲେ ଜମା ଦଶମାସ ତ ଦେଖୁ ଦେଖୁ କୁଆଡ଼େ ଚାଲିଯିବ । କିନ୍ତୁ ଦଶମାସ ବି ଯେ କେତେ ଦୀର୍ଘ ହୁଏ କେତେ ଦୁଃସହ ହୁଏ ଏବଂ ତା’ରି ସ୍ୱଳ୍ପ ପରିସର ଭିତରେ ମଣିଷ ଜୀବନରେ କେତେ ଓଲଟ ପାଲଟ କରି ଦେଇଯାଏ ସେ କଥା ସୁବୋଧନନା ସେତେବେଳେ ଚିନ୍ତା କରିପାରି ନ ଥିଲେ । ସେ ଭାବିପାରି ନ ଥିଲେ ଗୋଟିଏ ବୁଦ୍‌ବୁଦ୍‌ର ବିଲୟ ପାଇଁ ଆଦୌ ସମୟ ଲାଗେନା ସେଥିପାଇଁ ଦଶମାସର ବ୍ୟାପ୍ତି ଅନେକ ଦୀର୍ଘ । କିନ୍ତୁ ବିଧାତାର ଖିଆଲ ଖୁସିରେ ଯାହା ଏ ସଂସାରରେ ଘଟିଯାଏ ତାକୁ କିଏ ବା ରୋଧ କରିବ ?

 

ସେଦିନ ସନ୍ଧ୍ୟାରେ ଭଗବାନସାର ସବୁଦିନ ପରି ରାମାୟଣ ପଢ଼ିବାକୁ ଆସି ଦେଖିଲେ ମାଉସୀ ଶୋଇଚନ୍ତି । ଶୋଇ ଶୋଇ ଗୋଟିଏ ଅବ୍ୟକ୍ତ ଯନ୍ତ୍ରଣାକୁ ସହ୍ୟ କରିବାପାଇଁ ଚେଷ୍ଟା କରୁଚନ୍ତି ।

 

କଣ ହେଲା ସୁବାବୋଉ, ତୁମେ ଏ ଅସମୟରେ ଶୋଇଚ କାହିଁକି, କଣ ଦେହ ଭଲ ଲାଗୁନି ? ଉଦ୍ଦେଶ୍ୟଭରା ଗଳାରେ ପଚାରିଲେ ଭଗବାନସାର୍‌ ।

 

ଭଗବାନସାର୍‌ଙ୍କ ଗଳା ଶୁଣି ମାଉସୀ ବଡ଼ କଷ୍ଟରେ ଆଖିଖୋଲି ତାଙ୍କୁ ପାଖକୁ ଡାକିଲେ । ଅସ୍ଫୁଟଭାବେ କହିଲେ, ବସ ମୋ’ ପାଖରେ ବସ । ବାଁ ହାତ ପିଠିରେ ବଡ଼ ଯନ୍ତ୍ରଣା—ମୁଁ ନିଃଶ୍ୱାସ ନେଇ ପାରୁନି ।

 

ରୁହ ମୁଁ ଡାକ୍ତରକୁ ଡକାଇ ପଠାଏ । କହି ଭଗବାନସାର୍‌ ବାହାରି ଆସୁଥିଲେ ।

 

କିନ୍ତୁ ସେମିତି ଯନ୍ତ୍ରଣାକାତର ଭାବେ ମାଉସୀ କହିଲେ—ନା, ତୁମେ ମୋ ପାଖ ଛାଡ଼ି ଯାଅନି । ମୁଁ ଆଉ ବଞ୍ଚିବିନି....

 

ତଥାପି ଭଗବାନସାର୍‌ ଦାଣ୍ଡକୁ ଆସି କାହାକୁ ଜଣେ କହିଲେ ତାଙ୍କ ସାହିରେ ରହୁଥିବା ଡାକ୍ତର ଗୋବିନ୍ଦ ବାବୁଙ୍କୁ ଡାକି ଦେବାପାଇଁ । ସେ ଫେରିଆସିବା ବେଳକୁ ମାଉସୀ ଆହୁରି ସ୍ତିମିତ ହୋଇ ଯାଇଛନ୍ତି—ବିବର୍ଣ୍ଣ ହୋଇ ଯାଇଚି ତାଙ୍କ ଚେହେରା । ଭଗବାନସାର୍‌ ଆସି ତାଙ୍କ ପାଖରେ ବସିଲେ । ମାଉସୀ ବହୁ କଷ୍ଟରେ ତାଙ୍କ ପାଖକୁ ଲାଗିଆସି ଠାରିଲେ—ପାଣି—ଭଗବାନସାର୍‌ ପାଖରେ ଥୁଆ ହୋଇଥିବା ଗ୍ଳାସରୁ ଟୋପାଏ ପାଣି ଦେଲେ ମାଉସୀଙ୍କ ପାଟିରେ । ଅସହ୍ୟ ଯନ୍ତ୍ରଣାରେ ସେଇ ପାଣି ଟୋପାକ ଢୋକି ମାଉସୀ ଭଗବାନସାର୍‌ଙ୍କୁ ଚାହିଁରହିଲେ କେତେ ସମୟ-। ତା’ପରେ ସେ ଚାହିଁଲେ ତାଙ୍କ ଠାକୁର ଖଟୁଲି ଆଡ଼େ । କେତେ ସମୟ ସେ ଏକଲୟରେ ଚାହିଁ ରହି ଆଖି ବନ୍ଦକଲେ । ଅନେକ ଜ୍ୱାଳା ଅନେକ ବେଦନାର ପରିସମାପ୍ତି ହେଲା—ମାଉସୀଙ୍କ ମୁହଁରୁ ସବୁ ଯନ୍ତ୍ରଣାର ଅଭିବ୍ୟକ୍ତି ଲୋପ ପାଇଯାଇ ପୁଣି ପ୍ରଶାନ୍ତି ଫେରିଆସିଲା । ଭଗବାନସାର୍‌ ମାଉସୀଙ୍କ କପାଳରେ ହାତ ରଖିଥିଲେ । ସେ ଚମକି ପଡ଼ିଲେ । ତା’ପରେ କହିଲେ—ହେ ମଙ୍ଗଳମୟ ତୁମ ଇଚ୍ଛା ପୂର୍ଣ୍ଣହେଉ । ଅସ୍ତବ୍ୟସ୍ତ ହୋଇ ଗୋବିନ୍ଦବାବୁ ଘର ଭିତରକୁ ପଶିଆସି କହିଲେ—କଣ ହେଲା ସାର୍‌ ? ନାନୀଙ୍କର କଣ ହୋଇଚି । ଭଗବାନସାର୍‌ ଡାକ୍ତରବାବୁଙ୍କ ପ୍ରଶ୍ନର କୌଣସି ଉତ୍ତର ନ ଦେଇ ଉପରକୁ ହାତ ଦେଖାଇ ନିଜ ମନକୁ ମନ ଗୀତା ଆବୃତ୍ତି କରିବାକୁ ଲାଗିଲେ—

 

ନ ଜାୟତେ ମ୍ରିୟତେ ବା କଦାଚିନ୍ନାୟଂ

ଭୁତ୍ୱା ଭବିତା ବା ନ ଭୂୟଃ ।

ଅଜୋନିତ୍ୟଃ ଶାଶ୍ୱତୋଽୟଂ ପୁରାଣୋ

ନ ହନ୍ୟତେ ହନ୍ୟମାନେ ଶରୀରେ ।

 

ଗୋବିନ୍ଦ ବାବୁ କିଛି ବୁଝି ନ ପାରି କେତେ ସମୟ ହତଭୟ ହୋଇ ମାଉସୀଙ୍କ ପ୍ରସନ୍ନତା ବୋଳା ମୁହଁ ଆଡ଼େ ଚାହିଁ ରହିଲେ । ସେ ମୁହଁରେ କୌଣସି ବିକୃତି ନ ଥିଲା, ଯନ୍ତ୍ରଣାର ଅଭିବ୍ୟକ୍ତି ନଥିଲା । ସଦା ପ୍ରସନ୍ନମୟୀ । ମାଉସୀଙ୍କ ମୁହଁ ନିରୁଦ୍ଦେଶ ପ୍ରସନ୍ନତାରେ ଉଜ୍ୱଳ ଦିଶୁଥିଲା । ଗୋବିନ୍ଦବାବୁ ନଇଁପଡ଼ି ମାଉସୀଙ୍କ ଦେହରେ ହାତଦେଇ ଚମକିପଡ଼ି ଘୁଞ୍ଚି ଆସିଲେ । ସେ ଯାହା ଅନୁମାନ କରୁଥିଲେ ତାହା ସତ୍ୟ । ମାଉସୀ ଆଉ ନ ଥିଲେ । ଭୋ କିନା କାନ୍ଦି ଉଠିଲେ ଆମ ସହରର ଅଭିଜ୍ଞ ଚିକିତ୍ସକ ଗୋବିନ୍ଦବାବୁ । ତାଙ୍କ ପଛେ ପଛେ ଉତ୍ସୁକ ହୋଇ ଅନେକ ଲୋକ ଆସି ଘର ଭିତରେ ବାରଣ୍ଡାରେ ଜମା ହୋଇଥିଲେ । ଏକ ଅବ୍ୟକ୍ତ ଶୋକରେ ସମସ୍ତେ ମୂହ୍ୟମାନ ହୋଇଗଲେ । ମାଉସୀ ଥିଲେ ସେ ସାହିର ସମସ୍ତଙ୍କ ପରମାତ୍ମୀୟା—ତାଙ୍କ ବିୟୋଗରେ ସମସ୍ତଙ୍କ ଆଖିରେ ଅଶ୍ରୁ ଉଦବେଳ ହୋଇ ଉଠିଥିଲା । ବହୁ ଲୋକଙ୍କ କନ୍ଦାକଟା ଭିତରେ ବି ଭଗବାନସାର୍‌ ଅବିଚଳିତ ଭାବେ ବସି ଆବୃତ୍ତି କରୁଥିଲେ ।

 

‘‘ଜାତସ୍ୟ ହି ଧ୍ରୁବ ମୃତ୍ୟୁ ଧ୍ରୁବଂ ଜନ୍ମ ମୃତସ୍ୟ ଚ

ତସ୍ମାଦ ପରିହାର୍ଯ୍ୟେଽଥେ ନ ତ୍ୱ ଶୋଚିତୁ ମର୍ହସି ।’’

 

ସେ ଯେପରି ତାଙ୍କ ଶୋକସନ୍ତାପ୍ତ ପ୍ରିୟଜନମାନଙ୍କୁ ପ୍ରବୋଧ ଦେବା ପାଇଁ କହୁଥିଲେ ଜୀବର ଆତ୍ମବିକାଶ ପାଇଁ ପୁନଃ ପୁନଃ ଜନ୍ମଃ ଓ ମୃତ୍ୟୁ ଅପରିହାର୍ଯ୍ୟ ଏଥିରେ ଶୋକ କରିବାର କଣ ଅଛି । କିନ୍ତୁ ଆମେମାନେ ଯେତେବେଳେ କୋକେଇ ସଜାଡ଼ି ମାଉସୀଙ୍କ ମର ଦେହଟା ନେବାକୁ ଆସିଲୁ ଭଗବାନସାର ନିଜର ଧୈର୍ଯ୍ୟ ହରାଇ ବସିଥିଲେ । ତାଙ୍କ ଆଖିରୁ ଦର ଦର ହୋଇ ଅଶ୍ରୁଧାରା ବହିଆସିଥିଲା । ବହୁ କଷ୍ଟରେ ନିଜକୁ ସମ୍ବରଣ କରି ସେ ଅସ୍ପୁଟ ଭାବେ କହିଥିଲେ ତୁମେ ଚାଲିଗଲ ସୁବାବୋଉ—ହଉ ଯାଅ । ମାଉସୀଙ୍କ ଚାଲିଯିବା ଖବର ସାଙ୍ଗେ ସାଙ୍ଗେ ସହର ସାରା ରାଷ୍ଟ୍ର ହୋଇଯାଇଥିଲା । ସେ ଖବର ପାଇ ବହୁଲୋକ ଝିଅ ବୋହୂ ଆସି ରୁଣ୍ଡ ହେବାକୁ ଲାଗିଲେ । ଭଗବାନସାର୍‌ଙ୍କ ଘର ଆଗରେ ଆମେ ଶ୍ମଶାନ ଯାତ୍ରା କଲାବେଳକୁ ବହୁତ ରାତି ହୋଇ ଯାଇଥିଲା ତଥାପି ବହୁଲୋକ ସେହି ମହୀୟସୀ ମହିଳାଙ୍କ ଶବାଧାରକୁ ଅନୁସରଣ କରିବାକୁ ଲାଗିଲେ । ଅହ୍ୟ ଡେଙ୍ଗୁରା ବଜାଇ ଖଇ କଉଡ଼ି ଫିଙ୍ଗି ଆମେ ହରିବୋଲି ଦେଇ ଆମର ପରମଆତ୍ମୀୟ ମାତୃତୁଲ୍ୟା ମାଉସୀଙ୍କ ଶବ ବହନ କରି ଚାଲିଥିଲୁ—ଆମେ ସମସ୍ତେ ସେଦିନ ଅନୁଭବ କରିଥିଲୁ ଏକା ସୁବୋଧନନାଙ୍କର ନୁହେଁ ଆମ ସମସ୍ତଙ୍କର ଯେଉଁମାନେ ମଡ଼େଲ ଉ. ପ୍ରା. ସ୍କୁଲର ଛାତ୍ର ଥିଲେ, ଯେଉଁମାନେ ଭଗବାସାରଙ୍କ ଘରକୁ ଆସି କୋଳି କି ମୁଆଁ ଖାଉଥିଲେ ସେମାନଙ୍କର ସମସ୍ତଙ୍କର ମାତୃ ବିୟୋଗ ହୋଇଚି—ଭଗବାନସାର୍‌ ଧୀରେ ଧୀରେ ଶବାଧାରକୁ ଅନୁସରଣ କରୁଥିଲେ । ତାଙ୍କୁ ଦେଖି ମୋର ମନେ ହୋଇଥିଲା ସଂସାରର ଅବଶ୍ୟମ୍ଭାବୀ ଶୋକ ଦୁଃଖ ସକଳକୁ ସହ୍ୟ କରି ଦୃଢ଼ ଇଚ୍ଛାଶକ୍ତି ପ୍ରୟୋଗ ଦ୍ୱାରା ସମସ୍ତ ରିପୁ ଓ ଆବେଗକୁ ଦମନ କରି ପାରିଥିବା ସେ ଜଣେ ସ୍ଥିତଧୀ ସ୍ଥିତିପ୍ରଜ୍ଞ ପୁରୁଷ ।

 

ଶ୍ମଶାନରୁ ଫେରିବା ବେଳେ କିଏ ଜଣେ ପଚାରିଲା, ସୁବୋଧନନା ପରା ଏଇନେ କାନାଡ଼ାରେ, ତାଙ୍କୁ ଖବର ଦିଆ ହୋଇଚି । ଅମୂଲ୍ୟ କହିଲା ସାର୍‌ ତ ତାଙ୍କର ବର୍ତ୍ତମାନ ଠିକଣା ଜାଣନ୍ତି ନାହିଁ । କାରଣ ସେ ଗୋଟାଏ ଜାଗାରେ ରହୁ ନାହାଁନ୍ତି; ତେଣୁ ହେଡ଼ମାଷ୍ଟ୍ରେ ତାଙ୍କ ଶ୍ୱଶୁରଙ୍କୁ ଫୋନ୍‌ କରି କହିଚନ୍ତି, ସୁବୋଧନନାଙ୍କୁ ଖବର ଦେଇଦେବା ପାଇଁ । ସେ ବୋଧହୁଏ ଟଙ୍କକଲ୍‌ କରିଦେବେ । କିଏ ଜାଣେ, ଟିପ୍ପଣୀ କରା ସୁବୋଧଟା ଅଭାଗା—ମା’ର ଶେଷ ଦର୍ଶନ କରି ପାରିଲା ନାହିଁ ।

 

ସୁବୋଧନନା ପ୍ରକୃତରେ ଅଭାଗା ଥିଲେ । ସେ ତାଙ୍କ ଜନ୍ମଦାତ୍ରୀଙ୍କ ଶେଷଦର୍ଶନ କରିପାରି ନ ଥିଲେ । ଏପରିକି ଯଥା—ସମୟରେ ସେ ତାଙ୍କ ମୃତ୍ୟୁ ସମ୍ବାଦ ପାଇ ପାରି ନ ଥିଲେ-। ହେଡ଼ମାଷ୍ଟର ବିଶ୍ୱନାଥବାବୁ ସେହିଦିନ ରାତିରେ ମିଶ୍ର ସାହେବଙ୍କୁ ଟେଲିଫୋନ କରି ଅନୁରୋଧ କରିଥିଲେ ଯେ ତୁରନ୍ତ ଏ ଦୁଃସମ୍ବାଦ ସୁବୋଧନନାଙ୍କୁ ଜଣାଇ ଦେବାପାଇଁ । କିନ୍ତୁ ମିଶ୍ର ସାହେବ ପ୍ରାକ୍‌ଟିକାଲ ମଣିଷ । ଏସବୁ ବାଜେ ସେଣ୍ଟିମେଣ୍ଟର ଧାର ଧାରନ୍ତି ନାହିଁ । ସେ ଜାଣିଥିଲେ ମା’ର ମୃତ୍ୟୁ ସମ୍ବାଦ ପାଇଲା ମାତ୍ରେ ସୁବୋଧ ଟ୍ରେନିଂ ଶେଷ ନ କରି ଫେରି ଆସିବ । ସେଥିରେ କ୍ଷତି ଛଡ଼ା ଲାଭର ପ୍ରଶ୍ନ ନାହିଁ; କାରଣ ମଲା ମଣିଷ ତ ଆଉ ଫେରି ଆସିବ ନାହିଁ । ଏଣେ ଟ୍ରେନିଂଟା ଅସମାପ୍ତ ରହିବ । ତେଣୁ ସେ ଖବରଟା ନ ଜଣାଇ ଚୁପ୍‌ ହୋଇ ରହିଗଲେ । ଟ୍ରେନିଂ ଶେଷକରି କଟକକୁ ଫେରି ସୁବୋଧନନା ଖବରଟା ଶୁଣିଲେ । ତାଙ୍କୁ ଖବର ନ ଜଣାଇବା କାରଣ ବିଷୟରେ ଶ୍ୱଶୁରଙ୍କ ବିସ୍ତାରିତ କୈଫିଏତ ଶୁଣିବା ପାଇଁ ସୁବୋଧନନାଙ୍କ ଧୈର୍ଯ୍ୟ ନ ଥିଲା । ବୋଉ ନାହିଁ ଏ କଥା ସୁବୋଧନନା ବିଶ୍ୱାସ କରିପାରୁ ନ ଥିଲେ । ତାଙ୍କ ପାଦତଳୁ ଧରଣୀ ଦ୍ୱିଧା ହୋଇଯାଉଥିଲା–ତାଙ୍କର ମନେହେଲା ସେ ନିଃସ୍ୱ ହୋଇ ଯାଇଚନ୍ତି, କାଙ୍ଗାଳ ହୋଇ ଯାଇଚନ୍ତି, ଅବଲମ୍ବନହୀନ ଅସହାୟ ହୋଇ ଯାଇଚନ୍ତି—ତତ୍‌କ୍ଷଣାତ୍‌ ସୁବୋଧନନା ଗୋଟିଏ ଟାକ୍‌ସି ନେଇ ଘରକୁ ଦୌଡ଼ି ଆସିଥିଲେ ।

 

ମାଉସୀ ଗଲା ଦିନଠାରୁ ଭଗବାନ୍‌ସାର୍‌ ସଂସାର ବିଷୟରେ ଆହୁରି ନିର୍ଲିପ୍ତ ହୋଇଯାଇଥିଲେ । ସେ ନିଜକୁ ସଂସାରର ସମସ୍ତ ଜଞ୍ଜାଳରୁ ବିଚ୍ଛିନ୍ନ କରିନେଇ ଏକ ସନ୍ନ୍ୟାସୀ ଭଳି ଜୀବନ ଯାପନ କରୁଥିଲେ ଭଗବାନସାର୍‌ ସବୁଦିନେ ମିତାହାରୀ । ଏବେ ସେ ସ୍ୱପାକରେ ନିଜର ଥରେ ମାତ୍ର ହବିଷ୍ୟାନ୍ନ ଖାଇ ପୂଜା ଅର୍ଚ୍ଚନାରେ ନିଜକୁ ସମାହିତ କରି ରଖୁଥିଲେ । ବାକି ସମୟ ରାମାୟଣ ପଢ଼ି ତାର ଓଡ଼ିଆ ଅନୁବାଦ କରୁଥିଲେ । ତାଙ୍କ ସମବୟସୀ କେହି ଆସି ବସିଲେ ତାକୁ ନିଜର ଅନୂଦିତ ରାମାୟଣ ପଢ଼ି ଶୁଣାଉଥିଲେ । ଟ୍ୟୁସନ ପଢ଼ିବା ପାଇଁ ଆଉ କେହି ପିଲା ଆସୁ ନ ଥିଲେ—ଯେଉଁଠି ଆଗେ ପିଲାମାନେ ଆସି ପାଠ ପଢ଼ୁଥିଲେ ସେଇଠି ପ୍ରାୟ ଭଗବାନ୍‌ସାର୍‌ ବସି ରାମାୟଣ ଅନୁବାଦ କରୁଥିଲେ । ସେଦିନ ବି ଭଗବାନସାର୍‌ ସେଇ ଜାଗାରେ ବସିଥିଲେ । ସୁବୋଧନନା ଦଉଡ଼ି ଯାଇ ତାଙ୍କ ପାଦକୁ ଧରି ଭୋ କିନା କାନ୍ଦି ଉଠି କହିଲେ, ବାପା ଆପଣ ୟେ କଣ କଲେ—ଆପଣ କାହିଁକି ମୋତେ ଖବର ଦେଲେନି ବାପା—

 

ଭଗବାନସାର୍‌ ସୁବୋଧନନାଙ୍କ ଆକୁଳତା ଦେଖି ସ୍ତବ୍ଧ ହୋଇଗଲେ । ଏକ ଗଭୀର ଆବେଗ ତାଙ୍କ ଅନ୍ତଃସ୍ଥଳରୁ ବାହାରି ତାଙ୍କର ସମସ୍ତ ଧୈର୍ଯ୍ୟର ବନ୍ଧକୁ ଦୋହଲାଇ ଦେଲା । ଭଗବାନସାର୍‌ଙ୍କ ଜୀର୍ଣ୍ଣ ଶରୀର ସେଇ ଆବେଗର ଆଘାତରେ ଥରି ଉଠିଲା । କିନ୍ତୁ ସେ ନିଜକୁ ସମ୍ବରଣ କରି ଶୋକାଭିଭୂତ ପୁଅ ମୁଣ୍ଡରେ ସସ୍ନେହରେ ହାତରଖି କହିଲେ—ବାପା ତୁ ଶିକ୍ଷିତ ବିଦ୍ୱାନ୍‌ ତୋ ପକ୍ଷରେ ଏପରି ଅଧର୍ଯ୍ୟ ହେବା ଉଚିତ୍‌ ନୁହେଁ—ତୋ ବୋଉ ଚାଲିଯାଇଚି । କୌଣସି କାରଣରୁ ତୁ ଖବର ପାଇନୁ । ଏଥିରେ ଏତେ ବିଚଳିତ କାହିଁକି ହେଉଚୁ । ତୁ ଗୀତା ପଢ଼ିଚୁ ଶ୍ରୀମଦ୍‌ ଭଗବତ ଗୀତାର ସମସ୍ତ ଶ୍ଲୋକର ବ୍ୟାଖ୍ୟା ତୁ ହୃଦୟଙ୍ଗମ କରି ମଧ୍ୟ ଏପରି ବିଚଳିତ ହେଉଚୁ କାହିଁକି ? ତୁ କ’ଣ ଜାଣିନାହୁଁ ଶରୀରର ବିନାଶ ହେଲେ ମଧ୍ୟ ଆତ୍ମାର ବିନାଶ ହୁଏ ନାହିଁ । ଭଙ୍ଗୁର ଦେହକୁ ପରିତ୍ୟାଗ କରି ଆତ୍ମା ନୂତନ ଦେହ ନେଇ ଆତ୍ମା ନୂତନ ଜୀବନ ଆରମ୍ଭ କରେ । ଏଥିରେ ଶୋକ କରିବାର କଣ ଅଛି ? ତୁ ଶାନ୍ତ ହ, ତୁ ସ୍ଥିର ହ । ଉଠୁ ଗାଧୁଆ ପାଧୁଆ କର । ମୁଁ ତୋ ପାଇଁ ଖାଇବା ବନ୍ଦୋବସ୍ତ କରେ ।

 

ବାପାଙ୍କର ଏ ତତ୍ତ୍ୱପୂର୍ଣ୍ଣ ସସ୍ନେହ ସମ୍ଭାଷଣରେ ସୁବୋଧନନାଙ୍କ ଶୋକ ସମ୍ପୂର୍ଣ୍ଣ ପ୍ରଶମିତ ନ ହେଲେ ମଧ୍ୟ ମନରେ ଅନେକ ଶାନ୍ତି ଫେରି ଆସିଥିଲା—ତାଙ୍କ ଅନ୍ତରର ଅନେକ ଗ୍ଲାନି ଅପସାରିତ ହୋଇ ଯାଇଥିଲା । ବାପାଙ୍କ ପାଦ ଉପରୁ ମୁହଁ ଉଠାଇ ସୁବୋଧନନା ଧୀରେ ଧୀରେ ମାଉସୀଙ୍କ କୋଠରୀକୁ ଯାଇଥିଲେ । ଯେଉଁ ଜାଗାରେ ମାଉସୀ ପ୍ରାୟ ବସି ଠାକୁର ପୂଜା କରନ୍ତି–ପାନ ଭାଙ୍ଗନ୍ତି, ଆହୁରି ଅନେକ କାମ କରନ୍ତି ସେଠିଯାଇ ସୁବୋଧନନା ବସିଲେ । ଆବାଲ୍ୟରୁ ଅନେକ ସ୍ମୃତିବିଜଡ଼ିତ ହୋଇ ରହିଚି ସେ ଜାଗାରେ—ସେଇଠି ମାଉସୀ ଶେଷ ନିଃଶ୍ୱାସ ନେଇଥିଲେ । ହୁଏତ ଅନ୍ତିମ ମୁହୂର୍ତ୍ତରେ ଥରେ ଦେଖିବାକୁ ଚାହିଁଥିଲେ, ତାଙ୍କର ନୟନରୁ ମଣିକୁ । ସୁବୋଧନନା ସେଇଠି ବସି ରହିଲେ । ତାଙ୍କର ଦୁଇ ଆଖିରୁ ଅଶ୍ରୁର ଧାର ଛୁଟି ଆସିଲା । ଅନେକ ସମୟ ପରେ ସୁବୋଧନନା ଧୀରେ ଧୀରେ ଆଖି ବୁଲାଇ ଦେଖିଲେ ସେଇଠି ମାଉସୀଙ୍କ ସବୁ ଜିନିଷ ଥୁଆ ହୋଇଚି । ତାଙ୍କ ଠାକୁର, ତାଙ୍କ କୋଥଳି, ତାଙ୍କ ବହି, ପାନ ବାକ୍‌ସ ସବୁ ଅଛି; ଖାଲି ସେ ନାହାଁନ୍ତି । ଟିଣ ସୁଟକେଶଟା ଖୋଲିଲେ ସୁବୋଧନନା—କେତେ ଆଳିମାଳିକା ଜିନିଷ ସାଥିରେ ତାଙ୍କର ସବୁ ଚିଠି ଥୁଆ ହୋଇଚି । ଅନେକ ପୁରୁଣା ଚିଠି ସେ କଟକରୁ ଲେଖିଥିଲେ, ବନାରସରୁ ଲେଖିଥିଲେ, ବୁର୍ଲାରୁ ଲେଖିଥିଲେ, ଅଟୱାରୁ ଲେଖିଥିଲେ—ସବୁ ମାଉସୀ ସାଇତି ରଖିଥିଲେ । ସେଇ ଚିଠିକୁ ଖେଳାଉ ଖେଳାଉ ଗୋଟିଏ ସାଦା ଖାମ୍‌ ତାଙ୍କ ନଜରରେ ପଡ଼ିଲା । ଖାମ୍‌ଟା ଖୋଲି ସେ ଗୋଟିଏ ଫଟୋ-ମୀନା ନାନୀଙ୍କ ଫଟୋ-ମାଉସୀ ସୁବୋଧନନାଙ୍କ ମାଇଁଙ୍କ ପାଖକୁ ପଠାଇବା ପାଇଁ ଏ ଫଟୋଟା ମାଗି ଆଣିଥିଲେ । କିନ୍ତୁ ଫଟୋ ପଠେଇବାର ଦରକାର ହେଲା ନାହିଁ । ସେଟା ରହିଗଲା ତାଙ୍କ ପାଖରେ । ଗୋଟିଏ ଦୀର୍ଘନିଃଶ୍ୱାସ ବାହାରି ଆସିଲା ସୁବୋଧନନାଙ୍କର । ଗୋଟିଏ ଭୁଲ ନିଷ୍ପତ୍ତି ନେଇଥିଲେ ସୁବୋଧନନା—ତାଙ୍କ ନିଷ୍ପତ୍ତିରେ ତାଙ୍କ ହୀତାକାଂକ୍ଷୀ ସମସ୍ତଙ୍କ ମନରେ ଆଘାତ ଲାଗିଥିଲା—ସେ କଥା ସେ ବୁଝିଲେ ପରେ । ସେତେବେଳକୁ ବିଳମ୍ବ ହୋଇ ଯାଇଥିଲା । ନିଜର ଭୁଲ ସୁଧାରିବାର ଉପାୟ ନ ଥିଲା ।

 

ବିଳମ୍ବରେ ହେଉ ପଛେ ସୁବୋଧନନା ନିଜର ଭୁଲ ବୁଝିପାରିଥିଲେ । ସେତେବେଳକୁ ଅବଶ୍ୟ ସେ ଭୁଲ ସଂଶୋଧନ କରିବାର ଉପାୟ ନଥିଲା । କିନ୍ତୁ ସେଇ ଭୁଲର ମାରାତ୍ମକ ପରିଣତିକୁ ପ୍ରତିହତ କରିବା ପାଇଁ ତାଙ୍କ ହାତରେ ଯଥେଷ୍ଟ ସମୟ ଥିଲା । ସେ ଯଦି ନିଜକୁ କଠିନ କରିପାରିଥାନ୍ତେ ଶକ୍ତ ହାତରେ ନିଜ ସଂସାରର ବଲିଗାକୁ ଭିଡ଼ି ଧରି ପାରିଥାନ୍ତେ ତେବେ ହୁଏତ ତାଙ୍କ ଜୀବନର ଗତି ଭିନ୍ନ ହୋଇପାରିଥାନ୍ତା...ସେ କଥା ସୁବୋଧନନା କରିପାରି ନ ଥିଲେ । ନିଜ ବ୍ୟାପାରକୁ ଠିକ୍‌ ବାଟରେ ପରିଚାଳିତ କରିବା ପାଇଁ ଅସମର୍ଥ ହୋଇଥିଲେ ଏବଂ ନିଜ ଜୀବନର ଏକ ବିପର୍ଯ୍ୟୟକୁ ଆହ୍ୱାନ କରି ଆଣିଥିଲେ । ସୁବୋଧନନା ଆବାଲ୍ୟରୁ ତୀକ୍ଷ୍ମଧୀସମ୍ପନ୍ନ ସଚ୍ଚରିତ୍ର ବ୍ୟକ୍ତି ଥିଲେ । କାହିଁକି ଯେ ସେ ଶୋଭନା ଭାଉଜଙ୍କ ଉଗ୍ର ଲାଳସା ବଡ଼ଲୋକ ହେବାର ନିଶାକୁ ଦୃଢ଼ତାର ସହିତ ଦମନ କରି ପାରିଲେ ନାହିଁ ଏବଂ ସେଇ ସୂତ୍ରରେ ନିଜ ଜୀବନରେ ଏକ ବିପର୍ଯ୍ୟୟକୁ ଆହ୍ୱାନ କରି ଆଣିଲେ ସେ କଥା ମୁଁ ଆଜିଯାଏ ବୁଝି ପାରିନାହିଁ । ବୋଧହୁଏ ସୁବୋଧନନା ଆଶୈଶବ ସ୍ୱେଚ୍ଛାଚାରିଣୀ ଶୋଭନା ଭାଉଜଙ୍କୁ ପ୍ରତିହତ କରିବା ପାଇଁ ଅକ୍ଷମ ଥିଲେ କିମ୍ବା ଲୋକ ଲଜ୍ଜାକୁ ଡରି ପ୍ରଥମାବସ୍ଥାରେ ସେ ପାରିବାରିକ ଅଶାନ୍ତିକୁ ଏଡ଼ାଇବା ପାଇଁ ଚେଷ୍ଟାକରି ଚୁପ୍‌ ହୋଇ ଯାଇଥିଲେ । ଯେଉଁଥି ପାଇଁ ହେଉ ପଛେ ଶୋଭନା ଭାଉଜଙ୍କ ଲୋଭ ସୁବୋଧନନାଙ୍କ ଜୀବନରେ ସମସ୍ତ ଅଶାନ୍ତିର ମୂଳ କାରଣ ହୋଇଥିଲା । ସେଇ ଅଶାନ୍ତିର ତୁଷାନଳରେ ସୁବୋଧନନା ସାରାଜୀବନ ତିଳ ତିଳ ହୋଇ ଜଳିଚନ୍ତି । ସେ ଜ୍ୱାଳା ଉପଶମ ପାଇଁ ସୁବୋଧନନା ନ୍ୟାୟ ଅନ୍ୟାୟ ରୁଚି ଅରୁଚିର ବିଚାର ନ ରଖି ଦରାଣ୍ଡି ହୋଇଚନ୍ତି । କିନ୍ତୁ ସେ କ’ଣ ଜୀବନରେ କେବେ ଶାନ୍ତି ପାଇଚନ୍ତି ?

 

ସୁବୋଧନନାଙ୍କ ସାରା ଜୀବନର ଅଶାନ୍ତି କଥା ମୋତେ ଜଣା ନ ଥିଲା । ମୁଁ ବା କେମିତି ସେ ସବୁ କଥା ଜାଣିଥାନ୍ତି । ସୁବୋଧନନା କାନାଡ଼ାରୁ ଫେରିବା ପରେ ଦୂର ଜାଗାରେ ପୋଷ୍ଟିଂ ହୋଇଗଲେ । ମାଉସୀ ଚାଲିଯିବା ପରେ ଘର ସହିତ ତାଙ୍କର ଯୋଗାଯୋଗ କମି ଯାଉଥିଲା । ଭଗବାନସାର୍‌ ତ ସବୁବେଳେ ସନ୍ନ୍ୟାସୀ ଭଳି ନିଜ ଭିତରେ ସମାହିତ ହୋଇ ରହୁଥିଲେ । ଏକମାସ ଯୋଗାଯୋଗ ହିସାବରେ ପ୍ରତି ମାସ ପ୍ରଥମ ସପ୍ତାହରେ ଶହେ ଟଙ୍କାର ଗୋଟିଏ ମନିଅର୍ଡ଼ର ଆସୁଥିଲା । ସେ ଟଙ୍କା ଭଗବାନସାର୍‌ ଗ୍ରହଣ କରି କୁପନରେ ସୁବୋଧନନାଙ୍କ ଲେଖା ସମ୍ୱାଦ ଉପରେ କେତେକ୍ଷଣ ଦୃଷ୍ଟି ନିବଦ୍ଧ କରି ପୁନର୍ବାର ସେ ନିଜ ଭିତରେ ସମାହିତ ହୋଇ ଯାଉଥିଲେ । ସୁବୋଧନନା ମଝିରେ ମଝିରେ ଆସି ବୁଲି ଯାଉଥିଲେ, ସେ କେବଳ ଦିନେ ଓଳିଏ ପାଇଁ । ସେ ଘର ମାଉସୀ ନ ଥିଲେ ସେଠାରେ ବେଶୀ ସମୟ ରହିବା ପାଇଁ ସୁବୋଧନନାଙ୍କର ଅବଲମ୍ୱନ ନ ଥିଲା, ଆଶ୍ରୟ ନ ଥିଲା । ତା’ ପରେ ସୁବୋଧନନା ପ୍ରମୋସନ ପାଇ ଏକଜିକ୍ୟୁଟିଭ୍‌ ଇଞ୍ଜିନିୟର ହୋଇଗଲେ । ତାଙ୍କ ସହିତ ଆମ ସମ୍ପର୍କ କ୍ଷୀଣ ହୋଇ ଯାଇଥିଲା । ଆମେ ସବୁ ବି ବଡ଼ ହୋଇ ଯାଇଥିଲୁ । ଚାକିରି ବାକିରି କରି ନିଜ ଜୀବିକା ଧନ୍ଦାରେ ସଂସାରର ଜଞ୍ଜାଳରେ ଆମମାନଙ୍କର ଜୀବନ ଦର୍ଶନ ଭିନ୍ନମୁଖୀ ହୋଇଯାଇଥିଲା । ଆମ ପିତୃପମ ବାଲ୍ୟଗୁରୁଙ୍କ ପୁତ୍ର ଆମ ହାଇସ୍କୁଲର ଉଚ୍ଛ୍ୱଳତମ ଛାତ୍ର ଆମ କୈଶୋରର ଆଦର୍ଶ ତରୁଣ ସୁବୋଧନନାଙ୍କ ଭାବମୂର୍ତ୍ତି ଆମମାନଙ୍କ ରୁଦ୍ଧଶ୍ୱାସ ଜୀବନ ସଂଗ୍ରାମରେ ବିପର୍ଯ୍ୟସ୍ତ ଜୀବନରେ କ୍ରମେ ନିଷ୍ପ୍ରଭ ହୋଇଯାଇଥିଲା—ସୁବୋଧନନାଙ୍କ ଜୀବନରେ ସୁଖ ଦୁଃଖ, ହର୍ଷ ବିଷାଦ ସହ ଏକାତ୍ମ ହେବାର ଅବସର ଆମର ନ ଥିଲା । ତଥାପି ସୁବୋଧନନାଙ୍କୁ ଆମେ ସବୁ ଆତ୍ମୀୟ ଛଡ଼ା ଅନ୍ୟ କିଛି ବୋଲି ଭାବିପାରୁ ନ ଥିଲୁ । ସେଇ ସୁବୋଧନନାଙ୍କ ସଙ୍ଗେ ମୋର ପୁଣି ଅନେକ ଦିନ ପରେ ଦେଖା ହେଲା । ଚାକିରି ଉପଲକ୍ଷେ ମୁଁ ଯେଉଁ ସହରକୁ ବଦଳି ହୋଇ ଯାଇଥିଲି, ସେଠାକୁ ସୁବୋଧନନା ବି ଏକ୍‌ଜିକ୍ୟୁଟିଭ୍‌ ଇଞ୍ଜିନିୟର ହୋଇ ଆସିଲେ । ତାଙ୍କ ପୋଷ୍ଟିଂ ଖବର ଶୁଣି ମୁଁ ଖୁସି ହୋଇଥିଲି ଏବଂ ତାଙ୍କ ଆସିବା ଖବର ଶୁଣି ତାଙ୍କୁ ଦେଖା କରିବାକୁ ଯାଇଥିଲି । ସୁବୋଧନନା ଆଗ ସୁବୋଧନନା ହୋଇ ଆଉ ନ ଥିଲେ । ଚେହେରା ତାଙ୍କର ବିଶେଷ ପରିବର୍ତ୍ତନ ହୋଇ ନ ଥିଲେ ବି ସେ ବହୁତ ଗମ୍ଭୀର ହୋଇ ଯାଇଥିଲେ । ତାଙ୍କ ମୁହଁରେ ପୂର୍ବର ସେଇ ସଦା ପ୍ରଫୁଲ୍ଲ ସ୍ମିତ ହାସ୍ୟର ଉଜ୍ଜ୍ୱଳତା ନ ଥିଲା । ମୋତେ ଦେଖି ସେ ଖୁସି ହୋଇଗଲେ । କିନ୍ତୁ କୌଣସି ଉଚ୍ଛ୍ୱାସ ପ୍ରକାଶ କରି ନ ଥିଲେ । ମୋ ସହିତ ସେ ସହଜ ଭାବେ କଥାବାର୍ତ୍ତା କରି କୁଶଳ ଜିଜ୍ଞାସା କଲେ; କିନ୍ତୁ ଅତୀତର ସାମାନ୍ୟ ରୋମନ୍ଥନ ମଧ୍ୟ କଲେ ନାହିଁ । ମୁଁ ଆହତ ହୋଇଥିଲି । ବହୁଦିନ ପରେ ସୁବୋଧନନାଙ୍କୁ ଦେଖିବା ପରେ ମୁଁ ତାଙ୍କଠାରୁ ଆତ୍ମୀୟତାର ଉଷ୍ଣତା ଆଶା କରିଥିଲି । ମୁଁ ଖୁସି ହୋଇଥାନ୍ତି, ଯଦି ସୁବୋଧନନା ମୋତେ ଦେଖି ପାଟିକରି ଉଠିଥାନ୍ତେ । କିରେ ରାଜୁ ତୁ ଏଠି ? ତା’ ଯଦି ଶୋଭନା ଭାଉଜଙ୍କୁ ଡାକି କହିଥାନ୍ତେ ଦେଖିବ ଆସ କିଏ ଆସିଚି—ଆରେ ଚିହ୍ନି ପାରୁନ ନା କ’ଣ ? ଏଇ ପରା ରାଜୁ—ଜାଣ ୟା’କୁ ମୋ ବୋଉ ଭାରି ଭଲ ପାଉଥିଲା । ମୋତେ ନ ଦେଇ ବି ତା ପାଇଁ ଆରିଷା ପିଠା ଲୁଚାଇ ରଖୁଥିଲା । କିନ୍ତୁ ସୁବୋଧନନା କୌଣସି ଉଚ୍ଛ୍ୱାସ ପ୍ରକାଶ କରି ନ ଥିଲେ କିମ୍ୱା ଶୋଭନା ଭାଉଜଙ୍କ ସହ ଦେଖା କରିବା ପାଇଁ ଭିତରକୁ ଡାକି ନ ଥିଲେ । ମୁଁ ତାଙ୍କ ଡ୍ରଇଂ ରୁମ୍‌ରେ ବସି ଫେରି ଆସିଥିଲି । ସେ ସହରରେ ସେ ଥିବାବେଳେ ମୁଁ ବେଳେ ବେଳେ ତାଙ୍କ ପାଖକୁ ଯାଉଥିଲି । ମୋର ଅଭ୍ୟର୍ଥନା ବୈଠକଖାନାରେ ହିଁ ସୀମିତ ରହୁଥିଲା ।

 

ସେଇ ସହରରେ ଥିବାବେଳ ସୁବୋଧନନାଙ୍କ ସତତା ଓ ସାଧୁତା ବିଷୟ ନେଇ ପ୍ରଶ୍ନ ଉଠିଥିଲା । ଅନେକ ଲୋକ ଅନେକ କଥା କହୁଥିଲେ । ସେ ସବୁ ଶୁଣି ମୋତେ ଦୁଃଖ ଲାଗୁଥିଲା । ସବୁ ଶୁଣି ଏକ ନିରୂପାୟ ବେଦନାରେ ମୁଁ ଚୁପ୍‌ ହୋଇ ରହୁଥିଲି । ସୁବୋଧନନା ମୋର ଆତ୍ମୀୟ ନ ହେଲେ ବି ପରମାତ୍ମୀୟ ଥିଲେ । ତାଙ୍କ ଅପମାନ ମୋତେ କଷ୍ଟ ଦେଉଥିଲା । ସେ ଦିନ ସହଦେବବାବୁ କଣ୍ଟ୍ରାକ୍‌ଟର ଆଣିଥିବା ମାଛ ସୁବୋଧନନା ଫେରାଇ ଦେବାପରେ ମୁଁ ଖୁସି ହୋଇଥିଲି । ଅନ୍ତତଃ ନିଜକୁ ପ୍ରବୋଧ ଦେଇ ପାରିଥିଲି ଯେ, ସୁବୋଧନନାଙ୍କ ସତତା ବିଷୟରେ ଯେଉଁ କଥା ଶୁଣାଯାଉଚି ସେ ସବୁ ମିଛ । କିନ୍ତୁ ମୋର ସେ ଆତ୍ମସନ୍ତୋଷ ବେଶୀ ଦିନ ସ୍ଥାୟୀ ହୋଇ ନ ଥିଲା । ଦିନେ ହଠାତ୍‌ ସହଦେବବାବୁ ମୋତେ ଦେଖି କହିଲେ—କଣ ରାଜୁବାବୁ, ଏକଜିକ୍ୟୁଟିଭ ଇଞ୍ଜିନିୟରଙ୍କ ଘର ଆଡ଼େ ଯାଉଚନ୍ତି କି ? ମୁଁ କହିଲି ନା—କାହିଁକି କୁହନ୍ତୁ ତ ?

 

ନା—ଆପଣ ଯା’ନ୍ତି ନା ତାଙ୍କ ଘର ଆଡ଼କୁ, କହି ମୋ ସହିତ ଗଳ୍ପ କରିବା ପାଇଁ ସହଦେବବାକୁ ଛିଡ଼ା ହୋଇଗଲେ । ମୁଁ ବୁଝି ପାରିଲି ମୋ ଆଗରେ ସହଦେବବାବୁ ସେଦିନ ଯେପରି ଅପଦସ୍ତ ହୋଇଚନ୍ତି ତା’ର କିଛି କୈଫିଏତ ଦେବାକୁ ବୋଧହୁଏ ଚାହୁଁଚନ୍ତି । ପ୍ରକୃତରେ ସେୟା । ସହଦେବବାବୁ କହିଲେ; ଇଞ୍ଜିନିୟର ସାହେବ ସେଦିନ ଯେଉଁ ମାଛ ଫେରାଇଦେଲେ ସେଇଟାକୁ ମୁଁ ଆପେ ଆପେ ନେଇ ନ ଥିଲି, ବରାଦ ଥିଲା ।

 

ବରାଦଥିଲା ତ ଫେରାଇ ଦେଲେ କାହିଁକି ? ମୁଁ ପଚାରିଲି ।

 

ବରାଦଟା ମେମ୍‌ ସାହେବ କରିଥିଲେ—ସାହେବ କହି ନଥିଲେ । ହୁଏତ ସେ ଜାଣି ନ ଥିଲେ କିମ୍ୱା ଆପଣଙ୍କ ଭଳି ଜଣେ ବାହାର ଲୋକ ଆଗରେ ନେବାକୁ ସଂକୋଚ କଲେ, କହି ସହଦେବବାବୁ ବେହିଆଙ୍କ ଭଳି ହସିଲେ । ସହଦେବବାବୁଙ୍କ କଥାବାର୍ତ୍ତା ମୋତେ ରୁଚିକର ବୋଧ ହେଉ ନ ଥିଲା । ମୁଁ ସେ ଆଲୋଚନା ବନ୍ଦ କରିଦେବା ପାଇଁ ଯିବାକୁ ବାହାରିଲି । ମୋତେ ଅଟକାଇ ସହଦେବବାବୁ କହିଲେ—ବୁଝିଲେ ଆଜ୍ଞା, ସେ ଇଞ୍ଜିନିୟର, ଆମେ କଣ୍ଟ୍ରାକ୍ଟର । ଆମେ ଦେବୁ ସେ ନେବେ । ସେ ଦେବେ ଆମେ ନେବୁ ଏ ତ ନିୟମ । ଏ ଡିପାର୍ଟମେଣ୍ଟର ନିୟମ ହେଲା Give and take. ପୂର୍ବରୁ ତ ମୁଁ ଦେଇଚି ସେ ନେଇଚନ୍ତି । ତାଙ୍କ ଘରେ ଯେଉଁ ଗଡ଼ରେଜ ସୋଫାରେ ଆପଣ ବସନ୍ତି ତାକୁ ମୁଁ ତ ମେମ୍‌ ସାହେବଙ୍କ ବରାଦ ଅନୁସାରେ ଆଣି ଦେଇଚି—ତାକୁ ତ ସାହେବ ଫେରାଇ ନାହାଁନ୍ତି । ଆମେ ବା କି ଲୋକ ଯେ ଦେବୁ ? ତାଙ୍କ ହାତରେ ଯିବା ଆସିବା ଟଙ୍କାରୁ ସେ ତାଙ୍କ ସେୟାର ନେବେ । ଯେମିତି ଓଭରସିଓର, ଏସ. ଡ଼ି. ଓ., ଏକାଉଣ୍ଟେଣ୍ଟ ନିଅନ୍ତି । ତା’ଛଡ଼ା ତାଙ୍କର ଆମର ସମ୍ପର୍କ ଭିନ୍ନ । ମୁଁ ଯେଉଁ କାମଟା ନେଇଚି ସେ କାମ ସୁପରଭାଇଜ କରୁଚନ୍ତି ଦାସ ସାହେବଙ୍କ ଶ୍ୱଶୁର—ତାଙ୍କରି ସୁପାରିଶରେ ମୁଁ ବହୁତ ଲୋ ଟେଣ୍ଡରରେ ୪ । ୫ ଲକ୍ଷ ଟଙ୍କାର ବିଲିଡ଼ିଂ କାମଟା ନେଇଚି । ସେଇକାମ ପାଇଁ ତ ଆମକୁ ଉପରବାଲାଙ୍କୁ ସବୁବେଳେ ଖୁସି ରଖିବାକୁ ପଡ଼ିବ; ନ ହେଲେ ବ୍ୟବସାୟରେ ନାଲିବତୀ ଜଳିଯିବ ଯେ—

 

ସହଦେବବାବୁ ହୁଏତ ମିଛ କହି ନ ଥିଲେ । କାରଣ ସୁଚବୋଧନନାଙ୍କ ଶ୍ୱଶୁର ମିଶ୍ର ସାହେବ ପ୍ରାୟ ସେଠାକୁ ଯିବା ଆସିବା କରୁଥିଲେ । ସେ ଆହୁରି ବୁଢ଼ା ହୋଇ ଯାଇଥିଲେ । ତାଙ୍କର ପୂର୍ବର ସ୍ୱାସ୍ଥ୍ୟ ଆଉ ନ ଥିଲା । ତଥାପି ସେ ତାଙ୍କର ଚାକିରି କାଳର ପୋଷାକ ସବୁ ପିନ୍ଧୁଥିଲେ । ସେ ବସୁ ଢିଲା ହୋଇ ବେଖାପ ଦିଶୁଥିଲା । କିନ୍ତୁ ମିଶ୍ର ସାହେବ ସେଇ ଢିଲା ପୋଷାକ ପିନ୍ଧି କେଶ ବିରଳ ମୁଣ୍ଡକୁ ଫେଲ୍‌ଟ୍‌ କ୍ୟାପରେ ଢାଙ୍କ ଚୁରୁଟ କାମୁଡ଼ି ହାତରେ ଆଟାଚି ବ୍ୟାଗ ଧରି ଆସୁଥିଲେ । ସେ ଆସି ସାତ ଆଠ ଦିନ ରହୁଥିଲେ ସୁବୋଧନନାଙ୍କ ଘରେ । ବେଳେବେଳେ ଯାଇ ସହଦେବବାବୁ କଣ୍ଟ୍ରାକ୍ଟ ନେଇଥିବା ଗାର୍ଲ ସ୍କୁଲ କୋଠାଟା ବୁଲି ଦେଖି ଆସୁଥିଲେ । ତାଙ୍କ ରହଣି ସମୟରେ ବହୁ ଠିକାଦାର ଓଭରସିଅର ତାଙ୍କୁ ଦେଖା କରିବାକୁ ଆସୁଥିଲେ । ସେମାନଙ୍କ ସଙ୍ଗେ ମିଶ୍ର ସାହେବ ଅନେକ ସମୟ ମନ୍ତ୍ରଣା କରୁଥିଲେ । କେହି ପଚାରିଲେ ସେ କହୁଥିଲେ ସେ ସବୁ ବିଜିନେସ୍‌ କଥା—ଠିକାଦାରମାନଙ୍କୁ ଗାଇଡ଼୍‌ କରିବା ତ ତାଙ୍କ ବିଜିନେସ୍‌ । ତାଙ୍କ ପରାମର୍ଶ ନେଇ କାମକଲେ ସେମାନେ ଲାଭ କରିବେ । ପରିଚିତ ବ୍ୟକ୍ତି କେହି ଭେଟିଲେ ତାଙ୍କୁ କହନ୍ତି ଆପଣଙ୍କର ଆଜ୍ଞା ଅଭାବ କଣ ? କାହିଁକି ତୁଚ୍ଛାଟାରେ ଖରା ତରାରେ ପରିଶ୍ରମ କରୁଚନ୍ତି ।

 

ମିଶ୍ର ସାହେବ ହସି ହସି କହନ୍ତି ତୁଚ୍ଛା ପରିଶ୍ରମ କରୁନି ହେ—ମୋ ପରିଶ୍ରମର ମୂଲ୍ୟ ମୁଁ ଠିକ୍‌ ପାଉଚି । ତା’ଛଡ଼ା ମୁଁ ତ ଏକଟିଭ ଲାଇନର ଲୋକ—ଘରେ ବସି ପାରିବି କେଉଁଠି, ମୋତେ ଯେମିତି ହେଉ ଖଟିବାକୁ ହେବ ।

 

ନା—ମିଶ୍ରସାହେବ ତୁଚ୍ଛା ପରିଶ୍ରମ କରୁ ନ ଥିଲେ । ସେ ଠିକାଦାରମାନଙ୍କଠାରୁ ବେଶ୍‌ ମୋଟା କମିଶନ ନେଉଥିଲେ । ମିଶ୍ର ସାହେବ ଆସିଲେ ଶୋଭନା ଭାଉଜ ଖୁସି ହେଉଥିଲେ । କାରଣ ସେ ଜାଣିଥିଲେ ଡାଡିଙ୍କ ସହାୟତା ବ୍ୟତୀତ ତାଙ୍କର ଚଳିବା କଷ୍ଟକର । ସୁବୋଧନନାଙ୍କୁ ଏ ସବୁ ଭଲ ଲାଗୁ ନ ଥିଲା—ସେ ବିରକ୍ତ ହେଉଥିଲେ । କିନ୍ତୁ ପ୍ରତିବାଦ କରିବାର ଉପାୟ ନ ଥିଲା । ପ୍ରତିବାଦ କଲେ ପ୍ରଳୟ ଅବଶ୍ୟମ୍ଭାବୀ । ସୁବୋଧନନାଙ୍କ ସାମାନ୍ୟତମ ପ୍ରତିବାଦରେ ଶୋଭନା ଭାଉଜ ଉତ୍‌କ୍ଷିପ୍ତ ହୋଇ ଉଠୁଥିଲେ । ସେ ଚିତ୍କାର କରି କହୁଥିଲେ—ଡାଡ଼ି ତାଙ୍କ ବିଜିନେସ୍‌ କରୁଚନ୍ତି, ତୁମର ସେ କଥାରେ ମୁଣ୍ଡ ପୂରାଇ ଲାଭ କଣ ? ସେ ଯାହା ରୋଜଗାର କରୁଚନ୍ତି ସେ ତ ଘରକୁ ବୋହି ନେଉ ନାହାଁନ୍ତି ସେ ସବୁ ତୁମରି ସେବାରେ ଲାଗୁଚି !

 

ମୋ ସେବାରେ ? ମୋ ସେବାରେ ଲାଗୁଚି ମାନେ ? ସୁବୋଧନନା ଆଶ୍ଚର୍ଯ୍ୟ ହୋଇ ପଚାରନ୍ତି । ମାନେ ବୁଝି ପାରୁନ, ପିଲା ହେଇଚ ? କେତେ ଦରମା ପାଅ ଖିଆଲ ଅଛି ? ସେଥିରୁ ତ ମୁଠା ମୁଠା ଟଙ୍କା ବାପାଙ୍କ ପାଇଁ ପଠାଅ । ଆଉ ଯାହା ରହେ ସେଥିରେ ଘର ଖର୍ଚ୍ଚ ଚଳିବ ? ମୋର କସମେଟିକ ଶାଢ଼ୀ ଚପଲ କଥା ଛାଡ଼ି, ତୁମ କାର୍‌ ପାଇଁ ପେଟ୍ରୋଲ କିଣି ପାରିବ ? ଛୁଆ ଦି’ଟାକୁ ପୋଷାକ ଖଣ୍ଡେ ଦେଇ ପାରିବ ?

 

କିନ୍ତୁ ଏତେ ଖର୍ଚ୍ଚ ନ ବଢ଼ାଇଲେ ତ ଚଳିବ—ସୁବୋଧନନା ପ୍ରତିବାଦ କରନ୍ତି ।

 

ତୁମର ଚଳିପାରେ । ମୋର ଚଳିବନି । ମୁଁ କେଉଁ ଷ୍ଟାଇଲ ଆଉ ଷ୍ଟାଟସରେ ପିଲାଦିନୁ ବଢ଼ିଚି ତୁମେ ଜାଣ—

 

କାହିଁକି ଚଳିବନି ? ଚଳେଇ ପାରିଲେ ସବୁ ଚଳିବ । ସୁବୋଧନନା ତଥାପି ପ୍ରତିବାଦ କରନ୍ତି ।

 

ନା—ଚଳିବନି । ମୁଁ ପିଲାଦିନରୁ ଯେମିତି ଚଳିଚି ସାରା ଜୀବନ ସେମିତି ଚଳିବି । ମୋ ପିଲାମାନେ ସେମିତି ଚଳିବେ ।

 

ସେଥିପାଇଁ କଣ ମୁଁ ଚୋରି କରିବି ? ଆହତ ଭାବେ ସୁବୋଧନନା କହନ୍ତି ।

 

ପ୍ରୟୋଜନ ପଡ଼ିଲେ କରିବ । ଚୋରି କରିବା ତ ଅପରାଧ ନୁହେଁ । ତା’ଛଡ଼ା ବର୍ତ୍ତମାନ ତ ତୁମକୁ ଚୋରି କରିବାକୁ ପଡ଼ୁନି । ତୁମର ଏତେ ମୁଣ୍ଡବ୍ୟାଥା କାହିଁକି । ନିର୍ଲିପ୍ତ ଭାବେ ଶୋଭନା ଭାଉଜ ଉତ୍ତର ଦିଅନ୍ତି ।

 

ସୁବୋଧନନା ବ୍ୟଥିତଭାବେ ଚୁପ ହୋଇଯାନ୍ତି । ସେ ଜାଣନ୍ତି ଶୋଭନା ଯେଉଁ ପରିବେଶରେ ମଣିଷ ହୋଇଚନ୍ତି ସେଥିରେ ତାଙ୍କର ମରାଲିଟିର ସଂଜ୍ଞା ପଣ୍ଡିତ ଭଗବାନ ଦାଶଙ୍କର ନିରୂପିତ ସଂଜ୍ଞାଠାରୁ ଭିନ୍ନ । ସୁବୋଧନନାଙ୍କ ଚୁପ ହୋଇ ଯିବାର ଅନ୍ୟ କାରଣ ପିଲା ଦି’ଜଣ । ତାଙ୍କ ପୁଅ ସିର୍ଦ୍ଧାଥ ଓ ଝିଅ ଶ୍ୱେତପଦ୍ମା—ସେମାନେ ବଡ଼ ହେଲେଣି—ବୁଝିବା ବୟସ ସେମାନଙ୍କର ହେଲାଣି । ତାଙ୍କ ଆଗରେ ସଦାସର୍ବଦା କଳିଗୋଳ କରିବା ଅଶୋଭନୀୟ ।

 

ଶୋଭନା ଭାଉଜ ଯେତେ ଯାହା କହିଲେ ବି ସେ ସହରର ଲୋକମାନେ ବୁଝୁଥିଲେ ଏକ୍‌ଜ୍ୟୁଟିଭ ଇଞ୍ଜିନିୟର ନିଜ ଶ୍ୱଶୁର ମାର୍ଫତରେ କମିଶନ ଉଠାଇବାରେ ବ୍ୟସ୍ତ । ସେ ସୂତ୍ରରୁ ସୁବୋଧନନାଙ୍କ ସୁନାମ ବିଧ୍ୱସ୍ତ ହୋଇଯାଇଥିଲା । ସୁବୋଧନନାଙ୍କ ଦୁର୍ନାମ ସେତିକିରେ ସୀମାବଦ୍ଧ ହୋଇ ରହିଲା ନାହିଁ ।

 

ଏକ ବିରାଟ ଦୁର୍ଘଟଣା ଘଟି ସୁବୋଧନନାଙ୍କ ସମସ୍ତ ମାନସମ୍ମାନ ଧୂଳିସାତ କରିଦେଲା-

 

ସହଦେବ ବାବୁ ଯେଉଁ ବିଲଡ଼ିଂ କରୁଥିଲେ ତା କାମ ପ୍ରାୟ ଶେଷ ହୋଇ ଯାଇଥିଲା—ଭିତରେ ପ୍ଲାଷ୍ଟରିଂ ଫ୍ଲୋରିଂ ଭଳି କାମ କେବଳ ବାକିଥିଲା । ସେଇ କାମ ଚାଲୁଥିବାବେଳେ ହଠାତ୍‌ କଂକ୍ରିଟ ଛାତର ଗୋଟଏ ଅଂଶ ଭୁଷୁଡ଼ି ପଡ଼ିଲା । ସେ ଦୁର୍ଘଟଣାରେ ତଳେ କାମ କରୁଥିବା ୪ ଜଣ ମୁଲିଆ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ । ୧୦ । ୧୨ ଜଣ ଆହତ ହୋଇଥିଲେ । ସେ ଘଟଣାରେ ସେଇ ଛୋଟ ସହରଟିରେ ଚାଞ୍ଚଲ୍ୟ ଖେଳିଯାଇଥିଲା । ସେ ଚାଞ୍ଚଲ୍ୟ ଖାଲି ସେ ସହରରେ ସୀମାବଦ୍ଧ ହୋଇ ରହିଲା ନାହିଁ । ସେ ଏକ ଚାଞ୍ଚଲ୍ୟକର ସମ୍ୱାଦ ହୋଇ ସାରା ରାଜ୍ୟରେ ବ୍ୟାପିଗଲା—ଖବରକାଗଜ ଏ ସମ୍ୱାଦକୁ ବଡ଼ ଶିରୋନାମାରେ ଛାପି ପୂର୍ତ୍ତ ବିଭାଗର ଦୁର୍ନୀତି ପ୍ରତି ସରକାରଙ୍କର ଦୃଷ୍ଟି ଆକର୍ଷଣ କରି ଏ ଘଟଣାର ପୂର୍ଣ୍ଣାଙ୍ଗ ତଦନ୍ତ ଦାବୀ କରିଥିଲେ । ବିଧାନସଭାରେ ଏ ପ୍ରସଙ୍ଗ ଉପରେ ଭୀଷଣ ହଟ୍ଟଗୋଳ ହୋଇଥିଲା । ବିରୋଧୀଦଳ ନେତାଙ୍କ ମୁଲତବୀ ପ୍ରସ୍ତାବ ବହୁ ସରକାରୀ ଓ ବିରୋଧୀ ସଭ୍ୟଙ୍କ ଦୃଷ୍ଟି ଆକର୍ଷଣକାରୀ ପ୍ରସ୍ତାବ ଉପରେ ଯେଉଁ ଆଲୋଚନା ହେଲା ସେଥିରେ ସରକାର ବିବ୍ରତ ହୋଇ ଏକ ଉଚ୍ଚ ପାହ୍ୟା ତଦନ୍ତ ପାଇଁ ସମ୍ମତ ହୋଇଥିଲେ ।

 

ସେହି ତଦନ୍ତ ପୂର୍ବରୁ ମି. ମିଶ୍ର ସୁବୋଧନନାଙ୍କୁ କହିଲେ ‘ଏତ ବଡ଼ ବିପଦ କଥା ହେଲା ସୁବୋଧ—’

 

ସୁବୋଧନନା କିଛି ଉତ୍ତର ଦେଲେ ନାହିଁ ।

 

ପଲ୍‍ଟିସିଆନ୍‌ମାନେ ଗୋଟିଏ ସାମାନ୍ୟ କଥାକୁ କେତେ ବିରାଟ କରିଦେଲେ ଦେଖୁଚ-। ତିଳକୁ ତାଳ କରିବା ଏ ସ୍କାଉଣ୍ଡ୍ରେଲ୍‌ ମାନଙ୍କ ସ୍ୱଭାବ ।

 

ସେମାନେ ତ ମିଥ୍ୟା ଦୋଷାରୋପ କରୁ ନାହାଁନ୍ତି—ସୁବୋଧନନା ଗମ୍ଭୀର ଭାବେ ମନ୍ତବ୍ୟ କଲେ । ଷ୍ଟ୍ରେଞ୍ଜ ତୁମେ ବି ସେ କଥା କହୁଚ—ହଁ କଂକ୍ରିଟ ସ୍ଳାବ୍‌ ଗୋଟିଏ ପୋରସନ କୋଲାପସ୍ କରିଗଲା । କଣ୍ଟାକ୍ଟର ତାକୁ ନିଜ ଖର୍ଚ୍ଚରେ ରିପିୟାର କରିବେ । ଏତେ ହୈ ଚୈ କରିବାର କାରଣ କଣ ?

 

ସେଇ କୋଲାପ୍‌ସର ଫଳରେ ଚାରି ଜଣ ଲୋକ ମରିଚନ୍ତି—ଦଶଜଣ ଆହତ ହୋଇଚନ୍ତି । ସେମାନଙ୍କୁ କ୍ଷତିପୂରଣ ଦେବାକୁ ହେବ ।

 

ଚୁରୁଟୁରୁ ଧୂଆଁ ଛାଡ଼ୁ ମିଶ୍ର ସାହେବ କହିଲେ, ସେମାନେ ଗରିବ । ସେମାନଙ୍କ ଜୀବନର ମୂଲ୍ୟ ୨ । ୪ ହଜାର ଟଙ୍କା ଠିକାଦାର ସେ ଟଙ୍କା ଦେଇଦେବେ ।

 

‘କିନ୍ତୁ ଅଳ୍ପଦିନ ପରେ ସେଠି ସ୍କୁଲ ହୋଇଥାନ୍ତା । ପିଲେ ପାଠ ପଢ଼ୁଥିବା ବେଳେ ଯଦି ଛାତ ଭୁଷୁଡ଼ି ପଡ଼ିଥାନ୍ତା ?’ ‘ସୁବୋଧ ଓ ଷ୍ଟପ୍‌ଇଟ୍‌ । ଏସବୁ କଣ ଟ୍ରେସ ଗପୁଚ ? ଶୁଣ କମିଶନ ଶୀଘ୍ର ବସୁଚି । ଆମର ଡିଫେନ୍‌ସ ରେଡ଼ି କରିବାକୁ ପଡ଼ିବ ।’ ମିଶ୍ର ସାହେବ ଚିନ୍ତିତ ଭାବେ କହିଲେ-। ତା’ ପରେ ସୁବୋଧନନାଙ୍କ ଉତ୍ତରକୁ ଅପେକ୍ଷା ନ କରି କହିଲେ—ମୁଁ ବହୁତ ଭାବିଚିନ୍ତି ଠିକ୍‌ କରିଚି ଯେ—ଡିଜାଇନରେ ଡିଫେକ୍ଟ ଥିଲା କହିଲେ ସମସ୍ତେ ରକ୍ଷା ପାଇଯିବେ । କଣ କହୁଚ ? କହି ମିଷ୍ର ସାହେବ ସମର୍ଥନ ଆଶାରେ ସୁବୋଧନନାଙ୍କୁ ଚାହିଁଲେ ।

 

ନା—

 

ନା—ମାନେ ? ଡିଜାଇନ ତ ଚେକ୍‌ କରି ଏସ୍‌. ଇ. ଚିଫ୍‌ ଇଞ୍ଜିନିୟର ସମସ୍ତେ ଟେକେନିକେଲ୍‌ ସେଙ୍କସନ କରିଚନ୍ତି—ସେ କଥାଟା ପ୍ରୁଭ୍‌ କରିଦେଲେ ଅଡ଼ୁଆ ତୁଟିଯିବ । କମିଶନ ତ ଆଉ ସେମାନଙ୍କ ଉପରେ ରେଶପନ୍‌ସିବିଲିଟି ଫିକ୍‌ସ କରିବନି ।

 

‘ନା ଡିଜାଇନ ଭୁଲ ନଥିଲା । ଡିଜାଇନ୍‌ ମୁଁ ନିଜେ କରିଚି ।

 

ସେ ଡିଜାଇନରେ ଭୁଲ ହୋଇ ନ ପାରେ—’

 

ମିଶ୍ର ସାହେବ ଅଭିଜ୍ଞ ହସ ହସି କହିଲେ—‘ଭୁଲ ନାହିଁ ଏକଥା କିଏ ଚାଲେଞ୍ଜ କରି କହି ପାରିବ ? ଟୁ ଏର ଇଜ ହ୍ୟୁମାନ ମୁନିନାଞ୍ଚ ମତିଭ୍ରମ—ସାର ବିଶ୍ୱେଶ୍ୱରିଆଙ୍କ କାମରେ ବି ଭୁଲ ରହିବାର ସମ୍ଭାବନା—ଡଃ ଖୋସଲା ଥିରୁମଲ ଆୟଙ୍ଗାରଙ୍କ ବି ଭୁଲ ହୁଏ । ତା’ଛଡ଼ା ଯୁକ୍ତି ଛଳରେ କଣ ଠିକ୍‌ଟାକୁ ଭୁଲ ବୋଲି ପ୍ରମାଣ କରିହେବନି ?’

 

‘ଅସମ୍ଭବ । ଏ ଡିଜାଇନରେ ଯଦି ଭୁଲ୍‌ ଥାଏ ତେବେ ମୋର ବି ଏଚ୍‌ ୟୁ ରେ ପାଠ ପଢ଼ିବା ବୃଥା—ଏଥିରେ ଯଦି କେହି ଭୁଲ ବାହାର କରିଦିଏ, ତେବେ ମୁଁ ଚାକିରିରୁ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛି । ମୋ ଡିଗ୍ରୀ ୟୁନିଭାର୍ସିଟିକୁ ଫେରସ୍ତ କରିଦେବାକୁ ବି କୁଣ୍ଠାବୋଧ କରିବିନି-।’ ସୁବୋଧନନା ଦୃଢ଼ଭାବେ କହିଲେ ।

 

ହତାଶଭାବେ ମିଶ୍ର ସାହେବ କହିଲେ, ‘ତେବେ ଛାତଟା ଭାଙ୍ଗିପଡ଼ିଲା କାହିଁକି ? କି କାରଣ ହବ ଶୁଣେ ?’

 

‘ଡିଫେକ୍‌ଟିଭ କନ୍‌ଷ୍ଟ୍ରାକସନ୍‌—ପୁଅର କଂକ୍ରିଟ ନିହାତି ଖଇଚା କାମ ହୋଇଚି ।’

 

‘ଅବସାଦ—କ’ଣ ସବୁ ବାଜେ ଗପୁଚ ।’

 

‘ଅବସାଦ ନୁହେଁ—ଏଇ ଦେଖନ୍ତୁ ସେମ୍ପଲ’—କହି ସୁବୋଧନନା ଖଣ୍ଡେ ଭଙ୍ଗା କଂକ୍ରିଟ ଆଣି ଟେବୁଲ ଉପରେ ରଖିଲେ । ଏଥିରେ ସିମେଣ୍ଟ ଭାଗ ନାହିଁ କହିଲେ ଚଳେ—ଖାଲି ବାଲି । କଳା ଚଗିସ ବଦଳରେ ମୃରୁମୃ ଗୋଡ଼ି, ସେ ଫେର ଭଲଭାବେ ଧୂଆ ନ ହୋଇ ଦିଆଯାଇଛି—ତେଣୁ ସ୍ଳାବ ଭୁଷୁଡ଼ି ପଡ଼ିଚି ।

 

‘ସୁବୋଧ ଏଥିରେ କେତେ ବିପଦ ଜାଣିଚ ? ବିଚରା ଓଭରସିୟର, ଏସ୍‌. ଡ଼ି. ଓ. ଦୁଇଜଣ ବରଖାସ୍ତ ହେବେ । କଣ୍ଟ୍ରାକ୍ଟରର ଲାଇସେନ୍‌ସ ଯିବା । ତା’ଠାରୁ କଷ୍ଟ୍‌ ଆଦାୟ ହେବ । ତାଛଡ଼ା ତୁମ ଉପରେ ବି ରିଫ୍ଲେକ୍ଟ କରିବ କାରଣ ଦାୟିତ୍ୱ ତୁମର ।’

 

ସୁବୋଧନନା ସେ କଥାର ଉତ୍ତର ଦେଲେ ନାହିଁ । କମିଶନ ବସିଲା ଯୋର ତଦନ୍ତ ଚାଲିଲା । ସୁବୋଧନନା ନିଜ ନିଷ୍ପତ୍ତିରେ ଅଟଳ ରହିଲେ । ଫଳାଫଳ ଯାହା ହେବାର ହେଲା । ଓଭରସିୟାର ଡିସ୍‌ଚାର୍ଜ ହୋଇଗଲା । ଏସ. ଡ଼ି. ଓ. ତଳପାହ୍ୟାକୁ ଖସିଲେ । ସହଦେବବାବୁଙ୍କ ଲାଇସେନ୍‌ସ ଖାରଜ ହୋଇଗଲା । ଆଉ ସୁବୋଧନନା ଅଧସ୍ତନ କର୍ମଚାରୀଙ୍କ କାର୍ଯ୍ୟ ତଦାରଖ କରିବାରେ ଅବହେଳା କରିଛନ୍ତି ବୋଲି ମନ୍ତବ୍ୟ ପାଇଲେ । ମି. ମିଶ୍ରଙ୍କ ବହୁ ଯତ୍ନ ଓ ଚେଷ୍ଟାରେ ସହଦେବବାବୁ କ୍ଷତିପୂରଣ ଦେବାରୁ ଖସଗଲେ ।

 

ଏ ଘଟଣା ପରେ ସୁବୋଧନନା ବଦଳି ହୋଇଗଲେ । ସେ ଯିବାପରେ ଦିନେ ମୋତେ ସହଦେବବାବୁ ରାସ୍ତାରେ ଦେଖି କହିଲେ—ଦେଖିଲେ ରାଜୁବାବୁ ! ସୁବୋଧବାବୁଙ୍କ କାଣ୍ଡ ?

 

କି କାଣ୍ଡ ? ବୁଝିନପାରି ମୁଁ ପଚାରିଲି ।

 

ଆଉ କଣ କହିବି ଆପଣଙ୍କୁ ? କଡ଼ା ଗଣ୍ଡା ପାହି ହିସାବ କରି ସବୁ ପାଉଣା ମୁଁ ତାଙ୍କର ଚୁକ୍ତି କରି ତାଙ୍କ ସ୍ତ୍ରୀଙ୍କୁ ଦେଇଚି । ତଥାପି ଲୋକଟା ମୋ ପିଛା ଲାଗିଲା ।

 

ମୁଁ କିଛି ମନ୍ତବ୍ୟ ନକରି ଚୁପ୍‌ ହୋଇ ଛିଡ଼ା ହୋଇ ରହିଲି ।

 

ସହଦେବବାବୁ ପୁଣି କହିଲେ—ମିଶ୍ର ସାହେବ ଯେତେ ବୁଝାଇଲେ ବୁଝିଲା ନାହିଁ ଶେଷ ପର୍ଯ୍ୟନ୍ତ । ସେଇ ଏକା ଜିଦ୍‌—ମୁଁ ପାଠ ପଢ଼ିଚି, ମୋ କାମ ଭୁଲ ହେବନି ।

 

‘କିଓ କିଏ ପାଠ ପଢ଼ିନି ? ସବୁ ଇଞ୍ଜିନିୟର ପାଠ ପଢ଼ିଚନ୍ତି । ମିଶ୍ର ସାହେବ ତ ଫେର ବିଲାତ ଫରନ୍ତା ଇଞ୍ଜିନିୟର ।’

 

ମୁଁ ବା କଣ କହନ୍ତି ସେମିତି ସ୍ଥାଣୁ ଶ୍ରୋତା ହୋଇ ଛିଡ଼ାହୋଇ ରହିଲି ।

 

ସହଦେବବାବୁ କହିଲେ—ବୁଝିଲେ ରାଜୁବାବୁ, ଖାଲି କ’ଣ ପାଠ ପଢ଼ିଲେ ହେବ ? ପାଠ ଦି’ଅକ୍ଷର ପଢ଼ିଦେଲେ କେହି ହାକିମ ହୋଇଯିବ ନାହିଁ । ସେଥିପାଇଁ ପେ-ଡ଼ିଗ୍ରୀ ଦରକାର ।

 

ପେ-ଡ଼ିଗ୍ରୀ ମାନେ ? ମୁଁ ବୁଝି ନ ପାରି ପଚାରିଲି ।

 

ବଂଶମର୍ଯ୍ୟାଦା—ଦେଖୁ ନାହାନ୍ତି ମିଶ୍ର ସାହାବଙ୍କୁ । ବ୍ରିଟିଶ ଟାଇମର ବିଲାତ ଫେରନ୍ତା ଇଞ୍ଜିନିୟର । ଜମିଦାରଘର ପିଲା—କି ମିଞ୍ଜାସ—ଶେଷ ପର୍ଯ୍ୟନ୍ତ ମୋ ପଛରେ ଛିଡ଼ା ହୋଇ ରହିଲେ ନା—ନଚେତ୍‌ କି ସ୍ୱାର୍ଥ ତାଙ୍କର । ଆଉ ସୁବୋଧ ଦାଶ ? ଭିକମଗା ଅବଧାନ ଘର ପିଲା-। ସେମାନଙ୍କଠାରୁ ଆଉ କ’ଣ ଆଶା କରାଯାଇପାରେ ? ସହଦେବବାବୁ ବିଶୋଦ୍‌ଗାର କରି ଚାଲିଗଲେ, ଅପମାନରେ ସ୍ତବ୍‌ଧ ହୋଇ ମୁଁ ଛିଡ଼ାହୋଇ ରହିଲି । ମୋର ଇଚ୍ଛା ହେଉଥିଲା, ସହଦେବ ଠିକାଦାରର ତଣ୍ଟିକୁ ଚିପିଧରି ପଚାରିଥାନ୍ତି—ସୁବୋଧ ଦାଶର ପେ-ଡିଗ୍ରୀ ନାହିଁ ନା ? କହ ତେବେ କାହାର ଅଛି ? ତୁ ଦେଖିଛୁ କେବେ ସେଇ ଅବଧାନକୁ । ଯାହାଙ୍କ ଆଶୀର୍ବାଦରୁ ସୁବୋଧ ଦାଶ ଏ ପୃଥିବୀର ଆଲୁଅ ଦେଖିଲେ । ତୁ କହିପାରିବୁ ସେହି ଅବଧାନଙ୍କ ପାଦର ଧୂଳି ସଙ୍ଗେ ସମାନ ହେବ ତୋ ମିଶ୍ର ସାହେବ ? କିନ୍ତୁ ମୁଁ କିଛି କହି ପାରିଲି ନାହିଁ । ସେଦିନ ଅପମାନର ଜ୍ୱାଳାକୁ ନୀରବରେ ଗଳାଧଃକରଣ କରଥିଲି ।

 

ଏହି ଅମର୍ଯ୍ୟାଦର ତରଙ୍ଗ ସେ ସହରଠାରୁ ଦୂରରେ ଆଉ ଗୋଟିଏ ସହରରେ ଆତ୍ମସମାହିତ ହୋଇ ବସିରହିଥିବା ଜଣେ ଅବଧାନଙ୍କ ଅନ୍ତଃସ୍ଥଳରେ ବାଜିଥିଲା । ସୁବୋଧନନାଙ୍କ ଏ ଦୁର୍ନାମ ଭଗବାନସାର୍‌ଙ୍କ କାନରେ ପଡ଼ିଥିଲା । ନ ପଡ଼ି ଉପାୟ ନ ଥିଲା—ଖବର କାଗଜବାଲାଏ ଏ ଘଟଣାର ବିଶଦ ବିବରଣୀ ବାହାର କରୁଥିଲେ ବେଶ୍‌ ମୁଖରୋଚକ ଥିଲା ସେ ସମ୍ୱାଦ । ବହୁଲୋକ ଆଗ୍ରହରେ ପଢ଼ୁଥିଲେ । ଭଗବାନସାର୍‌ କଥାଟା ଶୁଣିଥିଲେ । କମିଶନ ତଦନ୍ତର ଫଳାଫଳ ବାହାରିବା ପରେ ଦିନେ ଭଗବାନସାର୍‌ ହଠାତ୍‌ ଆସି ହେଡ଼ମାଷ୍ଟର ବିଶ୍ୱନାଥବାବୁଙ୍କ ପାଖରେ ପହଞ୍ଚିଲେ । ଆଜିକାଲି ଭଗବାନସାର ବାହାରକୁ ଆଦୌ ବାହାରୁ ନ ଥିଲେ । ତାଙ୍କୁ ହଠାତ୍‌ ଆସିବାର ଦେଖି ବିଶ୍ୱନାଥବାବୁ ବିସ୍ମିତ ହୋଇ ପଚାରିଲେ—

 

ପଣ୍ଡିତ ମହାଶୟ ଆପଣ ?

 

ଗୋଟିଏ ଜରୁରୀ କାମ ପାଇଁ ଆସିଲି ହେଡ଼ମାଷ୍ଟରବାବୁ, କହି ଭଗବାନସାର୍‌ ତାଙ୍କ କପାଳର କାନ୍ଧରେ ପଡ଼ିଥିବା ଗାମୁଛାରେ ଝାଳ ପୋଛିଲେ ।

 

କୁହନ୍ତୁ—

 

ମୁଁ ପାଇଥିବା ରାଷ୍ଟ୍ରପତି ପୁରସ୍କାର ଫେରାଇ ଦେବାର ବ୍ୟବସ୍ଥା କରନ୍ତୁ । ଏଇ ନିଅନ୍ତୁ ସେ ତାମ୍ରଫଳକ ଉପାୟନ, ଆଉ ଏଇ ପାଶ୍‌ ବହି, ଏଥିରେ ଟ ୫୦୦୦ ଙ୍କା ଅଛି । ଏସବୁ ଫେରାଇ ଦିଅନ୍ତୁ ମହାମାନ୍ୟ ରାଷ୍ଟ୍ରପତିଙ୍କୁ ।

 

‘କାହିଁକି ? ପୁରସ୍କାର ଫେରାଇବା କଥା କାହିଁକି କହୁଚନ୍ତି ? ପଣ୍ଡିତ ମହାଶୟ ?’ ବିସ୍ମିତ ବୋଇ ହେଡ଼ମାଷ୍ଟର ପଚାରିଲେ ।

 

‘ମୁଁ ସେ ପୁରସ୍କାରର ଯୋଗ୍ୟ ନୁହେଁ । ମୋର ଶିକ୍ଷକ ଜୀବନ ବ୍ୟର୍ଥ ହୋଇ ଯାଇଛି । ମୋଠୁ ଜନ୍ମ ହୋଇ ମୋ ହାତରେ ଗଢ଼ାହୋଇ ବି ମୋ ପୁଅକୁ ମୁଁ ମଣିଷ କରିପାରିନି । ମୁଁ ତେବେ କଣ ଅନ୍ୟ ପିଲାଙ୍କର କିଛି କରି ପାରିଥିବି ? ଅତି ଶାନ୍ତି ଭାବରେ ଭଗବାନସାର୍‌ ଏଇ କେଇପଦ କଥା କହି ଚୁପ ହୋଇଗଲେ । ସେ ବିଶ୍ୱନାଥବାବୁଙ୍କ ପ୍ରତିକ୍ରିୟା ଲକ୍ଷ୍ୟ କରିବା ପାଇଁ ଛିଡ଼ା ହୋଇ ରହିଲେ ନାହିଁ କିମ୍ୱା ତାଙ୍କ ମନ୍ତବ୍ୟକୁ ଅପେକ୍ଷା କଲେ ନାହିଁ । ଧୀରେ ଧୀରେ ପୁଣି ସେ ଫେରିଗଲେ । ହତବାକ୍‌ ବିଶ୍ୱନାଥବାବୁ ବିମୂଢ଼ ବେଦନା ନେଇ ଈଷତ୍‌ କୁବ୍‌ଜ ଭଗବାନ୍‌ସାରଙ୍କ ଅସମର୍ଥ ଓ ଶ୍ଳଥ ପାଦ ପକାଇ ପକାଇ ଫେରି ଯାଉଥିବା ଦିଗକୁ କେବଳ ଚାହିଁ ରହିଲେ । ତାଙ୍କର ମନେ ହେଉଥିଲା ଜଣେ ପରାଜିତ ମଣିଷ ଅନେକ ଗ୍ଳାନି ଓ ଅବସାଦର ବୋଝ ବୋହି ବୋହି ଯେମିତି ଫେରିଯାଉଚି ।

 

ସେ ମାସ ସୁବୋଧନନା ଭଗବାନସାର୍‌ଙ୍କ ପାଖକୁ ପଠାଇଥିବା ମନିଅର୍ଡ଼ର ଫେରସ୍ତ ଆସିଲା । ଚମକି ପଡ଼ିଲେ ସୁବୋଧନନା । ମନିଅର୍ଡ଼ର ଫର୍ମର ପୋଷ୍ଟମାଷ୍ଟର ନାଲି କାଳିରେ ଲେଖିଥିଲେ ପ୍ରାପ୍ତକାରୀ ନେବାକୁ ନାସ୍ତିକଲେ । ସୁବୋଧନନା ସ୍ତବଧ ହୋଇଗଲେ । ପୋଷ୍ଟମ୍ୟାନ ଯିବାପରେ ସୁବୋଧନନା ଆତଙ୍କିତ ଭାବେ ଘର ଭିତରକୁ ଯାଇ ଡାକିଲେ—ଶୋଭନା—

 

ଶୋଭନା ଭାଉଜ ବାଥରୁମ୍‍କୁ ଯାଉଥିଲେ, ଫେରିଆସି କହିଲେ— କଣ ?

 

ଶୋଭନା—ବାପା ଟଙ୍କା ନେଲେ ନାହିଁ—ସୁବୋଧନନାଙ୍କ ପାଟି ଖନି ବାଜି ଯାଉଥିଲା-। ଶୋଭନା ଭାଉଜ କେତେ ସମୟ କଥାଟା ବୁଝିବା ପାଇଁ ସୁବୋଧନନାଙ୍କୁ ସ୍ଥିର ଭାବେ ଚାହିଁ ରହିଲେ । ତାପରେ ଏକ କ୍ଷୀଣ ବିଦ୍ରୁପର ବକ୍ରରେଖା ତାଙ୍କ ପୂରିଲା ଓଠ ଉପରେ ଖେଳିଗଲା-। ସେ ସୁବୋଧନନାଙ୍କ ହାତରୁ ଶହେଟଙ୍କିଆ ନୋଟଟା ଟାଣିନେଇ କହିଲେ ତାଙ୍କର ଦରକାର ନାହିଁ ନେଲେନି—ଏଥିରେ ଏତେ ବିକଳ ହେବାର କଣ ଅଛି ? ମୁଁ ତ ଶୁଣୁଚି ସେ ଆଉ ଖିଆପିଆ କରୁ ନାହାନ୍ତି—ଦିନରେ ଥରେ ମୁଠେ ଅରୁଆଁ ଚାଉଳ ହବିଷ୍ୟ କରୁଚନ୍ତି । ତାଙ୍କର ଟଙ୍କା ଦରକାର କଣ-? ତା’ ଛଡ଼ା ପୂରା ଘରଟା ତ ଭଡ଼ା ଦେଇ ମେସ୍‌ କରିଚନ୍ତି, ଭଡ଼ା ପାଉଚନ୍ତି । ସେ କାହିଁକି ତୁମ ଟଙ୍କାକୁ ଅନେଇବେ । ଯାହାହେଉ ଭଲ ହେଲା । ତୁମେ ଇନଭେଷ୍ଟିଗେସନ ଡିଭିଜନକୁ ଆସିବା ପରେ କେତେ ଯେ ହଇରାଣ ହୋଇ ମୁଁ ଖର୍ଚ୍ଚକାଟ କରୁଚି ସେ କଥା ମୁଁ ଜାଣେ-। ତୁମେ ସେ ସବୁର କିଛି ଖବର ରଖ ? ଜାଣିଚ ଏଇ ପଇସା ଅଭାବରୁ ସୁଲତାନ ବେଗମଙ୍କ ଦୁଧ ବି ବନ୍ଦକରି ଦେଇଚି—ଏଥର ତାଙ୍କ ପାଟିରେ ଦୁଧ ଟିକିଏ ବାଜିବ । ସୁଲତାନ ବେଗମ କିଏ-? ସ୍ୱପ୍ନାବିଷ୍ଟ ଭଳି ସୁବୋଧନନା ପଚାରିଲେ ।

 

ଡୋଣ୍ଟ ବି ସିଲି ସୁଲତାନ ବେଗମ କିଏ ଜାଣିନ ? ଝଙ୍କାର ଦେଇ ଶୋଭନା ଭାଉଜ ଚାଲିଗଲେ ।

 

ସେମାନଙ୍କ ନାମ ଶୁଣି ବାହାରେ ଖେଳୁଥିବା ଯୋଡ଼ିଏ ଆଲସେସିଆନ ଘର ଭିତରକୁ ଦୌଡ଼ିଆସି ପ୍ରଭୁଙ୍କୁ ଛିଡ଼ା ହୋଇଥିବାର ଦେଖି ଖୁସିରେ ଆଁ କରି ଲାଙ୍ଗୁଡ଼ ହଲାଇବାକୁ ଲାଗିଲେ । ସେଇ ବ୍ୟାଦିତ ମୁଖ ଭୀମକାୟ କୁକୁରମାନଙ୍କୁ ଦେଖି ସୁବୋଧନନା ଆତଙ୍କରେ ଶିହରି ଉଠିଲେ । ତାଙ୍କର ମନେହେଲା ଏ ଦୁଇଟି ତାଙ୍କ ସ୍ତ୍ରୀଙ୍କ ସ୍ନେହର ପୋଷା କୁକୁର ନୁହଁନ୍ତି । ଏ ଭୀମକାୟ ଜନ୍ତୁ ଦୁଇଟି ଯେପରି ତାଙ୍କରି ପାପ । ହିଂସ୍ର ଉଲ୍ଲାସରେ ତାଙ୍କରି ବକ୍ଷର ଶୋଷିତ ଆଶରେ ସେମାନେ ଧାଇଁ ଆସିଚନ୍ତି । ସୁବୋଧନନାଙ୍କର ଆଉ ଛିଡ଼ା ହେବାର ଶକ୍ତି ନ ଥିଲା । ସେ ଟଳି ଟଳି ଯାଇ ମୂର୍ଚ୍ଛାହତ ଭାବରେ ବିଛଣାରେ ଗଡ଼ିପଡ଼ିଲେ ।

 

ଏ ଘଟଣାରେ ଭଗବାନସାର୍‌ ବେଶୀଦିନ ଜୀବିତ ରହି ନ ଥିଲେ । ମାଉସୀଙ୍କ ମୃତ୍ୟୁ ପରେ ତାଙ୍କ ସ୍ୱାସ୍ଥ୍ୟ ଭାଙ୍ଗିପଡ଼ିଥିଲା—ତାଙ୍କ ମନରୁ ବଞ୍ଚିବାର ସମସ୍ତ ସ୍ପୃହା ଲୋପ ପାଇ ଯାଇଥିଲା-। ସେଇ ଭଙ୍ଗା ଦେହ ମନ ନେଇ ଭଗବାନସାର୍‌ ଯେଉଁ କୃଚ୍ଛ୍ରସାଧନା ଆରମ୍ଭ କରିଦେଇଥିଲେ ତାକୁ ଦେଖି ସମସ୍ତଙ୍କର ମନେ ହେଉଥିଲା ଭଗବାନସାର୍‌ ତାଙ୍କ ବିଦାୟ ମୁହୂର୍ତ୍ତକୁ ତ୍ୱରାନ୍ୱିତ କରିବା ପାଇଁ ଚାହୁଁଚନ୍ତି । ଶେଷବେଳକୁ ଭଗବାନସାର୍‌ ଆହାର ପ୍ରାୟ ତ୍ୟାଗ କରିଥିଲେ-। ସକାଳେ ଗ୍ଳାସେ ମିଶ୍ରି ସରବତ, ଦ୍ୱି ପ୍ରହରେ ସାମାନ୍ୟ ପରିବା ସିଝା, ସନ୍ଧ୍ୟାବେଳେ ଗ୍ଳାସେ ଦୁଧ–ତାଙ୍କ ଏକମାତ୍ର ଆହାର ଥିଲା । ପଛବେଳକୁ ସେ ଖାଲି ଘର ଗୁଡ଼ାକରେ ମଫସଲରୁ ଆସିଥିବା ୨ । ୩ ଜଣ ଦରିଦ୍ର ଛାତ୍ରଙ୍କୁ ରଖିଥିଲେ । ସେମାନେ ଭଗବାନସାର୍‌ଙ୍କ ଦେଖାଶୁଣା କରୁଥିଲେ-

 

ସେଥର ଦଶହରା ଛୁଟିରେ ମୁଁ ଘରକୁ ଆସି ଭାଗବାନସାର୍‌ଙ୍କ ଅସୁସ୍ଥତା ବିଷୟ ଶୁଣି ତାଙ୍କୁ ଦେଖା କରିବାକୁ ଯାଇଥିଲି । ଭଗବାନସାର୍‌ କାନ୍ଥକୁ ଆଉଜି ଦରଶୁଆ ଅବସ୍ଥାରେ ବସିଥିଲେ-। ମୁଁ ପ୍ରଣାମ କଲି । ଏକ ସ୍ନେହମୟ ପ୍ରଶାନ୍ତ ହସରେ ତାଙ୍କର ଗରାଜୀର୍ଣ୍ଣ ମୁଖମଣ୍ଡଳ ଉଜ୍ଜ୍ୱଳ ହୋଇଗଲା । ଶେଷ ପର୍ଯ୍ୟନ୍ତ ଭଗବାନସାର୍‌ଙ୍କ ଦୃଷ୍ଟି ଓ ଶ୍ରବଣ ଶକ୍ତି ସ୍ୱଚ୍ଛ ଓ ସଚେତନ ଥିଲା । ମୋତେ ଦେଖି ସେମିତି ସ୍ନେହବିଗଳିତ କଣ୍ଠରେ ପଚାରିଲେ—କଣ ବାବା ଛୁଟିରେ ଆସିଚୁ-? ପିଲାମାନେ ସବୁ ଆସିଚନ୍ତି ତ ? ମୁଁ ହଁ କହିଲି । ସେ ଗୋଟି ଗୋଟି ଆମ ପରିବାରର ସମସ୍ତଙ୍କ କୁଶଳ ପଚାରି ବୁଝିଲେ । ତାପରେ କହିଲେ ଶୁଣିଥିଲି ତୋ ବୋଉର ଦେହ ଭଲ ରହୁନାହିଁ ।

 

ମୁଁ କହିଲି ତାର ରକ୍ତଚାପ ବଢ଼ିଯାଇ ସେ ବହୁତ କଷ୍ଟ ପାଉଚି । ସବୁବେଳେ ଶୋଇ ରହୁଚି ।

 

ଭଗବାନସାର୍‌ ବ୍ୟସ୍ତ ହୋଇ କହିଲେ ସେ ରୋଗର ବିଶ୍ରାମ ଆଉ ଉପଯୁକ୍ତ ଚିକିତ୍ସା ଦରକାର । ହେଳାକଲେ ପକ୍ଷାଘାତ ହୋଇଯିବ । ବୟସ ହେଲାଣି ତାଙ୍କର ଯତ୍ନ ନେବା ଦରକାର-। କେହି ବୋହୂ ପାଖରେ ଅଛନ୍ତି ?

 

ମୁଁ କହିଲି—ହଁ ବୋହୂମାନେ ରହି ସେବା ଶୁଶ୍ରୂଷା କରୁଚନ୍ତି । ସେ ବର୍ତ୍ତମାନ ଭଲ ଅଛି-

 

ଭଲ ଭଲ । ଈଶ୍ୱର ତାଙ୍କୁ ଶୀଘ୍ର ଆରୋଗ୍ୟ କରନ୍ତୁ ।

 

ମୁଁ ପଚାରିଲି ସାର୍‌ ଆପଣ ରାମାୟଣ ଅନୁବାଦ କରୁଥିଲେ— ଶେଷ ହେଲାଣି ?

 

ଭଗବାନସାର୍‌ ମୃଦୁ ହସି କହିଲେ ହଁ ଶେଷ ହୋଇ ଯାଇଚି \ ଈଶ୍ୱର ଯେଉଁ କାମ ମୋତେ ଦେଇଥିଲେ ସବୁ ମୁଁ ଶେଷ କରି ଦେଇଚି । ଅବଶ୍ୟ ସେଥିରେ ସଫଳ ହୋଇଚି କି ନା ଜାଣେନା ଯଦି ମୁଁ ଈଶ୍ୱରଙ୍କ କାର୍ଯ୍ୟ କରିବାରେ ବିଫଳ ହୋଇଥାଏ, ତେବେ ତାହା ବୋଧହୁଏ ମଙ୍ଗଳମୟଙ୍କର ଇଚ୍ଛା । ମୁଁ ମୋ କାମ କରିଚି । ଫଳାଫଳ ଉପରେ ମୋର କି ଅଧିକାର ? ଜୀବନର ଅନ୍ତିମ ପାଦରେ ସେଦିନ ଭଗବାନସାର୍‌ଙ୍କ କଥା ଶୁଣି ମୋର ମନେ ହୋଇଥିଲା ଚିରଦିନ କ୍ଷମାଶୀଳ ପଣ୍ଡିତ ଭଗବାନସାର୍‌ଙ୍କର କୌଣସି ଅନୁଶୋଚନା ନାହିଁ । ଆମକୁ ମଣିଷ କରିବା ପାଇଁ ତାଙ୍କର ଏକନିଷ୍ଠ ଉଦ୍ୟମ ଆମଭଳି ଯେଉଁ ଅଯୋଗ୍ୟ ଶିକ୍ଷ୍ୟମାନେ ବ୍ୟର୍ଥ କରି ଦେଇଥିଲେ, ତାଙ୍କର ଏକମାତ୍ର ପୁତ୍ର ଯେ ତାଙ୍କ ଆଦର୍ଶରୁ ବିଚ୍ୟୁତ ହୋଇ ଯାଇଥିଲେ ସେ ସମସ୍ତଙ୍କୁ କ୍ଷମା କରିଚନ୍ତି । ଯାହା ଯିଏ ପଛେ କରନ୍ତୁ ତାକୁ ଈଶ୍ୱରଙ୍କ ଇଚ୍ଛା ଭାବି ସେ ଜୀବନର ହିସାବ ଶେଷ କରି ଦେଇଚନ୍ତି । ତାଙ୍କ ଜୀବନର ସବୁ ଅଙ୍କ ଛିଡ଼ି ଯାଇଚି ।

 

ମୁଁ କହିଲି ସାର୍‌ ଆପଣଙ୍କ ଦେହ ଭଲ ରହୁନି—ସୁବୋଧନନାଙ୍କୁ ସମ୍ୱାଦ ଦିଅଯାଇଚି-? ଭଗବାନସାର୍‌ ମୃଦୁ ହସିଲେ—ଦେହ ଜୀର୍ଣ୍ଣ ହେଲାଣି—ଜୀର୍ଣ୍ଣ ବାସ ପରିତ୍ୟାଗ କରି ନୂତନ ବସ୍ତ୍ର ପରିଧାନ କରିବାର ସମୟ ହେଲାଣି । ଏ ଅବସ୍ଥାରେ ସୁବୋଧକୁ ବିବ୍ରତ କରି ଲାଭ କଣ ? ତା’ପରେ ଭଗବାନସାର୍‌ ଅନେକ ସମୟ ମୋ ମୁଣ୍ଡରେ ସ୍ନେହରେ ହାତ ବୁଲାଇ ମୋତେ ଆଶୀର୍ବାଦ କରି କହିଥିଲେ ଈଶ୍ୱର ତୋର ମଙ୍ଗଳ କରନ୍ତୁ । ସେଇ ମୋର ଭଗବାନସାର୍‌ଙ୍କ ସହ ଶେଷ ଦେଖା । ତାର ଅଳ୍ପ ଦିନ ପରେ ଖବର ପାଇଲି ରାସପୂର୍ଣ୍ଣିମା ଦିନ ଭଗବାନସାର୍‌ ଚାଲିଗଲେ । ସେ ଖବର ପାଇ ମୁଁ ବଡ଼ ଆକୁଳଭାବେ କାନ୍ଦିଥିଲି । ମୋ ସ୍ତ୍ରୀ ପିଲାମାନେ ଜଣେ ପ୍ରାକ୍ତନ ପ୍ରାଥମିକ ଶିକ୍ଷକଙ୍କ ବିୟୋଗରେ ମୋର ଏଭଳି କାନ୍ଦିବା ଦେଖି ସେମାନେ ବିସ୍ମିତ ହୋଇ ଯାଇଥିଲେ । କିନ୍ତୁ ମୁଁ କିପରି ତାଙ୍କୁ ବୁଝାଇଥାନ୍ତି ପଣ୍ଡିତ ଭଗବାନସାର୍‌ କେବଳ ମୋର ପ୍ରାଥମିକ ଶ୍ରେଣୀର ଶିକ୍ଷକ ନ ଥିଲେ, ସେ ଥିଲେ ମୋର ଆଦ୍ୟ ଗୁରୁ । ମୋ ଜୀବନରେ ଯାହାସବୁ ମହତ୍‌ ଗୁଣ ସେସବୁ ମୁଁ ତାଙ୍କରି ପାଦତଳେ ବସି ଶିଖିଥିଲି । ତାଙ୍କୁ ମୁଁ ବୁଝାଇ ପାରି ନ ଥିଲି ଭଗବାନ ସାର୍‌ଙ୍କ ବିୟୋଗରେ ମୁଁ ପିତୃହରା ହୋଇଗଲି । ମୋ ଭଳି ଆହୁରି ଅନେକ କାନ୍ଦିଥିଲେ । ଯେଉଁମାନେ ମଡ଼େଲ ଉ: ପ୍ରା: ସ୍କୁଲରେ ଭଗବାନ ସାର୍‌ଙ୍କ ଛାତ୍ର ଥିଲେ, ଯେଉଁ କ୍ଷଣକ ପାଇଁ ତାଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନେ ସମସ୍ତେ କାନ୍ଦିଥିଲେ । ମୋର ମନେ ହୋଇଥିଲା, ଭଗବାନସାର୍‌ଙ୍କ ବିୟୋଗରେ ଗୋଟିଏ ଯୁଗର ଅବସାନ ହୋଇଗଲା । ହଁ ଗୋଟିଏ ଯୁଗ । ଯେଉଁ ଯୁଗ କେଉଁ ପୁରାକାଳରେ ଆରମ୍ଭ ହୋଇଥିଲା । ଯେଉଁ ଯୁଗରେ ଗୁରୁ ଥିଲେ ଶିକ୍ଷ୍ୟର ଆଦର୍ଶ ପୁରୁଷ, ସେଇ ଯୁଗର ଶେଷ ପ୍ରତୀକ ଗୁରୁ ଚାଲିଯାଇ ସେ ଯୁଗର ସମାପ୍ତି କରିଦେଲେ ।

 

ଖବର ପାଇ ସୁବୋଧନନା ସପରିବାର ଆସି ଭଗବାନସାର୍‌ଙ୍କ ଶେଷକୃତ୍ୟ କରିଥିଲେ-। ଖୁବ୍‌ ଜାକଜମକରେ ତାଙ୍କ ସାମାଜିକ ପ୍ରତିଷ୍ଠାକୁ ଚାହିଁ ଶ୍ରାଦ୍ଧ କରିଥିଲେ । ସହରର ସବୁ ପରିଚିତ ବ୍ୟକ୍ତିଙ୍କୁ ଭୂରି ଭୋଜନରେ ଆପ୍ୟାୟିତ କରିଥିଲେ । କାଙ୍ଗାଳ ଭୋଜନ ଦେଇଥିଲେ-। କୌଣସି କାମରେ ତ୍ରୁଟି ରଖି ନ ଥିଲେ । ଶ୍ରାଦ୍ଧ ଶାନ୍ତି ସରିଲା ପରେ ସୁବୋଧନନାଙ୍କୁ ନିରୋଳାରେ ପାଇ ଆମ ସହରର ମ୍ୟୁନିସିପାଲିଟି ଚେୟାରମ୍ୟାନ ଜୀବନବାବୁ କହିଲେ କିଛି ଯଦି ନ ଭାବିବେ ଗୋଟିଏ କଥା କହିବି ।

 

ଜୀବନବାବୁ ସୁବୋଧନନାଙ୍କ ସହପାଠୀ । ବହୁ ଦିନର ଅନ୍ତରଙ୍ଗତା । ସୁବୋଧନନା କୁହ—ତମ କଥା ଶୁଣି ଭାବିବାର କଣ ଅଛି ।

 

ଜୀବନବାବୁ କିନ୍ତୁ ହଠାତ୍‌ ପ୍ରସ୍ତାବ ନ ଦେଇ ଟିକିଏ ଦୋଦୋ ପାଞ୍ଚ ହେଲେ । ତା’ପରେ ତାଙ୍କ ବକ୍ତବ୍ୟଟାକୁ ସଜାଡ଼ି ନେଇ କହିଲେ—କଥାଟା ଟିକିଏ ଡେଲିକେଟ, ସେଥିପାଇଁ କହିବି କି ନା ବୋଲି ଭାବୁଥିଲି ।

 

କୁହ—ସୁବୋଧନନା ଅଭୟ ଦେଇ କହିଲେ ।

 

ତୁମେ ତ ଜାଣ ସୁବୋଧ । ଆମେ ସବୁ ଯେଉଁମାନେ ଭଗବାନସାର୍‌ଙ୍କ ପାଖେ ପାଠ ପଢ଼ିଚୁ ତାଙ୍କୁ ଖାଲି ଜଣେ ଶିକ୍ଷକ ବୋଲି ଭାବୁ ନ ଥିଲୁ—ସେ ଆମର ହିତୈଷୀ ଗୁରୁ ଥିଲେ—ତୁମ ଭଳି ଆମେ ବି ତାଙ୍କୁ ପିତୃତୁଲ୍ୟ ଜ୍ଞାନ କରୁଥିଲୁ । ସେଥିପାଇଁ ଆମେ ଭାବୁଚୁ ତାଙ୍କର କିଛି ସ୍ମୃତିରକ୍ଷା ବ୍ୟବସ୍ଥା କରନ୍ତେ ।

 

ସୁବୋଧନନା କିଛି ନ କହି କେବଳ ଦୀର୍ଘଶ୍ୱାସ ତ୍ୟାଗ କଲେ ।

 

ଜୀବନବାବୁ ଗମ୍ଭୀର ଭାବେ କହିଲେ—ମୋ ମତ ମଡ଼େଲ ସ୍କୁଲର ନାମ ବଦଳାଇ ଭଗବାନ ଦାଶ ବିଦ୍ୟାପୀଠ କରାଯିବ—ସେଟା ତ ଆମ ସ୍କୁଲ, କାଉନସିଲର ସଂକୀର୍ଣ୍ଣ ଜାଗାରେ ହେଉଚି—ଛୋଟ ସ୍କୁଲଟା ଏବେ ବହୁତ ବଢ଼ିଗଲାଣି । ଘର ନିଅଣ୍ଟ ହେଉଚି—ପିଲାଙ୍କର ଖେଳିବାର ସୁବିଧା ନାହିଁ—ତୁମେ ଯଦି ରାଜି ହୋଇ ତୁମର ଏ ଘରବାରି ପ୍ଲଟଟା ଦାନ କରନ୍ତ ମୁଁ ଏଠିକି ସ୍କୁଲଟା ଉଠାଇ ଆଣନ୍ତି । ତୁମ ପ୍ଲଟକୁ ଲାଗି ମ୍ୟୁନିସିପାଲିଟିର ବି ଗୋଟିଏ ପ୍ଲଟ ଅଛି । ବେଶ୍‌ ପ୍ରଶସ୍ତ ଜାଗା ହୁଅନ୍ତା—କହି ଭଲ ପ୍ଲାନରେ ଗୋଟିଏ ସ୍କୁଲ ହୁଅନ୍ତା । ଜୀବନବାବୁ ସମ୍ମତି ଆଶାରେ ସୁବୋଧନନାଙ୍କୁ ଚାହିଁଲେ ।

 

ସୁବୋଧନନା ସହସା କିଛି ଉତ୍ତର ଦେଲେ ନାହିଁ ।

 

ସୁବୋଧନନାଙ୍କୁ ନିରୁତ୍ତର ଦେଖି ଜୀବନବାବୁ କହିଲେ—ତୁମେ ତ କଟକରେ ଘର କରିଚ ସେଠି ସେଟଲ କରିବ । ଏ ଜାଗାଟା ତୁମର ଦରକାର ନାହିଁ ବୋଲି ମୁଁ କହୁଥିଲି ପ୍ଲିଜ ତୁମେ କିଛି ଭାବିବ ନାହିଁ—

 

ସୁବୋଧନନା କହିଲେ ନା, ନା, ତା ନୁହେଁ ଜୀବନ । ମୁଁ ତୁମ କଥା ଶୁଣି ଅଭିଭୂତ ହୋଇ ଯାଇଥିଲି । ବାପାଙ୍କ ପ୍ରତି ତୁମମାନଙ୍କର ସ୍ନେହ ଓ ଶ୍ରଦ୍ଧା ମୋତେ ବିଚଳିତ କରି ଦେଇଚି । ମୁଁ ତାଙ୍କର ଅଯୋଗ୍ୟ ପୁଅ । ତାଙ୍କର ତର୍ପଣ କରିବାର ଭାଗ୍ୟ ମୋର ଅଛି କିନା ମୁଁ ନିଜେ ବି ଜାଣେନା—ତେବେ ତୁମ କଥାରେ ମୁଁ ଏକମତ । ତୁମ ଦ୍ୱାରା ବାପାଙ୍କର ଯଦି ଏ ସହରରେ ସାମାନ୍ୟ ସ୍ମୃତିରକ୍ଷାର ଉଦ୍ୟମ ହୁଏ ସେ ମୋ ଭାଗ୍ୟ । ତା ପରେ ସୁବୋଧନନା ଆଉ କିଛି କହିପାରି ନ ଥିଲେ । ଏକ ଅଜଣା ଆବେଗର କୋହରେ ତାଙ୍କ ଗଳା ରୁଦ୍ଧ ହୋଇ ଯାଇଥିଲା । ତାଙ୍କ ନିଜ ଅଜାଣତରେ ଦର ଦର ହୋଇ ଅମାନିଆ ଲୁହ ବୋହି ଆସିଥିଲା ଦୁଇ ଆଖିରୁ ।

 

ସୁବୋଧନନା ଡାକବଙ୍ଗଳାକୁ ଫେରିଲେ । ଡାକବଙ୍ଗଳାରେ ଶୋଭନା ଭାଉଜ, ପିଲାମାନେ ଓ ତାଙ୍କ ବାପା ରହୁଥିଲେ । ଶୋଭନା ଭାଉଜ ପିଲାମାନଙ୍କୁ ନେଇ ବୁଲିଯିବା ଭଳି ଦିନବେଳେ ଶ୍ୱଶୁରାଳୟକୁ ଯାଇ କାମ ଦାମ ସାରି ପୁଣି ଡାକବଙ୍ଗଳାକୁ ଫେରି ଆସୁଥିଲେ । ସୁବୋଧବାବୁଙ୍କୁ ଦେଖି ମିଶ୍ର ସାହେବ କହିଲେ—କ’ଣ ସୁବୋଧ ଶୁଣିଲି ତୁମ ସହରର ପୌର ସଂସ୍ଥା ପଣ୍ଡିତଜୀଙ୍କ ସ୍ମୃତି ରକ୍ଷା ପାଇଁ ଭାରି ବ୍ୟାକୁଳ ? କହି ସେ ଟିକିଏ ମୁରୁକି ହସିଲେ ।

 

ସୁବୋଧନନା ସେ କଥାର ଉତ୍ତର ଦେଲେ ନାହିଁ । ତାଙ୍କ ଉତ୍ତରକୁ ଅପେକ୍ଷା ନ କରି ମିଶ୍ର ସାହେବ ପୁଣି କହିଲେ—ଶୁଣିଲି ମ୍ୟୁନିସିପାଲିଟି ଚେୟାରମ୍ୟାନ୍‌ ତୁମ ହୋମଷ୍ଟେଡ଼ଟା ଦାନ କରିବାର ପ୍ରତିଶ୍ରୁତି ତୁମଠୁ ଆଦାୟ କରିନେଇଚନ୍ତି—

 

ସୁବୋଧନନା ତଥାପି କିଛି ଉତ୍ତର ଦେଲେ ନାହିଁ । କେବଳ ତୀକ୍ଷ୍ଣ ଦୃଷ୍ଟିରେ ଥରେ ସେଇଠି ବସିଥିବା କରୁଣାକରବାବୁଙ୍କୁ ଚାହିଁ ପୂର୍ବପରି ଚୁପ ହୋଇ ରହିଲେ । କରୁଣାକରବାବୁ ମିଶ୍ର ସାହେବଙ୍କ ପାଖେ ବସିଥିଲେ—ସୁବୋଧନନାଙ୍କ ଚାହାଁଣି ଦେଖି ଶଙ୍କିଯାଇ କଣ ଯେପରି କହିବାକୁ ଯାଇ ଚେଷ୍ଟାକରି ପାରିଲେ ନାହିଁ । ଖାଲି ଥମଥମ ହୋଇ ରହିଗଲେ । ସେ ସବୁକୁ ଭ୍ରୂକ୍ଷେପ ନକରି ମିଶ୍ର ସାହେବ କହିଲେ, ତୁମ ଚେୟାରମ୍ୟାନ ଫ୍ରେଣ୍ଡଙ୍କର ଏ କି ରକମର ଗୁରୁଭକ୍ତି-। ମୁଁ ବୁଝି ପାରୁନି ସୁବୋଧ—ତୁମେ ତୁମ ମୂଲ୍ୟବାନ୍‌ ହୋମଷ୍ଟେଡ଼ ଦାନକଲେ ତୁମ ପିତାଙ୍କ ଯଦି ସ୍ମୃତି ରକ୍ଷା ହେବ ତେବେ ସେ କାମ ତୁମେ ନିଜେ କରି ପାରିବ । ସେଥିପାଇଁ ତ କାହାରି ସାହାଯ୍ୟ ଦରକାର ନାହିଁ । କଣ କହୁଚ ?

 

ସୁବୋଧନନା କୌଣସି ଉତ୍ତର ଦେଲେ ନାହିଁ ।

 

ମିଶ୍ର ସାହେବ କହିଲେ, ମୋର ମନେ ହେଉଚି, ତୁମ ପିତୃଶୋକ ଜନିତ ଭାବାବେଗର ସୁଯୋଗ ନେଇ ଗୋଟିଏ ମୂଲ୍ୟବାନ୍‌ ସମ୍ପତ୍ତି ହସ୍ତଗତ କରିବା ହେଉଚି ତୁମ ବନ୍ଧୁଙ୍କର ଏକମାତ୍ର ଉଦ୍ଦେଶ୍ୟ ତୁମ ବାପାଙ୍କ ସ୍ମୃତିରକ୍ଷା ଗୋଟାଏ ଆଳ ।

 

ନା—ତା ନୁହେଁ । ଏ ପ୍ରସ୍ତାବ ମୁଁ ପ୍ରଥମେ ଜୀବନକୁ ଦେଇଚି । ଜୀବନ ମୋତେ କିଛି କହି ନ ଥିଲା । ସୁବୋଧନନା ଗମ୍ଭୀରଭାବେ କହିଲେ ।

 

କିନ୍ତୁ କରୁଣାକର...

 

କରୁଣାକରବାବୁ ଆପଣଙ୍କୁ ଭୁଲ୍‌ କଥା କହିଚନ୍ତି । ବାପାଙ୍କ ଘରବାଡ଼ି ମଡ଼େଲ ସ୍କୁଲକୁ ଦାନ କରିବା ପ୍ରସ୍ତାବ ମୁଁ କରିଚି—

 

ନା—ତୁମେ ସେ ଘର ଦାନ କରି ପାରିବନି । ଶୋଭନା ଭାଉଜ ଶାନ୍ତ ଏବଂ ଦୃଢ଼ କଣ୍ଠରେ କହିଲେ । ସୁବୋଧନନା ଶୋଭନା ଭାଉଜଙ୍କ ନିକଟରୁ ଏଭଳି ପ୍ରତିବାଦ ଆଶା କରି ନ ଥିଲେ । ତାଙ୍କ କଥା ଶୁଣି ସେ ଚମକି ପଡ଼ିଲେ; କିନ୍ତୁ ସେଇ ମୁହୂର୍ତ୍ତରେ ଆତ୍ମସ୍ଥ ହୋଇ କହିଲେ—

 

ବାପାଙ୍କର ଘର ତାଙ୍କର ଏକମାତ୍ର ଉତ୍ତରାଧିକାରୀ ଭାବେ ତାକୁ ଦାନ କରିବାର ମୋର ଏକମାତ୍ର ଅଧିକାର । ମୁଁ ତାକୁ ଦାନ କରିବି ।

 

ପୈତୃକ ସମ୍ପତ୍ତିରେ ତୁମଭଳି ସିଦ୍ଧାର୍ଥର ବି ଅଧିକାର ଅଛି । ସେଟା ତ ଆଉ ତୁମ ସ୍ୱଉପାର୍ଜିତ ସମ୍ପତ୍ତି ନୁହେଁ । ତେଣୁ ତୁମେ କେମିତି ଏକା ଏକା ତାକୁ ଦାନ କରିବ, କହି ମିଶ୍ର ସାହେବ ମୃଦୁ ହସିବାକୁ ଲାଗିଲେ । ମିଶ୍ର ସାହେବଙ୍କୁ କୌଣସି ଉତ୍ତର ଦେବା ପାଇଁ ସୁବୋଧନନାଙ୍କ ପ୍ରବୃତ୍ତି ହେଲା ନାହିଁ । ସେ ଚୁପ ହୋଇଗଲେ; କିନ୍ତୁ ଶୋଭନା ଭାଉଜ ଚୁପ୍‌ ହେଲେ ନାହିଁ । ସ୍ପଷ୍ଟ ଅବିଚଳିତ ଭାବେ କହିଲେ—ସେ ଘର ବିକ୍ରି ହବ । କରୁଣାକରବାବୁ ସେଇ ସାମାନ୍ୟ ଘର ଡିହଟା ପାଇଁ ଟ ୨୫, ୦୦୦-୦୦ ଯାଚୁଚନ୍ତି । ତୁମେ ଦାନ କରିବ ବାହାରିଚ ? ପର କଥାରେ ପଡ଼ି ଦାତା ହରିଶ୍ଚନ୍ଦ୍ର ସାଜିବା ବୁଦ୍ଧିମାନ୍‌ ଲୋକର କାମ ନୁହେଁ । ସୁବୋଧନନା କଣ କହିବେ କିଛି ବୁଝି ପାରିଲେ ନାହିଁ । ତାପରେ କହିଲେ, ତୁମ ମୁଣ୍ଡ ଖରାପ ନା କଣ ? କିଏ ତୁମକୁ କହିଲା ସେ ଜାଗା ବିକ୍ରି ହବ ?

 

କେହି କହିନି—ମୁଁ କହୁଚି ସେ ଜାଗା ବିକ୍ରି ହବ । ମୋର ଟଙ୍କା ଦରକାର । ତୁମର କଣ ଖିଆଲ ନାହିଁ । କଟକ ଘର ତିଆରି ଏଯାଏ ଶେଷ ହୋଇନାହିଁ ।

 

କେତେ ଆହୁରି ଖର୍ଚ୍ଚ ବାକି ଅଛି ।

 

ସେଇଥିପାଇଁ ତୁମେ ମୋ ପୈତୃକଭିଟା ବିକିବାକୁ କହୁଚ ।

 

ଶ୍ଳେଷ ମିଶ୍ରିତ ରାଗରେ ଶୋଭନା ଭାଉଜ କହିଲେ—ଏଇନେ ପୈତୃକ ଭିଟା ଦାନ କରିବାକୁ ବାହାରିଚ ? ଉଚିତ୍‌ ଦାମରେ ବିକ୍ରିକଲାବେଳକୁ ଦୋଷ ? ମୁଁ କରୁଣାକରବାବୁଙ୍କୁ କଥା ଦେଇସାରିଚି ।

 

ସୁବୋଧନନା ଏକ ଆହତ ଅଭିମାନରେ ଚୁପ୍‌ ହୋଇଗଲେ । ଏ ସମ୍ୱନ୍ଧରେ ସ୍ତ୍ରୀ ଓ ଶ୍ୱଶୁରଙ୍କ ସହ କୌଣସି ଆଲୋଚନା କରିବା ପାଇଁ ତାଙ୍କର ପ୍ରବୃତ୍ତି ନଥିଲା । ସେ ତାଙ୍କର ଅପରିଣାମଦର୍ଶୀ ସ୍ତ୍ରୀଠାରୁ ଅର୍ଦ୍ଧେକ ମୂଲ୍ୟରେ ନିଜର ଜନ୍ମଭିଟା କିଣିବା ପାଇଁ ଉଦ୍‌ଗ୍ରୀବ ହୋଇ ଏକ ଲୋଭୀ ଶୃଗାଳ ଭଳି ଜୁଳୁଜୁଳୁ କରି ଚାହିଁ ବସିଥିବା କରୁଣାକର ଜେନାଙ୍କୁ କେବଳ ମୂକ ହତାଶାରେ ଚାହିଁ ରହିଲେ ।

 

ଏତେ ଲୋଭ ? ଏତେ ତୀବ୍ର ଅର୍ଥ ଲାଳସା ? ଏତେ ନୀଚ ଓ ସଂକୀର୍ଣ୍ଣ ମନ ଶୋଭନା ଭାଉଜଙ୍କର ?

 

ଏ କଥା ମୋ ପାଖରୁ ଶୁଣି ଆପଣ ହୁଏତ ବିଶ୍ୱାସ କରିପାରୁ ନାହାନ୍ତି । ଜଣେ ଶିକ୍ଷିତା ଓ ଅଭିଜାତ ମହିଳା ଏପରି ଲଜ୍ଜାହୀନ ଭାବେ ଲୋଭୀହେବା ଜଣେ ସମ୍ଭ୍ରାନ୍ତ ଓ ପଦସ୍ଥ ବ୍ୟକ୍ତିଙ୍କ କନ୍ୟା ଓ ସ୍ତ୍ରୀ ଏଭଳି ରୁଚିହୀନ ଭାବେ ସଂକୀର୍ଣ୍ଣତା ପ୍ରକାଶ କରିବା କେହି ବିଶ୍ୱାସ କରିବା କଠିନ । ଏ କଥା ଶୁଣି ମୁଁ ନିଜେ ମଧ୍ୟ ବିଶ୍ୱାସ କରି ନ ଥିଲି । କିନ୍ତୁ କାହାରି ବିଶ୍ୱାସ ଅବିଶ୍ୱାସ କାହାରି ଭଲ ଲାଗିବା ନ ଲାଗିବାକୁ ଶୋଭନା ଭାଉଜ ଅପେକ୍ଷା ରଖୁ ନ ଥିଲେ । ନିଜ ସ୍ୱାର୍ଥ ଛଡ଼ା ଅନ୍ୟ କୌଣସି କଥା ପ୍ରତି ତାଙ୍କର ଧ୍ୟାନ ନଥିଲା । ତାର ଏକମାତ୍ର କାରଣ ଥିଲା ଶୋଭନା ଭାଉଜ ଏକନିଷ୍ଟଭାବେ ଆତ୍ମକୈନ୍ଦ୍ରିକ ଥିଲେ । ଯେଉଁ ପରିବାର ଓ ପରିବେଶରେ ବଢ଼ି ସେ ବଡ଼ ହୋଇଥିଲେ ସେଠାରେ ସ୍ୱାର୍ଥ ଥିଲା ପରମାର୍ଥ—କହିବା ବାହୁଲ୍ୟ ମିଶ୍ର ସାହେବ ଜଣେ ଅସାଧୁ ବ୍ୟକ୍ତି ଥିଲେ । ନିଜର ସ୍ୱାର୍ଥ ପାଇଁ ଅର୍ଥ ପାଇଁ ନୀତି ଅନୀତି ସୁରୁଚି କୁରୁଚି ସୁପଥ କୁପଥର କୌଣସି ବାଛବିଚାର ତାଙ୍କର ନ ଥିଲା । ଅସଦ୍‌ ଉପାୟରେ ଅର୍ଜିତ ଅର୍ଥ ସେ କୌଣସି ସତ୍‌ ଉପାୟରେ ଖର୍ଚ୍ଚ କରୁ ନ ଥିଲେ—ସେ ସମସ୍ତ ନିଜ ପରିବାରବର୍ଗଙ୍କ ପ୍ରୟୋଜନାତିରିକ୍ତ ସୁଖ ସୁବିଧା କ୍ରୟ କରିବାରେ ବ୍ୟୟିତ ହେଉଥିଲା—

 

ମିଶ୍ର ସାହେବଙ୍କ ଭଳି ଶୋଭନା ଭାଉଜ ମଧ୍ୟ ଭାବିଥିଲେ ସିଭିଲ ଇଞ୍ଜିନିୟର ସୁବୋଧ ଦାଶ ନିଜ ବୃତ୍ତିଗତ ସୁଯୋଗ ଦୃଷ୍ଟିର ଶୋଭନା ଭାଉଜ ଅଭ୍ୟସ୍ତ ଥିବା ସମସ୍ତ ସୁଖ ସୁବିଧା ଆହରଣ କରିବାରେ ସମର୍ଥ ହେବେ ।

 

କିନ୍ତୁ ତାଙ୍କ ଅପାରଗତା ତାଙ୍କୁ ଉତ୍‌କ୍ଷିପ୍ତ କରିଥିଲା—ସେ ବୁଝି ପାରିଥିଲେ ସେ ଜଣେ ଅଯୋଗ୍ୟ ପୁରୁଷର ସ୍ତ୍ରୀ ହୋଇ ଏକ ମସ୍ତ ଭୁଲ୍‌ କରିଚନ୍ତି । ତାଙ୍କର ସେଇ ଉପଲବ୍‌ଧି ପ୍ରଥମେ ତାଙ୍କୁ କ୍ରୁଦ୍ଧ କରିଥିଲା ପରେ କାଣ୍ଡଜ୍ଞାନଶୂନ୍ୟ କରିଦେଲା ।

 

ଏକ ସମ୍ପୂର୍ଣ୍ଣ ଭିନ୍ନ ପରିବେଶର ମଣିଷ ହୋଇ ଏକ ସମ୍ପୂର୍ଣ୍ଣ ପରିପନ୍ଥୀ ଆଦର୍ଶରେ ଅନୁପ୍ରାଣିତ ସୁବୋଧ ଦାଶ ଅର୍ଥକୁ କେବେ ପରମାର୍ଥ ଭାବି ନ ଥିଲେ । ସେ ନିଜ ସ୍ତ୍ରୀଙ୍କ ସ୍ୱରୂପ ଦେଖି ଶଙ୍କିତ ହୋଇ ଯାଇଥିଲେ । ସୁବୋଧନନାଙ୍କ ଆଶାଥିଲା ନିଜର ଉଦାରତା ଓ ଦୃଢ଼ ମନୋବଳ ଦ୍ୱାରା ସେ ଶୋଭନା ଭାଉଜଙ୍କୁ ନିଜ ବାଟକୁ ଆଣି ତାଙ୍କ ସହଧର୍ମିଣୀ କରିପାରିବେ । କିନ୍ତୁ ତ୍ରହେ ଏହା ସ୍ପଷ୍ଟ ହୋଇଗଲା ଶୋଭନା ଭାଉଜଙ୍କ ସ୍ୱଭାବ ପରିବର୍ତ୍ତନ ହେବା ଦୂର କଥା—ତାହା ସୁବୋଧନନାଙ୍କ ପ୍ରତିରୋଧ ଯୋଗୁ କାଣ୍ଡଜ୍ଞାନହୀନ ହୋଇ ଯାଇଚି—ସୁବୋଧନନା ବୁଝି ପାରିଥିଲେ ଜୀବନରେ ଯେଉଁ ହଳାହଳ ସେ ଆମନ୍ତ୍ରଣ କରିଚନ୍ତି ତାକୁ ତାଙ୍କୁ ସାରାଜୀବନ କଣ୍ଠରେ ଧାରଣ କରିବାକୁ ହେବ ।

 

କିନ୍ତୁ ସୁବୋଧନନା ତ ମହାଯୋଗୀ ସଦାଶିବ ନୁହନ୍ତି ଯେ ହଳାହଳର ସମସ୍ତ ଜ୍ୱାଳାକୁ ସହ୍ୟ କରି ନୀଳକଣ୍ଠ ହୋଇପାରିବେ—ସେ ବିଷର ତୀବ୍ର ବହନରେ ସାରାଜୀବନ ଜଳିପୋଡ଼ି ଛଟପଟ ହୋଇଚନ୍ତି—ଆଉ ଶୋଭନା ଭାଉଜ ?

 

ଶୋଭନା ଭାଉଜ ମିଶ୍ର ସାହେବଙ୍କ ପରି ବିଶ୍ୱାସ କରୁଥିଲେ ଅର୍ଥଦେଇ ସବୁ କିଣାଯାଇପାରେ—ମାନସମ୍ମାନ ଅୟେସ ଫୂର୍ତ୍ତି ବିଳାସ ଓ ସୁଖ—ଆଉ ସେ ଅର୍ଥ ଉପାର୍ଜନ କରିବାରେ କୌଣସି ନୀତି ନିୟମ ଶୃଙ୍ଖଳା ମାନିବା ପ୍ରୟୋଜନ ନାହିଁ । କିନ୍ତୁ ଶୋଭନା ଭାଉଜ କେବେ ଭାବିପାରି ନ ଥିଲେ ଅର୍ଥ ବଦଳରେ ସବୁ ମିଳେ; କିନ୍ତୁ ସୁଖ ମିଳେନା—ଅର୍ଥ ବଦଳରେ ସୁଖ ଖୋଜିଲେ ଅନର୍ଥ ମିଳେ । ସେଇ କଥା ବୋଧହୁଏ ବୁଝାଇ ଦେବା ପାଇଁ ବିଧାତା ତାଙ୍କ ଜୀବନରେ ଅନେକ ଆଦର୍ଶ ଆଣି ଦେଇଥିଲେ । କିନ୍ତୁ ଶୋଭନା ଭାଉଜ ସେତେବେଳେ ଆଉ ବୁଝିବା ଅବସ୍ଥାରେ ନ ଥିଲେ—ଭଳମନ୍ଦ ବିଚାର କରିବାର ସବୁ ଶକ୍ତି ସେ ସେତେବେଳକୁ ହରାଇ ବସିଥିଲେ ।

 

ଏକଥା ହେବା ଅନେକ ଆଗରୁ ଯେତେବେଳେ ଶୋଭନା ଭାଉଜ ଭାବୁଥିଲେ ସେ ଅନେକ ପ୍ରତିଷ୍ଠାର ଅଧିକାରିଣୀ ସେତେବେଳେ ସେ କେବେ ଭାବି ନ ଥିଲେ ଗୋଟିଏ ୧୨ ବର୍ଷର ଛୋଟିଆ ପିଲା—ତାଙ୍କ ନିଜ ପୁଅ କେବେ ଆସି ତାଙ୍କୁ ସେ ବାଜେ କୈଫିଏତ୍‌ ମାଗିବ ।

 

ସେଦିନ ଶୋଭନା ଭାଉଜ ସିଦ୍ଧାର୍ଥର କଥା ଶୁଣି ବିରକ୍ତ ହୋଇଥିଲେ ଏବଂ ତାର କୁଶିକ୍ଷା ପାଇଁ ଦାୟୀ ତା ବାପାଙ୍କ ଉପରେ କ୍ରୁଦ୍ଧ ହୋଇଥିଲେ । ସିଦ୍ଧାର୍ଥ ସେଦିନ ସ୍କୁଲରୁ ଫେରି ବହି ଖାତା ଫୋପାଡ଼ି ଦେଇ ତରତରରେ ଜଳଖିଆ ଖାଇ ତା କ୍ରିକେଟ ବ୍ୟାଟ୍‌ ଧରି ଖେଳିବା ପାଇଁ ଦୌଡ଼ିଯାଇ ନଥିଲା । ବରଂ ବଡ଼ କ୍ଳାନ୍ତଭାବେ ମୁହଁ ଶୁଖାଇ ଡାଇନିଂ ଚେୟାରରେ ବସିରହିଲା । ତା ଶୁଖିଲା ମୁହଁ ଦେଖି ଶୋଭନା ଭାଉଜ ଚିନ୍ତିତ ଭାବେ ପଚାରିଲେ କିରେ ବାବୁ ଦେହ ଭଲ ଲାଗୁନି କି ?

 

ସିଦ୍ଧାର୍ଥ ତାର ଉତ୍ତର ଦେଇ ନ ଥିଲା । ସେମିତି ଗୁମ୍‌ମାରୀ ବସି ରହିଲା । ସୁବୋଧନନାଙ୍କ ପରି ସିଦ୍ଧାର୍ଥ ମଧ୍ୟ ସ୍ୱଳ୍ପବାକ୍‌ ଥିଲା । ଶୋଭନା ଭାଉଜ ତାଙ୍କର ଆଳିଅଳ ପୁଅକୁ ବାରମ୍ବାର ଗୋଟିଏ କଥା ପଚାରିଲେ ବଡ଼ ସଂକ୍ଷିପ୍ତ ଉତ୍ତର ପାଉଥିଲେ, ସେଇଥି ପାଇଁ ସେ ବିରକ୍ତ ହେଉଥିଲେ । ସିଦ୍ଧାର୍ଥକୁ ନିରୁତ୍ତର ଦେଖି ଶୋଭନା ଭାଉଜ ପାଖକୁ ଆସି ତା କପାଳରେ ହାତ ରଖି କହିଲେ କିରେ ଦେହ ତ ଭଲ ଅଛି । ଏମିତି ମୁହଁ ଶୁଖାଇ ବସିଚୁ କାହିଁକି ? ସିଦ୍ଧାର୍ଥ ତା ମା’କୁ କେତେ ସମୟ ସ୍ଥିର ଦୃଷ୍ଟିରେ ନିରୀକ୍ଷଣ କରି କହିଲା—ମାମି, ଗୋଟିଏ କଥା ପଚାରିବି କହିବୁ ?

 

Unknown

ପଚାର—କି କଥା ?

 

ଆଚ୍ଛା ମାମି, ଡାଡି ଲାଞ୍ଚ ନିଅନ୍ତି ?

 

କିଏ କହିଲା ତୋତେ ଏସବୁ ବାଜେ କଥା ।

 

ମାମି, ଆମ ଘରେ ଯେତେ ସବୁ ଜିନିଷ ଅଛି—ରେଫ୍ରିଜେଟାର, କାର୍‌, ଫର୍ଣ୍ଣିଚାର, ଆମ କୁକୁର, ଗାଈ, ଆମେ ଯେଉଁ ଷ୍ଟାଣ୍ଡାର୍ଡରେ ଚଳୁଚୁ ସେ କ’ଣ ସବୁ ଡାଡିଙ୍କର ଦରମାରୁ ସମ୍ଭବ-?

 

ସିଦ୍ଧାର୍ଥଠାରୁ ଏସବୁ କଥା ଶୁଣିବା ପାଇଁ ଶୋଭନା ଭାଉଜ ପ୍ରସ୍ତୁତ ନଥିଲା ସେ ଚିଡ଼ିଉଠି କହିଲେ—ଚୁପ୍‌କର, ଯେତେ ସବୁ ବାଜେ କଥା କହିବା ଶିଖିଯାଇଚୁ—କିଏ କହିଚି ଏକଥା....

 

ମା’ର ଧମକ ଶୁଣି ସିଦ୍ଧାର୍ଥ ଚୁପ୍‌ ହେଲାନାହିଁ । ନିଜର ଉଦ୍‌ଗତ କୋହକୁ ଚାପି କହିଲା ମୋର ଜଣେ କ୍ଲାସମେଟ କହିଲା—

 

ହଁ, ସ୍କୁଲରେ ଏଇସବୁ ଡିସକସନ୍‌ ହେଉଚି । ତୁ କାହିଁକି ବାଜେ ପିଲାଙ୍କ ସାଙ୍ଗରେ ମିଶୁଚୁ ?

 

ସେ ବାଜେ ପିଲା ନୁହଁ ମାମି, ସେ ବି ଜଣେ ଅଫିସରଙ୍କ ପୁଅ । ସେ ବି ଭଲ ଷ୍ଟୁଡେଣ୍ଟ ।

 

ଓ, ଷ୍ଟପ୍‌ ଇଟ୍‌—ତୁ ଖାଆ । କ’ଣ ଖାଇବୁ ? ସିଙ୍ଗଡା ଖାଇବୁ ? ମୁଁ ନିଜେ ତିଆରି କରିଚି । ତୁ ଭଲପାଉ ବୋଲି ମୁଁ ଫାଷ୍ଟକ୍ଳାସ ସିଙ୍ଗଡ଼ା କରିଚି—ଗରମ ଅଛି ଖା । ସିଦ୍ଧାର୍ଥର ପ୍ରିୟ ସିଙ୍ଗଡ଼ା ସେମିତି ପ୍ଲେଟରେ ପଡ଼ିରହି ଥଣ୍ଡା ହୋଇଗଲା—ଶୋଭନା ଭାଉଜ ଆସି ବ୍ୟସ୍ତ ହେଲେ, ତୋର କଣ ହେଇଚି ସିଦ୍ଧାର୍ଥ, ସିଦ୍ଧାର୍ଥର ସେଇ ଗୋଟିଏ କଥା—ମାମି ତୁମେ କୁହ ମୋ ସାଙ୍ଗ ସତ କହିଲା ନା ମିଛ କହିଲା ।

 

ଶୋଭନା ଭାଉଜ ଭୀଷଣ ଚିଡ଼ି ଉଠି କହିଲେ—ଏସବୁ ଡିସ୍‌କାସନ୍‌ କରିବାପାଇଁ ତୋ ସାଙ୍ଗର କି ଅଧିକାର ? ତା’ ଛଡ଼ା ଯଦି ଆମେ ଘୁଷ ନେଉ ସେଥିରେ କାହାର କଣ କରିବାର ଅଛି-?

 

କିନ୍ତୁ ମାମି—ଲାଞ୍ଚ ନେବା ଅପରାଧ—ଇମ୍‌ରାଲ ।

 

ଓ, ଷ୍ଟପ୍‌ ଇଟ୍‌ ତୁ ଖା ମୋତେ ବିରକ୍ତ କରନା ।

 

ଏଇ ସମୟରେ ଅଫିସରୁ ଫେରି ସୁବୋଧନନା ଘର ଭିତରକୁ ପଶିଆସି ପଚାରିଲେ କଣ ହେଲା—ଏମିତି ପାଟି କରୁଚ କାହିଁକି ?

 

କଣ ହେଲା ? କଣ ହେଇଚି, ତୁମ ପୁଅକୁ ପଚାର ।

 

କଣ ହେଲା ସିଦ୍ଧାର୍ଥ ?

 

ସିଦ୍ଧାର୍ଥ କିଛି ନ କହି ସେମିତି ବସିରହିଲା ।

 

ଶୋଭନା ଭାଉଜ ସୁବୋଧନନାଙ୍କୁ ଦେଖି ବେଶୀ ଚିଡ଼ିଗଲେ । କହିଲେ ଯେତେ କହିଲି ପିଲାଟାକୁ ଡୁନ୍‌ କି ମେୟୋ ଭଳି କିଛି ଗୋଟାଏ ଭଲ ପବ୍ଲିକ୍‌ ସ୍କୁଲରେ ଏଡମିଟ୍‌ କର—ତୁମର ସେଇ ଏକା ଜିଦ୍ ପିଲା ପାଖରେ ରହିଲେ ଭଲ ପଢ଼ିବ । ଖାଲି ଯଦି ସ୍କୁଲରେ ପଢ଼ିଲେ ଶିକ୍ଷା ହେଉଥାନ୍ତା ଆମେ ସବୁ ଲୀମାଟିନ୍‌କୁ କାହିଁକି ଯାଇଥାନ୍ତୁ । ଏଠି କଣ ଇଂଲିସ୍‌ ମିଡିୟମ ସ୍କୁଲ ନଥିଲା ।

 

ଓହୋ କଣ ହେଲା କଥାଟା ମୋତେ କୁହ—ସୁବୋଧନନା ବିରକ୍ତ ହୋଇ କହିଲେ । ତା’ପରେ ସିଦ୍ଧାର୍ଥକୁ କହିଲେ, ଶୁଣ—କଣ ହେଲା ମାମିକୁ କାହିଁକି ବିରକ୍ତ କରୁଚୁ ?

 

ସିଦ୍ଧାର୍ଥ ତା ବାପା ଆଗରେ ଆସି ଠିଆହେଲା । କହିଲା—ମୁଁ ମାମିକୁ ବିରକ୍ତ କରିନି ଡାଡି । ମୁଁ ତାକୁ କହିଲି ମୋତେ ଜଣେ ସାଙ୍ଗ ସ୍କୁଲରେ କହିଲା—ତୋ ଡାଡି ଲାଞ୍ଚ ନିଅନ୍ତି । ସେଇଥିପାଇଁ ତୁମ ଘରେ ଏତେ ଦାମୀ ସୌଖୀନ ଜିନିଷ ଅଛି । ମୁଁ ମାମିକୁ ପଚାରୁଥିଲି ଏ କଣ ସତ ।

 

ସୁବୋଧନନା ସିଦ୍ଧାର୍ଥ କଥା ଶୁଣି କ୍ଷଣକ ପାଇଁ ସ୍ତବ୍‌ଧ ହୋଇଗଲେ—ତାଙ୍କ ମୁହଁ କଳା ପଡ଼ିଗଲା । ସେ ତାଙ୍କୁ ସିଦ୍ଧାର୍ଥ ପାଖରୁ ଲୁଚାଇ ପାରିଲେ ନାହିଁ ।

 

ସିଦ୍ଧାର୍ଥ ଉତ୍କଣ୍ଠିତ ଭାବେ ପଚାରିଲା—ଡାଡି ଏକଥା କଣ ସତ ?

 

ସାଟଅପ୍‌—କହି ସୁବୋଧନନା ଠୋ କିନା ସିଦ୍ଧାର୍ଥ ଗାଲରେ ଗୋଟିଏ ଚାପୁଡ଼ା ବସାଇଦେଇ ନିଜେ ଚମକି ପଡ଼ିଲେ । ଏଁ ସେ ୟେ କଣ କଲେ । ଯାହା ସେ ଜୀବନରେ କରିନଥିଲେ ସେ କଥା କାହିଁକି କଲେ ? ତାଙ୍କର ଇଚ୍ଛା ହେଉଥିଲା ଦୌଡ଼ିଯାଇ ପୁଅକୁ କୁଣ୍ଢାଇ ପକାଇ କହିବେ—ବାପା ମୋତେ କ୍ଷମାକର—ତୋର ବିଶ୍ୱାସଭାଜନ ହେବାର ଯୋଗ୍ୟତା ମୋର ନାହିଁ । କିନ୍ତୁ ସେ ପୁଅକୁ ଚାହିଁ ସ୍ତବ୍‌ଧ ହୋଇଗଲେ—ତାକୁ କ୍ଷମା ମାଗିବାର ସମସ୍ତ ସାହସ ତାଙ୍କର ଲୋପ ପାଇଗଲା—ଆତଙ୍କିତ ସୁବୋଧନନା ଦେଖିଲେ ତାଙ୍କ ଆଗରେ 7th Standard ରେ ପଢ଼ୁଥିବା ୧୨ ବର୍ଷର ପୁଅ ସିଦ୍ଧାର୍ଥ ଠିଆ ହୋଇନି—ତା ସ୍ଥାନରେ ୭୫ ବର୍ଷର ବୃଦ୍ଧ ଶିକ୍ଷକ ପଣ୍ଡିତ ଭଗବାନ ଦାଶ ଛିଡ଼ା ହୋଇ ପଚାରୁଚନ୍ତି—ସୁବୋଧ ସତ କହ ତୁ କଣ ଲାଞ୍ଚ ନେଉଚୁ ?

 

ଶୋଭନା ଭାଉଜ କିଚେନ୍‌କୁ ଯାଇଥିଲେ—ସୁବୋଧନନା କ୍ରୁଦ୍ଧ ଚିତ୍କାର କରି ସିଦ୍ଧାର୍ଥକୁ ଚାପୁଡ଼ାଏ ପକାଇବା ଶୁଣି ଦୌଡ଼ିଆସି ଦେଖିଲେ—ସିଦ୍ଧାର୍ଥ ଛିଡ଼ା ହୋଇଚି ତାର ନରମ ଗୋରା ଗାଲରେ ସୁବୋଧନନାଙ୍କ ତିନୋଟି ଆଙ୍ଗୁଳି ଦାଗ ସାଇ ହୋଇ ବସିଚି । ସେ କାନ୍ଦୁନି ଗୋଟିଏ ପଥର ମୂର୍ତ୍ତି ଭଳି ଭାବଲେଶ ହୀନ ହୋଇ ଛିଡ଼ାହୋଇ ରହିଚି । ଆଉ ତା ଆଗରେ ଠିଆହୋଇ ସୁବୋଧନନା ଭୁତ ଦେଖିବା ଭଳି ଭୟରେ ଠକ୍‌ ଠକ୍‌ ହୋଇ ଥରୁଚନ୍ତି ।

 

ଏସବୁ କ’ଣ ହଉଚି ? କହି ଦୌଡ଼ିଯାଇ ଶୋଭନା ଭାଉଜ ସିଦ୍ଧାର୍ଥକୁ କୁଣ୍ଢାଇ ପକାଇ ଚିତ୍କାର କରି ଉଠିଲେ—ୟେ କଣ କଲ ? କିନ୍ତୁ ସିଦ୍ଧାର୍ଥ ନିଜକୁ ମା’ର ଆଳିଙ୍ଗନରୁ ମୁକ୍ତ କରି ଧୀରେ ଧୀରେ ବାହାରକୁ ଚାଲିଗଲା । ସୁବୋଧନନା ଟଳି ଟଳି ଯାଇ ବାଥ୍‌ରୁମ ଭିତରେ ପଶିଗଲେ ।

 

ସେଦିନ ସନ୍ଧ୍ୟାରେ ସିଦ୍ଧାର୍ଥ ତା ପଢ଼ା ଟେବୁଲ ଉପରେ ମୁଣ୍ଡରଖି ଶୋଇପଡ଼ିଲା—ଶୋଭନା ଭାଉଜ ଯାଇ ତାକୁ ଆଣି ଡିନାର ଟେବୁଲରେ ବସାଇଲେ—ସିଦ୍ଧାର୍ଥ ନିଦ ମଳମଳ ହୋଇ କଣ ଟିକିଏ ଖାଇଯାଇ ଶୋଇ ପଡ଼ିଲା । ସୁବୋଧନନା ଯାଇ ତା ମଶାରି ପକାଇ ତାକୁ ଚଦର ଘୋଡ଼ାଇ ଦେଲେ—ବଡ଼ ଆଲୁଅ ଲିଭାଇ ବେଡଲେମ୍ଫ ଜାଳିଦେଇ ଆସି ଶୋଇଲେ—ସିଦ୍ଧାର୍ଥକୁ ହାତ ଉଠାଇ ମାରିବାପରଠାରୁ ଏକ ତୀବ୍ର ଆତ୍ମଗ୍ଳାନୀରେ ସୁବୋଧନନା ଘାରି ହେଉଥିଲେ । ବୋଧହୁଏ ଶୋଭନା ଭାଉଜଙ୍କର ମଧ୍ୟ ସେହି ଏକ ଦଶା ହୋଇଥିଲା—ସେ ଏକବାର ଚୁପ୍‌ ହୋଇ ଯାଇଥିଲେ ।

 

ତା’ପରଦିନ ସକାଳୁ ସୁବୋଧନନା ଉଠି ସିଦ୍ଧାର୍ଥ ବିଛଣା ପାଖକୁ ଗଲେ । ସିଦ୍ଧାର୍ଥ କାହିଁ-? ସେ ନାହିଁ । ସୁବୋଧନନା ଖୁବ୍‌ ଭୋରରୁ ଉଠନ୍ତି । ସେ ତ କେବେ ଏତେ ଭୋରରୁ ଉଠେନା–ଆଶଙ୍କାରେ ତାଙ୍କ ଛାତି ଥରି ଉଠିଲା—ସେ ବାଥରୁମ ଯାଇ ଦେଖିଲେ ସିଦ୍ଧାର୍ଥ ନାହିଁ—ସେ ପାଟିକରି ଡାକିଲେ ଶୋଭନା ସିଦ୍ଧାର୍ଥ କାହିଁ ?

 

ଶୋଭନା ଭାଉଜ ଚମକି ଉଠିଲେ—ଏଁ ସିଦ୍ଧାର୍ଥ ନାହିଁ ?

 

ନା—କହି ସୁବୋଧନନା ତା’ ଷ୍ଟଡିରୁମକୁ ଦୌଡ଼ିଗଲେ । ସେଠି ସିଦ୍ଧାର୍ଥ ନଥିଲା । ଖଣ୍ଡେ ଛୋଟ କାଗଜ ତା’ ଟେବୁଲ ଉପରେ ଥିଲା ସେଥିରେ ଲେଖାଥିଲା ଡାଡି—ମାମି—ଘରେ ରହିବାକୁ ଆଦୌ ଇଚ୍ଛା ହଉନି—ମୁଁ ଯାଉଚି । ମୋତେ ଖୋଜିବନି । ସିଦ୍ଧାର୍ଥ ।

 

ବାହୁନି କାନ୍ଦି ଉଠିଲେ ଶୋଭନା ଭାଉଜ । ସୁବୋଧନନା ବୋକାଙ୍କ ଭଳି ଛିଡ଼ାହୋଇ ରହିଲେ । କିନ୍ତୁ ବେଶୀ ସମୟ ସେ ଛିଡ଼ା ହୋଇ ରହିଲେ ନାହିଁ । ସିଦ୍ଧାର୍ଥକୁ ଖୋଜିବା ଆରମ୍ଭ କରିଦେଲେ । ରେଡ଼ିଓରେ ଘୋଷଣା ହେଲା । ଖବର କାଗଜରେ ବିଜ୍ଞାପନ ବାହାରିଲା । ବହୁ ପୋଲିସ୍‌ ଷ୍ଟେସନକୁ ଖବର ଗଲା । ଚାରି ଦିନପରେ ଖବର ଆସିଲା ସିଦ୍ଧାର୍ଥ ବିନା ଟିକେଟ ରେଳଯାତ୍ରା ଅପରାଧରେ ଧରାହୋଇ ଖଡ଼ଗପୁର ଜି. ଆର୍‌. ପି. ଲକ୍‌ଅପରେ ଅଛି । ଖବର ପାଇ ସୁବୋଧନନା, ଶୋଭନା ଭାଉଜ ଗାଡ଼ିନେଇ ଛୁଟିଲେ । ହାଜତର ଗୋଟିଏ କୋଣରେ ଚୋର ଗୁଣ୍ଡା ମେଳରେ ମଳିନ ବେଶ ବିମର୍ଷ ମନନେଇ ବସିଥିବା ସିଦ୍ଧାର୍ଥକୁ ନେଇ ଫେରିବା ବେଳେ ଶୋଭନା ଭାଉଜ ଅନେକ କାନ୍ଦିଥିଲେ ।

 

ଫେରିବା ପରେ ସିଦ୍ଧାର୍ଥର ମାନସିକତାରେ ଅନେକ ପରିବର୍ତ୍ତନ ଲକ୍ଷ୍ୟ କଲେ ସୁବୋଧନନା—ସିଦ୍ଧାର୍ଥ ଆଉ ଆଗର ସେ ଫୁର୍ତ୍ତିବାଜ ପିଲା ନ ଥିଲା—ସେ ବିଷାଦଗ୍ରସ୍ତ ଅନ୍ୟମନସ୍କ ହୋଇ ଯାଇଥିଲା । ତାର ସେ ପ୍ରିୟ ପାଠପଢ଼ା ଓ ଖେଳ ବିଷୟରେ ସମ୍ପର୍ଣ୍ଣ ବୀତସ୍ପୃହା ହୋଇ ପଡ଼ିଥିଲା । ତାର କୈଶୋରର କୋମଳ ବ୍ୟକ୍ତିତ୍ୱ ଦ୍ୱିଧାଗ୍ରସ୍ତ ହୋଇଗଲା—ସୁବୋଧନନାଙ୍କ ସତ୍ୟତା ସମ୍ବନ୍ଧରେ ତାର ଏକ ପ୍ରଚଣ୍ଡ ବିଶ୍ୱାସ ଥିଲା । ସେ ବିଶ୍ୱାସର ମୂଳଭିତ୍ତି ତାର ଦୋହଲି ଯାଇଥିଲା—ତଥାପି ସିଦ୍ଧାର୍ଥ ଗୋପନ ମନରେ ଆଶାଥିଲା—ତା ଡାଡି ତାକୁ କହିବେ ସେସବୁ ମିଛ । ମୁଁ ଲାଞ୍ଚ ନିଏନା—ମାମି କହିବେ ମୁଁ ଅସଦ୍‌ ଅର୍ଥ ବ୍ୟବହାର କରେନା—କିନ୍ତୁ ତାର ସେ ଆଶା କେବଳ ଆଶାରେ ରହିଗଲା । ସିଦ୍ଧାର୍ଥ ଦିନକୁ ଦିନ ବେଶୀ ନିଷ୍ପ୍ରଭ ହୋଇଗଲା—ବେଶୀ ଅନ୍ୟମନସ୍କ ହୋଇପଡ଼ିଲା ।

 

ସେ ଦିନ ହଠାତ୍‌ ଟେଲିଫୋନରେ ଦୁଃସମ୍ବାଦଟା ଆସିଲା । ସାଇକେଲରେ ସିଦ୍ଧାର୍ଥ ଆସିବାବେଳେ ଗୋଟାଏ ଟାଉନବସ୍‌ ସହ ଧକ୍‌କା ହୋଇଗଲା—ତିନି ମାସ ସେ ଡାକ୍ତରଖାନାରେ ବ୍ୟାଣ୍ଡେଜ୍‌ ଆବୃତ ହୋଇ ପଡ଼ିରହିବା ପରେ ଡାକ୍ତର ଘୋଷଣା କଲେ ସେ ବିପଦମୁକ୍ତ—ଘରକୁ ଯାଇପାରେ । କିନ୍ତୁ ସିଦ୍ଧାର୍ଥ ତାର ଦୃଷ୍ଟି ଶକ୍ତି ହରାଇ ବସିଥିଲା ।

 

ସୁବୋଧନନା ଡଃ ମିଶ୍ରଙ୍କ ହାତଧରି ପଚାରିଥିଲେ—ସେ କଣ ଆଉ ଦୃଷ୍ଟିଶକ୍ତି ଫେରି ପାଇବନି ?

 

ଡଃ ମିଶ୍ର ଆଶାଦେଇ କହିଲେ—ପାଇବ ନାହିଁ କହିଁକି ? ଆଉ ଗୋଟିଏ ଅପରେସନ୍‌ କଲେ ନିଶ୍ଚୟ ! ସେ ଦେଖିପାରିବ । କିନ୍ତୁ ଅପରେସନ୍‌ଟା କମ୍ପ୍ଲିକେଟେଡ୍‌ । ଏଠାରେ କାହିଁକି ଭାରତରେ କେଉଁଠି କରିବା ନିରାପଦା ନୁହେଁ—ଆପଣ ତାକୁ ଭିଏନା ନେଇଯାଅନ୍ତୁ । ସେ ନିଶ୍ଚୟ ଭଲ ହୋଇଯିବ ।

 

ଭିଏନା ନେବାକୁ ହେବ ? ଅନେକ ଟଙ୍କା ଦରକାର ।

 

ହଁ ୫୦।୬୦ ହଜାର ଟଙ୍କା ଲାଗିପାରେ । ଯୋଗାଡ଼ କରନ୍ତୁ । ତରବର ହେବାର କିଛି ନାହିଁ । ଧୀରେ ସୁସ୍ଥେ ଯିବେ, ଆପଣ ଟଙ୍କା ପଇସା ଠିକ୍‌ କରି ପାସପୋର୍ଟ ଭିସା ନିଅନ୍ତୁ । ମୁଁ ସେଠାକୁ ଲେଖାଲେଖି କରି ସବୁ ଠିକ୍‌ କରୁଚି ।

 

ସେଇ ଆଶା ନେଇ ସୁବୋଧନନା ସିଦ୍ଧାର୍ଥକୁ ଘରକୁ ନେଇ ଆସିଲେ । ଦିନେ ଶୋଭନା ଭାଉଜ କହିଲେ—ତୁମ ପ୍ରୋଭିଡେଣ୍ଡଫଣ୍ଡ ଆଉ ସେଭିଙ୍ଗିସ୍‌ ମିଶି ତ ପ୍ରାୟ ୨୪ ହାଜାର ଟଙ୍କା ହଉଚି—ମୋ ଜୁଏଲାରୀ ବ୍ୟାଙ୍କରେ ମର୍ଟଗେଡ଼ କରିଦିଅ ।

 

ତଥାପି ତ ଆହୁରି ୨୦ । ୨୫ ହଜାର ଟଙ୍କା ଦରକାର ।

 

ଶୋଭନା ଭାଉଜ ଟିକେ ଛେପଢୋକି କହିଲେ, ବାପା ଖବର ଦେଇଚନ୍ତି—ଅଗ୍ରୱାଲ ଟଙ୍କା ଆଡଭାନ୍‌ସ କରିବାକୁ ରାଜି ଅଛି ।

 

ସୁବୋଧନନା ଚୁପ୍‌ ରହିଲେ ।

 

ପ୍ରମୋଦ ଅଗ୍ରୱାଲା ଯଥାସମୟରେ ପହଞ୍ଚି କହିଲା, ‘‘ଆପଣଙ୍କର ଦୁର୍ଭାଗ୍ୟ କଥା ସବୁ ଶୁଣିଚି ସାର୍‌, କ’ଣ କରାଯିବ, ଦୈବ ଉପରେ ତ କାହାରି ହାତ ନାହିଁ; ତେବେ ଆମର ଚେଷ୍ଟା କରିବା କଥା । କୁହନ୍ତୁ ସାର୍‌ ୟୁରୋପ ଯିବାପାଇଁ ଆପଣଙ୍କର କେତେ ଟଙ୍କା ଦରକାର, ମୁଁ ଦେବି । ଆପଣ ସୁବିଧା ହେଲେ ଟଙ୍କା ବିନା ସୁଧରେ ମୋତେ ଫେରସ୍ତ କରିଦେବେ ।’’

 

ସୁବୋଧନନା କହିଲେ—ମୋର ଆଉ ୨୦ ହଜାର ଟଙ୍କା ଦରକାର । ବାକିଟା ମୁଁ ଯୋଗାଡ଼ କରିଚି ।

 

କିଛି ଚିନ୍ତା ନାହିଁ, ମୁଁ ଦେବି । ଚେକ୍‌ ନେଲେ ଅବିକା ଦେବି, କେଶ୍‌ ନେଲେ କାଲି ପଠାଇବି; ତେବେ ଆପଣ କେଶ୍‌ ନେବା ଉଚିତ୍‌ ।

 

ସୁବୋଧନନା ଗୋଟିଏ ଦୀର୍ଘଶ୍ୱାସ ପକାଇ ଚୁପ୍‌ ରହିଲେ ।

 

ଆପଣ କାହିଁକି ଚିନ୍ତା କରୁଚନ୍ତି ସାର୍‌, ଆପଣ ପାସପୋର୍ଟ ଆଣନ୍ତୁ । ଟଙ୍କା ପାଇଁ ମୁଁ ଦାୟୀ—

 

ସୁବୋଧନନା କିଛି କହିଲେ ନାହିଁ ।

 

ଅଗ୍ରୱାଲା ଡ୍ରଇଂରୁମ ଚାରିପଟେ ଥରେ ସତର୍କ ଆଖି ବୁଲାଇ ଆଣି କହିଲା, ‘‘ମୁଁ ବୁଝୁଚି ଆପଣ ଭରସା କରୁ ନାହାନ୍ତି; ତେବେ ମୋ ପାଖରେ ଆଜି ୧୦ ହଜାର ଅଛି ରଖନ୍ତୁ, କହି ସେ ତା ଆଟାଚି ଖୋଲି ଗୋଟିଏ ଶହେ ଟଙ୍କାର ବିଡ଼ା ଟେବୁଲ ଉପରେ ରଖି କହିଲା—ଡ୍ରଆରରେ ରଖି ଦିଅନ୍ତୁ ।’’ ସୁବୋଧନନା ଯନ୍ତ୍ରଚାଳିତ ପରି ନୋଟ ବିଡ଼ାଟାକୁ ଡ୍ରଆର ଭିତରକୁ ପକାଇଦେଲେ । ଅଗ୍ରୱାଲା କହିଲା, ‘‘କାଲି ତ ସାର୍‌ ଗଙ୍ଗାଧର ବ୍ରିଜ୍‌ର ଟେଣ୍ଡାର ମିଟିଂ—’’

 

ସୁବୋଧନନା ଏଥର ପାଟି ଖୋଲି କହିଲେ—ହଁ, କାଲି; ତେବେ କେତେଟା ଆଇଟେମେରେ ମହିନ୍ଦର ସିଂର ଲୋ ରେଟ୍‌ ଅଛି ।

 

ଉତ୍ସାହିତ ହୋଇ ଅଗ୍ରୱାଲା କହିଲା, ‘‘ମୁଁ ଜାଣେ ସାର୍‌ । ସେଥିପାଇଁ ଆପଣଙ୍କୁ ରିକ୍ୟୁଏଷ୍ଟ, ମୋ କେଶଟା ଆପଣ ବେକ କରିବେ—ଆପଣ ବେକ କଲେ ମୋର ନିଶ୍ଚୟ ହବ—ମୁଁ ସାର୍‌ ଲୋକାଲ ପାର୍ଟି । ମୋର ଏକସ୍‌ପିରଏନ୍‌ସ ବେଶୀ । ମୁଁ ଦୁଇଟା କଂକ୍ରିଟ୍‌ ବ୍ରିଜ୍‌ ଠିକ୍‌ ସିଡଲ ଟାଇମରେ କରିଚି—ଆପଣଙ୍କର ମନେଥିବ ସମ୍ବଲପୁର ରୋଡ଼ରେ ଯେଉଁ ବ୍ରିଜିଟା ଚିଫ୍‌ମିନିଷ୍ଟାର ଓପନ୍‌ କଲେ....’’

 

ସୁବୋଧନନା କହିଲେ, ଦେଖିବା—

 

‘‘ଦେଖିବା ନୁହେଁ ସାର୍‌, ଆପଣଙ୍କୁ ଲାଗିଲା । ମହିନ୍ଦର ସିଂ ନୂଆ ପାର୍ଟି, ତାକୁ ପ୍ରଥମେ ଏତେବଡ଼ କାମ ଦବା କଣ ସେଫ୍‌ ହେବ ? କହି ଆଶାଭରା ଉତ୍ସୁକ ଆଖିରେ ଅଗ୍ରଓ୍ୱାଲା ସୁବୋଧନନାଙ୍କ ମୁହଁକୁ ଚାହିଁ ରହିଲା । ତାପରେ କହିଲା—ମୁଁ କାଲି ଶମ୍ଭୁ ହାତରେ ବାକି ଟଙ୍କାଟା ମିଶ୍ର ସାହେବଙ୍କ ପାଖକୁ ପଠାଇବି—ଆପଣ କଲେକ୍ଟ କରିନେବେ—ଶମ୍ଭୁ ମୋ ଭାଇ, ଆପଣ ତ ଚିହ୍ନନ୍ତି ।’’

 

ଅଗ୍ରଓ୍ୱାଲା ଚାଲିଗଲା । ରାତି ହୋଇ ଯାଇଥିଲା । ସୁବୋଧନନା ଶୋଇବାକୁ ଗଲେ । ସୁବୋଧନନା ଶୋଇ ପଡ଼ିଲେ; କିନ୍ତୁ ବାରମ୍ବାର ଦୁଃସ୍ୱପ୍ନ ଦେଖି ତାଙ୍କ ନିଦ ଭାଙ୍ଗିଗଲା । ସେଦିନ କିନ୍ତୁ ଶୋଭନା ଭାଉଜ ବଡ଼ ନିଶ୍ଚିନ୍ତରେ ଶୋଇ ପଡ଼ିଲେ । ବହୁ ଦିନରେ ଦୁଶ୍ଚିନ୍ତା ତାଙ୍କର କଟି ଯାଇଥିଲା । ବହୁ ବିନିଦ୍ର ରଜନୀର ନିଦ ତାଙ୍କୁ ଘାରି ଆସିଲା ।

 

ସିଦ୍ଧାର୍ଥ ଡାକିଲା—ମାମି

 

ନିଦବାଉଳାରେ ଶୋଭନା ଭାଉଜ ଉତ୍ତର ଦେଲେ—ଉଁ

 

ମୁଁ ଭିଏନା ଯିବିନି ମାମି । ତୁମେ ଅଗ୍ରଓ୍ୱାଲା ଟଙ୍କା ଫେରେଇ ଦିଅ ।

 

ଛି, ଏମିତି କହନ୍ତିନି । ଶୋଇପଡ଼ କହି ତା ଉପରେ ହାତ ପକେଇ ଶୋଭନା ଭାଉଜ ନିଘୋଡ଼ ନିଦରେ ଶୋଇପଡ଼ିଲେ ।

 

ନା—ମାମି ମୁଁ ଯିବିନାହିଁ, ପ୍ରତିବାଦ କଲା ସିଦ୍ଧାର୍ଥ ।

 

ଶୋଭନା ଭାଉଜ ସେତେବେଳକୁ ଶୋଇ ପଡ଼ିଥିଲେ । ସିଦ୍ଧାର୍ଥ କୌଣସି ଉତ୍ତର ପାଇଲା ନାହିଁ—ସେ ଡାକିଲା ଡାଡି । ସୁବୋଧନନା ଶୁଣି ପାରିଲେ ନାହିଁ । ହତାଶାରେ ସିଦ୍ଧାର୍ଥର ଦୃଷ୍ଟିହୀନ ଆଖିରୁ ଦୁଇଟୋପା ଲୁହ ବୋହି ଆସିଲା ।

 

ଅନେକ ରାତିରେ ସିଡ଼ିରେ ଗୋଟାଏ ଶବ୍ଦ ଶୁଣି ସୁବୋଧନନା ଚମକି ଉଠିପଡ଼ିଲେ । ଶୋଭନା ଭାଉଜ ବି ଉଠି ଦେଖିଲେ, ତାଙ୍କ ପାଖରେ ସିଦ୍ଧାର୍ଥ ନାହିଁ—ଏ କଣ ସିଡ଼ି ପାଖ ହାର ମୁକୁଳା ! ପାଗଳ ଭଳି ସେମାନେ ଦୌଡ଼ି ଚାଲିଗଲେ । ସିଡ଼ି ଶେଷରେ ସିଦ୍ଧାର୍ଥ ପଡ଼ି ରହିଥିଲା । ଶୋଭନା ଭାଉଜ ତାକୁ କୋଳକୁ ଉଠାଇ ନେଇ କହିଲେ—ଏ କଣ କଲୁ ବାବା ?

 

ବଡ଼ କଷ୍ଟରେ ସିଦ୍ଧାର୍ଥ କହିଲା—ଡାଡିଙ୍କ ପାଖକୁ ଯାଉଥିଲି, ଭୁଲ ଦରଜାରେ ଚାଲି ଆସିଲି ।

 

ତାପରେ ନିଜର ସମସ୍ତ ସାମର୍ଥ୍ୟକୁ ଠୁଳ କରି ସିଦ୍ଧାର୍ଥ କ୍ଷୀଣ ଭାବେ ଡାକିଲା—ଡାଡି ।

 

କଣ ବାବା, କହି ସିଦ୍ଧାର୍ଥର ମୁହଁକୁ ଦୁଇ ହାତରେ ଟେକି ଧରିଲେ ସୁବୋଧନନା ।

 

ମୁଁ ଭିଏନା ଯିବିନି । ଅଗ୍ରଓ୍ୱାଲାକୁ ଟଙ୍କା ଫେରେଇ ଦିଅ । ସେଇ କଥାପଦକ କହି ମାର ଛାତି ଉପରେ ସିଦ୍ଧାର୍ଥ ନିସ୍ପନ୍ଦ ଦେହ ଲୋଟିପଡ଼ିଲା ।

 

ଶୋଭନା ଭାଉଜ ରାତ୍ରିରେ ନିସ୍ତବ୍‌ଧତାକୁ ବିଦୀର୍ଣ୍ଣ କରି ଗୋଟିଏ ଆର୍ତ୍ତ ଚିତ୍କାର କରିଉଠିଲେ । ସେଇ ତାଙ୍କ ପାଗଳାମିର ପ୍ରଥମ ଚିତ୍କାର । ସେ ଚିତ୍କାର ବନ୍ଦ ହେଲା ଅନେକ ଦିନପରେ—ଓଡ଼ିଶାଠାରୁ ଦୂରରେ ଗୋଟିଏ ମାନସିକ ଚିକିତ୍ସାଳୟରେ । ବନ୍ଦ କୋଠରୀ ଭିତରେ ଶୋଭନା ଭାଉଜଙ୍କ ସବୁ ଆର୍ତ୍ତ ପ୍ରଳାପ ଚିରଦିନ ପାଇଁ ନୀରବ ହୋଇ ଯାଇଥିଲା । ସବୁ ବେଦନାର ଜ୍ୱାଳା ଶେଷ ହୋଇ ଯାଇଥିଲା ।

 

ସୁବୋଧନନାଙ୍କ ପାରିବାରିକ ଜୀବନ ବିପର୍ଯ୍ୟସ୍ତ ହୋଇଯାଇଥିଲା । କିନ୍ତୁ ତାଙ୍କ ଜୀବନର ଏହି ଦାରୁଣ ବିପର୍ଯ୍ୟୟର ବିସ୍ତାରିତ ଖବର ଆମେ ଜାଣି ନ ଥିଲୁ । ସେତେବେଳେ ସୁବୋଧନନା ସୁପରିନଟେଣ୍ଡିଂ ଇଞ୍ଜିନିୟର୍‌ ଥିଲେ । ଆମ ସହର ସହିତ ତାଙ୍କର ସମସ୍ତ ସମ୍ପର୍କ ଛିନ୍ନ ହୋଇ ଯାଇଥିଲା । ସେ ଉଚ୍ଚ ପାହ୍ୟାକୁ ପଦୋନ୍ନତି ପାଇଁ ନିଜ ପାଇଁ ଏକ ନିର୍ଦ୍ଦିଷ୍ଟ ପରିସର ସ୍ଥିର କରିନେଇ ଆମ୍ଭମାନଙ୍କଠାରୁ ଦୂରେଇ ଯାଇଥିଲେ । ସୁବୋଧନନା ସେତେବେଳକୁ ଆମ ପାଇଁ ଗୋଟିଏ ଦୂରର ମଣିଷ । ତେଣୁ ତାଙ୍କ ଜୀବନର ସୁଖ ଦୁଃଖ ବିଦାୟ ବିପର୍ଯ୍ୟୟର ଖବର ରଖିବା ଆମ୍ଭମାନଙ୍କ ପକ୍ଷରେ ସମ୍ଭବ ନଥିଲା । ଏ ସବୁ କଥା ମୁଁ ପରେ ଶୁଣିଥିଲି । ସୁବୋଧନନା ମୋତେ ନିଜେ ସବୁ କଥା କହିଥିଲେ । ସେତେବେଳକୁ ତାଙ୍କ ଜୀବନର ବିପର୍ଯ୍ୟୟ ଆହୁରି ଘନୀଭୂତ ହୋଇ ସାରିଥିଲା । ଜୀବନର ପଶାଖେଳରେ ହାରିଯାଇଥିବା ଜଣେ ପରାଜିତ ଖେଳାଳି ଭଳି ପୁଣି ନୂଆ ଖେଳ ଆରମ୍ଭ କରି ବାଜି ଜିତିବା ଆଶା ନେଇ ବସିରହିଥିଲେ ।

 

ତାଙ୍କ ଜୀବନର ବିଷଣ୍ଣ ଗୋଧୂଳିର ଏକ ଛାୟାଚ୍ଛନ୍ନ ମୁହୂର୍ତ୍ତରେ ମୁଁ ମୋ କୈଶାରର ପରମାତ୍ମୀୟ ସୁବୋଧନନାଙ୍କ ପାଖରୁ ତାଙ୍କ ଜୀବନର ସବୁ ଟିକିନିଖି କଥା ଶୁଣିଥିଲି । ତାଙ୍କ କରୁଣ ଜୀବନର କାହାଣୀ ଶୁଣିବା ପାଇଁ ମୁଁ ଉପଯାଚକ ହୋଇ ଯାଇ ନଥିଲି । ସେ ମୋତେ ଡକାଇଥିଲେ । ସେ କଥା ମୁଁ ପରେ କହିବି । ତା ପୂର୍ବରୁ ମୋତେ ଆଉ ଜଣକ କଥା କହିବାକୁ ହେବ । ନ ହେଲେ ଏ କାହାଣୀ ସୁବୋଧନନାଙ୍କ ଜୀବନର କାହାଣୀ ଅସମ୍ପୂର୍ଣ୍ଣ ରହିଯିବ ।

 

ସୁବୋଧନନାଙ୍କ ପାରିବାରିକ ଜୀବନର ସମସ୍ତ ବିପର୍ଯ୍ୟୟକୁ ଉପେକ୍ଷା କରି ଗୋଟିଏ ଜୀବନ ସମସ୍ତଙ୍କ ଅଲକ୍ଷ୍ୟରେ ସ୍ୱାଭାବିକ ରୀତିରେ ବଢ଼ି ଉଠିଥିଲା । ଠିକ୍‌ ଯେମିତି ଏକ ପରିତ୍ୟକ୍ତ ଉଦ୍ୟାନରେ ପ୍ରକୃତିର ସାମାନ୍ୟ ସହାୟତାରେ ଏକ ରଜନୀଗନ୍ଧା ବୁଦା ସବୁଜ ସତେଜ ହୋଇ ବଢ଼ି ଉଠି ତାର ସୁସ୍ପଷ୍ଟ ବୃନ୍ତରେ ଅନେକ ଶୁଭ୍ର ସୁବାସିତ ଫୁଲରେ ମଣ୍ଡି ହୋଇ ରହିଥାଏ । ସେ ସୁବୋଧନନାଙ୍କ ଝିଅ ଶ୍ୱେତପଦ୍ମା । ଶ୍ୱେତପଦ୍ମା ସିଦ୍ଧାର୍ଥ ଠାରୁ ଦୁଇବର୍ଷ ସାନ—କୈଶାରରେ ଶ୍ୱେତପଦ୍ମା ଏକ ନିଦାରୁଣ ଆଘାତ ପାଇଥିଲା । ତାର ଏକମାତ୍ର ଭାଇକୁ ସେ ଅକାଳରେ ହରାଇଥିଲା ସେଇ ଶୋକରେ ମା ଉନ୍ମାଦ ହୋଇଗଲେ । ଯେଉଁ ବୟସରେ ଗୋଟିଏ ଝିଅର ମାର ସ୍ନେହ ଆଦର ସବୁଠାରୁ ବେଶୀ ପ୍ରୟୋଜନ ସେ ବୟସରେ ସେ ମାତୃହରା ହୋଇଗଲା—ଚିରଦିନ ସ୍ୱଳ୍ପବାକ୍‌ ଓ ଗମ୍ଭୀର ତା ବାପା ପରେ ଆହୁରି ଉଦାସ ଓ ବିଷଣ୍ଣ ହୋଇଗଲେ । ମାତୃହରା ଏକମାତ୍ର କନ୍ୟାକୁ ଲାଳନ କରିବା, ତାର ତତ୍ତ୍ୱ ନେବା ତାଙ୍କ ପକ୍ଷେ ଅସମ୍ଭବ ହୋଇପଡ଼ିଲା । ସେ ବାଧ୍ୟହୋଇ ପଦ୍ମାକୁ ହଷ୍ଟେଲରେ ରଖିଲେ । ସେ ହଷ୍ଟେଲକୁ ପ୍ରାୟ ସୁବୋଧନନା ଯାନ୍ତି ପଦ୍ମାର ସବୁ ଖବର ବୁଝନ୍ତି । ତାର କିଛି ଅଭାବ ରଖନ୍ତି ନାହିଁ—ତଥାପି ବାପ ଝିଅଙ୍କ ଭିତରେ ଦୂରତ୍ୱ କ୍ରମେ ବଢ଼ିବାକୁ ଲାଗିଲା ସିନା କମିଲା ନାହିଁ । ଏ କଥା ଉଭୟେ ବୁଝୁଥିଲେ କିନ୍ତୁ ଉପାୟ ନଥିଲା । ସେ ଦୂରତ୍ୱ କମାଇବାର—ମାର ସ୍ନେହରୁ ବଞ୍ଚିତ ହୋଇ ବାପାଙ୍କ ସ୍ନାନିଧ୍ୟରୁ ଦୂରରେ ରହି ସେହି ପିଲାଦିନୁ ଶ୍ୱେତାପଦ୍ମା ବି ଉଦାସ ହୋଇ ଯାଇଥିଲା—ତାର ଦୁଇ ହରିଣୀ ଆଖିର ଉଦାସ ଛାୟା ପଡ଼ି ଶ୍ୱେତପଦ୍ମାର ଅନିନ୍ଦ୍ୟ ରୂପ ଏକ ଉଦାର ଗାମ୍ଭୀର୍ଯ୍ୟରେ ଆବୃତ ହୋଇ ରହୁଥିଲା ।

 

ସେଇ ଝିଅ ଶ୍ୱେତାପଦ୍ମା ଦିନେ ଖୁସି ଝଲମଲ ହୋଇ ଆସି କହିଲା—‘‘ଡାଡି, ଆମ ରେଜାଲଟ୍‌ ବାହାରିଚି—ଜାଣିଲଣି ।’’

 

ସୁବୋଧନନା ଫାଇଲ ଦେଖୁଥିଲେ—ପଦ୍ମା କଥାରେ ଫାଇଲରୁ ମୁହଁ ଉଠାଇ ଚଶମାଟା ଖୋଲି ଟେବୁଲ ଉପରେ ରଖି କହିଲେ, ‘‘ନା ତ ମା—‘‘ତୁମେ କିଛି ଖବର ରଖନି ତ । ଅଭିମାନଭରା ଗଳାରେ, ଶ୍ୱେତପଦ୍ମା ତା ଡାଡିଙ୍କ ପାଖକୁ ଘୁଞ୍ଚି ଆସିଲା ।’’ ସୁବୋଧନନା ଚେୟାରରୁ ଉଠିପଡ଼ି କହିଲେ—ମୁଁ ଆଜିକାଲି ସବୁ ଭୁଲିଯାଉଚି । ରହ ଅବିକା ଯାଇ ବୋର୍ଡରୁ ତୋ result ବୁଝି ଆସୁଚି ।

 

ଡାଡିଙ୍କ କଥାରେ ପଦ୍ମା ଫିକ୍‌କିନା ହସି କହିଲା—ତୁମକୁ ଆଉ ଯିବାକୁ ହବନି । ମୁଁ result ଜାଣି ସାରିଲିଣି, ମୋତେ ମୋ ସାଙ୍ଗ ସୁନୀତା ଫୋନ୍‌ କରିଥିଲା ।

 

ଜାଣିଲୁଣି—କହୁନୁ ଯେ—ଉତ୍ସୁକ ଭାବେ ସୁବୋଧନନା କହିଲେ । ମୋର ବେଷ୍ଟ ଟେନ ଭିତରେ ପୋଜିସନ୍‌ ଅଛି ଡାଡି—କହି ଶ୍ୱେତପଦ୍ମା ସୁବୋଧନନାଙ୍କ ଛାତିରେ ମୁହଁ ଗୁଞ୍ଜିଦେଲା । ସୁବୋଧନନା ଏ ସୁଖବର ଶୁଣି ଉଲ୍ଳସିତ ହୋଇ ଉଠିଥିଲେ ମଧ୍ୟ କିଛି ଉଚ୍ଛ୍ୱାସ ପ୍ରକାଶ କଲେନାହିଁ । ତାଙ୍କର ମନେପଡ଼ିଲା ତାଙ୍କର ଯେଉଁଦିନ ମାଟ୍ରିକ୍‌ ଫଳ ବାହାରିଥିଲା—କେତେ ଖୁସିର କଳରୋଳ ପଡ଼ି ନଥିଲା । ଖୁସିରେ ଆତ୍ମହରା ହୋଇଯାଇଥିଲେ ତାଙ୍କ ବାପା ଆଉ ବୋଉ; କିନ୍ତୁ ପଦ୍ମାର ଏ ଗୌରବରେ ଆତ୍ମହରା ହେବାପାଇଁ ତାଙ୍କ ଛଡ଼ା କେହି ନାହିଁ । ସୁବୋଧନନା ଗଭୀର ସ୍ନେହରେ ପଦ୍ମାର ଟିକି ମଥାଟିକୁ ଛାତି ଉପରେ ଚାପିଧରି ଅନେକ ସମୟ ଛିଡ଼ା ହୋଇ ରହିଲେ । ଅନେକ ସମୟ ସେ ନିଜ ରକ୍ତର ଉଷ୍ଣତା ନୂଆକରି ନିଜ ଧମନୀରେ ଅନୁଭବ କଲେ । ମା’ ତୁ କଣ ପଢ଼ିବୁ ? ଆର୍ଟସ ନା ସାଏନ୍‌ସ । ସୁବୋଧନନା ପଦ୍ମାର କେଶକୁ ସାଉଁଳାଇ ସାଉଁଳାଇ ପଚାରିଲେ ।

 

ମୁଁ ସାଏନ୍‌ସ ପଢ଼ିବି ଡାଡି—ତୁମେ ମୋର ମେଡିକାଲ କେରିଆର କଥା ଭୁଲି ଯାଉଚ–

 

ନା—ନା ଭୁଲିବି କାହିଁକି ? ଭାବିଲି କାଳେ ତୁ ନିଜେ ମତପରିବର୍ତ୍ତନ କରିଥିବୁ ।

 

ସେଇ ଝିଅ ଶ୍ୱେତପଦ୍ମା—ସେମିତି କୃତିତ୍ୱ ସହକାରେ I.Sc. ପାଶ୍ କରି ମେଡିକାଲ କଲେଜରେ ନାମ ଲେଖାଇଥିଲା । ତାଙ୍କର ଏକମାତ୍ର ଦାୟଦ ଶ୍ୱେତପଦ୍ମା ପାଇଁ ସୁବୋଧନନାଙ୍କର କୌଣସି ଦୁଶ୍ଚିନ୍ତା ନଥିଲା । ତାଙ୍କ ଜୀବନର ସମସ୍ତ ନିରାଶା ଭିତରେ ଏକମାତ୍ର ଆଶାର ଦୀପ୍ତ ତାରା ଭଳି ଶ୍ୱେତପଦ୍ମାକୁ ଚାହିଁ ସୁବୋଧନନା ଅନେକ ଦୁଃଖ, ଅନେକ ଆଘାତ ଭୁଲିବାକୁ ଚାହିଁଥିଲେ । କିନ୍ତୁ ଜୀବନ ସୁବୋଧନନାଙ୍କୁ ଆଘାତ ପରେ ଆଘାତ ଦେବାକୁ ଭୁଲି ନଥିଲା । ଚିଫ୍‌ ଇଞ୍ଜିନିୟର ହେବାପରେ ସୁବୋଧନନା ଦୁର୍ନୀତି ଅଭିଯୋଗରେ ସସ୍‌ପେଣ୍ଡ ହେଲେ । ଦିନେ ରାତି ପାହିଲା ବେଳକୁ ଗୋଟିଏ ପୋଲିସ୍‌ ଟ୍ରୁପ୍‌ କେରିଆର ଆସି ତାଙ୍କ ଘର ପାଖରେ ବ୍ରେକ୍‌ ଦେଲା । ଦଳେ ଲୁହାଟୋପି ପିନ୍ଧି ହାତରେ ବାଡ଼ି ଧରିଥିବା ପୋଲିସ୍‌ ସେଇ ଗାଡ଼ି ଭିତରୁ ଖପ୍‌ଖାପ୍‌ ଡେଇଁପଡ଼ି ଆଖିପିଛୁଳାକେ ତାଙ୍କ ଘର ଘେରାଉ କରିଦେଲେ । ତା ପରେ ସି. ବି. ଆଇର ଅଫିସରମାନେ ଜଣେ ମାଜିଷ୍ଟେଟ୍‌ଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ତାଙ୍କ ଘର ଖାନତଲାସ କଲେ । ନିଜର ପ୍ରଦର୍ଶିତ ଆୟ ତୁଳନାରେ ଅତ୍ୟଧିକ ସମ୍ପଦ ଠୁଳ କରିବାର ଅଭିଯୋଗ ହେଲା ସୁବୋଧ ଦାଶଙ୍କ ବିରୁଦ୍ଧରେ । ବହୁତ ଦିନ ତଦନ୍ତ ଚାଲିବା ପରେ ସି. ବି. ଆଇ ତାଙ୍କ ବିରୁଦ୍ଧରେ ଦୁର୍ନୀତି ନିବାରଣ ଆଇନ ବଳରେ ସ୍ପେସାଲ ଜର୍ଜଙ୍କ କୋର୍ଟରେ ଚାର୍ଯ୍ୟସିଟ୍‌ ଦାଖଲ କଲେ—ଏ ଖବର ଖବରକାଗଜ ଓ ରେଡିଓ ମାଧ୍ୟମରେ ସାରା ରାଜ୍ୟରେ ଏକ ଆଲୋଡ଼ନ ସୃଷ୍ଟି ହୋଇଗଲା ।

 

ସୁବୋଧନନା ପଦ୍ମାକୁ କିଛି ଜଣାଇ ନ ଥିଲେ । କିନ୍ତୁ ସେ ଖବର ପଦ୍ମା ସେଇଦିନ ଶୁଣିବା ପରେ ସେ କ୍ଲାସ ମିସ୍‌ କରି ଘରକୁ ଚାଲିଆସିଲା । ପଦ୍ମା ଘରେ ପହଞ୍ଚିଲା ବେଳକୁ ସୁବୋଧନନା ସ୍ଥାଣୁ ଭଳି ଗୋଟିଏ ଇଜିଚେୟାରରେ ଅର୍ଦ୍ଧଶାୟତ ଅବସ୍ଥାରେ ପଡ଼ିରହିଥିଲେ । ବିରାଟ ଟାଇପ୍‌ ଏଇଟ୍‌ କ୍ୱାଟରଟା ଖାଁ ଖାଁ ହେଉଥିଲା—କେହି କୁଆଡ଼େ ନ ଥିଲେ । ଡ୍ରାଇଭର, ମାଳୀ, ଚପ୍ରାସୀ, ପି.ଏ ସମସ୍ତେ ଅନ୍ତେର୍ଦ୍ଧାନ ହୋଇ ଯାଇଥିଲେ । କେବଳ ବହୁଦିନର ପୁରୁଣା ପୂଝାରୀ ହରିବନ୍ଧୁ କାନ୍ଥକୁ ଆଉଜି ସ୍ଥାଣୁଭଳି ଠିଆ ହୋଇ ରହିଥିଲା ।

 

ସକାଳୁ ନିଦରୁ ଉଠିବା ଆଗରୁ କୋଠିରେ ଲଙ୍କାକାଣ୍ଡ ଆରମ୍ଭ ହୋଇଯାଇଥିଲା । ପୋଲିସବାଲା ସବୁ ଟ୍ରଙ୍କ ବାକ୍‌ସ ଆଲମାରୀ ସୁଟ୍‌କେଶ ଖୋଲି ଘଣ୍ଟାଘଣ୍ଟି କରିଥିଲେ । ଦୀର୍ଘ ସମୟଧରି ଚାଲିଥିଲା ତାଙ୍କ ତଲ୍ଲାସୀ—କୋଠି ସାମ୍ନା ରାସ୍ତାରେ କୌତୂହଳୀ ଜନତାଙ୍କ ଭିଡ଼ ଜମି ଉଠିଥିଲା । ସୁବୋଧ ଦାଶ ରାତିରେ ପିନ୍ଧିଥିବା ଧୋତି ଗଞ୍ଜି ପିନ୍ଧି ଠିଆ ହୋଇ ରହିଥିଲେ—ହାଡ଼ିବନ୍ଧୁ ଏ ଗୋଳମାଳ ଭିତରେ ବି ନିଜ ବୁଦ୍ଧି ଖର୍ଚ୍ଚକରି କପେ ଚା ସାହେବଙ୍କୁ ଦେଇଥିଲା—ଅନେକ ସମୟ ସାହେବ କପ୍‌ଟା ଧରିଥିଲେ ପିଇଲେ କି’ନା କିଏ ଜାଣେ ? ତାପରେ ପୋଲିସ୍‌ବାଲା ଚାଲିଗଲେ । କିନ୍ତୁ ହାଡ଼ିବନ୍ଧୁ ସାହେବଙ୍କ ଆଗକୁ ଯିବାକୁ ସାହସ କଲା ନାହିଁ କିମ୍ବା ସେ ମଧ୍ୟ ତାକୁ ଡାକିଲେ ନାହିଁ । ଚୁପ୍‌ଚାପ୍‌ ଗୁମ୍‌ ମାରି ବସିରହିଲେ—ସେ ଭିତରେ ଅନେକ ଥର ଫୋନ୍‌ ବି ହେଲା—ସାହେବ ଉଠି ଫୋନ୍‌ ଧରିଲେ ନାହିଁ । କେତେ ସମୟ ପରେ ଉଠିଯାଇ ରିସିଭ୍‌ରଟା ଆଉଟ୍‌ କରିଦେଲେ । ତା ପରେ ସବୁ ଚୁପ୍‌ଚାପ୍‌ । ଶ୍ୱେତପଦ୍ମା ଆସି ଦେଖିଲା କବାଟ ବନ୍ଦ । କଲିଂବେଲ ଚିପିଲା । କେହି ଆସି ସଦର ଦରଜା ଖୋଲିଲେ ନାହିଁ । ତେଣୁ ସେ ବାଧ୍ୟ ହୋଇ ବାରିପଟେ ବୁଲିଯାଇ ଦେଖିଲା—ବାପା ଡାଇନିଂ ରୁମରେ ଗୋଟିଏ ଇଜିଚେୟାରରେ ଗୁମମାରି ବସିଚନ୍ତି । ଆଉ ତାଙ୍କୁ ଉଢ଼ାଳକରି କାନ୍ଥକୁ ଆଉଜି ହାଡ଼ିବନ୍ଧୁ ଠିଆହୋଇ ରହିଚି । ଘରର ସବୁ ଜିନିଷ ଖେଳାଖେଳି ହୋଇ ପଡ଼ିଚି । ଘରର ସବୁ ଦାମିକା ଜିନିଷ ରେଡ଼ିଓ, ଟେପରେକର୍ଡ଼ର, ଘଡ଼ି ଏପରିକି ଗ୍ୟାସ ଷ୍ଟୋଭ୍‌, ପ୍ରେସାର କୁକର ସମେତ ସବୁ ଗୋଟିଏ ଜାଗାରେ ରଖା ଯାଇଚି । ବୋଧହୁଏ ପୋଲିସ୍‌ବାଲା ସିଜାରଲିଷ୍ଟ କରି ପୁଣି ଜିମା ନାମାରେ ରଖି ଯାଇଚନ୍ତି ।

 

ପଦ୍ମାକୁ ଦେଖି ସୁବୋଧନନା କେତେ ସମୟ ତାକୁ ସ୍ଥିର ଦୃଷ୍ଟିରେ ଚାହିଁଲେ, କିଛି କହିଲେ ନାହିଁ । ଏକ ରୁଦ୍ଧ ଆବେଗରେ ତାଙ୍କ ସାରାଦେହ ଥରି ଉଠିଲା । ତାପରେ ସେ ତଳକୁ ମୁହଁ ପୋତିଲେ । ପଦ୍ମା ସୁବୋଧନନା ଟେନ୍‌ସନ୍‌ ଉପଲବ୍‌ଧି କରି ପାରିଥିଲା । ସେ ଦୌଡ଼ିଯାଇ ଡାଡିଙ୍କୁ କୁଣ୍ଢାଇ ପକାଇଲା ନାହିଁ କିମ୍ବା କାନ୍ଦି ଉଠିଲା ନାହିଁ । ସେ ବୁଝିପାରିଥିଲା ସେ କୌଣସି ପ୍ରକାର ଅସ୍ଥିରତା ପ୍ରକାଶ କଲେ ଡାଡି ଧୈର୍ଯ୍ୟ ହରାଇ ପକାଇବେ । ତା ପରିବର୍ତ୍ତେ ନିଜକୁ ସମ୍ବରଣ କରି ପଦ୍ମା ହାଡ଼ିବନ୍ଧୁକୁ ଡାକି କହିଲା—ହାଡ଼ିବନ୍ଧୁ ଜଲଦି ଦୁଇ କପ୍‌ ଚା କର । ତାପରେ ରୋଷାଇ ବସାଅ । ପଦ୍ମା କଥା ଶୁଣି ସୁବୋଧନନା କଥା କହିଲେ—ତାକୁ ପଚାରିଲେ ତୁ ଖାଇ ଆସିଚୁ ତ ମା ?

 

ଉହୁଁ ଖାଇଲି କେତେବେଳେ ?

 

ସୁବୋଧନନା ବ୍ୟସ୍ତ ହୋଇ କହିଲେ—ହାଡ଼ିବନ୍ଧୁ, ଦେଖ ତ ଫ୍ରିଜରେ କଣ ଅଛି—ତୁ ନ ଖାଇ ନ ପିଇ କାହିଁକି ଏ ଖରାଟାରେ ଦୌଡ଼ି ଚାଲିଆସିଲୁ ?

 

ପଦ୍ମା କହିଲା—ତୁମେ ବ୍ୟସ୍ତ ହୁଅନି ଡାଡି—ମୁଁ ଆଗେ କପେ ଚା ଖାଉଚି । ତାପରେ ଭାତ ଖାଇବି ଆଉ କିଛି ଖାଇବିନି ।

 

ଶ୍ୱେତପଦ୍ମା ଆସିବା ପରେ ସୁବୋଧନନା ନିଜକୁ ସଜାଡ଼ି ନେବାର ସାହାସ ସଞ୍ଚୟ କରିଥିଲେ—ସେ ଉଠି ଗାଧୁଆ ପାଧୁଆ କରିଥିଲେ—ଠାକୁର ପୂଜା କରିଥିଲେ । ତାପରେ ଝିଅକୁ ପାଖରେ ବସାଇ ଖାଇଥିଲେ । ଶ୍ୱେତପଦ୍ମା ତାଙ୍କୁ ଜୋର କରି ଶୋଇବାକୁ ପଠାଇଦେଇ ନିଜେ ହାଡ଼ିବନ୍ଧୁ ସାଙ୍ଗେ ମିଶି ଖାନତଲାସି ପରେ ଛିନ୍ନଛତ୍ର ହୋଇ ପଡ଼ିଥିବା ଜିନିଷପତ୍ର ସବୁ ସଜାଡ଼ି ରଖିଥିଲା । ସନ୍ଧ୍ୟାବେଳକୁ ସୁବୋଧ ଦାଶଙ୍କ ଗୃହସ୍ଥଳୀ ପୁଣି ସ୍ୱାଭାବିକ ହୋଇ ଯାଇଥିଲା ।

 

ଶ୍ୱେତପଦ୍ମା ଡାଡିଙ୍କ ପାଖରେ ଦୁଇ ଦିନ ରହିଥିଲା । ସେ ବୁଝିଥିଲା ଏ ଆଘାତ ସହ୍ୟ କରିବା ପାଇଁ ତାର ସାନ୍ନଧ୍ୟ ଡାଡିଙ୍କ ପକ୍ଷେ ଅପରିହାର୍ଯ୍ୟ । ଦୁଇଦିନ ପରେ ସୁବୋଧନନା ନିଜେ କହିଲେ—‘ମା, ତୁ କଲେଜ ଯିବୁନି ?’

 

ଯିବି—

 

ତେବେ ଚାଲ ତୋତେ ମୁଁ ଆଜି ଛାଡ଼ିଦେଇ ଆସୁଚି ।

 

ଚାଲ—ତେବେ, ମୁଁ ଭାବୁଚି ପୁଣି ତୁମ ସଙ୍ଗେ ଫେରିଆସି ଭୁବନେଶ୍ୱରରେ ରହିବି ?

 

କଲେଜ ଯିବୁ କେମିତି ? ବ୍ୟସ୍ତ ହୋଇ ସୁବୋଧନନା ପଚାରିଲେ ।

 

କାହିଁକି ? ବସରେ; ଡେଲି ପାସେଞ୍ଜର୍‌ କରି ଯିବ ?

 

କଣ କହୁଚୁ ତୁ ପଦ୍ମା ? ପ୍ରତିଦିନ ବସରେ ଯାଇ ତୁ ମେଡ଼ିକାଲ ପାଠ ପଢ଼ିବୁ, ଅସମ୍ଭବ-!

 

କିଛି ଅସମ୍ଭବ ନୁହଁ ଡାଡି । ଆମ ଇୟରରେ ଗୌତମ ମିଶ୍ର ଫାଷ୍ଟଇୟାରରୁ ଡେଲି ପାସେଞ୍ଜରୀ କରି ପଢ଼ୁଚି । ମୁଁ ଆଉ କେତେଟା ଦିନ ପାରିବିନି ।

 

ଗୌତମ ମିଶ୍ର କିଏ ?

 

ସେ ମୋର ଜଣେ କ୍ଳାସମେଟ୍‌ । ତୁମେ ତାକୁ ଚିହ୍ନିବନି ଡାଡି । ତା ବାପା ସେକ୍ରେଟେରୀଏଟରେ କାମ କରନ୍ତି । ସେ କିନ୍ତୁ ଖୁବ୍‌ ବ୍ରିଲିୟେଣ୍ଟ ।

 

ସୁବୋଧ ଦାଶ ତଥାପି ଚିନ୍ତିତଭାବେ କହିଲେ, ସେ ପାରୁଚି ପୁଅପିଲା । ପରିଶ୍ରମ କରିବାରେ ଅଭ୍ୟସ୍ତ ବୋଲି ପାରୁଚି; କିନ୍ତୁ ତୁ କଣ ପାରିବୁ ?

 

ପାରିବି—ତୁମେ ଦେଖ—ଯଦି ନ ପାରିବି ପୁଣି ହଷ୍ଟେଲକୁ ଚାଲିଯିବି । ସହଜଭାବେ ଶ୍ୱେତପଦ୍ମା ଉତ୍ତର ଦେଲା ।

 

ତଥାପି ଦ୍ୱିଧାଗ୍ରସ୍ତ ଭାବେ ସୁବୋଧନନା କହିଲେ—ତୁ ଯଦି ଚାହୁଁଚୁ ତେବେ ରହ ଭୁବନେଶ୍ୱରରେ । କିନ୍ତୁ କାରଟା ବ୍ୟବହାର କର । ମୋର ତ ଆଉ ସେଟା ଦରକାର ନାହିଁ । ଡାଡିଙ୍କ କଥା ଶୁଣି ଶ୍ୱେତପଦ୍ମା ପିଲାଙ୍କ ଭଳି ହସିଉଠି କହିଲା—ଡାକ୍ତର ହେଲେ ମୁଁ ଯାଇ କାରଟା ନେବି, ତା ଆଗରୁ ନୁହେଁ ।

 

ଅସମ୍ଭବ ବୁଦ୍ଧିମତିର ଝିଅ ଶ୍ୱେତପଦ୍ମା—ଅପୂର୍ବ ତାର ସାହାସ ଓ ଧୈର୍ଯ୍ୟ । ସୁବୋଧନନାଙ୍କ ଜୀବନରେ ଏଇ ବିପର୍ଯ୍ୟୟରେ ସେ ଆଦୌ ବିଚଳିତ ନ ହୋଇ ଦୃଢ଼ ହାତରେ ତାଙ୍କ ସଂସାରର ଦାୟିତ୍ୱ ଗ୍ରହଣ କରିନେଲା । ସୁବୋଧନନା ପାଖରେ ଝିଅକୁ ପାଇ ଏକ ଅପୂର୍ବ ସାହସ ନିଜ ଭିତରେ ଅନୁଭବ କଲେ । ସମସ୍ତ ଗ୍ଳାନି ଓ ଅପମାନକୁ ତୁଚ୍ଛ କରି ସି. ବି. ଆଇ. ତଥା ତାଙ୍କ ଶତ୍ରୁମାନଙ୍କ ମୁକାବିଲା ପାଇଁ ଦୃଢ଼ ସଂକଳ୍ପ ହେଲେ ।

 

ଖୁବ୍‌ ଭୋରରୁ ଉଠି ଶ୍ୱେତପଦ୍ମା ପ୍ରସ୍ତୁତ ହୋଇପଡ଼େ । ତାପରେ ବ୍ରେକ୍‌ଫାଷ୍ଟ ସଜାଡ଼ି ଡାଡିଙ୍କୁ ଡାକେ । ସୁବୋଧନନାଙ୍କର ମଧ୍ୟ ଖୁବ୍‌ ଭୋରରୁ ଉଠିବା ଅଭ୍ୟାସ । ସୂର୍ଯ୍ୟୋଦୟର ବହୁ ପୂର୍ବରୁ ଉଠି ସେ ମଣିଂୱାର୍କ କରିବାକୁ ଯାଆନ୍ତି । କିନ୍ତୁ ସସପେଣ୍ଡ ହେଲାପରେ ସେ ପ୍ରାତଃ ଭ୍ରମଣରେ ଯିବା ବନ୍ଦକରି ଦେଇଥିଲେ । ନିଜ କ୍ୱାର୍ଟର ହତା ଭିତରେ ପଦଚାରଣା କରନ୍ତି । ସକାଳର ଖବର କାଗଜ ଦେଇଗଲେ ବାରନ୍ଦର ବେତ ଚୌକିରେ ବସି ସେଟିକୁ ପଢ଼ନ୍ତି । ଶ୍ୱେତପଦ୍ମା ତାଙ୍କୁ ବ୍ରେକ୍‌ଫାଷ୍ଟ ପାଇଁ ଡାକିବା ବେଳକୁ ତାଙ୍କର କାଗଜ ପଢ଼ା ଶେଷ ହୋଇ ଯାଇଥାଏ । ବ୍ରେକ୍‌ଫାଷ୍ଟ ଟେବୁଲରେ ବାପା ଝିଅ ଦୁଃଖ ସୁଖ ଟିକିଏ ହୁଅନ୍ତି । ତା’ ପରେ ଶ୍ୱେତପଦ୍ମା ତର ତର ହୋଇ ବସଷ୍ଟାଣ୍ଡକୁ ସକାଳ ୭ଟା ବାସରେ ଧରିବାପାଇଁ ଚାଲିଯାଏ । କ୍ୱାଟରସ୍‌ ଠାରୁ ବସ୍‌ଷ୍ଟାଣ୍ଡ ଖୁବ୍‌ ବେଶୀ ଦୂର ନୁହେଁ । ବସ୍‌ ଷ୍ଟାଣ୍ଡରୁ ଗୌତମ ମିଶ୍ର ଆସେ—ସେ ଗୋଟିଏ ଦୁଇଜଣିଆ ସିଟରେ ଜାଗାନେଇ ଆସିଥାଏ—ଗୋଟିଏ ନିର୍ଦ୍ଦିଷ୍ଟ ସିଟରେ ଗୌତମ ପ୍ରତିଦିନ ବସି ଆସିଥାଏ ।

 

ତଥାପି ଶ୍ୱେତପଦ୍ମାକୁ ଦେଖିଲେ ସେ ଡାକେ—ମିସ୍‌ ଦାଶ ଏଇଠି । ଗୌତମ ଆହ୍ୱାନର ଉତ୍ତରରେ ଶ୍ୱେତପଦ୍ମା ଟିକିଏ ହସେ ଓ ଆସି ଗୌତମ ପାଖରେ ତାର ନିର୍ଦ୍ଦିଷ୍ଟ ଜାଗାରେ ବସେ ।

 

ମେଡ଼ିକାଲ କଲେଜରୁ ସେମାନେ ସଂଧ୍ୟା ୮ଟାରେ ବସରେ ଫେରନ୍ତି । ଶ୍ୱେତପଦ୍ମା ତାଙ୍କ ବସ୍‌ ଷ୍ଟପ୍‌ରେ ଓହ୍ଲାଏ—ଗୌତମ ମଧ୍ୟ ଓହ୍ଲାଏ—ଶ୍ୱେତପଦ୍ମା ପ୍ରଥମେ କ୍ୱାଟରସରେ ଛାଡ଼ି ପୁଣି ସେ ନିଜ ଘରକୁ ଚାଲିଯାଏ । ଶ୍ୱେତପଦ୍ମା ପ୍ରଥମେ ଆପତ୍ତି କରୁଥିଲା—କହୁଥିଲା ଆମ କ୍ୱାଟରସ୍‌ଟା ତ ପାଖରେ ମୁଁ ଚାଲିଯିବି—ତୁମେ କାହିଁକି ମିଛରେ ଏତେ ବାଟ ଚାଲିବ । ଗୌତମ ପ୍ରତିବାଦ କରି କହୁଥିଲା—ରାତିରେ ନିଛାଟିଆ ରାସ୍ତାରେ ତୁମର ଏକୁଟିଆ ଯିବା ଉଚିତ୍‌ ନୁହେଁ; ତେଣୁ ତୁମକୁ ଏସକର୍ଟ କରି ଘରେ ପହଞ୍ଚାଇ ଦେବା ନୈତିକ ଦାୟିତ୍ୱ ମୋର, ଆପତ୍ତି କରୁଚ କାହିଁକି ?

 

କିନ୍ତୁ ତୁମ ଘର ବସ୍‌ଷ୍ଟାଣ୍ଡ ପାଖରେ, ଅଯଥାରେ ତୁମେ ଗୁଡ଼ାଏ ରାସ୍ତା ଚାଲିବ—ସେଇ କଥାଟା ମୋତେ ବିବ୍ରତ କରୁଚି ।

 

ତା ଉତ୍ତରରେ ଅଳ୍ପହସି ଗୌତମ କହିଲା—ଚାଲିବାରେ ମୋର ଅଭ୍ୟାସ ଅଛି । ସେଥିପାଇଁ ତୁମେ ଚିନ୍ତିତ ହୁଅ ନାହିଁ ।

 

ତାପରେ ଶ୍ୱେତପଦ୍ମା ଆପତ୍ତି କରିନାହିଁ—ପ୍ରତିଦିନ ଗୌତମ ଶ୍ୱେତପଦ୍ମାକୁ ତାଙ୍କ କ୍ୱାଟରସ୍‌ ପାଖରେ ଛାଡ଼ିଦେଇ ଫେରିଯାଏ । ଶ୍ୱେତପଦ୍ମା ଘରେ ପହଞ୍ଚିଲା ବେଳକୁ କେଉଁଦିନ ଡାଡି ଫେରିଥାନ୍ତି, କେଉଁଦିନ ବା ଫେରି ନ ଥାନ୍ତି—ଶ୍ୱେତପଦ୍ମା ବାଥରୁମରୁ ଧୁଆ ଧୋଇ ହୋଇ ବାହାରିବା ବେଳକୁ କିନ୍ତୁ ସୁବୋଧନନା ଫେରି ଆସିଥାନ୍ତି । ଡିନାର ଟେବୁଲରେ ବାପ ଝିଅ ପୁଣି ସାଥିରେ ବସି ଖାଆନ୍ତି—ଗପସପ କରିନ୍ତି । ଶ୍ୱେତପଦ୍ମାର ଡେଲି ପାସେଞ୍ଜରୀ କରିବାରେ କିଛି ଅସୁବିଧା ହେଉ ନ ଥିଲା । ତଥାପି ଦିନେ ସୁବୋଧନନା ପଚାରିଲେ—ମା’ ପ୍ରତିଦିନ ବସରେ ଯିବା ଆସିବା କରିବାରେ ତୋର ଅସୁବିଧା ହେଉନି ତ ?

 

ଆଦୌ ନୁହେଁ—ହସି ହସି ଉତ୍ତର ଦେଲା ଶ୍ୱେତପଦ୍ମା ।

 

କିନ୍ତୁ ଡେରି ତ ହୋଇ ଯାଉଥିବ । ଡ୍ୟୁଟି ବେଳକୁ ପହଞ୍ଚି ପାରୁଚୁ ତ ?

 

ତା ଆଗରୁ ଆମେ ପହଞ୍ଚି ଯାଉଚୁ ଡାଡି—ଆମର ହାଉସ୍‌ ମେନମାନଙ୍କ ଡ୍ୟୁଟି ତ ୮ ଟା ବେଳେ । ମୁଁ ଯେଉଁ ବସରେ ଯାଉଚି, ସେ ଡ୍ରାଇଭର ଏତେ ରେସରେ ଗାଡ଼ି ନେଉଚି ଯେ ଆମକୁ କଟକ ପହଞ୍ଚିବାକୁ ମାତ୍ର ୨୦ । ୨୫ ମିନିଟ ଲାଗୁଚି ।

 

ଏତେ ସ୍ପିଡ଼ରେ ଯାଉଚି ? ଆକ୍‌ସିଡେଣ୍ଟ ହୋଇଯିବ ଯେ, ସଂଶୟଭରା ଗଳାରେ କହିଲେ ସୁବୋଧନନା ।

 

ତୁମେ ଖାଲି ମିଛରେ ଡରୁଚ ଡାଡି—ସେ ଡ୍ରାଇଭର ଖୁବ୍‌ ହୁସିଆର ଡ୍ରାଇଭର—ତୁମେ ଜମା ଚିନ୍ତା କରନ୍ତି ।

 

ତଥାପି ସୁବୋଧନନା ନିଶ୍ଚିନ୍ତ ହୋଇ ପାରନ୍ତି ନାହିଁ—ଚିନ୍ତିତ ଭାବେ କହନ୍ତି—କାହିଁକି ମିଛରେ ଏତେ କଷ୍ଟ କରୁଚୁ ପଦ୍ମା—କାରଟା ନେଇ ତୁ ଯା’ ତୁ ତ ଭଲ ଡ୍ରାଇଭ୍‌ କରୁ ?

 

ଶ୍ୱେତପଦ୍ମା ସେଇ କଥାରେ ଗୁରୁତ୍ୱ ନ ଦେଇ କହେ—ଆମ ବସ୍‌ କାରଠୁ ବି ବେଶୀ ସ୍ପିଡରେ ଯାଏ ଡାଡି—

 

ପ୍ରକୃତରେ ଶ୍ୱେତପଦ୍ମା ଯିବା ଆସିବା କରୁଥିବା ବସ୍‍ ତୀବ୍ର ବେଗରେ ଯାଏ । ସେ ଗାଡ଼ି ଚଳାଉଥିବା ଡ୍ରାଇଭର ଉପରେ ପାସେଞ୍ଜରମାନଙ୍କର ଅଗାଧ ଭରସା; ତେଣୁ କେହି ପ୍ରତିବାଦ କରନ୍ତି ନାହିଁ । ଯଦି କେହି ପ୍ରତିବାଦ କରେ ତେବେ ପାସେଞ୍ଜରମାନେ କହନ୍ତି ଆପଣ ତେବେ ଅଲଗା ବସରେ ଆସନ୍ତୁ । ଡ୍ରାଇଭର ମଧ୍ୟ ପଛକୁ ମୁହଁ ଫେରାଇ ପ୍ରତିବାଦ କରୁଥିବା ଲୋକଟି ଆଡ଼େ ଚାହିଁ କହେ—ଆପଣ ସିନା ସାର୍‌ ବୁଲି ଯାଉଚନ୍ତି, ତରତରିଆ କିଛି ନାହିଁ । କିନ୍ତୁ ମୋର ସବୁ ପାସେଞ୍ଜରଙ୍କର ସ୍କୁଲ କଲେଜ କଚେରୀ ଅଛି, ଡ୍ୟୁଟି ଅଛି; ସେମାନଙ୍କ କଥା ତ ମୋତେ ଦେଖିବାକୁ ହେବ ।

 

ପ୍ରତିବାଦ କରିଥିବା ଲୋକ ଚୁପ୍‌ ହୋଇଯାଏ—ଆଖି ପିଛୁଳାକେ ଗାଡ଼ି ପାହାଳ ପାରି ହୋଇଯାଏ—ଫୁଲନଖରା ପାର ହୋଇଯାଏ—ପ୍ରତାପନଗରୀ ପାର ହୋଇଯାଏ—କାଠଯୋଡ଼ି ବ୍ରିଜ୍‌ ପାର ହୋଇଯାଏ ।

 

ସାମନାକୁ ଚାହିଁ ଚୁପ୍‌ଚାପ୍‌ ବସିରହେ ଶ୍ୱେତପଦ୍ମା । ନୀରବରେ ବସିରହେ ଗୌତମ; କିନ୍ତୁ ଶ୍ୱେତପଦ୍ମାର ସମସ୍ତ ସତ୍ତାକୁ ଆଚ୍ଛନ୍ନ କରି ରଖେ ଦୀର୍ଘାଙ୍ଗ ସୌମ୍ୟଦର୍ଶନ ତାର ସହଯାତ୍ରୀ ତରୁଣର ବ୍ୟକ୍ତିତ୍ୱ । ସେମିତି ଗୌତମ ମନରେ ଅନେକ ସ୍ୱପ୍ନର ପ୍ରଜାପତି ଉଡ଼ିବୁଲନ୍ତି ତାର ରୂପସୀ ସହପାଠିନୀକୁ କେନ୍ଦ୍ରକରି । ଶ୍ୱେତପଦ୍ମାର ଆନ୍ତରର ଅନେକ କଥା ଅନୁଚ୍ଚାରିତ ରହିଯାଏ ଗୌତମ ମନରେ, ଅନେକ ସ୍ୱପ୍ନର ପ୍ରଜାପତି କେବଳ ତା’ ମନକୁ ରଙ୍ଗୀନ କରି ସ୍ତିମିତ ହୋଇଯାନ୍ତି । ବସ୍‍ ରାଣୀହାଟ ଛକରେ ଅଟକି ଯାଏ । ହେଲ୍‌ପାର ପାଟିକରି ଡାକ ଦିଏ ରାଣୀହାଟ, ମେଡିକାଲ....ସେମାନେ ଉଭୟେ ଚମକି ପଡ଼ନ୍ତି... ତା’ପରେ ନୀରବରେ ଓହ୍ଲାଇ ଯାନ୍ତି । ଫେରିବା ବେଳେ ଗୌତମ ସର୍ଜିକାଲ ୱାର୍ଡ଼ ସାମନା କୃଷ୍ଣଚୂଡ଼ା ଗଛମୂଳେ ଛିଡ଼ାହୋଇ ରହେ—କେତେ ସମୟ ପରେ ଶ୍ୱେତପଦ୍ମା ଆସେ—କହେ ଚାଲ । ଦୁଇଜଣ ପୁଣି ନୀରବରେ ଚାଲି ଚାଲି ଯାନ୍ତି ରାଣୀହାଟ ଛକକୁ । ତାପରେ ବସ୍‍ ଆସେ....ଗୌତମ ଓ ଶ୍ୱେତପଦ୍ମା ପୁଣି ଭାସି ଚାଲନ୍ତି ଗୋଟିଏ ମଧୁର ସ୍ୱପ୍ନର ନଉକାରେ....ସେ ସ୍ୱପ୍ନର ଆମେଜ ଭାଙ୍ଗେ ଯେତେବେଳେ ଶ୍ୱେତପଦ୍ମାର ଘର ଆଗରେ ଗୌତମ କହେ ଶୁଭରାତ୍ରୀ....ମୁଁ ଯାଉଚି....ତା ଉତ୍ତରରେ ଶ୍ୱେତପଦ୍ମା କିଛି ବି କହିପାରେନା—କେବଳ କେତେ ସମୟ ନୀରବରେ ଗୌତମର ଅପସୃୟମାନ ଦୀର୍ଘ ଛାୟାକୁ ଚାହିଁ ରହି ନିଜ ଭିତରେ ଗୋଟିଏ ଦୀର୍ଘଶ୍ୱାସକୁ ଚାପିନିଏ ।

 

ସେଦିନ ମେଡ଼ିସିନ୍‌ ୱାର୍ଡ଼ରେ ଡ୍ୟୁଟି ଶେଷକରି ଗୌତମ ଚିରାଚରିତ ଭାବେ ଶ୍ୱେତପଦ୍ମାକୁ ଅପେକ୍ଷା କରିଥିଲା.....ସର୍ଜିକାଲ ସାମନା କୃଷ୍ଣଚୂଡ଼ା ଗଛ ଅନେକ ଲାଲ ଫୁଲର ସ୍ତବକରେ ମଣ୍ଡି ହୋଇ ଗୋଟିଏ ପ୍ରେମିକ ମନର ରଙ୍ଗୀନ ସ୍ୱପ୍ନ ଭଳି ଦିଶୁଥିଲା—ଆଗରେ ଧାଡ଼ିଏ ବଉଳ ଗଛରୁ ଟୁପଟୁପ୍‌ କରି ଫୁଲ ଝରୁଥିଲା...ତାର ସୁବାସ ଜଣେ ପ୍ରେମିକା ନାରୀର ଦୀର୍ଘଶ୍ୱାସ ଭଳି ମେଡ଼ିକାଲ କଲେଜରେ ପ୍ରଧାନ ରାସ୍ତାକୁ ଭାରିକରି ଦେଇଥିଲା । ଶ୍ୱେତପଦ୍ମାର ଆସିବାରେ ବିଳମ୍ବ ହେଉଥିଲା—ତଥାପି ଗୌତମ ଅପେକ୍ଷାକରି ଛିଡ଼ା ହୋଇ ରହିଥିଲା । କେତେକ ସମୟ ପରେ ଶ୍ୱେତପଦ୍ମା ଆସି ସାମାନ୍ୟ ସଙ୍କୁଚିତ ହୋଇ କହିଲା—ମୋର ଟିକିଏ ଡେରି ହୋଇଗଲା....ତୁମେ ଅନେକ ବେଳୁ ଅପେକ୍ଷା କରି ବିରକ୍ତ ହେଉଥିବ । ଶାନ୍ତଭାବେ ଗୌତମ କହିଲା—ଆଦୌ ନୁହେଁ, ଏଠି ଛିଡ଼ାହୋଇ ରହିବାକୁ ମୋତେ ଭଲ ଲାଗେ....

 

ଗଭୀର ଭାବେ ଶ୍ୱାସ ନେଇ ଖୁସି ହୋଇ ଶ୍ୱେତପଦ୍ମା କହିଲା—ବଉଳଫୁଲ ଫୁଟିବ ବୋଧହୁଏ, ସୁନ୍ଦର ବାସ୍ନା ହେଉଚି.....

 

ବଉଳଫୁଲ ଫୁଟି ନ ଥିଲେ ବି ମୋତେ ଭଲ ଲାଗେ.....ଗୌତମ କହିଲା । ବୋଧହୁଏ ହସପିଟାଲ ଔଷଧ ଆଉ ଡିସ୍‌ଇନଫେକ୍ଟର ବାସ୍ନା ତୁମକୁ ଭଲ ଲାଗେ—

 

ନା—ମୁଁ ମୋର ମନର ସୁବାସରେ ଆମୋଦିତ ହୁଏ ପଦ୍ମା—

 

ପରିହାସ କରି ଶ୍ୱେତପଦ୍ମା କହିଲା—କସ୍ତୁରୀମୃଗ ଯେମିତି ନିଜ ଗନ୍ଧରେ ପାଗଳ ହୋଇ ଘୂରିବୁଲେ....ସ୍ୱପ୍ନାବିଷ୍ଟ ଭଳି ଗୌତମ କହିଲା...ତା କଥାର ଉତ୍ତର ନ ଦେଇ ଶ୍ୱେତପଦ୍ମା କହିଲା—ଯିବା ?

 

ତୁମେ ପରା କହୁଥିଲ ଆଜି ତୁମ ଲେବାର ରୁମରେ ନାଇଟ୍‌ ଡ୍ୟୁଟି ଥିଲା—ମୋର ଆଉ ସୁନୀତା ଭର୍ଗିଜର ଡ୍ୟୁଟି ଥିଲା—ଅରୁଣ ପଟ୍ଟନାୟକ ଆସି ମୋ ପାଇଁ ପ୍ରକ୍‌ସି ଦେବାକୁ ପ୍ରସ୍ତାବ କଲା...ତେଣୁ ମୁଁ ଚାଲି ଆସିଲି ।

 

ହଠାତ୍‌ ଅରୁଣର ତୁମ ପ୍ରତି ଏତେ ସହାନୁଭୂତି ଉଦ୍ରେକ ହେବାର କାରଣ ?

 

କାରଣ ବୁଝି ପାରୁନ—କହି ଶ୍ୱେତପଦ୍ମା ହସିଲା ।

 

ନା’—

 

ଅରୁଣ ସୁନୀତାକୁ କମ୍ପେନି ଦେବାକୁ ଚାହେଁ—

 

ଆଚ୍ଛା...କହି ଗୌତମ ଟିକିଏ ହସିଲା....ତେବେ ଚାଲ ଆମେ ଫେରିବା...ସେମାନେ ଚାଲିବାକୁ ଆରମ୍ଭ କଲେ....ଅଳ୍ପ ସମୟ ପରେ ଶ୍ୱେତପଦ୍ମା ପାଦର ଗତି ଶିଥିଳ କରି କହିଲା—ଏୟ ଶୁଣୁଚ,

 

ଚାଲୁ ଚାଲୁ ଗୌତମ କହିଲା କୁହ ।

 

ଜାଣ ନୀରୁ ବିଜୟ ବାହା ହଉଚନ୍ତି ।

 

ନିରୁ ? ଓ ଆମ ବ୍ୟାଚର ନିରୁପମା ମହାନ୍ତି ଆଉ ବିଜୟ ଦାସ । ସେମାନଙ୍କର ତ ଅନେକ ଦିନୁ ଠିକ୍‌ଠାକ୍‌ ହୋଇଅଛି । ତେବେ ବାହାଘର ଏପ୍ରିଲ୍‌ ୨୫—ସେମାନଙ୍କର କାଲି ଚଣ୍ଡୀମନ୍ଦିରରେ ନିର୍ବନ୍ଧ ହେଲା । ତାକୁ ସେଲିବ୍ରେଟ କରିବାପାଇଁ ସେ ଆଜି ଆମକୁ ପାର୍ଟି ଦେଲେ ।

 

କେଉଁଠି ? ଲେଡ଼ିଜ୍‌ ହଷ୍ଟେଲରେ ନା ବାହାରକୁ ଯାଇଥିଲ ।

 

ନା—ସେ ଆମକୁ ମହାରାଜାକୁ ଇନ୍‌ଭାଇଟ୍‌ କରିଥିଲା, ବିଜୟ କିଛି କରିନି ?

 

କରଥିବ—ମୋ ସାଥିରେ ତ ତାର ସେମିତି ଇଣ୍ଟିମେସି ନାହିଁ । ସେ ସେଲିବ୍ରେଟ କରିଥିଲେ ତା’ ଦଳକୁ ଧରି କ୍ୱାଲିଟ୍‌ ବାରକୁ ଯାଇଥିବ ।

 

ଜାଣ ଅରୁନ୍ଧତୀ, ସୁରପ୍ରଭା, ଶର୍ମିଳା, କାଶ୍ୟପ ଏମାନେ ସମସ୍ତେ ଫିକ୍‌ସିଡ଼୍‌....

 

ଗୌତମ କିଛି ଉତ୍ତର ଦେଲାନାହିଁ ।

 

ସେମାନେ ମୋତେ ଭାରି ଜିଗର କଲେ—କହିଲେ ତୋର କେବେ ହଉଚି କହ—

 

ତୁମେ କ’ଣ କହିଲ—

 

କିଛି ନା ମୋର କଣ କହିବାର ଅଛି ? ଅରୁଟା ତ ଭାରି ଫରଫରି ସେ ନଛୋଡ଼ବନ୍ଦା–କହିଲା ତୁ ସିଙ୍କିଙ୍ଗ ସିଙ୍କିଙ୍ଗ୍‌ ଡ୍ରିକିଂ ଓ୍ୟାଟର ଆମେ ଜାଣୁ ଯେ—

 

କଣ ଜାଣନ୍ତି ? ପରିହାସ ମିଶା କୌତୂହଳୀ ପ୍ରକାଶ କଲା ଗୌତମ ।

 

ଶ୍ୱେତପଦ୍ମା କିଛି କହିଲାନି—ହଠାତ୍‌ ତାକୁ କାହିଁକି କେଜାଣି ଭାରି ଲାଗ ଲାଗିଲା...ସେ ପ୍ରସଙ୍ଗ ବଦଳାଇବା ପାଇଁ କହିଲା—ଚାଲ ଯୋବ୍ରା ଆଡ଼େ ବୁଲିଯିବା—

 

ଗୌତମର ମୁହଁ ଖୁସିରେ ଉଦ୍ଭାସିତ ହୋଇ ଉଠିଲା—ଆଗ୍ରହରେ ସେ ପଚାରିଲା ଯିବା-?

 

ଅନେକ ସମୟ ଗୌତମ ଓ ଶ୍ୱେତପଦ୍ମା ଯୋବ୍ରା ଆନିକଟ ପାଖରେ ବସି ରହିଲେ—ବସିବସି ସେମାନେ ଲକ୍ଷ୍ୟ କରୁଥିଲେ ଆନିକଟର ଆବଦ୍ଧ ଜଳ କିପରି ଭୀଷଣ ଉଚ୍ଛ୍ୱାସରେ ବାହାରି ଆସି ଫେନଗୁଚ୍ଛର ମାଳିକା ହୋଇ ଭାସି ଯାଉଚି । ସେମାନେ ଉଭୟ ଅନୁଭବ କରୁଥିଲେ ସେମାନଙ୍କର ଅନ୍ତରର ଅନେକ ଆବେଗକୁ ଆବଦ୍ଧ କରି ରଖିବାର ଆଉ ଶକ୍ତି ନାହିଁ—ସେ ଆବେଗ ଉଚ୍ଛ୍ୱାସ ହୋଇ ସମସ୍ତ ପ୍ରତିବନ୍ଧକକୁ ଭସାଇ ନେଇ ପ୍ରବଳ ବେଗରେ ଆତ୍ମପ୍ରକାଶ କରିବାକୁ ଉନ୍ମୁଖ ହୋଇ ଗଠିତ ।

 

ଅନେକ ସମୟ ପରେ ଗୌତମ କହିଲା ଅନେକ ଡେରି ହେଇ ଗଲାଣି ଚାଲ ଯିବା—

 

ସେମାନେ ଉଠି ଶ୍ଲଥଭାବେ ଚାଲିବାକୁ ଲାଗିଲେ—ସେତେବେଳକୁ ଶେଷ ବସ୍‍ ଚାଲିଯାଇଥିଲା । ସେମାନେ କଲେଜ ଛକରୁ ଗୋଟି ଟାକ୍‌ସି ରିଜର୍ଭ କରି ଭୁବନେଶ୍ୱର ଫେରିଲେ । କାଠଯୋଡ଼ି ବ୍ରିଜ୍‌ ପାରିହେବା ପରେ ଶ୍ୱେତପଦ୍ମା କହିଲା—ଗୌତମ, ଏ ଯାତ୍ରା ଯଦି ଅସରନ୍ତି ହୁଅନ୍ତା—

 

—ତୁମେ ସମ୍ମତି ଦେଲେ ଆମର ଯାତ୍ରା ଅନନ୍ତ କାଳ ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇପାରିବ ପଦ୍ମା ।

 

ଉତ୍ତରରେ ଶ୍ୱେତପଦ୍ମା ଗୌତମ କାନ୍ଧରେ ତା ମୁହଁକୁ ଗୁଞ୍ଜିଦେଲା...ଗୌତମ ଅନୁଭବ କରୁଥିଲା ଶ୍ୱେତପଦ୍ମା ଭଳି ତାର ମଧ୍ୟ ସମସ୍ତ ଶରୀର ଓ ସତ୍ତା ଏକ ତୀବ୍ର ଶିହରଣରେ ଥର ଥର ହେଉଚି ।

 

ଟାକ୍‌ସି ଡ୍ରାଇଭର ତାର ରିଆର ଭ୍ୟୁ ମିରାରଟାକୁ ଟିକିଏ ଏଡ଼ଜାଷ୍ଟ କରି ମନକୁ ମନ ଟିକିଏ ହସିଲା । କିନ୍ତୁ ସେ ସବୁକୁ ଭ୍ରୂକ୍ଷେପ କରିବାପାଇଁ ଗୌତମ ଓ ଶ୍ୱେତପଦ୍ମାଙ୍କ ଅବସର ନ ଥିଲା । ସେମାନେ ସେମିତି ଘନ ହୋଇ ବସିରହିଲେ ।

 

ଶ୍ୱେତପଦ୍ମା ଘରକୁ ଫେରିବା ବେଳକୁ ବହୁତ ରାତି ହୋଇ ଯାଇଥିଲା । ସେତବେଳକୁ ସୁବୋଧନନା ଘରକୁ ଫେରି ନିଜ ବିଛଣାରେ ଗଡ଼ ପଡ଼ ହେଉଥିଲେ । ତାଙ୍କୁ ଠିକ୍‌ ନିଦ ହୋଇ ନ ଥିଲା । ଆଜିକାଲି ସୁବୋଧନନାଙ୍କୁ ରାତିରେ ସୁନିଦ୍ରା ହେଉନାହିଁ । ତେଣୁ ଅଧିକାଂଶ ସମୟରେ ତାଙ୍କୁ ଟ୍ରାଙ୍କୁଲାଇଜର ଖାଇବାକୁ ପଡ଼ୁଚି । ଶ୍ୱେତପଦ୍ମାର ଘରକୁ ଫେରିବା ଜାଣି ସେ ପଚାରିଲେ—କିଏ ? ମା’ ପଦ୍ମା କିରେ ?

 

ହଁ ଡାଡ଼ି କହି ଶ୍ୱେତପଦ୍ମା ତାଙ୍କ ଶୋଇବା ଘରକୁ ପଶିଯାଇ ଲାଇଟ୍‌ ଜଳାଇ ଦେଲା ।

 

ତୁ ପରା କହୁଥିଲୁ ଆଜି ତୋର ନାଇଟ୍‌ ଡିଉଟି—ଚାଲି ଆସିଲୁ ଯେ—

 

ମୋର ଜଣେ ସାଙ୍ଗ ଡିଉଟି କରିବାକୁ ରାଜି ହେବାରୁ ଚାଲି ଆସିଲି ।

 

ବେଶ୍‌ ବେଶ୍‌—ତୁ ଖାଇ ନଥିବୁ ତ—ହାଡ଼ିବନ୍ଧୁକୁ ଡାକ୍‌ କଣ ଅଛି, ତେତେ ଖାଇବାକୁ ଦବ ।

 

ଦରକାର ନାହିଁ ଡାଡ଼ି—ମୋର ଜଣେ ସାଙ୍ଗ ନିରୁପମା ଆମକୁ ଆଜି ହୋଟେଲରେ ଖୁଆଇଚି—ମୁଁ ଆଉ ଖାଇବିନି । ତୁମେ ଖାଇଚ ତ ? ମୁଁ ଖାଲି ଦୁଧ ପିଇଚି, ଦେହଟା ଭଲ ଲାଗୁନି ।

 

କଣ ହେଇଚି ? ଉତ୍କଣ୍ଠିତ ଭାବେ ଶ୍ୱେତପଦ୍ମା ପଚାରିଲା ।

 

ଗଳାଟା ବ୍ୟଥା ହେଉଚି ।

 

ଦେଖେଁ କହି ଶ୍ୱେତପଦ୍ମା ସୁବୋଧନନାଙ୍କ ଖଟରେ ବସି ତାଙ୍କୁ ପରୀକ୍ଷା କରିବାକୁ ଲାଗିଲା ।

 

ସୁବୋଧନନା କହିଲେ, ତୁ ବ୍ୟସ୍ତ ହନା ମା—ଆଜି ମୋ କେଶ୍‌ଟାର ଆର୍ଗୁମେଣ୍ଟ ଥିଲା ତ—କାଲିଠାରୁ ବହୁତ ପରିଶ୍ରମ ହୋଇଚି । ମୁଁ ବି ଅନେକ ସ୍ମୋକ୍‌ କରିଚି, ସେଥିପାଇଁ ଟିକିଏ ଗଳା ବ୍ୟଥା ହେଉଚି ।

 

ନା’ ଡାଡ଼ି ଏସବୁ କମ୍ପଲେନକୁ ଅବହେଳା କରିବାର ନୁହେଁ । ତୁମେ କିଛି ବୁଝୁନ, ତୁମେ କାଲି ମୋ ସଙ୍ଗରେ ମେଡ଼ିକେଲ କଲେଜ ଚାଲ E. N. T.ରେ ପରୀକ୍ଷା କରାଇ ନେବା ।

 

ଶ୍ୱେତପଦ୍ମା କଥା ଶୁଣି ସୁବୋଧନନା କହିଲେ, ‘‘ତୋର ସବୁ କଥାରେ ଡର, ତୁ ଯା ଶୋଇବୁ ଯା—’’

 

କିନ୍ତୁ ଡାଡ଼ି ତୁମ ଦେହରେ ଟେମ୍ପାରଚର ବି ଅଛି—

 

ହିଁ ଥିବ ଟିକିଏ—ତେବେ ନିଦ ନ ହୋଇ ଟିକିଏ କଷ୍ଟ ହଉଚି—ଗୋଟିଏ ଟ୍ରାଙ୍ଗୁଲାଇଜର ପିଲ୍‌ ଦେ ଖାଇନେଇ ମୁଁ ଶୁଏ ।

 

ଶ୍ୱେତପଦ୍ମା ସୁବୋଧନନାଙ୍କୁ ନିଦ ଔଷଧ ଖୁଆଇ କହିଲା—କାଲି କିନ୍ତୁ ତୁମେ ନିଶ୍ଚେ ହସପିଟାଲ ଯିବ ମୋ ସଙ୍ଗରେ ।

 

ସୁବୋଧନନା ହସି ହସି କହିଲେ, ‘‘ରହ ମକବ୍ଦମାଟା ଆଗେ ନିଷ୍ପତ୍ତି ହୋଇଯାଉ, ତା’ ପରେ ଦେହ ଖବର ବୁଝିବି ।

 

କିନ୍ତୁ ତୁମେ ସ୍ମୋକିଂ ଛାଡ଼ିଦିଅ । ସିଜାର ତ ଦୂରର କଥା ସିଗାରେଟ୍‌ ବି ଟାଣି ପାରିବନି–ତୁମେ କଣ ଜାଣନି ସ୍ମୋକିଂ କେଡ଼େ ମାରାତ୍ମକ ? ଅନୁଯୋଗ କଲା ଶ୍ୱେତପଦ୍ମା ।

 

ହଉ ହେଲା ମୁଁ ଆଉ ସ୍ମୋକ କରିବିନି—ତୁ ଯା ଏଥର ଶୋଇବୁ ।

 

ଶ୍ୱେତପଦ୍ମା ଡାଡ଼ିଙ୍କ ରୁମରୁ ବାହାରି ଯାଉ ଯାଉ କହିଲା—ଦରକାର ହେଲେ ମୋତେ ଡାକିବ ।

 

ସୁବୋଧନନା କର ଲେଉଟାଇ ଶୋଉ ଶୋଉ କହିଲେ—ଦରକାର ହବନି—ମୁଁ ଏଥର ଶୋଇ ପଡ଼ିବି ଯେ.....

 

କେତେଦିନ ପରେ ଦିନେ ଗୌତମ ଆସି ସୁବୋଧନନାଙ୍କ ଘରେ ପହଞ୍ଚିଲା । ସୁବୋଧନନା ନ ଥିଲେ । ବାହାରକୁ ଯାଇଥିଲେ । ଶ୍ୱେତପଦ୍ମା ଏକା ଥିଲା । ଗୌତମ କହିଲା—ଜର୍ଜିଆ ୟୁନିଭରସିଟ୍‌ରେ ଫେଲୋସିପ୍‌ ପାଇଁ ମୁଁ ଦରଖାସ୍ତ କରୁଚି ପଦ୍ମା—ତୁମେ କରିବ ?

 

ଶ୍ୱେତପଦ୍ମା କହିଲା—ହଠାତ୍‌ ଆମେରିକା ଯିବାପାଇଁ ଠିକ୍‌ କରିଦେଲ !

 

ଏଠି ଆଉ କଣ କରିବା ଯେ—ଏଡ଼୍‌ହକ ଆପଏଣ୍ଟମେଣ୍ଟ ପାଇଁ କୋରାପୁଟ ମାଳରେ ତ’ ଚାକିରି କରିବା ଛଡ଼ା ଅନ୍ୟ ଗତି ନାହିଁ । କାହିଁକି ଏଠି ପୋଷ୍ଟ ଗ୍ରାଜୁଏଟ କଲେ ହବନି ?

 

ପୋଷ୍ଟ ଗ୍ରାଜୁଏଟ ପାଇଁ ସିଟ୍‌ ମିଳିଲେ ତ—ଦେଖୁଚ ତ ସିଲେକସ୍‌ନରେ ବି ମାରପେଞ୍ଚ ନୀତି ଚାଲିଚି ।

 

କିଛି ସମୟ ଚୁପ୍‌ ରହି ଶ୍ୱେତପଦ୍ମା କହିଲା—ତମେ ସତେ ଆମେରିକା ଯିବା ପାଇଁ ଠିକ୍‌ କରିଚ ?

 

ତୁମେ ଯଦି ରାଜି ହୁଅ ।

 

ତୁମ ଉନ୍ନତି ପାଇଁ ପ୍ରଚେଷ୍ଟାରେ ମୁଁ କଣ କେବେ ବାଧା ଦେବି ଗୌତମ ?

 

କିନ୍ତୁ ମୁଁ କଣ ଯାଇ ପାରିବି ? ଦେଖୁଚ ତ ବାପାଙ୍କ ଅବସ୍ଥା ଜଜ୍‌କୋର୍ଟରେ ତାଙ୍କର କନ୍‌ଭିକ୍‌ସନ ହେବା ପରେ ସେ ବଡ଼ ଭାଙ୍ଗି ପଡ଼ିଚନ୍ତି । ତାଙ୍କ ସ୍ୱାସ୍ଥ୍ୟ ବି ନଷ୍ଟ ହୋଇ ଗଲାଣି ।

 

ଆମ ଯିବାଟା ତ ଏତେ ଶୀଘ୍ର ହେବନି । ସମୟ ଲାଗିବ । ସେତେବେଳକୁ ହାଇକୋର୍ଟରେ ନିଶ୍ଚୟ କେଶଟା ନିଷ୍ପତ୍ତି ହୋଇ ଯାଇଥିବ । ତେଣୁ ଚାଲ ଦରଖାସ୍ତ କରିବା । ଯିବା ନଯିବା କଥା ପରେ ବିଚାର କରିବା ।

 

ଜଜକୋର୍ଟରେ ଦୁର୍ନୀତି ଅଭିଯୋଗରେ ସୁବୋଧନନାଙ୍କୁ ଦଣ୍ଡାଦେଶ ହୋଇଥିଲା—ଏଥିରେ ସେ ବିଚଳିତ ହୋଇ ଯାଇଥିଲେ ସତ କିନ୍ତୁ ହାଇକୋର୍ଟରେ ଅପିଲ କରି ଦୁର୍ନୀତି ଅଭିଯୋଗରୁ ମୁକ୍ତ ହେବା ପାଇଁ ସବୁ ପ୍ରକାର ଉଦ୍ୟମ ଚଳାଇଥିଲେ । ଶେଷରେ ହାଇକୋର୍ଟର ରାୟ ବାହାରିଲା । ସୁବୋଧନନାଙ୍କ ବିରୁଦ୍ଧରେ ସମସ୍ତ ଅଭିଯୋଗ ଅପ୍ରମାଣିତ ହୋଇ ସେ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ଭାବେ ଖଲାସ ହେଲେ । ସସପେଣ୍ଡ ହେବା ଦିନଠାରୁ ସେ ଚାକିରିରେ ଅଛନ୍ତି ଧରାଯାଇ ତାଙ୍କର ସମସ୍ତ ପ୍ରାପ୍ୟ ପାଇବା ନିମନ୍ତେ ସେ ହକଦାର ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଲେ । ସୁବୋଧନନାଙ୍କର ଆହୁରି ୨ । ୩ ବର୍ଷ ଚାକିରି କରିବା ନିମନ୍ତେ ବୟସ ଥିଲା । କିନ୍ତୁ ସମସ୍ତଙ୍କୁ ଚମତ୍‌କୃତ କରି ସୁବୋଧନନା ଚାକିରିରୁ ଅବସର ଆବେଦନ କଲେ ।

 

ଏ ଘଟଣାର କିଛିଦିନ ପରେ ଦିନେ ସୁବୋଧନନା ଇଜିଚେୟାରରେ ବସି ଖବରକାଗଜ ପଢ଼ୁଥିଲେ । ଶ୍ୱେତପଦ୍ମା ଯାଇ ତାଙ୍କ ଗୋଡ଼ ପାଖରେ ଆଣ୍ଠୁ ମାଡ଼ି ବସି ତାଙ୍କ କୋଳରେ ମୁଣ୍ଡ ରଖିଲା । ଖବର କାଗଜଟାକୁ ତଳକୁ ପକାଇ ଦେଇ ସୁବୋଧନନା ସତର୍କିତ ହୋଇ ପଚାରିଲେ, କଣ ହେଲା ମା ? ଦେହ ଭଲ ଲାଗୁନି କି ? ପଦ୍ମା ତାଙ୍କ କୋଳରୁ ମୁଣ୍ଡ ଉଠାଇ ତାଙ୍କୁ ଚାହିଁ ଫିକ୍‌କିନା ହସି କହିଲା—

 

ତୁମର ସବୁବେଳେ ଦୁଶ୍ଚିନ୍ତା ? ମୁଁ ତୁମକୁ ଗୋଟେକଥା ପଚାରିବାକୁ ଆସିଚି ।

 

କହ—ଗଭୀର ସ୍ନେହରେ ସୁବୋଧନନା କହିଲେ ।

 

ଡାଡ଼ି ମୁଁ ଯଦି ବିଦେଶକୁ ପଢ଼ିବାକୁ ଯାଏ ତୁମେ ମନ ଦୁଃଖ କରିବ ? ସୁବୋଧନନା ହୋ ହୋ ହୋଇ ହସିଉଠି କହିଲେ—ତୁ ଉଚ୍ଚ ଶିକ୍ଷା ପାଇଁ ବିଦେଶ ଗଲେ ମୁଁ ଗର୍ବ ଅନୁଭବ କରିବି ପଦ୍ମା—ଦୁଃଖ କାହିଁକି କରିବି ? ବିଦେଶ ଯିବା ପାଇଁ କଣ କିଛି ସୁଯୋଗ ତୁ ପାଉଚୁ ?

 

ପାଇଚି—ମୁଁ ଆଉ ଗୌତମ ଆମେ ଦୁଇଜଣ ଜର୍ଜିୟା ୟୁନିଭାରର୍ସିଟିର ଫେଲୋସିପ୍‌ ପାଇଚୁ ।

 

ଏ ତ ଅତି ଆନନ୍ଦର କଥା ମା—କେବେ ତୁମ କୋର୍ସ ଆରମ୍ଭ ?

 

ଜାନୁୟାରୀରେ—

 

ଓଃ ତେବେ ତ ଆହୁରି କେତେ ମାସ ବାକି ଅଛି !

 

ୟା ଭିତରେ ତ ପାଶ୍‌ପୋର୍ଟ ଭିସା ସବୁ ଠିକ୍‌ କରିବାକୁ ହେବ ।

 

ତା ସତ—ଗୌତମ କାହିଁ ?

 

ସେ ମୋତେ ଟେଲିଫୋନରେ ଖବର ଦେଲେ ସଂଧ୍ୟା ବେଳକୁ ଆସିବେ ।

 

ବେଶ୍‌ ବେଶ୍‌ ତୁମ ଦୁଇ ଜଣଙ୍କୁ ମୁଁ ଆଜି ଫ୍ରେଣ୍ଡ ଡିନାର ଦେବି । କହି ସୁବୋଧନନା ଆପ୍ୟାୟିତ ଭାବେ ହସିବାକୁ ଲାଗିଲେ ।

 

ସୁବୋଧନନାଙ୍କ କୋଳରେ ସେହିଭଳି ମଥା ରଖି ଶ୍ୱେତପଦ୍ମା ଶାନ୍ତଭାବେ କହିଲା—ଡାଡ଼ି, ଗୌତମଙ୍କ ଇଚ୍ଛା ଆମେ ଷ୍ଟେଟସ୍‌ ଯିବା ପୂର୍ବରୁ ବିବାହ କରିବା ଉଚିତ—ସେ ତୁମ ମତାମତ ଚାହିଁଚନ୍ତି ।

 

ଏ କଥା ଶୁଣି ସୁବୋଧନନା କିଛି କହି ପାରିଲେ ନାହିଁ—ଗୋଟିଏ ଅଜଣା ଆବେଗରେ ତାଙ୍କ ଅନ୍ତଃସ୍ଥଳ ରୁନ୍ଧି ହୋଇଗଲା ।

 

ସୁବୋଧନନାଙ୍କ ଏ ଭାବାନ୍ତରରେ ଶ୍ୱେତପଦ୍ମା ବିଚଳିତ ହୋଇ ପଚାରିଲା—କଣ ହେଲା ଡାଡ଼ି—ତୁମର କଣ ମତ ନାହିଁ ?

 

ସୁବୋଧନନା ନିଜକୁ ସମ୍ବରଣ କରି ପାରିଲେ ନାହିଁ । ତାଙ୍କ ଆଖିରୁ ଦୁଇଟୋପା ଲୁହ ଝରି ପଡ଼ିଲା—ରୁଦ୍ଧ ଗଳାରେ ସେ କହିଲେ, ‘ମା’ ମୋ ସ୍ୱାର୍ଥପରତା ତୁ କ୍ଷମାକର । ଏକଥା ତୁ ମୋତେ ମୁହଁ ଖୋଲି କହିବା ଆଗରୁ ମୋର ସେ ଦିଗରେ ପଦକ୍ଷେପ ନେବା ଉଚିତ ଥିଲା ।

 

ଛି, ଏମିତି କଣ କହୁଚ ଡାଡ଼ି—କହି ଶ୍ୱେତପଦ୍ମା ତା ବାପାଙ୍କୁ ଜାବୁଡ଼ି ଧରି କଇଁ କଇଁ ହୋଇ କାନ୍ଦି ଉଠିଲା ।

 

ତା ପରଦିନ ସୁବୋଧନନା ଗୌତମ ଘରକୁ ଗଲେ । ଗୌତମ ବାପା ହୃଷୀକେଶ ବାବୁ ସେକେଟାରୀଏଟର କୌଣସି ବିଭାଗରେ ହେଡ଼ଏସିଷ୍ଟାଣ୍ଟ କାମ କରନ୍ତି । ଗୌତମ ବ୍ୟତୀତ ତାଙ୍କର ଆଉ ଦୁଇଟି ପିଲା । ହୃଷୀକେଶ ବାବୁଙ୍କର ଅବସ୍ଥା ସ୍ୱଚ୍ଛଳ ନ ହେଲେ ବି ସେ ଅତ୍ୟନ୍ତ ଆତ୍ମସମ୍ମାନ ସଚେତନ ଭଦ୍ରବ୍ୟକ୍ତି । ଚିଫଇଞ୍ଜିନିୟର ସୁବୋଧ ଦାଶଙ୍କୁ ତାଙ୍କ ଘରକୁ ଆସିବା ଦେଖି ହୃଷିବାବୁ ବିଚଳିତ ହୋଇ କହିଲେ, ‘‘ଆସନ୍ତୁ ଆଜ୍ଞା, ହଠାତ୍‌ ଆପଣ—’’

 

ସୁବୋଧ ଦାଶ ବିନୀତ ଭାବେ କହିଲେ, ‘‘ଗୋଟି କାମରେ ଆସିଚି ହୃଷୀକେଶ ବାବୁ !’’

 

ମୋତେ ତ ଡକାଇଥିଲେ ମୁଁ ଆପଣଙ୍କ ପାଖକୁ ଯାଇଥାନ୍ତି, ଆପଣ କାହିଁକି ଏତେ କଷ୍ଟ କରି ଆସିଲେ ?

 

ମୁଁ ଆପଣଙ୍କୁ ଗୋଟିଏ ଭିକ୍ଷା ମାଗିବାକୁ ଆସିଚି ହୃଷୀବାବୁ ! ବାବୁ ! ନିଜେ ନ ଆସିଲେ କଣ ଭିକ୍ଷା ମାଗିହେବ ?

 

ସେପରି କୁହନ୍ତୁ ନାହିଁ—କହନ୍ତୁ ଯାହା ଆଦେଶ ଦେବେ ମୁଁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବି ।

 

ମୋ ଝିଅ ଶ୍ୱେତପଦ୍ମାକୁ ଆପଣ ପୁତ୍ରବଧୂରୂପେ ଗ୍ରହଣ କରି ମୋତେ ଅନୁଗୃହୀତ କରନ୍ତୁ ମୋର ଏତିକି ପ୍ରାର୍ଥନା ।

 

ଏ ପ୍ରସ୍ତାବ ଶୁଣି ହୃଷୀବାବୁ କିଛି ସମୟ ଅଭିଭୂତ ହୋଇ ଛିଡ଼ା ହୋଇ ରହିଲେ । ତା ପରେ କହିଲେ—ପଦ୍ମା ଗୌତମର ସହପାଠିନୀ । ସେ ମୋ ଘରକୁ ଅନେକଥର ଆସିଚି । ମୋ ପିଲାମାନେ ତା ସ୍ନେହରେ ପାଗଳ । ଏପରି ଲକ୍ଷ୍ମୀ ପ୍ରତିମା ପରି ଝିଅକୁ ପୁତ୍ରବଧୂ ରୂପେ ପାଇବା ଏକ ସୌଭାଗ୍ୟ । ମୁଁ ଜଣେ ଦରିଦ୍ର ବ୍ୟକ୍ତି ବୋଲି ଏ ପ୍ରସ୍ତାବ କରିବାକୁ ଏ ଯାଏ ସାହସ କରି ନ ଥିଲି । ଆପଣଙ୍କର ଉଦାର ଅନୁଗ୍ରହ ମୋର ଶିରଧାର୍ଯ୍ୟ । ମୋର ଆଉ ଗୋଟିଏ ଅନୁରୋଧ ଆପଣ ମୋର ସ୍ୱାର୍ଥପରତା କ୍ଷମା କରିବେ । ବିବାହ ପରେ ସେମାନେ ଆମେରିକା ଯିବା ପୂର୍ବରୁ ପଦ୍ମାକୁ କିଛିଦିନ ପାଇଁ ମୋ ପାଖରେ ରହିବାକୁ ଅନୁମତି ଦେବେ । ଆପଣ ଜାଣନ୍ତି ସେ ମୋର ଏକମାତ୍ର ସନ୍ତାନ ମୋର ଏକମାତ୍ର ଅବଲମ୍ବନ ।

 

ଏ କଥାରେ ଆପଣ ଏତେ ବ୍ୟସ୍ତ କାହିଁକି ହଉଚନ୍ତି—ପଦ୍ମା ଆପଣଙ୍କ ଝିଅ, ଗୌତମ ଆପଣଙ୍କର ପୁଅ—ସେମାନେ ଆପଣଙ୍କ ପାଖେ ରହିବେ ଆମର ଆପତ୍ତି କରିବା ପ୍ରଶ୍ନ ଉଠୁନି ।

 

ବିବାହ ସମ୍ବନ୍ଧ ସ୍ଥିର ହେବା ପରେ ସୁବୋଧନନା ପଦ୍ମାକୁ କହିଲେ, ‘‘ମା ତୋର ଓ ଗୌତମର ଆମେରିକାରେ ଯାହା ଦରକାର ସେସବୁ କିଣାକିଣି କରିବାପାଇଁ ଟଙ୍କା ମୁଁ ଦଉଚି । ସେସବୁ କିଣି ଆଣ ।’’

 

ଆମର କିଛି ଦରକାର ନାହିଁ ଡାଡ଼ି—ତା’ ଛଡ଼ା ଗୌତମ ବଡ଼ ଏକବାଗିଆ । ସେ ଯୌତୁକ ହିସାବରେ କିଛି ଗ୍ରହଣ କରିବେ ନାହିଁ ।

 

ଯୌତୁକ ତ ମୁଁ ଦଉନି.....

 

ନା ଡାଡ଼ି—ତୁମେ ଜମା ବ୍ୟସ୍ତ ହୁଅନି—ସେ ଜିଦଖୋର ।

 

ସୁବୋଧନନା ଚୁପ୍‌ ହୋଇଗଲେ । ତାଙ୍କ ବାକ୍‌ସ୍ଫୂର୍ତ୍ତି ହେଲା ନାହିଁ । ତାଙ୍କ ଆଖି ଆଗରେ ଭାସିଉଠିଲା ଗୋଟିଏ ଛବି—ସେ ଜଣେ ୭୦ ବର୍ଷର ଦରିଦ୍ର ବୃଦ୍ଧ ବ୍ରାହ୍ମଣ ପୋଷ୍ଟମ୍ୟାନକୁ କହୁଚନ୍ତି—ଏ ମନିଅର୍ଡ଼ର ମୁଁ ଗ୍ରହଣ କରି ପାରିବି ନାହିଁ । ପ୍ରେରକକୁ ଫେରସ୍ତ କରିଦିଅ....ଗୋଟିଏ ୧୩ ବର୍ଷର କିଶୋର ଚିତ୍କାର କରୁଚି, ଡାଡ଼ି ମୁଁ ଅଗ୍ରଓ୍ୱାଲା ଟଙ୍କାରେ ଭିଏନା ଯିବିନି । ତାଙ୍କ ଟଙ୍କା ଫେରାଇ ଦିଅ....ଆଉ ଆଜି....ତାଙ୍କ ଆତୁଜା ୨୨ ବର୍ଷର ଝିଅ କହୁଚି ମୋତେ କ୍ଷମା କର ଡାଡ଼ି—ତୁମ ଅର୍ଥ ମୁଁ ଗ୍ରହଣ କରି ପାରିବିନି । ସୁବୋଧ ଦାଶଙ୍କ ଇଚ୍ଛା ହେଉଥିଲା ଚିତ୍କାର କରି କହିବେ—ଈଶ୍ୱର ! ଏ ତୁମର କି ବିଚିତ୍ର ଦଣ୍ଡ ବିଧାନ ! କିନ୍ତୁ ସେ ନିଜକୁ ସମ୍ବରଣ କରି ଶାନ୍ତଭାବେ କହିଲେ, ‘‘ହଉ ମା ତୁମମାନଙ୍କର ଯାହା ଇଚ୍ଛା ।’’

 

ଗୌତମ ଓ ଶ୍ୱେତପଦ୍ମାଙ୍କ ବିବାହ ନିରାଡ଼ମ୍ବର ଭାବେ ହୋଇଗଲା । ପଦ୍ମା ଶ୍ୱଶୁରଘରେ କିଛିଦିନ ରହି ପୁଣି ତାଙ୍କ ଘରକୁ ଫେରି ଆସିଲା । ଗୌତମ ମଧ୍ୟ ସଦାସର୍ବଦା ଯିବା ଆସିବା କରେ-। ପଦ୍ମା ବିବାହ ପରେ ସୁବୋଧନନା ଅନେକ ମାନସିକ ଶାନ୍ତି ପାଇଥିଲେ—ତାଙ୍କ ସ୍ୱାସ୍ଥ୍ୟର ମଧ୍ୟ ଅନେକ ଉନ୍ନତି ହୋଇଥିଲା । କିନ୍ତୁ ସେମାନଙ୍କର ଆମେରିକା ଯିବା ସମୟ ପାଖେଇ ଆସିବା ପରେ ସେ ପୁଣି ବିମର୍ଷ ହୋଇ ପଡ଼ିଲେ—ସେ ନିଜ ମନୋଭାବକୁ ଯେତେ ଲୁଚାଇବାକୁ ଚେଷ୍ଟାକଲେ ମଧ୍ୟ ପାରୁ ନ ଥିଲେ ।

 

ପଦ୍ମା ଗୌତମଙ୍କ ଯିବା ପୂର୍ବଦିନ ସୁବୋଧନନା ପଦ୍ମାକୁ ଡାକି କହିଲେ—ମା, ତୋତେ ଦେବାପାଇଁ ମୋର କିଛି ନାହିଁ—ମୋର ଉପାର୍ଜିତ ସମସ୍ତ ସମ୍ପତ୍ତି ବିଷାକ୍ତ ଅଭିଶପ୍ତ—ଖାଲି ଏଇ ଗୋଟିକ ଜିନିଷରେ କୌଣସି ଆବିଳତା ନାହିଁ । ସେ ବନାରସ ହିନ୍ଦୁ ୟୁନିଭର୍ସିଟିରୁ ପାଇଥିବା ତାଙ୍କ ସ୍ୱଣ୍ଣପଦକଟିକୁ ଝିଅ ହାତରେ ଗୁଞ୍ଜିଦେଲେ—ପଦ୍ମା ସେଇ ଅମୂଲ୍ୟ ପଦାର୍ଥଟିକୁ ଆଗ୍ରହରେ ଗ୍ରହଣ କରି ତା’ ଡାଡ଼ିକୁ ଆକୁଳଭାବେ ଜାବୁଡ଼ି ଧରିଥିଲା ।

 

ସେଦିନ ରାତିରେ ଟ୍ରାଙ୍କୁଲାଇଜର ଖାଇ ମଧ୍ୟ ସୁବୋଧନନା ଶୋଇ ପାରି ନ ଥିଲେ । ଅନେକ ରାତିରେ ସେ ଚମକି ପଡ଼ିଥିଲେ—ଗୋଟିଏ କୋମଳ ଗଣ୍ଡ ସ୍ପର୍ଶ ନିଜ ଛାତିରେ ଅନୁଭବ କଲେ । ଶ୍ୱେତପଦ୍ମା ତା ଡାଡ଼ିଙ୍କ ଛାତିରେ ମୁଣ୍ଡରଖି ନୀରବରେ କାନ୍ଦୁଥିଲା । ସାନବେଳେ ପଦ୍ମା ଇମିତି ତାଙ୍କ ଛାତିରେ ଶୋଇ ରହୁଥିଲା—ସେ ତାକୁ ଛାତିରେ ଶୁଆଇ ନ ଥାପୁଡ଼ାଇଲେ ସେ ଶୋଉ ନ ଥିଲା ।

 

ସୁବୋଧନନା ବେଡ଼ ସୁଇଜ ଟିପି ଲ୍ୟାମ୍ପଟା ଜଳାଇଲେ । ବିଚ୍ଛେଦର ପୂର୍ବ ମୁହୂର୍ତ୍ତର ଆକୁଳତାରେ ତାଙ୍କ ବକ୍ଷ ବିଦୀର୍ଣ୍ଣ ହୋଇ ଯାଉଥିଲା; ତଥାପି ନିଜକୁ ସଂଯତ କରି ସସ୍ନେହରେ ସେ କହିଲେ—କାନ୍ଦନା ମା, ସମସ୍ତଙ୍କୁ ତ ଏମିତି ବାପ ମାଙ୍କୁ ଛାଡ଼ି ଯିବାକୁ ହୁଏ । ତୁ ଶୋଇପଡ଼, କାଲି ପରା ଯିବୁ । ଶ୍ୱେତପଦ୍ମା ତାଙ୍କ ଛାତିରୁ ମୁଣ୍ଡ ଖସାଇ ଆଣି ତାଙ୍କରି ପାଖରେ ଗୁଞ୍ଜିହୋଇ ଶୋଇପଡ଼ିଲା । ମା’ ମରିଯିବା ପରେ ଏଇ ଝିଅ ଶ୍ୱେତପଦ୍ମା ଏମିତି ତାଙ୍କ ପାଖରେ ଶୋଉଥିଲା—ଦୁଃସ୍ୱପ୍ନ ଦେଖି ଡରି ବେଳେ ବେଳେ ତାଙ୍କୁ କୁଣ୍ଢାଇ ଧରୁଥିଲା । ସେଇ ଝିଅ ଶ୍ୱେତପଦ୍ମା ସେମିତି ଅଛି—କିଛିହେଲେ ବଦଳି ନାହିଁ । ସୁବୋଧନନାଙ୍କ ଦୁଇ ଆଖିରୁ ଧାର ଧାର ଲୁହ ବହି ଆସିଥିଲା ।

 

ନିର୍ଦ୍ଦିଷ୍ଟ ଦିନରେ ପଦ୍ମା ଓ ଗୌତମ କଲିକତା ଯାଇ ଦମ୍‌ଦମ୍‌ ବିମାନଘାଟିରେ ପ୍ୟାନ ଆମେରିକାନ ଏୟାର୍‌ ୱେଜ୍‌ର ଜାମ୍ବୋ ଜେଟରେ ଚଢ଼ି ଅଦୃଶ୍ୟ ହୋଇଗଲେ । ସେମାନଙ୍କୁ ଛାଡ଼ିବା ପାଇଁ ହୃଷୀକେଶବାବୁ, ସୁବୋଧନନା କଲିକତା ଯାଇଥିଲେ—ଜେଟ୍‌ ଟେକ ଅଫ କଲାପରେ ସୁବୋଧନନାଙ୍କ ଅନ୍ତରର ଏକ ବିରାଟ ହାହାକାର ଦୀର୍ଘଶ୍ୱାସ ହୋଇ ଏରୋଡ଼୍ରମର ମୁକ୍ତ ଆକାଶରେ ମିଳାଇଗଲା । ସୁବୋଧନନା ଜାଣିଥିଲେ ପଦ୍ମା ସହିତ ଏଇ ତାଙ୍କର ଶେଷ ଦେଖା ।

ହଠାତ୍‌ ଦିନେ ମୁଁ ସୁବୋଧନନାଙ୍କ ପାଖରୁ ଗୋଟିଏ ଟେଲିଗ୍ରାମ୍‌ ପାଇଲି—ବଡ଼ ସଂକ୍ଷିପ୍ତ ବାର୍ତ୍ତା—୧୫ ତାରିଖ ପୂର୍ବରୁ ଆସି ମୋ ସହିତ ଭୁବନେଶ୍ୱରରେ ଦେଖାକର । ଅନେକ ଦିନୁ ସୁବୋଧନନାଙ୍କ ସହ ମୋର କୌଣସି ସମ୍ପର୍କ ନ ଥିଲା । କିନ୍ତୁ ଟେଲିଗ୍ରାମ୍‌ଟା ପାଇବା ପରେ ମୋର ତାଙ୍କ ସହିତ ଦେଖା କରିବାପାଇଁ ମନଟା ବ୍ୟାକୁଳ ହୋଇ ଉଠିଲା ।

ମୁଁ ନିର୍ଦ୍ଦିଷ୍ଟ ତାରିଖରେ ଭୁବନେଶ୍ୱରରେ ପହଞ୍ଚିଲି । ସେତେବେଳକୁ ସୁବୋଧନନା ତାଙ୍କ ସରକାରୀ କ୍ୱାଟରସ ଛାଡ଼ିଦେଇ ସହରର ଉପକଣ୍ଠରେ ନିଜ ଘରେ ରହୁଥିଲେ । ସେଇ ଘରର ଠିକଣା ଯୋଗାଡ଼କରି ତାଙ୍କ ଘରେ ପହଞ୍ଚିବା ବେଳକୁ ଅପରାହ୍ନ ହୋଇ ଯାଇଥିଲା । ସୁବୋଧନନା ତାଙ୍କ ଘର ବାରଣ୍ଡାରେ ଗୋଟିଏ ଡେକ ଚେୟାରରେ ଅଧାଶୁଆ ହୋଇ ବସିଥିଲେ । ଅପରାହ୍ନର ମ୍ଳାନ ଆଲୁଅରେ ମୁଁ ସୁବୋଧନନାଙ୍କୁ ଠିକ୍‌ ଚିହ୍ନି ପାରିଲି ନାହିଁ । ମୋର ମନେହେଲା ସୁବୋଧନନା ନୁହଁନ୍ତି ତାଙ୍କ ଛାୟାଟା ଠିକ୍‌ ସେଇ ଡେକ ଚେୟାରଟାରେ ଶୋଇ ରହିଚି—ଜଣେ ନିଃସଙ୍ଗ ପରାଜିତ ଓ ପରିତ୍ୟକ୍ତ ମଣିଷର ସେ ଛାୟା । ମୋତେ ଦେଖି ସୁବୋଧନନା ଖୁସିହେଲେ କହିଲେ–ରାଜୁ ଆସିଲୁ, ଆ’ ବସ । ମୁଁ ନୀରବରେ ତାଙ୍କ ପାଖରେ ବସିଲି । ବହୁଦିନ ପରେ ମୋ କୈଶୋରର ପରମାତ୍ମୀୟ ମୋ ଆଦ୍ୟ ଯୌବନର ଆଦର୍ଶ ପୁରୁଷ ସୁବୋଧନନାଙ୍କ ଭଗ୍ନ ସ୍ୱାସ୍ଥ୍ୟ ଓ ବିମର୍ଷରୂପ ଦେଖି ଏପରି ବିଷଣ୍ଣ ହୋଇ ଯାଇଥିଲି ଯେ, ମୁଁ ବହୁ ସମୟ ପର୍ଯ୍ୟନ୍ତ ଅଭିଭୂତ ହୋଇ ବସିରହିଲି । ତାଙ୍କ ସମ୍ଭାଷଣର ଉତ୍ତର ଦେବାପାଇଁ ମଧ୍ୟ ମୋର ବାକ୍ୟ ସ୍ଫୁରିଲା ନାହିଁ ।

ତୋର ବାଟରେ କିଛି ଅସୁବିଧା ହୋଇନାହିଁ ତ ? ସସ୍ନେହରେ ସୁବୋଧନନା ପଚାରିଲେ ।

ନା—ବହୁ କଷ୍ଟରେ ନିଜକୁ ସମ୍ବରଣ କରି ପଚାରିଲି—‘‘କାହିଁକି ଡକାଇଲେ ?’’ ସୁବୋଧନନା ସହସା ମୋ କଥାର ଉତ୍ତର ନ ଦେଇ କିଛି ସମୟ ନୀରବ ରହିଲେ । ତାପରେ କହିଲେ—କହିବି । କହିବା ପାଇଁ ତ ତୋତେ ଡକାଇଚି; କିନ୍ତୁ ତୋ ଠିକଣା ଯୋଗାଡ଼ କରିବାପାଇଁ ମୋତେ ବହୁ କଷ୍ଟ କରିବାକୁ ପଡ଼ିଚି ।

ତଥାପି ସନ୍ଦେହ ଥିଲା କାଳେ ଟେଲିଗ୍ରାମ୍‌ ନ ପାଇବୁ କିମ୍ବା ପାଇ ନ ଆସିବୁ ।

ଅନେକ ଦିନୁ ତ ଦେଖା ହୋଇନି.....ମୁଁ କହିଲି ।

ହଁ, ଅନେକ ଦିନୁ ତୋ ସଙ୍ଗେ ମୋର ଦେଖା ହୋଇନି; କିନ୍ତୁ ଜାଣୁ ରାଜୁ, ଆଜିକାଲି ପିଲାଦିନ କଥାସବୁ ଚିନ୍ତାକଲେ ମୋତେ କାଲିକା ଘଟଣା ପରି ମନେ ହେଉଚି; କିନ୍ତୁ ଉଃ, ୟା’ ଭିତରେ କେତେ ବର୍ଷ ବିତିଗଲାଣି । ପରିଚିତ ପୃଥିବୀର କେତେ ପରିବର୍ତ୍ତନ ହୋଇଗଲାଣି । କିଏ କେତେ ମରିହଜି ଗଲେଣି । ମୁଁ ବୁଢ଼ା ହୋଇଗଲିଣି । ତୋ ବାଳ ପାଚିବାକୁ ଆରମ୍ଭ କଲାଣି.....

ସମୟ ଓ ସ୍ରୋତତ କାହାକୁ ଅପେକ୍ଷା କରେନା ସୁବୋଧନନା...ଦାର୍ଶନିକ ଭଙ୍ଗୀରେ ମୁଁ କହିଲି ।

କିନ୍ତୁ ରାଜୁ, ମଣିଷ ଯଦି ସମୟ ସ୍ରୋତର ଉଜାଣିରେ ଯାଇ ପାରୁଥାନ୍ତା, ମଣିଷ ଯଦି ଆଉଥରେ ଫେରି ପାରନ୍ତା ତାର ଉଦ୍ଦେଶ୍ୟହୀନ ବାଲ୍ୟ ସ୍ୱପ୍ନମୟ କୈଶୋର ଓ ପ୍ରଦୀପ୍ତ ଯୌବନ କେତେ ଭଲ ହୁଅନ୍ତା ? ଏତିକି କହି ସୁବୋଧନନା ଚୁପ୍‌ ହୋଇଗଲେ ।

ମୋତେ ଅସ୍ୱସ୍ତି ଲାଗୁଥିଲା....ସେତେବେଳକୁ ଅପରାହ୍ନ ଅତିକ୍ରମ କରିସାରିଥିଲା—ଗୋଧୂଳି ବି ସ୍ତମିତ ହୋଇଯାଇଥିଲା । ୫୦ ଏକର ଫାର୍ମ ମଝିରେ ସୁବୋଧନନାଙ୍କ ବିରାଟ ପ୍ରାସାଦ ତୁଲ୍ୟ ଘର ବାରଣ୍ଡାର ଗୋଟିଏ ପ୍ରାୟନ୍ଧକାର କୋଣରେ ଆମେ ବସିଥିଲୁ । ସେଇ ଅସ୍ୱସ୍ତିକର ନୀରବତା ଭଙ୍ଗ କରିବାପାଇଁ ମୁଁ ପୁଣି ପଚାରିଲି—ମୋତେ କାହିଁକି ଡକେଇଲେ ସୁବୋଧନନା !

ହଠାତ୍‌ ଧ୍ୟାନଭଗ୍ନ ହେବାଭଳି ଚମକି ପଡ଼ି ସୁବୋଧନନା କହିଲେ—ଓ ହଁ, ତୋତେ ଏଯାଏ କହିନି ପରା ! ମୁଁ ମୋର ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତିକୁ ଟ୍ରଷ୍ଟ କରି ଦେଇଚି । ସେ ସମ୍ପତ୍ତିର ସମସ୍ତ ଦାୟିତ୍ୱ ଗୋଟିଏ ଟ୍ରଷ୍ଟବୋର୍ଡ଼ ହାତରେ ରହିବ । ତୁ ସେଇ ଟ୍ରଷ୍ଟବୋର୍ଡ଼ର ଜଣେ ସଭ୍ୟ । କାଲି ଟ୍ରଷ୍ଟବୋର୍ଡ଼ର ପ୍ରଥମ ବୈଠକ ବସି ମ୍ୟାନେଜିଂ ଟ୍ରଷ୍ଟି ନିର୍ବାଚନ ହେବେ । ମୁଁ ସୁବୋଧନନାଙ୍କ କଥା ଠିକ୍‍ ବୁଝି ନ ପାରି ପଚାରିଲି—ସବୁ ସମ୍ପତ୍ତି ଟ୍ରଷ୍ଟ କରିଦେଲେ କାହିଁକି ?

ସେ ସମସ୍ତ ଆୟରୁ ଏଇ ଘରେ ଗୋଟିଏ ଚକ୍ଷୁ ଚିକିତ୍ସା ଅନୁଷ୍ଠାନ ପ୍ରତିଷ୍ଠିତ ହେବ ଏବଂ ସମୟକ୍ରମେ ଗୋଟିଏ ଚକ୍ଷୁ ବ୍ୟାଙ୍କ ବି ହେବ । ଯେପରିକି ଦରିଦ୍ର ଚକ୍ଷୁହୀନ ଲୋକେ ଅଳ୍ପ ବ୍ୟୟରେ ଚିକିତ୍ସା ପାଇ ପାରିବେ । ସେମାନଙ୍କ ଦୃଷ୍ଟିଶକ୍ତି ଫେରି ପାଇବେ ।

ବୁଝିଲି ଯେ, କିନ୍ତୁ ଆପଣ ନିଜ ପାଇଁ କଣ କିଛି ବ୍ୟବସ୍ଥା କରି ନାହାନ୍ତି ?

ନା—

ସୁବୋଧନନାଙ୍କ ସଂକ୍ଷିପ୍ତ ଉତ୍ତର ଶୁଣିବା ପରେ ମୋତେ ଆଉ କିଛି ପଚାରିବାକୁ ସାହସ ହେଲାନାହିଁ । ମୁଁ ଚୁପ୍‌ ହୋଇ ବସିରହିଲି । କିନ୍ତୁ ସୁବୋଧନନା ନିଜେ କହିଲେ—ଏ ସମ୍ପତ୍ତିରେ ମୋର କୌଣସି ଅଧିକାର ନାହିଁ । ଏ ସମ୍ପତ୍ତି ମୋ ସ୍ୱ—ଉପାର୍ଜିତ ନୁହେଁ । ଏ ସମ୍ପତ୍ତି ମୁଁ ଅସଦ୍‌ ଉପାୟରେ ଉପାର୍ଜନ କରିଚି, ତାକୁ ଭୋଗ କରିବାର ଅଧିକାର ମୋର ନାହିଁ ।

ତାଛଡ଼ା ପଦ୍ମା ମୋର କୌଣସି ଉପାର୍ଜନ ଗ୍ରହଣ କରିବାକୁ ମନା କରିଚି । ତୁ ବୋଧହୁଏ ଜାଣୁ ମୁଁ ପଠାଇଥିବା ଟଙ୍କା ବାପା ଫେରସ୍ତ କରି ଦେଇଥଇଲେ । ଅସଦ୍‌ ଉପାୟରେ ଅର୍ଜିତ ଅର୍ଥ ତାଙ୍କ ନିକଟରେ ଅସ୍ମୃଶ୍ୟ ଥିଲା । କିନ୍ତୁ ତୁ ବୋଧହୁଏ ଜାଣିନୁ ସେଇ ରକ୍ତର ଧାରା ବହନ କରିଥିବା ଆଉ ଗୋଟେ ତେର ବର୍ଷର ପିଲା ମୋତେ କି କଠୋର ଧିକ୍‌କାର ନ ଦେଲା; କିନ୍ତୁ ମୋ ଝିଅ ପଦ୍ମା ବଡ଼ କୋମଳ । ତା ହୃଦୟ—ଠିକ୍‌ ମୋ ବୋଉ ଭଳି । ସେ ତା ସ୍ୱାମୀର ଦ୍ୱାହିଦେଇ ସେ ଅର୍ଥ ଗ୍ରହଣ କରିବାକୁ ମନା କରି ଦେଇ ଗଲା । ଏତିକି କହି ସୁବୋଧନନା ପୁଣି ଚୁପ୍‌ ହୋଇଗଲେ । ମୁଁ ଅନ୍ଧାରରେ କିଛି ଦେଖି ପାରୁ ନ ଥିଲେ ମଧ୍ୟ ଅନୁଭବ କରୁଥିଲି, ସୁବୋଧନନା କାନ୍ଦୁଥିଲେ ।

ସେଦିନ ରାତିରେ ମୋତେ ସୁବୋଧନନା ତାଙ୍କ ଜୀବନର ଅନେକ କାହାଣୀ କହିଥିଲେ-। ସୁବୋଧନନାଙ୍କ ଭଳି ଜଣେ ନୀତିବାଦୀ ମଣିଷ ନୀତି ଭ୍ରଷ୍ଟ ହବାର ଟ୍ରାଜେଡ଼ି ଶୁଣିବା ପାଇଁ ମୋର ଧୈର୍ଯ୍ୟ ନ ଥିଲା—ମୁଁ ପ୍ରତିବାଦ କଲାଭଳି କହିଥିଲି—କିନ୍ତୁ ଆପଣ କାହିଁକି ଅନ୍ୟାୟ ଓ ଅସାଧୁତାକୁ ପ୍ରଶ୍ରୟ ଦେଲେ ?

ସେଇ ତ ମୋ ଜୀବନରେ ସୁବଠାରୁ ବଡ଼ ଟ୍ରାଜେଡ଼ି । ମୁଁ ମଣିଷ ହୋଇ ପାରିଲିନି ରେ ରାଜୁ ! ମୁଁ ମଣିଷ ହେବାପାଇଁ ଅନେକ ସାଧନା କରିଥିଲି; କିନ୍ତୁ ବାପାଙ୍କ ଆଶୀର୍ବାଦ ମୋ ଜୀବନରେ ଫଳବତୀ ହୋଇ ପାରିଲା ନାହିଁ ।

ମୁଁ କେବଳ ଗୋଟିଏ ଦୀର୍ଘଶ୍ୱାସ ପକାଇ ଚୁପ୍‌ ହୋଇଗଲି । ସୁବୋଧନନା ଯଦି ମୀନାନାନୀଙ୍କୁ ବିଭା ହୋଇଥାନ୍ତେ ତେବେ କଣ ତାଙ୍କ ଜୀବନ ଏତେ ବ୍ୟର୍ଥତା, ଏତେ ଗ୍ଲାନିରେ ତମସାଚ୍ଛନ ହୋଇଥାନ୍ତା ? ସୁବୋଧନନା ବି ବୋଧହୁଏ ସେଇକଥା ଚିନ୍ତା କରୁଥିଲେ । କିନ୍ତୁ ସେ କଥା ସେ ପ୍ରକାଶ ନ କରି କହିଲେ—ରାଜୁ, ଅନେକ ଦିନ ପର୍ଯ୍ୟନ୍ତ ମୁଁ ସଚ୍ଚୋଟ ହେବାପାଇଁ ସଚେଷ୍ଟ ଥିଲି । ଲାଞ୍ଚ, ଘୁସ ଅସଦ୍‌ ଉପାର୍ଜନ ପାଇଁ ମୋର କୌଣସି ଦୁର୍ବଳତା ନ ଥିଲା; କିନ୍ତୁ ବିଧାତାର ଉଦ୍ଦେଶ୍ୟ ଅନ୍ୟ ପ୍ରକାର ଥିଲା । ଶେଷ ପର୍ଯ୍ୟନ୍ତ ଅସାଧୁତା ଓ ଅସଦ୍‌ ଅର୍ଥ ମୋର ଏକମାତ୍ର ଅବଲମ୍ବନ ହୋଇଗଲା ।

କିଛି ସମୟ ନୀରବ ରହି ସୁବୋଧନନା ପୁଣି କହିଲେ—ସିଦ୍ଧାର୍ଥ ମୃତ୍ୟୁ, ଶୋଭନାର ପାଗଳାମି ଆଉ ଅକାଳ ମୃତ୍ୟୁ ମୋ ଜୀବନରେ ଏକ ଦାରୁଣ ଆଘାତ ଦେଇଥିଲା । ତାକୁ ଭୁଲିବାପାଇଁ ଅନେକ ଚେଷ୍ଟା କରିଚି । ପଢ଼ାପଢ଼ି କରି ନିଜକୁ ଭୁଲାଇବାପାଇଁ ଚେଷ୍ଟାକଲି—ଗୋଟିଏ ପୃଷ୍ଠା ବି ପଢ଼ି ପାରିଲି ନାହିଁ—ଛୁଟିନେଇ ସାରା ଭାରତବର୍ଷ ବୁଲିଲି—ଟିକିଏ ବି ଶାନ୍ତି ପାଇଲି ନାହିଁ । ସେ ଆଘାତ ଭୁଲିବାପାଇଁ ଯାହା ଜୀବନରେ କରି ନ ଥିଲି ସେୟା କଲି ଟିଣ ଟିଣ ସିଗ୍ରେଟ ପିଇଲି, ମଦ ପିଇଲି, କିଛି ଲାଭ ହେଲାନି—ନିର୍ଜଳା ନୀଟ ହୁସ୍କି ପିଇ ବି ଶୋଇ ପାରିଲି ନାହିଁ । ମୋର ମନେହେଲା ଏମିତି ଗୋଟିଏ ନିଶାର ପ୍ରଲୋଭନ ଯାହା ମୋତେ ସବୁ ଭୁଲାଇ ଦେବ—ତାର ସନ୍ଧାନ ମୁଁ ପାଇଗଲି । କଳାଟଙ୍କା—କିଳାପୋତେଇ ତାଠାରୁ ବଡ଼ ନିଶା କିଛି ନାହିଁ-। ମୁଁ ନିଶାଗ୍ରସ୍ତ ମଣିଷ ଭଳି ଖାଲି କଳାଟଙ୍କା ରୋଜଗାର କରିବାରେ ଲାଗିଲି—ମାନମର୍ଯ୍ୟାଦା ମଣିଷପଣିଆ ସବୁ ତୁଚ୍ଛ ହୋଇଗଲା । ଅର୍ଥ ମୋ ଜୀବନର ପରମାର୍ଥ ହୋଇଗଲା । ସି. ବି. ଆଇ. ମୋ ନାମରେ ମୋକର୍ଦ୍ଦମା କଲାପରେ ଭାବିଥିଲି କୋର୍ଟରେ ଦୋଷ ସ୍ୱୀକାର କରି ମଥାପାତି ଦଣ୍ଡାଦେଶକୁ ଗ୍ରହଣ କରିନେବି—ସେଥିରେ ସାମାନ୍ୟ ପ୍ରାୟଶ୍ଚିତ୍ତ ହୋଇଥାନ୍ତା ।

କିନ୍ତୁ ତା ବି ପାରିଲି ନାହିଁ । ମୋର ମନେ ହେଲା ମୋତେ ଯଦି ଜେଲ ହୁଏ ତେବେ ସେ କଳଙ୍କ ପଣ୍ଡିତ ଭଗବାନ ଦାଶଙ୍କ ରକ୍ତକୁ ବହନ କରିଥିବା ଆଉ ଗୋଟିଏ ସୁକୁମାର ଜୀବନକୁ କାଳିମାମୟ କରିଦେବ । ପଦ୍ମା କଥା ଭାବି ଜେଲ ନ ଯିବାପାଇଁ ବଦ୍ଧପରିକର ହେଲି ।

କିନ୍ତୁ ହାଇକୋର୍ଟ ତ ଆପଣଙ୍କୁ ଖଲାସ କରି ଦେଇଚି ସୁବୋଧନନା ! ଆପଣ ସେ ସବୁ କଥା କାହିଁକି ଏତେ ଭାବୁଚନ୍ତି ?

ମୋ କଥା ଶୁଣି ସୁବୋଧନନା ନିଃଶବ୍ଦରେ ହସିଲେ । ମଣିଷ ତିଆରି ଆଇନରେ ଅନେକ ଫାଙ୍କ ଥାଏ—ମଣିଷ ପଇସା ଖର୍ଚ୍ଚକଲେ ସେଇ ଫାଙ୍କ ବାଟେ ଖସିଯାଇ ହୁଏ । କିନ୍ତୁ ଈଶ୍ୱରଙ୍କ ଆଇନକୁ କଣ ଫାଙ୍କି ଦେଇହବ ? ମଣିଷକୁ ତା କୃତ କର୍ମର ଫଳ ଭୋଗ କରିବାକୁ ହବ-। ତା ପରଦିନ ସୁବୋଧନନାଙ୍କ ଘରେ ଟ୍ରଷ୍ଟ ବୋର୍ଡ଼ର ପ୍ରଥମ ବୈଠକ ହେଲା । ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ବିଶିଷ୍ଟ ନେତା ଟ୍ରଷ୍ଟର ଚେୟାରମ୍ୟାନ ରୂପେ ନିର୍ବାଚିତ ହେଲେ । ବୈଠକରେ ସୁବୋଧନନା କହିଲେ—ଦରିଦ୍ର ଚକ୍ଷୁହୀନ ବ୍ୟକ୍ତିଙ୍କ ପାଇଁ ଆଜି ଯେଉଁ ଶିଶୁ ଅନୁଷ୍ଠାନର ଶୁଭ ଦିଆଗଲା ତାକୁ ସକ୍ରିୟ ଭାବେ କାର୍ଯ୍ୟକାରୀ କରିବା ଦାୟିତ୍ୱ ଆପଣମାନଙ୍କର—ଆପଣମାନଙ୍କ ହାତରେ ଯେଉଁ ପୁଞ୍ଜିଅଛି ତାହା ସାମାନ୍ୟ—ମୋର ବିଶ୍ୱାସ ଆପଣମାନଙ୍କ ଉଦ୍ୟମରେ ସରକାର ତଥା ରେଡ଼କ୍ରସ ପ୍ରଭୃତି ସଂସ୍ଥା ସାହାଯ୍ୟରେ ଆପଣମାନେ ଏହାକୁ ଏକ ମହତ୍‌ ଅନୁଷ୍ଠାନ କରି ପାରିବେ ।

ଚେୟାରମ୍ୟାନ ମହୋଦୟ କହିଲେ—ସୁବୋଧନନା ! ଆପଣ ନିଜେ ଏ ଦାୟିତ୍ୱ ନିଅନ୍ତୁ—ତାହେଲେ ଆପଣଙ୍କ ପରିକଳ୍ପନା ଆପଣଙ୍କର ଇଚ୍ଛା ଅନୁଯାୟୀ ରୂପାୟିତ ହୋଇ ପାରିବ-

କିନ୍ତୁ ସୁବୋଧନନା ବିନୀତ ଭାବେ କହିଲେ—ମୁଁ ଅସୁସ୍ଥ, ଏ ଅନୁଷ୍ଠାନ ଗଢ଼ିବାର ସାମର୍ଥ୍ୟ ମୋର ନାହିଁ ।

ଜଣେ ସଭ୍ୟ କହିଲେ—ସୁବୋଧବାବୁ ! ଆପଣ ଟ୍ରଷ୍ଟରେ ସଭ୍ୟ ନ ରହିଲେ ମଧ୍ୟ ଆପଣ ନାମ ତ ସଂପୃକ୍ତ କରି ପାରିବେ କିମ୍ବା ଆପଣ ପିତା ମାତା ପତ୍ନୀ କିମ୍ବା ପୁତ୍ରର ସ୍ମୃତିରକ୍ଷା ପାଇଁ ମଧ୍ୟ ନାମକରଣ କରି ପାରିବେ—ଅନ୍ତତଃ ସେ ଅନୁମତି ଦିଅନ୍ତୁ ।

ସୁବୋଧନନାଙ୍କ ମୁଁହ ମ୍ଳାନ ହୋଇଗଲା—ସେ ସ୍ତିମିତଭାବେ କହିଲେ—ଆପଣମାନେ ଜାଣନ୍ତି ଏ ଅର୍ଥର ଅଧିକାଂଶ ମୋର ପରିଶ୍ରମଲବ୍‌ଧ ନୁହେଁ—ତେଣୁ ସେଇ ଅର୍ଥରେ ମୋର ପିତାମାତା ପତ୍ନୀ ପୁତ୍ର କାହାର ସ୍ମୃତି ତର୍ପଣ କରିବାର ଅଧିକାର ନାହିଁ ।

ସଭା ଭାଙ୍ଗିବା ପରେ ସୁବୋଧନନା ବେଶ୍‌ ପ୍ରଫୁଲ୍ଲ ଦେଖାଗଲେ । ମୋତେ ସେ ବୁଲାଇ ତାଙ୍କ ଫାର୍ମ ଦେଖାଇ କହିଲେ—ବୁଝିଲୁ ରାଜୁ, ମୁଁ ଭାବିଥିଲି ପଦ୍ମା ଏଇଠି ରହି ଡାକ୍ତରୀ କରିବ ଆଉ ମୁଁ ଶେଷଜୀବନ ଖୁବ୍‌ ଆରାମରେ କଟେଇ ଦେବି । କିନ୍ତୁ ମଣିଷର ଇଚ୍ଛା ବିଧାତାର ଇଚ୍ଛା ଭିତରେ ଅନେକ ଫରକ ଥାଏ । ସେଦିନ ବି ସୁବୋଧନନା ମୋତେ ଛାଡ଼ିଲେ ନାହିଁ । କହିଲେ, ତୁ ମୋ ପାଖରେ ବସ—ତୋତେ ଦେଖି ମୋର ଅତୀତର ଅନେକ କଥା ମନେ ପଡ଼ୁଛି । ମନ ଭିତରେ ଅନେକ ସ୍ମୃତିର ରୋମନ୍ଥନ ହୋଇ ଭଲ ଲାଗୁଚି । ସେଦିନ ରାତିରେ ମୁଁ ତାଙ୍କ ପାଖରେ ଅନେକ ସମୟ ଚୁପ୍‌ଚାପ୍‌ ବସିରହିଲି । କେତେ ସମୟ ପରେ କୌତୂହଳ ସମ୍ବରଣ କରି ନ ପାରି ପଚାରିଲି—ସୁବୋଧନନା ! ଆପଣ ତ ଆପଣଙ୍କର ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତି ଏପରିକି ଆପଣଙ୍କ ଚାକିରି କାଳର ବକେୟା ଦରମା ଗ୍ରାଚୁଇଟି ପେନ୍‌ସନ୍‌ ସବୁ ଦାନ କରିଦେଲେ–ଆପଣଙ୍କ ନିଜ ସଂସ୍ଥାନ ପାଇଁ ତ କିଛି ରଖିଲେ ନାହିଁ ।

ସୁବୋଧନନା ମୋ ମୁହଁକୁ କେତେ ସମୟ ଚାହିଁରହି କହିଲେ ସବୁ ପ୍ରୟୋଜନ ମୋର ଶେଷ ହୋଇ ଯାଇଚି—ମୋର ଆଉ କିଛି ଦରକାର ହବନି ?

ମାନେ ? ବୁଝି ନ ପାରି ମୁଁ ପଚାରିଲି ।

ମୋର ତ ମିଆଦ ଶେଷ ହୋଇ ଗଲାଣି । କେତେଟା ଦିନ ଆଉ ବଞ୍ଚିବି ଯେ—କହି ସୁବୋଧନନା ଆମୋଦିତ ହେଲାଭଳି ହସିଲେ ।

କଣ ଆପଣ କହୁଚନ୍ତି ? ଚମକିପଡ଼ି ମୁଁ ପଚାରିଲି ।

ମୋ ଗଳାରେ କ୍ୟାନସାର—ଖୁବ୍‌ ଆଡ଼ଭାନ୍‌ସ୍‌ଡ଼୍‌ ଷ୍ଟେଜ । ଡାକ୍ତରମାନଙ୍କ ମତରେ ମୋର ଆୟୁଷ ଅତି ଜୋର ଆଉ କେତେ ସପ୍ତାହ—‘ସେଇ କେତେଟା ସପ୍ତାହ କ୍ୟାନ୍‌ସର ଇନ୍‌ସିଟ୍ୟୁଟରେ ରହିଯିବି’ କହି ସୁବୋଧନନା ସେମିତି ହସିବାକୁ ଲାଗିଲେ—

ସୁବୋଧନନା ? ମୁଁ ଆତଙ୍କିତ ହୋଇ ଚାପାସ୍ୱରରେ ଚିତ୍କାର କରି ଉଠିଲି ।

ବିଶ୍ୱାସ କରୁନୁ ?

ନା ସୁବୋଧନନା ! ତୁମେ ଏମିତି କଥା କୁହ ନାହିଁ । ମୁଁ ଆକୁଳଭାବେ କହିଲି ।

ଅପ୍ରିୟ ହେଲେ ବି କଥାଟା ନିରାଟ ସତ ରାଜୁ ! ମୁଁ କ୍ୟାନସାର ହବାକଥା ଅନେକ ଦିନୁ ଜାଣିଥିଲି । କିନ୍ତୁ ପଦ୍ମା ପାଖରୁ ଲୁଚାଇବାକୁ ଚେଷ୍ଟା କରିଥିଲି । କାରଣ ସେ ଜାଣିଥିଲେ, କଦାପି ଆମେରିକା ଯାଇ ନ ଥାନ୍ତା । ମୁଁ କିନ୍ତୁ ତା କେରିୟାର କଥା ଭାବି ସବୁ ଯନ୍ତ୍ରଣା ସହ୍ୟ କରୁଥିଲି ।

ଆଃ—କି ମରଣାନ୍ତକ ସେ ଯନ୍ତ୍ରଣା ! ପଦ୍ମା ଜାଣି ନଥିଲା ଏ କଥା ?

‘ନା—କେହି ଜାଣନ୍ତିନି କେବଳ କ୍ୟାନସାର ଇନ୍‌ସିଟ୍ୟୁଟର ରିଫ୍‌ ଡଃ—ନାଏକଙ୍କ ବ୍ୟତୀତ ।

ସେତେବେଳକୁ ଅନେକ ରାତି ହୋଇ ଯାଇଥିଲା—ସୁବୋଧନନା କହିଲେ ତୁ ଯା ଶୋଇବୁ । ତୁ ପୁଣି ସକାଳୁ ଯିବୁ । ସୁବୋଧନନା ମୋ ଶୋଇବା ଘରକୁ ଆସିଲେ । ମୋ ହାତକୁ ଗୋଟିଏ ରେକ୍‌ସିନ୍‌ ପ୍ୟାକେଟ ବଢ଼ାଇ ଦେଇ କହିଲେ—ୟା ଭିତରେ ବାପାଙ୍କ ରାମାୟଣ ପାଣ୍ଡୁଲିପି ଅଛି—ଜୀବନର ଚରମ ଦୁର୍ଦ୍ଦିନରେ ତାକୁ ପଢ଼ି ମୁଁ ଅନେକ ସାନ୍ତ୍ୱନା ପାଇଚି । ଛାପା ହେଲେ ସବୁ ଲୋକଙ୍କର ଉପକାର ହେବ । ପାରିବୁ ଯଦି ପ୍ରକାଶ କରିବୁ । ମୋର ତାକୁ ଛପାଇବାକୁ ବହୁତ ଇଚ୍ଛା ଥିଲା—ସାହସ ହେଲାନି, ତା ପରେ କିଛି ସମୟ ନୀରବ ରବି ମୋ ହାତକୁ ଆଉ ଖଣ୍ଡିଏ ଲଫାପା ବଢ଼ାଇଦେଇ କହିଲେ—ମୀନା ସଙ୍ଗେ ତୋର ଦେଖାହୁଏ ?

ହୁଏ, ଅଳ୍ପଦିନ ଭିତରେ ବ୍ରଜସାର୍‌ ଭୁବନେଶ୍ୱରକୁ ଡିଭିଜନାଲ ମ୍ୟାନେଜର ହୋଇ ଆସିବାର କଥା ଅଛି ।

ସେମାନେ ବର୍ତ୍ତମାନ କେଉଁଠି ?

ବମ୍ବେରେ........

ତା’ ପିଲାମାନେ—

ଜଣେ ତ I. A. S. ଗୁଜୁରାଟରେ ଅଛି । ଅନ୍ୟଟି ବର୍ଲିନରେ ଇଞ୍ଜିନିୟରିଂ ପଢ଼ୁଚି । ସୁବୋଧନନା ଖୁବ୍‌ ମନୋଯୋଗ ଦେଇ ମୋ କଥା ଶୁଣୁଥିଲେ । ତାପରେ ଏକ ଉଦ୍‌ଗତ ଦୀର୍ଘଶ୍ୱାସକୁ ଚାପି କହିଲେ—ଦେଖାହେଲେ ଏଟା ତାକୁ ଦେଇଦବୁ । ଏଥିରେ ଖଣ୍ଡିଏ ତାର ପୁରୁଣା ଫଟୋଗ୍ରାଫ ଅଛି । ବୋଉର ଭାଗବତରୁ ପାଇଥିଲି । ଏଯାଏ ଫେରାଇ ପାରିନି । ମୀନା ଓ ତାର ପିଲାମାନଙ୍କୁ ଆଶୀର୍ବାଦ ଦେବୁ । ସୁବୋଧନନା ଧୀରେ ଧୀରେ ସେ କୋଠରୀରୁ ବାହାରିଗଲେ ।

ମୋ ନିଦ ଭାଙ୍ଗିଲାବେଳକୁ ପୂର୍ବ ଆକାଶର ଅନ୍ଧାର ଫିକାପଡ଼ି ଆସିଲାଣି । ମୁଁ ତରବର ହୋଇ ମୁହଁ ହାତ ଧୋଇ ଯିବାକୁ ପ୍ରସ୍ତୁତ ହୋଇଗଲି । ସୁବୋଧନନାଙ୍କୁ ଖୋଜି ଦେଖେ ତ ସେ ତାଙ୍କ ଶୋଇବାଘରେ ନାହାଁନ୍ତି । ଖୋଜି ଖୋଜି ଯାଇ ଦେଖିଲି ପୂର୍ବପଟ ବାରନ୍ଦାରେ ଧ୍ୟାନମଗ୍ନ ହୋଇ ଧୋତି ପିନ୍ଧି କାନ୍ଧରେ ଖଣ୍ଡିଏ ଚଦର ପକାଇ ଜଣେ କିଏ ନିବିଷ୍ଟ ମନରେ ପ୍ରଭାତ ଲଗ୍ନର କଳକାକଳି ଶୁଣୁଅଛି । ମୁଁ ଚମକି ପଡ଼ିଲି—ମଡ଼େଲ ସ୍କୁଲର ପ୍ରାର୍ଥନା ଘଣ୍ଟା ବାଜିବା ଆଗରୁ ସେ ସ୍କୁଲର ପ୍ରଧାନ ଶିକ୍ଷକ ପଣ୍ଡିତ ଭଗବାନ ଦାଶ ଠିକ୍‌ ଏମିତି ବାରନ୍ଦାରେ ଛିଡ଼ାହୋଇ ଶିଶୁ କଣ୍ଠର କଳରବ ଶୁଣୁଥିଲେ.......

ସୁବୋଧନନାଙ୍କ ଧ୍ୟାନଭଙ୍ଗ କରିବା ପାଇଁ ପ୍ରବୃତ୍ତି ହେଲାନାହିଁ । ସେ ବୋଧହୁଏ ସୂର୍ଯ୍ୟୋଦୟକୁ ପ୍ରତୀକ୍ଷା କରି ଛିଡ଼ା ହୋଇଥିଲେ । ମୁଁ ଧୀରେ ଧୀରେ ସେ ସ୍ଥାନ ପରିତ୍ୟାଗ କରି ଚାଲିଆସିଲି ।

Image